Thursday, March 26, 2026

ବଦାନ୍ୟତା ଏକ କୌଶଳ : ପୁରସ୍କାର ଓ କର୍ମଶାଳା

 


(Credit: Google Images)

ଦେବ ରଞ୍ଜନ

 

              ଯେତେବେଳେ ଦେଶର ସର୍ବଶ୍ରେଷ୍ଠ ଅରବପତି ମାନବିକତାର ପୁରସ୍କାର ପାଇବା ଲାଗି ହକଦାର ହେଉଛନ୍ତି ସେତେବେଳେ କଣ ଦେଶର ଆଦିବାସୀମାନେ ନିଜ ଶ୍ମଶାନ ଭୁଇଁରେ ନୀରବ ହୋଇ ପଡିରହିବା ଶିଖିବା ଆବଶ୍ୟକ? ଯେଉଁ ପ୍ରଦେଶରେ ଆଦିବାସୀଙ୍କ ହାତରୁ ପିଢି ପିଢିର ଜମି, ଜଙ୍ଗଲ, ସଂସ୍କୃତି ଓ ଇତିହାସ ନେଇଯିବା ଲାଗି ଲଗାତର ଉଦ୍ୟମ କରାଯାଉଛି ସେଠାରେ ଶ୍ରୀମତୀ ନିତୁ ଆମ୍ବାନୀଙ୍କୁ ୨୦୨୬ ବର୍ଷର ଶ୍ରେଷ୍ଠ “ମାନବିକତା” ପୁରସ୍କାର ଦିଆଯିବା (ମାର୍ଚ୍ଚ ୧୩ ତାରିଖ) କେବଳ ପୁରସ୍କାର ନୁହେଁ ନୂତନ ଷଡଯନ୍ତ୍ରକୁ ଉନ୍ମୋଚିତ କରୁଛି। ସେହି ଷଡଯନ୍ତ୍ର ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅର୍ଥରେ ପରିଚାଳିତ ଅର୍ଦ୍ଧ-ସରକାରୀ ସଂସ୍ଥା କିସ (Kalinga Institute of Social Science) ଦ୍ଵାରା ଯେତେବେଳେ କରାଯାଉଛି ବୁଝିବାକୁ ହେବ ଯେ ସଂପୂର୍ଣ୍ଣ ବ୍ୟବସ୍ଥା ଏହାର ପଛରେ ରହିଛି।

                   ମାନବିକତା ସହିତ ଆସୁଛି ମାନବିକ ଅଧିକାର ସୁରକ୍ଷାର ପ୍ରସଙ୍ଗ। ତାହା ପୁଣି ଭୁବନେଶ୍ଵରର ଏକ ପଞ୍ଚ ତାରକା ହୋଟେଲରେହ୍ୟୁମାନ ରାଇଟ୍ସ ଫ୍ରଣ୍ଟ (Human Rights Front) ଦ୍ଵାରା ହିଣ୍ଡାଲକୋ – ଆଦିତ୍ୟ ବିରଳା କମ୍ପାନୀର ବଦାନ୍ୟତାରେ (ମାର୍ଚ୍ଚ ୧୬)। ଏହି କମ୍ପାନୀର ବକ୍ସାଇଟ ଖଣି ଓ ଆଲୁମିନା ପ୍ଳାଣ୍ଟ ସ୍ଥାପନାକୁ ବିରୋଧ କରିବା କାରଣରୁ ପୁଲିସ ଗୁଳିକାଣ୍ଡରେ ତିନି ଜଣ ଆଦିବାସୀ ମୃତ୍ୟୁବରଣ କରିଥିଲେ ଓ ଅନେକ ଆହତ ହୋଇଥିଲେମୃତକଙ୍କ ସମାଧି ଆଜି ବି ମାଇକଞ୍ଚର ପାହାଡ ଉପରେ ଠିଆ ହୋଇଛିହତ୍ୟାକାରୀ ଯେତେ ମାନବିକ ଅଧିକାରର କଥା କହୁ ନା କାହିଁକି ଇତିହାସ କେବେ ନୀରବ ରହିନାହିଁ

                   ଆଜି ବି ସୁନ୍ଦରଗଡର ଲାଞ୍ଜିବେର୍ଣ୍ଣା ଅଞ୍ଚଳରେ ଡାଲମିଆ ସିମେଣ୍ଟ କମ୍ପାନୀ ଲାଗି ଫସଲରେ ଭରପୁର ୨୭ ଏକର ଜମିକୁ ବୁଲଡୋଜର ଲଗାଇ ଧ୍ଵଂସ କରିଦିଆଗଲାକାଶୀପୁରର ବକ୍ସାଇଟ ପାହାଡକୁ ବଳପ୍ରୟୋଗ କରି ବେଦାନ୍ତ କମ୍ପାନୀ ଦ୍ଵାରା ନେବାର ଉଦ୍ୟମ କରାଯାଉଛି ଆଦିତ୍ୟ ବିରଳାର ଦୋରାଗୁଡା ପ୍ଳାଣ୍ଟର ପ୍ରଦୂଷଣକୁ ବିରୋଧ କରି କମ୍ପାନୀ ଗେଟ ସାମ୍ନାରେ ଅସ୍ତବ୍ୟସ୍ତ ଲୋକେ ଧାରଣା ଚଳାଇ ରଖିଛନ୍ତିସମ୍ବଲପୁରର ହିଣ୍ଡାଲକୋ ପ୍ଳାଣ୍ଟ ପାଉଁଶ ପୋଖରୀର କେମିକାଲ ଆବର୍ଜନା ଚାଷୀଙ୍କ ଜମିରେ ମାଡିଯିବାର ଦ୍ରୁଶ୍ୟ ଭୁଲିହେବ ନାହିଁ। 

                ଆଜି ବିଶ୍ୱିକରଣ ଓ କର୍ପୋରେଟକରଣ ଦ୍ରୁତ ଗତିରେ ଚାଲିଛି। ସମୟରେ ମାନବିକ ଅଧିକାର ସୁରକ୍ଷା ନାମରେ ଆୟୋଜକ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ (HRF) ଓ ଏହାର ଅଧ୍ୟକ୍ଷ ମନୋଜ ଜେନାଙ୍କ ଦ୍ଵାରା ହିଣ୍ଡାଲକୋର ଆର୍ଥିକ ସହଯୋଗରେ ଅଧିକାର ଭିତ୍ତିକ ବିକାଶର ପ୍ରତିଶୃତି ସେମାନଙ୍କ ଦ୍ଵାରା କରାଯାଉଥିବା ଅନ୍ୟାୟ ପୂର୍ଣ୍ଣ କାର୍ଯ୍ୟକୁ ନ୍ୟାୟର ରୂପ ଦେବାର ଉଦ୍ୟମ। ଯେଉଁମାନଙ୍କୁ ମାନବିକ ଅଧିକାରର ଉଲ୍ଲଂଘନ ସମ୍ବନ୍ଧରେ ପ୍ରଶ୍ନ କରିବା କଥା, ଯେଉଁମାନଙ୍କୁ ଦେଇଛନ୍ତି ନୁହେଁ କେତେ ନେଇଛନ୍ତି ତାହାର ହିସାବ ମାଗିବାର କଥା ସେମାନଙ୍କ ଠାରୁ ଆର୍ଥିକ ସହଯୋଗ ନେଇ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ମାନବିକ ଅଧିକାରର ନୂତନ ପରିଭାଷା ସୃଷ୍ଟି କରୁଛି। ସେହି ପରିଭାଷା ହେଲା:

ଆଦିବାସୀଙ୍କୁ ବାଦ ଦେଇ ଦେଶରେ ମାନବିକ ଅଧିକାରର ସୁରକ୍ଷା କରାଯାଇପାରିବ

ଗୁଳି କରି ହତ୍ୟା କରିବାକୁ ଅପରାଧ ତାଲିକାରୁ ବାଦ ଦିଆଯାଇପାରିବ

ଯେଉଁମାନେ ଏଭଳି ଗୁଳିକାଣ୍ଡରୁ ଫାଇଦା ନେଇଛନ୍ତି ସେମାନଙ୍କୁ ନେଇ ମାନବିକ ଅଧିକାରର ସୁରକ୍ଷା କରାଯାଇପାରିବ

 

                   ନିତୁ ଆମ୍ବାନୀଙ୍କ ବଦାନ୍ୟତା ସମ୍ପର୍କରେ ବର୍ଣନା କରିବା ପୂର୍ବରୁ କିସର (KISS) ମୁଖ୍ୟ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତ  ପ୍ରଶ୍ନ କରିବା ଆବଶ୍ୟକ ଯେ ରିଲାଏନ୍ସ କମ୍ପାନୀ ଓ ଏହାର ମୁଖ୍ୟ ମୁକେଶ ଅମ୍ବନୀଙ୍କୁ ବାଦ ଦେଲେ ନିତୁ ଆମ୍ବାନୀ କେଉଁଠି? ଇଣ୍ଡିଆନ ପ୍ରିମିୟର ଲିଗର ଅନ୍ୟତମ ଦଳ ମୁମ୍ବାଇ ଇଣ୍ଡିଆନ୍ସରେ? ମୁମ୍ବାଇରେ ୨୭ ମହଲା ବିଶିଷ୍ଟ “ଅଣ୍ଟେଲିଆ”ର ପ୍ରାସାଦ ମଧ୍ୟରେ ? ଗୁଜୁରାଟରେ ୩୫୦୦ ଏକର ଜମିରେ ପ୍ରସ୍ତୁତ ବନଜାରାର ବ୍ୟକ୍ତିଗତ ଅଭୟାରଣ୍ୟରେ? 

                  ଆଇପିଏଲ ମ୍ୟାଚ ସମୟରେ ମୁମ୍ବାଇ ଷ୍ଟାଡିୟମରେ ଚଉକା ଓ ଛକାରେ ନିତୁ ଆମ୍ବାନୀ ନାଚୁ ଥିବା ବେଳେ ନିକଟସ୍ଥ ଧରାବୀ ବସ୍ତିରେ ଦୂଷିତ ଜଳ ପିଇ ଜଣକ ପରେ ଜଣେ ଶିଶୁ ମୃତ୍ୟୁବରଣ କରିଚାଲିଥିଲେ। ନିତୁ ଆମ୍ବାନୀ ଏ ସବୁ ଲାଗି କେବେ ସାମାନ୍ୟ ଦୁଃଖ ପ୍ରକାଶ କରିନାହାନ୍ତି। ନିଜ ସହରରେ ସମସ୍ତଙ୍କ ଲାଗି ସ୍ଵଚ୍ଛ ପାନୀୟ ଜଳର ବ୍ୟବସ୍ଥା କରାଯିବା କଣ କର୍ପୋରେଟର ସାମାଜିକ ଦାୟିତ୍ଵବୋଧରେ ଆସୁ ନାହିଁ?

                ପ୍ରତ୍ୟେକ ବଦାନ୍ୟତା ପଛରେ ରହିଥିବା ମାନବିୟ କାହାଣୀ ଗୁଡିକୁ ଯଦି ଖୋଜାନଯିବ ତେବେ ଦୁନିଆର ସର୍ବଶ୍ରେଷ୍ଠ ଗଣହତ୍ୟାକାରୀ ବି ମାନବିକତାର ପୁରସ୍କାର ପାଇବା ଲାଗି ହକଦାର ହୋଇପାରିବ  ୨୦୧୬ ମସିହାରେ ନଗଡା ଠାରେ ୨୯ ଜଣ ଆଦିବାସୀ ଶିଶୁ ଉପଯୁକ୍ତ ଖାଦ୍ୟ ଓ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରିଥିଲେ ଏହାର କାରଣ ଥିଲା ନଗଡାର ଚାରିପାଖରେ ରହିଥିବା ୧୩ଟି କ୍ରୋମାଇଟ ଓ ଲୁହାଖଣି କମ୍ପାନୀ ସେମାନଙ୍କ ଅନେକ ଜଙ୍ଗଲ ଜମିକୁ ଅକ୍ତିଆର କରିନେଇଥିଲେ। 

                  କେବଳ ଓଡିଶା ନୁହେଁ ମହାରାଷ୍ଟ୍ର ଓ କେରଳରେ ମଧ୍ୟ ସେହି ବର୍ଷ ପୁଷ୍ଟିହୀନତା ହେତୁ ଏକାଥରେ ବେଶ କେତେକ ଶିଶୁ ମରିଯାଇଥିଲେଶିଶୁମାନଙ୍କର ମୃତ୍ୟୁ କୌଣସି ଅବହେଳା ଲାଗି ହୋଇନଥିଲା। ରାଷ୍ଟ୍ରର ସମ୍ପତ୍ତି ଅଳ୍ପ କେତେକଙ୍କ ଦ୍ଵାରା ହଡ଼ପ ହେଉଥିବା ହେତୁ ସରକାରଙ୍କ ଖର୍ଚ୍ଚ କମିବା ଏଭଳି ମୃତ୍ୟୁର କାରଣ। ଏଭଳି ମୃତ୍ୟୁ କଦାପି ମୃତ୍ୟୁ ନୁହେଁ, ବରଂ ହତ୍ୟା 

                   ସେହି ୨୦୧୬ ବର୍ଷ, ଯେଉଁ ବର୍ଷ କଳାହାଣ୍ଡିର ଦାନା ମାଝୀ ମୃତ ସ୍ତ୍ରୀଙ୍କ ଶବକୁ କାନ୍ଧେଇ ଚାଲିଥିଲେ ସେହି ବର୍ଷ ମୁକେଶ ଆମ୍ବାନୀ ୨୧ ଲକ୍ଷ କୋଟି ଟଙ୍କାର ମାଲିକ ହୋଇ ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ତାଲିକାରେ ସ୍ଥାନ ପାଇଥିଲେ ସେହି ବର୍ଷ ଅତି ଧନୀ ବ୍ୟକ୍ତି ଭାବରେ ନିତୁ ଆମ୍ବାନୀ ମଧ୍ୟ ଫର୍ବସ ତାଲିକାରେ ସ୍ଥାନ ପାଇଥିଲେ।

                   ହୋଇପାରେ ଯେ ଦେଶର ସମ୍ବିଧାନରେ ସମାଜବାଦ’, ଗଣତନ୍ତ୍ର ଉଲ୍ଲେଖ ରହିଛି, କିନ୍ତୁ, ରିଲାଏନ୍ସ ଭଳି କମ୍ପାନୀମାନେ ତାହାକୁ ଲିଭାଇବାରେ ଲାଗିଛନ୍ତି। ରିଲାଏନ୍ସ ଓ କିସ ଶ୍ରେଷ୍ଠ ମାନବିକତାର ପୁରସ୍କାର ନେବା ଓ ଦେବା ମଧ୍ୟରେ ମାନବିକତାର ନୂତନ ପରିଭାଷା ସୃଷ୍ଟି କରୁଛନ୍ତିସେହି ଚମତ୍କାର ପରିଭାଷାଟି ଏହିଭଳି:

          ମାନବିକତାର ଅଧିଗ୍ରହଣ ହିଁ କର୍ପୋରେଟ ସଭ୍ୟତା

          ଏହି ସଭ୍ୟତାର ଅର୍ଥ ଅପରାଧକୁ ନୂଆ ଅତର ଭିତରେ ଭର୍ତ୍ତି କରି ବଜାର ଚଳାଇବା।

          ବଜାରର ଅର୍ଥ ଆଦିବାସୀଙ୍କ ଘର ଓ ପିଢି ପିଢିର ଜମିକୁ ନିଶ୍ଚିହ୍ନ କରିଦେଇ ଖୋଲା ଦେହରେ ରାସ୍ତା କଡ଼ରେ କାହାର ଦୟା ଓ ବାଦାନ୍ୟତା ପ୍ରଦର୍ଶନ ଲାଗି ଛାଡ଼ିଦେବା

          ଏଠାରେ ବଦାନ୍ୟତାର ପ୍ରଦର୍ଶନ ବିରାଟ ଅନ୍ୟାୟକୁ ଜାରି ରଖିବା ଓ ଆଦିବାସୀଙ୍କ ଜମି ଓ ଜଙ୍ଗଲକୁ ନେଇଯିବାର କୌଶଳ, ସେମାନଙ୍କୁ ନୀରବ ରଖିବାର ଯୋଜନା।    

 

          ଖୋଦ ମାନବିକ ଅଧିକାର ଉଲ୍ଲଂଘନକାରୀ ଯେବେ ମାନବିକ ଅଧିକାର ସୁରକ୍ଷାର କଥା କହେ ତାହା ନିଛକ ସୁରକ୍ଷା ନୁହେଁ ତାହା ଅସ୍ଵୀକାର କରିବା ଓ ସତକୁ ଲୁଚାଇବାର ଅଭ୍ୟାସସତ ହେଉଛି ଯେ ଆଜି ବି ଆଦିବାସୀ ଗୋଷ୍ଠୀ ଠାରୁ ଜମି ଓ ଜଙ୍ଗଲ ନେଇଯିବା ଲାଗି ମିଥ୍ୟା କେସରେ ଶତ ଶତ ସଂଖ୍ୟାରେ ଆଦିବାସୀଙ୍କୁ ଗିରଫ, ଏନକାଉଣ୍ଟର ହତ୍ୟା ଓ ଗୁଳିକାଣ୍ଡ କରାଯାଉଛି ରାଷ୍ଟ୍ରର ଏହି ଦମନ ପଛରେ ରହିଛି ମାନବିକତାର ମୁଖା ଲଗାଇଥିବା ଓ କର୍ପୋରେଟ ଅର୍ଥରେ ନୈତିକତାର କଥା କହୁଥିବା ବ୍ୟକ୍ତିବିଶେଷ ଓ ସେମାନଙ୍କ ବ୍ୟବସ୍ଥାଆଦିବାସୀ ଉପରେ ହୋଇଚାଲିଥିବା ଦମନ ବିରୁଦ୍ଧରେ ସେମାନେ କେବେ ନିଜର ବକ୍ତବ୍ୟ ମଧ୍ୟ ରଖନ୍ତି ନାହିଁ। 


           'କିସ'ର ସେହି ୪୦୦୦୦ ଛାତ୍ରଛାତ୍ରୀ ନିଶ୍ଚିତ ରୂପେ ନିଜ ଅଞ୍ଚଳର ଲଢେଇର ଇତିହାସକୁ କଦାପି ଭୁଲିଯିବେ ନାହିଁ ସେମାନେ ମାନବିକତାର ବୃକ୍ଷଟିଏ ଆଂକିବା ବେଳେ ଅରବପତି ଓ ତାଙ୍କର ସହଯୋଗୀଙ୍କୁ ଚେର କାଟୁଥିବା କଟାଳିର ରୂପରେ ରଖିବେ ସେମାନେ ଦୟା ଓ ବାଦାନ୍ୟତାକୁ ଅଗ୍ରାହ୍ୟ କରିବେ ଓ ଇତିହାସକୁ ନିଜ ଢଙ୍ଗରେ ଲେଖିବେ

ଦେବ ରଞ୍ଜନ

୯୪୩୭୭୬୨୨୭୨

 

No comments:

Post a Comment