କେନ୍ଦ୍ର ସାହିତ୍ଯ ଏକାଡେମି ଦ୍ଵାରା ପୁରସ୍କୃତ “ଅରଣ୍ୟର ଅଧିକାର” ଉପନ୍ୟାସର ପ୍ରଖ୍ୟାତ ଔପନ୍ୟାସିକା ମହାଶ୍ଵେତା ଦେବୀ ଆଜି ବଞ୍ଚିଥିଲେ ତାଙ୍କୁ ଏକ ଶହ ବର୍ଷ ହୋଇଥାନ୍ତା। ତାଙ୍କର ଜନ୍ମ ଜାନୁଆରୀ ୧୪, ୧୯୨୬ ମସିହାରେ। ଅନ୍ଯତମ ପ୍ରସିଦ୍ଧ ଉପନ୍ୟାସ “ହଜାରେ ଚଉରାଅଶିର ମା” ଲାଗି ସେ ଜ୍ଞାନପୀଠ ପୁରସ୍କାର ଦ୍ଵାରା ମଧ୍ୟ ପୁରସ୍କୃତ ହୋଇଥିଲେ। ନିଜର ସୃଜନଶୀଳ ଲେଖା ଲାଗି ସେ ପଦ୍ମଶ୍ରୀ ଓ ପଦ୍ମଭୂଷଣ ପୁରସ୍କାର ମଧ୍ୟ ପାଇଛନ୍ତି।
କେବଳ ସରକାରୀ ପୁରସ୍କାର ନୁହେଁ ତାଙ୍କର
ପାଠକଙ୍କ ସଂଖ୍ୟା ମଧ୍ୟ କିଛି କମ ନଥିଲା। ଯଦିଓ ସେ ବଙ୍ଗାଳୀ ଭାଷାରେ ଲେଖୁଥିଲେ କିନ୍ତୁ
ହିନ୍ଦୀ ଓ ଇଂରାଜୀ ଭାଷାର ଅନୁବାଦିତ ତାଙ୍କ ପୁସ୍ତକର ବିକ୍ରି ଏକଦା ଅଧିକ ଥିଲା। ନିଜର
ଉପନ୍ୟାସ ଓ ଗଳ୍ପର ବିକ୍ରି ଉପରେ ଜୀବନ ନିର୍ବାହ କରିଥିବା ଅଳ୍ପ କେତେଜଣ ଭାରତୀୟ ଲେଖକ ବା
ଲେଖିକାଙ୍କ ମଧ୍ୟରେ ସେ ଥିଲେ ଅନ୍ଯତମ।
ତାଙ୍କର ପାଠକ ଦେଶର ଅନେକ କୋଣରେ
ରହିଛନ୍ତି। ଅନେକ ରାଜ୍ୟର ପାଠ୍ୟ ପୁସ୍ତକରେ ତାଙ୍କର ଗଳ୍ପ ଓ ଉପନ୍ୟାସ ପଢାଯାଉଛି। ଏପରି କୌଣସି
ଭାରତୀୟ ଭାଷା ନାହିଁ ଯେଉଁ ଭାଷାରେ ତାଙ୍କର କୌଣସି ଉପନ୍ୟାସ ଅଥବା ଗଳ୍ପ ଅନୁବାଦିତ ହୋଇ
ରହିନାହିଁ। ଅଥଚ ଆଜି ତାଙ୍କର ୧୦୦ ତମ ଜନ୍ମ ବର୍ଷରେ କେନ୍ଦ୍ର ସାହିତ୍ଯ ଏକାଡେମି ଓ ସାହିତ୍ଯ ଫେଷ୍ଟିବାଲ
ଇତ୍ୟାଦିରେ କୌଣସି ଆଲୋଚନା ନହେବା ମୋତେ ଆଶ୍ଚର୍ଯ୍ୟ କରୁଛି।
ସାହିତ୍ଯ ଜଗତ ହୁଏତ ନିଜକୁ ମହାଶ୍ଵେତା
ଦେବୀଙ୍କ ଲେଖା ଠାରୁ ଦୂରେଇ ରଖିବାକୁ ଉଚିତ ମନେକରୁଥାଇପାରେ। କିନ୍ତୁ ତାଙ୍କର ଲେଖା ଆମକୁ ପ୍ରତିବାଦ
ଓ ପ୍ରତିରୋଧ ଲାଗି ସାହସ ଦେଉଛି। ସେ ବିଶ୍ଵାସ କରୁଥିଲେ ପ୍ରତିରୋଧକୁ, ପ୍ରତିବାଦକୁ, ସେହି ପ୍ରତିବାଦ ଯାହାର କୌଣସି ଅନ୍ତ ନାହିଁ।
ଏହା ତାଙ୍କର ଅନେକ ଗଳ୍ପ ଓ ଉପନ୍ୟାସରେ ପ୍ରତିଫଳିତ।
ମହାଶ୍ଵେତା ଦେବୀଙ୍କ ଗଳ୍ପ “ଦ୍ରୌପଦୀ” ର
ଶେଷ ଦ୍ରୁଶ୍ଯକୁ କଳ୍ପନା କଲେ କୌଣସି ପାଠକ ସୁପ୍ତ ହୋଇରହିପାରିବ ନାହିଁ। ଲେଖିକାଙ୍କ
“ଦ୍ରୌପଦୀ”ର ଜୀବନ ଓ ଲଢେଇ ଏତେ ବାସ୍ତବ ହୋଇଛି ଯେ ସେହି ସ୍ଥାନରେ ସେହି ଚରିତ୍ର ସେହି ଭାବରେ
ହିଁ ନିଜର ପ୍ରତିକ୍ରିୟା ରଖିବାକୁ ବାଧ୍ୟ। କାହାଣୀର ମୁଖ୍ୟ ଚରିତ୍ର ଦ୍ରୌପଦୀ ବା ଦୋପଦୀ
ଜଣେ ସାନ୍ତାଳୀ ଆଦିବାସୀ ମହିଳା। ତାଙ୍କ
ବିରୁଦ୍ଧରେ ସରକାରୀ ଅଭିଯୋଗ ଯେ ଗାଁରେ ଥିବା କୂଅ ଓ ନଳକୂଅକୁ ଗାଁର ଜମିଦାର ସୂର୍ଯ୍ୟ ସାହୁ
ଅକ୍ତିଆର କରିବା ହେତୁ ସେ ନିଜ ସ୍ଵାମୀ ଧୂଲନା ମାଝି ସହିତ ମିଶି ଜମିଦାରକୁ ହତ୍ୟା କରିଛି।
ଦୋପଦୀ ଓ ଧୂଲନାକୁ ଧରିବା ଲାଗି ସରକାର
ପୋଲିସ ଅଫିସର ସେନାନାୟକ (ବୁରା ବାବୁ)ଙ୍କ ନେତୃତ୍ଵରେ ‘ଅପରେସନ
ବାକୁଲି’ ଆରମ୍ଭ କରିଛନ୍ତି। ସାହୁକାରର ଅତ୍ୟାଚାରକୁ ରୋକିବା ଦିଗରେ
ସରକାରୀ ଅସମର୍ଥତା ଅଫିସର ସେନାନାୟକ ଲାଗି ଆଦୌ ଆଲୋଚନାର ପ୍ରସଙ୍ଗ ହୋଇରହିନାହିଁ। ଅଥଚ ସରକାରୀ
ଯବାନମାନେ ସ୍ଵାମୀ ସ୍ତ୍ରୀଙ୍କୁ ଧରିବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ପୋଲିସର ସେହି
ଅପରେସନ ଭିତରେ ଧୂଲନାକୁ ହତ୍ୟା କରାଯାଇଛି। ଦୋପଦୀ ଧରା ହୋଇଛି। ପୋଲିସ
କ୍ୟାମ୍ପ ଭିତରେ ସେନାନାୟକ ନିଜର ପୋଲିସ କର୍ମଚାରୀଙ୍କୁ ଦୋପଦୀକୁ “ଯାହା କରିବା କଥା କରିଦିଅ”
କହି ଚାଲିଯାଇଛି।
ପୋଲିସମାନେ ମିଳିତ ଭାବରେ ଦୋପଦୀକୁ ଗଣଧର୍ଷଣ
କରିଛନ୍ତି। କିଛି ସମୟ ପରେ ସେନାନାୟକ ଆସିଛି। ଦୋପଦୀ ନିଜର ବସ୍ତ୍ରକୁ ଫିଙ୍ଗି ଉଲଗ୍ନ ହୋଇ ଠିଆ
ହୋଇଛି। ସେନାନାୟକ ଯବାନମାନଙ୍କୁ ପଚାରୁଛି “ତାହାର ଲୁଗା କାହିଁ?” ଯବାନ ମାନେ କହୁଛନ୍ତି, “ସେ ଲୁଗାକୁ ଚିରି ଦେଇଛି।“
ଦୋପଦୀ ଉତ୍ତର ଦେଉଛି, “ଏଠି କେହି ମର୍ଦ୍ଦ ନାହିଁ ଯାହାକୁ ମୁଁ ଲଜ୍ଜା କରି ଲୁଗା ପିନ୍ଧିବି।“ ନିଜ ଓଠରୁ
ଝରୁଥିବା ରକ୍ତକୁ ପୋଛୁଛି ଓ ସେନାନାୟକଊ ପଚାରୁଛି, “ତୁ ମୋତେ ଲଙ୍ଗଳା
କରିଦେଇପାରୁ। କିନ୍ତୁ ମୋତେ ପୁଣି ପିନ୍ଧାଇ
ପାରିବୁ କି ଲୁଗା? ତୁ କ’ଣ ପୁରୁଷ?”
ଦୋପଦୀ ସେନାନାୟକର ଅତି ପାଖକୁ ଆସିଯାଉଛି।
ନିଜର ସ୍ତନକୁ ସେନାନାୟକର ଛାତିରେ ଧକ୍କା ଦେଇ ଚିତ୍କାର କରୁଛି, “ମୋତେ ସାମ୍ନା କର.... ତୁ ଆଉ କଣ କରିପାରିବୁ ମୋର କର,
ଯାହା ପାରୁଛୁ କର, ମୋତେ ସାମ୍ନା କର।”
ସେନାନାୟକ ପ୍ରଥମ ଥର ଲାଗି ଏକ ନିରସ୍ତ୍ର ଲୋକ ସାମ୍ନାରେ ଠିଆ ହେବାକୁ ଡରି ଯାଉଛି।
ମହାଶ୍ଵେତା ଦେବୀଙ୍କ ଗଳ୍ପ “ଦ୍ରୌପଦୀ”
ଗଳ୍ପର ପୃଷ୍ଠଭୂମୀ ହେଉଛି ସତୁରୀ ଦଶକର ନକ୍ସଲବାଡି ଆନ୍ଦୋଳନ। ଏହି ଆନ୍ଦୋଳନକୁ କଂଗ୍ରେସ
ପାର୍ଟି କେନ୍ଦ୍ରରେ ଥିବା ସମୟରେ ସାମରିକ ବାହିନୀକୁ ବ୍ୟବହାର କରି ସଂପୂର୍ଣ୍ଣ ଦମନ କରିଛି।
ଏହି ଗଳ୍ପ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ
ଇଂରାଜୀ ବିଭାଗର ପାଠ୍ୟକ୍ରମରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରହିଥିଲା। କଂଗ୍ରେସ ସରକାର ଏଥିରେ
ଅଶ୍ଵସ୍ତି ଅନୁଭବ କରିନଥିଲା। କିନ୍ତୁ ଭାରତୀୟ ଜନତା ପାର୍ଟି ୨୦୧୪ ମସିହାରେ କ୍ଷମତାକୁ ଆସିବା
ପରେ ଏହି ଗଳ୍ପକୁ ସହ୍ୟ କରିପାରିଲା ନାହିଁ। ଶେଷରେ ୨୦୧୬ ରେ ଏହାକୁ ପାଠ୍ୟକ୍ରମରୁ ବାଦ
ଦିଆଗଲା।
କଂଗ୍ରେସର ‘ସନ୍ତୁଳନ ରାଜନୀତି’ (ଉଭୟ ଶୋଷକ ଓ ଶୋଷିତ ଏକ ସମାଜରେ
ରହିଥାନ୍ତୁ) ରେ ଛାତ୍ରଛାତ୍ରୀମାନେ ‘ଦ୍ରୌପଦୀ’ କାହାଣୀ ପଢିବାର ସୁଯୋଗ ପାଉଥିଲେ । ବିଜେପିର ଏକ ପାଖିଆ ରାଜନୀତି
କାରଣରୁ (କେବଳ ଶୋଷକମାନେ ସୁରକ୍ଷିତ ରୁହନ୍ତୁ) ଏହି ଗଳ୍ପକୁ ବାଦ ଦିଆଗଲା। ବିଜେପି ଛତିଶଗଡ
ରାଜ୍ୟରେ ଯେଉଁ ‘ଅପରେସନ କଗାର’ ଆରମ୍ଭ
କରିଛି ତାହା ଦୋପଦୀକୁ ଧରିବା ଲାଗି ହୋଇଥିବା ‘ଅପରେସନ ବାକୁଲି’ ଠାରୁ ଆଦୌ ଭିନ୍ନ ନୁହେଁ ବରଂ ଅଧିକ ଭୟାନକ।
ମହାଶ୍ଵେତା ଦେବୀଙ୍କ ପ୍ରତିବାଦ କାହାଣୀର
ଅନ୍ୟ ଏକ ଉଦାହରଣ ହେଲା ଉପନ୍ୟାସ “ହଜାରେ ଚଉରାଅଶିର ମା” ଯାହା ଲାଗି ସେ ଜ୍ଞାନପୀଠ ପୁରସ୍କାର
୧୯୯୬ ବର୍ଷରେ ପାଇଥିଲେ। ପୁରସ୍କାର ବିତରଣ ସମୟରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ରହିଥିଲେ।
ଆଜି କେନ୍ଦ୍ର ସରକାରଙ୍କର ସାହିତ୍ଯ
ପୁରସ୍କାର କ୍ଷେତ୍ରରେ ହସ୍ତକ୍ଷେପ ଏତେ ବଢି ଯାଇଛି ଯେ ଏଥର ଏକାଡେମି ପୁରସ୍କାର ଘୋଷଣା ଶେଷ
ମୁହୂର୍ତ୍ତରେ ବାତିଲ ମଧ୍ୟ କରିଦିଆଗଲା। ସାମାନ୍ୟତମ ସମାଲୋଚନାକୁ ସହ୍ୟ କରିପାରୁନଥିବା ଏକ
ସରକାର ସମୟରେ “ହଜାରେ ଚଉରାଅଶିର ମା” ର କଥାବସ୍ତୁକୁ ନେଇ ଆଜି ଉପନ୍ୟାସ ପ୍ରକାଶ ପାଇବା ମଧ୍ୟ
କଷ୍ଟ ହୋଇଯିବ।
ଏହାର କଥାବସ୍ତୁ ଅନୁସାରେ, ୧୯୬୮ ମସିହାର ନକ୍ସଲବାଡି ଆନ୍ଦୋଳନ ଜଳପାଇଗୁଡ଼ି ସୀମା ଅତିକ୍ରମ କରି କଲିକତା ସହର
ପହଞ୍ଚିଥାଏ। ଏଥିରେ ହଜାର ହଜାର ଛାତ୍ରଛାତ୍ରୀ ସମାଜବାଦର ସ୍ଵପ୍ନ ନେଇ ଯୋଗଦେଇଥାନ୍ତି। ପୁଲିସ
ଦ୍ଵାରା ସଂଗଠିତ ଏନକାଉଣ୍ଟର ହତ୍ୟା, ଗିରଫ,
ନିର୍ଯାତନାର ବିଭିନ୍ନ ଘଟଣାକୁ ନେଇ “ହଜାରେ ଚଉରାଅଶିର ମା” ଲିଖିତ।
ମାକ୍ସିମ ଗର୍କୀଙ୍କ ‘ମା’ ରେ ନୀଲୋଭ୍ନା ଧୀରେ ଧୀରେ ପୁଅ ପାଭେଲର କାର୍ଯ୍ୟ ସହିତ
ସାମିଲ ହୋଇଯାଇଛନ୍ତି, ସେ ଚିଠିବାହିକା ହୋଇଛନ୍ତି, ରୁଷ ବିପ୍ଳବୀଙ୍କୁ ଆଶ୍ରୟ ଦେଉଛନ୍ତି। ଏହା ପାଭେଲର ଜୀବନ କାଳ
ମଧ୍ୟରେ ହୋଇଛି। ପାଭେଲଙ୍କୁ ଜାର ଶାସକଙ୍କ ଦ୍ଵାରା ସାଇବେରିଆ ଜେଲକୁ ପଠାଇ ଦିଆଯାଉଛି। ତାଙ୍କର
ସ୍ଥାନରେ ନୀଲୋଭ୍ନା ଏକ କମ୍ରେଡର ଭୂମିକା ନେଉଛନ୍ତି। କିନ୍ତୁ ମହାଶ୍ଵେତା ଦେବୀଙ୍କ ‘ହଜାରେ ଚଉରାଅଶିର ମା’ର ମୁଖ୍ୟ ଚରିତ୍ର ବ୍ରତୀର ମା ଭାବରେ
ସୁଜାତା ବ୍ରତୀର ହତ୍ୟା ପରେ ତାହାର ରାଜନୈତିକ କାର୍ଯ୍ୟକୁ ବୁଝିବାକୁ ଚେଷ୍ଟା କରୁଛନ୍ତି। ସେହି
ଭିତରେ ତାଙ୍କର ପ୍ରତିବାଦ କରିବାର ପ୍ରସ୍ତୁତି ମଧ୍ୟ ବଢିବାରେ ଲାଗିଛି। ଶେଷରେ ସେ ଏକ
ସରକାରଙ୍କ ଦ୍ଵାରା ନିୟୋଜିତ ହତ୍ୟାକାରୀକୁ ଖସି ଯାଉଥିବା ସମୟରେ ଧରି ଦେଉଛନ୍ତି।
ବିଜେପି ନେତୃତ୍ଵାଧୀନ କେନ୍ଦ୍ର ସରକାର
ବଙ୍ଗଳାର ଲେଖକ ବଙ୍କିମ ଚନ୍ଦ୍ରଙ୍କ “ବନ୍ଦେ ମାତରମ” ଦେଶାତ୍ମବୋଧ ଗୀତ ହେଉ ଅଥବା ବଙ୍ଗଳାର
ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ରାଜନୈତିକ ଜୀବନ ହେଉ ଉଭୟକୁ
ନିଜର ଆଦର୍ଶ କରିଛି। ସଂସଦରେ
ଅନେକ ଆଲୋଚନା କରିପାରିଛି। କିନ୍ତୁ ମହାଶ୍ଵେତା ଦେବୀ ନିଜର ଅଧିକାଂଶ ଲେଖାରେ କଂଗ୍ରେସର
ଅତ୍ୟାଚାର ମନୋବୃତ୍ତିକୁ ବିରୋଧ କରିଥିଲେ ମଧ୍ୟ ବିଜେପି ତାଙ୍କୁ କଂଗ୍ରେସ ବିରୁଦ୍ଧରେ ଗୋଟି
କରିବାର ସାହସ ଯୁଟାଇ ପାରିନାହିଁ। ଏଭଳି ନିଷ୍ପତ୍ତିର ମୂଳ କାରଣ ହେଲା ମହାଶ୍ଵେତା ଦେବୀଙ୍କ
ଲେଖାରେ ଯେଉଁଭଳି ପ୍ରଭୁତ୍ଵବାଦକୁ ବିରୋଧ କରାଯାଇଛି ତାହା କଂଗ୍ରେସ ହେଉ କି ବିଜେପି ଅଥବା
ସିପିଏମ (ପଶ୍ଚିମ ବଙ୍ଗରେ ସିପିଏମ ଅନେକ ବର୍ଷ କ୍ଷମତାରେ ଥିଲା) ସମସ୍ତଙ୍କ ବିରୁଦ୍ଧରେ
ପ୍ରଯୁଜ୍ୟ।
ଦଳ ଭାବରେ ନହେଲେ ବି ସରକାରୀ ସ୍ତରରେ ବି
ମହାଶ୍ଵେତା ଦେବୀଙ୍କୁ ମନେନପକାଇବା କଦାପି ଭୁଲିଯିବା ନୁହେଁ ବରଂ ସାହିତ୍ଯ ଜଗତରୁ ତାଙ୍କ
ନାମକୁ ସଂପୂର୍ଣ୍ଣ ପୋଛିଦେବା ଏହାର ଉଦ୍ଦେଶ୍ୟ। ସେ ଥିଲେ ଜଣେ ବାମବାଦୀ ଲେଖିକା କିନ୍ତୁ କୌଣସି
ଦଳୀୟ ମଣିଷ ନଥିଲେ। ସେ ଆଦୌ ଈଶ୍ବର ବିଶ୍ଵାସୀ ନଥିଲେ କିନ୍ତୁ କାହର ବିଶ୍ଵାସକୁ ବାଧା
ଦେଉନଥିଲେ। ରାଜୀବ ମେହରୋତ୍ରାଙ୍କୁ ଦେଇଥିବା ସାକ୍ଷାତକାର (ଯୂଟ୍ଯୂବରେ ଉପଲବ୍ଧ) ରେ ମହାଶ୍ଵେତା
ଦେବୀ କହୁଛନ୍ତି, “ମୁଁ ଲେଖିବା ଆଗରୁ ଅନୁସନ୍ଧାନ କରେ। ଗବେଷଣା
କରେ। ସମାଜର ପେଟକୁ ଚିରି ଦିଏ ଅତି ନିଷ୍ଠର ଭାବରେ ଓ ଏହାପରେ ଲେଖିଥାଏ। ଲେଖିବା ଭିତରେ ମୁଁ
ସର୍ବଦା ଯେ ଶୋଷିତ ତାହାର ପକ୍ଷ ନେଇଥାଏ।“
ମହାଶ୍ଵେତା ଦେବୀ ଅନେକ ପ୍ରସଙ୍ଗରେ
ଅନୁସନ୍ଧାନ ମୂଳକ ଉପନ୍ୟାସ ଓ ଗଳ୍ପ ଲେଖିଛନ୍ତି। ପଶ୍ଚିମ ବଙ୍ଗ ଓ ଝାଡଖଣ୍ଡରେ ଗୋତି ଶ୍ରମିକ
ପ୍ରଥାର ଉଚ୍ଛେଦ ଲାଗି ଲେଖିଛନ୍ତି। ବ୍ରିଟିଶ ସରକାର ଲୋଧା ଓ ଶବର ଆଦିବାସୀଙ୍କୁ ଅପରାଧୀ
ଆଦିବାସୀ ତାଲିକା ଭୁକ୍ତ କରିବାର ବିରୁଦ୍ଧରେ ଲେଖିଛନ୍ତି। ଇଟାଭାଟିରେ କାମ କରୁଥିବା
ଆଦିବାସୀ ମହିଳାଙ୍କ ଦୁରବସ୍ଥାକୁ ନେଇ ଲେଖିଛନ୍ତି। ଆଜବେଷ୍ଟସ ହେତୁ ସିଲିକୋସିସ ରୋଗରେ ପଡୁଥିବା ଆଦିବାସୀଙ୍କ କଥା
ଲେଖିଛନ୍ତି।
ତାଙ୍କର “ଅରଣ୍ୟର ଅଧିକାର” ଗଳ୍ପ
ବୀର୍ସାମୁଣ୍ଡାଙ୍କ ଜୀବନୀ ଓ ଇଂରେଜ ବିରୋଧୀ ସଂଘର୍ଷରେ କାହାଣୀ। ଅରଣ୍ୟ ଉପରେ ଆଦିବାସୀର
ଅଧିକାର ରହିଥିବା କାରଣରୁ ସେ ବୀର୍ସାଙ୍କ ‘ଉଲଗୁଲାନ’ ସମ୍ପର୍କରେ ଲେଖିଛନ୍ତି, “ସେଥିପାଇଁ ତ ବିରସା ଅରଣ୍ୟର
ଅଧିକାର ଚାହିଁଥିଲା। ଅରଣ୍ୟକୁ ସେ ଦିକୁମାନଙ୍କ ଦଖଲରୁ କାଢିନେବ। ଅରଣ୍ୟ ମୁଣ୍ଡାମାନଙ୍କ ମା’ ଏବଂ ଦିକୁମାନେ (ସହରୀ ଶିକ୍ଷିତ ଲୋକେ) ମୁଣ୍ଡାମାନଙ୍କର ଜନନୀକୁ ଅପବିତ୍ର କରି
ରଖିଛନ୍ତି। ଉଲଗୁଲାନର ନିଆଁ ଜଲିଲେ ମୁଣ୍ଡା, କୋହ୍ଲ, ସାନ୍ତାଳୀ, ଓଂରା ସମସ୍ତ ଆଦିବାସୀ ପୁଣି ନିଜ ମା’ କୋଳକୁ ଫେରିଯାଇଥାନ୍ତେ।“ “ଅରଣ୍ୟର
ଅଧିକାର” ଉପନ୍ୟାସ ଲାଗି ତାଙ୍କୁ ୧୯୭୯ ରେ କେନ୍ଦ୍ର ସାହିତ୍ଯ ଏକାଡେମି ପୁରସ୍କାର ମିଳିଥିଲା।
ତାଙ୍କର ‘ସ୍ତନ୍ୟଦାୟିନୀ’ ଗଳ୍ପରେ ସହରୀ ଶିକ୍ଷିତ ମଧ୍ୟବିତ୍ତ
ପରିବାରର ଶଠତା ରହିଛି। ଗଳ୍ପ ଅନୁସାରେ, ଧନୀ ପରିବାରର ପିଲାଙ୍କ
ଦେଖାରଖା ଲାଗି ନିଯୁକ୍ତ ଆୟାର ୨୫ ବର୍ଷର କାର୍ଯ୍ୟ ପରେ ପୁଣି ସେ ବେମାର (ବ୍ରେଷ୍ଟ କ୍ୟାନସର) ହେବା
ହେତୁ ତାହାକୁ ଚାକିରିରୁ ବାହାର କରିଦିଆଯାଇଛି।
ଆଦିବାସୀ ଓ ଗରିବ ମହିଳା ସର୍ବଦା ମହାଶ୍ଵେତା
ଦେବୀଙ୍କ କଥାବସ୍ତୁର ପ୍ରମୁଖ କାହାଣୀ ହୋଇ ରହିଛନ୍ତି। ବିଶେଷକରି ଆଦିବାସୀ ତାଙ୍କର ଲେଖାର
କେନ୍ଦ୍ରବିନ୍ଦୁ। ଆଦିବାସୀଙ୍କ ମଧ୍ୟରେ ରହିଥିବା ନାରୀ ଓ ପୁରୁଷ ସମାନତା, ଆର୍ଥିକ ସମାନତା ତାଙ୍କୁ ଆକର୍ଷିତ କରିଥିଲା। ସେ ଅନୁଭବ କରୁଥିଲେ ଯେ ସଭ୍ୟତା ଆଦିବାସୀଙ୍କ
ପ୍ରତି ଶହ ଶହ ବର୍ଷ ହେଲା ଅନ୍ୟାୟ କରିଚାଲିଛି। ତେଣୁ ତାଙ୍କର ଲେଖା ମାଧ୍ୟମରେ ସେ ଏହାର ଦୃଢ
ପ୍ରତିବାଦ କରିଛନ୍ତି।
ପ୍ରଭୁତ୍ଵବାଦ ବିରୁଦ୍ଧରେ ଆଦିବାସୀଙ୍କ
ଲଢେଇ ଏବେ ବି ଚାଲିଛି। ସେହି ଲଢେଇ ପୁଣି ମୁଖ୍ୟ ଧାରାରେ ନଆସିବା ଲାଗି କେତେକ ଅସହିଷ୍ଣୁ
ଗୋଷ୍ଠୀର ଉଦ୍ୟମ। ଏହି କାରଣରୁ ତାଙ୍କର ଜନ୍ମ ଶତବାର୍ଷିକୀରେ ତାଙ୍କ ଲେଖାର କୌଣସି ଆଲୋଚନା
ଶୁଣିବାକୁ ମିଳୁନାହିଁ। ମହାଶ୍ଵେତା ଦେବୀ କିନ୍ତୁ ଏହାର ଯଥେଷ୍ଟ ଉର୍ଦ୍ଧରେ। ତାଙ୍କର ଦେହାନ୍ତ
୨୦୧୬ ମସିହାରେ ହୋଇଥିଲା।
ଏହି ପ୍ରଖ୍ୟାତ ଲେଖିକାଙ୍କ ପ୍ରତି ସମଗ୍ର
ମାନବ ସମାଜର ଗଭୀର ଶ୍ରଦ୍ଧାଞ୍ଜଳି।
ମୋବାଇଲ
: ୯୪୩୭୭୬୨୨୭୨

No comments:
Post a Comment