କ୍ରିକେଟ ଖେଳରେ
ଭାରତୀୟ ଦଳ ଭଲ ରେଜଲ୍ଟ କରୁଛି। ଏହା ପଛରେ ଦଳର ସଦସ୍ୟଙ୍କ ସାମୁହିକ ମନୋଭାବ, ପରିଶ୍ରମ, ପ୍ରତ୍ୟୁତ୍ପନ୍ନମତିତା,
ପ୍ରତିଯୋଗୀତା ମନୋଭାବ ଓ ଆବଶ୍ୟକୀୟ ଆଧୁନିକ
ସୁବିଧା ଯୋଗାଇଦେବା ମୁଖ୍ୟ କାରଣ। କିନ୍ତୁ ସେମାନଙ୍କ ଏହି ସଫଳତା ମଧ୍ୟରୁ ହୁଏତ କ୍ରିକେଟର
ନହୋଇ ମଧ୍ୟ କିଏ ବୋର୍ଡର ସଭାପତି ହୋଇରହୁଛି, କିଏ ବେଟିଙ୍ଗ ମାଧ୍ୟମରେ
ଆୟ କରୁଛି, ପୁଣି କେଉଁ କମ୍ପାନୀ ମିଥ୍ୟା ବିଜ୍ଞାପନ ଦେଇ ଭଲ ବିକ୍ରି
କରୁଛି ତ ପୁଣି କିଏ କ୍ରିକେଟ ମାଧ୍ୟମରେ ସାମ୍ପ୍ରଦାୟିକ ବିଷ ସମାଜରେ ବୁଣି ଚାଲିଛି।
ଗଛ ଯେବେ ବିଶାଳ ହୁଏ ତ ଶିକାରୀ ଯେମିତି ପକ୍ଷୀ
ଶିକାରକୁ ଏହା ଉପଯୁକ୍ତ ସ୍ଥାନ ବାଛେ ଏ ସେମିତି କଥା। ବୃକ୍ଷ ଯେ କେତେ ପରିଶ୍ରମରେ ବିଶାଳ
ହୋଇଛି ତାହାକୁ ଏହି ଗୋଷ୍ଠୀ ଦେଖନ୍ତି ନାହିଁ।
ଗଲା ଫେବୃଆରୀ ୧୫ ତାରିଖରେ ଭାରତୀୟ କ୍ରିକେଟ ଦଳ ଟି୨୦ର
ଯୋଗ୍ୟତା ମ୍ଯାଚ ପାକିସ୍ତାନ ବିପକ୍ଷରେ ଖେଳି ବିଜୟ ଲାଭ କରିଥିଲା। ଏହି ବିଜୟର ବାର୍ତ୍ତା ଦେବା
ଲାଗି ଫେବୃଆରୀ ୧୬ ତାରିଖରେ ‘ପ୍ରମେୟ’ ଖବରକାଗଜର ଶୀର୍ଷକ ଥିଲା, “ପାକ ଅଣ୍ଟା ଭାଙ୍ଗିଲେ ସୂର୍ଯ୍ୟ
(କ୍ଯାପଟେନ) ସେନା”। ଫେବୃଆରୀ ୧୬ ତାରିଖରେ ‘ସମ୍ବାଦ’ ଖବରକାଗଜର ଶୀର୍ଷକ ଥିଲା, “ଧୂଳି ଚାଟିଲା ପାକିସ୍ତାନ”। ‘ସମାଜ’ ଖବରକାଗଜର ଶୀର୍ଷକ ଥିଲା,
“ମାଟି କାମୁଡିଲା ପାକିସ୍ତାନ”। କେବଳ ‘ଧରିତ୍ରୀ’ ଖବରକାଗଜ ଏକ ବ୍ୟତିକ୍ରମ ଥିଲା। ଏହାର ଶୀର୍ଷକ ଥିଲା,
“ପାକିସ୍ତାନକୁ ହରାଇ ସୁପର – ୮ରେ ଭାରତ”। ଏହା ପୂର୍ବରୁ ବର୍ମିଙ୍ଗହାମରେ ଖେଳାଯାଇଥିବା ଭାରତ
ବନାମ ପାକିସ୍ତାନ ମ୍ଯାଚରେ ପ୍ରମେୟର ଶୀର୍ଷକ ଥିଲା, “ପାକିସ୍ତାନକୁ
ଦଳିଦେଲା”।
ଭାରତ – ପାକିସ୍ତାନ କ୍ରିକେଟ ମ୍ଯାଚ ଅନେକ କାରଣ
ଲାଗି ଗୁରୁତ୍ଵ ବହନ କରିଥାଏ। ଦେଶର ରାଜନୈତିକ ବାତାବରଣ ଏହାକୁ ‘ବିନା ଗୁଳି ବିନିମୟରେ ଯୁଦ୍ଧ’ ଭଳି ଧରିନେଇଛନ୍ତି। ସାମ୍ପ୍ରଦାୟିକ
ଶକ୍ତି କ୍ରିକେଟର ବାଉଣ୍ଡରୀକୁ ଆନ୍ତର୍ଜାତିକ ସୀମାରେଖାରେ ପରିଣତ କରିଦେଇଛନ୍ତି। ଚଉକା ଓ
ଛକାକୁ ମିସାଇଲ ଓ ରକେଟ ବୋଲି ଭାବୁଛନ୍ତି। କିନ୍ତୁ ସାମ୍ବାଦିକ ନିଜର ବିଚାର ବୁଦ୍ଧିକୁ
ଭୁଲିଯାଇ ଯଦି ଖବରର ଶୀର୍ଷକରେ ଘୃଣାକୁ ଗୁରୁତ୍ଵ ଦିଏ ତେବେ ସେ ସମାଜ ଲାଗି ଏକ କ୍ୟାନସର
ହୋଇଯାଏ। ଖବରର ଅର୍ଥ ଘଟଣାର ସୂଚନା ଦେବା।
ଏହାକୁ ବଜାରର ଦ୍ରବ୍ଯ ବା ସାମ୍ପ୍ରଦାୟିକ ଶକ୍ତିଙ୍କ ଲାଗି ବିଷ ଭାବରେ ବ୍ୟବହାର କରିବା ନୁହେଁ।
ଭାରତୀୟ କ୍ରିକେଟ ଦଳ ଗଲା ଦୁଇ ବର୍ଷ ମଧ୍ୟରେ
ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଠାରୁ ହାରିଛି। ଏହାର ଅର୍ଥ ନୁହେଁ ଯେ ସମଗ୍ର ଭାରତ ଦେଶ ଧୂଳି
ଚଟିଲା ବା ମାଟି କାମୁଡିଲା। କୌଣସି ଦେଶର କୌଣସି ଦଳ ହାରିଲେ ‘ଧୂଳି ଚାଟିବା’, ‘ମାଟି କାମୁଡିବା’ ଓ ‘ଦଳିଦେବା’ କଦାପି ସାମ୍ବାଦିକର
ଭାଷା ନୁହେଁ। ସୁଖର କଥା ଯେ ଆମେ ଭାରତ – ପାକିସ୍ତାନ ବିପକ୍ଷ ମ୍ଯାଚର ଅସମ୍ଭ୍ରମତା ଗଲା ଭାରତ
– ଇଂଲଣ୍ଡ କ୍ରିକେଟ ମ୍ଯାଚର ଶୀର୍ଷକରେ ଓଡିଆ ଖବରକାଗଜମାନଙ୍କର ଦେଖିଲୁ ନାହିଁ। ବେଶ ସଂଭ୍ରମ
ଢଙ୍ଗରେ ସେମାନେ ଶୀର୍ଷକ ରଖିଥିଲେ। ମାର୍ଚ୍ଚ ୦୬ରେ ‘ପ୍ରମେୟ’ର ଶୀର୍ଷକ ଥିଲା, “ଫାଇନାଲରେ ଭାରତ, ଇଂଲଣ୍ଡକୁ ୭ ରନରେ ହରାଇଲା”। ‘ସମ୍ବାଦ’ ଓ ‘ସମାଜ’ର ଶୀର୍ଷକ ଥିଲା
“ଫାଇନାଲରେ ଭାରତ”। ଆଉ ପାଦେ ଆଗକୁ ଯାଇ ‘ଧରିତ୍ରୀ’ର ଶୀର୍ଷକ ଥିଲା, “ଭାରତ – ନ୍ୟୁଜିଲାଣ୍ଡ ଫାଇନାଲ”।
ଶୀର୍ଷକ ଦେବା ସମୟରେ କୌଣସି ଖବରକାଗଜ ତ ୨୦୦
ବର୍ଷର ଇଂଲଣ୍ଡର ଉପନିବେଶ କଥା ମନେପକାଇଲେ ନାହିଁ ! ଦେଶର ଜାତୀୟତାକୁ ଯଦି ପ୍ରସଙ୍ଗ ଦିଆଯିବ
ତେବେ ଇଂଲଣ୍ଡ ବିରୋଧୀ ସ୍ଵାଧୀନତା ସଂଗ୍ରାମରେ ଯେଉଁ ହଜାର ହଜାର ଲୋକଙ୍କୁ ହତ୍ୟା କରାଗଲା, କଳାପାଣି ପଠାଗଲା, ‘ରାଜଦ୍ରୋହ’ ମାମଲାରେ ବର୍ଷ ବର୍ଷ ଇଂଲଣ୍ଡ ସରକାରଙ୍କ ଦ୍ଵାରା ଗିରଫ କରି ରଖାଗଲା ତାହା ତ କାହିଁ
ଆମେ ଭାରତ – ଇଂଲଣ୍ଡ କ୍ରିକେଟ ମ୍ଯାଚର ଶୀର୍ଷକରେ ଦେଖିଲୁ ନାହିଁ? ଦେଶର
ଜାତୀୟତା ଚେତନା ତ ଏହି ଉପନିବେଶ ବିରୋଧୀ ଆନ୍ଦୋଳନ ମଧ୍ୟରେ ହିଁ ଏହି ଦେଶରେ ଜନ୍ମ ହୋଇଛି। ଏହା
ପୂର୍ବରୁ ଭାରତର ଜାତୀୟତା କହିଲେ ସେଭଳି କିଛି ଭାବନା ନଥିଲା। ଅନେକ ରାଜା ଥିଲେ। ସେମାନେ ଶାସନ
କରୁଥିଲେ। ତେବେ ଦେଶ କଣ ସତରେ ୨୦୧୪ ମସିହାରେ ସ୍ଵାଧୀନ ହେଲା?
ଖବରକାଗଜମାନେ ଯେଉଁ ସାମ୍ପ୍ରଦାୟିକ ବିଷ ସମାଜରେ
ବୁଣୁଛନ୍ତି ଏହାକୁ ବିରୋଧ କରି ଯଦି ଏହାର ମାଲିକଙ୍କୁ କିଏ ପଚାରେ ତେବେ ତୁରନ୍ତ ଉତ୍ତର ଆସିବ, “ପାଠକ ଚାହୁଁଛନ୍ତି”। ଏହା ଠିକ ନଗ୍ନତା ବିରୁଦ୍ଧରେ ଯାତ୍ରାପାଟିର ମାଲିକ କି
ସିନେମାର ପ୍ରଯୋଜକଙ୍କୁ ପଚାରିଲେ ସେ ଯେମିତି ଉତ୍ତର ଦିଅନ୍ତି ସେହିଭଳି ଉତ୍ତର। ଏଥିରେ ମାଲିକ
ନିଜେ କେଉଁଭଳି ସମାଜ ଚାହୁଁଛନ୍ତି - ଶାନ୍ତ ପାରସ୍ପରିକ ସଦଭାବ ରଖୁଥିବା ଏକ ସମାଜ ନା
ସାମ୍ପ୍ରଦାୟିକ, ଯୌନ ବ୍ୟବିଚାରୀ ସମାଜ ସେକଥା ଏହି ମାଲିକମାନେ ଆଦୌ
ଗୁରୁତ୍ଵ ଦିଅନ୍ତି ନାହିଁ।
ଭାରତୀୟ ସମାଜ ବିଭିନ୍ନ ଭାବରେ ବିଭକ୍ତ। ଏଠାରେ ‘ପାଠକ’ ବା ‘ଦର୍ଶକ’ ଆଦୌ ସମଜାତୀୟ ନୁହନ୍ତି। ଯେହେତୁ ଆମର ସମାଜ ଜାତି, ଧର୍ମ, ଲିଙ୍ଗ, ଆଞ୍ଚଳିକ ଓ ଧନୀ – ଗରିବ ମଧ୍ୟରେ ବିଭାଜିତ ତେଣୁ
ପାଠକ ଓ ଦର୍ଶକମାନଙ୍କ ମାନସିକତା ସେହି ଅନୁସାରେ ବିଭାଜିତ। ପୁରୁଷତାନ୍ତ୍ରିକ ସମାଜରେ ‘ବସ୍ତ୍ରହରଣ’ ର ସ୍ଵତନ୍ତ୍ର ଚାହିଦା ରହିଛି। ପୁଣି ଧର୍ମ ଓ
ଜାତି ଅନୁସାରେ କାହାରିକୁ କଷ୍ଟ ଦେଇ ଆନନ୍ଦ ପାଇବାକୁ ପୁରୁଷପଣିଆ କୁହାଯାଏ। ଏହି ସମାଜ ମଧ୍ୟରୁ
‘ପାଠକ’, ‘ଦର୍ଶକ’, ‘ମାଲିକ’, ‘ଖେଳାଳି’ ଜନ୍ମ ହେଉଛନ୍ତି। ସେମାନେ ଆଦୌ କ୍ଷୁଦ୍ର
ମାନସିକତାରୁ ମୁକ୍ତ ନୁହନ୍ତି। ସେମାନେ ବି ଏହି ବିଭାଜିତ ସମାଜରେ ବିଭାଜିତ ଚାହେଁ ସେମାନେ
ଛାତ୍ରଛାତ୍ରୀଙ୍କ ସଭାରେ ନୈତିକତା ସପକ୍ଷରେ କେତେ ବି ଭାଷଣ ଓ ଉପଦେଶ ଦିଅନ୍ତୁ ନା କାହିଁକି।
ଆଜିକାଲି କ୍ରିକେଟରମାନେ ମଧ୍ୟ ସାମ୍ପ୍ରଦାୟିକ
ବିଚାରକୁ ଗୁରୁତ୍ଵ ଦେଲେଣି। ନିଜର ପୁରୁଣା ଖେଳାଳିଙ୍କ ଖେଳୁଆଡ ମନୋବୃତ୍ତିର ରହିଥିବା ଉଦାହରଣକୁ
ସେମାନେ ଭୁଲିଯାଉଛନ୍ତି।
୧୯୬୫ ମସିହାର ଭାରତ – ପାକିସ୍ତାନ ଯୁଦ୍ଧ ସମୟରେ ଭାରତର
କ୍ରିକେଟ କ୍ଯାପଟେନ ମନସୁର ଅଲି ଖାନ ପଟୌଦି ଓ ପାକିସ୍ତାନ କ୍ଯାପଟେନ ହାନିଫ ମହମ୍ମଦ ଉଭୟ
ବିଶ୍ଵ ଏକାଦଶ ତରଫରୁ କ୍ରିକେଟ ମ୍ଯାଚ ଇଂଲଣ୍ଡରେ ଖେଳୁଥାନ୍ତି। ଦୁଇ ଦେଶ ମଧ୍ୟରେ ଲାଗିଥିବା
ଯୁଦ୍ଧ ବିପକ୍ଷରେ ସେମାନେ ମିଳିତ ମେସେଜ ନିଜ ନିଜ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ। ସେଥିରେ
ଉଲ୍ଲେଖ ଥିଲା, “ଆମେ କ୍ରିକେଟ ଫିଲ୍ଡରେ ଆମର ଏକତାକୁ ବଜାୟ
ରଖିଛୁ। ଆମେ ଆମର ଉଦ୍ଦେଶ୍ୟକୁ ଭୁଲିଯାଇନାହୁଁ। ଆମେ ଆଶା କରୁଛୁ ଯେ ଉଭୟ ଦେଶ ଶାନ୍ତିପୂର୍ଣ୍ଣ
ସମାଧାନର ରାସ୍ତା ବାହାର କରିବେ।“ (ସୋର୍ସ: ‘Cricket and Nationhood in the
twenty-first century’)
୧୯୭୧ ମସିହାର ଭାରତ – ପାକିସ୍ତାନ ଯୁଦ୍ଧର ସମୟରେ, ପୂର୍ବ ପାକିସ୍ତାନ ଅଞ୍ଚଳ ବିଚ୍ଛିନ୍ନ ହୋଇ ନୂତନ ବଙ୍ଗଳାଦେଶ ସୃଷ୍ଟି ହେଲା। ଏହି
ଯୁଦ୍ଧ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଅଧିକ ତିକ୍ତ କରିଦେଲା। କିନ୍ତୁ ଅଷ୍ଟ୍ରେଲିଆରେ ବିଶ୍ଵ
ଏକାଦଶ ତରଫରୁ ସୁନୀଲ ଗାଭାସ୍କର ଓ ଜହୀର ଆବ୍ବାସ (ପାକିସ୍ତାନ କ୍ଯାପଟେନ) ଖେଳୁଥିବା ସମୟରେ
ସେମାନେ ଗୋଟିଏ ରୁମରେ ରହି ଶାନ୍ତିର ବାର୍ତ୍ତା ଦେଇଥିଲେ। କାର୍ଗିଲ ଯୁଦ୍ଧ ଓ ପେହେଲଗାମ
ଆକ୍ରମଣ ଭଳି ଘଟଣା ଅତୀତରେ ହୋଇଛି। କିନ୍ତୁ କ୍ରିକେଟରମାନେ ଦର୍ଶକଙ୍କ ଦାବି ଅନୁସାରେ ନୁହେଁ
ଖେଳୁଆଡ ମନୋବୃତ୍ତି ନେଇ ଖେଳକୁ ଦେଖିଛନ୍ତି।
ଗଲା ୨୦୧୦ ମସିହା ପରଠାରୁ କ୍ରିକେଟ ମଧ୍ୟକୁ
ସାମ୍ପ୍ରଦାୟିକତା ପ୍ରବେଶ କରିଛି। ଗୌତମ ଗମ୍ଭୀର (ଆଜିର କୋଚ), ହରଭାଜନ ସିଂହ ଓ ଯୁବରାଜ ସିଂହ ପଡିଆ ବାହାରେ ପାକିସ୍ତାନ ବିରୋଧୀ ମନ୍ତବ୍ୟ
ଦେଇଛନ୍ତି ଯାହା କି କ୍ରିକେଟ ସମ୍ବନ୍ଧିତ ନଥିଲା। ତଥାପି ଧୋନୀ ସମେତ ଅନେକ ଖେଳାଳି ଏଥିରୁ
ଦୂରେଇ ରହିଛନ୍ତି। ଅଥଚ ୨୦୨୫ ମସିହାରେ, ପାକିସ୍ତାନ ବିପକ୍ଷର ମ୍ଯାଚ ଶେଖର
ଧାବନ ଖେଳିବା ଲାଗି ମନା କରିଦେଲେ ଓ ସେହି ବର୍ଷ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ
କ୍ରିକେଟରଙ୍କ ସହିତ ହାତ ମେଳାଇବା ଲାଗି ମନାକରିଦେଲେ। କ୍ରିକେଟ ଫିଲ୍ଡ ମଧ୍ୟରେ ଶେଖର ଧାବନ ଓ
ସୂର୍ଯ୍ୟକୁମାରଙ୍କ ଖେଳାଳିଙ୍କ ଅଣଖେଳୁଆଡ ଆଚରଣ ଭାରତୀୟ କ୍ରିକେଟ ଇତିହାସରେ ପ୍ରଥମ କରି
ଦେଖାଗଲା। ଅତୀତରେ ବିସିସିଆଇର କୌଣସି ନିର୍ଦ୍ଦେଶକୁ କେବେ ବି ଏହି ଖେଳାଳି ଦ୍ୱୟ ପ୍ରଶ୍ନ
କରିନାହାନ୍ତି। ତେଣୁ ମନେହୁଏ ଯେ ଏମାନଙ୍କ ପଛରେ ବିସିସିଆଇର ସଂପୂର୍ଣ୍ଣ ସହମତି ରହିଛି।
ବିଶେଷକରି, ବୋର୍ଡର ମୁଖ୍ୟ ନିଜେ ଏକ ସାମ୍ପ୍ରଦାୟିକ ବିଚାରର ବ୍ୟକ୍ତି।
ହୁଏତ କେତେକ ଖେଳାଳି ନିଜର ଖେଳୁଆଡ ମନୋବୃତ୍ତିକୁ
ପାଶୋରି ଯାଇପାରନ୍ତି। ହୁଏତ ବୋର୍ଡ ଏକ ସାମ୍ପ୍ରଦାୟିକ ସଂଗଠନ ହୋଇଯାଇପାରେ। କିନ୍ତୁ ଓଡିଆ
ଖବରକାଗଜମାନେ ସମ୍ବାଦିକତାର ନୈତିକତା ଓ ସାମାଜିକଦାୟିତ୍ଵ ବୋଧକୁ ଭୁଲିଯାଉଛନ୍ତି। କ୍ରିକେଟ ମ୍ଯାଚର ରିପୋର୍ଟିଂର
ଭାଷା ଶତ୍ରୁତାର ଭାଷା ହୋଇଯାଉଛି। କାରଣ ଏହାକୁ ନେଇ ସାମାଜରେ ଆଲୋଚନା, ସମାଲୋଚନା, ପ୍ରତିବାଦ ଓ ଭିନ୍ନମତ ରହୁନାହିଁ। ଯିଏ ଯାହାର
ସୁବିଧାରେ ଚାଲିବା ହେତୁ ସମାଜରେ ଅନେକ ବିଚ୍ୟୁତି ଭଳି ଆମ ସମାଜରେ ଏହି ଘୃଣ୍ୟ ବିଚ୍ୟୁତି ମଧ୍ୟ
ଦେଖାଯାଉଛି। ସମାଜକୁ ଏହା ଅଧିକ ବିପଦଶଙ୍କୁଳ କରିଦେଉଛି।
ଦେବ ରଞ୍ଜନ, ମୋବାଇଲ :
୯୪୩୭୭୬୨୨୭୨
No comments:
Post a Comment