ଦେବ ରଞ୍ଜନ
ମାନବ
ସୂଚକାଙ୍କରେ କ୍ରମାଗତ ଭାବରେ ସର୍ବନିମ୍ନ ସ୍ଥାନରେ ଥିବା କୌଣସି ରାଜ୍ୟର ବିଧାୟକଙ୍କ ଦରମା
ସମଗ୍ର ଦେଶରେ ଶୀର୍ଷରେ ରହିବାରେ ଆଶ୍ଚର୍ଯ୍ୟ ନୁହେଁ ବରଂ ବିଧାୟକ/ ବିଧାୟିକାଙ୍କ ମାନସିକତାକୁ
ବୁଝିବା ଆବଶ୍ୟକ।
ଏହି
ପ୍ରସଙ୍ଗ ଆଜିର ଡାକ୍ତରଙ୍କ ଆନ୍ଦୋଳନ ପରିପ୍ରେଖିରେ
ବୁଝିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଯଦି ଆସନ୍ତା ଦିନମାନଙ୍କରେ ରାଜ୍ୟର
ଶ୍ରମିକଙ୍କ ସର୍ବନିମ୍ନ ମଜୁରୀରେ ବୃଦ୍ଧି,
ବାର୍ଦ୍ଧକ୍ୟ ଭତ୍ତାରେ ବୃଦ୍ଧି, ଅଙ୍ଗନବାଡି କର୍ମୀଙ୍କ ଠାରୁ
ଶିକ୍ଷକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦରମାରେ ବୃଦ୍ଧି ଦାବି ନେଇ ବିଭିନ୍ନ କମ୍ୟୁନିଷ୍ଟ ପାର୍ଟି ଓ
ଟ୍ରେଡ ଯୁନିଅନମାନେ ଆନ୍ଦୋଳନର ରାସ୍ତା ନିଅନ୍ତି ତେବେ ତାହାକୁ ପୂରଣ କରିବା ସରକାରଙ୍କ ମୌଳିକ
ଦାୟିତ୍ଵ ହେବ। ସେ ସମୟରେ ନିର୍ବାଚିତ ସଦସ୍ୟମାନେ ନିଜ ପାଇଁ ଚାନ୍ଦ ଓ ଅନ୍ୟ ପାଇଁ ଶୁଖିଲା
ରୁଟି ଦେଇ ଚୁପ କରିପାରିବେ ନାହିଁ।
ପ୍ରତ୍ଯେକ
ଉଦ୍ଯୋଗରେ କର୍ମଚାରୀଙ୍କ ଦରମା ବୃଦ୍ଧି ସହିତ ଏକ ଲକ୍ଷ୍ୟ ମଧ୍ୟ ସ୍ଥିର କରାଯାଇଥାଏ ଯେ ଏହାପରେ
ଉଦ୍ଯୋଗକୁ ଶୀର୍ଷକୁ ନେବାରେ କର୍ମଚାରୀ ଅଧିକ ଶକ୍ତି ଓ ସମୟ ଦେବେ। କିନ୍ତୁ ଓଡିଶାର ବିଧାନସଭାରେ
ନବ ନିର୍ବାଚିତ ବିଧାୟକମାନଙ୍କ ଲାଗି ଏହାର କୌଣସି ଗ୍ୟାରେଣ୍ଟି ଦେବାର ନାହିଁ ଯେ ଏହା ପରେ ଓଡିଶା
ମାନବ ସୂଚକାଙ୍କରେ ନିଶ୍ଚୟ ଉନ୍ନତି ଆସିବ। ଏହା କେବଳ ଏକ ବିବେକର ପ୍ରଶ୍ନ।
ଆଜି
ଓଡିଶାର ବିଧାୟକମାନଙ୍କ ଦରମା ଦେଶ ମଧ୍ୟରେ ଶୀର୍ଷରେ ଅଛି । ଆସନ୍ତା କାଲି ହୁଏତ ଅନ୍ୟ କୌଣସି
ରାଜ୍ୟର ବିଧାନସଭାରେ ଓଡିଶା ଠାରୁ ଅଧିକ ଦରମା ଲାଗି ବିଲ ପାସ ହୋଇଯାଇପାରେ। ଓଡିଶା ଭଳି
ସେଠାରେ ମଧ୍ୟ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ସରକାରଙ୍କୁ ସହଯୋଗ କରିପାରନ୍ତି। କାରଣ ନିର୍ବାଚିତ
ପ୍ରତିନିଧୀଙ୍କ ମଧ୍ୟରେ ସଂବେଦନଶୀଳତା ଅନେକ ବର୍ଷରୁ ଲୋପ ପାଇସାରିଛି। (ତାହା ହୋଇନଥିଲେ
ବିଧାନସଭା ବାହାରେ ଦରମା ବୃଦ୍ଧି ଲାଗି ରାଜ୍ୟର ବିଭିନ୍ନ କର୍ମଚାରୀ ଦାବି କରୁଥିବା ବେଳେ ନିଜ
ଲାଗି ଦରମା ବୃଦ୍ଧି କରି ବିଧାନସଭା ବନ୍ଦ କରିଦେବା ନିଷ୍ପତ୍ତି ନିଆଯାଇନଥାନ୍ତା।)
ସମ୍ବିଧାନର
ଧାରା ୩୮ ରେ ରହିଥିବା ପ୍ରସ୍ତାବ ଯେ ରାଜ୍ୟମାନେ ଆର୍ଥିକ ବୈଷମ୍ୟକୁ କମାଇବା ଓ ସମସ୍ତ ପ୍ରକାରର
ଅସମାନତାକୁ ଲୋପ କରିବା ଦିଗରେ ନିଷ୍ପତ୍ତି ନେବେ, ଏହାର
ଅବମାନନା ଅନେକ ଦଶନ୍ଧି ହେଲା ହୋଇଆସୁଛି। ଭାରତୀୟ ସମ୍ବିଧାନରେ ବିଧାୟକଙ୍କର କୌଣସି ସର୍ବନିମ୍ନ
ଶିକ୍ଷାଗତ ଯୋଗ୍ୟତା ମଧ୍ୟ ନିର୍ଦ୍ଦିଷ୍ଟ ହୋଇନାହିଁ, କାରଣ, ଏହା ହେଲେ ପ୍ରତ୍ଯେକ ବର୍ଗର ଲୋକେ ପ୍ରତିନିଧିତ୍ଵ କରିବାର ସୁଯୋଗ ପାଇବେ ନାହିଁ।
କିନ୍ତୁ କୌଣସି ଦଳ ସମ୍ବିଧାନର ମୂଳ ଉଦ୍ଦେଶ୍ୟକୁ ସମ୍ମାନ ଦେଉନାହାନ୍ତି। ଏଥିରେ ବିଜେପି, କଂଗ୍ରେସ ଓ ଆଞ୍ଚଳିକ ଦଳ ଭାବରେ ବିଜେଡ଼ି ମଧ୍ୟରେ କୌଣସି ଫରକ ନାହିଁ। ଏହି ହେତୁ
ବିଧାୟକଙ୍କ ଜନସମ୍ପର୍କ ମଧ୍ୟ ଅନେକ ସୀମିତ।
ଗଲା
ଦଶ ବର୍ଷ ମଧ୍ୟରେ ରାଜ୍ୟରେ ଶିଶୁମୃତ୍ୟୁ ଠାରୁ ଦାଦନ ଓ ଅନାହାର ମୃତ୍ୟୁ ପର୍ଯ୍ୟନ୍ତ ଅନେକ
ସମସ୍ଯା ବା ପ୍ରସଙ୍ଗ ରାଜ୍ୟ ମଧ୍ୟରେ ଅନେକ ଆଲୋଡନ ସୃଷ୍ଟି କରିଛି। କିନ୍ତୁ ସେ ମଧ୍ୟରୁ କୌଣସି
ବି ଗୋଟିଏ ସମସ୍ଯା ବା ପ୍ରସଙ୍ଗ କେବେ ରାଜ୍ୟବାସୀଙ୍କ ଦ୍ରୁଷ୍ଟିକୁ ସ୍ଥାନୀୟ କୌଣସି ବିଧାୟକ ବା
ବିଧାୟିକାଙ୍କ ଦ୍ଵାରା ଅଣାଯାଇନାହିଁ। ଉଦାହରଣ ଭାବରେ, କନ୍ଧମାଳ
ଜିଲ୍ଲା ମାଣ୍ଡିପଙ୍କା ଠାରେ ମହିଳାଙ୍କ ଅନାହାର ମୃତ୍ୟୁ, ଯାଜପୁର
ଜିଲ୍ଲା ନଗଡା ଠାରେ ଶିଶୁମୃତ୍ୟୁ, ବଲାଙ୍ଗୀର ଜିଲ୍ଲାରେ ଦାଦନ
ଶ୍ରମିକଙ୍କ ପାପୁଲି କାଟିବା, ଦାଦନ ଶ୍ରମିକ ବାହାର ରାଜ୍ୟରେ
ମୃତ୍ୟୁବରଣ କରିବା, ଯାଜପୁର ଜିଲ୍ଲା ସୁକିନ୍ଦାରେ ପ୍ରଦୂଷଣ ହେତୁ
ଲୋକେ ଅଧିକ ସଂଖ୍ଯାରେ ଯକ୍ଷ୍ମା ଓ କିଡନି ରୋଗରେ ମୃତ୍ୟୁବରଣ କରିବା,
ଗଞ୍ଜାମ ଜିଲ୍ଲାରେ ପୋଡାମପେଟା ଓ ଆର୍ଯ୍ୟପଲ୍ଲି ଗାଁ ସମୁଦ୍ରରେ ମିଶିଯିବା, କଟକ ଜିଲ୍ଲା ନରସିଂହପୁରରେ କିଡନି ବେମାରୀ ବଢିବା,
କୋରାପୁଟ ଜିଲ୍ଲାରେ ଅନେକ ସ୍ଥାନରେ ନିରୀହ ଆଦିବାସୀଙ୍କୁ ‘ମାଓବାଦୀ’ ସନ୍ଦେହରେ ହତ୍ୟା କରିବା, ରାଜ୍ୟର ଅନେକ ସ୍ଥାନରେ ମିଥ୍ୟା
ଗ୍ରାମସଭା ଓ ଜନଶୁଣାଣି କରି ଲୋକଙ୍କ ଜମି ହଡପ କରାଯିବା, ହୀରାକୁଦ
ନଦୀବନ୍ଧ ଜଳ ପ୍ରଦୂଷିତ ହେବା, ଚିଲିକା ଆଜି ଆବର୍ଜନାରେ ପରିଣତ ହେବା
ଓ ଶିଳ୍ପ ଲାଗି ଅନେକ ବୃକ୍ଷ କାଟିଦିଆଯାଉଥିବା ଭଳି ଅନେକ ପ୍ରସଙ୍ଗ କେବେ ସ୍ଥାନୀୟ ବିଧାୟକଙ୍କ
ଦ୍ଵାରା ନା ବିଧାନସଭା ମଧ୍ୟରେ ବା ବାହାରେ ଉତ୍ଥାପିତ ହୋଇଛି।
ଏହି
ସମସ୍ତ ପ୍ରସଙ୍ଗ ରାଜ୍ୟବାସୀଙ୍କ ଦ୍ରୁଷ୍ଟିକୁ ସ୍ଥାନୀୟ ସାମ୍ବାଦିକ, ଚାଷୀ ସଂଗଠନ, ବିଭିନ୍ନ ସଂଗଠନ,
ମାନବିକ ଅଧିକାର କର୍ମୀମାନେ ଆଣିଛନ୍ତି। ପରବର୍ତ୍ତୀ ସମୟରେ ସେହି ପ୍ରସଙ୍ଗରେ ହୁଏତ
ବିଧାନସଭାରେ ଆଲୋଚନା ହୋଇଛି। କିଛି
ପ୍ରତିଶୃତି ମିଳିଛି। କିନ୍ତୁ କୌଣସି ବି ସମସ୍ଯାର ସମାଧାନ କେବେ ହୋଇନାହିଁ। କେବଳ ଅଧିକ
ସମସ୍ଯା ସୃଷ୍ଟି ହୋଇଛି।
ଶାସକ
ଦଳର ମୁଖ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ହାତରେ କ୍ଷମତା ଠୁଳ ହେବା ହେତୁ ସ୍ଥାନୀୟ ବିଧାୟକମାନେ
ଯେମିତି ନିଜ ଅଞ୍ଚଳର କୌଣସି ସମସ୍ଯାକୁ ବିଧାନସଭାରେ ଉତ୍ଥାପନ କରିପାରିନାହାନ୍ତି ସେମିତି
ରାଜ୍ୟସ୍ତରୀୟ କୌଣସି ସମସ୍ଯାକୁ ମଧ୍ୟ ରାଜ୍ୟ ସ୍ତରରେ ଉତ୍ଥାପନ କରିପାରିନାହାନ୍ତି। ପାୱାର
ହାଉସ ରୁ ଆସୁଥିବା ନିଷ୍ପତ୍ତି ଓ ନିର୍ଦ୍ଦେଶକୁ କେବଳ ପାଳନ କରିବା ବ୍ଯତୀତ ବିଧାୟକଙ୍କ ଅନ୍ୟ
କୌଣସି କାର୍ଯ୍ୟ ନଥିବା ହେତୁ ସେମାନେ ନିଜ ଅଞ୍ଚଳରୁ କ୍ରମଶଃ ବିଚ୍ଛେଦ ହୋଇଯାଇଛନ୍ତି।
ଗଲା
କୋଡିଏ ବର୍ଷ ହେଲା ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଛାଡିଦେଲେ (କ୍ଷମତା ବିଜେଡ଼ି ହାତରୁ ବିଜେପି କୁ
ଆସିବା ପରେ ମଧ୍ୟ) ରାଜ୍ୟର କୌଣସି ବି ବିଧାୟକ
ବା ବିଧାୟିକାଙ୍କୁ ନିଜ ଜିଲ୍ଲା ବାହାରର ଲୋକେ ଜାଣିନାହାନ୍ତି। ଗଲା ସରକାର ସମୟରେ କେବଳ ନବୀନ
ପଟ୍ଟନାୟକ ଏକ ମାତ୍ର ରାଜନୈତିକ ବ୍ୟକ୍ତିତ୍ବ ଭାବରେ ରାଜ୍ୟରେ ପରିଚିତ ହୋଇଥିଲେ। ତାଙ୍କ
ନିକଟବର୍ତ୍ତୀ କୌଣସି ବିଧାୟକ ବା କ୍ଯାବିନେଟ ମନ୍ତ୍ରୀଙ୍କୁ ରାଜ୍ୟବାସୀ ଜାଣିନଥିଲେ।
ଆଜି
ମୋହନ ମାଝୀଙ୍କ ହୋର୍ଡିଙ୍ଗ ଆଦିବାସୀ ପଡାରେ ବି ଦେଖିବାକୁ ମିଳୁଛି। ଖବରକାଗଜରେ ଦେଖିବାକୁ
ମିଳୁଛି। ତାଙ୍କ ବ୍ଯତୀତ ଅନ୍ୟ କୌଣସି ନେତା ରାଜ୍ୟବାସୀଙ୍କ ଲାଗି ଆଜି ପରିଚିତ ନୁହନ୍ତି, ଠିକ ନବୀନଙ୍କ ସମୟ ଭଳି।
ତୃଣମୂଳ
ସ୍ତରରେ କୌଣସି ସମ୍ପର୍କ ବିଧାୟକମାନଙ୍କର ରହିନଥିବା ହେତୁ ବିଧାୟକମାନଙ୍କ ଲୋକ ସମ୍ପର୍କ ଅଧିକ
ସଙ୍କୁଚିତ। ମୁଁ ବିଭିନ୍ନ ଅଞ୍ଚଳରେ ଦେଖୁଛି ଯେ ବିଧାୟକଙ୍କ ଲୋକ ସମ୍ପର୍କର ମାଧ୍ୟମ ହେଉଛି ନିଜ
ବିଧାନସଭା ଅଞ୍ଚଳରେ କର୍ମୀଙ୍କ ପରିବାର ସଦସ୍ୟଙ୍କ ବାହାଘର, ଘର
ପ୍ରତିଷ୍ଠା, ପୁଅ ଝିଅ ଏକୋଇସିଆ, ମନ୍ଦିର
ପ୍ରତିଷ୍ଠା, ଯଜ୍ଞ ଇତ୍ୟାଦିରେ ଯୋଗ ଦେବା ଓ ଅର୍ଥ ଆକାରରେ ଉପହାର
ଦେବା। କହିବାକୁ ଗଲେ ବିଧାୟକଙ୍କ ଲୋକ ସମ୍ପର୍କ ଅର୍ଥ ବ୍ୟୟ ଉପରେ ନିର୍ଭରଶୀଳ, ସମସ୍ୟାର ସମାଧାନ ଲାଗି ପ୍ରଶାସନ ନିକଟରେ ହାଜର ହୋଇ ଯୁକ୍ତି କରିବା ଓ ବିଧାନସଭାରେ
ସେହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ବାଧ୍ୟ କରିବା ଦ୍ଵାରା ନୁହେଁ।
ବିଧାୟକଙ୍କ
ଲୋକ ସମ୍ପର୍କ ସେତିକି ଦୁର୍ବଳ ହୋଇନଥିଲେ ଆଜି ବି ଓଡିଶାର ପ୍ରତ୍ଯେକ ଜିଲ୍ଲାର ଅନେକ ଗାଁ ବା
ସହରରେ ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ମିଳୁନାହିଁ। ଲୋକେ ଏଥିଲାଗି ଦାବି କରୁଛନ୍ତି ଅଥଚ ସେଭଳି
ସ୍ଥାନକୁ କୌଣସି ବିଧାୟକ ଯିବା ଦେଖାମଧ୍ୟ ଯାଉନାହିଁ। କିମ୍ବା ଅତ୍ୟଧିକ ପ୍ରଦୂଷଣ ହେତୁ ଲୋକେ
ମୃତ୍ୟୁବରଣ କରୁଛନ୍ତି ଓ ବିଧାୟକ ପ୍ରଦୂଷଣକାରୀ ସଂସ୍ଥା ବିରୁଦ୍ଧରେ କୌଣସି ପ୍ରକାରର ସ୍ଵର
ଉତ୍ତୋଳନ କରିବା ଦେଖାଯାଉନାହିଁ, କେମିତି?
ତେଣୁ
ପ୍ରତିନିଧୀ ମୂଳକ ଶାସନ ବ୍ୟବସ୍ଥା ଆଜି ଚାନ୍ଦା ଦେବାରେ ସୀମିତ ହୋଇଯିବା ପରେ ଓ ନିର୍ବାଚନ
ଅର୍ଥ ସର୍ବସ୍ଵ ହୋଇଯିବା ପରେ ବିଧାୟକମାନେ ନିଜର ଦରମା ବୃଦ୍ଧି ଲାଗି ନିଷ୍ପତ୍ତି ନେବାରେ କିଛି
ଆଶ୍ଚର୍ଯ୍ୟ ହେବାର ନାହିଁ। ଏହା ଆମ ସଂସଦୀୟ ଗଣତନ୍ତ୍ରର ବାସ୍ତବ ସ୍ଥିତି।
ଆଜି
ଓଡିଶାରେ ଯେଉଁଭଳି ପରିବାରବାଦ ଚାଲିଛି, କୌଣସି
ବିଧାୟକଙ୍କ ଅଚାନକ ମୃତ୍ୟୁ ହେଲେ ତାଙ୍କ ପୁଅ ବା ଝିଅ ପରବର୍ତ୍ତୀ ବିଧାୟକ ଲାଗି ପ୍ରଥମ ପସନ୍ଦ
ହେଉଛନ୍ତି, ପ୍ରାଚୁର୍ଜ୍ୟ ମଧ୍ୟରେ ରହିଥିବା ସେହି ପୁତ୍ର କନ୍ୟାଙ୍କ
ମାନସିକତା ରୁଷୋଙ୍କ ସେହି ସାମ୍ରାଙ୍ଗୀଙ୍କ ଠାରୁ ବା ଭିନ୍ନ ହେବ କେମିତି?
ଫ୍ରାନ୍ସରେ
ଦାରିଦ୍ର୍ଯ, ଅନାହାର, ବେକାରୀ
ମାତ୍ରାଧିକ ବଢିଥିବା ସମୟରେ ଲୋକେ ଯେତେବେଳ ରାଜପ୍ରାସାଦ ସାମ୍ନାରେ ଖାଦ୍ୟ ଲାଗି ଧାଡି
ଲଗାଇଛନ୍ତି ସେ ସମୟରେ ସେଠାର ସାମ୍ରାଙ୍ଗୀ ନିଜର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଉଛନ୍ତି ଯେ ଯାଅ
ଓ ଲୋକଙ୍କୁ କୁହ, ସେମାନଙ୍କୁ ଖାଇବା ଲାଗି ପାଉଁରୁଟି ମିଳୁନାହିଁ
ତେବେ କେକ ଖାଆନ୍ତୁ। ଶାସକମାନେ ଅତି ପ୍ରାଚୁର୍ଜ୍ୟକୁ ଚାଲିଗଲେ ପାଉଁରୁଟି ଓ କେକ ବା ଭାତ ଓ
ପଲାଉ ମଧ୍ୟରେ ରହିଥିବା ଆର୍ଥିକ ଅସାମଞ୍ଜସ୍ୟକୁ ବୁଝିପାରିନଥାନ୍ତି।
ଏହାପରେ
ଦରିଦ୍ର ଓଡିଶାର ଆଗାମୀ ଶାସକ ପୀଢି ଠିକ ଏହି ସ୍ତରକୁ ଚାଲିଯିବେ। ସେମାନେ ଲୋକଙ୍କ ଠାରୁ ଆହୁରି
ଅଧିକ ଭାବରେ ବିଚ୍ଛିନ୍ନ ହୋଇଯିବେ। ସେମାନେ ଯେ ନିଜେ କେତେ ପରିମାଣରେ ଦାୟୀ ତାହା ଚିନ୍ତା
ନକରି ବରଂ ଭାବିନେବେ ଯେ ଦାରିଦ୍ର୍ଯ ହେଉଛି ଭଗବାନଙ୍କ ଅଭିଶାପ। ସେମାନେ ନିଜେ ଯେହେତୁ ଭଗବାନଙ୍କ
ଅଂଶରୁ ଏହି ଧରାପୃଷ୍ଠରେ ଜନ୍ମ ନେଇଛନ୍ତି ତେଣୁ ସେମାନେ ବିଧାୟକ ଅଥବା ମୁଖ୍ୟମନ୍ତ୍ରୀ ହେବା
ଲାଗି ଯୋଗ୍ୟ ହୋଇପାରିଛନ୍ତି ବୋଲି ସେମାନେ ଭାବିବେ।
ପ୍ରାୟ
ତିନି ଦଶନ୍ଧି ତଳେ ଆରବ ଦେଶମାନଙ୍କର ଶାସକମାନଙ୍କୁ ସେହି ଦେଶର ସର୍ବଶ୍ରେଷ୍ଠ ଧନୀ ବ୍ୟକ୍ତି
ହୋଇଥିବାର ଖବର ଭାରତର ଖବରକାଗଜରେ ପ୍ରକାଶିତ ହେଉଥିଲା। ସେଠାରେ ରାଜତନ୍ତ୍ର ରହିଥିବା
ହେତୁ ଏଭଳି ହୋଇଛି ବୋଲି ଭାରତର ଖବରକାଗଜମାନେ ଲେଖୁଥିଲେ। ଓଡିଶାରେ ସର୍ବନିମ୍ନ ମଜୁରୀ ଓ
ବିଧାୟକଙ୍କ ଦରମାର ମଧ୍ୟରେ ରହିଥିବା ତାରତମ୍ୟକୁ ଦେଖିଲେ ଓ ପରିବାରବାଦକୁ ଅନୁଧ୍ୟାନ କଲେ
ଜଣାପଡୁଛି ଯେ ରାଜତନ୍ତ୍ର ନୂତନ ରୂପରେ ଫେରିଆସୁଛି। ଯଦି ଯଥେଷ୍ଟ ପ୍ରତିବାଦ ଏହାର କରାନଯିବ
ତେବେ ଏହା ସ୍ଥାୟୀ ହୋଇଯିବାର ଶଙ୍କା ରହିଛି।
ମୋବାଇଲ: 9437762272
No comments:
Post a Comment