Wednesday, June 27, 2018

ଗଣତନ୍ତ୍ର, ଗଣତାନ୍ତ୍ରିକ ଅଧିକାର ଓ ଘୋଷିତ ଯୁଦ୍ଧ


ଗଣତନ୍ତ୍ର, ଗଣତାନ୍ତ୍ରିକ ଅଧିକାର ଓ ଘୋଷିତ ଯୁଦ୍ଧ
          ମାନବିକ ଅଧିକାର କର୍ମୀ କଣ ସରକାରଙ୍କ ଏହି ଘୋଷିତ ଯୁଦ୍ଧର ଏକ ଅଂଶ କି? ବିଭିନ୍ନ ସମୟରେ ମାନବିକ ଅଧିକାର କର୍ମୀଙ୍କୁ ଏହି ପ୍ରଶ୍ନ ବିଭିନ୍ନ ପରିସ୍ଥିତିରେ ପଚରାଯାଇଥାଏ କେବଳ ଯେ କୌଣସି ସୁରକ୍ଷା ଅଧିକାରୀ ଏହି ପ୍ରଶ୍ନ ପଚାରିଥାନ୍ତି ତା ନୁହେଁ ଏହି ସମାନ ପ୍ରଶ୍ନ ଯୁଦ୍ଧର ଅପର ପକ୍ଷ, ଆଜିର ମାଓବାଦୀ ପାର୍ଟି, ଯାହାଙ୍କ ବିପକ୍ଷରେ ସରକାର ଯୁଦ୍ଧ ଘୋଷଣା କରିଛନ୍ତି ସେମାନେ ମଧ୍ୟ ସମାନ ପ୍ରଶ୍ନ ପଚାରିଥାନ୍ତି ହେଲେ, ଅଧିକାର ଆନ୍ଦୋଳନରେ ସମ୍ପୃକ୍ତ ପ୍ରତ୍ୟେକ ଅଧିକାର କର୍ମୀ ସର୍ବସାଧାରଣଙ୍କ ଅଧିକାରର ସୁରକ୍ଷା ସପକ୍ଷରେ ଯୁକ୍ତି କଲା ବେଳେ ଏହି କଥା ଦୋହରାଇଥାଏ ଯେ ଗଣତାନ୍ତ୍ରିକ ବିଚାରକୁ ବିଶ୍ଵାସ କରୁଥିବା କୌଣସି ଶକ୍ତି ପକ୍ଷରେ ନିଜର ନାଗରିକଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା ଗଣତନ୍ତ୍ରର ପ୍ରକୃତ ବ୍ୟାଖ୍ୟା ସହିତ ଆଦୌ ଖାପ ଖାଉନାହିଁ ପୁଣି ଯୁଦ୍ଧର ରାସ୍ତାରେ କୌଣସି ଗଣତନ୍ତ୍ର କେବେ ପ୍ରତିଷ୍ଠା ହୋଇନାହିଁ, ଏହାର ସେପରି କୌଣସି ଇତିହାସ ମଧ୍ୟ ନାହିଁ ଆଜି ଯୁଦ୍ଧରେ ସାମ୍ନାସାମ୍ନି ହୋଇଥିବା ଉଭୟ ପକ୍ଷ ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନ ଦେବା ପାଇଁ ଆଦୌ ଆଗ୍ରହୀ ନୁହଁନ୍ତି ହେଲେ ଗୋଟେ ପକ୍ଷର ଦମନକାରୀ ମନୋଭାବ ଅନ୍ୟକୁ ଆହୁରି ନିଷ୍ଠୁର ହେବା ପାଇଁ ତର୍କ ଯୋଗାଉଛି ଓ ଏହି ଯୁଦ୍ଧ ନିରନ୍ତର ପାଲଟିଯାଇଛି ।
          ଏହି ଜନଯୁଦ୍ଧରେ ନୀହତ ସରକାରୀ ଯବାନ ଅଥବା ମାଓବାଦୀ କର୍ମୀର ପରିବାର ତାହାର ମୃତ୍ୟୁ ପରେ ଅତିଦୁର୍ଦ୍ଦିନ ମଧ୍ୟରେ ନିଶ୍ଚିତରୂପେ ଗତି କରିଥାନ୍ତି କେବଳ ଶହୀଦ ଆଖ୍ୟା ଦେଇ କିଛିଦିନର ଶୋକ ପରେ ଉଭୟ ପକ୍ଷ ତାହାକୁ ଭୁଲିଯିବାକୁ ବସନ୍ତି । କାରଣ ଉଭୟ ଜାଣନ୍ତି ଏହା ସ୍ଵାଭାବିକ । କିନ୍ତୁ ଚିନ୍ତା କରିବାର ବିଷୟ ଯେ ଉଭୟଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସମାନ । ଆଦିବାସୀ, ଦଳିତ, କ୍ଷୁଦ୍ରଚାଷୀ, ଭୂମିହୀନ ପରିବାରର ଯୁବକ/ଯୁବତୀମାନେ ପରସ୍ପରର ବିରୁଦ୍ଧରେ ଆଜି ଯୁଦ୍ଧରତ । ଆନୁସଙ୍ଗିକ ସୁବିଧା ସୁଯୋଗ ପାଉଥିବା ହେତୁ ମୃତ ସରକାରୀ ଯବାନଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଅଧିକ ସ୍ଵଚ୍ଛଳ ଓ ଅଧିକ ସୁରକ୍ଷିତ । ମାତ୍ର ମାଓବାଦୀ ପାର୍ଟିର ନେତୃବର୍ଗ ହୁଅନ୍ତୁ ଅଥବା ବରିଷ୍ଠ ପୁଲିସ ଅଧିକାରୀ ମୃତ ଯବାନଙ୍କ ମୃତ୍ୟୁକାଳୀନ ପରିସ୍ଥିତିକୁ ଏପରିଭାବରେ ଚିତ୍ରିତ କରନ୍ତି ଯାହାଦ୍ୱାରା ସମ୍ମୁଖ ଯୁଦ୍ଧରେ ନିଯୁକ୍ତ ବାକି ଯବାନଙ୍କ ମଧ୍ୟରେ ବିରୋଧୀ ପକ୍ଷ ପ୍ରତି ଅଶେଷ ଘୃଣା ଓ ହିଂସା ଯେମିତି ଆଣିଦେବ । ବରିଷ୍ଠ ପୁଲିସ ଅଧିକାରୀ ସାଧାରଣ ଯବାନଙ୍କ ଅକାଳ ମୃତ୍ୟୁରେ ବ୍ୟସ୍ତ ହୋଇ ସରକାରଙ୍କୁ ଏପରି ଯୁଦ୍ଧକୁ ବନ୍ଦ କରି ଆପୋଷ ଆଲୋଚନାର କଥା କେବେ ଲେଖନ୍ତି ନାହିଁ । ଶ୍ରୀଲଙ୍କାର ଏଲଟିଟିଇ ଭାଙ୍ଗିଯିବା ପରେ ସେଥିରୁ ଉସ୍ଛାହିତ ହୋଇ ଏବେ ସରକାର ଅଲିଖିତ ନିର୍ଦ୍ଦେଶ ଦେଇସାରିଛନ୍ତି ଯେ ମାଓବାଦୀ ପାର୍ଟିର କର୍ମୀଙ୍କୁ ସମ୍ମୁଳେ ନିପାତ କରାଯିବଏହାର ସାମ୍ବିଧାନିକତାକୁ ମଧ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ କେବେ ପ୍ରଶ୍ନ କରୁନାହାନ୍ତି ଯାହାକି ତାଙ୍କ ଠାରୁ ଆଶାକରାଯାଉଛି ଏଠାରେ ମାଓବାଦୀ ପାର୍ଟି କେବଳ ନିଜ ସୁରକ୍ଷାର ଲଢେଇ ଲଢୁଛି । ଏହି ଯୁଦ୍ଧ ଜାତିସଂଘର ଘୋଷଣାନାମକୁ କେବେ ଠାରୁ ହେୟ କରାଯାଇସାରିଲାଣି ।
          ଏହି ଯୁଦ୍ଧରେ ମୃତ ସାଧାରଣ ଲୋକଟି ଯିଏ କି ଯୁଦ୍ଧର ଆଦୌ ଅଂଶ ନୁହେଁ ତାହା ପ୍ରତି କିଛି ଉପରଠାଉରିଆ ସମବେଦନା ଓ ତାର ପରିବାର ପ୍ରତି କିଛି ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିବା ବ୍ୟତୀତ ନିଜ ଆଭିମୁଖ୍ୟରେ କାହାରି କୌଣସି ପରିବର୍ତ୍ତନ ଆସୁନାହିଁ । କୌଣସି ନୀରିହ ଲୋକଙ୍କୁ ହତ୍ୟା ହେଲେ ମାଓବାଦୀ ପାର୍ଟି ଜଙ୍ଗଲର କୌଣସି ନିଭୃତ କୋଣରୁ ଉସ୍ଛାହନଥିବା ସ୍ଵରରେ ପ୍ରେସ ବିଜ୍ଞପ୍ତି ଦେଇ ଭୁଲ ସ୍ଵୀକାର କରେ ଠିକ କନ୍ଧମାଳରେ ଆମ୍ବୁଲାନ୍ସ ବିସ୍ଫୋରଣ ଘଟଣାପରି । ହେଲେ ପୁଲିସ ସୂଚନାକାରୀ କୁହାଯାଉଥିବା ଲୋକ ଯେ ସେହି ସର୍ବହରା ଶ୍ରେଣୀୟ ସେହିକଥା ଗଲା 35 ବର୍ଷ ହେଲା କୁହାଯାଉଥିଲେ ମଧ୍ୟ ସେମାନଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସୁନାହିଁ । ଆଜି ବସ୍ତରର ଦୁର୍ଗମ ଅଞ୍ଚଳରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ୍ସ ହେତୁ ଲୋକେ ମରୁଛନ୍ତି ଓ ଗାଈଗୋରୁ ମଧ୍ୟ ମରୁଛନ୍ତି । ସେ ସମସ୍ତଙ୍କୁ ସମାଜବାଦୀ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ଏକ ଛୋଟ ବଳିଦାନ ବୋଲି ଏବେବି ଦୋହରାଯାଉଛି ।
          ଯେମିତିକି ଜଙ୍ଗଲ ଭିତରେ ବସବାସ କରିବାଟା ଆଦିବାସୀ ପାଇଁ ବଡ ଭୁଲ ହୋଇଯାଇଛି ! ଯେମିତିକି ସେ ଜଙ୍ଗଲ ମଧ୍ୟକୁ ପିକନିକ କରିବା ପାଇଁ ଯାଇଥିଲା? ପୁଲିସ ଦ୍ଵାରା ନିହତ ସମସ୍ତ ମିଥ୍ୟା ଏନକାଉଣ୍ଟରକୁ ସଠିକ ବୋଲି ପ୍ରମାଣିତ କରିବା ପାଇଁ ଏହି ଯୁକ୍ତି ହିଁ ପୁଲିସର ବରିଷ୍ଠ ଅଧିକାରୀମାନେ ସର୍ବଦା ରାଜ୍ୟ ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଉପସ୍ଥାପିତ କରିଥାନ୍ତି, ଯେମିତିକି ହୁଏତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଘର କରିଥିଲେ ଏପରି ଏନକାଉଣ୍ଟର ହୋଇନଥାନ୍ତା ! ଯଦି ବିତର୍କ ଅଧିକ ହେଲା ତେବେ ଅନ୍ୟ ଏକ ପାରମ୍ପରିକ ଯୁକ୍ତି ହେଲା,  “ଉଭୟ ପକ୍ଷର ଗୁଳି ବିନିମୟରେ ସାଧାରଣ ଲୋକଟିର ମୃତ୍ୟୁ ବରଣ କରିଛି କାରଣ ଉକ୍ତ ଅଞ୍ଚଳ ଏକ ମାଓ ପ୍ରବଣ ଅଞ୍ଚଳ ଏକ ନିର୍ଭରଯୋଗ୍ୟ ସୂଚନାପାଇ ଅର୍ଦ୍ଧସାମରିକ ବାହିନୀର ଯବାନମାନେ କୋମ୍ବିଙ୍ଗରେ ଯାଇଥିଲା ବେଳେ ଉକ୍ତ ଘଟଣା ଘଟିଛି ଏହି ଯୁକ୍ତି ସେହି ସମସ୍ତ ପଞ୍ଚାୟତ ଅଥବା ତହସିଲ ଅଞ୍ଚଳରେ ରହୁଥିବା ହଜାର ହଜାର ଅଥବା କେତେ ଲକ୍ଷ ଲୋକଙ୍କ ପାଇଁ ପ୍ରଯୁଜ୍ୟ ଅର୍ଥାତ ପୁଲିସର ଏନକାଉଣ୍ଟରର ଶିକାର କେହି ବି କେବେ ବି ହୋଇପାରନ୍ତି କାରଣ ସେମାନେ ଏକ ମାଓ ପ୍ରବଣ ଅଞ୍ଚଳରେ ରହୁଛନ୍ତି ଓ ସେମାନଙ୍କ ସୁରକ୍ଷା ପାଇଁ ଦେଶର ଆଇନ କାନୁନ ଲାଗୁ ନୁହେଁ ଏକଥାକୁ କିନ୍ତୁ ସମୟ ସମୟରେ ବିଶ୍ଵାସ ନକରି ମାନବିକ ଅଧିକାର କମିଶନ ସରକାରଙ୍କୁ ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ହେଲେ, ତାହା ପୁଣି ସରକାରୀ ଫାଇଲ ଭିତରେ ରହି ଯାଏ, ଯେମିତି ହୋଇଥିଲା 2008 ମସିହାର ଗଜପତି ଜିଲ୍ଲାର ଅଡବା ଅଞ୍ଚଳର ଜୁନେଶ ବଡରଇତଙ୍କ କ୍ଷେତ୍ରରେ ଯଦିଓ ରାଜ୍ୟ ମାନବିକ ଅଧିକାର କମିଶନ ଉପଯୁକ୍ତ କ୍ଷତିପୂରଣ ସହିତ ଦୋଷୀ ପୁଲିସ ଅଫିସରଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମାତ୍ର ତାହାର ଫଳାଫଳ କାହାରିକୁ ଜଣାନାହିଁ ଏଭଳି ଏକ ବ୍ୟତିକ୍ରମକୁ ଛାଡିଦେଲେ ଏହିପରି ମିଥ୍ୟା ଏନକାଉଣ୍ଟରର ଅଭିଯୋଗ ଆସିଥିବା ପ୍ରାୟେ ଶତ ପ୍ରତିଶତ କ୍ଷେତ୍ରରେ ମାନବିକ ଅଧିକାର କମିଶନ ଯଦିଓ ମାନିଥାନ୍ତି ଯେ “ସାମ୍ବିଧାନିକ ବିରୋଧ ସତ୍ଵେ ଏନକାଉଣ୍ଟର ହତ୍ୟା ବଢିବାରେ ଲାଗିଛି” ତଥାପି କେବଳ ଏକ ଜୀବନବୀମା ସଂସ୍ଥା ପରି କିଛି ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଦେଇ କମିଶନ ଏ ଦିଗରେ ନିରବ ରହୁଛନ୍ତି । ସରକାର ଏହି ଯୁଦ୍ଧକୁ ଜିତିବା ପାଇଁ ମାନବିକ ଅଧିକାର କମିଶନକୁ ଦାନ୍ତ ବିହୀନ ପାକୁଆ ପାଟି କରିଦେଇଛନ୍ତି
          ନିକଟରେ ଜାତୀୟ ମାନବିକ ଅଧିକାର କମିଶନ ଛତିଶଗଡ ପ୍ରସଙ୍ଗରେ ନିଜକୁ ଅଧିକ କ୍ରିୟାଶୀଳକରି ସୁରକ୍ଷା ଯବାନଙ୍କ ଦ୍ଵାରା 2016 ମସିହା ଜାନୁଆରୀ 11 ରୁ 13 ତାରିଖ ମଧ୍ୟରେ ଯୌନ ଶୋଷଣର ଶିକାର ହୋଇଥିବା ବସ୍ତର ଅଞ୍ଚଳ ବିଜାପୁର ଓ ସୁଖମା ଜିଲ୍ଲାର 30 ଜଣ ଆଦିବାସୀ ମହିଳାଙ୍କ ବୟାନକୁ ରେକର୍ଡ କରିଛନ୍ତି (ଆମେ କେବଳ ଶୁଣୁଥିଲୁ ଯେ ମାଓବାଦୀ କର୍ମୀମାନେ ତାଙ୍କ ମହିଳାକର୍ମୀଙ୍କୁ ଯୌନ ଶୋଷଣ କରିଥାନ୍ତି!)ସେମାନେ ସମସ୍ତେ ସୁରକ୍ଷାକର୍ମୀଙ୍କ ଦ୍ଵାରା ଗଣଧର୍ଷଣ ଓ ବଳତ୍କାରର ଶିକାର ହୋଇଥିଲେ ଏହି ଘଟଣାରେ ସୁରକ୍ଷାକର୍ମୀଙ୍କୁ ଗିରଫ କରିବା ଦାବି କରିଥିବାହେତୁ ଅତିତରେ କେତେକ ସାମ୍ବାଦିକ ଗିରଫ ହୋଇଛନ୍ତି, ମହିଳା ଓକିଲ ଓ ମହିଳା ସାମ୍ବାଦିକଙ୍କୁ ବସ୍ତର ଅଞ୍ଚଳକୁ ଛାଡିବାକୁ ପଡିଛି ହେଲେ ମାନବିକ ଅଧିକାର କର୍ମୀ ବେଲା ଭାଟିଆଙ୍କୁ ନିଜ ସମର୍ଥିତ ଗୁଣ୍ଡାବାହିନୀ ଅଗ୍ନି ଦ୍ଵାରା ଆକ୍ରମଣ କରେଇବା ଓ ଏହାର ପ୍ରତିବାଦ କରିଥିବା ଲେଖିକାଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ସେଠାର ପୁଲିସ ଆଇଜି ଶ୍ରୀଯୁକ୍ତ କାଲୁରୀଙ୍କୁ ମହଙ୍ଗା ପଡିଲା । ଜାତୀୟ ମାନବିକ ଅଧିକାର କମିଶନଙ୍କ ହସ୍ତକ୍ଷେପ ଫଳରେ ଶ୍ରୀଯୁକ୍ତ କାଲୁରୀଙ୍କୁ ଏବେ ବସ୍ତର ଅଞ୍ଚଳ ଛାଡି ରାୟପୁରକୁ ଆସିବାକୁ ପଡିଲା ।  ତେବେ ଓଡିଶାରେ ସେହି ସମାନ ସମୟରେ ରାଜ୍ୟ ମାନବିକ ଅଧିକାର କମିଶନ କନ୍ଧମାଳ ଜିଲ୍ଲା ପାଙ୍ଗାଲପଦର ଗ୍ରାମାରେ ପୁଅକୁ ଫୋନ କରିବାକୁ ଯାଇଥିବା ପିତାମାତା ଯଥାକ୍ରମେ ଦୁବେଶ୍ଵର ନାୟକ ଓ ବୁଭୁଡି ନାୟକଙ୍କ ଏସଓଜି ଯବାନଙ୍କ ଦ୍ଵାରା ଏନକାଉଣ୍ଟର ମୃତ୍ୟୁକୁ “ଦୁଇପକ୍ଷର ଗୁଳିଚାଳନାରେ ନିରୀହ ପିତାମାତାଙ୍କ ମୃତ୍ୟୁ” ବୋଲି ଦର୍ଶାଇ ଅଳ୍ପ କେତେକ କ୍ଷତିପୂରଣ ଘୋଷଣା କରି କେସକୁ ବନ୍ଦ କରିଦେଲେ ସେଦିନ ନିଯୁକ୍ତ ପୁଲିସ ଯବାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଲେ ନାହିଁ । ପାଙ୍ଗାଲପଦର ଓ ପରେ ପରେ ଗୁମୁଡୁମାହ ଘଟଣା ଆମକୁ ଦର୍ଶାଉଛି ଯେ ଆଗକୁ ଯେମିତି କୌଣସି ସଂଗଠିତ ଉଦ୍ୟମ ଅନ୍ୟ କୌଣସି ରାଜନୈତିକ ଶକ୍ତି ଦ୍ଵାରା କିପରି ନିଜର ଅଧିକାର ପାଇଁ ଲୋକେ କରିନପାରନ୍ତି ଏକ ଭୟର ବାତାବରଣ ସୃଷ୍ଟି ପାଇଁ ଏପରି ହତ୍ୟାକାଣ୍ଡ ଭିଆଯାଉଛି ଏହା ଆମକୁ ଇରାକରେ ଆମେରିକୀୟ ସୈନିକର ଅତ୍ୟାଚାର ସହିତ ତୁଳନା କରି ଦେଖିବାକୁ ବାଧ୍ୟ କରୁଛି ତଥାପି ଆମେରିକାରେ ଏହି ମାନବିକ ଅଧିକାର ଆନ୍ଦୋଳନ ସୁଦୃଢ ହେବା ହେତୁ ଆମେରିକା ସରକାର ନିଜର ସୈନ୍ୟ ବାହିନୀକୁ ଇରାକରୁ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ ହେଲେ ଏବେ କିନ୍ତୁ ଛତିଶଗଡ, ଓଡିଶା, ଝାଡଖଣ୍ଡ, ପଶ୍ଚିମ ବଙ୍ଗ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ମାନବିକ ଅଧିକାର କର୍ମୀଙ୍କୁ ନିହାତି ମିଥ୍ୟା କେସରେ  ଜଡିତ କରାଇ ଜେଲ ପଠାଯାଉଛି ଏବେ ଏପରିକେତେକ ଘଟଣା ହେତୁ ସାମ୍ବାଦିକମାନେ ନିରପେକ୍ଷ ଭାବରେ ଲେଖିବାକୁ ଡରୁଛନ୍ତି , ଲେଖକ/ଲେଖିକା ଓ କବି ଗାଳ୍ପିକ ମାନେ ନିଷ୍ପେଷିତ ପ୍ରାଣ ସମ୍ପର୍କରେ ଲେଖିନପାରି ନଦୀ ଫୁଲ ପ୍ରେମ ଓ ବିରହ ଉପରେ କବିତା ଓ ଗଳ୍ପ ଲେଖୁଛନ୍ତି, ବୃତ୍ତଚିତ୍ର ନିର୍ମାତାମାନେ ସରକାରୀ ପ୍ରମୋଫିଲ୍ମ ନିର୍ମାଣରେ ଲାଗିଛନ୍ତି
          ସରକାରଙ୍କ ମାଓବାଦୀ ବିରୋଧୀ ଅଭିଯାନ କେବଳ ପୁଞ୍ଜିବାଦୀ ପ୍ରକ୍ରିୟାକୁ ସୁଦୃଢ କରିବା ପାଇଁ ଉଦ୍ଦିଷ୍ଟ । ଯେଉଁଠି ଅନାହାର ମୃତ୍ୟୁ ଓ ଅପପୁଷ୍ଟିରେ ମୃତ୍ୟୁର ଖବର ଆସୁଛି ସେହି ଜାଗାରୁ ପୁଣି । ମାନବିକ ଅଧିକାର କୁ ବିଶ୍ଵାସ କରୁଥିବା ପ୍ରତ୍ୟେକ ସାମ୍ବାଦିକ, ଲେଖକ/ଲେଖିକା, ଫିଲ୍ମ ନିର୍ମାତା ବା ଆଇନଜୀବୀ ସମସ୍ତେ ଆଜିର ବଡୁଥିବା ଆର୍ଥିକ ବିଷମତାକୁ ଘୋର ବିରୋଧ କରିଥାଏ ସେ କଦାପି ସାମାଜିକ ଭାବରେ କିଛିଲୋକ ଶୋଷିତ ହୋଇଚାଲନ୍ତୁ ସେକଥାକୁ ଗ୍ରହଣ କରେ ନାହିଁ ଆଜିର ବାର୍ଦ୍ଧକ୍ୟ ଭତ୍ତା ମାସକୁ 300 ଟଙ୍କା କଦାପି ସାମାଜିକ ନ୍ୟାୟ ଦେବ ନାହିଁ ଯେଉଁଠିକି 10 ପ୍ରତିଶତ ଲୋକଙ୍କ ହାତରେ 80 ପ୍ରତିଶତ ସମ୍ପତ୍ତି ଠୁଳ ହେଉଛି । ସମାଜରେ ଉପଯୁକ୍ତ ଶିକ୍ଷା ଓ ସ୍ୱାସ୍ଥ୍ୟର ସୁବିଧା ସମସ୍ତଙ୍କୁ ସମାନ ଭାବରେ ମିଳିବ ନାହିଁ ଯଦି ଠିକାରେ ହିଁ ସମସ୍ତ ନିଯୁକ୍ତି କେବଳ ହୋଇଚାଲିବ । ଅପପୁଷ୍ଟିରେ ମାରୁଥିବା ଶିଶୁଙ୍କ ହାର ବଢିବା ସହିତ ସେହିସବୁ ସ୍ଥାନରେ ବହୁଦେଶୀୟ କମ୍ପାନୀଙ୍କ ପ୍ରବେଶ, ଲୋକଙ୍କ ବିରୋଧ ସହିତ ବିସ୍ଥାପନର ସୁଚନା ସାଙ୍ଗକୁ ପୁଣି ଏନକାଉଣ୍ଟରରେ ମୃତ୍ୟୁର ସୂଚନା ମଧ୍ୟ ଆସୁଛି ଯାହାକୁ ମାନବିକ ଅଧିକାର କର୍ମୀ ବିରୋଧ କରୁଛି । ସାମାଜିକ ଓ ଆର୍ଥିକ ନ୍ୟାୟ ପାଇଁ ଅଧିକାର ଆନ୍ଦୋଳନ ସର୍ବଦା ପ୍ରୟାଶ କରିଚାଲିଛି । ଏହି ନ୍ୟାୟର କଥା କହୁଥିବା ହେତୁ ସରକାର ନିଜର ଭୁଲ ସ୍ଵୀକାର କରିବା ବଦଳରେ ଏହାକୁ ମଧ୍ୟ ଦମନ କରିବା ପାଇଁ ଯୁଦ୍ଧରେ ପ୍ରତିପକ୍ଷର ସମର୍ଥକ ବୋଲି ଜନମତ ସୃଷ୍ଟି କରିବାରେ ଲାଗିଛନ୍ତି । ଏପରି ଉଦ୍ୟମ ନିନ୍ଦନୀୟ ଅଟେ ।          
debasar11@yahoo.co.in


ଗୁରୁପ୍ରିୟା ସେତୁ ନିର୍ମାଣ ସମାଧାନର ରାସ୍ତା କି?


ଗୁରୁପ୍ରିୟା ସେତୁ ନିର୍ମାଣ ସମାଧାନର ରାସ୍ତା କି?


ସବୁ କଥା ଅଟକି ଯାଇଛି ଗୁରୁପ୍ରିୟା ସେତୁ ପାଖରେ, ଯେମିତିକି ସେତୁ ନିର୍ମାଣ ହୋଇଗଲାପରେ ବିକାଶ ଆଉ ଅପହଞ୍ଚ ହୋଇରହିବନିସତେରେ କଣ ଏହିକଥା ଚାହୁଁଞ୍ଛନ୍ତି ବିଚ୍ଛିନ୍ନାଞ୍ଚଳର ଲୋକେ? କାହିଁ କେବେ ରାଲ୍ଲି କି ବିକ୍ଷୋଭ ଏଥିପାଇଁ ହୋଇନାହିଁ ତ? ସମଗ୍ର ମାଲକାନଗିରି ଜିଲ୍ଲା ଆଜି ଯେତେବେଳେ ପଛୁଆ ଅଞ୍ଚଳ ହୋଇ ରହିଛି ତେବେ କେଉଁ ଗୁରୁପ୍ରିୟା ସେତୁ ଏହାକୁ ଭୁବନେଶ୍ଵର ଠାରୁ ବିଚ୍ଛିନ୍ନ କରିରଖିଛି? ରାଜ୍ୟସରକାର ଏବେ ବିଏସଏଫର ସହାୟତାରେ ଏହି ସେତୁ ନିର୍ମାଣ ପାଇଁ ପୁଣିଥରେ ଉଦ୍ୟମ କରୁଛନ୍ତି  ରାଜ୍ୟ ସରକାରଙ୍କ ଏହି ଜିଦ୍ଦି ମନୋଭାବ ଅଘୋଷିତ ଯୁଦ୍ଧର ଅଂଶ ବିଶେଷ ଅଥବା ଅହଁକାରର ଲଢେଇ ନୁହେଁତ? କିମ୍ବା କୌଣସି କମ୍ପାନୀର ଜମି ଅଧିଗ୍ରହଣ ପାଇଁ ଏସବୁ କରାଯାଉନାହିଁ ତ?
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାଠାରୁ 30 ରୁ 40 କିଲୋମିଟର ଦୂରରେ ଥିବା କୁଡମୂଲଗୁମ୍ମା ବ୍ଲକର ପାଞ୍ଚୋଟି ପଞ୍ଚାୟତର 168ଟି ଗ୍ରାମକୁ ନେଇ ଏହି ବିଚ୍ଛିନ୍ନାଞ୍ଚଳଏହାର ସୀମାନ୍ତରେ ଥିବା ଆନ୍ଧ୍ରପ୍ରଦେଶର ବିଶାଖାପଟନମ ଏଜେନ୍ସି ଅଞ୍ଚଳକୁ ଯିବା ଆସିବା କରିବାପାଇଁ ଗୁରୁପ୍ରିୟା ସେତୁ ଏକ ପ୍ରଧାନ ପ୍ରତିବନ୍ଧକଏହାର ଏକ ପାଖରେ ସିଲେରୁ ନଦୀ ଆନ୍ଧ୍ରପ୍ରଦେଶଠାରୁ ଅଲଗା କରୁଛି ଓ ଅନ୍ୟପାଖରେ ଶାବେରୀ ନଦୀ ଛତିଶଗଡ ଠାରୁ ଅଲଗା କରୁଛିଚିତ୍ରକୋଣ୍ଡା ତହସିଲ ଅନ୍ତର୍ଗତ ଏହି 900 ବର୍ଗ କିଲୋମିଟର ଘଞ୍ଚ ଜଙ୍ଗଲ ଓ ପାହାଡିଆ ଅଞ୍ଚଳ ମୁଖ୍ୟତଃ ବୃହତ ପ୍ରକଳ୍ପଦ୍ଵାରା ବିସ୍ଥାପିତଙ୍କ ବାସସ୍ଥାନ
ମାଲକାନଗିରି ଜିଲ୍ଲାର ମାଛକୁଣ୍ଡ ପ୍ରକଳ୍ପ ବ୍ରିଟିଶ ରାଜୁତି ସମୟରେ ଆରମ୍ଭ ହୋଇ 1955ରେ ସମ୍ପୂର୍ଣ ହେଲାମାଛକୁଣ୍ଡରୁ ଯେଉଁ 10,000 ବିସ୍ଥାପିତ ଆଦିବାସୀ 1952ରେ ଚିତ୍ରକୋଣ୍ଡାରେ ପୁନର୍ବାସ ଶିବିର ସ୍ଥାପନ କରିଥିଲେ ସେମାନେ 1964 ରେ ପୁନର୍ବାର ଚିତ୍ରକୋଣ୍ଡା ଡ୍ୟାମ ପ୍ରକଳ୍ପରେ ବିସ୍ଥାପିତ ହେଲେ। ସେମାନେ ପୂର୍ବରୁ ଚାଷ କରୁଥିବା ଜମି ଓ ବାସ କରୁଥିବା ଭିଟାମାଟି, ସ୍ଥାୟୀ, ଅସ୍ଥାୟୀ ବାସଗୃହ ସବୁହରାଇଲେବ୍ୟାପକ ଜଙ୍ଗଲ, ଛୋଟବଡ ଅନେକ ପାହାଡ ଓ ଡଙ୍ଗର ଜଳଭଣ୍ଡାର ଭିତରେ ବୁଡିଗଲାଆଜି ମାଲକାନଗିରି ଜିଲ୍ଲାର ଯେଉଁ ଅଞ୍ଚଳକୁ କଟ-ଅଫ-ଏରିଆ (ବିଚ୍ଛିନ୍ନାଞ୍ଚଳ) କୁହାଯାଉଛି, ସେହି ଅଗମ୍ୟ ଅଞ୍ଚଳ 136ଟି ଗ୍ରାମରେ (ଏବେ ଏହା 168ଟି ଗ୍ରାମ ହେଲାଣି) ସେମାନେ ବସବାସ କରୁଛନ୍ତି।” ନିକଟରେ ପ୍ରକାଶିତ ‘’ଅକାଳ” ପୁସ୍ତକରେ ସର୍ବୋଦୟ ବିଚାରର ବରିଷ୍ଠ କର୍ମୀ ରବି ଦାଶ ନିଜର ଅନୁଭୂତି ଆଧାରରେ ଏକଥା ଲେଖିଛନ୍ତି। ସେଅଞ୍ଚଳ ସମ୍ପର୍କରେ ସେ ପୁଣି ଲେଖନ୍ତି ଯେ ସମୁଦାୟ 21000 ଆଦିବାସୀ ଲୋକ ଚିତ୍ରକୋଣ୍ଡା ଡ୍ୟାମ ପ୍ରତିଷ୍ଠା ସମୟରେ ବିସ୍ଥାପିତ ହୋଇଥିଲେଏହି ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ପାଇଁ ରାଜ୍ୟ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି କିମ୍ବା କିଛି ଅନୁଦାନ ଦେଇନାହାନ୍ତିଏହା ସପ୍ତମ ଦଶକରେ ବିଚ୍ଛିନ୍ନାଞ୍ଚଳ ସମ୍ପର୍କରେ ନଗ୍ନ ଉପସ୍ଥାପନା
ଅଷ୍ଟମ ଦଶକରେ, ପ୍ରାୟେ 1985 ବେଳକୁ, ଏହି ବିଚ୍ଛିନ୍ନାଞ୍ଚଳକୁ ମାଓବାଦୀ ସଂଗଠନ ବା ସେସମୟର ପିପୁଲ୍ସ ୱାର ଗ୍ରୁପ ସଦସ୍ୟଙ୍କ ପ୍ରବେଶ ଘଟିଛି। ସେମାନଙ୍କ ଅଘୋଷିତ ଉପସ୍ଥିତି ସମ୍ପର୍କରେ ଲୋକେ ଜାଣିଲେ ଯେତେବେଳେ ଆଲମପଙ୍କା ଗ୍ରାମ ନିକଟରେ ଜୁନ 29, 2008ରେ ଆନ୍ଧ୍ରପ୍ରଦେଶର 35 ଜଣ ଗ୍ରେହାଉଣ୍ଡ ଜବାନଙ୍କୁ କୋମ୍ବିଂ ସାରି ଫେରୁଥିବା ସମୟରେ ମାଓବାଦୀ କ୍ୟାଡରମାନେ ଗୁଳି କରି ହତ୍ୟା କଲେମାଲକାନଗିରି ଜିଲ୍ଲାପାଳଙ୍କୁ ମାଓବାଦୀ ପାର୍ଟି ଅପହରଣ କରି (ଫେବୃରାୟ, 2011) ଏହି ବିଚ୍ଛିନ୍ନାଞ୍ଚଳରେ ଆଣି ରଖିଥିଲେତାପରେ ଯାଇ ଏଠାର ସମସ୍ୟା ସମ୍ପର୍କରେ କିଛିଟା ଆଲୋଚନା ହୋଇଥିଲାହେଲେ ସରକାରଙ୍କ ସହିତ ମୂଲଚାଲ ବେଳେ କେବଳ ବିସ୍ଥାପିତଙ୍କୁ କ୍ଷତିପୂରଣ ବ୍ୟତିତ ଏହି ବିଚ୍ଛିନ୍ନାଞ୍ଚଳର ସମସ୍ୟାର ସମାଧାନ ସମ୍ପର୍କରେ କୌଣସି ସର୍ତ ମାଓବାଦୀ ପାର୍ଟି ତରଫରୁ ରଖାଯାଇନଥିଲାଭିନୀଲ କ୍ରୀଷ୍ଣାଙ୍କୁ ଆଦର୍ଶ ଜିଲ୍ଲାପାଳ ମନେକରି ସ୍ଥାନୀୟ ଲୋକେ ମାଓବାଦୀ ପାର୍ଟି ଉପରେ କ୍ରମାଗତ ଚାପ ସୃଷ୍ଟି କରିଥିଲେଫଳରେ ତାଙ୍କୁ ମୁକୁଳାଇବା ସହଜ ହେଲାପରେ ସେ ନିଜର ଭବିଷ୍ୟତ ଦେଖିଲେ ଓ କେନ୍ଦ୍ରକୁ ଚାଲିଗଲେସ୍ଥାନୀୟ ଲୋକେ ଯେ ନିରାଶ ହେଲେ ତାହାନୁହେଁ ମାଓବାଦୀ ପାର୍ଟି ତରଫରୁ ଭର୍ସଚ୍ଛିତ ମଧ୍ୟ ହୋଇଥିଲେ
ସପ୍ତମ ଦଶକର ନକ୍ସଲବାଡି ଆନ୍ଦୋଳନ ସମୟରେ ମାଲକାନଗିରି ଜିଲ୍ଲାର ଏହି ଚିତ୍ରକୋଣ୍ଡା ଅଞ୍ଚଳବି ସାମିଲ ହୋଇଥିଲା। ଅବଶ୍ୟ ଡ୍ୟାମରେ କାମ କରୁଥିବା ଅସ୍ଥାୟୀ ଶ୍ରମିକଙ୍କ ୟୁନିୟନଥିଲା ଏହାର ମୁଖ୍ୟ ଅଂଶୀଦାରସେ ସମୟରେ ‘’ଅକାଳ’’ର ଲେଖକ ରବି ଦାଶ ସମେତ ନାଗଭୂଷଣ ପଟ୍ଟନାୟକ, ଆଦିବାସୀ କବି ଓ ନେତା ପୁରୁଷୋତ୍ତମ ପାଲ୍ଲି, ଶ୍ରମିକ ଯୁନିୟନର ସଭାପତି ଯୁଧିଷ୍ଠିର ଗୌଡ, ଗୁଣୁପୁରର ଓକିଲ ଡ଼ିଭିଏମ ପଟ୍ଟନାୟକ ‘’ଚିତ୍ରକୋଣ୍ଡା ଷଡୟନ୍ତ୍ର“ କେଶରେ ପାଞ୍ଚ ବର୍ଷ ଜେଲ ଭୋଗିଥିଲେ ସେ ସମୟର ଅନୁଭୂତିକୁ ନେଇ ଲେଖକ ଅକାଳ ପୁସ୍ତକରେ ଲେଖିଛନ୍ତି, ସମଗ୍ର କଟ-ଅଫ-ଏରିଆରେ ବସବାସ କରୁଥିବା ଦୁର୍ଦ୍ଦଶାଗ୍ରସ୍ତ ଆଦିବାସୀମାନଙ୍କ ଗମନାଗମନପାଇଁ ସ୍ଥାୟୀ ରାସ୍ତା, ସ୍କୁଲ, ହସପିଟାଲ, ଥଇଥାନପାଇଁ ବାସଗୃହ ଓ ନ୍ୟାଯ୍ୟ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା ରାଜ୍ୟ ସରକାର ଦାବିଗୁଡିକ ପ୍ରତ୍ୟାଖ୍ୟାନ କଲେଓଲଟି ଡ୍ୟାମ ଶ୍ରମିକସଂଘର କର୍ମକର୍ତାଙ୍କ ବିରୁଦ୍ଧରେ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଷଡୟନ୍ତ୍ର (ଆଇପିସିର ଧାରା 120 –ବି) ଅଭିଯୋଗରେ 1969ରେ ପ୍ରତ୍ୟେକଙ୍କୁ ପାଞ୍ଚ ବର୍ଷ ଲେଖାଁ କାରାଦଣ୍ଡରେ ଦଣ୍ଡିତ କରାଇଲେ ଏବେ ଯେଉଁ ବିଦ୍ୟୁତ ଉତ୍ପାଦନ ହେଉଛି ସେଥିରେ ହାଇଦ୍ରାବାଦ ଓ ଭୁବନେଶ୍ଵର ଆଲୋକିତ ହେଉଛି । ଆନ୍ଧ୍ରପ୍ରଦେଶ ଉନ୍ନତ ରାଜ୍ୟର ମାନ୍ୟତା ପାଉଛିମାତ୍ର 40 କିଲୋମିଟର ଦୂର କଟ –ଅଫ-ଏରିଆରେ ବିଦ୍ୟୁତ ଖୁଣ୍ଟଟିଏ ବି ପଡ଼ିପାରୁନି
ଅପରେସନ ଗ୍ରୀନ ହଣ୍ଟ ସମୟରେ ପୁଲିସର ମାତ୍ରାଧିକ କାର୍ଯ୍ୟର ଶିକାର ଜିଲ୍ଲାବାସୀ ବାରମ୍ବାର ହୋଇଛନ୍ତି ଜଣେ ମାନବାଧିକାର କର୍ମୀ ଭାବରେ ତଥ୍ୟ ଅନୁସନ୍ଧାନକାରୀ ଦଳର ସଦସ୍ୟ ହୋଇ 2008 ମସିହାରୁ ମୁଁ ଏହିସବୁ ଅଞ୍ଚଳକୁ ଯାଇଛି ଏକ ବୃତ୍ତ ଚିତ୍ର ନିର୍ମାଣ ପାଇଁ 2012 ମସିହାର ଶୀତଦିନାରେ ଏହି ବିଚ୍ଛିନ୍ନାଞ୍ଚଳକୁ ମୁଁ ଯାଇଥିଲିମୋର ସ୍ଵାଭାବିକ ଆକର୍ଷଣ ଥିଲା ଆଲମପଙ୍କା  ଗ୍ରାମ ଗ୍ରାମରେ 35 ପାଖାପାଖି ଘର, ସମସ୍ତେ ଆଦିବାସୀସମସ୍ତ ଗ୍ରାମବାସୀ ମୋତେ ଯେଉଁ ଝରଣା ପାଖକୁ ନେଇଗଲେ ସେଥିରେ ଯେ ପାଣି ଚାଲୁଛି ତାହା ଉପରୁ ଜଣାପଡୁ ନଥିଲା କାରଣ ପାଣିର ଧାରଥିଲା ବହୁତ ସରୁଏହି ପାଣି ରେ ଆମର ଗାଧୁଆ, ପାଣି ପିଇବା, ଗୋରୁ ବି ପିଇବା ସବୁକିଛି। ସେଥିରେ କେତେ ଲୋକ ବେମାରରେ ମଲେଣି ମାତ୍ର କେହି ଶୁଣିବାକୁ ନାହିଁ“ ମୋ ଦେଖିବାରେ ଏହିପରି ବିଚ୍ଛିନ୍ନାଞ୍ଚଳ ମଧ୍ୟରେ ବହୁଗ୍ରାମ ଜଳଭଣ୍ଡାର ଭିତରେ ବନ୍ଦୀ ଯେଉଁମାନେ ଶୀତ ଓ ଖରାଦିନେ ପ୍ରଚଣ୍ଡ ଜଳକଷ୍ଟ ଦେଇ ଏବେବି ଜୀବନ ବିତାଉଛନ୍ତିଏଠାରେ ଏକମାତ୍ର ସ୍ଵାସ୍ଥ୍ୟକେନ୍ଦ୍ର ଦାନାଗାଦିଠାରେ ଅବସ୍ଥାପିତ ଯେଉଁଠି ନା ଔଷଧ ଅଛି ନା ଡାକ୍ତର କେବେ ରୁହନ୍ତି ଯଦି ଲଞ୍ଚ ଚାଲୁଛି ତେବେ ରୋଗୀ ଚିତ୍ରକୋଣ୍ଡା ଡାକ୍ତରଖାନା ଆସିପାରେ, ନହେଲେ ମରିଗଲେ ଘାଟରେ ତାକୁ  ପୋଡିଦେଇ  ଗାଁ ଲୋକେ ଚାଲିଯାନ୍ତି ଆଲମପଙ୍କାର ମହିଳାମାନେ ସରକାରଙ୍କ ଉପରେ ବର୍ଷୁଥିଲେ, ସରକାରଙ୍କ କଣ ମୁଣ୍ଡ ନାହିଁ କି? ଭୋଟ ଦେଲା ବେଳେ କହିବେ ତାଲିକାରେ ନାମ ଅଛି, ଅନ୍ୟ ସମୟରେ କହିବେ ନାମ ନାହିଁ ସମ୍ବିଧାନର ଧାରା 21କୁ ବ୍ୟାଖ୍ୟା କରି ବିଭିନ୍ନ ସମୟରେ ରାଜ୍ୟର ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତିଯେ ସମସ୍ତଙ୍କୁ ପାନୀୟ ଜଳ, ବାସସ୍ଥାନ ଓ ଉତ୍ତମ ଚିକିସ୍ଛା ବ୍ୟବସ୍ଥା ଯୋଗାଇବା ସରକାରଙ୍କ ଦାୟିତ୍ଵ । ମାତ୍ର କେବେବି କୌଣସି ସରକାରୀ ଅଧିକାରୀ ଏଠାରେ କୋର୍ଟ ଅବମାନନା କେଶରେ ଦଣ୍ଡିତ ହୋଇନାହାନ୍ତି ଚିତ୍ରକୋଣ୍ଡାର ପୁରା ତହସିଲ ଅଞ୍ଚଳର ସର୍ବେସର୍ବା ହେଲେ ଥାନା ଆଇଆଇସି ଓ ବିଏସଏଫର କମାଣ୍ଡରତହସିଲ ଅଫିସ ଚାଲେ ସେକ୍ଶନ ଅଫିସରଙ୍କ ଦ୍ଵାରାଏହାର ସମସ୍ତ ସଡକରେ 10 ଜଣିଆ କମାଣ୍ଡର ଗାଡିରେ 50 ରୁ 60 ଲୋକ ଯାନ୍ତି ଓ ଏହି ଅବିଶ୍ଵସନୀୟ ଚିତ୍ରକୁ ବିଏସଏଫ ଯବାନ ବି ଦେଖେ ପୁଲିସ ବି ଦେଖେ ଏମଏଲଏ ଓ ଜିଲ୍ଲାପାଳ ବି ଦେଖନ୍ତି ଅଞ୍ଚଳର କୌଣସି ବି ଆବାସିକ ସ୍କୁଲ ଗାଁର ଗୋରୁଶଳ ଠାରୁ ବି ଅନୁନ୍ନତ ତେଣୁ ଆଗ୍ରହୀ ପିଲାମାନେ ବି ପଢାଛାଡନ୍ତିଶିକ୍ଷା ଅଧିକାର ନିୟମ 2010 ମସିହାରୁ ଓଡିଶାରେ ଲାଗୁ ହୋଇଥିଲେ ମଧ୍ୟ ଏହାର ଖିଲାପକାରୀକୁ କୌଣସି ଦଣ୍ଡ ଦେବାର ବ୍ୟବସ୍ଥା ନାହିଂତାହୋଇଥିଲେ ଏ ସମସ୍ତ ଜିଲ୍ଲାପାଳ ପ୍ରଥମେ ଜେଲ ଯାଇଥାନ୍ତେ ରାଜ୍ୟର ଦେବତା ଅମଲାତନ୍ତ୍ରୀଙ୍କ ପ୍ରଥମ ପସନ୍ଦ କୀଟ ଅନ୍ତର୍ଜାତିକ ଓ ସାଇ ଅନ୍ତର୍ଜାତିକ ସ୍କୁଲ ବ୍ୟବସ୍ଥାକୁ ଦେଖିଲେ ସାଧାରଣ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସ୍କୁଲ କେବଳ ଉପହାସ ନୁହେଁ ଆଗାମୀ ବିପ୍ଳବର ଆୱାଜ ମଧ୍ୟ।
ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମାଲକାନଗିରି ଜିଲ୍ଲାର ମାନବ ସୂଚକାଙ୍କ ଦେଶ ଭିତରେ ସର୍ବନିମ୍ନଏଠାର ଶିଶୁ ମୃତ୍ୟୁହାର 120 ଯେତେବେଳେ ରାଜ୍ୟର ଏହା 69ସେହିପରି ମାତୃ ମୃତ୍ୟୁହାର ମଧ୍ୟ ସର୍ବାଧିକଜାତୀୟ ସ୍ୱାସ୍ଥ୍ୟ ମିସନ’’ ଦ୍ଵାରା 2008 ମସିହାରେ ନିଷ୍ପତ୍ତି ନିଆଯାଇଥିଲାଯେ 2015 ମସିହା ମଧ୍ୟରେ ଏ ସମସ୍ତ ମୃତ୍ୟୁହାରକୁ ଅଧାକୁ କମାଇଦିଆଯିବଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ ହେଲା ଯାହାର ହିସାବ କେବଳ ସ୍ୱାସ୍ଥ୍ୟ ବିଭାଗ ଦେଇପାରିବଏବେ ଲକ୍ଷ ପୂରଣ ନହେବା ହେତୁ ବିଶ୍ଵବ୍ୟାଙ୍କ ଓ ଡ଼ିଏଫଆଇଡ଼ିରୁ ପୁଣି ରୁଣ ଆସିବ ଓ ସମସ୍ତ ନାଗରିକଙ୍କୁ ତାହା ଶୁଝିବାକୁ ପଡିବଅଥଚ ସେହି ଦୁର୍ନୀତିରୁ ଯେଉଁ ଅମଲାତନ୍ତ୍ରୀ ଓ ଅଫିସର ସୃଷ୍ଟି ହେଲେ ସେମାନେ ସ୍ଵାସ୍ଥ୍ୟର ନିଜସ୍ଵିକରଣ କରାଇ ନିଜପାଇଁ ଆପ୍ପୋଲ୍ଲୋ ବା କଳିଙ୍ଗ ଡାକ୍ତରଖାନାରେ ଜାଗାତ ଠିକ କରିଦେଲେ ମାତ୍ର ଦକ୍ଷିଣ ଓଡିଶାର କ୍ରମଶଃ ଦରିଦ୍ର ହେଉଥିବା ଆଦିବାସିକୁ ମୃତ୍ୟୁମୁଖକୁ ନୁହେଁ ବରଂ ଉପେକ୍ଷିତ ହେତୁ ସରକାରୀ ବିରୋଧୀ କ୍ରୋଧକୁ ଆହୁରି ବଢାଇଦେଲେ
ଜିଲ୍ଲାରେ ଥିବା ଅପରଜ୍ୟାପ୍ତ ଜଙ୍ଗଲ ବିଭାଗୀୟ ଅଧିକାରୀଙ୍କ ଚୋରୀ ହେତୁ କଟିଗଲା। ଅଥଚ ଦେଖାଇଦିଆଗଲା ଆଦିବାସୀ ପୋଡୁ ଚାଷ ହେତୁ କଟିଗଲାଜଙ୍ଗଲନଥିବା ହେତୁ ଆଦିବାସୀର ଜୀବିକା ବାଧାପ୍ରାପ୍ତ ହେଲା ଏବେ ବଣ୍ଡା ଯୁବକ ଓ ଯୁବତୀ (ପ୍ରତିଭା ରାୟଙ୍କ ଆଦିଭୂମିର ପାତ୍ର/ପାତ୍ରୀମାନେ) ମାଲକାନଗିରି ସହରର ହୋଟେଲ ମାନଙ୍କରେ ପ୍ଳେଟ ଧୋଇବା ପାଇଁ ନିଯୁକ୍ତ ଗଦବା ଆଦିବାସୀ ଯୁବକମାନେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ପଳାଉଛନ୍ତି ନକ୍ସଲ ଦମନ ନାମରେ ଜିଲ୍ଲାରେ ମାଥିଲି, ଗୁମ୍ମା, ଚିତ୍ରକୋଣ୍ଡା, ପଡିଆ, କାଲିମେଳ, ମୋଟୁ, ବାଲିମେଲା, ଖଇରପୁଟ ବ୍ଲକର ପ୍ରତି 30-40 କିଲୋମିଟରରେ ବିଏସଏଫର କ୍ୟାମ୍ପ ପ୍ରତିଷ୍ଠା ହୋଇଛି ମାଓବାଦୀ କ୍ୟାଡର ବନାମ ସରକାରୀ ଯବାନଙ୍କ ଯୁଦ୍ଧରେ କିନ୍ତୁ ବେଶ ସୁରକ୍ଷିତ ଅଛନ୍ତି ରାଜ୍ୟର ଅମଲାତନ୍ତ୍ର ଓ ରାଜନେତା ମାନେ ଯେଉଁ ମାନେକି ବସ୍ତୁତଃ ଜିଲ୍ଲାର ଚରମ ଅବସ୍ଥିତି ପାଇଁ ଦାୟୀ 
‘’ପରଜା’’ ଉପନ୍ୟାସରେ ଶୁକ୍ରୁଜାନିର ପରିବାର ହୁଏତ ସାହୁକାରକୁ ଶେଷରେ ହତ୍ୟା କରି ପୁଲିସ ପାଖରେ ଆତ୍ମସମର୍ପଣ କରିପାରିଥାନ୍ତି ମାତ୍ର ଗୋପୀନାଥ ମହାନ୍ତି ଏହି ସମସ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାପାଇଁ ଛାଡିଦେଇଗଲେ ଅନେକ ହେଡୁ, ଜମାଦାର, ଗାଡୁ, ଅଫିସର ଓ କଲେକ୍ଟର ମାନଙ୍କୁ । ଏ ରାଜ୍ୟରେ 1958 ରୁ Orissa Weights and Measures (Enforcement) Act ରହିଛି। ସାହୁକାର ଓ ବେପାରୀଙ୍କ ସହିତ ସହ୍ଳାସୁତୁରା ହେତୁ ଦଶନ୍ଧି ଦଶନ୍ଧି ଧରି ବିଭାଗର ଅଧିକାରୀମାନେ ହାଟ ଅଞ୍ଚଳରେ କେବେ ଦେଖାଯାନ୍ତିନାହିଂ ଓଡିଶା ହେଲା ପ୍ରଥମ ରାଜ୍ୟ ଯେଉଁଠି Orissa Debt Bonded Abolitions Regulation ଆକ୍ଟ 1948ରୁ କାର୍ଯକାରୀ ହେଉଛି ଅଥଚ ନାରାୟଣପାଟଣାଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ବହୁ ଆଦିବାସୀ ଗୋତି ରହିଥିବା କଥା ସମସ୍ତେ ଜାଣନ୍ତି ଭୁଦାନ କର୍ମୀଙ୍କ ଗୋତିମୁକ୍ତି ଆନ୍ଦୋଳନ ଜିଲ୍ଲାରେ ବିଶେଷ ପ୍ରଭାବ ପକାଇପାରିନଥିଲା  ସ୍ଵାଧୀନ ଭାରତରେ ଏହା କେମିତି ସମ୍ଭବହେଲା, ସେଥିରେ ମୁଁ ବି ଆଶ୍ଚର୍ଯ୍ୟ ସେମାନେବି ଆଶ୍ଚର୍ଯ୍ୟ। ରାଜ୍ୟରେ ସର୍ବନିମ୍ନ ମଜୁରି ନିୟମ 1948ରୁ କାର୍ଯ୍ୟକାରୀ ହେଉଛି । ଅଥଚ ଶ୍ରମ ବିଭାଗର ଅଧିକାରୀମାନେ ନିଯୁକ୍ତିଦାତାଙ୍କ ଦ୍ଵାରା ଏତେ ଉପକୃତ ହୋଇଛନ୍ତିଯେ ଏପରି ବିଭାଗ ଅଛି ବୋଲି କୌଣସି ମଜୁରିଆ କି ଶ୍ରମିକ ଜାଣନ୍ତିନାହିଂ
ଅବିଭକ୍ତ କୋରାପୁଟ ଜିଲ୍ଲାରେ ସମବାୟ ବା ଲ୍ୟାମ୍ପ୍ସ ଅଛି ଓ ଏହାର ସଭାପତି ବହୁତ ବର୍ଷଧରି ଅଣ-ଆଦିବାସୀ ଥିଲେ ଯେଉଁମାନେକି ଆଦିବାସୀ ପାଇଁ ଆସିଥିବା ସମସ୍ତ ରୁଣ ଓ ସବସିଡିକୁ ନିଜର ସମ୍ପର୍କୀୟ ମାନଙ୍କୁ ହିଁ ବାଣ୍ଟିଦେଲେ ଯାହାର ପରିଶୋଧ ଆଜିବି ହୋଇନାହିଁ ଓ ଯେଉଁଥିପାଇଁ ଅଧିକାଂଶ ସୋସାଇଟି ବନ୍ଦ ମଧ୍ୟ ହୋଇଯାଇଛି । କେବେ କୌଣସି କାର୍ଯ୍ୟାନୁଷ୍ଠାନ ଏମାନଙ୍କ ବିରୁଦ୍ଧରେ ହୋଇନାହିଁ କାରଣ ଜିଲ୍ଲାର ରାଜନୀତିରେ (ସମସ୍ତ ପ୍ରମୁଖ ରାଜନୈତିକ ଦଳର) ଏମାନେ ଜଣାଶୁଣା । ଆଶ୍ଚର୍ଯ୍ୟର କଥାଯେ, ରାଜ୍ୟରେ Orissa Scheduled Areas Transfer of Immovable Property Act 1956ରୁ ଲାଗୁ ହୋଇଥିଲେମଧ୍ୟ ଏକ ସରକାରୀ ହିସାବରେ ଯଦିଓ 8555 ଏକର ଆଦିବାସୀ ଜମି ଅଣ-ଆଦିବାସୀ ହାତକୁ ଯାଇଛି ତଥାପି ଏହାର ପ୍ରକୃତ ପରିମାଣ ଯଥେଷ୍ଟ ଅଧିକ। ଅବିଭକ୍ତ କୋରାପୁଟ ଜିଲ୍ଲା ଅନୁସୂଚିତ ଅଞ୍ଚଳ । ସତୁରୀ ଦଶକରେ ନକ୍ସଲ ଆନ୍ଦୋଳନ ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅବସ୍ଥାପିତ ସେସମୟର ଜିଲ୍ଲାପାଳ ଗଲାବର୍ଷ ମତେ ଏକ ସାକ୍ଷାତକରରେ କହିଲେ ସେଭଳି ନିୟମତ ଥିଲା ମାତ୍ର ଜମି ହସ୍ତାନ୍ତର ପାଇଁ ତାହାର କୌଣସି ଆବଶ୍ୟକତା ପଡୁନଥିବା ମୁଁ ଲକ୍ଷ କରିଥିଲି । ଦୁଃଖର କଥାଯେ ସେ ନିଜର ନାମ ପ୍ରକାଶ ନକରିବା ପାଇଁ ଅନୁରୋଧ କରିଛନ୍ତି । ମାତ୍ର କ୍ଷୋଭଭରା ସ୍ଵରରେ ଏତିକି କହିଲେ, “ଅବିଭକ୍ତ କୋରାପୁଟର ଦୁର୍ନୀତି ଓ ଆଜିର ଦୁଃଖଦଃ ପରିସ୍ଥିତି ପାଇଁ ସେଠାରେ ନିଯୁକ୍ତ ସମସ୍ତ ସରକାରୀ ଅଫିସର ମାନେ ଦାୟୀ ଯଦି କେବେ ବିଚାର ହୁଏ ତେବେ ସେମାନେ ଆଗ ଜେଲ ଯିବେ ।“ ମୋର ମତରେ ଉକ୍ତ ପ୍ରଶାସକ ମଧ୍ୟ ଦୋଷୀ କାରଣ ଠିକ ତାଙ୍କରି ସମୟରେ ଚିତ୍ରକୋଣ୍ଡା ଷଡୟନ୍ତ୍ର ଓ ବାଲିମେଳ ବିସ୍ଥାପିତଙ୍କ ଦୁଃସ୍ଥିତିର ଆରମ୍ବ ହୋଇଥିଲା। କେବଳ ସେ କାହିଁକି ପ୍ୟାରି ମୋହନ ମହାପାତ୍ର (ଦଣ୍ଡକାରଣ୍ୟ ପ୍ରକଳ୍ପର ଅଧ୍ୟକ୍ଷ ମଧ୍ୟ), ନଲିନୀ କାନ୍ତ ପଣ୍ଡା, ପ୍ରେମାନନ୍ଦ ତ୍ରିପାଠୀ ଓ ଅଜିତ ତ୍ରିପାଠୀ ଇତ୍ୟାଦି ଯେଉଁମାନେ ନେହେରୁଙ୍କ ‘’ଆଧୁନିକ ମନ୍ଦିର” ନିର୍ମାଣରେ  ଜବରଦସ୍ତି ଆଦିବାସୀଙ୍କ ଘରକୁ ବିନା ଥାଇଥାନରେ ବୁଲ୍ଦୋଜର ଲଗାଇ ସମତଳ କରିଥିଲେ ସେମାନେ ପରେ ପରେ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ସଚିବ ହୋଇଛନ୍ତିଆଧୁନିକ ବିକାଶ ପଦ୍ଧତିରେ ନିଜ ପରିବାର ପାଇଁ ଉତ୍ତମ ବ୍ୟବସ୍ଥାତ କରିଦେଇଛନ୍ତି ମାତ୍ର ଆଦିବାସିକୁ ଠେଲିଦେଇଛନ୍ତି ଅନ୍ତହୀନ ଦୁର୍ଦଶା ଭିତରକୁ । ଗଲା କିଛି ବର୍ଷ ହେଲାଣି ପ୍ଲାନ୍ଟେଶନ କମ୍ପାନୀମାନେ ବ୍ୟାଙ୍କ ରୁଣ ଆଦିବାସୀ ଜମିରେ କରେଇ ପୁଣି ପରିଶୋଧ ନହେବା ନାମରେ ମୁକ୍ତ ନିଲାମ କରିବାର ଏକ ରାକେଟ ଉଭୟ ସରକାରୀ ଓ ବ୍ୟାଙ୍କ ଅଫିସରଙ୍କ  ଜ୍ଞାତରେ ଏବେ ଚାଲିଛି। କୋରାପୁଟ ଓ ରାୟଗଡା ଜିଲ୍ଲାର ଆଦିବାସୀ ଏହାର ଅଧିକ ଶିକାର ହେଉଛି        
ଏତେ ଅଧିକ ସଂଖ୍ୟାରେ ପୁଲିସ ସୂଚନାକାରୀ ଭାବରେ ଆଦିବାସୀଙ୍କୁ ମାରିଲା ପରେବି ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ଥାନୀୟ ଆଦିବାସୀ ଲୋକ କଦାପି ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଯେ ନକ୍ସଲମାନେ ସେମାନଙ୍କ ପାଇଁ ଏକ ସମସ୍ୟା ବରଂ ସମଗ୍ର ଦକ୍ଷିଣ ଓଡିଶାର ସମସ୍ୟାହେଲେ ଦୁର୍ନୀତିଗ୍ରସ୍ତ ଅଫିସର, ଜିଲ୍ଲାପାଳ ଓ ପୁଲିସଏଠାରେ ଆଧୁନିକ ଓଡିଶାର ଉପନିବେଶ ମନେକରି ପୂର୍ବରୁ ଇନ୍ଦ୍ରାବତୀ, ବାଲିମେଲା, କାଲିମେଲା, ଅପର କୋଲବ ବନ୍ଧଯୋଜନା, ନାଲକୋ, ହାଲ, ସେବା, ଇମ୍ଫା, ଜେକେ ପରି ବିଭିନ୍ନ ବୃହତ ଶିଳ୍ପକାରଖାନା ପେପର ମିଲ, ଚିନିକାଳ ପରି ବହୁ ବୃହତ ପ୍ରକଳ୍ପ ହୋଇଛି । ଏହାର ପାଇଁ ଉପକୂଳରୁ ଯାଇଥିବା ଅଧିକାରୀ ତଥା ବ୍ୟବସାୟୀ ନିଜକୁ ଭୂମିହିନ ଦେଖାଇ ବେଶ କିଛି ଜଙ୍ଗଲ ଜମି ଓ ତା ନିକଟବର୍ତି ଆଦିବାସୀ ଜମି ଏପରିକି ଭୂଦାନ ଜମିକୁ ମଧ୍ୟ ମାଡିବସିଛନ୍ତି। ଆଜି ଏହି ସବୁ ଜମିରେ ସହର ବଢୁଛି, କମ୍ପାନୀର ନୂଆ ସୋରୁମ ଖୋଲୁଛି, ଧନୀଲୋକଙ୍କ ପ୍ରାସାଦ ତିଆରିହେଉଛି । ଅଥଚ କୁଚେଇପଦରରୁ (ରାୟଗଡ଼ ଜିଲ୍ଲାର କାଶୀପୁର ବ୍ଲକ) ତର୍ଲାକୋଟା (ବାଲିମେଳ ବ୍ଲକ, ମାଲକାନଗିରି ଜିଲ୍ଲା) ସବୁଠି ଏନଆରଇଜିଏରେ କାମକରିଥିବା ଆଦିବାସୀକୁ ମଜୁରି ତିନି ଚାରି ବର୍ଷପରେବି ମିଳିନାହିଁ। ସେ ସବୁ ଦୁର୍ନୀତିର ସିବିଆଇ ତଦନ୍ତକୁ ଜାଣିଜାଣି ଅନ୍ଧାରକୁ ଠେଲି ଦିଆଯାଇଛି। ଯେଉଁମାନେ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତେ ସେମାନେ ଆଜି ଆରଡ଼ିସି ଓ ବିଭିନ୍ନ ବିଭାଗର ସେକ୍ରେଟାରୀ ଭାବରେ ନିଯୁକ୍ତ। ଦେଶର ଏହି ଆଇଏଏସ ଭ୍ରାତୃତ୍ଵ ଦୁର୍ନୀତିଗ୍ରସ୍ତ ଉଚ୍ଚଅଫିସରଙ୍କୁ ସୁରକ୍ଷା ଦେଇଚାଲିଛି ।
ଏହି ସବୁ କାରଣ ମାଓବାଦୀ ପ୍ରସାରରେ ସାହାଯ୍ୟ କରୁଛି ଯେଉଁଠି ଦୁର୍ନୀତିଗ୍ରସ୍ତ ଅଫିସର ମାନେ ଦାୟୀ ସେଠି ସରକାର ବିଏସଏଫ ଓ ସିଆରପିଏଫ ଯବାନଙ୍କୁ ଆଦିବାସୀଙ୍କ ସହିତ ଯୁଦ୍ଧ ପାଇଁ ପଠାଉଛନ୍ତି କାରଣ ଏବେ ସରକାର କହିଲେତ ସେହି ମହାପାତ୍ର, ପଣ୍ଡା ଓ ତ୍ରିପାଠୀମାନେ ଓ ସରକାରୀ ନିୟମ କହିଲେ ବିଶ୍ଵବ୍ୟାଙ୍କ ନିର୍ଦେଶିତ କାର୍ଯ୍ୟବଳି ତେଣୁ ଆଦିବାସୀ ପାଇଁ ଆଶା ପାଲଟିଛନ୍ତି ଗାଢ ରାତିରେ କୌଣସି ତେନ୍ତୁଳୀ ଗଛ କି ଆମ୍ବ ବଗିଚାରେ ମିଟିଂ କରି ଆଦିବାସୀଙ୍କ ବିରକ୍ତିକୁ କ୍ରୋଧରେ ରୂପ ଦେଉଥିବା ମାଓବାଦୀ କ୍ୟାଡର। ସେମାନେଯେ ଆଦିବାସୀ ପ୍ରେମୀ ତା ନୁହେଁ ଏତେ ବର୍ଷ ମାଓବାଦୀ ପାର୍ଟି ଆଦିବାସୀ ଅଞ୍ଚଳରେ କାମକଲା ପରେବି ଜଣେ ହେଲେ ବି ଆଦିବାସୀ କେନ୍ଦ୍ରୀୟ କମିଟିର ସଦସ୍ୟ ହୋଇପାରିନାହାନ୍ତି। ଏଠି ବନ୍ଧୁକହିଁ ଆକର୍ଷଣ ପାଲଟୁଛି ଯାହାବିଷୟରେ ପାର୍ଟି ମଧ୍ୟ ଅବଗତ ଅଛି ଓ ଏଇଥିପାଇଁ ବହୁ ଶୀଘ୍ର ଆଦିବାସୀ ଯୁବକ ଓ ଯୁବତୀମାନଙ୍କୁ କ୍ୟାଡର ଭାବରେ ନିଯୁକ୍ତି ମିଳୁଛି କେବଳ ସେମାନଙ୍କୁ ଠକିଥିବା କୌଣସି ଅଫିସର, ଦଲାଲ, ବ୍ୟାଙ୍କ କର୍ମଚାରୀ ବା ପୁଲିସ ଉପରେ ପ୍ରତିଶୋଧ ନେବା ପାଇଁ। କେଉଁଠି କେଉଁଠି ସେହି କ୍ରୋଧ ବେଶ ସଂଗଠିତ ରୂପ ମଧ୍ୟ ନେଉଛି ଓ ସମସ୍ୟା  ଉଦ୍ରେକକାରୀ ଶକ୍ତି ବିରୁଦ୍ଧରେ ନୂଆ ସଂଗଠନ ତିଆରି ହେଉଛି । ଆଜି ଦୁର୍ନୀତି ଓ ଜମି ହଡପକୁ ବିରୋଧ କରୁଥିବା ବହୁ ଆଦିବାସୀ ଇଉଏପିଏ (Un-lawful Activities (Prevention) Amendment Act 2008 ବା ମାଓବାଦୀ କେଶରେ ଜେଲ ରେ ଅଛନ୍ତି ମାଓବାଦୀ ବିରୋଧୀ ପ୍ରଚାର ଗଣ ମାଧ୍ୟମ ଦ୍ଵାରା ଯେତେ ଅଧିକ ହେଉଛି ସେମାନଙ୍କୁ ଜାମିନ ମିଳିବା ସେତେ କଷ୍ଟ ହେଉଛି
ମୁଁ ଜାଣିବାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜଣେ ହେଲେ ସାମ୍ବାଦିକ ଆଦିବାସୀ ନୁହନ୍ତି କେବେ କୌଣସି ବହୁଳ ପ୍ରଚାରିତ ଖବରକାଗଜ ଓ ଚ୍ୟାନେଲ ଏ ଦିଗରେ ଚେଷ୍ଟା କରିନାହାନ୍ତି ଏଠାର କୌଣସି ସ୍ଵେଚ୍ଚାସେବୀ ସଂସ୍ଥାର ମୁଖ୍ୟ ବା ପ୍ରୋଗ୍ରାମ ଅଫିସର ଆଦିବାସୀ ନୁହନ୍ତି (ଅତିବେଶିରେ ଫିଲ୍ଡ କର୍ମୀ ହୋଇଥିବେ) ଯଦିଓ ପ୍ରତ୍ୟେକଙ୍କ କାର୍ଯ୍ୟକ୍ଷେତ୍ର ଆଦିବାସୀ ଅଞ୍ଚଳ କୌଣସିବି ରାଜନୈତିକ ଦଳର ନିର୍ବାଚନ ସମୟରେ ଟିକେଟ ବାଣ୍ଟୁଥିବା ନେତା ଆଦିବାସୀ ନୁହେଁ । ଜିଲ୍ଲାରେ କୌଣସି ବି ଦକ୍ଷ ଓକିଲ ଆଦିବାସୀ ନୁହନ୍ତି। ଆଶ୍ଚର୍ଯ୍ୟ  ଲାଗେ ଏଠାର ଅଣ-ଆଦିବାସୀ ସୃଜନଶୀଳ କର୍ମୀ ଯଥା ଲେଖକ, କବି, ପ୍ରାବନ୍ଧିକ ଏଠାର ସମସ୍ୟା ସମ୍ବନ୍ଧରେ କେବେ ନିଜର ସୃଜନତାରେ ଉତ୍ତାରିନାହାନ୍ତି । (ଆଦିବାସୀ ସଂସ୍କୃତିର ପ୍ରଶଂସିକରଣ ହୋଇଛି ଦୂରରୁ ଦେଖୁଥିବା ଦର୍ଶକ ପରି)ଏସବୁ ଦିଗରେ ଯଦି ଏବେ ପ୍ରଚେଷ୍ଟା ହୁଏ ତେବେ ତାହା ଏତେ ଡେରି ହୋଇଯାଇଛି ଯେ ତାହାର ସୁଫଳ ମିଳିବା ସନ୍ଦେହ। ଆଜିର ବିଘଟିତ ପରିସ୍ଥିତ ପାଇଁ କେବଳ ଜଣେ ବା ଦୁଇ ଜଣ ନୁହେଁ ସମସ୍ତକ୍ଷେତ୍ରରେ (ସାମାଜିକ, ସାହିତ୍ୟ, କଳା, ପ୍ରଶାସନ, ରାଜନୀତି ଇତ୍ୟାଦି) ଥିବା ବ୍ୟକ୍ତିମାନେ ଦାୟୀ । ଏଭଳି ପରିସ୍ଥିତିରେ ବଣ୍ଡା, ଗଦବା, କୋୟା ବା କନ୍ଧ ଯୁବକ ମାଓବାଦୀ କ୍ୟାଡର ଭାବେ ପାର୍ଟିରେ ଯୋଗ ଦେବା ଅଞ୍ଚଳ ପାଇଁ ଏକ ଆଶ୍ଵାସନାରେ ପରିଣତ ହେଉଛି ।   
ମାଲକାନଗିରି ଜିଲ୍ଲାରେ ଯେତେବେଳେ ଏପରି ସ୍ଥିତି ସେତେବେଳେ ଗୁରୁପ୍ରିୟା ସେତୁର ନିର୍ମାଣ କଦାପି ସମାଧାନର ରାସ୍ତା ନୁହେଁ । ହୁଏତ ଏହାର ନିର୍ମାଣକୁ ବିରୋଧ କରି ମାଓବାଦୀ ପାର୍ଟି ତରଫରୁ କିଛି ଆମ୍ବୁଶ ପରି ଘଟଣା ହୋଇପାରେ ଓ ସେଥିରେ କିଛି ବିଏସଏଫ ଯବାନ ଶିକାର ହୋଇପାରନ୍ତି ଏଥିରେ ଉତକ୍ଷିପ୍ତ ବିଏସଏଫ ଯବାନମାନେ କୌଣସି ଏକ ନିକଟବର୍ତି ଗ୍ରାମକୁ ନିଜର ସହଜ ଲକ୍ଷ ସ୍ଥିର କରି ନିଜର ରାଗ ସୁଝାଇ ପାରନ୍ତି ଏହାପରେ କିଛି ମାଓମୃତ’’ ବୋଲି ପୁଲିସ ସୂତ୍ରରୁ ଉଧାର କରି ଜିଲ୍ଲାର ସମ୍ବାଦିକମାନେ ଲେଖିବେ ଓ ପରେ ଅନୁସନ୍ଧାନରୁ ଜଣାପଡିବଯେ ସେମାନେ କେହିବି ମାଓବାଦୀ କ୍ୟାଡର ନଥିଲେ ଏବେ ସୁଧା ଏୟା ହିଁ ଘଟି ଆସିଛି। ପ୍ରକୃତରେ ଇଂରାଜୀ ଲେଖିକା ଅରୁନ୍ଧତୀ ରୟଙ୍କ ବକ୍ତବ୍ୟ “ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଚେଷ୍ଟା କରିବା ଅପେକ୍ଷା ସରକାର ନିଜେ ମୁଖ୍ୟ ସ୍ରୋତ ଆଡକୁ ଆସିବା ଜରୁରୀତାହା ହେଲେ ହୁଏତ ଲୋକଙ୍କ ପ୍ରକୃଷ୍ଟ ସହଯୋଗରେ ସେତୁ ନିର୍ମାଣ ହୋଇଯାଇଥିବ ଓ ସରକାରଙ୍କୁ ଜଣା ବି ପଡିବନାହିଂ ହେଲେ ଯଦି ଆଜିର ନବୀନ ସରକାର ଏ ଯୁଦ୍ଧ ଜିତିବେ ବୋଲି ଭାବୁଥାନ୍ତି ତେବେ ତାର ପ୍ରତିକ୍ରିୟା ଆଉ କେଉଁ ପ୍ରକାରରେ ବାହାରିବସରକାର ଯଦି ସ୍ଥାନୀୟ ଲୋକଙ୍କ ଭାବନାକୁ ଗୁରୁତ୍ଵ ନଦିଅନ୍ତି ତେବେ ‘’ଅକାଳ’’ ପ୍ରକୃତରେ ଭୁବନେଶ୍ଵରର ମାନସିକତାରେ ପଡିଛି ବୋଲି ବୁଝିବାକୁ ହେବ
ମୋବାଇଲ – 9437762272   ଇମେଲ – debasar11@yahoo.co.in

ଜାତିଭେଦ ନିଆଁ ଲିଭୁ ନାହିଁ କାହିଁକି


ଜାତିଭେଦ ନିଆଁ ଲିଭୁ ନାହିଁ କାହିଁକି  

ଜାତିପ୍ରଥା ଆମ ସମାଜରେ କ୍ରମଶଃ ଦୁର୍ବଳ ହୋଇଆସୁଛି ବୋଲି ଅଙ୍କୁରିତ ଧାରଣାଟି ନିଶ୍ଚିତରୂପେ ଭ୍ରାନ୍ତ ଅଟେ । ଓଲଟି ଦେଖିବାକୁ ଗଲେ ଛୁଆଁ ଅଛୁଆ ଭେଦଭାବ ଭିତରେ ସୀମିତ ଥିବା ଅତୀତର ଜାତିପ୍ରଥା ଆଧୁନିକ ଭାରତରେ ଘୃଣା, ଆକ୍ରମଣ, ପୋଡାଜଳା, ଧର୍ଷଣ ଓ ହତ୍ୟା ପରି ବର୍ବରତା ଆଡକୁ ଚାଲିଯାଇଛି। ଆଶ୍ଚର୍ଯ ହେଲେବି ଏ କଥା ସତ୍ୟ ଯେ ଏସବୁ ବର୍ବରତାକୁ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଥିବା ଶାସକବର୍ଗ, ପ୍ରଶାସକ, ପୁଲିସ, ଏପରିକି କେତେକ କ୍ଷେତ୍ରରେ ନ୍ୟାୟାଳୟ ତରଫରୁ ସୁରକ୍ଷା ମିଳୁଛି । ସେଥିପାଇଁ ଜାତିପ୍ରଥାର ବିଲୋପ ଉଦେଶ୍ୟରେ ଏତେ ସାମାଜିକ ଆନ୍ଦୋଳନ ସତ୍ଵେ ଏହା ମାନସିକ ସ୍ତରରେ ଅଧିକରୁ ଅଧିକ ଦୃଢ ହେବାରେ ଲାଗିଛି। କେବଳ ଯେ ଦଳିତ ବର୍ଗ ଜାତିହିଂସା ର ଶିକାର ହେଉଛନ୍ତି ତ ନୁହେଁ । ଏହାର ଶିକାର ଅନ୍ୟମାନେ ମଧ୍ୟ ହେଉଛନ୍ତି।
ପୁରୀ ଜିଲ୍ଲାରେ ବାରିକ ମାନଙ୍କ ଉପରେ ଖଣ୍ଡାୟତ ଗୋଷ୍ଠୀର ଅତି ବର୍ବର ଭାବରେ ଆକ୍ରମଣ ହେବା ଓ ବହୁ ବାରିକ ପରିବାର  ବର୍ଷବର୍ଷ ଧରି ନିଜର ଗାଁ କୁ ଫେରି ନପାରିବା – ଆମ ସମାଜରେ ଯେ ଜାତିପ୍ରଥା ଏବେବି ଉତ୍କଟ ଭାବରେ ରହିଛି ସେକଥାକୁ ସୁଚାଇ ଦେଉଛି। ପ୍ରଥମରେ ପୁରୀ ଜିଲ୍ଲା ଭଳି ଶିକ୍ଷାଦୃଷ୍ଟିରୁ ଅଗ୍ରସର ଓ ରାଜଧାନୀର ଅତିନିକଟରେ ଥାଇ ମଧ୍ୟ ଜାତିପ୍ରଥା ଭଳି ଏକ ସାମନ୍ତବାଦି ପ୍ରଥା ଆମ ସମାଜରେ ଦେଖାଯିବା ଦୁଖର କଥା। ଚୈତନ୍ୟ ଓ ପଞ୍ଚସଖାଙ୍କ କାର୍ଯକ୍ଷେତ୍ର ଏହି ପୁରୀ ହୋଇଥିବା ସତ୍ଵେ , ପୁଣି ସ୍ଵାଧୀନ ଭାରତରେ ମାର୍କ୍ସବାଦର ପ୍ରଭାବ ଜିଲ୍ଲାର ଚାଷୀ ସଂଗଠନ ମାନଙ୍କରେ ରହିଥିବା ସତ୍ୱେ ଜାତିଭେଦଭାବ ହିଂସାର ରୂପ ନେବା ଆଶ୍ଚର୍ଯ ହୋଇଥିଲେ ମଧ୍ୟ ସତ୍ୟ ଅଟେ। ଏବେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଭୋଟରାଜନିତି ଅତିପୁରୁଣା ଜାତି ଭେଦଭାବକୁ ବଞ୍ଚେଇ ରଖିବାରେ ପ୍ରୟାସ କରୁଛି।  
ଉଭୟ ଖଣ୍ଡାୟତ ଓ ବାରିକ ଜାତି ସରକାରୀ ତାଲିକାରେ ଓବିସି ଗୋଷ୍ଠୀର ଅଟନ୍ତି ଓ ଆମର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଉଭୟଙ୍କୁ ସମାନ ଗୋଷ୍ଠୀରେ ରଖି ସରକ୍ଷଣ ବ୍ୟବସ୍ଥା ଲାଗୁ କରିଛି। ଏହାପଛରେ ଯୁକ୍ତି ହେଲା ଉଭୟ ସାମାଜିକ ଭାବରେ ଅବହେଳିତ ଯେଉଁଥିପାଇଁ ସରକ୍ଷଣ ସୁବିଧାରେ ସମାଜରେ ଉଭୟଙ୍କ ଆର୍ଥିକ ଉନ୍ନତି ହେବା ଆବଶ୍ୟକ। ଏହି ଉଭୟ ପଛୁଆ ଗୋଷ୍ଠୀ ମଧ୍ୟରେ ଗୋଟେ ଗୋଷ୍ଠୀ ଯେମିତିକି ଖଣ୍ଡାୟତ ଗୋଷ୍ଠୀ ସାମାଜିକନୀତିର ଆଳରେ ଅନ୍ୟଗୋଷ୍ଠୀ ଯେମିତିକି ବାରିକ ଲୋକଙ୍କୁ ଅତ୍ୟାଚାର କରିବା ବିପକ୍ଷରେ କିନ୍ତୁ ଆମର ସାମ୍ବିଧାନିକ ବ୍ୟବସ୍ଥା ନୀରବ ଅଟେ କେବଳ ସେତିକି ନୁହେଁ ପୁଲିସ ଜାଣି ମଧ୍ୟ କୌଣସି କାର୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ପ୍ରଶାସନ ମଧ୍ୟ ନୀରବ ରହିବା  – ଆମର ରାଜନୈତିକ ଶକ୍ତି ଯେ ଏହି ଜାତିଗତ ହିଂସା ଓ ବାଛ ବିଚାରକୁ ସୁରକ୍ଷା ଦେଇ ଚାଲିଛି ଏଥିରେ ଦ୍ଵିମତ ନହିଁ।
ସାରା ପୃଥିବୀରେ କେବଳ ହିନ୍ଦୁ ଧର୍ମକୁ ଛାଡିଦେଲେ ଏପରି କୌଣସି ଧର୍ମ ନାହିଁ  ଯାହା ମୂଳରୁ ହିଁ ଭେଦାଭେଦକୁ ଜନ୍ମ ଦେଇଛି । ହିନ୍ଦୁଧର୍ମର ସମସ୍ତ ମାନବୀୟ ଓ ଅତିମାନବୀୟ ମୂଲ୍ୟବୋଧ ସତ୍ୱେ (ବସୁଧୈବ କୁଟୁମ୍ବକମ ) ଭେଦଭାବପୂର୍ଣ ଜାତିପ୍ରଥା ରହିଆସିଛି । ଜାତିପ୍ରଥା କଥା ଚିନ୍ତାକଲେ ବହୁ ପ୍ରକାରର ପ୍ରଶ୍ନ ମନକୁ ଆସିଥାଏ। ପ୍ରଥମେ ହିନ୍ଦୁ ଧର୍ମ ଥିଲା ନା ପ୍ରଥମେ ଜାତିପ୍ରଥା ଥିଲା? ସତେରେ ଜାତି କଣ କର୍ମ ଆଧାରିତ ବିଭାଜନ ନା ଏକ ମାନସିକ – ସାମାଜିକ ବିଭାଜନ? ଜାତିପ୍ରଥା ଭଳି ଏକ ବଂଶଗତ ଉଚ୍ଚ ନିଚ୍ଚ ସୋପାନ କେବଳ ଏହି ଭାରତ ଭୂଖଣ୍ଡରେ କାହିଁକି ଦେଖାଗଲା? କାହିଁକି ସମାନ୍ତରାଳ ଭାବରେ ଆଦିବାସୀ ସମାଜ ଆମ ଚାରିପାଖରେ ଥାଇ ମଧ୍ୟ ଓ ଦୈନଦିନ ଜୀବନରେ ସେ ସମସ୍ତ କର୍ମର ଆବଶ୍ୟକତା ସେମାନଙ୍କର ଥାଇ ମଧ୍ୟ ଜାତିଭେଦ ସେ ସମାଜରେ କାହିଁକି ଦେଖାଗଲା ନାହିଁ  ? ଆଧୁନିକ ଶିକ୍ଷା ପଦ୍ଧତି ହିନ୍ଦୁଧର୍ମରେ ସଂସ୍କାର ଆଣିବ ଓ ଜାତିଭେଦ ଲୋପ ପାଇବ ବୋଲି ଯାହା ଅନୁମାନ କରଯାଇଥିଲା ତାହା ହେଉନାହି କାହିଁକି? ଏଭଳି କେଉଁ ଅନୁଷ୍ଠାନ ରହି ଯାଇଛି ଯାହା ଧର୍ମକୁ ଜାତିଗତ ନୀତିନିୟମ ଦଣ୍ଡବିଧାନ ଭିତରେ ବାନ୍ଧିରଖିଛି?
ଏସବୁର ବିତର୍କ ଆମସମାଜରେ ନହେଇପାରିବା ନିଶ୍ଚିତ ରୂପେ ଦୁଖର ବିଷୟ । ମାତ୍ର ସେଭଳି ନହେଇପାରିବା ପଛରେ ସମାଜର ଅଙ୍ଗ୍ୟତା ଅପେକ୍ଷା ସମାଜରେ ବ୍ରାହ୍ମଣବାଦର ଅପ୍ରତିହତ ପ୍ରଭାବ ହିଁ ବଡ କାରଣ । ଆମ ସମାଜରେ ବ୍ରାହ୍ମଣବାଦକୁ ଯେଉଁଭଳି ବିରୋଧ ହେବା  ଆବଶ୍ୟକ ତାହା ଆଜିପର୍ଯନ୍ତ ହୋଇପାରିନାହିଂ । ବରଂ ବ୍ରାହ୍ମଣବାଦ କିଛି ମିଛ ଅନୁମାନ ତିଆରି କରି ସେହି ସବୁ ବିତର୍କିତ ବିଷୟ କୁ ଆଡେଇଦେଇପାରିଛି। (ଗୀତାର ଶ୍ଳୋକ ଚତୁର୍ବନ ମୟା ଶ୍ରୁଷ୍ଟ ଅଥବା ସ୍ଵଧର୍ମେ ନିଧନଂ ଶ୍ରେୟ )ଓଡିଶାରେ ଦୃଢ ଜାତିପ୍ରଥା ଉତ୍ତର ଭାରତ ପରି ନରହିବା କଥା ଆମର ସମାଜଶାସ୍ତ୍ରୀ ମାନେ ଯୁକ୍ତି କରନ୍ତି କଳିଙ୍ଗ ରାଜ୍ୟ ପ୍ରଥମତଃ ଆଦିବାସୀ ଗଣରାଜ୍ୟ ଥିଲା । କଳିଙ୍ଗ ଯୁଦ୍ଧ ପରେ କ୍ରମଶ ଗଙ୍ଗ ବଂଶ, ଭୌମକର, ତୁଙ୍ଗ ଓ ଭଞ୍ଜବଂଶୀୟ ରାଜା ମାନେ ଏହି ଭୂଖଣ୍ଡରେ ନିଜର ଶାସନ ପ୍ରତିଷ୍ଠା କରିବା ସହିତ ବ୍ରାହ୍ମଣକୁ ଜମି ଦାନ ଦେଇ ଏଠାରେ ଜାତି ପ୍ରଥାକୁ ପ୍ରତିଷ୍ଠିତ କରେଇଛନ୍ତି। ସେମାନେ ଆଦିବାସୀଙ୍କୁ ଚାଷ ଶିଖାଇବା ଓ ସେହି ଆଦିବାସୀଙ୍କ ଆମଦାନୀରେ ନିଜର ରାଜକୋଷ ଭରିବା ପାଇଁ ସେମାନେ ବ୍ରାହ୍ମଣ ମାନଙ୍କୁ ଜମି ଦାନ ଦେଉଥିଲେ ।  ସେହି ପ୍ରକ୍ରିୟା ଭିତରେ ଯେଉଁ ଆଦିବାସୀମାନେ ଚାଷ କାମ ଶିଖି ଉପକୂଳ ଜିଲ୍ଲାରେ ରହିଗଲେ ସେମାନେ ଶୂଦ୍ର ଗୋଷ୍ଠୀର ହେଲେ ଓ ସେମାନଙ୍କ ମୁଖ୍ୟ ମାନେ କ୍ଷତ୍ରିୟ ଉପାଧି ପାଇବା କଥା ସମାଜଶାସ୍ତ୍ରୀ ମାନେ ବିଚାର କରନ୍ତି। (ବାକିମାନେ ଜଙ୍ଗଲ ଭିତରକୁ ଯାଇ ବହୁବର୍ଷ ଧରି ଚାଷ କାମ ଶିଖିବା ଆଗରୁ ଶିକାର କରି ଓ ଖାଦ୍ୟ ସଂଗ୍ରହ କରି ଚଲୁଥିଲେ ) । ଏହି ଆଦିବାସୀ ଶୂଦ୍ର ମାନେ ରାଜାଙ୍କ ସାମରିକ ଶକ୍ତି ହୋଇ କାମ କରିଛନ୍ତି( The Present in the mirror of the Past – By Prof. Bhairabi Prasad Sahoo of Delhi University) ସେଥିରୁ କେତେକ ବ୍ରାହ୍ମଣର ସହଯୋଗୀ ଭାବରେ ବାରିକ ହୋଇ ସମସ୍ତ ଶୁଦ୍ଧକ୍ରିୟ, ବିବାହ ଆଦିରେ କାମରେ ଲାଗିଛନ୍ତି
ଏହି ଆଦିବାସୀ ଗୋଷ୍ଠୀ ପରବର୍ତୀ ସମୟରେ ବିଭିନ୍ନ ଜାତି ଓ ଗୋଷ୍ଠୀରେ ପରିଣତ ହୋଇଛନ୍ତି ଓ ନିଜ ମାଟିରେ ନିଜେ ବ୍ରାହ୍ମଣ ଓ ରାଜାଙ୍କ  ଦ୍ଵାରା ବ୍ୟବହୃତ ହୋଇଛନ୍ତି। ପରବର୍ତୀ ସମୟରେ ଏୟା ହିଁ ହିନ୍ଦୁ ଧର୍ମ ଓ ତତସଂଲଗ୍ନ ଜାତି ପ୍ରଥା ଆକାରରେ ଏମାଟିରେ ସ୍ଵୀକୃତି ପାଇଛି।  ଆମ୍ବେଦକରଙ୍କ ଭାଷାରେ ହିନ୍ଦୁ ଚେତନା ବୋଲି କିଛି ନାହିଁ । ପ୍ରତ୍ୟେକ ହିନ୍ଦୁ ଭିତରେ ଯେଉଁ ଚେତନା ରହିଛି ତାହା କେବଳ ତାର ଜାତିକୁ ନେଇ ତାର ଚେତନା । (There is no Hindu consciousness of kind. In every Hindu the consciousness that exists is the consciousness of his caste.) ବିଲମ୍ଭରେ ହେଲେ ବି ପରେ ଏହି ଉତ୍କଳ ଭୂଖଣ୍ଡରେ ଉଗ୍ର ଜାତି ବାଦ ଆମେ ଅନୁଭବ କରୁଛେ ।
ଧର୍ମନାମରେ ଭୟ ହିଁ ଏହି ସବୁ ମିଛ ଅନୁମାନର ମୂଳ ସାମାଜିକ ସୂତ୍ର ଏହାର ଧାର୍ମିକ ବିଚାରାଳୟ ହେଲା ମନ୍ଦିର । ସହରରେ ଥିବା ବୃହତ୍ତ ମନ୍ଦିରର ତତ୍ଵାବଧାନ ଖୋଦ ସରକାରୀ ପ୍ରଶାସକଙ୍କ ହାତରେ ଥିଲେ ମଧ୍ୟ ଓ ଆମର ଦେଶର କର୍ତା ମାନେ ଧର୍ମନିରପେକ୍ଷତା ଓ ଜାତିଭେଦର ଊର୍ଦ୍ଧ୍ଵରେ ସମସ୍ତଙ୍କୁ ସମାନ ଭାବରେ ଦେଖିବା ପାଇଁ ସାମ୍ବିଧାନିକ ଶପଥ ନେଇଥିଲେ ମଧ୍ୟ ବୃହତ ମନ୍ଦିରର ଜାତିଗତ ସୋପାନ ଶ୍ରେଣୀକୁ କେବେ ଅତିକ୍ରମ କରିବାର ସାହସ ମଧ୍ୟ କରିନାହାନ୍ତି ଓଲଟି ସରକାରୀ ଅଫିସର କାର୍ୟାଳୟ ଭିତରକୁ ହିନ୍ଦୁ ଦେବାଦେବୀ ଓ ବ୍ରାହମଣିୟ ପରମ୍ପରା ବେଶ ଆରମରେ ପଶି ଆସିଛି ସେହିପରି ଗ୍ରାମାଞ୍ଚଳରେ ମନ୍ଦିର ନିକଟସ୍ଥ ଚଉରା ହେଲା କୋର୍ଟରୁମ ଯେଉଁଠି ଜାତି ହିସାବରେ ଲୋକେ ଉପର ତଳ ପାଖ ଓ ଦୂର ହୋଇ ଏବେବି ଉପକୂଳ ଜିଲ୍ଲାର ଗ୍ରାମମାନଙ୍କରେ ବିଭିନ୍ନ ନ୍ୟାୟ ନିଶାପ ସମୟରେ ବସିଥାନ୍ତି ।
ପୁରୀ ଜିଲ୍ଲାର ବାରିକ ମାନଙ୍କ ଅଭିଯୋଗ ହେଲାଯେ ପୀଢି ପୀଢି ଧରି ସେମାନେ କରି ଆସୁଥିବା କାମ ଯେମିତିକି ପ୍ରତିଦିନ ସକାଳେ ଓ ସଞ୍ଜରେ ମନ୍ଦିର ଆଗରେ ଘଣ୍ଟା ବଜାଇବା, ସନ୍ଧ୍ୟାରେ ଲାଇଟ ମୁଣ୍ଡାଇବା, ଭୋଜିରେ ଅଇଁଠା ପତ୍ର ଉଠାଇବା କାମ ଇତ୍ୟାଦି ଆଉ କରିବେ ନାହିଂ କାରଣ ଏହାଦ୍ୱାରା ସେମାନେ ସ୍ଥାନୀୟ ସହରକୁ ଦିନିକିଆ ମଜୁରି କାମରେ ଯିବା ରେ ଅସୁବିଧା ହେଉଛି ଓ ଏହି କାମ ହେତୁ ଗାଁର ଖଣ୍ଡାୟତ ମାନେ ସେମାନଙ୍କୁ ନୀଚ କରି ଦେଖୁଛନ୍ତି ଏହା ବ୍ୟତିତ ବର୍ଷକୁ ମାତ୍ର କିଛି କିଲୋ ଧାନ ବଦଳରେ ସାରା ଗାଁର ଲୋକଙ୍କ ଖିଅର କରିବା ଓ ସମସ୍ତଙ୍କ ପୂଜା ବିଧିରେ ଦିନ ସାରା ସହଯୋଗୀ ଭାବରେ କାମ କରିବାକୁ ସେମାନେ ଆଗ୍ରହୀ ନୁହନ୍ତି, ଯାହା ଯଥାର୍ଥ ମଧ୍ୟ। ହେଲେ ଗ୍ରାମବାସୀଙ୍କ ଓ ଗ୍ରାମ୍ୟ ମନ୍ଦିରର କାମ କରିବାକୁ ମନା କରିବା ହେତୁ ତଳଜଙ୍ଗ ଗ୍ରାମର ଖଣ୍ଡାୟତ ମାନେ ସେହି ଗ୍ରାମର ବାରିକଙ୍କ ଘରେ ନିଆଁ ଲଗେଇଦେଲେ, ଝିଅ ବୋହୂଙ୍କୁ ମାଡ ମାରିଲେ, ସେମାନଙ୍କ ଫସଲ କାଟିନେଲେ ଓ ଘରେ ପଶି ଭଙ୍ଗାରୁଜା କଲେ। ଶେଷରେ ଗାଁରୁ କିରୋସିନ, ପିଡ଼ିଏସ ଚାଉଳ ଚିନିକୁ ମଧ୍ୟ ବାସନ୍ଦ କାଲେ ବାରିକ ପରିବାର ସ୍ଥାନୀୟ ଚନ୍ଦନପୁର ପୁଲିସ ଓ ପୁରୀ ଏସପି ତଥା ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇବା ସତ୍ଵେ କିଛି ମିଥ୍ୟା ପ୍ରତିଶ୍ରୁତି ବ୍ୟତିତ ଆଉ କୌଣସି କର୍ଯାନୁଷ୍ଠାନ ହେଉ ନାହିଁ। ବାରିକମାନେ ପୁରୀ ଜିଲ୍ଲାପାଳଙ୍କ ଅଫିସ ସମୁଖରେ ଧାରଣ ଦେବା ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରୁନାହିଁ।
ଆମ ସମଯରେ ଜାତି ଆଉ ଚାରି ବର୍ଣ ମଧ୍ୟରେ ସୀମିତ ହୋଇରହିନାହିଂ । ଏହା ବହୁ ଜାତି ଓ ଉପଜାତିରେ ତିଆରି ହୋଇଯାଇଛି। କିଏ କାହାଠାରୁ ଉଚ୍ଚ ସେ ବାଛବିଚାର ଗ୍ରାମର ସୀମା ଡେଇଁ ସହରରେ, ବାହାଘର ପ୍ରସ୍ତାବ ସମୟରେ ଓ ଏକ କଲୋନୀରେ ଥିବା ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ, ଏବେବି ଦେଖାଯାଉଛି। ପ୍ରତ୍ୟେକ ଜାତି ନିଜଠାରୁ ଉଚ୍ଚ ଜାତି ସହିତ ସମ୍ଭ୍ରମତାର ସହିତ ବ୍ୟବହାର କଲାବେଳେ ନୀଚ ଜାତି ସହିତ ଆବଶ୍ୟକ ପଡିଲେ ନିଜର ପରାକ୍ରମ ଦେଖାଇବାକୁ ପଛାନ୍ତି ନାହିଂ। ଏହା ପଛରେ ସାମାଜିକ ସୂତ୍ର ହେଲା କେଉଁ ଜାତି ବ୍ରାହ୍ମଣର କେତେ ନିକଟତର - କାହାର ପ୍ରବେଶ ବ୍ରାହ୍ମଣ ର ଘର ଭିତରକୁ କେତେ ଦୂର ।
ମନ୍ଦିରର ଦୈନଦିନ କାର୍ଯ ପଦ୍ଧତି ସେବକ ମାନଙ୍କ ଜାତି ଅନୁସାରେ କାର୍ଯବଣ୍ଟନ ହୋଇଥାଏ। ସେହି ସାମାଜିକ ସୂତ୍ର ଅନୁସାରେ ମନ୍ଦିରର ମୁଖ୍ୟ କାମ ଯଦିଓ ବ୍ରାହ୍ମଣ ହାତରେ ରହେ ତଥାପି ଫୁଲ ତୋଳିବା, ମନ୍ଦିର ସଫକରିବା, ବାଜା ବଜେଇବା, ପାଣି ବୋହିବା, ମନ୍ଦିରର ଛାମୁଣ୍ଡିଆ ପର୍ବ ସମୟରେ କରିବା ଇତ୍ୟାଦି କାର୍ଯ ଜାତି ଅନୁସାରେ ବଣ୍ଟାଜାଇଥାଏ ଓ ସେହି ସୋପାନ ଅନୁସାରେ କାର୍ଯର ଭୁତି ପରିମାଣ ମଧ୍ୟ (ଯେମିତିକି ଅନ୍ୟ ଜାତି ପାଇଁ ବର୍ଷକୁ ମାତ୍ର କେତେ ଗଉଣୀ ଧାନ ତ ବ୍ରାହ୍ମଣ ପାଇଁ କେତେ ମାଣ ଜମି) ବହୁ ପୁରାତନ କାଳରୁ ଖଞ୍ଜା ଯାଇଛି। ମନ୍ଦିରର କାର୍ଯକୁ ଭଗବାନଙ୍କ ସେବା ବୋଲି ଯଦିଓ ବ୍ରାହ୍ମଣ ଦ୍ଵାରା କୁହାଯାଇଥାଏ  ମାତ୍ର ଭୁତି କ୍ଷେତ୍ର ରେ ତାରତମ୍ୟ କୁ ଜନ୍ମଗତ ଅଧିକାର ବୋଲି ବ୍ରାହ୍ମଣ ଜଣକ ଭବିଥାଏ । ତେଣୁ ଏହି ସେବା ବରଂ ସାନ ବଡ ସୋପାନରେ ବିଭକ୍ତ ବୃତିଗତ କାର୍ଯ ଓ ତାହା ସହସ୍ର ବର୍ଷ ହେଲାଣି ଏହି ଅସାମାନତା କୁ ବଞ୍ଚେଇ ରଖିଛି। ଜାତିର ସୋପାନରେ କୌଣସି ବର୍ଗ ଯଦି ବୃତିଗତ କାର୍ଯ କରିବା ପାଇଁ ମନା କଲା ତେବେ ଧର୍ମଦ୍ରୋହୀ ବୋଲି ବ୍ରାହ୍ମଣ ଜଣକ ଚିତ୍କାର କରେ ଓ ଏହା ଓ ଏହାକୁ ଅନ୍ୟମାନେ ବିଶ୍ଵାସ କରନ୍ତି। ବହୁସମୟରେ ପୁରୀ ସହରବାସି କିଏ କିଏ ଯୁକ୍ତିକରନ୍ତି ଯେ ବାରିକ ମାନଙ୍କୁ ଏ ପ୍ରଥା କୁ ମାନିନେବାରେ ଅସୁବିଧା କଣ ଅଛି। ଏଠାରେ ମାନବିକ ଅଧିକାରର ପ୍ରସଙ୍ଗ ଆସୁଛି ଓ ଏହା  ବାରିକମାନଙ୍କ ମାନବିକ ଅଧିକାରର କଥା ଯେ ସେମାନେ କେଉଁ କାମ କରିବେ ଓ କେଉଁ କାମକୁ ମନା କରିବେ
ଅତୀତରେ ଭକ୍ତି ଆନ୍ଦୋଳନ ସମୟରେ ଅଥବା ପଞ୍ଚସଖାଙ୍କ ସମୟରେ, ବହୁ ମନୀଷୀ ଜାତି ପ୍ରଥା ବିରୁଦ୍ଧରେ ସଚେତନତା ପାଇଁ ଚେଷ୍ଟା କରିଛନ୍ତି ବ୍ରାହ୍ମଣବାଦ କୁ ବିରୋଧକରି ହିଁ ପଞ୍ଚସଖାଙ୍କ ଯୁଗରେ ଲୋକସାହିତ୍ୟ ତିଆରି ହୋଇଚ୍ଛି ମାତ୍ର ତାହାର କୌଣସି ପ୍ରଭାବ ଆମ ସମାଜରେ ପଡ଼ିପାରିଲାନାହିଁ। ଏହି ଜାତୀବାଦ ଭାବନାରୁ ଯେଉଁ ଦଳିତମାନେ ନିଜକୁ ସମ୍ପୂର୍ଣ ମୁକ୍ତ କରିବା ପାଇଁ ଭାବିଲେ ସେମାନେ ଇସଲାମ ଧର୍ମ (ଓ ପରେ ଖ୍ରୀଷ୍ଟିୟାନ ଧର୍ମ ମଧ୍ୟ) ଗ୍ରହଣ କରିନେଲେ । ଏପରିକି ମାର୍କ୍ସବାଦୀ ମାନେ ଯାହା ଚିନ୍ତାକରୁଥିଲେ ଯେ ଭାରତୀୟ ଅର୍ଥନୀତି ସାମନ୍ତବାଦ ରୁ ପୁଞ୍ଜିବାଦ ଆଡକୁ ଆସିବା ଭିତରେ ଏହି ସାମନ୍ତବାଦୀ ରୁଗଣ ମାନସିକତା ଲୋପ ପାଇଯିବ, ବାସ୍ତବ କ୍ଷେତ୍ରରେ ସେପରି ହେଲା ନହିଁ। ଭାରତୀୟ ପୁଞ୍ଜି ଆନ୍ତର୍ଜାତିକ ପୁଞ୍ଜିରେ ପରିଣତ ହେଲାଣି । ମାତ୍ର ଜାତିବାଦ ଲୋପ ପାଉନାହିଂ । ବରଂ ଏକ ନୁତନ ସମୀକରଣ ଦେଇ ଏହା ଏବେ ଆହୁରି ଦୃଢ ହେବାରେ ଲାଗିଛି  
ଭୋଟ ରାଜନୀତିରେ ଜଣେ ନିର୍ବାଚିତ ପ୍ରତିନିଧି ପାଇଁ ସମାଜରେ ସଂସ୍କାର ଆଣିବା ଅପେକ୍ଷା ନିର୍ବାଚନରେ ବାରମ୍ବାର ଜିତିବା ଅଧିକ ମହତ୍ଵ ରଖେ। ଖଣ୍ଡାୟତ ମାନେ ଭୋଟର ସଂଖ୍ୟାରେ ଯଥେଷ୍ଟ ଅଧିକ। ନିର୍ବାଚନ ବ୍ୟବସ୍ଥାରେ ଶାସକ ଗୋଷ୍ଠୀର ରାଜନୈତିକ ଦଳ ଖଣ୍ଡାୟତ ଭୋଟ କୌଣସି ମତେ ହାତଛଡା କରିବାକୁ ଚାହୁନାହାନ୍ତିଏହି ଖଣ୍ଡାୟତ-ବାରିକ ବିବାଦରେ ସମଗ୍ର ଖଣ୍ଡାୟତମାନେ ମଧ୍ୟ ଏକାଠି ହେଇଯାଇଛନ୍ତି। ଯଦିଓ ଭାରତୀୟ ଗଣତନ୍ତ୍ର ଓ ଆମର ସାମ୍ବିଧାନିକ ବିଧି ବ୍ୟବସ୍ଥା ଜଣେ ବ୍ୟକ୍ତି ଗୋଟେ ଭୋଟ ର କଥା କହୁଛି ମାତ୍ର ଶାସକ ଦଳର ଜାତିଆଣ ରାଜନୀତି ଏକବିଂଶ ଶତାବ୍ଦୀରେ ବି ଉନ୍ନବିଂଶ ଶତାବ୍ଦୀର ସାମନ୍ତବାଦୀ ଅତ୍ୟାଚାର ଓ ଶୋଷଣଠାରୁ ବଳେଇ ଯାଉଛି ଖଣ୍ଡାୟତଙ୍କ ସମସ୍ତ ବର୍ବରତା ସତ୍ୱେ ଶାସକଦଳର ନିର୍ବାଚିତ ପ୍ରତିନିଧିଙ୍କ ଭରୋଷା ହେତୁ ସେମାନଙ୍କ ସମସ୍ତ ଦୋଷାବହ କାର୍ଯବିରୁଦ୍ଧରେ ଶତତ ଅଭିଯୋଗ ପାଇ ମଧ୍ୟ ସ୍ଥାନୀୟ ପୁଲିସ ଅଧିକାରୀ ଓ ପ୍ରଶାସନ କୌଣସି ପଦକ୍ଷେପ ନେବାକୁ ଅମଙ୍ଗ କାରଣ ତାହାକଲେ ନିର୍ବାଚିତ ଜନପ୍ରତିନିଧିଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡିପାରେ ଫଳରେ ଜାତିଭେଦ ଅଚିରେ ଜାତିଗତ ହିଂସା ରେ ପରିଣତ ସିନା ହେଇଯାଉଛି ମାତ୍ର ଏ ବିବାଦ ଦୁର୍ବଳ ହେବାର ନାମ ନେଉ ନାହିଂ
ପଚାଶ ଦଶକର ଚିନ୍ତାନାୟକ ମାନେ ସ୍ଵାଧୀନ ଭାରତରେ ପଶ୍ଚିମ ଗଣତନ୍ତ୍ରକୁ ଆଣି ବସାଇଲା ବେଳେ ଏହି କଥାଟିକୁ ଅନୁମାନ କରିନଥିଲେ ଯେ ଏତେ ବଡ ସାମୁଦାୟର ଜଣେ ପ୍ରତିନିଧି କଦାପି ସମ୍ଭବ ହେବ ନହିଁ ଯେତେବେଲେକି ଆମ ସମାଜରେ ପରସ୍ପର ବିରୋଧୀ ଏତେ ବିବାଦ କାହିଁ କେତେ ପୀଢୀରୁ ରହି ଆସିଛି। ବିବାଦର ସମାଧାନ ବଦଳରେ ଜନପ୍ରତିନିଧୀମାନେ ସେହାକୁ ଯେ ବଞ୍ଚେଇରଖିବେ ସେକଥା ହୁଏତ ସେମାନେ ଭାବିନଥିଲେ। ତେଣୁ ବାକ ଙ୍କ ପରି ଛୋଟ ସଂଖ୍ୟାର ଜନସମୁଦାୟଙ୍କ ପାଇଁ ରାଜନୈତିକ ଢାଞ୍ଚାରେ ପରିବର୍ତନ ପାଇଁ ଦାବି କରିବା ବ୍ୟତିତ ଆଉ କୌଣସି ରାସ୍ତା ବାକି ରହୁ ନାହିଂ ।  ଗୋଟେ ପଟେ ବଜାର ଅର୍ଥନୀତି ସମାଜକୁ ଭାଙ୍ଗି କେବଳ ବ୍ୟକ୍ତିରେ ପରିଣତ କରିଚାଲିଛି ଓ ଅନ୍ୟପଟରେ ସମାଜ ଭାଙ୍ଗି ଯାଉଥିବା ଆଳରେ ସୁବିଧାବାଦୀ ଗୋଷ୍ଠୀ ପରମ୍ପରାକୁ ବଞ୍ଚାଇ ରଖିବା ବାହାନାରେ ଦୁର୍ବଳ ଉପରେ ଆକ୍ରମଣ କରିଚାଲିଛି। ଏହି ସମୁଦ୍ରମନ୍ଥନ ରୁ ବାହାରୁଥିବା ହଳାହଳ ବିଷ ଜାତିଭେଦକୁ ଦୃଢ କରିବା ସହିତ ଗଣତନ୍ତ୍ରକୁ ସ୍ଵୈରତନ୍ତ୍ର ରେ ପରିଣତ କରୁଛି ନିକଟ ଭବିଷ୍ୟତରେ ସମାଧାନର ରାସ୍ତା କ୍ଷୀଣ ଯଦି ଏହାର ଆମୂଳଚୂଳ ପରିବର୍ତନ ନହେଇଛି
----
ଦେବ ରଞ୍ଜନ ମାନବିକ ଅଧିକାର ଆଂଦୋଳନର ଜଣେ କର୍ମୀ।
ଠିକଣା: ଏ/202, ସୋନାଲୀ ଏପାର୍ଟମେନ୍ଟ, ଶୈଳଶ୍ରୀ ବିହାର, ଭୁବନେଶ୍ଵର – 21,
ଇମେଲ : debasar11@yahoo.co.in,  cell: 9437762272