Friday, March 20, 2026

ରାସ୍ତାର ପ୍ରଶସ୍ତିକରଣ, ଗଣତନ୍ତ୍ରର ସଂକୀର୍ଣ୍ଣକରଣ

 


ଦେବ ରଞ୍ଜନ

 

କେନ୍ଦ୍ର ସରକାର ଗଲା ସେପ୍ଟେମ୍ବର ୨୨, ୨୦୨୫ ରେ କାରମାନଙ୍କ ଉପରେ ଜିଏସଟି କମାଇବା ପରେ କାରର ମୂଲ୍ୟ ଏକ ଲକ୍ଷ ଟଙ୍କାରୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଥିଲା। ଦେଶର ବିଭିନ୍ନ ସହରମାନଙ୍କରେ କାର ବିକ୍ରି ଏହାପରେ ଆଶ୍ଚର୍ଯ୍ୟଜନକ ଭାବରେ ବଢିବାରେ ଲାଗିଗଲା। 

କେବଳ ଅକ୍ଟୋବର, ୨୦୨୫ ମସିହାରେ ସମୁଦାୟ ୫.୫୭,୩୭୩ କାର ବିକ୍ରି ହୋଇଥିଲା ଯାହା ସେପ୍ଟେମ୍ବର ମାସର ବିକ୍ରିର ଦୁଇଗୁଣା ଥିଲା। ଏହି ଧାରା ପରବର୍ତ୍ତୀ ମାସମାନଙ୍କରେ ବଜାୟ ରହି ଜାନୁଆରୀ ମାସରେ ସମୁଦାୟ ନୂଆ କାର ବିକ୍ରିର ସଂଖ୍ୟା ଥିଲା ୫,୧୩,୪୭୫। ଅର୍ଥାତ ଅକ୍ଟୋବରରୁ ଜାନୁଆରୀ ମଧ୍ୟରେ ଦେଶର ରାସ୍ତା ଉପରକୁ ଅଚାନକ ୨୦ ଲକ୍ଷ କାର ଆସିଯାଇଥିଲା। ସରକାରଙ୍କ ଜିଏସଟି ନିଷ୍ପତ୍ତିକୁ ଟାଟା ମୋଟର୍ସ ତରଫରୁ “ପ୍ରଗତିଶୀଳ ନିଷ୍ପତ୍ତି” କୁହାଗଲା। କାରଣ ଏହାର ପ୍ଳାଣ୍ଟରେ ଏତେ ସଂଖ୍ୟାରେ କାର ବିକ୍ରି ନହୋଇ ରହିଥିଲା ଯେ କମ୍ପାନୀ କାର ଉତ୍ପାଦନ ସାମୟିକ ଭାବରେ ବନ୍ଦ ରଖିଥିଲା। 


ସମଗ୍ର ଆକାଶ ଧୂଆଁମୟ


ସେହି ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଦେଶରେ ଏକ ଅଦ୍ଭୁତ ଘଟଣା ଘଟିଥିଲା। ଶୀତ ମାସରେ ଭାରତର ୧୭୭୩ ରୁ ୨୦୦୦ ନଗର ଓ ସହର ଶ୍ଵାସରୁଦ୍ଧ ହୋଇଯାଇଥିଲା। ଏହା କେବଳ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରେ ସୀମିତ ନଥିଲା। ତଥ୍ୟ ଅନୁସାରେ ଦେଶର ୧୭୩ ସହରର ବାସିନ୍ଦା ସଂପୂର୍ଣ୍ଣ ଅଣନିଶ୍ଵାସୀ ହୋଇଯାଇଥିଲେ। ଦୂଷିତ ରହିଥିବା ସହରର ବାୟୁ ପ୍ରଦୂଷଣ ମାତ୍ରା ହଠାତ ଆହୁରି ବଢିଯାଇଥିଲା।  ଓଡିଶାର ତିନି ସହର ଯଥା ଭୁବନେଶ୍ଵର, ବାରିପଦା ଓ ବାଲେଶ୍ଵରର ବାୟୁମଣ୍ଡଳ ଦେଶରେ ସେହି ସମୟରେ ସର୍ବାଧିକ ଦୂଷିତ ବୋଲି ପ୍ରକାଶିତ ହେଲା। ଅଥଚ ଏହି ତିନି ସହରର ପାଖାପାଖିରେ ନା ଥର୍ମାଲ ପାୱାର ପ୍ଳାଣ୍ଟ ଅଛି ନା ଅନ୍ୟ କୌଣସି ବିରାଟ କାରଖାନା ଅଛି।  

ତେବେ ସମଗ୍ର ଦେଶ ଧୂଆଁରେ ଘୋଡ଼ାଇ ହୋଇ ରହିବାର ପ୍ରମୁଖ କାରଣ କଣ ଥିଲା? 

ସେ ସମୟରେ ରାସ୍ତା ଉପରକୁ ଆସିଯାଇଥିବା ଅତ୍ୟଧିକ ସଂଖ୍ଯାର ଗାଡିର ଧୂଆଁ ସମଗ୍ର ଭାରତର ନାକକୁ ରୁଦ୍ଧ କରିଦେଇଥିଲା। କାଶ୍ମୀର ଠାରୁ  କେରଳ ସମଗ୍ର ଦେଶ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ସ୍ଥିରୀକୃତ ବାୟୁ ଗୁଣବତ୍ତା ସୂଚକାଙ୍କ ଠାରୁ ଯଥେଷ୍ଟ ଉର୍ଦ୍ଧ୍ଵରେ ଥିଲା। ଯଦିଓ ଏହା ପୂର୍ବରୁ ଗାଡ଼ିର ସଂଖ୍ୟା ରାସ୍ତାର ଓସାର ଅନୁସାରେ ଅଧିକ ଥିଲା। ହେଲେ ଅକ୍ଟୋବର ପରଠାରୁ ଅତ୍ୟଧିକ ସଂଖ୍ଯାର କାରମାନଙ୍କର ରାସ୍ତାରେ ଉପସ୍ଥିତି କେବଳ ସମଗ୍ର ଭାରତକୁ ଅଣନିଶ୍ଵାସୀ କରିଦେଇନଥିଲା ଏହାର ରାସ୍ତାମାନଙ୍କୁ ମଧ୍ୟ ଅଣଓସାରିଆ କରିଦେଲା।

ଭୁବନେଶ୍ଵରର ରୋଡ ଟ୍ରାନ୍ସପୋର୍ଟ ଅଫିସରୁ ସଙ୍ଗୃହୀତ ତଥ୍ୟକୁ ନେଇ ମିଡିଆ ପ୍ରକାଶ କରୁଛି ଯେ ଗଲା ଅକ୍ଟୋବର ଠାରୁ ପ୍ରତିମାସରେ ୧୨୦୦୦ ନୂଆ ଗାଡି ରାସ୍ତାକୁ ଆସିବାରେ ଲାଗିଛି। ମାତ୍ର ୧୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହର ଲାଗି ଏହି ସଂଖ୍ୟା କିଛି କମ ନୁହେଁ। ସେଥିପାଇଁ କୌଣସି ଶିକ୍ପ ନଥାଇ ବି ଭୁବନେଶ୍ବର ସହର ବି ଗଲା ଶୀତ ମାସରେ ଅଣନିଶ୍ଵାସୀ ହୋଇଯାଇଥିଲା। ବାୟ ପ୍ରଦୂଷଣ ତୁରନ୍ତ କମାଇବା ଲାଗି ରାଜ୍ୟ ସରକାରଙ୍କୁ ନିର୍ମାଣ କମ୍ପାନୀମାନଙ୍କ କାର୍ଯ୍ୟକୁ ନିୟନ୍ତ୍ରିତ କରିବାକୁ ପଡିଲା। ସେମାନଙ୍କୁ ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ ନିର୍ମାଣ କରିବା ଲାଗି ଅନୁମତି ଦିଆଗଲା। ସ୍କୁଲମାନଙ୍କୁ କିଛି ଦିନ ବନ୍ଦ ରଖିବାକୁ ପଡିଲା। ବୟସ୍କ ଲୋକଙ୍କୁ ଘର ବାହାରକୁ ନଆସିବା ଲାଗି ବାରଣ କରାଗଲା। 

ରାଜ୍ୟ ସରକାର ଅଥବା କେନ୍ଦ୍ର ସରକାର ଚିନ୍ତା କଲେ ନାହିଁ ଯେ ଏତେ ସଂଖ୍ଯାରେ ଗାଡି ଏକକାଳୀନ ଯଦି ରାସ୍ତା ଉପରକୁ ଆସିଯାଏ ତେବେ ଆମର ରାସ୍ତା ଓ ଆମର ପରିବେଶ ତାହାକୁ ସହଜରେ ଗ୍ରହଣ କରିବା ଲାଗି ସମର୍ଥ ତ? ରୋଡ ଟ୍ରାନ୍ସପୋର୍ଟ ମନ୍ତ୍ରଣାଳୟ ଏ ଦିଗରେ ଆଦୌ ଗୁରୁତ୍ଵ ଦେଲେ ନାହିଁ। କାରଣ କାର କମ୍ପାନୀମାନଙ୍କ ପ୍ଳାଣ୍ଟରୁ କାର ନିଷ୍କାସନ ସରକାରଙ୍କ ଲାଗି ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ସହରର ସ୍ଥିତି ଓ ରାସ୍ତାର ଚଉଡା ଦେଖି କାର ଡିଲରମାନଙ୍କ ପାଖରେ ପ୍ରତି ମାସରେ କେତେ କାର ବିକ୍ରି କରାଯିବ ତାହାର ସିଲିଙ୍ଗ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରସ୍ତୁତ କରିପାରିଥାନ୍ତେ। କିନ୍ତୁ ତାହା କରାଗଲା ନାହିଁ। ଏହି କାରଣରୁ ଦେଶବାସୀଙ୍କୁ ଅଣନିଶ୍ଵାସୀ ହୋଇ ବଞ୍ଚିବାକୁ ହେଲା। ଦେଶର ଜିଡିପିରେ ବୃଦ୍ଧି ହେଲା। ଏହା ସହିତ ଗ୍ରସ ଡେଷ୍ଟ୍ରକ୍ସନ ପ୍ରଡକ୍ଟ ବା ଧ୍ବଂସକାରୀ ଉତ୍ପାଦରେ ମଧ୍ୟ। ଆଜି ବାୟୁ ପ୍ରଦୂଷଣ ହେତୁ ଯେଉଁଠି ପ୍ରତି ବର୍ଷ ୧୫ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି ଏବେ ତାହା ୨୦ ଲକ୍ଷ ବା ତାହାଠାରୁ ଅଧିକ ହୋଇଯିବ। 


ଜିଏସଟି ପଛରେ ଗାଡି କମ୍ପାନୀ 


ଭାରତରେ ସବୁଠାରୁ ନାମୀଦାମୀ କାର କମ୍ପାନୀମାନେ ହେଲେ ମାରୁତି, ଟାଟା, ମହିନ୍ଦ୍ରା ଓ ହ୍ୟୁଣ୍ଡାଇ କମ୍ପାନୀ। ବିଜେପିକୁ ଇଲେକ୍ଟରାଲ ଟ୍ରଷ୍ଟ ମାଧ୍ୟମରେ ଅର୍ଥ ଦେଇଥିବା କମ୍ପାନୀମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଅଂଶ ଆସିଛି (ଡିସେମ୍ବର 2025 ପର୍ଯ୍ୟନ୍ତ) ଉକ୍ତ କାର କମ୍ପାନୀମାନଙ୍କ ଠାରୁ। ପ୍ରୋଗ୍ରେସିଭ ଇଲେକ୍ଟରାଲ ଟ୍ରଷ୍ଟ (ନାମ ବି ବଢିଆ ‘ପ୍ରଗତିଶୀଳ’) ମାଧ୍ୟମରେ ଟାଟା କମ୍ପାନୀ ୭୫୭ କୋଟି ଟଙ୍କା ଓ ନ୍ୟୁ ଡେମୋକ୍ରାଟିକ ଟ୍ରଷ୍ଟ ମାଧ୍ୟମରେ ମହିନ୍ଦ୍ରା କମ୍ପାନୀ ଦେଇଛି ୧୫୦ କୋଟି ଟଙ୍କା। 

କମ୍ପାନୀମାନେ ଦେଶର ପ୍ରଗତି ଲାଗି ବିଜେପିକୁ ଏତେ ଅର୍ଥ ଦେଇନାହାନ୍ତି। ଜିଏସଟି କମିଯିବା ପରେ, ଯେଉଁଠି କାର ବିକ୍ରି ନହୋଇ ଫାକ୍ତ୍ରିରେ ପଡିରହିଥିଲା ଆଜି ବୁକିଙ୍ଗ କଲେ ଗାଡି ମାସେ କି ଦୁଇ ମାସ ପରେ ମିଳୁଛି। ନୂତନ ଜିଏସଟି ପରେ କମ୍ପାନୀଙ୍କ ସମସ୍ତ ଷ୍ଟକ ସରିଗଲା ଓ ଏକକାଳୀନ ଅନେକ ଗାଡି ଭାରତର ରାସ୍ତା ଉପରକୁ ଆସିଗଲା। ଜନଜୀବନ ଅସ୍ତବ୍ୟସ୍ତ ହୋଇଗଲା। ଲୋକେ ପ୍ରଦୂଷଣରେ ଆଉଟୁ ପାଉଟୁ ହେଲେ। ସେଥିରୁ ମୁକ୍ତି ଲାଗି ସହରର ରାସ୍ତାକୁ ସରକାର ଚଉଡା କରିବାରେ ଲାଗିଛନ୍ତି। ଏଥିରେ ଆହୁରି ଅଧିକ ଗାଡି ବିକ୍ରି ହେବାର ସୁବିଧା ସୃଷ୍ଟି କରାଯାଉଛି। 


ସ୍କୁଲ ଓ ହସ୍ପିଟାଲ ପଛରେ, ରାଜପଥ ଆଗରେ 


ରାଜ୍ୟ ସରକାର ଏହା ଜାଣନ୍ତି ଯେ କନ୍ଧମାଳ, କୋରାପୁଟ, ସୁନ୍ଦରଗଡ ଭଳି ଅନେକ ଜିଲ୍ଲାରେ ରାସ୍ତା ନଥିବା କାରଣରୁ ସରକାରୀ ଆମ୍ବୁଲାନ୍ସ ସେହି ଅଞ୍ଚଳକୁ ଯାଇପାରୁନାହିଁ। ରାସ୍ତା ଯଦି ପ୍ରକୃତରେ ବିକାଶର ମାପକାଠି ତେବେ ସେହି ଜିଲ୍ଲାମାନଙ୍କରେ ପ୍ରାଥମିକ ଭାବରେ ରାସ୍ତା ନିର୍ମାଣ ହେବା କଥା। କିନ୍ତୁ ତାହା ପୂର୍ବରୁ ହେଉନଥିଲା, ଏବେ ମଧ୍ୟ ହେଉନାହିଁ। ଭୁବନେଶ୍ବର ସହରର ଅନ୍ଯତମ ଯାନବାହାନ ଅଧିକ ଚଳାଚଳ କରୁଥିବା ଜୟଦେବ ବିହାର ଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ଓସାରିଆ ରାସ୍ତା ବେଶ କିଛି ବର୍ଷ ଅଣଓସାରିଆ ହୋଇଯାଇଛି। ରାସ୍ତାର ପ୍ରଶସ୍ତିକରଣ ଓ ସମାନ୍ତରାଳ ରାସ୍ତା ନିର୍ମାଣ ଲାଗି ଗଲା ମାସରେ ୯୩୨ କୋଟି ଟଙ୍କା ଅନୁଦାନ ରାଜ୍ୟ ସରକାର ଘୋଷଣା କରିଛନ୍ତି। 

ଖୋର୍ଦ୍ଧା ଜିଲ୍ଲାର ଅନେକ ଗାଁ ଏବେ ବି ଅଛି, ଯେଉଁଠି ସବୁ ଦିନିଆ ରାସ୍ତା ନଥିବାରୁ ରୋଗୀ ସାଇକେଲ ବା କାନ୍ଧରେ ବୁହା ହୋଇ କିଛି ବାଟ ଆସୁଛନ୍ତି। ମିଡିଆରେ ଏହାର ଚିତ୍ର ପ୍ରକାଶ ପାଉଛି। ସରକାରଙ୍କୁ ଏହା ଲଜ୍ଜାଜନକ ମନେ ହେଉନାହିଁ। ସ୍ଥାନୀୟ ବିଧାୟକ ମଧ୍ୟ ପାଟିରେ ତାଲା ପକାଇ ବସିଛନ୍ତି। 

ବଜେଟରେ ଅର୍ଥ ନଥିବା କାରଣରୁ ଗଲା ପାଞ୍ଚ ବର୍ଷ ମଧ୍ୟରେ ୫୬୦୦ ସ୍କୁଲ ବନ୍ଦ ହେବା କଥା ଗଣଶିକ୍ଷା ମନ୍ତ୍ରୀ ୨୦୨୫ ମସିହାରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି। ଗଲା ଦଶ ବର୍ଷ ମଧ୍ୟରେ ସ୍କୁଲ ବନ୍ଦ ହେବାର ସଂଖ୍ୟା ୧୦୦୦୦। ଅଥଚ ୯୩୨ କୋଟି ଟଙ୍କା ଏକ ରାସ୍ତା ରହିଥିବା ଅଞ୍ଚଳରେ ପୁଣି ରାସ୍ତା ଲାଗି ଖର୍ଚ୍ଚ ହେଉଛି। 

କେବଳ ଓଡିଶା କାହିଁକି କେନ୍ଦ୍ର ସରକାର ମଧ୍ୟ ଏହି ଅଭିମୁଖ୍ୟରେ ପଛରେ ନାହାନ୍ତି। ନିକଟରେ ଭୁବନେଶ୍ବର – ପୁରୀ ଜାତୀୟ ରାଜପଥର ଦୋହରୀକରଣ ଲାଗି ୪୪,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବା ଲାଗି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ଭଳି ଦେଶର ଅନେକ ଜାତୀୟ ରାଜପଥ ଓ ଭାରତମାଳା ପ୍ରୋଜେକ୍ଟ ଲାଗି ସରକାର ଅଧିକ ଅର୍ଥ ବରାଦ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଜାଣନ୍ତି ଯେ ତାଙ୍କରି ସମୟରେ ଅର୍ଥ ଅଭାବ ହେତୁ ୯୩ ହଜାର ସ୍କୁଲ ବନ୍ଦ ହୋଇଯାଇଛି, ୧୧୦୦୦ ଲୋକଙ୍କ ଲାଗି ମାତ୍ର ଜଣେ ଡାକ୍ତର ଓ ହସ୍ପିଟାଲରେ ପ୍ରତି ୮୮୦୦ ଲୋକଙ୍କ ଲାଗି ଗୋଟିଏ ବେଡ ରହିଛି। ବଜେଟର ସିଂହ ଭାଗ ଯେତେବେଳେ ଶିକ୍ଷା ଓ ସ୍ୱାସ୍ଥ୍ୟରେ ଖର୍ଚ୍ଚ ହେବା ଆବଶ୍ୟକ ସେତେବେଳେ ଖର୍ଚ୍ଚ ହେଉଛି ରାସ୍ତାର ଦୋହରୀକରଣ ଓ ଆଧୂନିକୀକରଣରେ। 


ନୂଆ ଜିଏସଟି ଲାଗୁ ହେବା ମାତ୍ରେ କାର ଡିଲରମାନଙ୍କ ପାଖରେ ଭିଡ଼ ଦେଖିବା ଯୋଗ୍ୟ। କିଏ ବ୍ଯାଙ୍କ ଲୋନରେ ତ ପୁଣି କିଏ ବନ୍ଧୁଙ୍କ ଠାରୁ ସାହାଯ୍ୟ ନେଇ ଗୋଟିଏ ଗୋଟିଏ କାର କିଣିନେଲେ। ଏବେ ବେଶ କେତେକ ମଧ୍ୟବିତ୍ତ ବର୍ଗଙ୍କ ଘରେ କାର ଘୋଡଣୀ ମଧ୍ୟରେ ରହିଛି। ପେଟ୍ରୋଲ ଖର୍ଚ୍ଚ ଅଧିକ ହେବା ହେତୁ ସେମାନେ ଦୁଇ ଚକିଆ ବାଇକକୁ ଫେରିଛନ୍ତି। କିନ୍ତୁ ଘରର ପ୍ରାଚୁର୍ଯ୍ୟକୁ ଦେଖାଇବା ଲାଗି କାର ଯେମିତି ଜରୁରୀ ଥିଲା। ସରକାର ମଧ୍ୟ ସାମାଜିକ ଖର୍ଚ୍ଚ (ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଯୋଗାଣ, ବିଦ୍ୟୁତିକରଣ ଇତ୍ୟାଦି) କାଟ କରି ରାସ୍ତାର ଦୋହରୀକରଣରେ ଲାଗିଛନ୍ତି। ଏବେ ଆମେ ସମସ୍ତେ ଏହାଦ୍ବାରା ଉଭୟ ପଟରୁ (ବାୟୁ ପ୍ରଦୂଷଣ ଓ ସାମାଜିକ ଖର୍ଚ୍ଚ କାଟ) ହଇରାଣ ହେବାରେ ଲାଗିଛେ।  

ଆର୍ଥିକ ବୈଷମ୍ୟ ଆମ ସମାଜରେ ଆଜି ଏତେ ବଢିଯାଇଛି ଯେ ଏଥିରେ ପଛକୁ ଫେରି ଚାହିଁବାକୁ ବି ଭୟ ଲାଗୁଛି। କାହାର ଘରେ ଦୁଇ ବା ଅଧିକ କାର ରହିଛି ତ ସେହି ପାଖରେ ଦୂଷିତ ପାଣି ପିଇ ପିଲାଙ୍କ ଜୀବନ ଚାଲିଯାଉଛି। ଏହା ଦେଖିବାକୁ ଆଉ ରାଜଧାନୀର ଦୂରକୁ ଯିବା ଦରକାର ନାହିଁ। ଆଜି ଅରବପତି ଯେଉଁଠି ଅନାହାର ସେହି ଠାରେ ଅଛି। ଆମର ସରକାରୀ ପ୍ରତିଷ୍ଠାନ ଗୁଡ଼ିକ କିନ୍ତୁ ଅରବପତିଙ୍କ ପଟକୁ ଢଳି ରହୁଛନ୍ତି। ନିର୍ବାଚନ ଆସିଲେ ଲୋକେ ସରକାରରେ ପରିବର୍ତ୍ତନ କରୁଛନ୍ତି। କିନ୍ତୁ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ଏହାଦ୍ବାରା ହେଉନାହିଁ।  

ମୋବାଇଲ : ୯୪୩୭୭୬୨୨୭୨

No comments:

Post a Comment