ଜଳବାୟୁ
ପରିବର୍ତନ ପାଇଁ ଅର୍ଥନୈତିକ ବ୍ୟବସ୍ଥା ଦାୟୀ ନୁହେଁ କି?
ଏ ବର୍ଷର ଅସହ୍ୟ ତାତି ଦେଶର ଅଧିକାଂଶ ଭାଗର ସାଧାରଣ
ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଲା । କେତେକ ସ୍ଥାନରେ ପୁରୁଣା ବର୍ଷର
ରେକର୍ଡ କୁ ପଛରେ ପକାଇ ତାପମାତ୍ରା 40 ଡିଗ୍ରୀ ଉପରେ ଲାମ୍ବା ସମୟ ଧରି ରହିବା ଯାହାକି ବେଶ
କିଛି ସହର ଓ ଗ୍ରାମାଞ୍ଚଳ ର ସାଧାରଣ ଲୋକଙ୍କ ପାଇଁ ଘାତକ ସାବ୍ୟସ୍ତ ହେଲା । ସରକାରୀ
ହିସାବରେ ସାରା ଭାରତରେ ଏହି ତାତି ପ୍ରବାହ ହେତୁ ପ୍ରାଏ 3000 ଲୋକ ମୃତ୍ୟୁ ବରଣ କଲେ । ମାତ୍ର
ପ୍ରକୃତ ହିସାବ ଏହା ଠାରୁ ଯଥେଷ୍ଟ ଅଧିକ ହେବ । ଦକ୍ଷିଣ ଭାରତୀୟ ରାଜ୍ୟ
ମାନଙ୍କରେ ଏହାର ପ୍ରଭାବ ବିଶେଷ ଭାବରେ ଅନୁଭୂତ ହୋଇଛି । ଏହି
ହେତୁ ଅବିଭକ୍ତ ଆନ୍ଧ୍ର ପ୍ରଦେଶରେ ମୃତ୍ୟୁ ସଂଖ୍ୟା 2320 ଯେଉଁଥିରୁ ତେଲେଙ୍ଗାନା ଅଞ୍ଚଳରେ 585
ଓ ନୂତନ ଆନ୍ଧ୍ରପ୍ରଦେଶରେ 1735 ଅଟେ । ଏହି ତାତି ପ୍ରବାହର ପ୍ରଭାବ ସବୁଠୁ ଅଧିକ କୃଷି କ୍ଷେତ୍ରର ଦିନ ମଜୁରିଆ ଓ କ୍ଷୁଦ୍ର ଶ୍ରମିକ , ବିଭିନ୍ନ ନିର୍ମାଣ ସ୍ଥଳ ଓ
ଶିଲ୍ପ ଉଦ୍ୟୋଗରେ କାମ କରୁଥିବା ଶ୍ରମିକ ଓ ରାସ୍ତକଡର ଛୋଟ ଦୋକାନୀ ଇତ୍ୟାଦିଙ୍କ ଉପରେ ପଡିଛି । କୌଣସି ଅଞ୍ଚଳରେ ଏକ ନିର୍ଦିଷ୍ଟ ବର୍ଗ ର ଅତ୍ୟଧିକ ଗରିବ
ରହିବା ଯେଉଁ ମାନେକି ପ୍ରତିଦିନ ନିହାତି କାମକୁ ଯିବାପାଇଁ ବାଧ୍ୟ ହେବା, ଠିକ ସମୟରେ ଆର୍ଥିକ ଅସୁବିଧା ପାଇଁ ଚିକିସ୍ଛା ସୁବିଧା ନପାଇବା ଓ କାର୍ଯ୍ୟସ୍ଥଳୀ ରେ
ଶ୍ରମିକ ସୁରକ୍ଷା ପାଇଁ ବ୍ୟବସ୍ଥାର ଅଭାବ ଅଥଚ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟ ଏ ଦିଗରେ ଧ୍ୟାନ
ନଦେବା ଇତ୍ୟାଦି ମନୁଷ୍ୟକୃତ କାରଣ ତାତି ପ୍ରବାହ ହେତୁ ହେଉଥିବା ମୃତ୍ୟୁ ପାଇଁ ଦାୟୀ । ଏହା ସହିତ ଯେଉଁ
ଦୀର୍ଘ କାଳୀନ ଅବ୍ୟବସ୍ଥା ଦାୟୀ ତାହା ହେଲା ପରିବେଶର ସନ୍ତୁଳନତା ପ୍ରତି ଧ୍ୟାନ ନଦେଇ ଅବିଚାରିକ
ଶିଳ୍ପାୟନ ଦିଗରେ ଧ୍ୟାନ ଦେବା, ଜଙ୍ଗଲ କ୍ଷୟକୁ ନରୋକିବା ଓ ଶିଲ୍ପ କାରଖାନା ତଥା ଡ୍ୟାମ ନିର୍ମାଣ ପାଇଁ ବିନା
ବିଚାରରେ ପରିବେଶ ମଞ୍ଜୁରୀ ଦେବା ।
ଏହାର
କିଛି ବର୍ଷ ଆଗରୁ, ପ୍ରାୟତଃ 2005 ମସିହା ଠାରୁ ଚାଷୀ ଆତ୍ମହତ୍ୟା ଆମ ସମସ୍ତଙ୍କ ପାଇଁ ଚିନ୍ତା ଜନକ
ବିଷୟ ଥିଲା । ଦେଶର ସବୁଠାରୁ ଅଧିକ ଚାଷୀ ଆତ୍ମହତ୍ୟା ଆନ୍ଧ୍ରା
ପ୍ରଦେଶ ରେ ହେବା (ମହାରାଷ୍ଟ୍ର ପରେ ଦ୍ଵିତୀୟ) କେବଳ ସଂଯୋଗ ବଶତଃ ନୁହେଁ । ଏହି ଉଭୟ ଘଟଣାକୁ
ଏକା ସାଥିରେ ଦେଖାଯିବା ଆବଶ୍ୟକ । ଏକ ପରିସଙ୍ଖ୍ୟାନରୁ ଜଣା ପଡେ ଉତ୍ତର ଭାରତ ଅପେକ୍ଷା
ଦକ୍ଷିଣ ଭାରତରେ ଚାଷୀ ଆତ୍ମହତ୍ୟା ଦଶ ଗୁଣରୁ ଅଧିକ । ଚାଷୀ ଆତ୍ମହତ୍ୟା
ପଛରେ ଯେଉଁ କେତେକ କାରଣ ସାମ୍ନା କୁ ଆସିଥାଏ ସେ ମଧ୍ୟରୁ ପ୍ରମୁଖ କାରଣ ହେଲା ଅନିୟମିତ ବର୍ଷା
ଓ ପରିବେଶର ଅସନ୍ତୁଳନତା । ଯେଉଁଠି ଲଗାତର ମରୁଡି ଦେଖାଯାଏ, ବିଶେଷକରି କୃଷିର ଶିଳ୍ପୀକରଣ ହୋଇସାରିଥିବା ଅଞ୍ଚଳ,
ସେଠାରେ ଚାଷୀ ଆତ୍ମହତ୍ୟା ର ସଂଖ୍ୟା ଅଧିକ । ଏହା ସହିତ ସାମାଜିକ ସୁରକ୍ଷାର ଅଭାବ, ଅର୍ଥନୈତିକ ବୈଷମ୍ୟ, ସରକାରଙ୍କ ସମ୍ବେଦନହୀନତା, ରୁଣ ବୋଝ, ସ୍ୱାସ୍ଥ୍ୟ ଓ ଶିକ୍ଷାର ନିଜସ୍ବୀକାରଣ ଏଥିପାଇଁ ଦାୟୀ । ଚାଷୀ ନିଜର ଓ
ନିଜ ପରିବାର ର ସମସ୍ତ ସୁଖ ସୁବିଧା ପାଇଁ ସେହି ଜମି ଓ ଫସଲ ଉପରେ ଏତେ ବେଶି ନିର୍ଭର କରିଯାଉଛି
ଯେ (କାରଣ ସରକାର ଓ ସମାଜ ବା ଗୋଷ୍ଠୀଠାରୁ କୌଣସି ସହଯୋଗ ମିଳିବାର ନାହିଂ ) ଗୋଟିଏ ବର୍ଷର
ବର୍ଷାରେ ଅନିୟମିୟତା ଫସଲକୁ ପ୍ରଭାବିତ କରିବା ସହିତ ଚାଷୀର ଜୀବନ ନେଇଥାଏ । ଅଭିବକ୍ତ
ଆନ୍ଧ୍ରପ୍ରଦେଶ ର ସାଧାରଣ ଜୀବନ ର ପ୍ରତ୍ୟେକ ସ୍ତରର ବଜାରୀକରଣ ହେବା ଓ ଶିଲ୍ପ ଉପରେ ଅଧିକ ନିର୍ଭର
କରିବା ହେତୁ , ଯେଉଁଥି ପାଇଁ କି ସାମାଜର ପାରସ୍ପରିକତା ନଷ୍ଟ ହେବା ସହିତ
ସରକାରକୁ ମଧ୍ୟ ସମ୍ବେଦନହୀନ କରିଦେଇଛି, ତାହା ଚାଷୀ ଆତ୍ମହତ୍ୟା ପାଇଁ
ବିଶେଷ ଭାବରେ ଦାୟୀ । ଏହା ସହିତ ବର୍ଷାର ମାତ୍ରା ତଥା ସମୟରେ ପରିବର୍ତନ
ମନୁଷ୍ୟକୃତ । ଏହା ଶିଲ୍ପ ବିକାଶର ଅନ୍ତର୍ଭୁକ୍ତ ଯାହାର ଚାଷୀ ଓ ଶ୍ରମିକ ଉଭୟ ଏକ ଭିନ୍ନ
ଉପାଯରେ ଶିକାର ହେଉଛନ୍ତି ଓ ତାହା ହେଲା ଜଳବାଯୁ ପରିବର୍ତନ । ମାନବିକ ଅଧିକାର ସଂଗଠନମାନଙ୍କ ସହିତ ଆଲୋଚନାରୁ
ଜଣା ପଡେ ତାତି ପ୍ରବାହ ହେତୁ ମୃତ୍ୟୁ ସଂଖ୍ୟା ବଢିବା ପଛରେ ଚିକିସ୍ଛା ବ୍ୟବସ୍ଥାର ନିଜସ୍ଵୀକରଣ
ଓ ଅତ୍ୟଧିକ ଲାଭ ପାଇଁ ଶ୍ରମିକ ସୁରକ୍ଷାକୁ ଧ୍ୟାନ ନଦେବା ଇତ୍ୟାଦି ମଧ୍ୟ ବିଶେଷ ଭାବରେ ଦାୟୀ । ତେଣୁ ଏଠି ଚାଷୀ
ଆତ୍ମହତ୍ୟା ଓ ତାତିପ୍ରବାହ ହେତୁ ମୃତ୍ୟୁ ପଛରେ ଥିବା କାରଣ ଗୁଡିକ ମଧ୍ୟରେ ସାମଞ୍ଜସ୍ୟ
ଆସୁନାହିଂ କି ?
ଏବେ
ଆନ୍ଧ୍ରପ୍ରଦେଶ କୁ ଦୁଇଟି ଘଟଣା ଆଗାମୀ ଦିନର ଆହୁରି ପ୍ରଭାବିତ କରିବ । ପ୍ରଥମଟି ହେଲା
ପୋଲାଭରମ ପ୍ରକଳ୍ପର ନିର୍ମାଣ ଓ ଦ୍ଵିତୀୟଟି ହେଲା ଗୁଣ୍ଟୁର ନିକଟରେ ନୂତନ ଜିଲ୍ଲା ସ୍ଥାପନ । ପୋଲାଭରମ
ପ୍ରକଳ୍ପ ଯଦି ହୁଏ ତେବେ ଉଭୟ ମଣିଷ ଓ ପ୍ରକୃତି ପାଇଁ ଏହା ଘାତକ ସାବ୍ୟସ୍ତ ହେବ । ଏହା ଦ୍ଵାରା
ଛତିଶଗଡର କୋଣ୍ଟା, ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳ ସମେତ ପ୍ରାଏ 1,10,000
ଏକର ଜମି ଜଳମଗ୍ନ ହେବ ଯେଉଁ ଠି ମୁଖ୍ୟତଃ ଜଙ୍ଗଲ ଅଛି । ଏହି ପ୍ରକଳ୍ପ
ହେଲେ ନୂତନ ଆନ୍ଧ୍ରପ୍ରଦେଶର ଆଦିବାସୀ ବହୁଳ ପଞ୍ଚମ ଅନୁଛେଦ ଅଞ୍ଚଳର 9ଟି ମଣ୍ଡଳ (ବା ବ୍ଲକ)
300 ଟି ଗ୍ରାମ ର ପ୍ରାଏ 3 ଲକ୍ଷ ଲୋକ ଉଦବାସ୍ତୁ ହେବେ, ଯେଉଁ ମାନଙ୍କ ମଧ୍ୟରେ କୋୟା ଓ କୋଣ୍ଡାରେଡି ଆଦିବାସୀ
ପ୍ରମୁଖ ଭାବରେ ଅଛନ୍ତି । ଏ ଭିତରୁ କୋଣ୍ଡା ରେଡ୍ଡୀ ଆଦିବାସୀ ଅତି ସଂବେଦନଶୀଳ
ଆଦିବାସୀ ବା ପିଟିଜି (Particularly Vulnerable Tribal Group) ଗ୍ରୁପ ର ଅନ୍ତର୍ଭୁକ୍ତ
ଅଟନ୍ତି । ପୋଲାଭରମ
ସପକ୍ଷରେ ଯଦିଓ ଯୁକ୍ତି କରାଯାଉଛିଯେ ଏହା କ୍ରୀଷ୍ଣା ନଦୀ , ପଶ୍ଚିମ ଗୋଦାବରୀ ଓ ପୂର୍ବ ଗୋଦାବରୀ
ଜିଲ୍ଲାର ଚାଷ ଜମିକୁ ଜଳସେଚନ କରିବା ସହିତ ବିଶାଖାପାତନମ ସହରକୁ ପାଣି ଯୋଗାଇବ, ମାତ୍ର ଏ ସମସ୍ତ ଅଞ୍ଚଳ ଏବେ ବି ଜଳସେଚିତ ଓ ବର୍ଷରେ
ଦୁଇଟି ଫସଲ ହେଉଥିବା ହେତୁ ଆନ୍ଧ୍ରପ୍ରଦେଶର ଭାତହାଣ୍ଡି ନାମରେ କ୍ଷାତ। ସମୁଦ୍ର କୂଳରେ
ଅବସ୍ଥିତ ବିଶାଖାପାଟଣ ସହରରେ ପାଣି ଯୋଗଇବା ପାଇଁ ନିଜସ୍ଵ ବ୍ୟବସ୍ଥା ରହିଛି । ଏ ସବୁକୁ ଲକ୍ଷକଲେ
ପୋଲାଭରମ ସମ୍ପର୍କରେ ଭିତିରି ଉଦ୍ଦେଶ୍ୟ ହେଲା ଅର୍ରାକୁ ଅଞ୍ଚଳରେ ବକ୍ସାଇଟ ଖଣି ଓ ଆଲୁମିନା
ପ୍ଳାଣ୍ଟ ଓ ସ୍ପେଶାଲ ଇକୋନୋମିକ୍ସ ଜୋନ ନାମରେ ତିଆରି ହେଉଥିବା ଶିଲ୍ପ କରିଡରକୁ ବିଦ୍ୟୁତ ଓ
ପାଣି ଯୋଗାଇବା ।
ପୋଲାଭରମ
ପ୍ରକଳ୍ପ ହେଲେ ତେଲେଙ୍ଗାନର ମେଡକ, ନିଜମବାଦ, ଆଦିଲାବାଦ, କରିମନଗର ଇତ୍ୟାଦି ଅଞ୍ଚଳରେ ଚାଷୀ ମଧ୍ୟ ପ୍ରଭାବିତ ହେବେ, ଯେଉଁ ଅଞ୍ଚଳରେ
କି ଚାଷୀ ଆତ୍ମହତ୍ୟା ଅଧିକ । ଏହାର କିଛି ଅଞ୍ଚଳ ତାତି ପ୍ରବାହ ହେତୁ ମଧ୍ୟ ମୃତ୍ୟୁ
ସଂଖ୍ୟା କିଛି କମ ନୁହେଁ । ଗୋଦାବରୀର ଉପରବାହୀକାରୁ ପୋଲାଭରମ ପାଇଁ ନଦୀ ଧାରାର
ଗତି ପରିବର୍ତନ କରେଇବା ପାଇଁ ଉଦ୍ୟମ କରିବା ଚାଷିକୁଳ
ପାଇଁ ଆଉ ଏକ ବିପଦ। ଦୁଖର କଥା ଯେ ନବନିର୍ବାଚିତ ‘ତେଲେଙ୍ଗାନ ରାଷ୍ଟ୍ର ସମିତି ଯଦିଓ
ପ୍ରଥମରେ ଏହାକୁ ବିରୋଧ କରୁଥିଲା ମାତ୍ର ନୂତନ ରାଜ୍ୟ ଗଠନ ପରେ ସେପରି ଆନ୍ତରିକତା ଦେଖାଉ ନାହିଂ
। ”ଆଦିବାସୀ ସଙ୍କ୍ଶେମ ପରିଷଦ” ଓ ”ଥୁଦୁମ ଦେବା ସଂଗଠନ” ର ନେତୃତ୍ବରେ
ପ୍ରଭାବିତ ଗୋଷ୍ଠୀ ବିରୋଧ କରୁଛନ୍ତି । ଏହା ବ୍ୟତୀତ
‘ହିଉମାନ ନ ରାଇତ୍ସ ଫୋରମ” ବିଭିନ୍ନ ସମୟରେ ପଦଯାତ୍ରା ଓ ସାଇକେଲ ଯାତ୍ରା , ସଭା ମାଧ୍ୟମରେ ପ୍ରକଳ୍ପ ର ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଜନସଚେତନତା କାର୍ଯକ୍ରମ କରୁଛି । ମାତ୍ର ଏ ସମସ୍ତ
ଉଦ୍ୟମ ପ୍ରକଳ୍ପକୁ ବନ୍ଦ କରିବାରେ ଯଥେଷ୍ଟ ହେଉନାହିଁ । କେନ୍ଦ୍ରରେ
ବିଜେପି ସରକାର ଓ ନୂତନ ଆନ୍ଧ୍ରପ୍ରଦେଶର ତେଲେଗୁଦେଶମ ପାର୍ଟି, ଉଭୟ ଏ ପ୍ରକଳ୍ପ କରାଇବା ପାଇଁ ଯେମିତି ବଦ୍ଧ ପରିକର ।
ଆନ୍ଧ୍ରପ୍ରଦେଶର
ନୂତନ ରାଜଧାନୀ ଗୁଣ୍ଟୁର ଜିଲ୍ଲାର ଥୁଲୁର, ମଙ୍ଗଲଗିରି ଓ ତାଦେପାଳି ଅଞ୍ଚରେ 50,000 ଏକର ଉନ୍ନତ ଚାଷଜମି ଉପରେ ତିଆରି ହେବ । ନିକଟରେ
ମୁଖ୍ୟମନ୍ତି ଚନ୍ଦ୍ରବାବୁ ନାଇଦୁ ଏହାର ଶିଳାନ୍ୟାସ କରି ନୁତନ ରାଜଧାନୀର ର ନାମ ଅମରାବତି ରଖିଛନ୍ତି । ସେ ଏହାକୁ
ସିଙ୍ଗାପୁର ସହର ଠାରୁ ମଧ୍ୟ ଉନ୍ନତ କରିବା ପାଇଁ ଯୋଜନା କରିଛନ୍ତି । 1980 ରୁ 2010 ମସିହା
ମଧ୍ୟରେ ସିଙ୍ଗପୋର ନିଜର ଦ୍ରୁତ ସହରୀକରଣ ଯୋଜନା ଦ୍ଵାରା 90 ପ୍ରତିଶତ ପ୍ରକୃତିକ ଜଙ୍ଗଲ
ହରାଇସାରିଛି । (ଏହା ବିଶ୍ଵ ର ସବୁଠୁ ଅଧିକ ବ୍ୟୟ ବହୁଳ ନଗର) ଠିକ ଏୟାହିଁ ଏବେ
ନୂତନ ରାଜଧାନୀ ଅମରବତି କ୍ଷେତ୍ରରେ ହେବାକୁ ଯାଉଛି । କ୍ରୀଷ୍ଣା ନଦୀ
ଉପକୂଳରେ ଅବସ୍ଥିତ 31 ଖଣ୍ଡ ଗ୍ରାମର ଏହି 50,000 ଏକର ଚାଷ ଜମି ଆନ୍ଧ୍ରପ୍ରଦେଶର ଖାଦ୍ୟ
ଭଣ୍ଡାର ଅଟେ । ଏବେ ନୂତନ ରାଜଧାନୀ ହେବା ଦ୍ଵାରା ସେ ଥିରୁ ଆସୁଥିବା
ଫସଲ ବନ୍ଦ ହେବ ଯାହାକି ଖାଦ୍ୟ ଶସ୍ୟର ନିଅଣ୍ଟିଆ ସ୍ଥିତି ଉତ୍ପନ୍ନ କରିପାରେ । ଏହା ସହିତ ସେହି
ଚାଷ ଜମି ଉପରେ ନିର୍ଭରଶୀଳ ଏକ ଲକ୍ଷରୁ ଅଧିକ ଚାଷୀ, ଭାଗ ଚାଷୀ,
କୃଷି ଶ୍ରମିକଙ୍କୁ ନେଇ ଥିବା ଗ୍ରାମୀଣ ଅର୍ଥନୀତି ଧ୍ଵଂସ ହେବା ସହିତ ଯେଉଁ ସହରୀ ଅର୍ଥନୀତି
ତିଆରି ହେବ ସେଥିରେ ସେମାନେ ଯେ ନ୍ୟାୟ ପାଇବେ ନାହିଂ ଏହାର ଯଥେଷ୍ଟ ଉଦାହରଣ ରହିଛି । ସେମାନେ ଦିନମଜୁରିଆ ହୋଇ ଶେଷରେ ନିଜ ସ୍ଥାନରୁ
ବିତାଡିତ ହେବେ । ‘ଦି ହିନ୍ଦୁ’ ରେ ନିକଟରେ ପ୍ରକାଶିତ ଏକ ଲେଖା ଅନୁସାରେ ଏବେ ବର୍ଷା ଆସିଲାଣି
ଅଥଚ ହଜାର ହଜାର ଚାଷୀ ନିଜ ଜମିର ଭବିଷ୍ୟତ ନେଇ ଅନ୍ଧାରରେ ଥିବା ହେତୁ ଜମିକୁ ହଳ ମଧ୍ୟ
ନେଉନାହାନ୍ତି । ସେମାନେ ସରକାରଙ୍କ ଏପରି ମନବୃତି ନେଇ ଖୁସି ନୁହନ୍ତି । “ଯଦି ତୁମର କିଛି ଅହିତ ହେଉଥାଏ ତେବେ ଦେଶର ସ୍ଵାର୍ଥ
ପାଇଁ ତୁମେ ତାହାକୁ ଭୋଗିବାକୁ ପଡିବ ( If you are to suffer, you should suffer in the interest of the
country….”) ଯାହା ଜବାହରଲାଲ ନେହେରୁ 50 ଦଶକରେ ହୀରାକୁଦ ବନ୍ଧ ନିର୍ମାଣ
ସମୟରେ ସମ୍ବଲପୁର ବାସୀଙ୍କୁ କହିଥିଲେ ଆଜି ଚନ୍ଦ୍ରବାବୁ ନାଇଡୁ ସେହି ଆଭିମୁଖ୍ୟ ଗୁଣ୍ଟୁରର
ଚାଷୀଙ୍କ ପାଇଁ ଆପଣାଇଛନ୍ତି । କ୍ୟାପିଟାଲ ରିଜିନ ଡେଭେଲପମେଣ୍ଟ ଅଥରୀଟି ଅଧୀନରେ ଆସୁଥିବା ଏହି 217।.23 ବର୍ଗ କିଲୋମିଟର
ପରିମିତ ଏକ ବିରାଟ ଅଞ୍ଚଳକୁ ପ୍ରତିଦିନ ସହ ସହ ସଂଖ୍ୟାରେ ଠିକାଦାର, ରିୟାଲ ଏଷ୍ଟେଟ ବ୍ୟବସାୟୀ ଆସି ମୂଲଚାଲ ରେ ଲାଗିଛନ୍ତି। ଏହା ସ୍ଵାଭାବିକ
କଥା ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଏହି 31 ଖଣ୍ଡ ଗ୍ରାମର ହାଜର ହଜାର ଚାଷ ଜମିଉପରେ କଂକ୍ରିଟ
ଜଙ୍ଗଲ ସୃଷ୍ତିହୋଇଯିବ । ଏହା ସାଧାରଣ ମଣିଷ ଓ ପ୍ରକୃତି ଉପରେ ପ୍ରତିକୂଳ ପ୍ରଭାବ
ପକାଇବ।
ବର୍ତମାନ ସଭ୍ୟତାର ବିଚିତ୍ରତା ହେଲା ଏହା ଅଧିକ
ସନ୍ତୁଳିତ ପ୍ରାକୃତିକ ବ୍ୟବସ୍ଥା ଓ ସାମାଜିକ ବ୍ୟବସ୍ଥା କୁ ଭାଙ୍ଗି ଏକ ବୈଷମ୍ୟ ପୂର୍ଣ ଆର୍ଥିକ
ବ୍ୟବସ୍ଥା ଲଦି ଦେଉଛି ଯାହା ଏକ ନୂତନ ପ୍ରକାରର ଆର୍ଥିକ ଅବ୍ୟବସ୍ଥା ସହିତ ଅସନ୍ତୁଳିତ ସାମାଜିକ
ଓ ପ୍ରାକୃତିକ ବ୍ୟବସ୍ଥା ତିଆରି କରୁଛି । ସହର ଜୀବନ ଯେମିତି ବୈଷମ୍ୟ
ପୂର୍ଣ ସେମିତି ସହରିତଳି ଅଞ୍ଚଳ ଆବର୍ଜନା ମାୟ । ମୋଟ ଉପରେ ଏହା ବୈଷମ୍ୟତା ସହିତ
ଅଧିକରୁ ଅଧିକ ସମବେଦନାହୀନତା ଓ ରକ୍ଷଣଶୀଳତା କୁ ଜନ୍ମ ଦେଇଥାଏ । ନୂତନ
ସହରର ନାମ ଆନ୍ଧ୍ରପ୍ରଦେଶ ସରକାର ଅମରାବତି ରଖିଛନ୍ତି ଯେମିତି କେବଳ ଏହା ହିନ୍ଦୁ ଙ୍କ ସହର
ହୋଇରହିବ! ଏହା ଭବିଷ୍ୟତ ରେ ସେପ୍ରକାରର ଭାବାବେଗ ହୁଏତ ତିଆରି ମଧ୍ୟ କରିପାରେ। ସେହି
ବିତ୍ତଶାଳୀ ସମ୍ବେଦହୀନ ରକ୍ଷଣଶୀଳ ବର୍ଗ ଯେଉଁମାନେକି ଏପରି ସହର ନିର୍ମାଣ ର ସମସ୍ତ ଫାଇଦା
ନେଇଥାନ୍ତି ସେମାନେ କେବଲ ଯେ ପୁଞ୍ଜିର
ପ୍ରବକ୍ତା ସାଜିଥାନ୍ତି ତା ନୁହେଁ ସେମାନ ଶ୍ରମିକ ବିରୋଧୀ ଓ ପରିବେଶର ଅସୁମାରି ଧ୍ବଂସର କାରଣ
ମଧ୍ୟ ହୋଇଥାନ୍ତି । ସେହିମାନଙ୍କ ଭୁଲ ଅର୍ଥନୀତି
ଯେମିତି ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପରି ପ୍ରାକୃତିକ ଦୁର୍ବିପାକ ତିଆରି କରିଥାଏ ସେମିତି ବର୍ଷାର
ଅନିୟମିୟତା ସାଙ୍ଗକୁ କୃଷିଶିଲ୍ପ ସାମଗ୍ରୀ ର ଅଯଥା ମୂଲ୍ୟବୃଦ୍ଧି ଓ ପ୍ରାଇଭେଟ ବ୍ୟାଙ୍କ
ମାନଙ୍କର ଶୁଧଖୋର ମନୋବୃତି ପାଇଁ ଚାଷୀ ଆତ୍ମହତ୍ୟା ମଧ୍ୟ ବଢିଥାଏ । ତାତି ପ୍ରବାହ ରେ ମୃତ୍ୟୁ ଓ ଚାଷୀ ଆତ୍ମହତ୍ୟା
ର କାରଣ ମଧ୍ୟରେ ସାମଞ୍ଜସ୍ୟ ହେଲା ଲାଭଖୋର ଅର୍ଥନୀତି ଯାହା ପ୍ରକୃତି ଅସନ୍ତୁଳିତ ବ୍ୟବହାର
ପାଇଁ ମଧ୍ୟ ଦାୟୀ ।
ଓଡିଶାରେ
ହୁଏତ ଚାଷୀ ଆତ୍ମହତ୍ୟା ର ମାତ୍ରା କମ ମାତ୍ର ଏହା ସେଭଳି ବିଷମ ସ୍ଥିତିରୁ ମୁକ୍ତ ନୁହେଁ । ଓଡିଶାର ଚାଷ
କ୍ଷେତ୍ର ରେ ଆଦିବାସୀଙ୍କର ଏକ ବଡ ଗୋଷ୍ଠୀ ଅଛି ଯେଉଁ
ମାନ କି ଏବେବି ପାରମ୍ପରିକ ଉପାୟରେ ଚାଷ କରୁଛନ୍ତି । ଅବଶ୍ୟ ବଜାରର
ଆବଶ୍ୟକତା ବଢିବା ହେତୁ ସେଥିରେ ମଧ୍ୟ ପରିବର୍ତନ ଆସିଲାଣି ଓ ଓଡିଶାର ସ୍ଥିତି ଆନ୍ଧ୍ରପ୍ରଦେଶ
ଆଡକୁ ଧୀରେ ଧୀରେ ମୁହାଇଂଲାଣି । ସେହିପରି ଉପକୂଳ
ଓଡିଶା ରେ ଭାଗଚାଷୀଙ୍କ ସଂଖ୍ୟା ଅଧିକ । ଯେଉଁଥିପାଇଁ କି ଚାଷରେ ସବୁଜ ବିପ୍ଲବ ର ପ୍ରାଭବ କମ
ଅର୍ଥାତ ଚାଷକୁ ନେଇ ଖର୍ଚ କମ , ମାତ୍ର ଚାଷରେ ନିଜସ୍ଵ ଆବଶ୍ୟକତା ପୂରଣ ନହେଉଥିବା ହେତୁ
ସେମାନଙ୍କ ପରିବାର ର ଯୁବକ ମାନେ ଆଜି ଅଧିକ ଭାବରେ ଦାଦନ ଖଟିବାକୁ ଯାଉଛନ୍ତି । ତେବେ ତାତି
ପ୍ରବାହରେ ମୃତ୍ୟୁ ସଂଖ୍ୟା ଯଦିଓ ଏହି ବର୍ଷ କମ ମାତ୍ର ସରକାରୀ ତଥ୍ୟ ଅନୁସାରେ ଗ୍ରୀଷ୍ମ
ପ୍ରବାହ ହେତୁ 1998 ରୁ 2015 ମଧ୍ୟରେ 2734 ଜଣଙ୍କ ଜୀବନ ଯାଇସାରିଲାଣି । ନିରବିଚ୍ଛିନ୍ନ
ଶିଳ୍ପାୟନ ହେତୁ ଅନୁଗୁଳୁ ଜିଲ୍ଲାରେ ଏବର୍ଷର ସବୁଠୁ ଅଧିକ ସମୟ ଧରି ତାପମାତ୍ରା ସର୍ବାଧିକ
ରହିଲା। ପଶ୍ଚିମ ଓଡିଶାର ବିଭିନ୍ନ ସହର ତୁଳନାରେ ସମୁଦ୍ରଠାରୁ ବେଶି ଦୂରରେ ନଥାଇ ମଧ୍ୟ କଂକ୍ରିଟମୟ
ଭୁବନେଶ୍ବର ସହର ମଧ୍ୟ ସର୍ବୋଚ ତାପମାତ୍ରା ର ନିକଟତର ହେଲା । ଏହା ପରେବି ଏହି
ସବୁ ସହରର ଉନ୍ନତ ଓ ମଧ୍ୟବିତ ସରକାରୀ ତଥା ବ୍ୟବସାୟୀ ବର୍ଗ ଡ୍ୟାମ ଓ ଆଧୁନିକ ଶିଲ୍ପ ର
ପ୍ରବକ୍ତା ସାଜିଛନ୍ତି। ସେମାନଙ୍କ ଦୃଷ୍ଟିରେ ଉଚ୍ଚ ବର୍ଗ ର ଏହା ଜନ୍ମଗତ
ଅଧିକାର ଯେ ସେ ଗରିବ ମାନଙ୍କୁ ସଂହାର କରିବ ଠିକ ଡିସ୍କଭରି ଚ୍ୟାନେଲରେ ବାଘ ହରିଣକୁ ଗୋଡାଇ
ଖାଇଲାପରି । ସେମାନଙ୍କ ଦୃଷ୍ଟିରେ ତାହାହିଁ ପ୍ରକୃତିରେ ନିୟମ। ଏହାକୁହିଁ
କୁହାଯାଏ ସମ୍ବେଦନହୀନତା ଓ ସ୍ଵେଚ୍ଛାଚାରିତା
ଯାହା ପୁଞ୍ଜି ବ୍ୟବସ୍ଥାର ପରିଣାମ । ଅତିତର ଜାତି ବ୍ୟବସ୍ଥାରେ ଯେମିତି ଦଳିତକୁ ନିଜପାଇଁ
ଅତ୍ୟଧିକ ଖଟାଇବା ବ୍ରାହ୍ମଣର ଜନ୍ମଗତ ଅଧିକାର ବୋଲି ସେ ଭବିଥାଏ ସେମିତି ପୁଞ୍ଜିବ୍ୟବସ୍ଥାରେ
ସ୍ବଚ୍ଛଳ ବର୍ଗ ଭାବେ ଗରିବ ଶ୍ରେଣୀର ଆଉ ବଞ୍ଚିବାର କୌଣସି ଅଧିକାର ନାହିଂ । ସେମାନେ ଅଯଥାରେ
ଅତି ମୂଲ୍ୟବାନ ସ୍ଥାନକୁ ଜାବୋଡି ଧରିଛନ୍ତି ଓ ବଞ୍ଚିରହି ଖାଦ୍ୟସଙ୍କଟ ତିଆରି କରୁଛନ୍ତି ।
ପଚାଶ
ଦଶକର ମହାନଦୀ ଅବବାହିକାରେ 1, 50,000 ଏକର ଜମିକୁ ବୁଡାଇ ଓ 283 ଟି ଗ୍ରାମର ପ୍ରାଏ 15,000
ପରିବାରକୁ ସେ ସମୟରେ ଉଦବାସ୍ତୁ କରି ଯେଉଁ ହୀରାକୁଦ ଡ୍ୟାମ ନିର୍ମାଣ ହେଲା
ତାହା ଯଦିଓ କଟକର ବନ୍ୟା ନିୟନ୍ତ୍ରଣ ପାଇଁ ନିର୍ମିତ ବୋଲି କୁହାଗଲା (ଡ୍ୟାମ ନିର୍ମାଣ ପରେ
ଜଙ୍ଗଲ କଟିଯିବା ହେତୁ ଯଦିଓ ଅଧିକ ଅନିୟମିତ ଭାବରେ ବର୍ଷା ହୋଇଛି ) କିନ୍ତୁ ତାହା ମିଥ୍ୟା
ଥିଲା । 1986 ର ଖୋସ୍ଲା କମିଟି ରିପୋର୍ଟ ଅନୁସାରେ ହୀରାକୁଦ ବନ୍ଧ ନିର୍ମାଣ ସମୟରେ 1,094,953
ଏକର ଜମିକୁ ଜଳସେଚନ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଏହା
ପ୍ରକୃତରେ 4,27,942 ଏକର ଜମିକୁ ଜଳସେଚିତ କରୁଛି , ଯାହାକି ଧାର୍ଯ୍ୟ ଲକ୍ଷ ର ପ୍ରାଏ 60% କମ । ଏହା ବ୍ୟତିତ, “ମୋର ପୂର୍ବସ୍ମୃତି କଥା” ଆତ୍ମଜୀବନୀ ରେ ଲେଖକ ଭାରତ ଚନ୍ଦ୍ର ନାୟକ ଙ୍କ ଦ୍ଵାରା ପ୍ରାପ୍ତ
ତଥ୍ୟ ଅନୁସାରେ ହୀରାକୁଦ ବନ୍ଧ ହେତୁ ସମୁଦାୟ ଉତ୍ପାଦିତ 2,70,000 କିଲୋୱାଟ୍ଟ ମଧ୍ୟରୁ ଆଦିତ୍ୟ ବିରଳା ର ହିଣ୍ଡାଲ କୋ ଆଲୁମିନିୟମ କରାଖନ ପାଇଁ 55,000, ରାଉରକେଲା ଇସ୍ପାତ କରାଖାନା ପାଇଁ 66,000, ସିଙ୍ଘଭୂମ
ଜିଲ୍ଲାଷ୍ ଲୁହା ଓ ମାଙ୍ଗାନିଜ ଖଣି ସକାଶେ 16,000, ସୁନ୍ଦରଗଡ
ଜିଲ୍ଲା ରାଜଗାଙ୍ଗପୁର ସିମେଣ୍ଟ କାରଖାନା ପାଇଁ 4000, ବଣେଇ ସ୍ଥିତ
ମାଙ୍ଗାନିଜ ଖଣି ପାଇଁ 14,000 କିଲୋୱାଟ ବିଦ୍ୟୁତ ଶକ୍ତି (ସମୁଦାଯ 1,65,000
କିଲୋୱାଟ ଶିଲ୍ପ ପାଇଁ ବିନିଯୋଗ ) ନେବା ପାଇଁ ନଦୀବନ୍ଧ ପ୍ରକଳ୍ପର ଉଦ୍ଦେଶ୍ୟ
ଥିଲା। ପରେ ଏବେ ଜଳଭଣ୍ଡାରରୁ ଆଦିତ୍ୟ ବିରଳ, ବେଦାନ୍ତ, ଭୂଷଣ, ଜିନ୍ଦାଲ
ଇତ୍ୟାଦି କରାଖନ ନିଜ ପାଇଁ ପାଣି ନେବା ମୁଖ୍ୟ ବିଷୟ ହୋଇଛି । ଏଥିରୁ ଜଣାପଡେ
ବୃହତ ଡ୍ୟାମ ର ପ୍ରକୃତ ଉଦ୍ଦେଶ୍ୟ କଣ ? ଭାରତ ବ୍ୟାପୀ ସତୁରୀ ଦଶକର ସବୁଜ
ବିଳ୍ପବ କୃଷି କୁ ଏକ ଶିଳ୍ପରେ ପରିଣତ କରିଦେଲା ଓ ସେହି ଉଚ ବର୍ଗର ”ପ୍ରାକୃତିକ ନିୟମ” ଅନୁସାରେ ଛୋଟ ଛୋଟ ଚାଷୀ-ଶିଲ୍ପପତି ଆଜି ବୃହତ କୃଷି-ଶିଲ୍ପ
ଉଦ୍ୟୋଗୀଙ୍କ ଲାଭଖୋର ମନୋବୃତିର ଶିକାର ହେଉଛି । ହୀରାକୁଦ ଡ୍ୟାମ ଜଳସେଚିତ ଅଞ୍ଚଳରେ ଚାଷୀ ମୃତ୍ୟୁ ହାର
ଓଡିଶାରେ ସର୍ବାଧିକ ଯେଉଁ ମାନଙ୍କ ମାଧ୍ୟରେ ଛୋଟ ଚାଷୀ, ନାମକୁମାତ୍ର ଚାଷୀ ଓ
ଜମିହିନ ଭାଗଚାଷୀ ଅଧିକ । ଜଳସେଚନ ସୁବିଧା ଥାଇ ମଧ୍ୟ ସାରା ,ବିହନ , ଭିଟାମିନ ର ଅତ୍ୟଧିକ ଦର
ବୃଦ୍ଧି ସାଙ୍ଗକୁ ଚିଟ ଫଣ୍ଡ - ସାହୁକାରଙ୍କ ଅତ୍ୟଧିକ ଶୁଧ ଆଦାୟ କରିବା ଅଥଚ ସରକାରୀ ସୁରକ୍ଷା
ଆଦୌ ନମିଳିବା, ପ୍ରକୃତିରେ ଥରେମାତ୍ର ଅନିୟମିୟତ ବର୍ଷା ବେଶ କେତେକ
ଚାଷୀଙ୍କ ଆତ୍ମହତ୍ୟା ର ମୁଖ୍ୟ କାରଣ ପାଲଟିଗଲା । ତେଣୁ ଡ୍ୟାମ ନିର୍ମାଣ ର ଏହା କଣ ଅନ୍ତିମ ଲକ୍ଷ, ଚାଷୀ ଆତ୍ମହତ୍ୟା ?
ରାଜ୍ୟ
ସରକାରଙ୍କ ମନମୁଖୀ ଶିଳ୍ପୀକରଣ ଆଗାମୀଦିନରେ ଓଡିଶା କୁ ପୁଣି ସେହି ଦୁର୍ବିପାକ ଆଡକୁ ନେଇଯିବ । ଅବଶ୍ୟ ଜଳବାଯୁ
ପରିବର୍ତନ ର ପ୍ରଭାବ କେବଳ ଓଡିଶା ରେ ସୀମିତ ହେବ ନାହିଂ ମାତ୍ର ଏହା ଅବିଚାରିତ ଶିଳ୍ପାୟନ ପରିସ୍ଥିତିକୁ
ଆହୁରି ବିଷମ କରିଦେବ। ଦିନେ ଯେଉଁ ମାନେ ହୀରାକୁଦ ବନ୍ଧାଅନୁଭୂତି ହେତୁ ବୃହତ
ବନ୍ଧକୂ ବିରୋଧ କରୁଥିଲେ ସେମାନଙ୍କ ମଧ୍ୟରୁ ଏବେ କିଛି ଲୋୟର ସୁକତେଲ ବନ୍ଧର ସମର୍ଥକ ପାଳଟିଯାଇଛନ୍ତି
। ସେହିସବୁ
ବ୍ୟତିକ୍ରମ ଆଜି ସହର ମାନସିକତାରେ ଦେଖାଯାଉଛି । ବର୍ତମାନର ଅର୍ଥନୈତିକ ବ୍ୟବସ୍ଥା ବିରୋଧରେ ଏକ ବିରାଟ
ଜନମତ ଆମ ସମସ୍ତଙ୍କୁ ପ୍ରକୃତିର ଅନିୟମିୟତା ଓ ଆର୍ଥିକ ବୈଷମ୍ୟତାରୁ ରକ୍ଷା କରିପାରିବ ।
ଫୋନ :
9437762272
ଇମେଲ : debasar11@yahoo.co.in