ଦେବ
ରଞ୍ଜନ
ଗଲା ବର୍ଷ ଡିସେମ୍ବର
ମାସର କଥା। ଗୌହାଟି
ଯିବା ଲାଗି ଭୁବନେଶ୍ବର ଷ୍ଟେସନରେ ଅପେକ୍ଷା କରିଥାଏ। ରାତି ଦୁଇଟାରେ ଆସି ଟ୍ରେନ
ପହଞ୍ଚିବ। ତେଣୁ ମୁଁ ଯଥେଷ୍ଟ ଆଗରୁ ଷ୍ଟେସନରେ ପହଞ୍ଚିଥାଏ। ଟ୍ରେନର ଆସିବା ସମୟ କିନ୍ତୁ ଷ୍ଟେସନରେ
ଆଦୌ ଘୋଷଣା ହେଉନଥାଏ। ଶେଷରେ ତିନି ଘଣ୍ଟା ବିଳମ୍ବରେ ଟ୍ରେନ ଆସିଲା, ଭୋର ପାଞ୍ଚଟାରେ। ଆଇଆରସିଟିଆଇସି (IRCTC)ର ରନିଙ୍ଗ
ଷ୍ଟାଟସରେ ଦେଖାଇବା ଆରମ୍ଭ କଲା ଯେ ଯଦିଓ ଟ୍ରେନ ତିନି ଘଣ୍ଟା ବିଳମ୍ବରେ ଚାଲୁଅଛି କିନ୍ତୁ
ଗୌହାଟି ଏହା ଠିକ ସମୟରେ ପହଞ୍ଚିବ। ଏହା ରେଳ ବିଭାଗର ବହୁତ ବଡ ଠକାମି ଥିଲା ଠିକ ନେତାଙ୍କ
ନିର୍ବାଚନ ପ୍ରତିଶୃତି ଭଳି।
ରାତି ସାରା ଷ୍ଟେସନରେ
ବୁଲିବା ଭିତରେ ମୁଁ ଥକି ଯାଇଥିଲି। ନିଜ ସିଟ ପାଇଲା ପରେ କିଛି ଖାଦ୍ୟ ନେଇ ଖୁସିରେ ଶୋଇଗଲି। ସନ୍ଧ୍ୟା
ହେଲା। ମୁଁ ଭାବୁଥାଏ ଟ୍ରେନ ବର୍ଦ୍ଧମାନ ଷ୍ଟେସନରେ ପହଞ୍ଚିଯାଇଥିବ। କିନ୍ତୁ ଓଡିଆରେ ଟ୍ରେନ
ପହଞ୍ଚିବାର ଘୋଷଣା ଶୁଣି ଜାଣିଲି ସେହି ମାତ୍ର ବାଲେଶ୍ଵର ହୋଇଛି। ଏ ଭିତରେ ଟ୍ରେନ ତିନି ଘଣ୍ଟା
ନୁହେଁ ସାତ ଘଣ୍ଟା ବିଳମ୍ବ ହୋଇସାରିଲାଣି। ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।
ବିରକ୍ତ ମନରେ ମୋବାଇଲ
ଦେଖିବା ଆରମ୍ଭ କରିଥାଏ। ସେଥିରେ ରେଳ ମନ୍ତ୍ରୀଙ୍କ ଫେସବୁକ ଆକାଉଣ୍ଟ ଦେଖୁଥିଲି। ବିଭିନ୍ନ
ଟ୍ରାକରେ ବନ୍ଦେ ଭାରତ ଟ୍ରେନର ଘୋଷଣା, ଷ୍ଟେସନର ଆଧୁନିକୀକରଣ, ବିକଶିତ ଭାରତର ପରିକଳ୍ପନା…..ଅନେକ ଯୋଜନା ଥିଲା। ସେଥିରେ କିନ୍ତୁ ଟ୍ରେନ ଗୁଡିକ
ଠିକ ସମୟରେ ଚାଲିବାର ପ୍ରତିଶୃତି ନଥିଲା କି ଯାତ୍ରୀଙ୍କ ଆବଶ୍ୟକତା ଓ ଅଭିଯୋଗ ଦେବାର କୌଣସି
ସ୍ଥାନ ନଥିଲା।
ଏ ଭିତରେ ଟ୍ରେନ
ଖଡଗପୁର ପହଞ୍ଚିଲା। ମୁଁ ମଧ୍ୟ ପ୍ଲାଟଫର୍ମରେ ଟିକିଏ ବୁଲି ପୁଣି ସିଟକୁ ଚାଲିଆସିଲି। ସନ୍ଧ୍ୟା
ଯାଇ ରାତି ଆସୁଥାଏ। ଆକାଶରେ ଜହ୍ନ ଗଡୁ ଥିବା ଟ୍ରେନ ସହିତ ବେଶ ଲୁଚକାଳି ଖେଳୁଥାଏ। ବେଶ ଶୀତ ମଧ୍ୟ
ଅନୁଭୂତ ହେଉଥାଏ। ସେହି ଭିତରେ ମନେ ପଡିଲା, “ମଧୁର ଏ
ଜହ୍ନ ରାତି ହସେ ସାରା ଗଗନେ” ଓଡିଆ
ଫିଲ୍ମର ଗୀତ। ଜୀବନର ଅନେକ ଘଟଣା ଦ୍ରୁତ ବେଗରେ ମନକୁ ଆସୁଥାଏ ଓ ପୁଣି ଚାଲିଯାଉଥାଏ।
ଏହାର ପରବର୍ତ୍ତୀ
ଷ୍ଟେସନ ଥିଲା ବର୍ଦ୍ଧମାନ। ଏହା ପରେ ଡାନକୁନି। କିନ୍ତୁ ବର୍ଦ୍ଧମାନ ପରେ ଟ୍ରେନ ଆଉ ଗଡିବାର ନାମ ନେଉନାହିଁ। ଷ୍ଟେସନ
ଉପରେ ଆମର ଟ୍ରେନ ଠିଆ ହୋଇଥାଏ। ଅନେକ ଟ୍ରେନ ଦ୍ରୁତ ବେଗରେ ଅତିକ୍ରମ କରୁଥାନ୍ତି। ସେମାନଙ୍କ
ଟ୍ରେନ ଠିକ ସମୟରେ ଚାଲୁଥିବା ହେତୁ ସେମଧ୍ୟରେ ରହିଥିବା ଯାତ୍ରୀମାନେ ଯେମିତି ଥିଲେ ଅତି
ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ବା ଭିଭିଆଇପି ଓ ଆମେ ଥିଲୁ ସହରର ଟ୍ରାଫିକରେ ସେମାନଙ୍କ କାର୍କେଡକୁ
ଅତିକ୍ରମ କରିବା ପର୍ଯ୍ୟନ୍ତ ଅପେକ୍ଷା କରୁଥିବା ଗୁରୁତ୍ଵହୀନ ଜନଗଣ।
ଦିନ ବେଳା କେତେବେଳେ
ଟିକେଟ କଲେକ୍ଟର ଆସିଥିଲେ। ଲୋକେ ତାଙ୍କୁ ବିଳମ୍ବ ସମ୍ପର୍କରେ ପଚାରିଥିଲେ। ତାଙ୍କର ବେଶ
ବେପରୱା ଉତ୍ତର ଥିଲା, “ମୋତେ ଜଣାନାହିଁ”। ଲୋକେ ମଧ୍ୟ
କୁଆଡେ ରୁକ୍ଷ ଭାବରେ ଦୁଇ ଶବ୍ଦ ଶୁଣାଇଦେଇଥିଲେ। ସେହି ପରଠାରୁ ଆଉ କୌଣସି ଟିଟିଇ ଡବାକୁ
ଆସୁନଥାନ୍ତି। ପାସେଞ୍ଜରମାନେ ନଶୋଇ ଟ୍ରେନ ଯେ କେତେବେଳେ ଗତିଶୀଳ ହେବ ଅପେକ୍ଷା କରିଥାନ୍ତି।
ଆମେ କେତେଜଣଙ୍କ
ଭିତରେ ଏ ଭିତରେ ବନ୍ଧୁତା ଆସିଯାଇଥାଏ। ନିଜ ନିଜ ମୋବାଇଲକୁ ଛାଡି ସମସ୍ତେ ନିଜ ନିଜ ଭିତରର
କ୍ଷୋଭକୁ ପ୍ରକାଶ କରିବାରେ ଲାଗିଗଲେ। ବାହାନଗାର ଟ୍ରେନ ଦୁର୍ଘଟଣା, ବୁଲେଟ ଟ୍ରେନର ପ୍ରତିଶୃତି, ବନ୍ଦେ ଭାରତରେ ଯାତ୍ରା, ଅତୀତରେ କିଏ କିଏ ଟ୍ରେନ ଯାତ୍ରା ସମୟରେ ଭୋଗି ଥିବା କଷ୍ଟ ଥିଲା ଆମ ଭିତରର
ଚର୍ଚ୍ଚା। ନୀରବ ରହିଥିବା ବଗି ରାତିରେ ବି ଗହଳି ଲାଗିଲା।
ରାତି ପ୍ରାୟ ଦଶଟା
ହେବ। କେହି ଜଣେ ପ୍ରସ୍ତାବ ଦେଲେ ୧୩୯ ରେ ଫୋନ କରି ଅଭିଯୋଗ କରିବା ଲାଗି। ମୁଁ ଲାଗି ପଡିଲି
୧୩୯ ରେ ଫୋନ କରିବାକୁ। ଏକ ରେକର୍ଡ଼ ହୋଇଥିବା ଭଏସ ଶୁଣିବାକୁ ମିଳିଲା ଫର ଇଙ୍ଗ୍ଲିଶ ପ୍ରେସ 1, ହିନ୍ଦୀ ମେଂ ଜାନକାରୀ କେ ଲିୟେ ୨ ଦବାଏଁ ଔର ବାଙ୍ଗାଲି କଥା ଲାଗବେନ ତୋ ୩ ଦବାଏଁ।
ମୁଁ ୧ ଦବାଇଲି।
ଏହାପରେ ବୁକିଙ୍ଗ
ପାଇଁ ୧, ଟିକେଟ ପାଇଁ ୨, ଟ୍ରେନ ଟାଇମ ଟେବୁଲ ପାଇଁ ୩ ଦବାନ୍ତୁ
ଇତ୍ୟାଦି କହୁଥାଏ। ମୁଁ ଅପେକ୍ଷା କରି ରହିଲି। ଅଭିଯୋଗ ବା କମ୍ପ୍ଲେନ ପାଇଁ ୬ ଦବାନ୍ତୁ କହିଲା।
୬ ଦବାଇଲି। ପୁଣି ଶୁଣାଗଲା ଗାଡିରେ ତକିଆ ଓ ବେଡସିଟ ପାଇ ନଥିଲେ ୧,
ଲାଟ୍ରିନ ଖରାପ ଥିଲେ ୨, ଡବାରେ ଇଲେକ୍ଟ୍ରିକ ନଥିଲେ ୩ ଦବାନ୍ତୁ
କହୁଥାଏ। କିନ୍ତୁ ଗାଡି ବିଳମ୍ବରେ ଚାଲୁଥିବାର ଅଭିଯୋଗ ପାଇଁ କେତେ ନମ୍ବର ଦବାଇବି ତାହା ସେ
ମଧ୍ୟରେ ନାହିଁ। ଆମର ପ୍ରତିନିଧିଙ୍କ ସହିତ କଥା ହେବା ଲାଗି ୯ ଦବାନ୍ତୁ, ୯ ଦବାଇଲି, କିନ୍ତୁ ତାହା ଆଦୌ ସଂଯୋଗ ହେଲା ନାହିଁ। ପ୍ରତିନିଧି ଆଦୌ ନାହାନ୍ତି।
ମୋ ଭଳି ଅନେକ ଯାତ୍ରୀ
୧୩୯ ରେ ଅଭିଯୋଗ ଦେବା ଲାଗି ଡାଏଲ କଲେ। ସମସ୍ତଙ୍କ ଅନୁଭୂତି ସମାନ ରହିଲା। ପରଦିନ ପୁଣି କେତେଜଣ ୧୩୯କୁ
ଫୋନ କଲେ। ସେଥିରେ ନା ଗାଡି ବିଳମ୍ବରେ ଚାଲୁଥିବାର ଅଭିଯୋଗ ଥିଲା ନା ପ୍ରତିନିଧିଙ୍କ ସହିତ
ସଂଯୋଗ ହେଲା। ଏହା ଗୌହାଟି ପର୍ଯ୍ୟନ୍ତ ଚାଲିଥିଲା।
ବୋଧହୁଏ ଆମର ଆଲୋଚନା
ଷ୍ଟେସନ ଲାଗି ଅସହ୍ୟ ହେଲା। ଟ୍ରେନଟି ଅନେକ କ୍ଷୁବ୍ଧ, କ୍ରୋଧିତ
ଯାତ୍ରୀମାନଙ୍କୁ ନେଇ ପୁଣି ଗନ୍ତବ୍ୟସ୍ଥଳକୁ ଯିବା ଲାଗି ହର୍ଣ୍ଣ ଦେଲା। ଲୋକେ ଶୋଇବାର ବ୍ୟବସ୍ଥା କଲେ।
ପାଖରେ ଜଣେ ଯୁବକ
ବସିଥିଲେ, ଶ୍ରୀକାକୁଲମରୁ ଉଠିଥାନ୍ତି। ସାରା ରାତି ସେ କିନ୍ତୁ ଲାପଟପରେ କମ୍ପାନୀର କାମ
କରୁଥାନ୍ତି। ଗାଡି ଠିକ ସମୟରେ ପହଞ୍ଚିଥିଲେ ସେ କମ୍ପାନୀର ଅତି ଗୁରୁତ୍ଵପୂର୍ଣ୍ଣ ମିଟିଂରେ
କିଛି ଉପସ୍ଥାପନ କରିଥାନ୍ତେ। ସେ ନିଶ୍ଚିତ ଯେ ଗାଡି ସକାଳେ ଗୌହାଟି ପହଞ୍ଚିବ ନାହିଁ। ଏହା
ସହିତ ତାଙ୍କ ଫେରନ୍ତା ଟ୍ରେନର ସମୟ ବି ଚାଲିଯାଉଛି। ନିକଟରେ ଇଣ୍ଡିଗୋରେ ହୋଇଥିବା ବିଭ୍ରାଟ ଓ
ଲକ୍ଷାଧିକ ଯାତ୍ରୀଙ୍କ ଅସନ୍ତୋଷର କଥା ସେ ନିଜ କାମ ମଧ୍ୟରେ ମୋତେ କହୁଥିଲେ। ସରକାର ଆଗକୁ
ଚିନ୍ତା ନକରି ଅନେକ ନିଷ୍ପତ୍ତି ନେଉଛନ୍ତି, ପୁଣି, ଶଙ୍କଟ ଆସିଲେ ଚୁପ ହୋଇରହିଯାଉଛନ୍ତି। ସେ ସ୍ଵୀକାର କରନ୍ତି ଯେ ୨୦୧୪ ରେ ସେ
ମୋଦୀଙ୍କ ଭକ୍ତ ଥିଲେ। ଆଜି କମ୍ପାନୀର ଅନେକ ଲୋକ ଅନୁଭବ କରୁଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ
ଦକ୍ଷତା ଠାରୁ ପ୍ରଚାର ଅଧିକ ହେଉଛି।
ରେଳ ବିଭାଗରେ
ପରିବର୍ତ୍ତନ ତ ଅନେକ ହୋଇଛି। ଗୋପବନ୍ଧୁ ଦାଶଙ୍କ ସେହି ପ୍ରସିଦ୍ଧ କବିତା, ‘ରହ ରହ କ୍ଷଣେ ବାଷ୍ପୀୟ ଶକଟ,
ଦେଖିବି ଚିଲିକା ଚାରୁ ଚିତ୍ରପଟ’, ଏବେ ସେହି କୋଇଲା ଇଞ୍ଜିନ ଆଉ
ନାହିଁ। ଏବେ ଇଲେକ୍ଟ୍ରିକ ଇଞ୍ଜିନ ଚାଲିଛି। ଷ୍ଟେସନ ଉପରେ ରିଂ ଧରି ଲାଇନ
କ୍ଲିୟର ଥିବାର ବାର୍ତ୍ତା ଲାଇନମ୍ୟାନ ଦେଉଥିବାର ଦୃଶ୍ୟ ଆଉ ନାହିଁ। ଏବେ ଇଣ୍ଟର ଲକିଙ୍ଗ
ବ୍ୟବସ୍ଥା ଲାଗୁ ହୋଇଛି। ସିଗନାଲ ସିଷ୍ଟମ ସଂପୂର୍ଣ୍ଣ ସ୍ଵୟଂଚାଳିତ ହୋଇଯାଇଛି। ତେଣୁ ଟ୍ରେନର
ହାରାହାରି ବେଗ ମଧ୍ୟ ବଢିଛି। କିନ୍ତୁ ଟ୍ରେନ ବିଳମ୍ବରେ ଚାଲିବାର ପ୍ରବୃତ୍ତିରେ ପରିବର୍ତ୍ତନ
ହେଉନାହିଁ।
ରେଳ ଭିଭାଗକୁ ନେଇ ଏକ
ପୁରୁଣା ହସ କଥା ଥିଲା। ଦୁଇ ବନ୍ଧୁ, ଜଣେ ବିଦେଶ ଫେରନ୍ତା ଓ
ଅନ୍ୟ ଜଣେ ଭାରତୀୟ, ଷ୍ଟେସନରେ ଠିଆ ହୋଇଥିଲେ। ସେହି ସମୟରେ କୌଣସି ଏକ
ଆସୁଥିବା ଟ୍ରେନ ନିଜର ନିର୍ଦ୍ଦିଷ୍ଟ ସମୟର ପୂର୍ବରୁ ପହଞ୍ଚିବା ଦେଖି ବିଦେଶୀ ବନ୍ଧୁ ଖୁସି
ବ୍ୟକ୍ତ କରିବା ଦେଖି ସଙ୍କୋଚରେ ଭାରତୀୟ ବନ୍ଧୁ ତାଙ୍କୁ କହିଥିଲେ,
“ନା ଏହା ଆଜିର ନୁହେଁ ଏହା ଗଲା କାଲିର ଟ୍ରେନ ଆଜି ଟ୍ରେନର ସମୟର ପୂର୍ବରୁ ପହଞ୍ଚିଛି।“ ଅନେକ
ସରକାର ଏ ଭିତରେ ଗଲେଣି। କିନ୍ତୁ ଚରିତ୍ରରେ ପରିବର୍ତ୍ତନ ହେଉନାହିଁ।
ସେମିତି ଓଡିଶା
ସରକାରଙ୍କ ବସ ବ୍ୟବସ୍ଥାକୁ ନେଇ ହସ କଥା ଥିଲା। ଓଡିଶା ରୋଡ ଟ୍ରାଂଷପୋର୍ଟ ବା ଓଆରଟିକୁ ଓହ୍ଳେଇ
ରାସ୍ତାରେ ଠେଲ ବୋଲି ଥଟ୍ଟା କରାଯାଉଥିଲା। ଏ ଭିତର ଓଆରଟିରୁ ଓଏସଆରଟିସି ହେଲା, ଅନେକ ରୁଟକୁ ପ୍ରାଇଭେଇଟାଇଜ କରାଗଲା। ସରକାରୀ ବସ ଏବେ ବି ବିଳମ୍ବରେ ଚାଲୁଅଛି ଓ
ପ୍ରାଇଭେଟ ବସସେବା ବିପଦଶଙ୍କୁଳ ହୋଇଯାଇଛି। ସରକାରୀ ସ୍ଥିରୀକୃତ ବସଭଡା ଠାରୁ ଅନେକ ଅଧିକ ଅର୍ଥ
ସେମାନେ ଯାତ୍ରୀଙ୍କ ଠାରୁ ଦାବି କରୁଛନ୍ତି।
ସେହି ରାତିରେ ମୁଁ ଏକ
ଚିଠି ରେଳ ମନ୍ତ୍ରୀ ଅଶ୍ଵିନୀ ଗୌତମଙ୍କୁ ଲେଖିଥିଲି। ତାଙ୍କର ଇମେଲ ଆଇଡି ରେଳ ବିଭାଗର ସାଇଟରୁ
ଓ ଗୁଗୁଲ ମାଧ୍ୟମରେ ପାଇଯାଇଥିଲି। ମୋ ଚିଠିର ଶୀର୍ଷକ ଥିଲା “ଟ୍ରେନ ଏଗାର ଘଣ୍ଟା ବିଳମ୍ବ”। ମୁଁ
ଲେଖିଲି: ମନ୍ତ୍ରୀ ମହାଶୟ, ଆପଣ ଶେଷ ଥର କେବେ ଟ୍ରେନରେ
ବିନା ସୂଚନାରେ ଯାତ୍ରା କରିଥିଲେ ଜଣାନାହିଁ। କିନ୍ତୁ ମୁଁ ଯାତ୍ରା କରୁଥିବା ଟ୍ରେନ ଆଜି ଏଗାର
ଘଣ୍ଟା ବିଳମ୍ବରେ ଚାଲୁଅଛି। ବିଳମ୍ବର କାରଣ ଓ କେତେ ବିଳମ୍ବ ହେବ ତାହା ମଧ୍ୟ ଏଠାରେ କେହି
କହିବାକୁ ନାହାନ୍ତି। ଏହା ଏକ ଅକ୍ଷମଣୀୟ ଅପରାଧ। ଆମେ ୫୦୦୦ ଯାତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ
ଗୋଳମାଳ ହୋଇଗଲା। ରାସ୍ତାରେ ଟ୍ରେନ ବଦଳ କରିବାର ସୁବିଧା ମଧ୍ୟ ଆମକୁ ଦିଆଯାଇନାହିଁ। ଆମର
କୌଣସି ଦୋଷ ନଥାଇ ବି ଆମେ କେବଳ ଜୀବନ୍ତ ଲଗେଜ ହୋଇ ବଗି ଭିତରେ ଅଛୁ କେବେ ଆମ ଷ୍ଟେସନ ଆସିବ ଓ
ଆମେ ଅନଲୋଡିଙ୍ଗ ହେବୁ। ଏହାର
କୌଣସି ସୁଧାର ଆସିବାର ଅଛି ନା ସତୁରୀ ବର୍ଷର ପରମ୍ପରା ଏହିଭଳି ଚାଲିଥିବ?“ ଟ୍ରେନର ସଂଖ୍ୟା ଓ ପିଏନଆର ନମ୍ବର ସହିତ ମୋର ଚିଠି ପଠାଇଥିଲି। ଚିଠି ପାଇଲେ ବୋଲି
ଏକ ପ୍ରାପ୍ତି ସ୍ଵୀକାର ଆଜି ପର୍ଯ୍ୟନ୍ତ ଆସିନାହିଁ, ମନ୍ତ୍ରୀଙ୍କ
ଉତ୍ତର କଥା ତ ଛାଡନ୍ତୁ।
ମୋର ଦୀର୍ଘ ପଚାଶ
ବର୍ଷର ଟ୍ରେନ ଯାତ୍ରା ଭିତରେ କେବେ କୌଣସି ସାଂସଦ ବା ମନ୍ତ୍ରୀଙ୍କୁ ଟ୍ରେନ ଯାତ୍ରାରେ
ପାଇନାହିଁ। ପାଇଛି ପୂର୍ବତନ ସାଂସଦ ଅଥବା ପୂର୍ବତନ ମନ୍ତ୍ରୀଙ୍କୁ। ସେ ଅହଂକାର ଆଉ ସେମାନଙ୍କ
ନିକଟରେ ନଥାଏ। ସେମାନେ ଯାତ୍ରୀଙ୍କ ସିଧା ସିଧା ପ୍ରଶ୍ନର ଉତ୍ତର ନଦେଇ ମୁଣ୍ଡ ପୋତି
ଚାଲିଯାଉଥିବା ବି ଦେଖିଛି। ଅପେକ୍ଷା
କରୁଛି ଏ ସରକାରର ସ୍ଥିତି କଣ ହେଉଛି।
ଟ୍ରେନ କେତେବେଳେ ଫରକ୍କା
ବ୍ରିଜ ଗଙ୍ଗା ନଦୀ ଅତିକ୍ରମ କରିସାରିଥିଲା। ଏବେ ଦିନ ନଅ ଟା। ୧୪ ଘଣ୍ଟାର ବିଳମ୍ବର ନ୍ୟୁ
ଜଳପାଇଗୁଡ଼ି ଷ୍ଟେସନରେ ଟ୍ରେନ ପହଞ୍ଚିଲା। ଏହା ଏହି ଟ୍ରାକରେ ଏକ ଅତି ଗୁରୁତ୍ୱପୂର୍ଣ୍ଣ ଜଙ୍କସନ
ଠିକ ପ୍ରୟାଗରାଜ ବା ନାଗପୁର ଷ୍ଟେସନ ଭଳି। ଏହି ଠାରୁ ଅନେକ ଯାତ୍ରୀ ଦାର୍ଜିଲିଂ, ଗାଙ୍ଗଟକ, ନେପାଳ ଇତ୍ୟାଦି ଅଞ୍ଚଳକୁ ଯାଇଥାନ୍ତି। ଏହିଠାରେ
ଲେଖା ହୋଇଛି ‘ଲୋକଙ୍କ ସେବାରେ ରେଳ ବିଭାଗ’। ସତରେ କେତେ ହାସ୍ୟାସ୍ପଦ ଏହି
ବାର୍ତ୍ତା! ବ୍ରିଟିଶବାଲାଙ୍କ ଭଦ୍ର ଚାଲାକି ଭଳି ଏହି ବାର୍ତ୍ତା ଦଶନ୍ଧି ଦଶନ୍ଧି ଧରି ଭାରତୀୟ
ରେଳ ଆମକୁ ଭଣ୍ଡି ଚାଲିଛି।
ଏହା ପର ଷ୍ଟେସନ ଥିଲା
ରାଣୀନଗର ଜଳପାଇଗୁଡି ଜଙ୍କସନ। ଷ୍ଟେସନରେ ଦୀର୍ଘ ଅଧଘଣ୍ଟା ରହିବା ପରେ ବି ଗାଡି ଆଗକୁ
ଗଡୁନଥିଲା। ଅନେକ ଟ୍ରେନ କିନ୍ତୁ ଆମ ଟ୍ରେନକୁ ଅତିକ୍ରମ କରୁଥାଏ। ଏଥର ଧୈର୍ଯ୍ୟଚ୍ୟୁତି ଘଟିଲା।
ମୁଁ ଷ୍ଟେସନ ମାଷ୍ଟରଙ୍କ ପାଖକୁ ଚାଲିଗଲି।
ମୁଁ ପଚାରିଲି: ଆମର
ଅପରାଧ କଣ ଯେ ଆମେ ଠିଆ ହୋଇଛୁ ଓ ଅନ୍ୟ ଟ୍ରେନ ଗୁଡିକ ଯିବାରେ ଲାଗିଛନ୍ତି?
ଉତ୍ତର : ଆମକୁ ଉପରୁ
ଯାହା ନିର୍ଦ୍ଦେଶ ଆସୁଛି। ଆମେ ତ ଗାଡିକୁ ଅଟକାଇ ନାହୁଁ।
ମୁଁ: ତାହା ଆମେ
ଜାଣୁ। କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଗାଡି ୧୫ ଘଣ୍ଟା ବିଳମ୍ବ ହୋଇଛି। ଏହା କଣ କଣ୍ଟ୍ରୋଲ ରୁମ
ଜାଣିପାରୁନାହିଁ? ନା ଆମ ଲାଗି ସମୟର କୌଣସି ଗୁରୁତ୍ଵ ନାହିଁ?
ଉତ୍ତର: ଆପଣଙ୍କ ଏହା
ବାଙ୍ଗାଲୋର – ଗୌହାଟି ସ୍ପେଶିଆଲ ଟ୍ରେନ। ଟିକଟ ଭଡା ଅଧିକ ଦେଇ ଆପଣ ଟିକଟ କରିଛନ୍ତି। ତଥାପି
ଆପଣଙ୍କ ଗାଡିକୁ ଅଟକାଇବା ଲାଗି ଆମକୁ ନିର୍ଦ୍ଦେଶ ଆସୁଛି। ଆମେ କଣ କରିବୁ?
ମୁଁ: ଆପଣଙ୍କ
କଣ୍ଟ୍ରୋଲ ରୁମକୁ ଜଣାନ୍ତୁ ଅଥବା ମୋତେ କଥା ହେବା ଲାଗି ଦିଅନ୍ତୁ।
ଷ୍ଟେସନ ମାଷ୍ଟର ଏହାପରେ
ଫୋନ କରି ବଙ୍ଗଳା ଭାଷାରେ ‘ଜଣେ ଯାତ୍ରୀ ବିରକ୍ତ ହେଉଥିବା କହୁଥିବା
ଶୁଣି ମୁଁ ଚାଲିଆସିଲି।
ମୋର ଷ୍ଟେସନ
ମାଷ୍ଟରଙ୍କ ଅଫିସ ଆଡକୁ ଯିବା ପ୍ଲାଟଫର୍ମରେ ଅନେକ ଯାତ୍ରୀ ଦେଖୁଥିଲେ। ଗାଡି ତିନି ନମ୍ବର ପ୍ଲାଟଫର୍ମରେ
ଠିଆ ହୋଇଥାଏ। ପ୍ରାୟ ପଚାଶ ପାଖାପାଖି ଯୁବକ ଡକାଡାକି ହୋଇ ଷ୍ଟେସନ ମାଷ୍ଟରଙ୍କ ଅଫିସ ଆଡକୁ
ଚାଲିଗଲେ। ଏହି ଭିତରେ ଟ୍ରେନର ହର୍ଣ୍ଣ ବାଜିଲା। ଗାର୍ଡ ସେମାନେ ଆସି ଗାଡିରେ ବସିବା
ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ।
ଏହାର ଠିକ ଦୁଇଟି
ଷ୍ଟେସନ ପରେ ପୁଣି ଗାଡି ଦୀର୍ଘ ସମୟ ଧରି ଠିଆ ହେଲା। ଏଥର ପୁଣି ପଚାଶ ଷାଠିଏ ଯୁବକ ପୁଣି
ଷ୍ଟେସନ ମାଷ୍ଟରଙ୍କ ନିକଟକୁ ଗଲେ। ପୁଣି ଗାଡି ହର୍ଣ୍ଣ ଦେଇ ଛାଡିଲା। ଠିକ ଗୋଟିଏ ଷ୍ଟେସନ
ଯାଇଛି ପୁଣି ଗାଡି ଠିଆ ହେଲା। ଯୁବକମାନେ ପୁଣି ପାଟି କରି ଅଫିସ ଆଡକୁ ଯିବା ଦେଖି ପୁଣି ଗାଡିର
ହର୍ଣ୍ଣ ବାଜିଲା। କହିବାକୁ ଗଲେ ଅମାନିଆ ବଳଦକୁ ବାଡେଇ ବାଡେଇ ଶଗଡ ଗଡାଇବା ଭଳି ଲୋକେ ଛାଟ ମାରି
ମାରି ଟ୍ରେନକୁ ଆଗକୁ ନେଉଥଲେ।
ଏ ଭିତର ଟ୍ରେନ ନ୍ୟୁ
କୁଚ୍ ବିହାର ଷ୍ଟେସନ ଦିନ ତିନିଟାରେ ପହଞ୍ଚିଲା। ଜଳପାଇଗୁଡି ଠାରୁ କୁଚବିହାର ଚାରି ଘଣ୍ଟାର
ରାସ୍ତାକୁ ଛଅ ଘଣ୍ଟା ନେଇଗଲା। ଲୋକେ ଭୋକରେ ଶୁଖିଯାଇଥିଲେ। ଟ୍ରେନ ପୁଣି କୋକ୍ରାଝର ଠାରେ ଦୀର୍ଘ
ଏକ ଘଣ୍ଟା ପରେ ଛାଡିଲା। ଆଉ ଲୋକଙ୍କ ଛାଟ କାମ ଦେଲା ନାହିଁ।
ଦୀର୍ଘ କୋଡିଏ ଘଣ୍ଟାର
ବିଳମ୍ବରେ ଟ୍ରେନ ରାତି ବାରଟା ପରେ ଗୌହାଟି ପହଞ୍ଚିଲା। ଏଠାରେ ଖେଦ ପ୍ରକାଶ ବା ଦୁଃଖ ପ୍ରକାଶ
କରିବା ଲାଗି କେହି ଷ୍ଟେସନରେ ନଥିଲେ। କିଏ ବା କରିଥାନ୍ତା?
ସେହି ସ୍ପିଷ୍କର ଯେଉଁ ଠାରୁ ଏ ସ୍ଵର ମୋର କାନକୁ ଆସୁଥିଲା? ସେହି
ଷ୍ଟେସନ ଯେ ତୁଠ ପଥର ଭଳି ବସିଛି ଓ ବସିଛି? ସେହି ଷ୍ଟେସନ ମାଷ୍ଟର ଯେ
ପ୍ରତି ବର୍ଷ ବଦଳିଥାନ୍ତି? ରେଳ ଭିବାଗର ଦୁଃଖ ପ୍ରକାଶ କେବଳ ଏକ
ରେକର୍ଡ ହୋଇଥିବା ସ୍ଵର।
ବ୍ରିଟିଶ ସମୟରୁ ଏପରି କୃତ୍ରିମ ବିନମ୍ରତା ରେଳ ବିଭାଗ ଶୁଣାଇ ଆସୁଛି।
ଅତି ଅବଶ ଦେହ, କ୍ରୋଧିତ ମନ, ଗୋଳମାଳ ହୋଇଯାଇଥିବା ନିଜ କାର୍ଯ୍ୟସୂଚୀ ଓ ରେଳ
ବିଭାଗକୁ ଧିକ୍କାର କରି ଆମେମାନେ ଟ୍ରେନରୁ ଓହ୍ଲାଇଲୁ। ଷ୍ଟେସନ ବାହାରେ “ଅଟୋ ଅଟୋ”
“ଟ୍ଯାକ୍ସି ଟ୍ଯାକ୍ସି”ର ଉଚ୍ଚସ୍ଵର ଭିତରେ ଆମେ କୁଆଡେ ହଜିଗଲୁ।
ମୋବାଇଲ; ୯୪୩୭୭୬୨୨୭୨


No comments:
Post a Comment