Wednesday, June 27, 2018

ଗୁରୁପ୍ରିୟା ସେତୁ ନିର୍ମାଣ ସମାଧାନର ରାସ୍ତା କି?


ଗୁରୁପ୍ରିୟା ସେତୁ ନିର୍ମାଣ ସମାଧାନର ରାସ୍ତା କି?


ସବୁ କଥା ଅଟକି ଯାଇଛି ଗୁରୁପ୍ରିୟା ସେତୁ ପାଖରେ, ଯେମିତିକି ସେତୁ ନିର୍ମାଣ ହୋଇଗଲାପରେ ବିକାଶ ଆଉ ଅପହଞ୍ଚ ହୋଇରହିବନିସତେରେ କଣ ଏହିକଥା ଚାହୁଁଞ୍ଛନ୍ତି ବିଚ୍ଛିନ୍ନାଞ୍ଚଳର ଲୋକେ? କାହିଁ କେବେ ରାଲ୍ଲି କି ବିକ୍ଷୋଭ ଏଥିପାଇଁ ହୋଇନାହିଁ ତ? ସମଗ୍ର ମାଲକାନଗିରି ଜିଲ୍ଲା ଆଜି ଯେତେବେଳେ ପଛୁଆ ଅଞ୍ଚଳ ହୋଇ ରହିଛି ତେବେ କେଉଁ ଗୁରୁପ୍ରିୟା ସେତୁ ଏହାକୁ ଭୁବନେଶ୍ଵର ଠାରୁ ବିଚ୍ଛିନ୍ନ କରିରଖିଛି? ରାଜ୍ୟସରକାର ଏବେ ବିଏସଏଫର ସହାୟତାରେ ଏହି ସେତୁ ନିର୍ମାଣ ପାଇଁ ପୁଣିଥରେ ଉଦ୍ୟମ କରୁଛନ୍ତି  ରାଜ୍ୟ ସରକାରଙ୍କ ଏହି ଜିଦ୍ଦି ମନୋଭାବ ଅଘୋଷିତ ଯୁଦ୍ଧର ଅଂଶ ବିଶେଷ ଅଥବା ଅହଁକାରର ଲଢେଇ ନୁହେଁତ? କିମ୍ବା କୌଣସି କମ୍ପାନୀର ଜମି ଅଧିଗ୍ରହଣ ପାଇଁ ଏସବୁ କରାଯାଉନାହିଁ ତ?
ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡାଠାରୁ 30 ରୁ 40 କିଲୋମିଟର ଦୂରରେ ଥିବା କୁଡମୂଲଗୁମ୍ମା ବ୍ଲକର ପାଞ୍ଚୋଟି ପଞ୍ଚାୟତର 168ଟି ଗ୍ରାମକୁ ନେଇ ଏହି ବିଚ୍ଛିନ୍ନାଞ୍ଚଳଏହାର ସୀମାନ୍ତରେ ଥିବା ଆନ୍ଧ୍ରପ୍ରଦେଶର ବିଶାଖାପଟନମ ଏଜେନ୍ସି ଅଞ୍ଚଳକୁ ଯିବା ଆସିବା କରିବାପାଇଁ ଗୁରୁପ୍ରିୟା ସେତୁ ଏକ ପ୍ରଧାନ ପ୍ରତିବନ୍ଧକଏହାର ଏକ ପାଖରେ ସିଲେରୁ ନଦୀ ଆନ୍ଧ୍ରପ୍ରଦେଶଠାରୁ ଅଲଗା କରୁଛି ଓ ଅନ୍ୟପାଖରେ ଶାବେରୀ ନଦୀ ଛତିଶଗଡ ଠାରୁ ଅଲଗା କରୁଛିଚିତ୍ରକୋଣ୍ଡା ତହସିଲ ଅନ୍ତର୍ଗତ ଏହି 900 ବର୍ଗ କିଲୋମିଟର ଘଞ୍ଚ ଜଙ୍ଗଲ ଓ ପାହାଡିଆ ଅଞ୍ଚଳ ମୁଖ୍ୟତଃ ବୃହତ ପ୍ରକଳ୍ପଦ୍ଵାରା ବିସ୍ଥାପିତଙ୍କ ବାସସ୍ଥାନ
ମାଲକାନଗିରି ଜିଲ୍ଲାର ମାଛକୁଣ୍ଡ ପ୍ରକଳ୍ପ ବ୍ରିଟିଶ ରାଜୁତି ସମୟରେ ଆରମ୍ଭ ହୋଇ 1955ରେ ସମ୍ପୂର୍ଣ ହେଲାମାଛକୁଣ୍ଡରୁ ଯେଉଁ 10,000 ବିସ୍ଥାପିତ ଆଦିବାସୀ 1952ରେ ଚିତ୍ରକୋଣ୍ଡାରେ ପୁନର୍ବାସ ଶିବିର ସ୍ଥାପନ କରିଥିଲେ ସେମାନେ 1964 ରେ ପୁନର୍ବାର ଚିତ୍ରକୋଣ୍ଡା ଡ୍ୟାମ ପ୍ରକଳ୍ପରେ ବିସ୍ଥାପିତ ହେଲେ। ସେମାନେ ପୂର୍ବରୁ ଚାଷ କରୁଥିବା ଜମି ଓ ବାସ କରୁଥିବା ଭିଟାମାଟି, ସ୍ଥାୟୀ, ଅସ୍ଥାୟୀ ବାସଗୃହ ସବୁହରାଇଲେବ୍ୟାପକ ଜଙ୍ଗଲ, ଛୋଟବଡ ଅନେକ ପାହାଡ ଓ ଡଙ୍ଗର ଜଳଭଣ୍ଡାର ଭିତରେ ବୁଡିଗଲାଆଜି ମାଲକାନଗିରି ଜିଲ୍ଲାର ଯେଉଁ ଅଞ୍ଚଳକୁ କଟ-ଅଫ-ଏରିଆ (ବିଚ୍ଛିନ୍ନାଞ୍ଚଳ) କୁହାଯାଉଛି, ସେହି ଅଗମ୍ୟ ଅଞ୍ଚଳ 136ଟି ଗ୍ରାମରେ (ଏବେ ଏହା 168ଟି ଗ୍ରାମ ହେଲାଣି) ସେମାନେ ବସବାସ କରୁଛନ୍ତି।” ନିକଟରେ ପ୍ରକାଶିତ ‘’ଅକାଳ” ପୁସ୍ତକରେ ସର୍ବୋଦୟ ବିଚାରର ବରିଷ୍ଠ କର୍ମୀ ରବି ଦାଶ ନିଜର ଅନୁଭୂତି ଆଧାରରେ ଏକଥା ଲେଖିଛନ୍ତି। ସେଅଞ୍ଚଳ ସମ୍ପର୍କରେ ସେ ପୁଣି ଲେଖନ୍ତି ଯେ ସମୁଦାୟ 21000 ଆଦିବାସୀ ଲୋକ ଚିତ୍ରକୋଣ୍ଡା ଡ୍ୟାମ ପ୍ରତିଷ୍ଠା ସମୟରେ ବିସ୍ଥାପିତ ହୋଇଥିଲେଏହି ବିସ୍ଥାପିତଙ୍କ ପୁନର୍ବାସ ଓ ଥଇଥାନ ପାଇଁ ରାଜ୍ୟ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି କିମ୍ବା କିଛି ଅନୁଦାନ ଦେଇନାହାନ୍ତିଏହା ସପ୍ତମ ଦଶକରେ ବିଚ୍ଛିନ୍ନାଞ୍ଚଳ ସମ୍ପର୍କରେ ନଗ୍ନ ଉପସ୍ଥାପନା
ଅଷ୍ଟମ ଦଶକରେ, ପ୍ରାୟେ 1985 ବେଳକୁ, ଏହି ବିଚ୍ଛିନ୍ନାଞ୍ଚଳକୁ ମାଓବାଦୀ ସଂଗଠନ ବା ସେସମୟର ପିପୁଲ୍ସ ୱାର ଗ୍ରୁପ ସଦସ୍ୟଙ୍କ ପ୍ରବେଶ ଘଟିଛି। ସେମାନଙ୍କ ଅଘୋଷିତ ଉପସ୍ଥିତି ସମ୍ପର୍କରେ ଲୋକେ ଜାଣିଲେ ଯେତେବେଳେ ଆଲମପଙ୍କା ଗ୍ରାମ ନିକଟରେ ଜୁନ 29, 2008ରେ ଆନ୍ଧ୍ରପ୍ରଦେଶର 35 ଜଣ ଗ୍ରେହାଉଣ୍ଡ ଜବାନଙ୍କୁ କୋମ୍ବିଂ ସାରି ଫେରୁଥିବା ସମୟରେ ମାଓବାଦୀ କ୍ୟାଡରମାନେ ଗୁଳି କରି ହତ୍ୟା କଲେମାଲକାନଗିରି ଜିଲ୍ଲାପାଳଙ୍କୁ ମାଓବାଦୀ ପାର୍ଟି ଅପହରଣ କରି (ଫେବୃରାୟ, 2011) ଏହି ବିଚ୍ଛିନ୍ନାଞ୍ଚଳରେ ଆଣି ରଖିଥିଲେତାପରେ ଯାଇ ଏଠାର ସମସ୍ୟା ସମ୍ପର୍କରେ କିଛିଟା ଆଲୋଚନା ହୋଇଥିଲାହେଲେ ସରକାରଙ୍କ ସହିତ ମୂଲଚାଲ ବେଳେ କେବଳ ବିସ୍ଥାପିତଙ୍କୁ କ୍ଷତିପୂରଣ ବ୍ୟତିତ ଏହି ବିଚ୍ଛିନ୍ନାଞ୍ଚଳର ସମସ୍ୟାର ସମାଧାନ ସମ୍ପର୍କରେ କୌଣସି ସର୍ତ ମାଓବାଦୀ ପାର୍ଟି ତରଫରୁ ରଖାଯାଇନଥିଲାଭିନୀଲ କ୍ରୀଷ୍ଣାଙ୍କୁ ଆଦର୍ଶ ଜିଲ୍ଲାପାଳ ମନେକରି ସ୍ଥାନୀୟ ଲୋକେ ମାଓବାଦୀ ପାର୍ଟି ଉପରେ କ୍ରମାଗତ ଚାପ ସୃଷ୍ଟି କରିଥିଲେଫଳରେ ତାଙ୍କୁ ମୁକୁଳାଇବା ସହଜ ହେଲାପରେ ସେ ନିଜର ଭବିଷ୍ୟତ ଦେଖିଲେ ଓ କେନ୍ଦ୍ରକୁ ଚାଲିଗଲେସ୍ଥାନୀୟ ଲୋକେ ଯେ ନିରାଶ ହେଲେ ତାହାନୁହେଁ ମାଓବାଦୀ ପାର୍ଟି ତରଫରୁ ଭର୍ସଚ୍ଛିତ ମଧ୍ୟ ହୋଇଥିଲେ
ସପ୍ତମ ଦଶକର ନକ୍ସଲବାଡି ଆନ୍ଦୋଳନ ସମୟରେ ମାଲକାନଗିରି ଜିଲ୍ଲାର ଏହି ଚିତ୍ରକୋଣ୍ଡା ଅଞ୍ଚଳବି ସାମିଲ ହୋଇଥିଲା। ଅବଶ୍ୟ ଡ୍ୟାମରେ କାମ କରୁଥିବା ଅସ୍ଥାୟୀ ଶ୍ରମିକଙ୍କ ୟୁନିୟନଥିଲା ଏହାର ମୁଖ୍ୟ ଅଂଶୀଦାରସେ ସମୟରେ ‘’ଅକାଳ’’ର ଲେଖକ ରବି ଦାଶ ସମେତ ନାଗଭୂଷଣ ପଟ୍ଟନାୟକ, ଆଦିବାସୀ କବି ଓ ନେତା ପୁରୁଷୋତ୍ତମ ପାଲ୍ଲି, ଶ୍ରମିକ ଯୁନିୟନର ସଭାପତି ଯୁଧିଷ୍ଠିର ଗୌଡ, ଗୁଣୁପୁରର ଓକିଲ ଡ଼ିଭିଏମ ପଟ୍ଟନାୟକ ‘’ଚିତ୍ରକୋଣ୍ଡା ଷଡୟନ୍ତ୍ର“ କେଶରେ ପାଞ୍ଚ ବର୍ଷ ଜେଲ ଭୋଗିଥିଲେ ସେ ସମୟର ଅନୁଭୂତିକୁ ନେଇ ଲେଖକ ଅକାଳ ପୁସ୍ତକରେ ଲେଖିଛନ୍ତି, ସମଗ୍ର କଟ-ଅଫ-ଏରିଆରେ ବସବାସ କରୁଥିବା ଦୁର୍ଦ୍ଦଶାଗ୍ରସ୍ତ ଆଦିବାସୀମାନଙ୍କ ଗମନାଗମନପାଇଁ ସ୍ଥାୟୀ ରାସ୍ତା, ସ୍କୁଲ, ହସପିଟାଲ, ଥଇଥାନପାଇଁ ବାସଗୃହ ଓ ନ୍ୟାଯ୍ୟ କ୍ଷତିପୂରଣ ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା ରାଜ୍ୟ ସରକାର ଦାବିଗୁଡିକ ପ୍ରତ୍ୟାଖ୍ୟାନ କଲେଓଲଟି ଡ୍ୟାମ ଶ୍ରମିକସଂଘର କର୍ମକର୍ତାଙ୍କ ବିରୁଦ୍ଧରେ ସରକାରଙ୍କୁ ଗାଦିଚ୍ୟୁତ କରିବା ପାଇଁ ଷଡୟନ୍ତ୍ର (ଆଇପିସିର ଧାରା 120 –ବି) ଅଭିଯୋଗରେ 1969ରେ ପ୍ରତ୍ୟେକଙ୍କୁ ପାଞ୍ଚ ବର୍ଷ ଲେଖାଁ କାରାଦଣ୍ଡରେ ଦଣ୍ଡିତ କରାଇଲେ ଏବେ ଯେଉଁ ବିଦ୍ୟୁତ ଉତ୍ପାଦନ ହେଉଛି ସେଥିରେ ହାଇଦ୍ରାବାଦ ଓ ଭୁବନେଶ୍ଵର ଆଲୋକିତ ହେଉଛି । ଆନ୍ଧ୍ରପ୍ରଦେଶ ଉନ୍ନତ ରାଜ୍ୟର ମାନ୍ୟତା ପାଉଛିମାତ୍ର 40 କିଲୋମିଟର ଦୂର କଟ –ଅଫ-ଏରିଆରେ ବିଦ୍ୟୁତ ଖୁଣ୍ଟଟିଏ ବି ପଡ଼ିପାରୁନି
ଅପରେସନ ଗ୍ରୀନ ହଣ୍ଟ ସମୟରେ ପୁଲିସର ମାତ୍ରାଧିକ କାର୍ଯ୍ୟର ଶିକାର ଜିଲ୍ଲାବାସୀ ବାରମ୍ବାର ହୋଇଛନ୍ତି ଜଣେ ମାନବାଧିକାର କର୍ମୀ ଭାବରେ ତଥ୍ୟ ଅନୁସନ୍ଧାନକାରୀ ଦଳର ସଦସ୍ୟ ହୋଇ 2008 ମସିହାରୁ ମୁଁ ଏହିସବୁ ଅଞ୍ଚଳକୁ ଯାଇଛି ଏକ ବୃତ୍ତ ଚିତ୍ର ନିର୍ମାଣ ପାଇଁ 2012 ମସିହାର ଶୀତଦିନାରେ ଏହି ବିଚ୍ଛିନ୍ନାଞ୍ଚଳକୁ ମୁଁ ଯାଇଥିଲିମୋର ସ୍ଵାଭାବିକ ଆକର୍ଷଣ ଥିଲା ଆଲମପଙ୍କା  ଗ୍ରାମ ଗ୍ରାମରେ 35 ପାଖାପାଖି ଘର, ସମସ୍ତେ ଆଦିବାସୀସମସ୍ତ ଗ୍ରାମବାସୀ ମୋତେ ଯେଉଁ ଝରଣା ପାଖକୁ ନେଇଗଲେ ସେଥିରେ ଯେ ପାଣି ଚାଲୁଛି ତାହା ଉପରୁ ଜଣାପଡୁ ନଥିଲା କାରଣ ପାଣିର ଧାରଥିଲା ବହୁତ ସରୁଏହି ପାଣି ରେ ଆମର ଗାଧୁଆ, ପାଣି ପିଇବା, ଗୋରୁ ବି ପିଇବା ସବୁକିଛି। ସେଥିରେ କେତେ ଲୋକ ବେମାରରେ ମଲେଣି ମାତ୍ର କେହି ଶୁଣିବାକୁ ନାହିଁ“ ମୋ ଦେଖିବାରେ ଏହିପରି ବିଚ୍ଛିନ୍ନାଞ୍ଚଳ ମଧ୍ୟରେ ବହୁଗ୍ରାମ ଜଳଭଣ୍ଡାର ଭିତରେ ବନ୍ଦୀ ଯେଉଁମାନେ ଶୀତ ଓ ଖରାଦିନେ ପ୍ରଚଣ୍ଡ ଜଳକଷ୍ଟ ଦେଇ ଏବେବି ଜୀବନ ବିତାଉଛନ୍ତିଏଠାରେ ଏକମାତ୍ର ସ୍ଵାସ୍ଥ୍ୟକେନ୍ଦ୍ର ଦାନାଗାଦିଠାରେ ଅବସ୍ଥାପିତ ଯେଉଁଠି ନା ଔଷଧ ଅଛି ନା ଡାକ୍ତର କେବେ ରୁହନ୍ତି ଯଦି ଲଞ୍ଚ ଚାଲୁଛି ତେବେ ରୋଗୀ ଚିତ୍ରକୋଣ୍ଡା ଡାକ୍ତରଖାନା ଆସିପାରେ, ନହେଲେ ମରିଗଲେ ଘାଟରେ ତାକୁ  ପୋଡିଦେଇ  ଗାଁ ଲୋକେ ଚାଲିଯାନ୍ତି ଆଲମପଙ୍କାର ମହିଳାମାନେ ସରକାରଙ୍କ ଉପରେ ବର୍ଷୁଥିଲେ, ସରକାରଙ୍କ କଣ ମୁଣ୍ଡ ନାହିଁ କି? ଭୋଟ ଦେଲା ବେଳେ କହିବେ ତାଲିକାରେ ନାମ ଅଛି, ଅନ୍ୟ ସମୟରେ କହିବେ ନାମ ନାହିଁ ସମ୍ବିଧାନର ଧାରା 21କୁ ବ୍ୟାଖ୍ୟା କରି ବିଭିନ୍ନ ସମୟରେ ରାଜ୍ୟର ହାଇକୋର୍ଟ ଓ ସୁପ୍ରିମକୋର୍ଟ ଉଲ୍ଲେଖ କରିଛନ୍ତିଯେ ସମସ୍ତଙ୍କୁ ପାନୀୟ ଜଳ, ବାସସ୍ଥାନ ଓ ଉତ୍ତମ ଚିକିସ୍ଛା ବ୍ୟବସ୍ଥା ଯୋଗାଇବା ସରକାରଙ୍କ ଦାୟିତ୍ଵ । ମାତ୍ର କେବେବି କୌଣସି ସରକାରୀ ଅଧିକାରୀ ଏଠାରେ କୋର୍ଟ ଅବମାନନା କେଶରେ ଦଣ୍ଡିତ ହୋଇନାହାନ୍ତି ଚିତ୍ରକୋଣ୍ଡାର ପୁରା ତହସିଲ ଅଞ୍ଚଳର ସର୍ବେସର୍ବା ହେଲେ ଥାନା ଆଇଆଇସି ଓ ବିଏସଏଫର କମାଣ୍ଡରତହସିଲ ଅଫିସ ଚାଲେ ସେକ୍ଶନ ଅଫିସରଙ୍କ ଦ୍ଵାରାଏହାର ସମସ୍ତ ସଡକରେ 10 ଜଣିଆ କମାଣ୍ଡର ଗାଡିରେ 50 ରୁ 60 ଲୋକ ଯାନ୍ତି ଓ ଏହି ଅବିଶ୍ଵସନୀୟ ଚିତ୍ରକୁ ବିଏସଏଫ ଯବାନ ବି ଦେଖେ ପୁଲିସ ବି ଦେଖେ ଏମଏଲଏ ଓ ଜିଲ୍ଲାପାଳ ବି ଦେଖନ୍ତି ଅଞ୍ଚଳର କୌଣସି ବି ଆବାସିକ ସ୍କୁଲ ଗାଁର ଗୋରୁଶଳ ଠାରୁ ବି ଅନୁନ୍ନତ ତେଣୁ ଆଗ୍ରହୀ ପିଲାମାନେ ବି ପଢାଛାଡନ୍ତିଶିକ୍ଷା ଅଧିକାର ନିୟମ 2010 ମସିହାରୁ ଓଡିଶାରେ ଲାଗୁ ହୋଇଥିଲେ ମଧ୍ୟ ଏହାର ଖିଲାପକାରୀକୁ କୌଣସି ଦଣ୍ଡ ଦେବାର ବ୍ୟବସ୍ଥା ନାହିଂତାହୋଇଥିଲେ ଏ ସମସ୍ତ ଜିଲ୍ଲାପାଳ ପ୍ରଥମେ ଜେଲ ଯାଇଥାନ୍ତେ ରାଜ୍ୟର ଦେବତା ଅମଲାତନ୍ତ୍ରୀଙ୍କ ପ୍ରଥମ ପସନ୍ଦ କୀଟ ଅନ୍ତର୍ଜାତିକ ଓ ସାଇ ଅନ୍ତର୍ଜାତିକ ସ୍କୁଲ ବ୍ୟବସ୍ଥାକୁ ଦେଖିଲେ ସାଧାରଣ ଆଦିବାସୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ସ୍କୁଲ କେବଳ ଉପହାସ ନୁହେଁ ଆଗାମୀ ବିପ୍ଳବର ଆୱାଜ ମଧ୍ୟ।
ନିକଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ମାଲକାନଗିରି ଜିଲ୍ଲାର ମାନବ ସୂଚକାଙ୍କ ଦେଶ ଭିତରେ ସର୍ବନିମ୍ନଏଠାର ଶିଶୁ ମୃତ୍ୟୁହାର 120 ଯେତେବେଳେ ରାଜ୍ୟର ଏହା 69ସେହିପରି ମାତୃ ମୃତ୍ୟୁହାର ମଧ୍ୟ ସର୍ବାଧିକଜାତୀୟ ସ୍ୱାସ୍ଥ୍ୟ ମିସନ’’ ଦ୍ଵାରା 2008 ମସିହାରେ ନିଷ୍ପତ୍ତି ନିଆଯାଇଥିଲାଯେ 2015 ମସିହା ମଧ୍ୟରେ ଏ ସମସ୍ତ ମୃତ୍ୟୁହାରକୁ ଅଧାକୁ କମାଇଦିଆଯିବଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ ହେଲା ଯାହାର ହିସାବ କେବଳ ସ୍ୱାସ୍ଥ୍ୟ ବିଭାଗ ଦେଇପାରିବଏବେ ଲକ୍ଷ ପୂରଣ ନହେବା ହେତୁ ବିଶ୍ଵବ୍ୟାଙ୍କ ଓ ଡ଼ିଏଫଆଇଡ଼ିରୁ ପୁଣି ରୁଣ ଆସିବ ଓ ସମସ୍ତ ନାଗରିକଙ୍କୁ ତାହା ଶୁଝିବାକୁ ପଡିବଅଥଚ ସେହି ଦୁର୍ନୀତିରୁ ଯେଉଁ ଅମଲାତନ୍ତ୍ରୀ ଓ ଅଫିସର ସୃଷ୍ଟି ହେଲେ ସେମାନେ ସ୍ଵାସ୍ଥ୍ୟର ନିଜସ୍ଵିକରଣ କରାଇ ନିଜପାଇଁ ଆପ୍ପୋଲ୍ଲୋ ବା କଳିଙ୍ଗ ଡାକ୍ତରଖାନାରେ ଜାଗାତ ଠିକ କରିଦେଲେ ମାତ୍ର ଦକ୍ଷିଣ ଓଡିଶାର କ୍ରମଶଃ ଦରିଦ୍ର ହେଉଥିବା ଆଦିବାସିକୁ ମୃତ୍ୟୁମୁଖକୁ ନୁହେଁ ବରଂ ଉପେକ୍ଷିତ ହେତୁ ସରକାରୀ ବିରୋଧୀ କ୍ରୋଧକୁ ଆହୁରି ବଢାଇଦେଲେ
ଜିଲ୍ଲାରେ ଥିବା ଅପରଜ୍ୟାପ୍ତ ଜଙ୍ଗଲ ବିଭାଗୀୟ ଅଧିକାରୀଙ୍କ ଚୋରୀ ହେତୁ କଟିଗଲା। ଅଥଚ ଦେଖାଇଦିଆଗଲା ଆଦିବାସୀ ପୋଡୁ ଚାଷ ହେତୁ କଟିଗଲାଜଙ୍ଗଲନଥିବା ହେତୁ ଆଦିବାସୀର ଜୀବିକା ବାଧାପ୍ରାପ୍ତ ହେଲା ଏବେ ବଣ୍ଡା ଯୁବକ ଓ ଯୁବତୀ (ପ୍ରତିଭା ରାୟଙ୍କ ଆଦିଭୂମିର ପାତ୍ର/ପାତ୍ରୀମାନେ) ମାଲକାନଗିରି ସହରର ହୋଟେଲ ମାନଙ୍କରେ ପ୍ଳେଟ ଧୋଇବା ପାଇଁ ନିଯୁକ୍ତ ଗଦବା ଆଦିବାସୀ ଯୁବକମାନେ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ପଳାଉଛନ୍ତି ନକ୍ସଲ ଦମନ ନାମରେ ଜିଲ୍ଲାରେ ମାଥିଲି, ଗୁମ୍ମା, ଚିତ୍ରକୋଣ୍ଡା, ପଡିଆ, କାଲିମେଳ, ମୋଟୁ, ବାଲିମେଲା, ଖଇରପୁଟ ବ୍ଲକର ପ୍ରତି 30-40 କିଲୋମିଟରରେ ବିଏସଏଫର କ୍ୟାମ୍ପ ପ୍ରତିଷ୍ଠା ହୋଇଛି ମାଓବାଦୀ କ୍ୟାଡର ବନାମ ସରକାରୀ ଯବାନଙ୍କ ଯୁଦ୍ଧରେ କିନ୍ତୁ ବେଶ ସୁରକ୍ଷିତ ଅଛନ୍ତି ରାଜ୍ୟର ଅମଲାତନ୍ତ୍ର ଓ ରାଜନେତା ମାନେ ଯେଉଁ ମାନେକି ବସ୍ତୁତଃ ଜିଲ୍ଲାର ଚରମ ଅବସ୍ଥିତି ପାଇଁ ଦାୟୀ 
‘’ପରଜା’’ ଉପନ୍ୟାସରେ ଶୁକ୍ରୁଜାନିର ପରିବାର ହୁଏତ ସାହୁକାରକୁ ଶେଷରେ ହତ୍ୟା କରି ପୁଲିସ ପାଖରେ ଆତ୍ମସମର୍ପଣ କରିପାରିଥାନ୍ତି ମାତ୍ର ଗୋପୀନାଥ ମହାନ୍ତି ଏହି ସମସ୍ତ ଅବିଭକ୍ତ କୋରାପୁଟ ଜିଲ୍ଲାପାଇଁ ଛାଡିଦେଇଗଲେ ଅନେକ ହେଡୁ, ଜମାଦାର, ଗାଡୁ, ଅଫିସର ଓ କଲେକ୍ଟର ମାନଙ୍କୁ । ଏ ରାଜ୍ୟରେ 1958 ରୁ Orissa Weights and Measures (Enforcement) Act ରହିଛି। ସାହୁକାର ଓ ବେପାରୀଙ୍କ ସହିତ ସହ୍ଳାସୁତୁରା ହେତୁ ଦଶନ୍ଧି ଦଶନ୍ଧି ଧରି ବିଭାଗର ଅଧିକାରୀମାନେ ହାଟ ଅଞ୍ଚଳରେ କେବେ ଦେଖାଯାନ୍ତିନାହିଂ ଓଡିଶା ହେଲା ପ୍ରଥମ ରାଜ୍ୟ ଯେଉଁଠି Orissa Debt Bonded Abolitions Regulation ଆକ୍ଟ 1948ରୁ କାର୍ଯକାରୀ ହେଉଛି ଅଥଚ ନାରାୟଣପାଟଣାଠାରୁ ନବରଙ୍ଗପୁର ପର୍ଯ୍ୟନ୍ତ ବହୁ ଆଦିବାସୀ ଗୋତି ରହିଥିବା କଥା ସମସ୍ତେ ଜାଣନ୍ତି ଭୁଦାନ କର୍ମୀଙ୍କ ଗୋତିମୁକ୍ତି ଆନ୍ଦୋଳନ ଜିଲ୍ଲାରେ ବିଶେଷ ପ୍ରଭାବ ପକାଇପାରିନଥିଲା  ସ୍ଵାଧୀନ ଭାରତରେ ଏହା କେମିତି ସମ୍ଭବହେଲା, ସେଥିରେ ମୁଁ ବି ଆଶ୍ଚର୍ଯ୍ୟ ସେମାନେବି ଆଶ୍ଚର୍ଯ୍ୟ। ରାଜ୍ୟରେ ସର୍ବନିମ୍ନ ମଜୁରି ନିୟମ 1948ରୁ କାର୍ଯ୍ୟକାରୀ ହେଉଛି । ଅଥଚ ଶ୍ରମ ବିଭାଗର ଅଧିକାରୀମାନେ ନିଯୁକ୍ତିଦାତାଙ୍କ ଦ୍ଵାରା ଏତେ ଉପକୃତ ହୋଇଛନ୍ତିଯେ ଏପରି ବିଭାଗ ଅଛି ବୋଲି କୌଣସି ମଜୁରିଆ କି ଶ୍ରମିକ ଜାଣନ୍ତିନାହିଂ
ଅବିଭକ୍ତ କୋରାପୁଟ ଜିଲ୍ଲାରେ ସମବାୟ ବା ଲ୍ୟାମ୍ପ୍ସ ଅଛି ଓ ଏହାର ସଭାପତି ବହୁତ ବର୍ଷଧରି ଅଣ-ଆଦିବାସୀ ଥିଲେ ଯେଉଁମାନେକି ଆଦିବାସୀ ପାଇଁ ଆସିଥିବା ସମସ୍ତ ରୁଣ ଓ ସବସିଡିକୁ ନିଜର ସମ୍ପର୍କୀୟ ମାନଙ୍କୁ ହିଁ ବାଣ୍ଟିଦେଲେ ଯାହାର ପରିଶୋଧ ଆଜିବି ହୋଇନାହିଁ ଓ ଯେଉଁଥିପାଇଁ ଅଧିକାଂଶ ସୋସାଇଟି ବନ୍ଦ ମଧ୍ୟ ହୋଇଯାଇଛି । କେବେ କୌଣସି କାର୍ଯ୍ୟାନୁଷ୍ଠାନ ଏମାନଙ୍କ ବିରୁଦ୍ଧରେ ହୋଇନାହିଁ କାରଣ ଜିଲ୍ଲାର ରାଜନୀତିରେ (ସମସ୍ତ ପ୍ରମୁଖ ରାଜନୈତିକ ଦଳର) ଏମାନେ ଜଣାଶୁଣା । ଆଶ୍ଚର୍ଯ୍ୟର କଥାଯେ, ରାଜ୍ୟରେ Orissa Scheduled Areas Transfer of Immovable Property Act 1956ରୁ ଲାଗୁ ହୋଇଥିଲେମଧ୍ୟ ଏକ ସରକାରୀ ହିସାବରେ ଯଦିଓ 8555 ଏକର ଆଦିବାସୀ ଜମି ଅଣ-ଆଦିବାସୀ ହାତକୁ ଯାଇଛି ତଥାପି ଏହାର ପ୍ରକୃତ ପରିମାଣ ଯଥେଷ୍ଟ ଅଧିକ। ଅବିଭକ୍ତ କୋରାପୁଟ ଜିଲ୍ଲା ଅନୁସୂଚିତ ଅଞ୍ଚଳ । ସତୁରୀ ଦଶକରେ ନକ୍ସଲ ଆନ୍ଦୋଳନ ସମୟରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅବସ୍ଥାପିତ ସେସମୟର ଜିଲ୍ଲାପାଳ ଗଲାବର୍ଷ ମତେ ଏକ ସାକ୍ଷାତକରରେ କହିଲେ ସେଭଳି ନିୟମତ ଥିଲା ମାତ୍ର ଜମି ହସ୍ତାନ୍ତର ପାଇଁ ତାହାର କୌଣସି ଆବଶ୍ୟକତା ପଡୁନଥିବା ମୁଁ ଲକ୍ଷ କରିଥିଲି । ଦୁଃଖର କଥାଯେ ସେ ନିଜର ନାମ ପ୍ରକାଶ ନକରିବା ପାଇଁ ଅନୁରୋଧ କରିଛନ୍ତି । ମାତ୍ର କ୍ଷୋଭଭରା ସ୍ଵରରେ ଏତିକି କହିଲେ, “ଅବିଭକ୍ତ କୋରାପୁଟର ଦୁର୍ନୀତି ଓ ଆଜିର ଦୁଃଖଦଃ ପରିସ୍ଥିତି ପାଇଁ ସେଠାରେ ନିଯୁକ୍ତ ସମସ୍ତ ସରକାରୀ ଅଫିସର ମାନେ ଦାୟୀ ଯଦି କେବେ ବିଚାର ହୁଏ ତେବେ ସେମାନେ ଆଗ ଜେଲ ଯିବେ ।“ ମୋର ମତରେ ଉକ୍ତ ପ୍ରଶାସକ ମଧ୍ୟ ଦୋଷୀ କାରଣ ଠିକ ତାଙ୍କରି ସମୟରେ ଚିତ୍ରକୋଣ୍ଡା ଷଡୟନ୍ତ୍ର ଓ ବାଲିମେଳ ବିସ୍ଥାପିତଙ୍କ ଦୁଃସ୍ଥିତିର ଆରମ୍ବ ହୋଇଥିଲା। କେବଳ ସେ କାହିଁକି ପ୍ୟାରି ମୋହନ ମହାପାତ୍ର (ଦଣ୍ଡକାରଣ୍ୟ ପ୍ରକଳ୍ପର ଅଧ୍ୟକ୍ଷ ମଧ୍ୟ), ନଲିନୀ କାନ୍ତ ପଣ୍ଡା, ପ୍ରେମାନନ୍ଦ ତ୍ରିପାଠୀ ଓ ଅଜିତ ତ୍ରିପାଠୀ ଇତ୍ୟାଦି ଯେଉଁମାନେ ନେହେରୁଙ୍କ ‘’ଆଧୁନିକ ମନ୍ଦିର” ନିର୍ମାଣରେ  ଜବରଦସ୍ତି ଆଦିବାସୀଙ୍କ ଘରକୁ ବିନା ଥାଇଥାନରେ ବୁଲ୍ଦୋଜର ଲଗାଇ ସମତଳ କରିଥିଲେ ସେମାନେ ପରେ ପରେ ମୁଖ୍ୟ ଶାସନ ସଚିବ ଓ କେନ୍ଦ୍ର ସରକାରଙ୍କ ସଚିବ ହୋଇଛନ୍ତିଆଧୁନିକ ବିକାଶ ପଦ୍ଧତିରେ ନିଜ ପରିବାର ପାଇଁ ଉତ୍ତମ ବ୍ୟବସ୍ଥାତ କରିଦେଇଛନ୍ତି ମାତ୍ର ଆଦିବାସିକୁ ଠେଲିଦେଇଛନ୍ତି ଅନ୍ତହୀନ ଦୁର୍ଦଶା ଭିତରକୁ । ଗଲା କିଛି ବର୍ଷ ହେଲାଣି ପ୍ଲାନ୍ଟେଶନ କମ୍ପାନୀମାନେ ବ୍ୟାଙ୍କ ରୁଣ ଆଦିବାସୀ ଜମିରେ କରେଇ ପୁଣି ପରିଶୋଧ ନହେବା ନାମରେ ମୁକ୍ତ ନିଲାମ କରିବାର ଏକ ରାକେଟ ଉଭୟ ସରକାରୀ ଓ ବ୍ୟାଙ୍କ ଅଫିସରଙ୍କ  ଜ୍ଞାତରେ ଏବେ ଚାଲିଛି। କୋରାପୁଟ ଓ ରାୟଗଡା ଜିଲ୍ଲାର ଆଦିବାସୀ ଏହାର ଅଧିକ ଶିକାର ହେଉଛି        
ଏତେ ଅଧିକ ସଂଖ୍ୟାରେ ପୁଲିସ ସୂଚନାକାରୀ ଭାବରେ ଆଦିବାସୀଙ୍କୁ ମାରିଲା ପରେବି ଅବିଭକ୍ତ କୋରାପୁଟ ଜିଲ୍ଲାର ସ୍ଥାନୀୟ ଆଦିବାସୀ ଲୋକ କଦାପି ମାନିବାକୁ ପ୍ରସ୍ତୁତ ନୁହଁନ୍ତି ଯେ ନକ୍ସଲମାନେ ସେମାନଙ୍କ ପାଇଁ ଏକ ସମସ୍ୟା ବରଂ ସମଗ୍ର ଦକ୍ଷିଣ ଓଡିଶାର ସମସ୍ୟାହେଲେ ଦୁର୍ନୀତିଗ୍ରସ୍ତ ଅଫିସର, ଜିଲ୍ଲାପାଳ ଓ ପୁଲିସଏଠାରେ ଆଧୁନିକ ଓଡିଶାର ଉପନିବେଶ ମନେକରି ପୂର୍ବରୁ ଇନ୍ଦ୍ରାବତୀ, ବାଲିମେଲା, କାଲିମେଲା, ଅପର କୋଲବ ବନ୍ଧଯୋଜନା, ନାଲକୋ, ହାଲ, ସେବା, ଇମ୍ଫା, ଜେକେ ପରି ବିଭିନ୍ନ ବୃହତ ଶିଳ୍ପକାରଖାନା ପେପର ମିଲ, ଚିନିକାଳ ପରି ବହୁ ବୃହତ ପ୍ରକଳ୍ପ ହୋଇଛି । ଏହାର ପାଇଁ ଉପକୂଳରୁ ଯାଇଥିବା ଅଧିକାରୀ ତଥା ବ୍ୟବସାୟୀ ନିଜକୁ ଭୂମିହିନ ଦେଖାଇ ବେଶ କିଛି ଜଙ୍ଗଲ ଜମି ଓ ତା ନିକଟବର୍ତି ଆଦିବାସୀ ଜମି ଏପରିକି ଭୂଦାନ ଜମିକୁ ମଧ୍ୟ ମାଡିବସିଛନ୍ତି। ଆଜି ଏହି ସବୁ ଜମିରେ ସହର ବଢୁଛି, କମ୍ପାନୀର ନୂଆ ସୋରୁମ ଖୋଲୁଛି, ଧନୀଲୋକଙ୍କ ପ୍ରାସାଦ ତିଆରିହେଉଛି । ଅଥଚ କୁଚେଇପଦରରୁ (ରାୟଗଡ଼ ଜିଲ୍ଲାର କାଶୀପୁର ବ୍ଲକ) ତର୍ଲାକୋଟା (ବାଲିମେଳ ବ୍ଲକ, ମାଲକାନଗିରି ଜିଲ୍ଲା) ସବୁଠି ଏନଆରଇଜିଏରେ କାମକରିଥିବା ଆଦିବାସୀକୁ ମଜୁରି ତିନି ଚାରି ବର୍ଷପରେବି ମିଳିନାହିଁ। ସେ ସବୁ ଦୁର୍ନୀତିର ସିବିଆଇ ତଦନ୍ତକୁ ଜାଣିଜାଣି ଅନ୍ଧାରକୁ ଠେଲି ଦିଆଯାଇଛି। ଯେଉଁମାନେ ଏଥିରେ ଦୋଷୀ ସାବ୍ୟସ୍ତ ହୋଇଥାନ୍ତେ ସେମାନେ ଆଜି ଆରଡ଼ିସି ଓ ବିଭିନ୍ନ ବିଭାଗର ସେକ୍ରେଟାରୀ ଭାବରେ ନିଯୁକ୍ତ। ଦେଶର ଏହି ଆଇଏଏସ ଭ୍ରାତୃତ୍ଵ ଦୁର୍ନୀତିଗ୍ରସ୍ତ ଉଚ୍ଚଅଫିସରଙ୍କୁ ସୁରକ୍ଷା ଦେଇଚାଲିଛି ।
ଏହି ସବୁ କାରଣ ମାଓବାଦୀ ପ୍ରସାରରେ ସାହାଯ୍ୟ କରୁଛି ଯେଉଁଠି ଦୁର୍ନୀତିଗ୍ରସ୍ତ ଅଫିସର ମାନେ ଦାୟୀ ସେଠି ସରକାର ବିଏସଏଫ ଓ ସିଆରପିଏଫ ଯବାନଙ୍କୁ ଆଦିବାସୀଙ୍କ ସହିତ ଯୁଦ୍ଧ ପାଇଁ ପଠାଉଛନ୍ତି କାରଣ ଏବେ ସରକାର କହିଲେତ ସେହି ମହାପାତ୍ର, ପଣ୍ଡା ଓ ତ୍ରିପାଠୀମାନେ ଓ ସରକାରୀ ନିୟମ କହିଲେ ବିଶ୍ଵବ୍ୟାଙ୍କ ନିର୍ଦେଶିତ କାର୍ଯ୍ୟବଳି ତେଣୁ ଆଦିବାସୀ ପାଇଁ ଆଶା ପାଲଟିଛନ୍ତି ଗାଢ ରାତିରେ କୌଣସି ତେନ୍ତୁଳୀ ଗଛ କି ଆମ୍ବ ବଗିଚାରେ ମିଟିଂ କରି ଆଦିବାସୀଙ୍କ ବିରକ୍ତିକୁ କ୍ରୋଧରେ ରୂପ ଦେଉଥିବା ମାଓବାଦୀ କ୍ୟାଡର। ସେମାନେଯେ ଆଦିବାସୀ ପ୍ରେମୀ ତା ନୁହେଁ ଏତେ ବର୍ଷ ମାଓବାଦୀ ପାର୍ଟି ଆଦିବାସୀ ଅଞ୍ଚଳରେ କାମକଲା ପରେବି ଜଣେ ହେଲେ ବି ଆଦିବାସୀ କେନ୍ଦ୍ରୀୟ କମିଟିର ସଦସ୍ୟ ହୋଇପାରିନାହାନ୍ତି। ଏଠି ବନ୍ଧୁକହିଁ ଆକର୍ଷଣ ପାଲଟୁଛି ଯାହାବିଷୟରେ ପାର୍ଟି ମଧ୍ୟ ଅବଗତ ଅଛି ଓ ଏଇଥିପାଇଁ ବହୁ ଶୀଘ୍ର ଆଦିବାସୀ ଯୁବକ ଓ ଯୁବତୀମାନଙ୍କୁ କ୍ୟାଡର ଭାବରେ ନିଯୁକ୍ତି ମିଳୁଛି କେବଳ ସେମାନଙ୍କୁ ଠକିଥିବା କୌଣସି ଅଫିସର, ଦଲାଲ, ବ୍ୟାଙ୍କ କର୍ମଚାରୀ ବା ପୁଲିସ ଉପରେ ପ୍ରତିଶୋଧ ନେବା ପାଇଁ। କେଉଁଠି କେଉଁଠି ସେହି କ୍ରୋଧ ବେଶ ସଂଗଠିତ ରୂପ ମଧ୍ୟ ନେଉଛି ଓ ସମସ୍ୟା  ଉଦ୍ରେକକାରୀ ଶକ୍ତି ବିରୁଦ୍ଧରେ ନୂଆ ସଂଗଠନ ତିଆରି ହେଉଛି । ଆଜି ଦୁର୍ନୀତି ଓ ଜମି ହଡପକୁ ବିରୋଧ କରୁଥିବା ବହୁ ଆଦିବାସୀ ଇଉଏପିଏ (Un-lawful Activities (Prevention) Amendment Act 2008 ବା ମାଓବାଦୀ କେଶରେ ଜେଲ ରେ ଅଛନ୍ତି ମାଓବାଦୀ ବିରୋଧୀ ପ୍ରଚାର ଗଣ ମାଧ୍ୟମ ଦ୍ଵାରା ଯେତେ ଅଧିକ ହେଉଛି ସେମାନଙ୍କୁ ଜାମିନ ମିଳିବା ସେତେ କଷ୍ଟ ହେଉଛି
ମୁଁ ଜାଣିବାରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜଣେ ହେଲେ ସାମ୍ବାଦିକ ଆଦିବାସୀ ନୁହନ୍ତି କେବେ କୌଣସି ବହୁଳ ପ୍ରଚାରିତ ଖବରକାଗଜ ଓ ଚ୍ୟାନେଲ ଏ ଦିଗରେ ଚେଷ୍ଟା କରିନାହାନ୍ତି ଏଠାର କୌଣସି ସ୍ଵେଚ୍ଚାସେବୀ ସଂସ୍ଥାର ମୁଖ୍ୟ ବା ପ୍ରୋଗ୍ରାମ ଅଫିସର ଆଦିବାସୀ ନୁହନ୍ତି (ଅତିବେଶିରେ ଫିଲ୍ଡ କର୍ମୀ ହୋଇଥିବେ) ଯଦିଓ ପ୍ରତ୍ୟେକଙ୍କ କାର୍ଯ୍ୟକ୍ଷେତ୍ର ଆଦିବାସୀ ଅଞ୍ଚଳ କୌଣସିବି ରାଜନୈତିକ ଦଳର ନିର୍ବାଚନ ସମୟରେ ଟିକେଟ ବାଣ୍ଟୁଥିବା ନେତା ଆଦିବାସୀ ନୁହେଁ । ଜିଲ୍ଲାରେ କୌଣସି ବି ଦକ୍ଷ ଓକିଲ ଆଦିବାସୀ ନୁହନ୍ତି। ଆଶ୍ଚର୍ଯ୍ୟ  ଲାଗେ ଏଠାର ଅଣ-ଆଦିବାସୀ ସୃଜନଶୀଳ କର୍ମୀ ଯଥା ଲେଖକ, କବି, ପ୍ରାବନ୍ଧିକ ଏଠାର ସମସ୍ୟା ସମ୍ବନ୍ଧରେ କେବେ ନିଜର ସୃଜନତାରେ ଉତ୍ତାରିନାହାନ୍ତି । (ଆଦିବାସୀ ସଂସ୍କୃତିର ପ୍ରଶଂସିକରଣ ହୋଇଛି ଦୂରରୁ ଦେଖୁଥିବା ଦର୍ଶକ ପରି)ଏସବୁ ଦିଗରେ ଯଦି ଏବେ ପ୍ରଚେଷ୍ଟା ହୁଏ ତେବେ ତାହା ଏତେ ଡେରି ହୋଇଯାଇଛି ଯେ ତାହାର ସୁଫଳ ମିଳିବା ସନ୍ଦେହ। ଆଜିର ବିଘଟିତ ପରିସ୍ଥିତ ପାଇଁ କେବଳ ଜଣେ ବା ଦୁଇ ଜଣ ନୁହେଁ ସମସ୍ତକ୍ଷେତ୍ରରେ (ସାମାଜିକ, ସାହିତ୍ୟ, କଳା, ପ୍ରଶାସନ, ରାଜନୀତି ଇତ୍ୟାଦି) ଥିବା ବ୍ୟକ୍ତିମାନେ ଦାୟୀ । ଏଭଳି ପରିସ୍ଥିତିରେ ବଣ୍ଡା, ଗଦବା, କୋୟା ବା କନ୍ଧ ଯୁବକ ମାଓବାଦୀ କ୍ୟାଡର ଭାବେ ପାର୍ଟିରେ ଯୋଗ ଦେବା ଅଞ୍ଚଳ ପାଇଁ ଏକ ଆଶ୍ଵାସନାରେ ପରିଣତ ହେଉଛି ।   
ମାଲକାନଗିରି ଜିଲ୍ଲାରେ ଯେତେବେଳେ ଏପରି ସ୍ଥିତି ସେତେବେଳେ ଗୁରୁପ୍ରିୟା ସେତୁର ନିର୍ମାଣ କଦାପି ସମାଧାନର ରାସ୍ତା ନୁହେଁ । ହୁଏତ ଏହାର ନିର୍ମାଣକୁ ବିରୋଧ କରି ମାଓବାଦୀ ପାର୍ଟି ତରଫରୁ କିଛି ଆମ୍ବୁଶ ପରି ଘଟଣା ହୋଇପାରେ ଓ ସେଥିରେ କିଛି ବିଏସଏଫ ଯବାନ ଶିକାର ହୋଇପାରନ୍ତି ଏଥିରେ ଉତକ୍ଷିପ୍ତ ବିଏସଏଫ ଯବାନମାନେ କୌଣସି ଏକ ନିକଟବର୍ତି ଗ୍ରାମକୁ ନିଜର ସହଜ ଲକ୍ଷ ସ୍ଥିର କରି ନିଜର ରାଗ ସୁଝାଇ ପାରନ୍ତି ଏହାପରେ କିଛି ମାଓମୃତ’’ ବୋଲି ପୁଲିସ ସୂତ୍ରରୁ ଉଧାର କରି ଜିଲ୍ଲାର ସମ୍ବାଦିକମାନେ ଲେଖିବେ ଓ ପରେ ଅନୁସନ୍ଧାନରୁ ଜଣାପଡିବଯେ ସେମାନେ କେହିବି ମାଓବାଦୀ କ୍ୟାଡର ନଥିଲେ ଏବେ ସୁଧା ଏୟା ହିଁ ଘଟି ଆସିଛି। ପ୍ରକୃତରେ ଇଂରାଜୀ ଲେଖିକା ଅରୁନ୍ଧତୀ ରୟଙ୍କ ବକ୍ତବ୍ୟ “ମାଓବାଦୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଚେଷ୍ଟା କରିବା ଅପେକ୍ଷା ସରକାର ନିଜେ ମୁଖ୍ୟ ସ୍ରୋତ ଆଡକୁ ଆସିବା ଜରୁରୀତାହା ହେଲେ ହୁଏତ ଲୋକଙ୍କ ପ୍ରକୃଷ୍ଟ ସହଯୋଗରେ ସେତୁ ନିର୍ମାଣ ହୋଇଯାଇଥିବ ଓ ସରକାରଙ୍କୁ ଜଣା ବି ପଡିବନାହିଂ ହେଲେ ଯଦି ଆଜିର ନବୀନ ସରକାର ଏ ଯୁଦ୍ଧ ଜିତିବେ ବୋଲି ଭାବୁଥାନ୍ତି ତେବେ ତାର ପ୍ରତିକ୍ରିୟା ଆଉ କେଉଁ ପ୍ରକାରରେ ବାହାରିବସରକାର ଯଦି ସ୍ଥାନୀୟ ଲୋକଙ୍କ ଭାବନାକୁ ଗୁରୁତ୍ଵ ନଦିଅନ୍ତି ତେବେ ‘’ଅକାଳ’’ ପ୍ରକୃତରେ ଭୁବନେଶ୍ଵରର ମାନସିକତାରେ ପଡିଛି ବୋଲି ବୁଝିବାକୁ ହେବ
ମୋବାଇଲ – 9437762272   ଇମେଲ – debasar11@yahoo.co.in

No comments:

Post a Comment