Saturday, January 31, 2026

‘ପ୍ରେମ’, ‘ପ୍ରତିବାଦ’ ଓ ଜୟନ୍ତ ମହାପାତ୍ରଙ୍କୁ ନେଇ ବୃତ୍ତଚିତ୍ର

 



 

ଦେବ ରଞ୍ଜନ

              କୌଣସି କବିଙ୍କ ଉପରେ ବୃତ୍ତଚିତ୍ର ବା ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରିବା ଏତେ ସହଜ କଥା ନୁହେଁ। ପୁଣି ଜୟନ୍ତ ମହାପାତ୍ର ଯାହାଙ୍କର କବିତାରେ ଭୋକ, ଦୁର୍ଭିକ୍ଷ, ଦାରିଦ୍ର୍ଯ, ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର, ଓଡିଶାର ସଂସ୍କୃତି, ମଣିଷର ଇତିହାସ, ପ୍ରେମ, ଭୟ, ସ୍ଵାଧୀନତା ଓ ପ୍ରତିବାଦ ରହିଛି ତାହାଙ୍କ ଉପରେ ବୃତ୍ତଚିତ୍ର ନିର୍ମାଣ ତ ଆହୁରି କଷ୍ଟ।

              ବୃତ୍ତଚିତ୍ର ନିର୍ମାତା ବିଶ୍ଵେଶ୍ଵର ଦାଶ ଅତି ସାହସିକ ପଦକ୍ଷେପ ନେଇଛନ୍ତି। ତାଙ୍କର ଫିଲ୍ମ A Tale to Begin With (ଏକ କାହାଣୀରୁ ଆରମ୍ଭ) ଦେଖିବାର ସୁଯୋଗ ମିଳିଲା ବିକଳ୍ପ ଅନଲାଇନ ଫିଲ୍ମ ଫେଷ୍ଟିଭାଲ ମାଧ୍ୟମରେ। ଏହି ୮୨ – ମିନିଟର ଫିଲ୍ମରେ ରହିଛି ଜୟନ୍ତ ମହାପାତ୍ରଙ୍କ ସହିତ କିଛି ଆଳାପ, ତାଙ୍କର ସାହିତ୍ଯ ଫେଷ୍ଟିଭାଲମାନଙ୍କରେ ଯୋଗଦାନ, ତାଙ୍କ କବିତାର କିଛି ଅଂଶ, ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର

              ଫିଲ୍ମର ଆରମ୍ଭରେ ଜୟନ୍ତ ମହାପାତ୍ରଙ୍କ ସ୍ଵର ଶୁଣି ମୁଁ କିଛି ସମୟ ଲାଗି ସ୍ତମ୍ବିଭୂତ ହୋଇଗଲି। ତାଙ୍କର ମୃତ୍ୟୁ ପରେ ତାଙ୍କର ସ୍ଵର ଶୁଣିବା ତାହା ମୋର ପ୍ରଥମ ଥିଲା। ଲାଗିଲା ଯେମିତି ସେ ଆମ ଚାରିପାଖରେ ଅଛନ୍ତି ଓ କିଛି କହୁଛନ୍ତି। ସେ କହୁଛନ୍ତି,

              “ଜୟନ୍ତ ମହାପାତ୍ର ସେଭଳି କିଛି ମୂଲ୍ଯବାନ କାମ କରିନାହିଁ। ଆଜିର ଯୁବାପୀଢି ତା ବିଷୟରେ ଅଜ୍ଞ। ଯେଉଁ ଅଳ୍ପ କେତେକ ତାକୁ ଜାଣିଥିଲେ ସେମାନଙ୍କର ମୃତ୍ୟୁ ହୋଇସାରିଲାଣି। ସେ ସତ କହିବା ଲାଗି ଅତି ଖରାପ ମଣିଷ ବି ହୋଇଯାଇଛି। ସେ ତା ନିଜ କର୍ମର ନିଆଁରେ ଜଳୁଥାଏ। ଲୋକେ କେବଳ ଝୁଲ ଓ ଧୂଆଁ ହିଁ ଦେଖିପାରନ୍ତି ଯାହା ଝିଲିଝିଲିଆ ଓ ଅସ୍ପଷ୍ଟ।“  

              କଟକ ସହରର ଅଳ୍ପ ଦୂରରେ ନରାଜ ବ୍ରିଜ ଅବସ୍ଥିତ। ଏହିଠାରେ ମହାନାଦୀରୁ କାଠଯୋଡି ନଦୀର ସୃଷ୍ଟି। ସେହି ନାରାଜ ଛକର ପକୁଡି ଓ ଗୁଗୁନି ଦୋକାନ ଭିତରେ ଜୟନ୍ତ ମହାପାତ୍ର ପକୁଡି ଖାଉଥିବା ବେଳେ କବିତା ସମ୍ପର୍କରେ ଆଲୋଚନା ଆରମ୍ଭ କରୁଛନ୍ତି। ବେଶ ନୋଷ୍ଟାଲଜିକ ଯେ କେହି ହୋଇଯିବ। କବି ମଧ୍ୟ ବେଶ ଭାବୁକ ହୋଇଯାଇଛନ୍ତି। କହୁଛନ୍ତି, “ସ୍ମୃତିକୁ ନେଇ ଜୀବନ। ଜୀବନରୁ ସ୍ମୃତିକୁ କାଟିଦିଅ, ଜୀବନରେ କଣ ରହିଲା? ଜୀବନତା ସ୍ମୃତିମୟ।  ମୁଁ ଯଦି ମୋ ସ୍ମୃତିକୁ କାଟି ଦେବି ତେବେ ବଞ୍ଚିବି କେମିତି? ମୁଁ କଣ ମୋ ସ୍ମୃତିକୁ ବାଦ ଦେଇ ବଞ୍ଚିପାରିବି! କେବେ ନୁହେଁ। ହଁ, ସେହି ସ୍ମୃତି ଦୁଇ ପ୍ରକାରର, କିଛି ସ୍ମୃତି ଯନ୍ତ୍ରଣା ଦିଏ ଓ କିଛି କିଛି ଆନନ୍ଦ ମଧ୍ୟ। ସ୍ମୃତି ପୁଣି କେବେ ଏକ ଯନ୍ତା ହୋଇଯାଏ, ବା ଫାଶଟିଏସେତେବେଳେ ମଣିଷ ସେହି ଯନ୍ତାରୁ ବାହାରିବା କଷ୍ଟ ହୋଇଯାଏ। ମଣିଷ ସେହି ଯନ୍ତା ଭିତରେ ରହିଯାଏ।“

              ମଣିଷ ପୁଣି ଯନ୍ତା ଭିତରୁ ବାହାରି ଆସିବା ଲାଗି ନିଜ ସହିତ ସଂଘର୍ଷ କରେ। ଯେ ବାହାରି ଆସିପାରେ ସେ ପୁଣି ପୃଥିବୀକୁ ନୂଆ ଭାବରେ ଦେଖିପାରେ, ଭଲପାଏ। ସେହି ଭିତରେ ପୁଣି କେହି କେହି ନିଜର ସେହି ସ୍ମୃତିକୁ ନେଇ କବିତା ମଧ୍ୟ ଲେଖିଥାନ୍ତି। ଜୟନ୍ତ ମହାପାତ୍ର ସେହିଭଳି ତାଙ୍କର ସ୍ମୃତିକୁ ନେଇ ରାତିଦିନ କଷ୍ଟ ପାଇଛନ୍ତି। କିନ୍ତୁ ସେହିଠାରେ ଅଟକି ଯାଇନାହାନ୍ତି। ତାଙ୍କ କବିତାରେ ତାହାର ପରିପ୍ରକାଶ ଘଟିଛି।

              ଜୟନ୍ତ ମହାପାତ୍ର ନିଜ କବିତା, ଲେଖା ଓ ସାକ୍ଷାତକରରେ କେବେ ତାଙ୍କ ଜେଜେବାପାଙ୍କୁ ଭୁଲନ୍ତି ନାହିଁ, ବିଶେଷକରି ଜେଜେବାପା ଭୋଗିଥିବା ଦୁର୍ଭିକ୍ଷ (୧୮୬୪ – ୬୫)ର ସମୟଫିଲ୍ମରେ ମଧ୍ୟ ତାହାର କିଛି ତଥ୍ୟ ରହିଛି, ଯଦିଓ ବେଶ ସଂକ୍ଷିପ୍ତ। ଜୟନ୍ତ ସାର ନିଜର ଚେର ଖୋଜିଛନ୍ତି। କିନ୍ତୁ ଜେଜେବାପା ନିଜର ପିଲା ସମୟରେ ଦୁର୍ଭିକ୍ଷରୁ ରକ୍ଷା ପାଇବା ଲାଗି କଟକ ଚାଲିଆସିବା କାରଣରୁ ଓ ଘରର ବାକି ସଦସ୍ୟ ମରିଯିବା କାରଣରୁ ସେ ନିଜର ପରିବାରର ଇତିହାସକୁ ଖୋଜି ପାଇପାରିନାହାନ୍ତି। ଏହା ତାଙ୍କର ଗଭୀର ଯନ୍ତ୍ରଣା।  ଫିଲ୍ମରେ ସେ କହୁଛନ୍ତି, “କବିତା ଅତି ଛୋଟ ଛୋଟ କଥାରେ ଆସିଯାଏ। ମୋ ଲାଗି ତାହା ହିଁ କବିତା। ମୋ ପିଲାଦିନ ଆଦୌ ଖୁସିରେ ବିତିନାହିଁ। ମୋ ପିଲାଦିନ ମୋ କବିତାରେ ବାରମ୍ବାର ଆସିଥାଏ। ମୋ ଜେଜେବାପା ଦୁର୍ଭିକ୍ଷରେ ମରିଛନ୍ତି। ତାହା ମଧ୍ୟ ବାରମ୍ବାର ମୋ କବିତାରେ ଆସିଛି। ଏହା ମୋ କବିତାର ବାରମ୍ବାରତା ବି କୁହାଯାଇପାରିବ।“ କେବଳ କବିତା ନୁହେଁ ଜୟନ୍ତ ସାର ଆତ୍ମଜୀବନୀ ପାହିନି ରାତି ରେ ମଧ୍ୟ ଜେଜେବାପା ଓ ଜେଜେମାଆଙ୍କ ସମୟର ନଅଙ୍କ ଦୁର୍ଭିକ୍ଷକୁ ବର୍ଣ୍ଣନା କରିଛନ୍ତି।

              କବିତା ଲେଖିବା ସହଜ କଥା ନୁହେଁ। ଲେଖିବାର ପ୍ରକ୍ରିୟା ଯନ୍ତ୍ରଣାଦାୟକ। ଏହାର ଶବ୍ଦ ଗୁଡିକ ଏମିତି ଝଟ କରି ଆସିନଥାଏ। ସେହି ନିର୍ଦ୍ଦିଷ୍ଟ ଶବ୍ଦ ପାଖରେ ପହଞ୍ଚିବାକୁ ବର୍ଷ ବର୍ଷ ବି ଲାଗିଯାଇପାରେ। ଜୟନ୍ତ ମହାପାତ୍ର ନିଜ ଜୀବନର ଅନେକ ସ୍ମୃତି ଓ ଚାରିପାଖର ଘଟଣାକୁ ନେଇ କବିତା ରଚନା କରିଛନ୍ତି। ସେ ଏକ ଝରଣା, ବେଶ ଶାନ୍ତ ଭାବରେ ବୋହିଥାନ୍ତି ନିଜ କବିତାରେ। ଓଡିଶାର ନଦୀ, ପାହାଡ, ଅନେକ କୀର୍ତ୍ତିରାଜୀ, ଆଦିବାସୀ ଜୀବନ ତାଙ୍କ କବିତାରେ ଛାଇ ହୋଇରହିଛି। ତାଙ୍କ କିଛି କବିତାରେ ପ୍ରେମ ଓ ଯନ୍ତ୍ରଣା ରହିଛି। ତାହାକୁ ପ୍ରକାଶ କରିବା ଲାଗି ସେ ଅନେକ ମେଟାଫୋର ବା ରୂପକ ମଧ୍ୟ ବ୍ୟବହାର କରିଛନ୍ତି। ତାଙ୍କର ମେଟାଫୋର ଗୁଡିକ ସର୍ବଦା ଓଡିଶାର ସଂସ୍କୃତି, ସ୍ଥାପତ୍ୟ, ପୁରୀର ବେଳାଭୂମୀ, କଟକର ଜୀବନ, ଚନ୍ଦ୍ରଭାଗା, କୋଣାର୍କ ଇତ୍ୟାଦି।

              ଜୟନ୍ତ ମହାପାତ୍ରଙ୍କ ପ୍ରେମରେ ବ୍ୟକ୍ତିଗତ ବ୍ୟାପାର ବହୁତ କମ ରହିଛି। ସେ ରୋମାଣ୍ଟିକ କବି ନଥିଲେ। ରୋମାଣ୍ଟିକ ପ୍ରେମ କହିଲେ ମଣିଷ ବୁଝେ ନାରୀ – ପୁରୁଷର ଉଲ୍ଲାସ, ପାଖାପାଖି ହେବାର ଜିଜ୍ଞାସା, ରୂପ ବର୍ଣ୍ଣନା ଓ ଯୌନ ଆକର୍ଷଣକିନ୍ତୁ ଜୟନ୍ତ ମହାପାତ୍ର ପ୍ରେମକୁ ଆହୁରି ବ୍ୟାପକ ଅର୍ଥରେ ଦେଖିଛନ୍ତି। ପ୍ରେମ ନିବେଦନ ଭିତରେ ନାରୀ ଉପରେ ପୁରୁଷତନ୍ତ୍ରର ପ୍ରଭାବ, ନାରୀକୁ ପୁରୁଷ ଯୌନକ୍ରିଡନକ ଭାବେ ବ୍ୟବହାର କରିବା, ବେଶ୍ୟାବୃତ୍ତି, ବିଧବା ପ୍ରଥା, ଛୋଟ ବାଳିକା ପ୍ରତି ଯୌନ ନିର୍ଯାତନା ଇତ୍ଯାଦିର ପ୍ରତିବାଦ ତାଙ୍କ କବିତାରେ ରହିଛି।

              ତାଙ୍କର କବିତା ‘Hunger’, ‘The Whorehouse in a Calcutta street’ ‘Man of his Night’ ଇତ୍ୟାଦିରେ ଏହା ସ୍ପଷ୍ଟ। ‘Hunger’ କବିତାରେ ମତ୍ସଜୀବୀ ନିଜର ୧୫ ବର୍ଷର ଝିଅକୁ ବେଶ୍ୟାବୃତ୍ତିରେ ଲଗାଇବା ଓ ଅଫିସର ତାହାକୁ ଗ୍ରହଣ କରିବା ମାଧ୍ୟମରେ ସେ ପୁରୁଷ ଭିତରର ଅମାନବିୟ, ନିଷ୍ଠୁର ଓ ବର୍ବର ପଣକୁ ଦର୍ଶାଇଛନ୍ତି। କିନ୍ତୁ ପ୍ରେମକୁ ନେଇ ଜୟନ୍ତ ମହାପାତ୍ରଙ୍କର ରହିଥିବା ବ୍ୟାପକତାକୁ ଫିଲ୍ମରେ ଦେଖାଯାଇପାରିଲାନି।  

              ଜଣେ କବିଙ୍କ ଉପରେ ଫିଲ୍ମ କରିବା ବେଳେ ଅନେକ ବିଷୟ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ। ଭାରତରେ ବିଭିନ୍ନ ଭାଷାର କବିଙ୍କ ଉପରେ କେହି କେହି ବୃତ୍ତଚିତ୍ର କରିଛନ୍ତି। ଗୁଜୁରାଟୀ ଭାଷାର କବି କବିକାନ୍ଥଙ୍କ ଉପରେ ଫିଲ୍ମ ନିର୍ଦ୍ଦେଶକ ଜୟ ଏକ ଫିଲ୍ମ ଗଲା ବର୍ଷ କରିଛନ୍ତି। ସେଥିରେ ସେ ତାଙ୍କର ସମସ୍ତ ବିଷୟକୁ ଉପସ୍ଥାପନ କରିବାକୁ ଯାଇ ଫିଲ୍ମକୁ ତଥ୍ୟପୂର୍ଣ୍ଣ ପ୍ରବନ୍ଧ ଭଳି କରିଦେଇଛନ୍ତି। କିନ୍ତୁ ଶାବନମ ଭିର୍ମାନୀ କବୀରଙ୍କ ଦୋହା ଉପରେ ପ୍ରାୟ ଚାରି ଘଣ୍ଟାର ଫିଲ୍ମ ତିଆରି କରିଛନ୍ତି। ସେ ଏହାକୁ ତିନୋଟି ଭାଗରେ ବିଭକ୍ତ କରିଛନ୍ତି। ତଥାପି ସେ କବୀରଙ୍କ ସମସାମୟିକ ପ୍ରତିବାଦୀମାନଙ୍କୁ ଛାଡି ଦେଇଛନ୍ତି। ଚାରି ଘଣ୍ଟାର ଫିଲ୍ମରେ ତାହା ଆସିପାରିଥାନ୍ତା।

              ଉତ୍ତର ଭାରତର ଲୋକଗୀତର ଗାୟିକା ରସୁଲ ବାଈଙ୍କ ଉପରେ ସବା ଦିବାନଙ୍କ ଫିଲ୍ମ ଦି ଅଦର ସଙ୍ଗ (The Other Song) ଏ ସମସ୍ତ ଉପସ୍ଥାପନ ମଧ୍ୟରେ ସର୍ବଶ୍ରେଷ୍ଠ। ସବା ଦିବାନ ଗବେଷଣାକୁ ଅଧିକ ଗୁରୁତ୍ଵ ଦେବା କାରଣରୁ ଫିଲ୍ମଟି ଉନ୍ନତ ମାନର ହୋଇଛି। ବିଶ୍ଵେଶ୍ଵର ଦାଶ ‘A Tale to Begin With’ ରେ ଫିଲ୍ମର କଥାବସ୍ତୁକୁ ଅତି କାବ୍ଯିକ ଢଙ୍ଗରେ ଉପସ୍ଥାପନ କରିଛନ୍ତି। ସେ ଫିଲ୍ମର ଶୁଟିଙ୍ଗ ଜୟନ୍ତ ସାରଙ୍କ ଶେଷ ସମୟରେ, ପ୍ରାୟ ୨୦୨୨ ମସିହାରେ ଆରମ୍ଭ କରିଛନ୍ତି ଓ ତାଙ୍କର ମୃତ୍ୟୁ ପରେ ଫିଲ୍ମର ସମାପ୍ତି ଘଟୁଛି। ତେଣୁ ଫିଲ୍ମଟି ଜୟନ୍ତ ସାରଙ୍କ ଅନ୍ତିମ ସମୟର ମନୋଭାବକୁ ପ୍ରକାଶ କରିଛି। ଉପସ୍ଥାପନ ଶୈଳୀ ବି ଉତ୍ତମ ହୋଇଛି।   

              ଜୀବନରେ ଛୋଟ ଛୋଟ କଥାରେ ଯେତିକି ଆନନ୍ଦ ମିଳେ, ମନୁ, ବଡ ବଡ କଥାରେ କେବେ ମିଳେନି”, ଜୟନ୍ତ ସାରଙ୍କ ଏହି ଗୋଟିଏ ଧାଡିର ବକ୍ତବ୍ୟ ଦର୍ଶକଙ୍କୁ ପ୍ରଭାବିତ କରିବା ଲାଗି ଯଥେଷ୍ଟ।

              ଜୟନ୍ତ ମହାପାତ୍ରଙ୍କ ନିକଟରେ ବିନମ୍ରତା ଥିଲା । ଯଦିଓ ତାଙ୍କର କବିତା ତାଙ୍କୁ ପୃଥିବୀର ଅନେକ ଦେଶକୁ ନେଇଯାଇଛି, ଅନେକ ବିଖ୍ୟାତ ଲୋକଙ୍କୁ ପରିଚିତ କରାଇଛି, ପୃଥିବୀରେ ଇଂରାଜୀ ଭାଷା ପ୍ରଚଳନ ଥିବା ଅନେକ ଦେଶର ପାଠ୍ୟକ୍ରମରେ ତାଙ୍କର କବିତା ପଢାଯାଉଛି, ଅନେକ ଇଂରାଜୀ ପତ୍ରିକାରେ ତାଙ୍କର କବିତା ନିୟମିତ ପ୍ରକାଶ ପାଇଛି, ତଥାପି, ତାଙ୍କୁ ଅହଂକାର ଆଦୌ ଛୁଇଁପାରିନଥିଲାତାଙ୍କର ବିନମ୍ରତା ଆମ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଫିଲ୍ମରେ ତାହାକୁ ନିର୍ଦ୍ଦେଶକ ଭଲ ଭାବରେ ଦେଖାଇଛନ୍ତି। ସେ ପକୋଡା ଦୋକାନ ହେଉ ଅଥବା ବରଗଛ ତଳେ ହେଉ ଏହି ବିନମ୍ର ମଣିଷଟି ସେହିଠାରେ ଜୀବନର ଅଡୁଆ ସୂତା ସମ୍ପର୍କରେ ଓ କବିତା ସମ୍ପର୍କରେ ଅତି ଭାବଗମ୍ଭୀର ଆଲୋଚନା କରିବାର ସାମର୍ଥ୍ୟ ରଖୁଛି।

              ଫିଲ୍ମରେ ଜୟନ୍ତ ସାର ନିର୍ଦ୍ଦେଶକଙ୍କୁ କହୁଛନ୍ତି, “ଜଣେ କବି ଲାଗି ତିନୋଟି ବିଷୟ ଜରୁରୀ। ଟିକିଏ ସୂର୍ଯ୍ୟର ଆଲୋକ, ଛୋଟିଆ ଫୁଲଟିଏ ଓ ସ୍ଵାଧୀନତା। ଲେଖିବାର ସ୍ଵାଧୀନତା ନଥିଲେ କବି କଣ ଲେଖିବ? କବିତା ହେଉଛି ଜୀବନର ପ୍ରକାଶ। ଏଥିଲାଗି ସ୍ଵାଧୀନତା ଜରୁରୀ।“

              ରାଷ୍ଟ୍ରର ପ୍ରଭୁତ୍ଵବାଦ ବିରୁଦ୍ଧରେ ତାଙ୍କର ପ୍ରତିକ୍ରିୟା ରହିଛି। କଳିଙ୍ଗ ନଗର ଗୁଳିକାଣ୍ଡର ପ୍ରତିବାଦରେ ତାଙ୍କର ଓଡିଆ କବିତା ରହିଛି। “ଥରେ ଥରେ ବହୁତ ଇଚ୍ଛା ହୁଏ ସେ ବାଟ ଦେଇ ଚାଲିଯିବାକୁ / ଯୋଉଠି ଚିତା ଜଳିଥିଲା ସେଦିନ / ଗୋଟେ ଗୋଟେ କରି ବାରଟି / ଆଉ ଆମର ଅସହାୟ ମାଟି / ଜୁଇର ସୌନ୍ଦର୍ଯ୍ୟରେ / ଅବାକ ହେଉ ରହିଯାଇଥିଲା କିଛି କ୍ଷଣ ପାଇଁ।“ (କବିତା ବୁଲିବାର ଇଚ୍ଛା)

              ନିୟମଗିରି ଓ କାଶୀପୁର ଠାରେ ଚାଲିଥିବା ଖଣି ବିରୋଧୀ ଆଦିବାସୀ ଆନ୍ଦୋଳନ ମଧ୍ୟ ତାଙ୍କର କବିତାର ବିଷୟ ବସ୍ତୁ। ସେ ଲେଖିଛନ୍ତି, “ବୁଝିପାରୁନି କାହିଁକି ଏଇ ମାଟି ପାଇଁ ମୁଁ ଅନ୍ଧ / ଏଇ ନାଲି ମଇଳା ମାଟି ପାଇଁ। ଯୋଉ ମାଟିରୁ କେବେ କେବେ କବି କହେ ନିଅ ନାଇଁ କିଛି / ପାଣି ବା ସାର ବା ହୃଦୟର ହାଲୁକା ପଣ/ ଯୋଉ ମାଟିରୁ ନେତା କହେ କାଢିନିଅ ସବୁ ଲୁହାପଥର, ବକ୍ସାଇଟ, ଓ ଯୁଗ ଯୁଗ ଧରି / ଭିତରେ ଶୋଇଥିବା ଇଶ୍ଵର।“(କବିତା ମାଟି’) ପୁଣି ସେ ଲେଖିଛନ୍ତି, “ଆଦିବାସୀଙ୍କ ଉପରେ ଅତ୍ୟାଚାରର ପବନ / ବହିଯାଉ ଥାଏ ଯେବେ ମୋ ମୁହଁ ଦେଇ”। (କବିତା ଭାଗ୍ୟ – ୨’)

              ଜୟନ୍ତ ମହାପାତ୍ର ପଦ୍ମଶ୍ରୀ ପୁରସ୍କାର ୨୦୦୯ ରେ ପାଇଥିଲେ। ୨୦୧୪-୧୫ ରେ ଦେଶର ଯେଉଁଭଳି ଅସହିଷ୍ଣୁତାର ବାତାବରଣ ବଢିଥିଲା ତାହାର ପ୍ରତିବାଦରେ ଅନେକ ଲେଖକ କବି ଓ ନାଟ୍ଯକାର ଇତ୍ଯାଦ ବିଭିନ୍ନ ସରକାରୀ ପୁରସ୍କାରକୁ ଫେରାଉଥିଲେ । ଜୟନ୍ତ ମହାପାତ୍ର ୨୦୧୫ ମସିହାରେ ପଦ୍ମଶ୍ରୀ ପୁରସ୍କାର ଫେରାଇଦେଇଥିଲେ। ଏଥିଲାଗି ତାଙ୍କୁ ଦକ୍ଷିଣପନ୍ଥୀଙ୍କ ଠାରୁ ଅନେକ ସମାଲୋଚନାର ସାମ୍ନା କରିବାକୁ ପଡିଥିଲା।

              କବିର ସ୍ଵାଧୀନତା ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନାକୁ ବାଦ ଦେଲେ ସମଗ୍ର ଫିଲ୍ମରେ ତାଙ୍କର ସରକାରଙ୍କ ପ୍ରଭୁତ୍ଵବାଦ ବିରୋଧୀ କବିତା ସମ୍ପର୍କରେ ବିଶେଷ କିଛି ଉପସ୍ଥାପନ ହୋଇପାରିନାହିଁ । ନିର୍ଦ୍ଦେଶକ ବିଶ୍ଵେଶ୍ଵର ଦାଶ ଏହାର ଦ୍ଵିତୀୟ ଭାଗ ଲାଗି ଉଦ୍ୟମ କରିବା ଆବଶ୍ୟକ। ହୁଏତ ଏହାର ଦ୍ଵିତୀୟ ଭାଗରେ ସେ ଉପରୋକ୍ତ ବିଷୟକୁ ଉପସ୍ଥାପନ କରିପାରିବେ।

              ଜୟନ୍ତ ମହାପାତ୍ରଙ୍କ ଉପରେ ଏକ ଭଲ ବୃତ୍ତଚିତ୍ର ଆମକୁ ଉପହାର ଦେଇଥିବାରୁ ଏହାର ନିର୍ଦ୍ଦେଶକ ବିଶ୍ଵେଶ୍ଵର ଦାଶ ଓ ତାଙ୍କର ସମସ୍ତ ସାଥିଙ୍କୁ ଧନ୍ୟବାଦ।

ମୋବାଇଲ: ୯୪୩୭୭୬୨୨୭୨

No comments:

Post a Comment