ମଦ
ବିରୋଧୀ ଆନ୍ଦୋଳନର ବିଶେଷତ୍ଵ ହେଲା ଯେ ଆମ ସମାଜର ନିମ୍ନଆୟ ବର୍ଗ ପରିବାରର ଉଭୟ ଗ୍ରାମାଞ୍ଚଳ ଓ
ସହରାଞ୍ଚଳରେ ଥିବା ମହିଳାମାନଙ୍କୁ ଏହା ଏକାଠି କରିପାରିଛି । ଦିନେ
ହୁଏତ ଆଦିବାସୀ ଆନ୍ଦୋଳନ ଓ ବିସ୍ଥାପନ ବିରୋଧୀ ଆନ୍ଦୋଳନ ଏହିପରି ଭାବରେ ଅନେକ ମହିଳାଙ୍କୁ
ଏକାଠି କରିପାରିଥିଲା । ହେଲେ ମଦ ବିରୋଧୀ ଆଂଦୋଳନରେ
ମହିଳାଙ୍କ ସଂଖ୍ୟା ଅତୀତର ସମସ୍ତ ଆନ୍ଦୋଳନ ଠାରୁ ବେଶ ଅଧିକ । ସେମାନେ
ରାଜ୍ୟ ସାରା ଯେଉଁ ଭଳି ସାହାସର ସହିତ ମଦଭାଟି ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି ଓ ସେଥିପାଇଁ
ମଦବେପାରୀ ତଥା ପ୍ରଶାସନକୁ ବାଧ୍ୟ କରିପାରୁଛନ୍ତି (ସ୍ଥାନେ ସ୍ଥାନେ ଆକ୍ରମଣ ମଧ୍ୟ) ତାହା ହୁଏତ
ଅନ୍ୟ ଆନ୍ଦୋଳନରେ କ୍ଵଚିତ ଦେଖାଯାଇଥିଲା । ଏହାଦ୍ଵାରା
ସେମାନେ ପୁଲିସର ବର୍ବରତାର ଶିକାର ମଧ୍ୟ ହେଉଛନ୍ତି । ଏହି ହେତୁ କେନ୍ଦ୍ରାପଡ଼ା ଜିଲ୍ଲା ନମତରା
ଠାରେ 2015
ମସିହା ମହିଳା ଦିବସ ଦିନ (ମାର୍ଚ୍ଚ 08) ପୁଲିସର ଗୁଳିଚାଳନା ହୋଇଥିଲା । ସେହିଦିନ ଆଘାତ
ପାଇଥିବା ମହିଳାଙ୍କ ମଧ୍ୟରୁ କେତେକଙ୍କ ଦେହରେ ଏବେବି ପୁଲିସର ଗୁଳି ରହିଯାଇଛି ଯାହା
ଅସ୍ତ୍ରୋପଚାର ପରେ ବି ବାହାର କରାଯାଇପାରି ନାହିଁ । ଏହା ଏକ ଜାତୀୟ ଲଜ୍ଜା ।
ମଦ ବିରୋଧୀ ଆନ୍ଦୋଳନରେ ସକ୍ରିୟ ଥିବା
ମହିଳାମାନେ ଯେଉଁ ଭଳି ପୁଲିସର ହାତରେ ବାରମ୍ବାର ଅତ୍ୟାଚାରିତ ହେଉଛନ୍ତି ସେଥିରେ ସେମାନେ ଏକ
ପୁଲିସ ମୁକ୍ତ ସମାଜ ଗଠନ ପାଇଁ ହୁଏତ ଆଗ୍ରହୀ ହୋଇଥାନ୍ତେ । ଦୁଃଖର କଥା, ଏହି ବିରାଟ ଓ
ଶକ୍ତିଶାଳୀ ଆନ୍ଦୋଳନର ମୂଳ ଦାବୀ ଯେ ସମଗ୍ର ରାଜ୍ୟରେ ମଦକୁ ସଂପୂର୍ଣ୍ଣ ନିଷେଧ କରାଯାଉ ତାହା
ପରୋକ୍ଷରେ ପୁଲିସକୁ ଅଧିକ ଶକ୍ତିଶାଳୀ କରିବ । ସରକାର ଯେବେ
କୌଣସି ବିଷୟକୁ ନିଷେଧ କରିଥାନ୍ତି ସେତେବେଳେ ପୁଲିସ ହିଁ ତାହାକୁ କାର୍ଯ୍ୟକାରୀ କରିଥାଏ । ଆଜି
ଆନ୍ଦୋଳନକାରୀ ମାନେ ସର୍ବଦା ପୁଲିସକୁ ମଦମାଫିଆଙ୍କ ପକ୍ଷ ନେଉଥିବା ଅଭିଯୋଗ କରିଆସୁଛନ୍ତି । ନିଷେଧ ପରେ ଉଭୟ
ପୁଲିସ ଓ ଅବକାରୀ ବିଭାଗ ଅଧିକ ଶକ୍ତିଶାଳୀ ହେବେ । ସରକାରଙ୍କ
ନିଷେଧାଜ୍ଞାକୁ କାର୍ଯ୍ୟକାରୀ କରିବା ବାହାନାରେ ଯେଉଁ “ଉସ୍ଛାହ” ପୁଲିସ ତରଫରୁ ଦେଖାଯିବ
ସେଥିରେ ବଳି ପଡିବେ ଅଧିକ ସଂଖ୍ୟାରେ ଆମ ସମାଜର ସେହି ଗରିବ ଓ ଅବହେଳିତ ବର୍ଗର ସଦସ୍ୟ । ପିଟିଆଇ ସୂତ୍ରକୁ
ଆଧାର କରି ଇଣ୍ଡିଆ ଟୁଡେ ଲେଖେ ଯେ ବିହାରରେ ମଦ ନିଷିଦ୍ଧ ହେବା ପରେ ଗଲା ଦୁଇ ବର୍ଷ ମଧ୍ୟରେ 35,000ରୁ ଅଧିକ ଲୋକ
ଗିରଫ ହୋଇଛନ୍ତି । ନିଷେଧ ପରେ ନିଜର ଲୋକଙ୍କୁ ମୁକୁଳାଇବା ଉଦ୍ଦେଶ୍ୟରେ ସେହି
ଗରିବ ଶ୍ରେଣୀ ଅଧିକ ସର୍ବସ୍ଵାନ୍ତ ହେବେ ଓ ଏଥିରେ ଲାଭବାନ ହେବେ ପୁଲିସ ତଥା ଓକିଲ । ଏଥିପାଇଁ ଅଧିକ
ଜେଲ ନିର୍ମାଣର ଆବଶ୍ୟକତା ରହିବ। ଅଧିକ ଜେଲ କୌଣସି
ଏକ ସମାଜ ପାଇଁ ଆଦୌ ଶୁଭ ନୁହେଁ ।
ଅତୀତରେ ବିଭିନ୍ନ
ଜନଆନ୍ଦୋଳନରେ ସମ୍ପୃକ୍ତ ଥିବା ବ୍ୟକ୍ତି ଓ ବେଶ କିଛି ସଚେତନ ନାଗରିକ ଆଜି ମଦ ବିରୋଧୀ ଆଂଦୋଳନର
ସମର୍ଥକ । ସେମାନେ ଅନୁଭବ କରିଥିବେ କେଉଁଭଳି ମିଥ୍ୟା କେସରେ
ପୁଲିସ ସାଧାରଣ ଲୋକକୁ ହଇରାଣ କରିପାରେ । ଆଦିବାସୀ ଅଞ୍ଚଳ
ବିଶେଷକରି ମାଲକାନଗିରି ଠାରୁ ସୁନ୍ଦରରଗଡ ପର୍ଯ୍ୟନ୍ତ ସବୁଠାରେ ପୁଲିସକୁ ନେଇ ସମାନ ଅନୁଭୂତି
ରହିଛି ଯେ କିପରି ପୁଲିସ ଏଫଆଇଆରରେ ଜାଣି ଜାଣି (ଓ ‘ଅନ୍ୟମାନେ’ ତାଲିକାରେ) ନାମ
ଯୋଡିଥାଏ, ମିଥ୍ୟା ଆରୋପ ଲଗାଇ ଚାର୍ଜଶିଟ ଦେଇଥାଏ, ଦିନ ଦିନ ଧରି
ପରିବାର ଲୋକଙ୍କୁ “ପଣବନ୍ଦି” ଭାବରେ ସୁପ୍ରିମ କୋର୍ଟଙ୍କ ବିଭିନ୍ନ ସମୟର ତାଗିଦ ସତ୍ବେ ପୁଲିସ
ନିଜ ଥାନାରେ ଅଥବା ଲୁକ୍କାୟିତ ଅବସ୍ଥାରେ ରଖିଥାଏ, ନିଜ ଅଞ୍ଚଳରେ
ସଂଗଠିତ କରୁଥିବା ବା ପୁଲିସର ଦୌରାତ୍ମ୍ୟକୁ ବିରୋଧ କରୁଥିବା ସାମାଜିକ କର୍ମୀଙ୍କୁ ପୁଲିସ ନିଜର
ସୂଚନାକାରୀ ବା ସୂଚନାକାରୀଙ୍କ ସ୍ତ୍ରୀଙ୍କ ମାଧ୍ୟମରେ
ମିଥ୍ୟା କେସ ତିଆରି କରିଥାଏ ଇତ୍ୟାଦି । ଯଦିଓ
ବହୁବାର ବିଭିନ୍ନ କମିଟି ପୁଲିସର କ୍ଷମତାକୁ ସଙ୍କୁଚିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ତଥାପି
ଗଲା 70 ବର୍ଷ ମଧ୍ୟରେ ନିର୍ବାଚିତ ଶାସକମାନେ ନିଜେ ଜଣେ ଜଣେ ନିରଙ୍କୁଶ ଶାସକ ହେବା ଲାଗି ପୁଲିସକୁ
ଲୋକଙ୍କ ନିକଟରେ ଉତ୍ତରଦାୟୀ କରାଇବା ଭଳି ଭାରତୀୟ ପିଙ୍ଗଳ କୋର୍ଡରେ ଆବଶ୍ୟକୀୟ ସଂଶୋଧନ କେବେ ଆଣିନାହାନ୍ତି । ଏ
ଭଳି ସ୍ଥିତିରେ ନିଷେଧାଜ୍ଞା ଦ୍ଵାରା ପୁଲିସ ଆହୁରି ଶକ୍ତିଶାଳୀ ହେବ । ଯଦି ଏଥିରେ ଅବହେଳା କରେ ତେବେ ପୁଲିସ
ଉପରେ ଚାପ ପକାଇବା ଲାଗି ପୁଣି ଆଂଦୋଳନର ଆବଶ୍ୟକତା ପଡିବ ଠିକ ଯେମିତି ଆଜି ଗୂଟକା ନିଷେଧ ହେଲା
ପରେ ତାହାକୁ କାର୍ଯ୍ୟକାରୀ କରିବା ଲାଗି ଅବକାରୀ ଓ ପୁଲିସ ବିଭାଗ ଉପରେ ଚାପ ପକାଇବାକୁ ପଡୁଛି ।
ମଦ ଯେ ଅପରାଧ ବୃଦ୍ଧିର କାରଣ ଏହା ଏକ
ଭ୍ରାନ୍ତ ଧାରଣା । ମଦ ପିଇଲେ ଅପରାଧ କରିବାର ମାନସିକତା ଆସିନଥାଏ ବରଂ
ଅପରାଧୀ କେତେକ କ୍ଷେତ୍ରରେ ଅପରାଧ କରିବା ଆଗରୁ ମଦର ଆଶ୍ରୟ ନେଇଥାଏ । ଅପରାଧ ଏକ
ମାନସିକତା । ଯେମିତି ଡାକ୍ତର, ପୁଲିସ ଅଧିକାରୀ, ଶିକ୍ଷକ, ଇଞ୍ଜିନୀୟର
ଏପରିକି ବସ କଣ୍ଡକ୍ଟର ମଧ୍ୟ କର୍ତ୍ତବ୍ୟରେ ଅବହେଳା କରୁଥିବା ହେତୁ ସାଧାରଣ ଲୋକର ଧନ ଜୀବନ
ନଷ୍ଟ ହେଉଛି ଓ ଏହା ଅପରାଧ ତାଲିକାଭୁକ୍ତ ସେମିତି ଗୋରକ୍ଷା ନାମରେ ମୁସଲମାନଙ୍କୁ ହତ୍ୟା କରିବା, ଦଳିତଙ୍କ ଘର ଉଚ୍ଚ
ଜାତିବର୍ଗ ଦ୍ଵାରା ଜାଳିଦେବା, ଛୋଟ ଝିଅ ଉପରେ ପରିବାରର ସମ୍ପର୍କୀୟ କେହି ଦୁଷ୍କର୍ମ
ଉଦ୍ୟମ କରିବା ଇତ୍ୟାଦି ଏକ ଏକ ରୁଗଣ ମାନସିକତା ଯାହାର ମଦ ସହିତ କୌଣସି ସମ୍ପର୍କ ନାହିଁ । ବିହାରରେ ମଦ
ନିଷେଧ ସତ୍ବେ ଧର୍ଷଣ, ହତ୍ୟା, ହରଣଚାଳ ଓ
ଦଙ୍ଗା ଭଳି ଅପରାଧ ପ୍ରତିବର୍ଷ ଭଳି ଗଲା ଦୁଇ ବର୍ଷ ମଧ୍ୟରେ 15% ବୃଦ୍ଧି ହୋଇଛି । ଏହା ସୂଚାଉଛି ଯେ
ଆମ ସମାଜରେ ଅପରାଧ କରିବାର ମାନସିକତା ବଢିବାରେ ଲାଗିଛି କାରଣ ଆମର ସାମାଜିକ ଜୀବନ କେବଳ ନିଜର
ସୁଖ ଓ ସ୍ଵାଚ୍ଛନ୍ଦ୍ୟ ବିଷୟରେ ଅଧିକ ଚିନ୍ତା କରୁଛି । ଆମର କାର୍ଯ୍ୟ ଆମ
ଚାରିପାଖ ସମାଜ ଉପରେ କ’ଣ ପ୍ରଭାବ ପକାଉଛି ତାହାର କୌଣସି ଚିନ୍ତା ରହୁନାହିଁ ।
ମଦ ବିରୋଧୀ ଆନ୍ଦୋଳନ ମଧ୍ୟରେ ବାରମ୍ବାର ଏହି
କଥା ଉଠିଥାଏ ଯେ ପୁରୁଷ ନିଜ ଆୟର ସିଂହଭାଗ ମଦରେ ଖର୍ଚ୍ଚ କରିଦେଉଛି ସ୍ତ୍ରୀ ଉପରେ ମଦ ପିଇ
ଅତ୍ୟାଚାର କରୁଛି । ଯୁକ୍ତି କରାଯାଏ ଯେ ପିଲାକୁ ଭୋକ ହେଲେ ସେ ମା’ କୁ ଖୋଜିବ, ଯାହା ଅବଶ୍ୟ ସତ । ହେଲେ ବାପାର ଯେ ସମାନ ଦାୟିତ୍ଵ
ରହିଛି ଓ ସେହି ଦାୟିତ୍ଵ ନେବା ପାଇଁ ଯେ ସେ ବାଧ୍ୟ ଏ କଥାକୁ ପରିବାର ମଧ୍ୟରେ ଅସ୍ଵୀକାର
କରାଯାଇପାରିବ ନାହିଁ। ଏଠାରେ ଯୁକ୍ତି ହୁଏ ଯେ ଯଦି ପୁରୁଷ ନିଜର ଦାୟିତ୍ଵ ନବୁଝେ ତେବେ କ’ଣ କରିବୁ? ଏ କ୍ଷେତ୍ରରେ ନାରୀ ସରକାରଙ୍କର ମଦର ପ୍ରଚାଳନକୁ ଦାୟୀ
କରିବା ଅପେକ୍ଷା ନିଜ ପରିବାରରେ ଥିବା ପୁରୁଷ ପ୍ରାଧାନ୍ୟତାକୁ ଅସ୍ଵୀକାର କରିବା ଜରୁରୀ । ମଦ
ବିରୋଧୀ ଆନ୍ଦୋଳନରେ ସମ୍ପୃକ୍ତ ମହିଳାମାନେ ଏ କଥାକୁ କଦାପି ମାନିନେବା ଉଚିତ ନୁହେଁ ଯେ ପରିବାର
ମଧ୍ୟରେ ପୁରୁଷ ଯାହା ବି କରିଯିବ ତାହାକୁ ନାରୀ ଗ୍ରହଣ କରିନେବ । ସେହି ପରିବାର
ମଧ୍ୟରେ ଥାଇ ପୁରୁଷର ଦାୟିତ୍ଵହୀନତା ବିପକ୍ଷରେ ସ୍ତ୍ରୀ କଡା ଜବାବ ଦେବା ଜରୁରୀ ଯାହା ମଦ
ବିରୋଧୀ ଆନ୍ଦୋଳନ ମଧ୍ୟରେ ସମ୍ଭବ ।
ଆମ ସମାଜରେ ସ୍ତ୍ରୀ ଗ୍ରହଣ କରିନେଇଛି ଯେ ପୁରୁଷ ପରିବାରର ମୁଖ୍ୟ ଓ ତାହାର
ଉନ୍ନତି ପାଇଁ ସେ ହିନ୍ଦୁ ଧର୍ମ ମଧ୍ୟରେ ସୁଦୁଷା ବ୍ରତ, ସାବିତ୍ରୀ ଉପବାସ ପାଳିବ । କାହିଁକି ଯେ
ପୁରୁଷ ଏ ସବୁ ନିଜ ସ୍ତ୍ରୀର ଉନ୍ନତି ପାଇଁ କୌଣସି ଉପବାସ କି ବ୍ରତ ନ କରିବ ସେ ସମ୍ପର୍କରେ
କିନ୍ତୁ ମହିଳା କେବେ ପଚାରିବ ନାହିଁ । ଯଦି ଆଜିବି ନାରୀ
ସର୍ବଦା ଭାବି ନିଏ ଯେ ଋତୁସ୍ରାବ ଭଳି ଏକ ଅତି ପ୍ରାକୃତିକ ପ୍ରକ୍ରିୟା ଯାହା ହେତୁ ଆମ
ସମସ୍ତଙ୍କର ଜନ୍ମ ସେହିଭଳି ପ୍ରକ୍ରିୟାକୁ ଯଦି ଅପବିତ୍ର ଓ ସେହି ସମୟରେ ପୁରୁଷକୁ ଛୁଇଂଲେ ତାହା
ତା’ ପାଇଁ କ୍ଷତି ବୋଲି ଭାବେ ତେବେ ନାରୀର ବିଚାରରେ ବିକାଶ ହେବ କେବେ ? ମଦ ବିରୋଧୀ
ଆନ୍ଦୋଳନରେ ସମ୍ପୃକ୍ତି ସମୟରେ ଏହି ଭଳି ଦାସତ୍ଵ ମାନସିକତାରୁ ନାରୀ ଯଦି ନିଜକୁ ମୁକ୍ତ ନରଖିବା
ତେବେ ଆସନ୍ତା ଦିନ ମାନଙ୍କରେ ଯଦି ବି ମଦ ନିଷେଧ ହୋଇଯାଏ ତେବେ ବି ପୁରୁଷର ଅତ୍ୟାଚାର ସେହିପରି
ରହିବ ଠିକ ଯେମିତି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ନିର୍ମାଣ ସତ୍ବେ ଆଜିବି ରହିଛି ।
ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଯେବେ
ପ୍ରଥମେ ନିର୍ମାଣ ହେଲା ସେତେବେଳେ ଅନୁମାନ କରାଯାଉଥିଲା ଯେ ଏହା ଦ୍ଵାରା ମହିଳା ନିଜ ପରିବାର
ମଧ୍ୟରେ ପୁରୁଷକୁ ଜବାବ ଦେଇ ପାରିବେ, ଆମ ସମଯରେ ଯୌତୁକ ଜନୀତ ଶୋଷଣ ବନ୍ଦ ହେବ ଓ ସମାଜରୁ
ଦୁଷ୍କର୍ମ ପରି ଅପରାଧ କମିଯିବ । ସରକାର ଓ ତାଙ୍କର
ପ୍ରଶାସକମାନେ ଏହି ମହିଳା ଗୋଷ୍ଠୀ ନିର୍ମାଣର ଉଦ୍ଦେଶ୍ୟକୁ ବିକୃତ କରିଦେଲେ । ଏହା କେବଳ ଏବେ
ସାହୁକାରର କାମ କରିବା ଓ ସରକାରୀ କର୍ମଚାରୀର କୌଣସି ମାନ୍ୟତା ନଥାଇ ସରକାରଙ୍କ ଅଧିକାଂଶ
ଯୋଜନାକୁ କାର୍ଯ୍ୟକାରୀ କରିବାରେ ଲାଗିଛି । କହିବାକୁ ଗଲେ
ସରକାର ନିଜେ ଏହି ମହିଳା ମଣ୍ଡଳଗୁଡିକୁ ରୁଣ ଦେବା ବାହାନାରେ ଏକ ସୁବିଧାବାଦୀ କ୍ଷମତାଶୀଳ
ରୋଜଗାରିଆ ସ୍ଵାମୀଟିଏ ହୋଇଗଲେ ।
ମଦ ବିରୋଧୀ ଆନ୍ଦୋଳନ ମଧ୍ୟରେ ସମ୍ପୃକ୍ତ
ମଧ୍ୟବିତ୍ତ ବର୍ଗ ସର୍ବଦା ଏହାକୁ ନୈତିକତ ପ୍ରସଙ୍ଗ ଭାବରେ ଦେଖିଆସିଛି । ସମାଜରେ ନୈତିକତା
ପ୍ରସଙ୍ଗ ଯେହେତୁ ବୈଜ୍ଞାନିକ ଯୁକ୍ତିକୁ କାଏମ କରିପାରେ ନାହିଁ ତେଣୁ ଏହା ସର୍ବଦା ଧାର୍ମିକ
ବିଶ୍ଵାସ ନାମରେ ଦକ୍ଷିଣପନ୍ଥୀକୁ ସୁହାଇଥାଏ । ଏହି ହେତୁ ମଦ ବିରୋଧୀ ଆନ୍ଦୋଳନରେ ନୈତିକତା ପ୍ରସଙ୍ଗରେ ନେତାଙ୍କୁ ଗାଳି ଅଧିକ
ହୋଇଥାଏ ମାତ୍ର ମହିଳାଙ୍କ ନେତୃତ୍ବରେ ମହିଳାଙ୍କ ସ୍ଥିତିରେ, ଉଭୟ ପରିବାର ମଧ୍ୟରେ ଓ ସମାଜ ମଧ୍ୟରେ, ଯେ କିପରି ପରିବର୍ତ୍ତନ ଆସିପାରିବ ସେ ଦିଗରେ ଚର୍ଚ୍ଚା
କମ ହୋଇଥାଏ । ଆଲୋଚନାରୁ ଲାଗେ ଯେମିତି ମଦ ନିଷିଦ୍ଧ ହୋଇଗଲେ ମହିଳାମାନେ ଆମ ପୃଥିବୀର ସବୁଠାରୁ
ଭାଗ୍ୟବତୀ ମଣିଷ ପାଲଟିଯିବେ । ବାସ୍ତବରେ ଏହା ଏକ ଅର୍ଥନୈତିକ ଆନ୍ଦୋଳନ ଓ ଏହା
ସାମାଜିକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସଂଗଠିତ ହେବା ଜରୁରୀ ।
ଆଦିବାସୀ
ଅଧ୍ୟୁଷିତ ଅନୁସୂଚିତ ଅଞ୍ଚଳରେ “ପେସା” ଆଇନ ଲାଗୁ ହୋଇଛି । ଏହି ଆଇନ
ଅନୁସାରେ ମଦର ପ୍ରଚଳନ
ଓ ବ୍ୟବସାୟ ପାଇଁ ଗ୍ରାମସଭାର ଅନୁମତି ଜରୁରୀ । ବହୁ ସମୟରେ
ଗ୍ରାମସଭାର ଏଜେଣ୍ଡା ବ୍ଲକର ସରକାରୀ କର୍ମଚାରୀ ସ୍ଥିର କରିଥାନ୍ତି ଯାହା ପେସା ଆଇନ ବିରୋଧୀ । ସେହିପରି
ଜିଲ୍ଲାପାଳ ମଧ୍ୟ କୌଣସି ଅଞ୍ଚଳରେ ମଦ ଦୋକାନ ଖୋଲିବା ସମ୍ପର୍କରେ ଗ୍ରାମସଭାର ମତାମତ ପାଇଁ 15
ଦିନ ଆଗରୁ ଜଣାଇବା ନିୟମ ଥିଲେ ମଧ୍ୟ ଲୋକଙ୍କୁ ଶେଷଦିନ ପର୍ଯ୍ୟନ୍ତ ଅନ୍ଧାରରେ ରଖିଥାନ୍ତି । ପ୍ରଶାସନର ଏହି
ସବୁ କାର୍ଯ୍ୟକୁ ଧର୍ତ୍ତବ୍ୟ ଅପରାଧ ତାଲିକାଭୁକ୍ତ କରିବା ଲାଗି ଆଇନରେ ସଂଶୋଧନ ପାଇଁ ମହିଳା ଆନ୍ଦୋଳନ
ଦାବୀ କରିବା ଜରୁରୀ । ଯେଉଁ ଅଧିକାର ଆଜି ଆଦିବାସୀ ବହୁଳ ଅଞ୍ଚଳରେ ଥିବା
ଗ୍ରାମସଭାକୁ ମିଳିଛି ସେହି ଅଧିକାର ଅଣଆଦିବାସୀ ଅଞ୍ଚଳର ଗ୍ରାମସଭାକୁ ମଧ୍ୟ ମିଳିବା ଜରୁରୀ । ଏଥିପାଇଁ
ଗ୍ରାମପଞ୍ଚାୟତ ଆଇନରେ ସଂଶୋଧନ ହେବା ଜରୁରୀ ।
ମଦ ଦୋକାନ
ଖୋଲିବା କି ନାହିଁ ସେଥିପାଇଁ ରାଜ୍ୟର ସମସ୍ତ ଗ୍ରାମସଭାର ଅନୁମତି ନେବା ଜରୁରୀ ହେଉ, ପଞ୍ଚାୟତସ୍ଥରୀୟ
କୌଣସି ଅନୁଷ୍ଠାନ ଯଥା ଗ୍ରାମ ପାଞ୍ଚାୟତ, ପଞ୍ଚାଯତ ସମିତି କିମ୍ବା ଜିଲ୍ଲା ପରିଷଦଠାରୁ ନୁହେଁ । ଯେମିତି ଗୋଟେ
ରାଜ୍ୟରେ ମଦ ନିଷେଧ ହେଲେ ତାହା ପଡୋଶୀ ରାଜ୍ୟର ମଦ ମାଫିଆମାନଙ୍କୁ ସାହାଯ୍ୟ କରିଥାଏ ସେହିପରି
ଆଦିବାସୀ ଅଞ୍ଚଳର ଗ୍ରାମସଭା ଯଦି ବି କେଉଁଠି ନିଷ୍ପତ୍ତି ନେଉଥାଏ ତେବେ ପଡୋଶୀ ପଞ୍ଚାୟତରେ ପ୍ରଚଳନ
ହେତୁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।
ଆଗାମି ରାଜ୍ୟ
ନିର୍ବାଚନରେ ସମସ୍ତ ଗ୍ରାମସଭାକୁ ମଦ ନିଷେଧ କରିବାର ଅଧିକାର ଦେବା ଓ ଏଥିରେ ଅସହୋଯୋଗ କରୁଥିବା
ସରକାରୀ କର୍ମଚାରୀଙ୍କ ବିପକ୍ଷରେ ଅପରାଧିକ ଷଡଯନ୍ତ୍ର ମାମଲା ରୁଜ୍ଜୁ କରିବାର ଦାବୀ ମଦ ବିରୋଧୀ
ଆନ୍ଦୋଳନ ତରଫରୁ ସମସ୍ତ ରାଜନୈତିକ ଦଳ ଆଗରେ ଏକ ନିର୍ବାଚନୀ ପ୍ରସଙ୍ଗ ଭାବରେ ରଖାଯାଉ
। ଆମକୁ ମନେ ରଖିବା
ଜରୁରୀ ଯେ ଏକ ଗଣତନ୍ତ୍ରରେ ସାଧାରଣ ନାଗରିକ ହିଁ ମୁଖ୍ୟ, ବାକି ଅନ୍ୟମାନେ ଚାକିରିଆ ନହେଲେ
ପ୍ରତିନିଧି ମାତ୍ର ।
****
No comments:
Post a Comment