Tuesday, January 6, 2026

ଅଶୋକଙ୍କ ବିରୁଦ୍ଧରେ କଳିଙ୍ଗ ଯୁଦ୍ଧ ଓ ଟାଟା ବିରୋଧୀ କଳିଙ୍ଗ ନଗର ଗୁଳିକାଣ୍ଡ, ଇତିହାସର କେନ୍ଦ୍ରରେ କିଏ ଓ କେବେ?

ଦେବ ରଞ୍ଜନ

                   ଓଡିଶାର ପୂର୍ବ ନାମ କଳିଙ୍ଗ। କଳିଙ୍ଗର ଇତିହାସରେ ଦୁଇ ପ୍ରମୁଖ ଘଟଣା - କଳିଙ୍ଗ ଯୁଦ୍ଧ ଓ କଳିଙ୍ଗ ନଗର ଗୁଳିକାଣ୍ଡ - ଏହାର ହତ୍ୟାକାରୀକୁ ପରବର୍ତ୍ତୀ ଇତିହାସ ଲେଖିବାର ସୁଯୋଗ ଦେଇଛି।

                ରାଜା ଅଶୋକ ମୌର୍ଯ୍ୟ ସାମ୍ରାଜ୍ୟର  ପ୍ରତିଷ୍ଠା ଲାଗି କଳିଙ୍ଗ ଆକ୍ରମଣ କରିଥିଲେ ଯାହା ଇତିହାସରେ କଳିଙ୍ଗ ଯୁଦ୍ଧ (ଖ୍ରୀଷ୍ଟପୂର୍ବ ୨୬୧) ନାମରେ ଖ୍ୟାତ। କଳିଙ୍ଗର ଆଦିବାସୀମାନଙ୍କ ଉପରେ ନିଜର ସାମ୍ରାଜ୍ୟ ପ୍ରତିଷ୍ଠା କରିବା ଲାଗି ଏହି ଯୁଦ୍ଧରେ ଅଶୋକ ପ୍ରାୟ ଏକ ଲକ୍ଷ ମଣିଷଙ୍କୁ ହତ୍ୟା କରିଥିଲେ ଓ ଦେଢ ଲକ୍ଷ ମଣିଷଙ୍କୁ ଅର୍ଦ୍ଧମୃତ କରି ଛାଡିଦେଇଥିଲେ। (କେହି କେହି ଏହାକୁ କେବଳ ଜୀବନ ବୋଲି କୁହନ୍ତି ଯେଉଁଥିରେ ଘୋଡା, ହାତୀ ଭଳି ପଶୁ ମଧ୍ୟ ଅଛନ୍ତି।)

                ସମ୍ରାଟ ଅଶୋକଙ୍କୁ କାଳେ ପରବର୍ତ୍ତୀ ପୀଢି ଅତି ଘୃଣାର ଦ୍ରୁଷ୍ଟିରେ ଦେଖିବ ସେଥିଲାଗି ସେ ବୌଦ୍ଧଧର୍ମ ଗ୍ରହଣ କରି ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଲେ ବୋଲି ଓଡିଶା ମଧ୍ୟରେ ସ୍ଥାପିତ ଦୁଇଟି ଶିଳାଲେଖାରେ (ଧଉଳି ଓ ଜଉଗଡ) ଲେଖାଇଥିଲେ। ଏହାକୁ ଆମେ ଇତିହାସ ଆକାରରେ ଆଜି ପଢୁଛୁ। ଏହା ଗଣହତ୍ୟାକାରୀ ନିଜେ ଯୁଦ୍ଧରେ ସଫଳ ହେବାର ଇତିହାସ।  

                ବୌଦ୍ଧ ଧର୍ମର ପ୍ରଚାର କରିବାକୁ ଯାଇ ନିଜେ ବୁଦ୍ଧ ଯଦି ରାଜ ପଦ ତ୍ୟାଗ କରିଥିଲେ ଅଶୋକ ଧର୍ମାଶୋକରେ ପରିଣତ ହେବା ପରେ ବି ମଗଧର ରାଜା ହୋଇ ରହିବାକୁ ଇତିହାସରେ କେବେ ପ୍ରଶ୍ନ କରାଯାଇନାହିଁ। କାରଣ ଇତିହାସ ତ ନିଜେ ଅଶୋକ ଲେଖିଛନ୍ତି। ଏପରିକି ଓଡିଶାରେ ସେ ସମୟରେ କିଏ ରାଜା ଥିଲେ ତାହା ମଧ୍ୟ ସେ ଉଲ୍ଲେଖ କରିନାହାନ୍ତି। କେବଳ ଉଲ୍ଲେଖ କରିଛନ୍ତି ନିଜର ଧର୍ମାନ୍ତରଣ - ଏକ ହତ୍ୟାକାରୀର ଲୋକଦେଖାଣିଆ ବିରାଗ।    

                ଆଧୁନିକ ଓଡିଶାରେ କଳିଙ୍ଗ ନଗର ଗୁଳିକାଣ୍ଡ (ଜାନୁଆରୀ ୦୨, ୨୦୦୬) ଲାଗି ତତ୍କାଳୀନ ବିଜୁ ଜନତା ଦଳ ସରକାର ଓ ଟାଟା କମ୍ପାନୀ ପ୍ରମୁଖ ଭାବରେ ଦାୟୀ। ସ୍ଵାଧୀନ ଭାରତର ଏହି ବିଭତ୍ସ ଘଟଣା ଯେଉଁଠି ୧୩ ଜଣ ଆଦିବାସୀ ଜୀବନ ଦେଇଥିଲେ ତାହା କେବଳ ଟାଟା ଷ୍ଟିଲ କମ୍ପାନୀର ଜୋର ଜବରଦସ୍ତି ଜମି ଅଧିଗ୍ରହଣକୁ ବିରୋଧ କରିବା ହେତୁ ଘଟିଥିଲା।

 

                ନବେ ଦଶକରେ ଆର୍ଥିକ ସଂସ୍କାର ନାମରେ ପ୍ରାଇଭେଟ କମ୍ପାନୀମାନଙ୍କୁ ଦେଶର ସମ୍ପତ୍ତି ହସ୍ତାନ୍ତର କରି ଯେଉଁ ବିକାଶର ସ୍ଵପ୍ନ (ମାଛର ସୁରକ୍ଷା ଲାଗି ବିରାଡିଙ୍କ ନିଯୁକ୍ତି) ଦେଖାଇ ଦିଆଯାଇଥିଲା ତାହାର ଅଂଶ ଥିଲା ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଠାରେ ଟାଟା କମ୍ପାନୀର ଷ୍ଟିଲ କାରଖାନା ସ୍ଥାପନ ପ୍ରସ୍ତାବ ଓ ଲୋକଙ୍କୁ ଆର୍ଥିକ, ଶାରୀରିକ ଓ ମାନସିକ ଶୋଷଣର ଆରମ୍ଭ।

                ଦୀର୍ଘ ଦଶ ବର୍ଷ (୧୯୯୫ ରୁ ୨୦୦୫ ପର୍ଯ୍ୟନ୍ତ) ଯାଜପୁର ଜିଲ୍ଲାର କଳିଙ୍ଗ ନଗରବାସୀ ଜମି ଅଧିଗ୍ରହଣ ସମୟରେ ସରକାରୀ ପ୍ରଶାସନ ଦ୍ଵାରା ଯେଉଁଭଳି ମିଥ୍ୟା ଆଶ୍ଵାସନା, ସନ୍ଦେହାତ୍ମକ କାର୍ଯ୍ୟ, କ୍ଷତିପୂରଣ ରାଶିରେ ଚଞ୍ଚକତା, ବିନା ଅପରାଧରେ ଗିରଫ ଓ ଦମନର ଶିକାର ହୋଇଥିଲେ ତାହାର ପରିଣାମ ଥିଲା ଯେ ସେମାନେ ଟାଟା କମ୍ପାନୀକୁ ବିରୋଧ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଯେତେବେଳେ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ହେଲା ଓ ସେମାନେ ନିଜର ପାରମ୍ପରିକ ଅସ୍ତଶସ୍ତ୍ର ଧରି କମ୍ପାନୀର ଭୂମିପୂଜାକୁ ବିରୋଧ କରିବାକୁ ଆସିଲେ ସେତେବେଳେ ସରକାର ନିଜର ଆଧୁନିକ ଅସ୍ତ୍ରରେ ସଜ୍ଜିତ ସଶସ୍ତ୍ର ବାହିନୀ ଦ୍ଵାରା ଗୁଳିକାଣ୍ଡ ଭିଆଇ ୧୩ ଜଣଙ୍କୁ ହତ୍ୟା କରିଥିଲେ। ଏହା ଦ୍ଵାରା ସରକାର ଭୟର ପରିବେଶ ସୃଷ୍ଟି କରିଥିଲେ।

                ଲୋକଙ୍କ ପ୍ରତି ଆକ୍ରମଣରେ ଜଣେ ପୁଲିସ ମଧ୍ୟ ନିହତ ହୋଇଥିଲେ। ବିଡମ୍ବନା ହେଲା ଯେ ଏଥିଲାଗି କଳିଙ୍ଗ ନଗରର ୧୧୦୯ ଜଣଙ୍କ ବିରୁଦ୍ଧରେ ହତ୍ୟା ମକଦ୍ଦମା ରୁଜ୍ଜୁ ହୋଇଥିଲା। ଅଞ୍ଚଳବାସୀ ଅନେକ ଖର୍ଚ୍ଚାନ୍ତ ହୋଇ କୋର୍ଟରୁ ଜାମିନ କରିଥିଲେ। କିନ୍ତୁ ୧୩ ଜଣ ଆଦିବାସୀଙ୍କ ମୃତ୍ୟୁର ବିଚାର କୌଣସି କୋର୍ଟରେ ହୋଇନଥିଲା।

                ଓଡିଶା ସରକାରଙ୍କ ଦ୍ଵାରା କ୍ରମାଗତ ଭାବରେ ଅଞ୍ଚଳବାସୀଙ୍କୁ ଅବହେଳା କରିବା, ସେମାନଙ୍କ ଦାବିକୁ ଶୁଣାନଯିବା, ବିରୋଧ କରିବାରୁ ଗୁଳିକାଣ୍ଡ ହେବା ଇତ୍ୟାଦି କର୍ପୋରେଟ – ସରକାରୀ ଷଡଯନ୍ତ୍ରର ଏକ ଏକ ଅଧ୍ୟାୟ ଥିଲା। ଏହାର ଅନ୍ତିମ ଅଧ୍ୟାୟ ଥଲା ନ୍ୟାୟୀକ କମିଶନ ଯାହା ମଧ୍ୟ ସରକାର ଓ କମ୍ପାନୀର ସପକ୍ଷରେ ଯାଇଥିଲା।


                ଅଶୋକଙ୍କ ଦ୍ଵାରା ହୋଇଥିବା ଗଣହତ୍ୟାର ଉଦ୍ଦେଶ୍ୟ ଥିଲା କଳିଙ୍ଗର ଆଦିବାସୀଙ୍କ ଜମି ଉପରେ ମୌର୍ଯ୍ୟ ସାମ୍ରାଜ୍ୟର ପ୍ରତିଷ୍ଠା। ସେ ସମୟରେ ଏହି ସମଗ୍ର ଭୂଖଣ୍ଡରେ କେବଳ ଆଦିବାସୀମାନେ ରହୁଥିଲେ। ସେମାନଙ୍କ ମଧ୍ୟରେ ନା ରାଜା କେହି ଥିଲେ ନା ପ୍ରଜା। ମଣିଷ ମଣିଷ ମଧ୍ୟରେ ରହିଥିବା ସମାନ ସମ୍ପର୍କକୁ ଅସମାନ କରିବା, ମାନବିକତାର ହତ୍ୟା କରି ରାଜା – ପ୍ରଜାର ସମ୍ବନ୍ଧକୁ ସ୍ଥାପନ କରିବା, ଜଙ୍ଗଲକୁ କାଟି ପ୍ରାସାଦ ତିଆରି କରିବା, ଆନୁଷ୍ଠାନିକ ଧର୍ମ ଦ୍ଵାରା ଚିନ୍ତାଧାରାକୁ ଅକ୍ତିଆର କରିବା, ମଣିଷ ମଧ୍ୟରେ ଭୟ ସ୍ଥାପନ ଲାଗି ସୈନ୍ୟ ବାହିନୀ ରଖିବା ଅଶୋକଙ୍କ ଉଦ୍ଦେଶ୍ୟ ଥିଲା।

                କଳିଙ୍ଗ ଯୁଦ୍ଧରେ କଳିଙ୍ଗବାସୀଙ୍କ ଅଶୋକଙ୍କ ପ୍ରଭୁତ୍ଵ ବିରୁଦ୍ଧରେ ଲଢେଇ ଇତିହାସରେ ଅଶୋକ ନଚାହିଁବା ସତ୍ବେ ଉଲ୍ଲେଖ ରହିଲା। କିନ୍ତୁ ବିଡମ୍ବନା ହେଲା ଯେ ଇତିହାସରେ କଳିଙ୍ଗବାସୀଙ୍କୁ ଆଉ କେବେ ନିଜ ଇତିହାସ ଲେଖିବାର ସୁଯୋଗ ମିଳିନଥିଲା। କଳିଙ୍ଗ ଯୁଦ୍ଧ ଠାରୁ ଉପନିବେଶ ବିରୋଧୀ ସ୍ଵାଧୀନତା ଆନ୍ଦୋଳନ ପର୍ଯ୍ୟନ୍ତ କଳିଙ୍ଗବାସୀ କେବେ ଏ ରାଜା ତ ପୁଣି ସେ ରାଜାର ସୈନ୍ୟ ଭାବରେ ଲଢିଛନ୍ତି। ଇତିହାସରେ କେବେ ପ୍ରମୁଖ ଚରିତ୍ର ହୋଇପାରିନଥିଲେ।

                ଅଷ୍ଟାଦଶ ଓ ଉନ୍ନବିଂଶ ଶତାବ୍ଦୀ ବେଳକୁ ରିଣ୍ଡୋ ମାଝୀ, ଲକ୍ଷ୍ମଣ ନାୟକ, ବୀର୍ସା ମୁଣ୍ଡା, ମାଦ୍ରୀ କାଲୋ, ଧରଣିଧର ନାୟକ, ଚକରା ବିଷୋଇ ଇତ୍ୟାଦି ଓଡିଶାର ବିଭିନ୍ନ ଅଞ୍ଚଳରେ ଇଂରେଜଙ୍କ ପ୍ରଭୁତ୍ଵବାଦ ବିରୁଦ୍ଧରେ ଲଢେଇ କରିଥିଲେ। ସେମାନଙ୍କ ଲଢେଇ ହେତୁ ଇଂରେଜଙ୍କ ଅତ୍ୟାଚାର ଓ ଲୋକଙ୍କ ପ୍ରତିବାଦର ଇତିହାସ ଲେଖାଯାଇପାରିଥିଲା।  

                ପୁଣି ଦେଶ ସ୍ଵାଧୀନ ତ ହେଲା କିନ୍ତୁ ଆଦିବାସୀଙ୍କ ଜୀବନ ଜୀବିକା ସୁରକ୍ଷିତ ନଥିଲା। କଳିଙ୍ଗ ନଗର ଠାରେ ପ୍ରାଇଭେଟ କମ୍ପାନୀ ଟାଟା ବିରୁଦ୍ଧରେ ଲୋକେ ଲଢେଇ ଆରମ୍ଭ କରି ପୁଲିସ ଗୁଳିରେ ମୃତ୍ୟୁବରଣ କଲେ। ସେମାନେ ଭାବିଥିଲେ ସ୍ଵାଧୀନ ଦେଶରେ କୌଣସି ସରକାର ରହିବ ଯେ ତାଙ୍କ ଅଧିକାରର ସୁରକ୍ଷା କରିବ। ଅଥଚ ସେମାନେ ଜୀବନ ଦେଲେ।


                ଓଡିଶା ସରକାର ବିଚାର ବିଭାଗ କମିଶନ ସ୍ଥାପନ କଲେ। ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ୍ଵ କାଳ ପିକେ ମହାନ୍ତି କମିଶନ କମିଶନ (ତିନି ଜଣ ବିଚାରପତି ଜଣକ ପରେ ଜଣେ ନିଯୁକ୍ତ ହୋଇଥିଲେ ଓ ଶେଷରେ ଜଷ୍ଟିସ ପିକେ ମହାନ୍ତି ରିପୋର୍ଟ ଉପସ୍ଥାପନ କରିଥିଲେ) ବିଭିନ୍ନ ଭାବରେ ତଥ୍ୟ ଅନୁସନ୍ଧାନ ଓ ବିଭିନ୍ନ ପକ୍ଷକୁ ଶୁଣିବା ପରେ ଦୀର୍ଘ ରିପୋର୍ଟ ସରକାରଙ୍କୁ ୨୦୧୭ ମସିହାରେ ପ୍ରଦାନ କରିଥିଲେ।

                କମିଶନ କିନ୍ତୁ କଳିଙ୍ଗ ନଗରବାସୀଙ୍କୁ ସେମାନଙ୍କ ଜୀବନ ଜୀବିକାର ଲଢେଇକୁ “ବେଆଇନ” ଓ “ଅସମ୍ବିଧାନିକ” ଅଥଚ ଗୁଳିକାଣ୍ଡ କରିଥିବା ପୋଲିସଙ୍କୁ “ଆତ୍ମରକ୍ଷା” ଲାଗି ଜରୁରୀ ଥିଲା ବୋଲି ଦର୍ଶାଇଥିଲେ। ଗଣତନ୍ତ୍ରରେ ନିର୍ବାଚିତ ସରକାର କାହାରିକୁ ହତ୍ୟାକରିବା ନ୍ୟାୟଯୁକ୍ତ କି? ଏହି ପ୍ରସଙ୍ଗକୁ କମିଶନ ଆଡେଇ ଗଲେ। ଗଲା ଦଶ ବର୍ଷର ସରକାରୀ ଅବହେଳା ଓ ଜମିର  ଚଞ୍ଚକତାପୂର୍ଣ ଅଧିଗ୍ରହଣ ସମ୍ବନ୍ଧରେ କମିଶନ ଆଦୌ ଉଲ୍ଲେଖ ମଧ୍ୟ କଲେନାହିଁ। ବିଚାର ବିଭାଗ କମିଶନ ଓଲଟି ସ୍ଥାପନ କରିଥିଲେ ତାହା ପରୋକ୍ଷରେ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲ।

                ଯଦି ଗୁଳିକାଣ୍ଡ ଲାଗି କମିଶନ ଟାଟା କମ୍ପାନୀ ଓ ଓଡିଶା ସରକାରଙ୍କୁ ଦାୟୀ କରିଥାନ୍ତେ ବା ସେମାନଙ୍କ ବିପକ୍ଷରେ ଯାଇଥାନ୍ତା ତେବେ କମ୍ପାନୀର ପୁଞ୍ଜିନିବେଶ କାର୍ଯ୍ୟ ହୋଇପାରିନଥାନ୍ତା। ବିଚାର ବିଭାଗ କମିଶନ ନିଜର ରିପୋର୍ଟ ଦେବାର ବହୁ ପୂର୍ବରୁ ଟାଟା ନିଜର ପ୍ଳାଣ୍ଟ କାର୍ଯ୍ୟ ସମାପ୍ତ କରି ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହାର ଉନ୍ମୋଚନ (2015) ମଧ୍ୟ କରିସାରିଥିଲା। ତେଣୁ ଗୁଳିକାଣ୍ଡ ଠାରୁ କମିଶନ ରିପୋର୍ଟ ସବୁ ପୂର୍ବ ନିର୍ଦ୍ଧାରିତ ଥିଲା। ଟାଟା କମ୍ପାନୀ – ଓଡିଶା ସରକାର – ବିଚାର ବିଭାଗ କମିଶନ ପ୍ରମାଣିତ କଲେ ଯେ ହତ୍ୟାକାଣ୍ଡ ବିକାଶ ଲାଗି ଥିଲା। ବିକାଶ କମ୍ପାନୀ ଲାଗି ଥିଲା।

                ଟାଟା କମ୍ପାନୀ ସମେତ ଅନେକ କମ୍ପାନୀ ଓଡିଶାରେ ଜମି ଅଧିଗ୍ରହଣ କରିବା ଲାଗି ଓଡିଶା ସରକାରଙ୍କ ସହିତ ‘ମେକ ଇନ ଓଡିଶା’ (୨୦୧୬) କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଟାଟା ହିଁ ବିକାଶର ପରିଭାଷା ଲେଖିଥିଲା ଠିକ ସମ୍ରାଟ ଅଶୋକଙ୍କ ଶିଳାଲେଖାରେ ଧମ୍ମର ପରିଭାଷା ଲେଖା ହେବା ଭଳି। ହତ୍ୟାକାଣ୍ଡ ସତ୍ବେ ନା ଅଶୋକ ଓଡିଶା/ କଳିଙ୍ଗକୁ ପରିତ୍ୟାଗ କରି ଚାଲିଯାଇଥିଲେ ନା ଟାଟା କମ୍ପାନୀ ନିଜର ଜମି ଅଧିଗ୍ରହଣ ପ୍ରକ୍ରିୟା ବନ୍ଦ କରିଥିଲା।


                ବୌଦ୍ଧଧର୍ମର ପରବର୍ତ୍ତୀ ଧର୍ମଯାଜକ ବା କୌଣସି ବନ୍ତେ କେବେ ଅଶୋକଙ୍କ ବୁଭୁକ୍ଷୁପଣକୁ ତିରସ୍କାର କରିନାହାନ୍ତି। ଅର୍ଥାତ ସେମାନେ ହତ୍ୟାକାରୀକୁ ଗ୍ରହଣ କରିନେଇଛନ୍ତି। କୌଣସି ନିର୍ବାଚିତ ସରକାର କେବେ ଟାଟା କମ୍ପାନୀକୁ ଓଡିଶାରେ ପ୍ରଶ୍ନ କରିନାହାନ୍ତି, ଏହାର ଭୂମିକାକୁ ଗୌଣ କରିବା ଲାଗି ଉଦ୍ୟମ କରିନାହାନ୍ତି। ଓଲଟି ସାହାଯ୍ୟ ଲୋଡିଛନ୍ତି। ‘ମେକ ଇନ ଓଡିଶା’ ଏହାର ଉଦାହରଣ। ଟାଟା କମ୍ପାନୀ କେଉଁଝର, ସୁନ୍ଦରଗଡର ଲୁହା ଖଣି, କୋଇଲା ଓ କ୍ରୋମିୟମ ଉପରେ ନିଜର କର୍ତ୍ତୁତ୍ଵ ସୁଦୃଢ କରିପାରିଲା। ଟାଟା ସାମ୍ରାଜ୍ୟର ବିକାଶରେ ଓଡିଶା ସରକାର  ସହଯୋଗୀର ଭୂମିକା ନେଇଥିଲେ।

                କ୍ରମଶଃ କଳିଙ୍ଗ ନଗରବାସୀ ଜୀବନ ଦେଇ ମଧ୍ୟ ଗୌଣ ହୋଇଗଲେ। ଆଜି ସେହି ଅଞ୍ଚଳରେ ଅନେକ ଲୋକ ଶିଳ୍ପ ପ୍ରଦୂଷଣ ହେତୁ ବିଭିନ୍ନ ବେମାରୀରେ ମୃତ୍ୟୁବରଣ କରୁଛନ୍ତି। ଲୋକଙ୍କ ଆୟର ମୁଖ୍ୟଭାଗ ଡାକ୍ତର, ଓକିଲଙ୍କ ହାତକୁ ଯାଉଛି। ତଥାପି ମୁଖ୍ୟଧାରାର ଗଣମାଧ୍ୟମରେ ଏ ପ୍ରସଙ୍ଗରେ କେବେ ଆଲୋଚନା ହେଉନାହିଁ।   

                 କଳିଙ୍ଗ ନଗରବାସୀ ଏବେ ବି ନିଜ ଅଧିକାର ଲାଗି ଲଢେଇ ଜାରି ରଖିଛନ୍ତି। ଓଡିଶାର ଅନେକ ପ୍ରାନ୍ତରେ ଏବେ ବି କର୍ପୋରେଟ ବିରୋଧୀ ଲଢେଇ ଦୃଢ ହେଉଛି। ସୁନ୍ଦରଗଡର ଲାଞ୍ଜିବେର୍ଣ୍ଣା ଠାରୁ କୋରାପୁଟର ମାଲିପର୍ବତ – ବାଳଦା, ରାୟଗଡାର କାଶୀପୁର ଓ ମାଲକାନଗିରିର ମାଥିଲି ପର୍ଯ୍ୟନ୍ତ ସେମାନେ ବିଭିନ୍ନ କର୍ପୋରେଟ ବିରୁଦ୍ଧରେ ନିଜର ଅଧିକାର ପାଇଁ ଲଢେଇ କରୁଛନ୍ତି। ଯଦିଓ ତଥାକଥିତ ମୁଖ୍ଯଧାରା ସେମାନଙ୍କୁ ଏଥିଲାଗି ବିରୋଧ କରୁଛି ତଥାପି ସେଥିରେ ନିରୁତ୍ସାହିତ ନୁହନ୍ତି। ସେମାନେ ନିଜର ପ୍ରତିବାଦର ଇତିହାସ ନିଜେ ଲେଖୁଛନ୍ତି।


Saturday, January 3, 2026

ଭାରତୀୟ ଗଣମାଧ୍ୟମ କିପରି ବିକ୍ରି ହେଲା



 

ଏହା ‘ଦି କାରଭନ’ ତରଫରୁ ହାର୍ତୋଶ ସିଂହ ବଲ ଓ ସୁଶାନ୍ତ ସିଂହ ଗଣମାଧ୍ୟମର ସ୍ଥିତି ସମ୍ପର୍କରେ କରିଥିବା ଆଲୋଚନାର ଅତି ସଂକ୍ଷିପ୍ତ ଅଂଶ। ସଂପୂର୍ଣ୍ଣ ଅଂଶ Youtube ରେ ଉପଲବ୍ଧ। ଏହାକୁ ପଢିବା ସହିତ share ଓ ପତ୍ରପତ୍ରିକାରେ ପ୍ରକାଶ କରିବା ଲାଗି ଅନୁରୋଧ। – ଦେବ ରଞ୍ଜନ

 

ସାମ୍ବାଦିକତା ଭିତରେ ଏକ ଅବ୍ୟକ୍ତ ବିଶ୍ୱାସ ଅଛି ଯେ ଆମେ ଆମର ନିଜ ସହକର୍ମୀ କିମ୍ବା ବନ୍ଧୁଙ୍କ ବିଷୟରେ ରିପୋର୍ଟ କରିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା, ଆମେ ଆମର ପ୍ରାଥମିକ କର୍ତ୍ତବ୍ୟ ଭୁଲିଯାଉ: କ୍ଷମତାର ପ୍ରୟୋଗକୁ ପରୀକ୍ଷା କରିବା। ଗଣମାଧ୍ୟମ ଏବଂ ସାମ୍ବାଦିକତା ପ୍ରଚୁର ଶକ୍ତି ବ୍ୟବହାର କରନ୍ତି, ତଥାପି ଏହି ଶକ୍ତିକୁ କ୍ୱଚିତ୍ ଯାଞ୍ଚ କରାଯାଏ।

 

ସାମ୍ବାଦିକମାନଙ୍କୁ ସବୁଠି ଅନୌପଚାରିକ ଭାବରେ ଆଲୋଚନା କରାଯାଏ, କିନ୍ତୁ ଆନୁଷ୍ଠାନିକ ଭାବରେ, କେହି ସେମାନଙ୍କ ବିଷୟରେ କଥା ହେବାକୁ ଚାହାଁନ୍ତି ନାହିଁ। ସେମାନେ ପ୍ରାୟ ହିରେନ ଜୋଶୀଙ୍କ ପରି - ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ପରଦା ପଛରେ କ'ଣ ଘଟୁଛି, କିନ୍ତୁ କୌଣସି ଗଣମାଧ୍ୟମ ସଂସ୍ଥା ଖୋଲାଖୋଲି ଭାବରେ ତାଙ୍କ ବିଷୟରେ କଥା ହେବାକୁ ଚାହୁଁନାହିଁ। କାହାଣୀକୁ କିଏ ନିୟନ୍ତ୍ରଣ କରେ, ଗଣମାଧ୍ୟମ ରଣନୀତିକୁ କିଏ ନିର୍ଦ୍ଦେଶ ଦିଏ, ଏବଂ ଶକ୍ତି କିପରି କାର୍ଯ୍ୟ କରେ ସେ ବିଷୟରେ ପ୍ରଶ୍ନଗୁଡ଼ିକ ଅନୁତ୍ତରିତ ହୋଇ ରହିଛି।

(ହିରେନ ଜୋଶୀ ହେଉଛନ୍ତି ନରେନ୍ଦ୍ର ମୋଦି ଏବଂ ବିଜେପିର ନିକଟତର ଜଣେ ରାଜନୈତିକ – ଗଣମାଧ୍ୟମ ରଣନୀତିଜ୍ଞ ଯେ BJP କୁ କ୍ଷମତାରେ ପ୍ରତିଷ୍ଠିତ କରିବା ଲାଗି ପରଦା ପଛରେ ଥାଇ ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଥିଲେ। 2025 ରେ ସେ ମହାଦେବ ବେଟିଙ୍ଗ ସ୍କାଣ୍ଡଲରେ ସମ୍ପୃକ୍ତ ରହିଥିବା କାରଣରୁ ବହିଷ୍କୃତ ହୋଇଥିଲେ। ଏହି ସ୍କାଣ୍ଡଲରେ ଛତିଶଗଡର କଂଗ୍ରେସ ମୁଖ୍ୟମନ୍ତ୍ରୀ ମଧ୍ୟ ସମ୍ପୃକ୍ତ ଥିଲେ।)

 

ଭାରତ କେବେ ବି ଗଣମାଧ୍ୟମର ଗଠନକୁ ଗମ୍ଭୀରତାର ସହିତ ନେଇ, ଏ ସମ୍ପର୍କରେ ଆଇନ ପ୍ରଣୟନ କରିନାହିଁ: କିଏ ଏହାର ମାଲିକ ହେବା ଉଚିତ, କିଏ ଏହାକୁ ପାଣ୍ଠି ଯୋଗାଇବା ଉଚିତ, ସରକାର, ଘରୋଇ କ୍ଷେତ୍ର ଏବଂ ଜନସାଧାରଣ କ'ଣ ଭୂମିକା ଗ୍ରହଣ କରିବା ଉଚିତ। ଆମେ ଏହା ଧରିନେବା ଉଚିତ୍ ନୁହେଁ ଯେ ଭାରତୀୟ ସାମ୍ବାଦିକତା 2014 ପର୍ଯ୍ୟନ୍ତ ସୁସ୍ଥ ଥିଲା ଏବଂ ତା'ପରେ ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଭାରତରେ ସାମ୍ବାଦିକତା ଔପନିବେଶିକ କାଳରେ ମଧ୍ୟ ଗଭୀର ସମସ୍ୟା ମଧ୍ୟରେ ଥିଲା, ଯାହା ସ୍ୱାଧୀନତା ପରେ ଜାରି ରହିଥିଲା।

 

ଆରମ୍ଭରୁ, ବଡ଼ ବଡ଼ ବ୍ୟବସାୟ ଗୋଷ୍ଠୀ ଗଣମାଧ୍ୟମ ପ୍ରତିଷ୍ଠାନଗୁଡ଼ିକୁ ନିଜ ନିୟନ୍ତ୍ରଣକୁ  ନେଇଥିଲେ। ସେହି ସମାନ ସାମାଜିକ ଏବଂ ଉଚ୍ଚ ଜାତି ଗୋଷ୍ଠୀର ପ୍ରାଧାନ୍ୟତା ଏହି ପ୍ରତିଷ୍ଠାନ ଉପରେ ରହିଲା। ଉଦାରୀକରଣ କେବଳ ଏହି ଦୁର୍ବଳତାଗୁଡ଼ିକୁ ବିସ୍ତାର କରିଥିଲା। 2014 ପୂର୍ବରୁ ଏହା ଆପତ୍ତିଜନକ ଥିଲା, ଏବଂ 2014 ପରେ ଏହାକୁ ନିୟନ୍ତ୍ରଣ କରିବା ମୋଦୀଙ୍କ ଲାଗି ଅଧିକ ସହଜ ହୋଇଥିଲା।

 

ଏକ ଅନୁଷ୍ଠାନ ଭାବରେ ସାମ୍ବାଦିକତା ଗଣତନ୍ତ୍ର ପାଇଁ ଅତ୍ୟାବଶ୍ୟକ। ରାଜନୈତିକ ତତ୍ତ୍ୱରେ, ସାମ୍ବାଦିକତା ଚାରୋଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରେ: ଜନସାଧାରଣଙ୍କୁ ସୂଚନା ଦେବା, ବିତର୍କ ପାଇଁ ସ୍ଥାନ ପ୍ରଦାନ କରିବା, କ୍ଷମତାକୁ ଦାୟୀ କରିବା ଏବଂ ଜନସାଧାରଣଙ୍କ ଟଙ୍କା କିପରି ଖର୍ଚ୍ଚ ହେଉଛି ତାହା ତଦାରଖ କରିବା। କିନ୍ତୁ ଏହା ସମ୍ପର୍କରେ ନ୍ୟାୟପାଳିକା, ସଂସଦ, CAG କିମ୍ବା କାର୍ଯ୍ୟପାଳିକା ଭଳି ପ୍ରତିଷ୍ଠାନ ତୁଳନାରେ ବହୁତ କମ୍ ଆଲୋଚନା ହୁଏ।

 

କ୍ଷମତା ଯାହା ନିକଟରେ ରହିଛି ସେ ରାଜନୈତିକ ନେତା ହୁଅନ୍ତୁ, ବ୍ୟବସାୟୀ, ଏପରିକି କ୍ରିକେଟ ଓ ଫିଲ୍ମ ଷ୍ଟାର କାହାରିକୁ ଏପରିକି ନିଜକୁ ମଧ୍ୟ ଗଣମାଧ୍ୟମ ଛାଡିବା କଥା ନୁହେଁ।

 

ଗଣମାଧ୍ୟମର ବ୍ୟବସାୟ ସମୃଦ୍ଧ ହେଉଥିଲେ ମଧ୍ୟ, ଏଥିରେ ସାମ୍ବାଦିକତା ନିଜେ ତୀବ୍ର ଭାବରେ ହ୍ରାସ ପାଇଛି। ଆଜି ଗଣମାଧ୍ୟମରେ ବିଜ୍ଞାପନ, ଜନସମ୍ପର୍କ, ମନୋରଞ୍ଜନ ଏବଂ ସାମାଜିକ ଗଣମାଧ୍ୟମ ଅନ୍ତର୍ଭୁକ୍ତ। ତଥାପି, ସାମ୍ବାଦିକତା ଏକ ନିର୍ଦ୍ଦିଷ୍ଟ ଗଣତାନ୍ତ୍ରିକ ଅଭ୍ୟାସ - ଯାହା ସମସ୍ତ ପ୍ରକାରର କ୍ଷମତାର ସ୍ୱତଃ ବିରୋଧୀ ହେବା ଆବଶ୍ୟକ।

 

ଭାରତୀୟ ସାମ୍ବାଦିକତାର ସମସ୍ୟା ହେଲା ଯେ 2014 ପୂର୍ବରୁ ଏହା କର୍ପୋରେଟ୍ ମାଲିକାନା, ବିଜ୍ଞାପନ ଉପରେ ନିର୍ଭରଶୀଳ - ବିଶେଷକରି ସରକାରୀ ବିଜ୍ଞାପନ। ଏହି ଅର୍ଥନୈତିକ ମଡେଲ ନିଶ୍ଚିତ କରିଥିଲା ​​ଯେ ଗଣମାଧ୍ୟମ ଏହାକୁ ପାଣ୍ଠି ଯୋଗାଇଥିବା ଶକ୍ତିଗୁଡ଼ିକୁ ଆକ୍ରମଣାତ୍ମକ ଭାବରେ ପ୍ରଶ୍ନ କରିପାରିବ ନାହିଁ। ସାମ୍ବିଧାନିକ ସୁରକ୍ଷାର ଅନୁପସ୍ଥିତି ସାମ୍ବାଦିକତାକୁ ଦୁର୍ବଳ କରିଦେଇଥିଲା।

 

ସାମାଜିକ ଦୃଷ୍ଟିରୁ, ନ୍ୟୁଜରୁମ୍‌ଗୁଡ଼ିକ ଉଚ୍ଚ ଜାତିର ହିନ୍ଦୁ ପୁରୁଷଙ୍କ ଦ୍ୱାରା ପ୍ରଭାବିତ। ଧାର୍ମିକ ସଂଖ୍ୟାଲଘୁ ଏବଂ ଉପେକ୍ଷିତ ଗୋଷ୍ଠୀଗୁଡ଼ିକୁ ଏହାର ନେତୃତ୍ୱ ପଦବୀରୁ ବହୁଳ ଭାବରେ ବାଦ ଦିଆଯାଇଛି। ଉଦାରୀକରଣ ଏହି ଗଠନକୁ ପରିବର୍ତ୍ତନ କରିନଥିଲା; ବରଂ ଏହାକୁ ଆହୁରି ଉଚ୍ଚ ଜାତିର ହିନ୍ଦୁ ପୁରୁଷଙ୍କ ଅନୁକୂଳ କରିଥିଲା।

 

ସାମ୍ବାଦିକତାର ଭୂମିକା "ସେ କହିଥିଲେ" କହି କ୍ଷମତାର ସନ୍ତୁଳନ କରିବା ନୁହେଁ, ବରଂ କ୍ଷମତାକୁ ପ୍ରଶ୍ନ କରିବା, ମିଥ୍ୟାକୁ ପ୍ରକାଶ କରିବା ଏବଂ ପ୍ରସଙ୍ଗ ପ୍ରଦାନ କରିବା। ପ୍ରକଳ୍ପ ଉଦଘାଟନ କରୁଥିବା ମନ୍ତ୍ରୀମାନଙ୍କ ଖବର ରିପୋର୍ଟ କରିବା ସାମ୍ବାଦିକତା ନୁହେଁ। ପ୍ରକଳ୍ପ କାହିଁକି ବିଫଳ ହୁଏ ଏବଂ ସାଧାରଣ ଟଙ୍କା କେଉଁଠିକୁ ଯାଏ ତାହା ତଦନ୍ତ କରିବା ହେଉଛି ସମ୍ବାଦିକତା। କିନ୍ତୁ 2014 ଆଗରୁ ଗଣମାଧ୍ୟମ ଅଧିକ ଭାବରେ ମନ୍ତ୍ରୀଙ୍କ ଉଦଘାଟନର ଖବର ଉପରେ ଅଧିକ ଗୁରୁତ୍ଵ ଦେଉଥିଲା।

 

ସ୍ୱାଧୀନତା ପରେ, ରାଷ୍ଟ୍ର ନିର୍ମାଣ ନାମରେ ସାମ୍ବାଦିକତା ରାଜନୀତିର ଅତି ନିକଟତର ଥିଲା। ଏହି ନିକଟତର ହେବା ଏହାକୁ ଏହାର ସ୍ୱାଧୀନତାକୁ ଦୁର୍ବଳ କରିଥିଲା। 2014 ସୁଦ୍ଧା, ଗଣମାଧ୍ୟମର ଦୁର୍ବଳତାଗୁଡ଼ିକୁ ଅନ୍ତତଃ ପ୍ରକାଶ କରାଯାଇଥିଲା। 2014 ପରେ କିଏ କ୍ଷମତା ଧରିବ ତାହା ସ୍ପଷ୍ଟ ହେବା ପରେ ଗଣମାଧ୍ୟମ ମାଲିକାନା ଶୀଘ୍ର ସ୍ଥାନାନ୍ତରିତ ହୋଇଥିଲା।

 

ଏହି ସମୟ ମଧ୍ୟରେ, ମୋଦୀ ଅନୁଭବ କଲେ ଯେ ଗଣମାଧ୍ୟମକୁ କେବଳ ବ୍ୟବହାର ନୁହେଁ ଏହାକୁ ସମ୍ପୂର୍ଣ୍ଣ ଭାବରେ ଦଖଲ କରାଯାଇପାରିବ। ଆପଣ ବିବିସି ଡକ୍ୟୁମେଣ୍ଟାରୀ ଫିଲ୍ମ ଦେଖନ୍ତୁ। ସେଥିରେ ମୋଦିଙ୍କ ଏକ ସାକ୍ଷାତକାର ଅଛି। ସେଥିରେ ଆପଣ ତାଙ୍କ ମୁହଁ ଦେଖିବେ - ସେ ରାଗିଛନ୍ତି, ସେ ପ୍ରଶ୍ନ ପଚାରିବାକୁ ସହ୍ୟ କରିପାରୁନାହାନ୍ତି। କେହି ମୋ ସହିତ ସମାନ ଭାବରେ କଥା ହେବା ଏବଂ ପ୍ରଶ୍ନ ପଚାରିବା ସାହସ କିପରି କଲା? ଏବଂ ସେ କୁହନ୍ତି ଯେ ତାଙ୍କର ସବୁଠାରୁ ବଡ଼ ଭୁଲ କ'ଣ - ଯେ ସେ ଗୁଜୁରାଟରେ ଗଣମାଧ୍ୟମକୁ ନିୟନ୍ତ୍ରଣ କରିପାରିଲେ ନାହିଁ। ଗଣମାଧ୍ୟମର ନିୟନ୍ତ୍ରଣ ହିଁ ସେ ଚାହୁଁଥିଲେ ଏବଂ ଏହାକୁ ସେ ହାସଲ କରିବା ଉଦ୍ୟମ କରୁଥିଲେ।

 

ଆପଣ ହିନ୍ଦୁସ୍ତାନ ଟାଇମ୍ସ ଏବଂ ଇକୋନୋମିକ୍ ଟାଇମ୍ସ ଘଟଣାଗୁଡ଼ିକ ଦେଖନ୍ତୁ। ସେମାନଙ୍କୁ ନିୟନ୍ତ୍ରିତ କରିବା ଲାଗି 2017 ରେ ଯେଉଁଭଳି ସରକାରୀ ବିଜ୍ଞାପନ ଓ ସେମାନଙ୍କୁ ସରକାରୀ କାର୍ଯ୍ୟକ୍ରମରେ ବନ୍ଦ କରିଦିଆଗଲା। ଆପଣ JNUର ଘଟଣା ଦେଖନ୍ତୁ - ସେହି ନକଲି, ଡକ୍ଟରେଟେଡ୍ ଭିଡିଓଗୁଡ଼ିକ। (କହ୍ନେୟା କୁମାର ଅଧ୍ୟାୟ) ଏଥିରେ ଜୀ ଟେଲିଭିଜନର ଭୂମିକା। ଗଣମାଧ୍ୟମ ଖବର ଦେବା ପରିବର୍ତ୍ତେ ମିଥ୍ୟା ଖବର ନିର୍ମାଣରେ ଲାଗିଗଲେ। ସେମାନେ ପ୍ରଥମ ଦୁଇ ବର୍ଷ ମଧ୍ୟରେ ସରକାରଙ୍କ ଅସ୍ତ୍ର ଭାବରେ ବ୍ୟବହାର ହୋଇସାରିଥିଲେ। ଏବେ ଗଣମାଧ୍ୟମ ଏକ ସରକାରୀ ପ୍ରଚାର ଯନ୍ତ୍ରପାତି। ଆମକୁ ଏହାକୁ ମୁକାବିଲା କରିବାକୁ ପଡିବ।

 

କଳ୍ପନା କରନ୍ତୁ - ଆମେ ବର୍ତ୍ତମାନ ମୋଦୀଙ୍କ ଶାସନର ଦ୍ୱାଦଶ ବର୍ଷରେ ଅଛୁ। ତେଣୁ ଯେଉଁମାନେ ହୁଏତ ଆଠ କିମ୍ବା ନଅ କିମ୍ବା ଦଶ ବର୍ଷ ବୟସର ଥିଲେ - ସେମାନେ ଏବେ ଉନବିଂଶ କିମ୍ବା କୋଡ଼ିଏ ବର୍ଷ ବୟସର ହେବେ। ଯେଉଁ ଲୋକମାନେ ପ୍ରାପ୍ତବୟସ୍କ ସେମାନେ ମଧ୍ୟ ବର୍ତ୍ତମାନର ଗଣମାଧ୍ୟମ, ଏହି ପ୍ରକାରର ପ୍ରତିଷ୍ଠାନର କାର୍ଯ୍ୟ ଦେଖି ବୁଝିପାରନ୍ତି ନାହିଁ ଯେ ଗଣତାନ୍ତ୍ରିକ ଗଣମାଧ୍ୟମ କ'ଣ ହେବା ଉଚିତ, ଏହା କିପରି କାର୍ଯ୍ୟ କରିବା ଉଚିତ, କିମ୍ବା ଏକ ଗଣତାନ୍ତ୍ରିକ ଗଣମାଧ୍ୟମର ଆକାଂକ୍ଷା କ'ଣ ହେବା ଉଚିତ। ବିଶେଷକରି ଯେତେବେଳେ ଏକ ସ୍ୱେଚ୍ଛାଚାରୀ ଶାସନ ନିଜକୁ ଅତ୍ୟନ୍ତ ଲୋକପ୍ରିୟ ଭାବରେ ପ୍ରମାଣ କରୁଛି ଓ ହିନ୍ଦୁ – ରାଷ୍ଟ୍ରବାଦୀର ଭୂମିକା ନେଇ ଶାସନ କରୁଛି ସେତେବେଳେ ଗଣତାନ୍ତ୍ରିକ - ଗଣମାଧ୍ୟମ ଉପରେ ବୋଝ ଅଧିକ ବଢିଯାଇଛି।

 

ଏବଂ, ଆପଣ ଜାଣନ୍ତି, ଆମେ ଆମେରିକାରେ ଯାହା ଦେଖୁଛୁ - ସେମାନେ ନିରନ୍ତର ଦି ନ୍ୟୁୟର୍କ ଟାଇମ୍ସକୁ ପ୍ରଶ୍ନ କରୁଛନ୍ତି, ସେମାନେ ନିରନ୍ତର ଦି ୱାଶିଂଟନ୍ ପୋଷ୍ଟକୁ ପ୍ରଶ୍ନ କରୁଛନ୍ତି। ଏଠାରେ, ଆପଣ ଖବରକାଗଜକୁ ପ୍ରଶ୍ନ କରୁଥିବା ଲୋକଙ୍କୁ ପାଇପାରିବେ ନାହିଁ, ଏବଂ ସମ୍ପାଦକମାନଙ୍କୁ ପ୍ରାୟତଃ ଏକ ମୁକ୍ତ ପାସ୍ ଦିଆଯାଇଛି। ଏବଂ ଏହି ଉପାୟରେ ଆପଣ ସାମ୍ବାଦିକତାକୁ ଉନ୍ନତ କରିପାରିବେ ନାହିଁ, କିମ୍ବା ଆପଣ ଏହି ଦେଶରେ ଗଣତନ୍ତ୍ରକୁ ଉନ୍ନତ କରିପାରିବେ ନାହିଁ।

 

ଲୋକମାନଙ୍କୁ, କୌଣସି ପ୍ରକାରେ, କିଛି ସ୍ୱର ରଖିବାକୁ ପଡିବ ଯେଉଁମାନେ ସାମ୍ବାଦିକଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇବେ, ସମ୍ପାଦକଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇବେ, ଏବଂ ପ୍ରକୃତରେ ପ୍ରଶ୍ନ ପଚାରିବେ ଯେ: ଆପଣ କ'ଣ ଆପଣଙ୍କର କାମ କରୁଛନ୍ତି? ଏହି ଦେଶକୁ ସେମାନେ ନେଉଥିବା ଭୂମିକା ଆବଶ୍ୟକ କି? ଏହା ହେଉଛି ଆମର ଗଣମାଧ୍ୟମର ପ୍ରସଙ୍ଗ।

 

ଆମେ ଦକ୍ଷିଣପନ୍ଥୀ ବ୍ୟକ୍ତିତ୍ୱ - ରଜତ ଶର୍ମା ଏବଂ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଦେଖିଛୁ। ଆମେ ଶେଖର ଗୁପ୍ତା ଭଳି ଲୋକଙ୍କୁ ଦେଖିଛୁ। ଆମେ ଏଥର, ରାଜଦୀପଙ୍କୁ ଦେଖିଛୁ। ତେଣୁ, ଦେଖନ୍ତୁ, ଆମେ ଏହି ଆବଶ୍ୟକତା କାହିଁକି ଅଛି ତାହା ବ୍ୟାଖ୍ୟା କରିଛୁ ବୋଲି ଆମେ ଜାରି ରଖିଛୁ। ରାଜଦୀପ ସରଦେଶାଇ ତାଙ୍କ କୋଡ଼ିଏ ଗୁଣ ଦରମା ପାଉଛନ୍ତି, ଯାହା ହୁଏତ ଗୋଟିଏ ବର୍ଷ ପାଇଁ ସମସ୍ତ କାରାଭାନ୍ ଚଲାଇବା ପାଇଁ ଯଥେଷ୍ଟ।

କିନ୍ତୁ ଯଦି ଆମେ ରାଜଦୀପ ସରଦେଶାଇଙ୍କ ଉପରେ ଏକ କାହାଣୀ କରିବା, ତେବେ ଏହା ପ୍ରଶ୍ନ ନୁହେଁ - କାହିଁକି ରାଜଦୀପ ସରଦେଶାଇ "ସେ କୁହନ୍ତି, ସେ କୁହନ୍ତି" ଏପରି କଥା କହି ଏତେ ଟଙ୍କା ରୋଜଗାର କରୁଛନ୍ତି। ହୁଏତ ଲୋକମାନେ ଜାଣି ନାହାଁନ୍ତି ଯେ କାରାଭାନ୍ କେତେ କମ୍ ଟଙ୍କା ରୋଜଗାର କରେ। ଏବଂ କାରାଭାନ୍ ରେ କାମ କରୁଥିବା କିଛି ଲୋକ ପ୍ରକୃତରେ ଆଗ୍ରହ ରେ କାମ କରନ୍ତି, ଟଙ୍କା ରୋଜଗାର କରିବା ପାଇଁ ନୁହେଁ।

 

ରିପୋର୍ଟର ଖଣ୍ଡଗୁଡ଼ିକ "ସେ କୁହନ୍ତି” ଯାହା ରାଜାଦୀପ କରୁଛନ୍ତି ସେଭଳି କହିବା ଗଣମାଧ୍ୟମର କାମ ନୁହେଁ। ବରଂ କ'ଣ ଭୁଲ, କ'ଣ ତଥ୍ୟପୂର୍ଣ୍ଣ ନୁହେଁ, କ'ଣ ଘୃଣା, କ'ଣ ଭୟଙ୍କର, ଏହା ଗଣମାଧ୍ୟମର ପ୍ରସଙ୍ଗ। ଏସବୁ ଆବଶ୍ୟକ। ଆଜିର ସମୟରେ ନିରପେକ୍ଷ ଦେଖାଯାଉଥିବା ବ୍ୟକ୍ତି ଯାହା ପ୍ରକୃତରେ ନୁହେଁ ତାଙ୍କୁ ପ୍ରଶ୍ନ କରିବା। ତୁମେ ଦେଖ, ଯଦି ତାଙ୍କ କାର୍ଯ୍ୟ ନିନ୍ଦନୀୟ ତେବେ ଏ ସମ୍ପର୍କରେ ଅଧିକ ଆଲୋଚନା ଆବଶ୍ୟକ।

 

ମୁଁ କହିବାକୁ ଚାହୁଁଛି ଯେ ଆମେ ନାଜି ଜର୍ମାନୀର ନିକଟତର ହେଉଛୁ – ଏହାର କିଛି ଲକ୍ଷଣ ଏବଂ ପ୍ରତୀକ ଅଛି ଯାହା ବାରମ୍ବାର ପ୍ରତିଫଳିତ ହେଉଛି। କିନ୍ତୁ ଏପରି ସମୟରେ ଆପଣ କହିବେ ନାହିଁ ଯେ, "ଓଃ, ବିରୋଧୀ ଏହା କହୁଛନ୍ତି," "ଓଃ, କର୍ମୀମାନେ ଏହା କହୁଛନ୍ତି," ଏବଂ "ସରକାର ଏହା କହୁଛି"। ବରଂ ଗଣତାନ୍ତ୍ରିକ ଗଣମାଧ୍ୟମ ଭାବରେ କ୍ଷମତା ଯେଉଁଠି ଠୁଳ ହୋଇଛି ତାହାକୁ ଆପଣ ପ୍ରଶ୍ନ କରିବେ। ଏହି ଭୂମିକା ସାମ୍ବାଦିକଙ୍କୁ ଯେମିତି କରିବାକୁ ହେବ ସାଧାରଣ ଲୋକଙ୍କୁ ମଧ୍ୟ କିଛି ଦାୟିତ୍ଵ ନେବାକୁ ହେବ। ସେମାନେ ଗଣମାଧ୍ୟମକୁ ପ୍ରଶ୍ନ କରିବା ଆବଶ୍ୟକ।

 

 

 

 

 

 

 

 

 

 

 

 

 

 

 

 

Thursday, December 11, 2025

ହାୱଡାରୁ ବାଲେଶ୍ଵର ପହଞ୍ଚିବାକୁ ଲାଗିଗଲା ନଅ ବର୍ଷ ଏକ ମାସ ଏଗାର ଦିନ

ଦେବ ରଞ୍ଜନ

ସୁରୁ ବିନ୍ଧାଣିଙ୍କୁ ହାୱଡା ସହରରୁ ଆସି ନିଜ ଜନ୍ମକ୍ଷେତ୍ର ବାଲେଶ୍ଵରରେ ପହଞ୍ଚିବା ପାଇଁ ଲାଗିଯାଇଥିଲା ୯ ବର୍ଷ ୧ ମାସ ୧୧ ଦିନ। ଅଥଚ ଦୁଇ ସହର ମଧ୍ୟରେ ଦୂରତା ହେଉଛି ମାତ୍ର ୨୫୦ କିଲୋମିଟର। ସୁରୁଙ୍କ ପରିବାରର ସଦସ୍ୟଙ୍କ ଲଗାତର ଉଦ୍ୟମ ଓ ଅନେକ ରାଜନୈତିକ କର୍ମୀଙ୍କ ଭୂମିକା ସତ୍ବେ ଯଦି ଜଣେ ମହିଳାଙ୍କୁ ନିଜର ଘର ଲୋକଙ୍କ ପାଖରେ ପହଞ୍ଚିବାକୁ ଲାଗି ଯାଏ ଅନ୍ଯୁନ ୧୦ ବର୍ଷ ତେବେ ସେଭଳି ସୁବିଧା ପାଇପାରୁନଥିବା ଅନ୍ତେବାସୀଙ୍କ ଲାଗି ଘରେ ପହଞ୍ଚିବା ପାଇଁ କେତେ ଯେ ବର୍ଷ ଲାଗିଯାଉନଥିବା! ହୁଏତ ସେ ପହଞ୍ଚୁ ନଥାଇ ପାରନ୍ତି ମଧ୍ୟ।

ସୁରୁ ୨୦୧୬ ମସିହା ଜାନୁଆରୀ ମାସରେ ହାୱଡା ସହରରେ ଶ୍ରମିକ ଭାବରେ କାମ କରିବା ଲାଗି ସ୍ଵାମୀ ଓ ଗ୍ରାମବାସୀଙ୍କ ସହିତ ପହଞ୍ଚିଥିଲେ। ଏହା ସେହି ବର୍ଷ ଯେଉଁଥର ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ଘୋଷଣା କରିଥିଲେ ଓ ଦେଶବାସୀଙ୍କୁ ଆଶ୍ଵାସନା ଦେଇଥିଲେ ଯେ ଏହାପରେ ଦୁର୍ନୀତି ସଂପୂର୍ଣ୍ଣ ବନ୍ଦ ହୋଇଯିବ ଓ ଲୋକଙ୍କ ଆୟରେ ଉନ୍ନତି ଘଟିବ।

ସ୍ବାମୀଙ୍କ ସହିତ କିଛି ମନାନ୍ତର ହେବା ହେତୁ ସୁରୁ ରାଗି ଯାଇ କାମ କରୁଥିବା ସ୍ଥାନରୁ କିଛି ଦୂର ଯେ ସେ ଚାଲିଯାଇଥିଲେ ଏହାପରେ ନିଜ ଜାଗାକୁ ଫେରିପାରିଲେ ନାହିଁ। ଭାଷା ମୁଖ୍ୟ ଅସୁବିଧା ଥିଲା। ସେ ସମୟରେ ତାଙ୍କର ବୟସ ଥିଲା ୨୫ ବର୍ଷ। ହାୱଡା ପୋଲିସ ଫେବୃଆରୀ ୦୬, ୨୦୧୬ ଦିନ ତାଙ୍କୁ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରୁ ପାଇ ହୁଗୁଳିର ସବ-ଡିଭିଜିନାଲ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଇଥିଲେ। ମାଜିଷ୍ଟ୍ରେଟ ସୁରୁଙ୍କୁ ସରକାରୀ – ବେସରକାରୀ ଅଂଶୀଦାରରେ ଚାଲୁଥିବା ଅସ୍ଥାୟୀ “ସୁଧାର ଗୃହ”କୁ ପଠାଇଦେଇଥିଲେ। ମାଜିଷ୍ଟ୍ରେଟ ଯଦିଓ ନିର୍ଦ୍ଦେଶ ଦେଇଥିଲେ ଯେ ଯଥାଶୀଘ୍ର (କିନ୍ତୁ କେତେ ଦିନ ମଧ୍ୟରେ ତାହା ଉଲ୍ଲେଖ ନଥିଲା) ତାଙ୍କୁ ତାଙ୍କ ଜିଲ୍ଲାକୁ ପଠାଇ ଦିଆଯିବ କିନ୍ତୁ ତାହା କାର୍ଯ୍ୟକାରୀ ହୋଇନଥିଲା।

ସୁରୁଙ୍କ ଲାଗି ସବୁ କିଛି ଯାନ୍ତ୍ରିକ ଢଙ୍ଗରେ ଚାଲିଥିଲା। ଅନ୍ୟ ରାଜ୍ୟର ଭାଷା ଜାଣିନଥିବା, କୌଣସି ରାଜନୈତିକ ପ୍ରଭାବ ରଖୁନଥିବା ଓ ଅର୍ଥବଳ ନଥିବା କୌଣସି ମହିଳାଙ୍କ ଲାଗି ସେହି ଅସ୍ଥାୟୀ ଗୃହ ସ୍ଥାୟୀ ଗୃହରେ ପରିଣତ ହୋଇଯାଏ ଯାହା ସୁରୁଙ୍କ ଲାଗି ହୋଇଯାଇଥିଲା। ସୁରୁଙ୍କୁ ସୁଧାର ଗୃହରୁ ବାହାରକୁ ଆସିବାକୁ ହେଲେ ବି ମାଜିଷ୍ଟ୍ରେଟଙ୍କ ଅନୁମତିର ଆବଶ୍ୟକ ହେଉଥିଲା। ତାହା ହିଁ ବ୍ୟବସ୍ଥା ଥିଲା।

ପ୍ରତ୍ଯେକ ମଣିଷର ସମ୍ମାନର ସହିତ ବଞ୍ଚିବାର ଅଧିକାର ରହିଥିବା ହେତୁ (ଧାରା ୨୧) ପ୍ରତ୍ଯେକ ରାଜ୍ୟ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଏକ ସୁଧାର ଗୃହ ନିର୍ମାଣ କରିବା ଲାଗି ବାଧ୍ୟ ଓ ସେଥିରେ ମହିଳାଙ୍କ ଲାଗି ଅଲଗା କକ୍ଷ, ସ୍ଵତନ୍ତ୍ର ସୁବିଧା ରହିବ ସୁପ୍ରିମ କୋର୍ଟ ୨୦୧୦ ମସିହାରେ ପିୟୁସିଏଲ ବନାମ ଭାରତ ସରକାର ମାମଲାରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୋର୍ଟ ଏହାର ଅନ୍ତେବାସୀଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନଙ୍କ ଘରକୁ ପଠାଇଦିଆଯିବାକୁ ନେଇ କୌଣସି ନିର୍ଦ୍ଦେଶାବାଳୀ ଦେଇନଥିଲେ।  

ସୁଧାର ଗୃହର ସରକାରୀ ବ୍ୟବସ୍ଥା ହେଉଛି ଯେ ଏଠାରେ ପ୍ରତ୍ଯେକ ରାଜ୍ୟ ସରକାର ପ୍ରତି ଅନ୍ତେବାସୀଙ୍କ ଦୈନିକ ମୁଣ୍ଡପିଛା ଖାଦ୍ୟ ଓ ବାସସ୍ଥାନ ପାଇଁ କିଛି ଅର୍ଥ ଉକ୍ତ ସ୍ଵେଚ୍ଛାସେବୀ ସଂଗଠନକୁ ଦେଇଥାନ୍ତି। ସେହି ଏନଜିଓ ଉକ୍ତ ସୁଧାର ଗୃହର ପରିଚାଳନା କରିଥାନ୍ତି। କିନ୍ତୁ ଚବିଶ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଏଥିରେ ରହିଥାଏ ଠିକ ଜେଲ ଭଳି। 

୨୦୧୮ ମସିହାରେ ମୋର ଜଣେ କଲିକତା ନିବାସୀ ବନ୍ଧୁ, ଯେ କି ଉକ୍ତ ସୁଧାର ଗୃହରେ ଅସ୍ଥାୟୀ କର୍ମଚାରୀ ଭାବରେ କାର୍ଯ୍ୟ କରୁଥିଲେ ସେ ଫୋନ କରି ସୁରୁଙ୍କ ସମ୍ପର୍କରେ ମୋତେ କହିଥିଲେ। ସେ ନିଜର ମାନବିକତା ଦେଖାଇଥିଲେ। ଆମେ ଦୁଇ ଜଣ ବନ୍ଧୁ ବାଲେଶ୍ଵର ଓ ମୟୂରଭଞ୍ଜ ଜିଲ୍ଲା ସୀମାରେ ଥିବା ବଇଶିଙ୍ଗା ପଞ୍ଚାୟତରେ ପହଞ୍ଚିଥିଲୁ ଓ ଅନେକ ଚେଷ୍ଟା ପରେ ସୁରୁଙ୍କ ଘର ଆମେ ପାଇଥିଲୁ। ତାଙ୍କର ପରିବାର ଭୂମିହୀନ ଶ୍ରମିକ। ସରକାରୀ ଜାଗା ଉପରେ ଚାଳ ଘର କରି ରହୁଛନ୍ତି। ସୁରୁ ନିରୁଦ୍ଦିଷ୍ଟ ହେବା ପରେ ତିନୋଟି ପିଲା ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି। ଛୋଟ ଛୋଟ ପିଲାମାନେ ଶ୍ରମିକ ପାଲଟିଯାଇଛନ୍ତି। ଅଞ୍ଚଳର ସରପଞ୍ଚ ଏକ ଚିଠି ଲେଖି ମାଜିଷ୍ଟ୍ରେଟଙ୍କୁ ଅନୁରୋଧ କରିଥିଲେ ଯେ ସୁରୁଙ୍କୁ ଶୀଘ୍ର ଫେରାଇ ଦିଆଯାଉ।

ଦେଶର ଆଇନ କୌଣସି ମାନବିକତା ରଖେ ନାହିଁ। ଏହା କେବଳ ଏକ ନିର୍ଦ୍ଦେଶ ଭାବରେ ଉଚ୍ଚ ଅଧିକାରୀଙ୍କ ନିକଟରୁ ନିମ୍ନ ଓ ତାଙ୍କ ଠାରୁ ଆହୁରି ନିମ୍ନକୁ ପାଣି ଭଳି ବୋହିଚାଲେ। ଏଥିରେ ଉତ୍ତରଦାୟିତ୍ଵ ବୋଧ କହିଲେ କେବଳ ନିଜ ଠାରୁ ଉଚ୍ଚ ଅଧିକାରୀଙ୍କ ପ୍ରଶ୍ନ ବ୍ଯତୀତ (କାରଣ ସେ ସିସିଆର ଲେଖିବେ) ଆଉ କିଛି ନଥାଏ। ଯଦିଓ କୋର୍ଟଙ୍କର ସେହି କ୍ଷମତା ରହିଛି ଯେ ସେ ପ୍ରଶ୍ନ କରିପାରିବେ କିନ୍ତୁ ସମସ୍ତଙ୍କ ଲାଗି କୋର୍ଟକୁ ଯିବା ମଧ୍ୟ ସହଜ ହୁଏ ନାହିଁ।

ସରକାର ଆୟକର ସୀମା ଧାର୍ଯ୍ୟ କରିବା ଭଳି ସରକାରୀ ପ୍ରଶାସନ ମଧ୍ୟ ବ୍ୟକ୍ତିମାନଙ୍କ ଆୟକୁ ନେଇ ସୀମା ତିଆରି କରିଛି ଯେ ସେ କେଉଁ ଆୟର ବ୍ୟକ୍ତିଙ୍କୁ କେତେ ପରିମାଣରେ ଗୁରୁତ୍ଵ ଦେବ, ତାହା ଠାରୁ ନିମ୍ନରେ ଥିବା ମଣିଷ ଯେ ସମ୍ମାନର ସହିତ ବଞ୍ଚିବାର ଅଧିକାର ରଖୁଛି ତାହାକୁ ସେ ନିଜ ବ୍ୟବହାରରେ ସ୍ଵୀକାର କରିବ ନାହିଁ। ଆମର ରିପୋର୍ଟ, ସରପଞ୍ଚଙ୍କ ଚିଠି ଓ ସୁରୁଙ୍କ ଘର ଲୋକଙ୍କ ପରିଚୟ ପତ୍ର (ଯାହା ମୁଁ ସଂଗ୍ରହ କରି ପଠାଇଥିଲି) ତାଙ୍କୁ ପଶ୍ଚିମ ବଙ୍ଗରୁ ଓଡିଶା ଆଣିବା ଯଥେଷ୍ଟ ହେଲା ନାହିଁ।   

ବଇଶିଙ୍ଗା ସରପଞ୍ଚଙ୍କ ଚିଠି ଓ ପରିଚୟ ପତ୍ର ଯଥେଷ୍ଟ ନହେବା ହେତୁ ସୁରୁଙ୍କ ପୁଅ ବ୍ୟକ୍ତିଗତ ଭାବରେ ତିନି ଥର ଯାଇ ମା’ଙ୍କୁ ଭେଟିବା ସହିତ ସେ ସମୟରେ ଦାୟିତ୍ଵ ଥିବା ଏସଡ଼ିଏମଙ୍କୁ ଭେଟିଥିଲେ (ସେହି ବନ୍ଧୁଙ୍କ ସହଯୋଗରେ) ଓ ମା’ଙ୍କୁ ନିଜେ ନେବା ଲାଗି ଆସିଥିବା କଥା ଉଲ୍ଲେଖ କଲେ। ସୁରୁ ମଧ୍ୟ ନିଜ ପୁଅ ସହିତ ଯିବା ଲାଗି ଆଗ୍ରହୀ ଥିଲେ। କିନ୍ତୁ “ସୁରୁ ଅସୁସ୍ଥ” କାରଣ ଦର୍ଶାଇ ପ୍ରତି ଥର ପୁଅଙ୍କୁ ଫେରାଇ ଦିଆଯାଉଥିଲା।

ଏହାପରେ ସୁଧାର ଗୃହର ମାଲିକ ମୋର ବନ୍ଧୁଙ୍କୁ ସୁରୁଙ୍କ ପ୍ରସଙ୍ଗରେ ଅଧିକ ଉତ୍ସାହ ଦେଖି ଚାକିରିରୁ ବହିଷ୍କାର କରିଦେଲେ।

କଲିକତାରେ ଅବସ୍ଥିତ ମାନବିକ ଅଧିକାର ସଂଗଠନ ଏପିଡିଆରର କିଛି ସଦସ୍ୟ ହୁଗୁଳି ଜିଲ୍ଲା ମଙ୍ଗଳ ଅଧିକାରୀ, ଏସଡ଼ିଏମ ଓ ସୁଧାର ଗୃହର ମୁଖ୍ୟଙ୍କୁ ଭେଟିଥିଲେ। ସେମାନଙ୍କୁ କୁହାଗଲା ଯେ ଓଡିଶାର ସମାଜ ମଙ୍ଗଳ ବିଭାଗର ପ୍ରିନ୍ସିପାଲ ସଚୀବଙ୍କୁ ଭେଟିଲେ ପ୍ରତ୍ୟର୍ପଣ ସହଜ ହେବ। ହଁ, ସେମାନଙ୍କ ଭାଷାରେ ଏହା ପ୍ରତ୍ୟର୍ପଣ ଥିଲା ଯଦିଓ ସୁରୁ ନା କୌଣସି ଅପରାଧୀ ଥିଲେ ନା ସେ ଆନ୍ତର୍ଜାତିକ ସୀମା ଅତିକ୍ରମ କରିଥିଲେ।

ସୁରୁଙ୍କ ପୁଅ ବାଲେଶ୍ଵରର ଏକ ଗଣତାନ୍ତ୍ରିକ ଅଧିକାର ସଂଗଠନ ‘ଗାସ’ର ସଦସ୍ୟଙ୍କ ସାହାଯ୍ୟରେ ବାଲେଶ୍ଵରର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଲିଖିତ ଅଭିଯୋଗ ଦେଲେ ଓ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆଣିଥିଲେ। ଏହାପରେ କିଛି ଅଧିକାରୀ ସୁରୁଙ୍କ ସ୍ଵାମୀଙ୍କୁ ବାଲେଶ୍ଵର ସହରରେ ଭେଟିଥିଲେ। ମାମଲା ସେହିଠାରେ ପୁଣି ଚୁପ ରହିଗଲା। (ସୁରୁଙ୍କ ସ୍ଵାମୀ ଦୀର୍ଘ ବର୍ଷ ବାଲେଶ୍ଵରର ସଦର ବ୍ଲକ ଅଞ୍ଚଳରେ ରହୁଛନ୍ତି।)

ଓଡିଆ ଖବରକାଗଜରେ ଏହି ଖବର ପ୍ରକାଶିତ ହେଲା ମାତ୍ର ତାହା କିଛି ପ୍ରଭାବ ପକାଇଲା ନାହିଁ।

ଏହି ଲେଖକ ଏହାପରେ ହୁଗୁଳି ଜିଲ୍ଲାପାଳଙ୍କୁ ଚିଠି ଲେଖିଲା। ତାହାର ଉତ୍ତର ମଧ୍ୟ ଆସିଲା ନାହିଁ।

ଏହି ଲେଖକ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା। ହୁଏତ ଗହଳି ଭିତରେ ତାହା ମଧ୍ୟ କୌଣସି ଉତ୍ତର ଆଣିଲା ନାହିଁ।

ଏହା କେବଳ ପଶ୍ଚିମ ବଙ୍ଗର ସ୍ଥିତି ନୁହେଁ। ଏହା ଓଡିଶାର ମଧ୍ୟ ସ୍ଥିତି। ଏହା ସମଗ୍ର ଦେଶର ସ୍ଥିତି। ଏହା ହିଁ ବ୍ୟବସ୍ଥା।

ସାଧାରଣ ମଣିଷ ଲାଗି ସରକାର ଓ ସରକାରୀ ବ୍ୟବସ୍ଥାର ଉତ୍ତରଦାୟିତ୍ଵ ବୋଧ ଶୂନ।

ହର୍ଷ ମନ୍ଦରଙ୍କ ଦ୍ଵାରା ଲିଖିତ ଓ ଚିତ୍ତରଞ୍ଜନ ଦାସଙ୍କ ଦ୍ଵାରା ଅନୁବାଦୀତ “କେହି ଶୁଣିନାହାନ୍ତି” ପୁସ୍ତକରେ ଲେଖକ ଭାରତର ବିଭିନ୍ନ ପ୍ରାନ୍ତରେ ସାଧାରଣ ମଣିଷର ସମସ୍ଯାକୁ ନେଇ ତାଙ୍କର ରହିଥିବା ପ୍ରତ୍ଯକ୍ଷ ଅନୁଭୂତିର ଯେଉଁ ବର୍ଣ୍ଣନା କରିଛନ୍ତି ତାହା ସୁରୁ ବିନ୍ଧାଣିଙ୍କ ଠାରୁ ଆଦୌ ଭିନ୍ନ ନୁହେଁ। ଛତିଶଗଡରେ

ଆଦିବାସୀ ଯୁବକ ଜଗତ ଗଣ୍ଡର ଜମି ବାବୁଲାଲ ଯୋଶୀ ଅକ୍ତିଆର କରିବା ହେତୁ ତାହାର ଜମି ଫେରି ପାଇବାର ଲଢେଇ ହେଉ ଅଥବା ରାଜସ୍ଥାନର ବନୱାରୀଙ୍କର ବାଳିକା ବିବାହକୁ ବିରୋଧ କରିବା ହେତୁ ଧର୍ଷଣର ଶିକାର ହେବା ପରେ ନ୍ୟାୟ ପାଇଁ ଲଢେଇ ହେଉ ଅଥବା ଦିଲ୍ଲୀରେ ସବୀରର ଅନୁଭୂତି ହେଉ ସବୁ କିଛି ବର୍ଣ୍ଣନା କରୁଛି ପ୍ରଶାସନର ନିର୍ଦ୍ଦୟ ପଣକୁ।

ଏହି ଲେଖକ ବିଳମ୍ବରେ ଜାତୀୟ ମାନବିକ ଅଧିକାର କମିଶନଙ୍କ (ଏନଏଚଆରସି) ଦୃଷ୍ଟିକୁ ଆଣିଲା। ସେଥିରେ ମୁଁ ହୁଗୁଳି ଜିଲ୍ଲାପାଳଙ୍କୁ ମଧ୍ୟ ପକ୍ଷଭୁକ୍ତ କରିଥିଲି।  ଏନଏଚଆରସି ମାମଲାକୁ ପଞ୍ଜୀକୃତ କରି ଜିଲ୍ଲାପାଳ ଓ ପଶ୍ଚିମ ବଙ୍ଗର ବିଭିନ୍ନ ସଚୀବଙ୍କୁ ନୋଟିସ କଲେ। ସେ ଏହାର ଉତ୍ତର ଲାଗି ଏକ ସମୟ ସୀମା ରଖିଥିଲେ ଯାହା ସମସ୍ତ ମାମଲା ହୋଇଥାଏ।  

ଫେବୃଆରୀ ୦୬, ୨୦୧୬ ରୁ ହାୱଡାରୁ ଅନ୍ତର୍ଦ୍ଧାନ ହୋଇଥିବା ସୁରୁ ବିନ୍ଧାଣି ପୁଣି ନିଜ ପରିବାର ସଦସ୍ୟଙ୍କ ନିକଟରେ ମାର୍ଚ୍ଚ ୧୮, ୨୦୨୫ ରେ ପହଞ୍ଚିଥିଲେ। ଉଭୟ ତାରିଖ ମଧ୍ୟରେ ବ୍ଯବଧାନ ହେଉଛି ୯ ବର୍ଷ ୧ ମାସ ୧୧ ଦିନ। ଏହା ସ୍ଵତଃ ଘଟିନଥିଲା ଯାହା ଘଟିବା ଆବଶ୍ୟକ ଥିଲା।

ନିରୁଦ୍ଦିଷ୍ଟ ମଣିଷ ପୁଣି ମିଳିବା ପରେ ସୁଧାର ଗୃହରେ ରହିବା ଏକ ଉତ୍ତମ ପଦକ୍ଷେପ। କିନ୍ତୁ ତାହାର ପରିବାରକୁ ସୂଚନା ଦେବା ଓ ଯଦି ପରିବାର ସଦସ୍ୟ ଆଗ୍ରହୀ ତେବେ ତୁରନ୍ତ “ପ୍ରତ୍ୟର୍ପଣ” କରିବା ମଧ୍ୟ ସରକାରୀ ଅଧିକାରୀଙ୍କ ଦାୟିତ୍ଵ। ଏହା ମାନବିକତାର ପ୍ରସଙ୍ଗ। ସବୁ ବିଷୟରେ ସରକାରୀ ନିର୍ଦ୍ଦେଶାବଳୀର ଆବଶ୍ୟକତା ନାହିଁ।

କିନ୍ତୁ ପ୍ରଶାସନର ମାନସିକତାରେ ପରିବର୍ତ୍ତନ ହେଉ ନାହିଁ। ଏହି ପରିବର୍ତ୍ତନ ନହେବା ହିଁ ସରକାରୀ ବ୍ୟବସ୍ଥା। ଏହି ବ୍ୟବସ୍ଥା ହିଁ ଦୁଇଟି ଶ୍ରେଣୀରେ ବିଭାଜିତ କରୁଛି: ପ୍ରଭାବଶାଳୀ ଓ ପ୍ରଭାବବିହୀନ ଗୋଷ୍ଠୀ। ଏହା ରାଜନୈତିକ ପ୍ରଭାବ ରଖୁଥିବା ଓ ଅର୍ଥବଳ ରଖୁଥିବା ବ୍ୟକ୍ତିଙ୍କୁ ଆଇନରେ ଉର୍ଦ୍ଧ୍ଵରେ ଯାଇ ସୁବିଧା ପାଇବାର ସୁଯୋଗ ରଖୁଛି। ଅନ୍ୟପଟରେ, ଅନେକ ସୁରୁ, ସବୀର, ଜଗତ ଗଣ୍ଡ ଏ ଦେଶରେ ପ୍ରଶାସନିକ ନିର୍ଦ୍ଦୟପଣର ଶିକାର ହେଉଛନ୍ତି।

ବ୍ୟବସ୍ଥାର କୌଣସି ପରିବର୍ତ୍ତନ ହେଉନାହିଁ। ନିଜର ମାନବିକତା ଦର୍ଶାଇବା ହେତୁ ମୋର ବନ୍ଧୁ ଏହି କାରଣରୁ ବଳି ପଡିଗଲେ। ସୁରୁ ନିଜ ପରିବାର ପାଖରେ ଅନ୍ତତଃ ପହଞ୍ଚିପାରିଲେ କିନ୍ତୁ ସେ ଚାକିରି ପାଇଲେ ନାହିଁ।  ସରକାର ଅର୍ଥ ଦେଇ ବେସରକାରୀ ଅନୁଷ୍ଠାନ ସାହାଯ୍ୟରେ ନିଜର କାର୍ଯ୍ୟ କରିଥାନ୍ତି। କିନ୍ତୁ ସେହି କାର୍ଯ୍ୟ କରୁଥିବା କର୍ମଚାରୀର ସାମାଜିକ ଓ ଆର୍ଥିକ ସୁରକ୍ଷା ଦେଖିବା ସରକାରୀ ଦାୟିତ୍ଵ ହେଉନାହିଁ। ଏହା ମଧ୍ୟ ସରକାରଙ୍କ ନିଷ୍ଠାକୁ ବର୍ଣ୍ଣନା କରୁଛି।  


Saturday, December 6, 2025

ଘର, ସମ୍ବନ୍ଧ ଓ ମୂଲ୍ୟବୋଧ: ଏକ ନିରବ ମଣିଷର ଯାତ୍ରା


                                                 

                                                                                         ଦେବ ରଞ୍ଜନ

ତାମିଲନାଡୁର କୁମ୍ଭକୋନମ ନାମରେ ଏକ ସହର ରହିଛି। ଏହି ସହରର ଐରାବତେଶ୍ଵର ମନ୍ଦିରର କାରୁକାର୍ଯ୍ୟ ବହୁତ ସୁନ୍ଦର। କୋଣାର୍କ ମନ୍ଦିରର କାରୁକାର୍ଯ୍ୟ ସହିତ ସାମଞ୍ଜସ୍ଯ ରହିଥିବା ମନେହୁଏ। ଉଭୟଙ୍କ ଗଢାଣ ସମୟ ମଧ୍ୟ ସମାନ – ଦ୍ଵାଦଶ ଶତାବ୍ଦୀ। ଐରାବତେଶ୍ଵର ମନ୍ଦିର ରାଜା ଦ୍ଵିତୀୟ ଚୋଳଙ୍କ ଦ୍ଵାରା ତିଆରି । ୟୁନେସ୍କୋ ହେରିଟେଜ ତାଲିକାରେ ଏହା ଆସୁଛି। ଏକଦା ଏହି ଅଞ୍ଚଳରେ କିନ୍ତୁ ଅନେକ ବୌଦ୍ଧସ୍ତୂପ ଥିବା ଇତିହାସ କହୁଛି। ଗଲା ବର୍ଷ ସେହି ମନ୍ଦିରର  କାରୁକାର୍ଯ୍ୟ ଦେଖି ମୁଁ ଫେରିଆସିଥିଲି ବସଷ୍ଟାଣ୍ଡ, ମୋତେ ପୁଣି ଅନ୍ୟ ଏକ ସ୍ଥାନ ଯିବାର ଥିଲା।

ବସଷ୍ଟାଣ୍ଡ ଭିତରର ଏକ ହୋଟେଲର ପ୍ରଥମ ମହଲାରେ ଉଠି ମୁଁ ଖାଦ୍ଯ ବିଷୟରେ ପଚାରିଥିଲି ଅବଶ୍ୟ ହିନ୍ଦୀ ଭାଷାରେ। ଏହାର ମାଲିକ ମୋତେ ବସିବା ଲାଗି ଇସାରା ଦେଲେ। ମୁଁ ବସିବା ପରେ ଜଣେ ବ୍ୟକ୍ତି ସ୍ପଷ୍ଟ ହିନ୍ଦୀରେ ମୋତେ ମୋର ଖାଇବାର ଆଗ୍ରହ ସମ୍ପର୍କରେ ପଚାରିଲେ। ମୁଁ କିଛି କହିବା ପୂର୍ବରୁ ତାଙ୍କର ସ୍ପଷ୍ଟ ବହି ପଢା ହିନ୍ଦୀ ଉଚ୍ଚାରଣ ମୋତେ କିଛିଟା ସ୍ତମ୍ବିଭୂତ କରିଥିଲା କାରଣ ମୁଁ ତାମିଲନାଡୁରେ ଥିଲି।

ସ୍ଵାଭାବିକ ଯେ ଦକ୍ଷିଣ ଭାରତର ଲୋକେ ହିନ୍ଦୀ କମ ଜାଣିଥାନ୍ତି, ଓ ତାମିଲନାଡୁରେ ଏହା ଆହୁରି କମ। ହିନ୍ଦୀ ଫିଲ୍ମର ଧର୍ମେନ୍ଦ୍ର, ଅମିତାଭ ବଚନ ବା ଶାହାରୁଖ ଖାନ ଯାହାଙ୍କ ଡାଇଲାଗ ଆମେ କେହି କେହି ମଜାରେ କହିଥାଉ ସେମାନଙ୍କୁ ତାମିଲନାଡୁର ସହରର ଲୋକେ ଚିହ୍ନନ୍ତି ନାହିଁ। ଏହାର କାରଣ ହୋଇପାରେ ଯେ ବଲିଉଡ ବାହାରେ ଏହି କଳାକାରମାନଙ୍କ କୌଣସି ସମ୍ପୃକ୍ତି ନାହିଁ ଓ ଦ୍ବିତୀୟରେ ନିଜକୁ ଖୁସି କରିବା ଲାଗି ତାମିଲ ଫିଲ୍ମର ଅଭାବ ମଧ୍ୟ ନାହିଁ।

ସେହି ହୋଟେଲର ସେହି ମଣିଷର ନାମ ଯାହା ମୋତେ ସେ ସେତେବେଳେ କହିଥିଲେ ତାହା ଯେ ସତ ହୋଇଥିବ ମୋର ବିଶ୍ଵାସ ହେଉନାହିଁ। ମନେକରାଯାଉ ତାଙ୍କର ନାମ ସୋମେଷ। ସୋମେଷଙ୍କୁ ନିଜର ଖାଦ୍ୟ ଅର୍ଡର ଦେବା ସହିତ ପଚାରିଥିଲି ଯେ ସେ ଏତେ ସୁନ୍ଦର ହିନ୍ଦୀ କେଉଁଠାରୁ ଶିଖିଲେ। ସେ କିଛି ଏହାର ଉତ୍ତର କହିବା ଆଗରୁ ମୋର ଘର କେଉଁ ରାଜ୍ୟରେ ବୋଲି ପ୍ରଥମେ ପଚାରିଦେଇଥିଲେ। ମୁଁ ମୋର ପ୍ରଦେଶ ଓଡିଶା କହିବାର ଠିକ ପରେ ପରେ ସେ ନିଜକୁ ନାଗପୁର ବାସିନ୍ଦା କହିଦେଲେ। କୁମ୍ଭକୋନମ ସହରର ସୌନ୍ଦର୍ଯ୍ୟ, ହୋଟେଲର ସ୍ଵାଦ ସମ୍ପର୍କରେ ବେଶ ପେଷାଦାର ମାର୍କେଟିଂଗ ବ୍ୟକ୍ତି ଭାବରେ ବର୍ଣ୍ଣନା କରୁଥିଲେ।

ସୋମେଷଙ୍କ ଅନୁମାନ ବୟସ ସେ ସମୟରେ ୫୫ ବର୍ଷ ହେବ। ମୁଣ୍ଡର ବାଳ ସାମାନ୍ଯ କହରା। ସେ ସ୍ଵୀକାର କଲେ ଯେ ସେ ରଙ୍ଗ ଦେଇଛନ୍ତି। ଆଦୌ ମୋଟା ନୁହନ୍ତି କିନ୍ତୁ ପତଳା ନୁହନ୍ତି। ମୁଣ୍ଡରେ ସାମାନ୍ୟ ତିଳକ ମାରିଥାନ୍ତି। ସୂତା କପଡାର ସାର୍ଟ ପ୍ଯାଣ୍ଟ ପିନ୍ଧିଛନ୍ତି। ଉଚ୍ଚତା ସେହି ପାଞ୍ଚ ଫୁଟରୁ କିଛି ଅଧିକ ହେବ।

କଥାବାର୍ତ୍ତା ଭିତରେ ଓଡିଶା, ତାମିଲନାଡୁ ଓ ଦେଖିଆସିଥିବା ଐରାବତେଶ୍ଵର ମନ୍ଦିରର ବର୍ଣ୍ଣନା, ତାମିଲଙ୍କ ପାରମ୍ପରିକ ଖାଦ୍ଯର ବର୍ଣ୍ଣନା ଭିତରେ ଆତ୍ମୀୟତା ସୃଷ୍ଟି ହୋଇଯାଇଥିଲା।  “କେତେ ବର୍ଷ ହେଲା ଏଠାକୁ ଆସିଲେଣି? ପୁଣି ଏହି କୁମ୍ଭକୋନମ ସହରକୁ କେମିତି ଆସିଲେ?”

ସେ ମୋ ପାଖରେ ବସିପଡିଲେ। ସାମାନ୍ୟ ଗମ୍ଭୀର ହେଲେ। ଏ ପର୍ଯ୍ୟନ୍ତ ହସଖୁସିରେ ମାର୍କେଟିଂଗ ଢଙ୍ଗରେ କଥା ହେଉଥିବା ମଣିଷ ଏଥର ଗମ୍ଭୀର ସ୍ଵରରେ ହିନ୍ଦୀରେ କହିଲେ ଯାହାର ଓଡିଆ ହେଲା, “ମୁଁ ଘର ଛାଡିବା ପ୍ରାୟ ୪୦ ବର୍ଷରୁ ଅଧିକ ହୋଇଗଲେଣି। ଏବେ ମୋତେ ଗାଁର ଲୋକେ ଆଉ କେହି ଚିହ୍ନିପରିବେନି।“

ସେ ଯେଉଁ ବର୍ଣନା ଏହାପରେ ଦେଲେ ତାହା ଏହିପରି: ତାଙ୍କର ବାପା ଜଣେ ବଣିଆ ଲୋକ ଥିଲେ। ସେ ଜାଣନ୍ତି ଯେ ତାଙ୍କ ବାପା ଆଉ ନାହାନ୍ତି। ତାଙ୍କୁ ଯେତେବେଳେ ୧୫ / ୧୬ ବର୍ଷ ସେ ଘର ଛାଡି ଦେଇଥିଲେ ଯେ ଆଉ ଘରକୁ ଫେରିନାହାନ୍ତି। ସେ ଘର ଛାଡିବା ବେଳେ ବାପାଙ୍କୁ କହିଥିଲେ ଯେ ତାଙ୍କର ବଣିଆ କାମ ପ୍ରତି ଆଗ୍ରହ ନାହିଁ। ସେ କିନ୍ତୁ ପାଠ ପଢିବେ। ଘରେ କିନ୍ତୁ ବାପା କୁଳ ବ୍ୟବସାୟକୁ ସମ୍ଭାଳିବା ପାଇଁ ବାଧ୍ୟ କରିଥିଲେ। ହେଲେ, ସୋମେଷ ଘର ଲୋକଙ୍କୁ ଚାଲେଞ୍ଜ ଦେଇଥିଲେ ଯେ ସେ ପଢିବେ ଓ ଭଲ ଚାକିରି କରିଫେରିବେ।

ସୋମେଷ କିନ୍ତୁ ପ୍ରଥମେ ମାଡ୍ରାସ (ଆଜିର ଚେନାଇ) ଓ ସେଠାରୁ କାଞ୍ଜିପୁରମ ଚାଲିଗଲେ। ଏକୁଟିଆ ନିଜ ଜୀବନ ଚାଲିଥିବା ବେଳେ କିଛି ଦୁର୍ଘଟଣା ହେଲା ଯାହା ସେ କହିନାହାନ୍ତି। କିନ୍ତୁ ନିଜର ଲକ୍ଷ୍ୟ ଏହି ହେତୁ ପୂରଣ କରିପାରିଲେ ନାହିଁ ବୋଲି କହୁଥିଲେ।

ସେହିଠାର ଜଣେ ବ୍ୟକ୍ତି ତାଙ୍କୁ କୁମ୍ଭକୋନମ ସହରରେ ପହଞ୍ଚାଇଦେଇଥିଲା ଠିକ ଏହି ହୋଟେଲରେ ଯେଉଁଠି ମୁଁ ଖାଉଥିଲି। ଏହି ହୋଟେଲର ପୂର୍ବର ମାଲିକଙ୍କର ଏ ଭିତରେ ଦେହାନ୍ତ ହୋଇଯାଇଛି। ତାଙ୍କର ଦୁଇ ପୁଅ ଥିଲେ।  ଦୁଇ ପୁଅଙ୍କ ଭିତରେ ସମ୍ପତ୍ତିର ଭାଗବଣ୍ଟାରେ ସାନ ପୁଅ ଭାଗରେ ଏହି ହୋଟେଲ ପଡିଲା। ଦୁଇ ପୁଅଙ୍କ ମଧ୍ୟରେ ଏହା ମଧ୍ୟ ବୁଝାମଣା ହୋଇଥିଲା ଯେ ହୋଟେଲ ଯାହାର ଭାଗରେ ପଡିବ ସେ ‘ସୋମେଷ ମାମା’ର ଦାୟିତ୍ଵ ନେବ। ଏହା ସେମାନଙ୍କ ବାପାଙ୍କର ଇଚ୍ଛା ମଧ୍ୟ। ସେହି ଦିନୁ ପ୍ରାୟ ତିରିଶ ବର୍ଷ ହେବ ସୋମେଷ ସେହି ହୋଟେଲରେ ରହିଯାଇଛନ୍ତି।   

“କିନ୍ତୁ ଆପଣ ନିଜ ଗାଁ ଏହି ଚାଳିଶ ବର୍ଷ ଭିତରେ ଥରେ ହେଲେ ଯାଇଥିଲେ କି ନାହିଁ?” ମୁଁ ପଚାରିଥିଲି। “ଯାଇଥିଲି। କିନ୍ତୁ ଗାଁ ପାଖରୁ ଫେରି ଆସିଲି। ମୋର ବାପା ଆମର ବନ୍ଧୁବାନ୍ଧବଙ୍କୁ ମିଛ କଥା ସାରିଥିଲେ। ମୋର ଅଧିକ ଦିନ ହେଲା ଗାଁକୁ ନଫେରିବା ଦେଖି ସେ କହିଥିଲେ, ପୁଅ (ମାନେ ସୋମେଷ) ତାଙ୍କର ବହୁତ ଧନୀ ହୋଇଯାଇଛି। ଅନେକ ଟଙ୍କା କମାଉଛି। ତାକୁ ଫୁରସତ ହେଉନାହିଁ। ମାତ୍ର ଯୋଗାଯୋଗରେ ଅଛି। ସତ ହେଲା ଯେ କାହା ପାଇଁ ମିଠା ନେବା ଭଳି ଟଙ୍କା ମଧ୍ୟ ମୋ ପାଖରେ ନଥିଲା। ବାପାଙ୍କର ଏହି କଥା କାହା କାହା ଠାରୁ ଶୁଣିବା ପରେ ଗାଁକୁ ନଯାଇ ଫେରିଆସିଲି।“

“ନାଗପୁରର କେଉଁ ଅଞ୍ଚଳରେ ଆପଣଙ୍କ ଘର?” ମୁଁ ପଚାରିବାରୁ ସେ ମୋତେ ପଚାରିଲେ, “ଆପଣଙ୍କର ନାଗପୁରରେ କେହି ଅଛନ୍ତି କି?”। ମୁଁ ହଁ କହିବା ପରେ ସେ ଦୂରକୁ ସେ ଦିନ ଚାଲିଯାଇଥିଲେ। 

ଅନେକ ଦିନ ତଳେ ପଢିଥିବା ଫରାସୀ ଗାଳ୍ପିକ ମୋପାସାଙ୍କ ଏକ ଗପ ମୋର ମନେପଡିଲା। ଗଳ୍ପର ନାମ ମନେ ପଡୁନାହିଁ। ସେହି ଗପରେ ଚରିତ୍ର ଜଣକ ଜୀବନରେ ଅନେକ କିଛି କରିବାର ସ୍ଵପ୍ନ ନେଇ ଘର ଛାଡିଥିଲା। ଦୀର୍ଘ ବର୍ଷ ପରେ ଶୂନ୍ୟ ହସ୍ତରେ ତା ନିଜ ସହରକୁ ଫେରିଛି। ଫେରିଥିବା ଜାହାଜରେ ସେ ଅନ୍ୟମାନଙ୍କର ଯୋତା ପଲିସ କରୁଛି। ଘର ଲୋକେ କିନ୍ତୁ ଜାଣିଛନ୍ତି ଯେ ସେ ଅନେକ ବର୍ଷ ହେଲା ଚାଲିଗଲାଣି। ବାହାରେ କେଉଁଠାରେ ଅନେକ ଅର୍ଥ ରୋଜଗାର କରୁଛି। ତାଙ୍କର ସେହି ମଣିଷ ଜଣକ ଯେ ଜାହାଜରେ ଜୋତା ପାଳିଶ କରୁଥିବ ତାହାକୁ ପରିବାର ଲୋକେ ଗ୍ରହଣ କରିନାହାନ୍ତି। ପରିବାରର ସଦସ୍ୟ ସେହି ଜାହାଜ ମଧ୍ୟ ଦେଇ ଯାଉଛନ୍ତି କିନ୍ତୁ ଚିହ୍ନିନାହାନ୍ତି। ମୋପାସା ବ୍ୟକ୍ତିଗତ ଜୀବନର ଉଠାପକା ଓ ପରିବାର ମଧ୍ୟରେ ରହିଥିବା ଶଠତା ସମ୍ପର୍କରେ ଗଳ୍ପ ଲେଖିବାରେ ସିଦ୍ଧ ହସ୍ତ। ସେ ଏଠାରେ ପରିବାରର ବାସ୍ତବ ଚିତ୍ରକୁ ଦେଖାଇଛନ୍ତି - ସମସ୍ତେ କେମିତି ସ୍ଵାର୍ଥ ପାଇଁ ସମ୍ବନ୍ଧ ରଖୁଛନ୍ତି।

କୁମ୍ଭକୋନମର ସେହି ହୋଟେଲରେ ସେଦିନ ମିଲର ଟଙ୍କା ଦେବା ଭିତରେ ମୁଁ କିଛି ସମୟ ମାଲିକଙ୍କ ସହିତ କଥା ହେଲି। ଜଣେ କଲେଜ ଯୁବକଙ୍କୁ ଅନୁରୋଧ କଲି ଯେ ସେ ମୋର ଇଂରାଜୀ ଭାଷାକୁ ତାମିଲରେ ଅନୁବାଦ କରି ତାଙ୍କୁ କହିବେ ଓ ତାଙ୍କର ତାମିଲରେ ଦେଉଥିବା ଉତ୍ତରକୁ ସେ ଇଂରାଜୀରେ କହିବେ।

“ସୋମେଷ କଣ ଆଉ କେବେ ତାଙ୍କ ଘରକୁ ଫେରିବାକୁ ଚାହିଁନାହାନ୍ତି?”

ହୋଟେଲର ମାଲିକ କହିଲେ, “ସେ କେବେ ତାଙ୍କ ଘରକୁ ଯିବା କଥା ଆମକୁ କହିନାହାନ୍ତି। କହିଲେ ଆମେ ପହଞ୍ଚାଇଦେବୁ। କିନ୍ତୁ ଆମ ବାପା ମରିବା ସମୟରେ କହିଛନ୍ତି ଯେ ଏ ତୁମର ଆଉ ଜଣେ ଭାଇ ବୋଲି ଭାବିବ। ମୋର ପିଲାମାନେ ମଧ୍ୟ ତାଙ୍କୁ ବହୁତ ଭଲପାନ୍ତି। ସେ ବାହା ହେବାକୁ କହିଥିଲେ ବି ଆମେ ବାହାଘର କରାଇଥାନ୍ତୁ। ସେ ଅସୁସ୍ଥ ହେଲେ ବି ଆମେ ଦେଖିବୁ। ମଲେ ବି ଆମେ ତାଙ୍କର କ୍ରିୟାକର୍ମ କରିବୁ। ସେ ଆମ ସହିତ ରହିଯାଇଛନ୍ତି। ରହିବେ ବି।“

ଅନ୍ତତଃ ସୋମେଷ ଏକ ଭଲ ପରିବେଶ ପାଇଛନ୍ତି ସେ କଥା ଜାଣିଲି। ସମାଜର ପରସ୍ପରିକତା ରହିଛି। ଭାଇମାନେ ହୁଏତ ସମ୍ପତ୍ତିର କିଛି ଅଂଶ ତାଙ୍କୁ ଦେଇନାହାନ୍ତି କିନ୍ତୁ ତାଙ୍କର ଦାୟିତ୍ଵ ନେଇଛନ୍ତି।

ହୋଟେଲର ତଳକୁ ମୁଁ ଓହ୍ଲାଇ ଆସିଲି। ତଳ ମହଲାରେ ଏକ ଷ୍ଟେସନାରୀ ଦୋକାନ ଅଛି। ସେଠାରେ ମୁଁ କିଛି ଚକଲେଟ କିଣିଲି। ହୋଟେଲର ପାରମ୍ପରିକ ଖାଦ୍ୟର ପ୍ରଶଂସା କରିବା ଛଳରେ ଦୋକାନୀକୁ ପଚାରିଲି, “ହୋଟେଲର ସେହି ହିନ୍ଦୀ ଲୋକ ସୋମେଷ ବିଷୟରେ ଜାଣିଥିବ। ସେ ନାଗପୁର ଫେରିଲେ ନାହିଁ, ତାହା ହେଲେ।“ ମୋର କଥା ଶୁଣି ଦୋକାନ ଭିତରୁ ଆଉ ଜଣେ ବ୍ୟକ୍ତି ବାହାରି ଆସିଲେ। “ଆପଣଙ୍କୁ ସେ ନିଜର ଘର ନାଗପୁର କହିଲେ?”। “ହଁ” – ମୁଁ ଉତ୍ତର ଦେଲି, “କାହିଁ କଣ ହେଲା କି”?

“ସେ ବହୁ ଜାଗାରେ ନିଜର ଘର ବୋଲି ବହୁ ଲୋକଙ୍କୁ କହୁଛନ୍ତି। ମୁଁ ଜାଣିଛି ତାଙ୍କ ଘର ଓଡିଶାରେ। ସେ ତ ଆମ ଘର ପାଖାପାଖି ଲୋକ ବୋଲି ମୁଁ ଜାଣିଛି। ଆମ ଘର ପଲାସା (ଆନ୍ଧ୍ର ପ୍ରଦେଶ)। ସେ କିନ୍ତୁ ଓଡିଶାର କେଉଁଠି ବୋଲି କେବେ ମୋତେ କହିନାହାନ୍ତି।“

“ତୁମେ ତୁମ ଘରକୁ ଯାଉଛ କି ନାହିଁ?” ମୋର ପିଲାଳିଆ ପ୍ରଶ୍ନରେ ସେ ଜୋରରେ ହସିଲେ ଓ କହିଲେ, “ପ୍ରତି ବର୍ଷ ଯାଉଛି”।

ମୋର ଇଚ୍ଛା ହେଉଥିଲା ପୁଣି ଫେରିଯାଇ ସୋମେଷଙ୍କୁ ତାଙ୍କ ଘର ଠିକଣା ପଚାରିବା ଲାଗି। ପୁଣି ଚାଲିଆସିଲି। ସେ ନିଜେ ଯଦି ଚାହୁଁନାହାନ୍ତି ନିଜ ଘରକୁ ଫେରିବାକୁ ତେବେ ମୁଁ ବା କାହିଁକି ଉଦ୍ୟମ କରିବି।

ଆସିଲା ବେଳେ ଭାବିଲି କେତେ ସ୍ଵାଭାବିକ ଏହି ପାରିବାରିକ ସମ୍ବନ୍ଧ। ସେମାନେ ଏକ ନିର୍ଦ୍ଦିଷ୍ଟ ଚେହେରାରେ ପରିବାରର ପ୍ରତ୍ଯେକ ସଦସ୍ୟକୁ ଦେଖିବାକୁ ଚାହାଁନ୍ତି। ସେଥିରେ ବିଚ୍ୟୁତିର ଅର୍ଥ ପରିବାର ମଧ୍ୟରୁ ବହିଷ୍କୃତ ହେବା ଭଳି କଥା। ଅଥଚ ମଣିଷ ଏହି ପରିବାର ଲାଗି ସମାଜକୁ ଭୁଲିଯାଉଛି। ସମ୍ପତ୍ତି ଠୁଳ କରିଚାଲିଛି। ନିଜ ପରିବାରକୁ ନେଇ ଅହଂକାରରେ ଫାଟିପଡୁଛି ସେ। 

ତାମିଲନାଡୁ କୁମ୍ଭକୋନମ ସହରର ଐରାବତେଶ୍ଵର ମନ୍ଦିରର କାରୁକାର୍ଯ୍ୟ ମୋତେ ଯେତେ ପ୍ରଭାବିତ କରିନଥିଲା ତାହା ଠାରୁ ଯଥେଷ୍ଟ ଅଧିକ ପ୍ରଭାବିତ କରିଥିଲା ସୋମେଷଙ୍କ ଜୀବନ। ସତରେ, ଜଣେ ମଣିଷ କେତେ ନିରବରେ  ଜୀବନକୁ ଧରି ରଖିପାରେ, ଏବଂ କେମିତି ସେ ଗୋପନ କରିପାରେ ନିଜର ସମସ୍ତ ଯନ୍ତ୍ରଣା !