ରାଜନୈତିକ କର୍ମୀର ଦ୍ଵନ୍ଦ
ଆମର ଦେଶବାସୀ ଗରୀବ ହୋଇପାରନ୍ତି ମାତ୍ର ଆମ
ଦେଶର ସରକାର ଗରିବ ନୁହନ୍ତି । ଏହାକୁ ଗ୍ରହଣ କରାଯାଇପାରୁନଥିଲେ ମଧ୍ୟ ସତ୍ୟ । ଯେଉଁଠି ବୁଲେଟ
ଟ୍ରେନ ପାଇଁ ଚୁକ୍ତି ହୋଇପାରୁଛି, ୱାଟର
ପାର୍କ ଓ ଗଲ୍ଫ କୋର୍ସ ସରକାରୀ ଅର୍ଥରେ ତିଆରି ହୋଇପାରୁଛି, ବେକାରୀ ସତ୍ୱେ ପ୍ରାଇଭେଟେ କମ୍ପାନୀକୁ ଉସ୍ଛାହିତ
କରିବା ଲାଗି ଡିଜିଟାଲାଇଜେସନ କରାଯାଇପାରୁଛି, ବିରାଟ ଫ୍ଲାଏ ଓଭର ଓ ଚାରିଥାକିଆ ରାସ୍ତା ନିର୍ମାଣ ହୋଇପାରୁଛି ଓ ଦେଶୀ ବିଦେଶୀ
ଶିଳ୍ପପତିଙ୍କୁ ମାଗଣା ପାଣି, ବିଜୁଳି, ଜମି ଓ ପୁଲିସର ସୁରକ୍ଷା ଯୋଗାଇ ଦିଆଯାଇପାରୁଛି, ସେମାନଙ୍କୁ ‘ପୁଞ୍ଜି ନିବେଶ କର ଓ ଯଥେଷ୍ଟ ଲାଭ କର’ ଭଳି ଆହ୍ଵାନ ଦିଆଯାଉଛି ଓ ରୋବର୍ଟର ପ୍ରଚାଳନ ଲାଗି
ଉସ୍ଛାହିତ କରାଯାଉଛି ସେଠାରେ ଆମେ ସରକାରଙ୍କୁ ଗରିବ କେମିତି କହିପାରିବା ? ଏମଏଲଏଙ୍କ ଠାରୁ ରାଷ୍ଟ୍ରପତିଙ୍କ ପର୍ଯ୍ୟନ୍ତ ଦରମା
ବାବଦରେ ଯଦି ଏକ ଲକ୍ଷ ଟଙ୍କାରୁ ଚାରି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାସିକ ଦିଆଯାଇପାରୁଛି ଓ ଏହା
ସହିତ ସରକାରୀ ଗାଡ଼ି, ବିଶାଳ
ପ୍ରାସାଦ ଓ ମାଗଣା ଟେଲିଫୋନର ସୁବିଧା ଦିଆଯାଇପାରୁଛି, ନା କୌଣସି ଏମଏଲଏ ବା ରାଷ୍ଟ୍ରପତି ଏହାକୁ କେହି ମନା
ମଧ୍ୟ କରୁନାହାନ୍ତି ସେତେବେଳେ ଆମେ କଦାପି ଭାବିବା କି ଯେ ଆମ ଦେଶ ଗରିବ ?
କାହିଁକି
ସବୁ ଗାଁକୁ ନିର୍ମଳ ପିଇବା ପାଣି ଟିକେ ଯୋଗାଯାଇ ପାରୁନାହିଁ ? କାହିଁକି ଦେଶରେ ବର୍ଷକୁ 5 ଲକ୍ଷ ଶିଶୁ ଜନ୍ମର
ପାଞ୍ଚମାସ ମଧ୍ୟରେ ମୃତ୍ୟୁ ବରଣ କରୁଛନ୍ତି ଯେଉଁଥିରେ କେବଳ ଓଡିଶାରେ 60,000 ଶିଶୁ ଅଛନ୍ତି ? ବିକାଶ ପାଇଁ ଜରୁରୀ କୁହାଯାଉଥିବା ଖଣି ଖାଦାନ
ନିକଟବର୍ତ୍ତୀ ଗ୍ରାମରେ କୀଡିନୀ ଜନିତ ରୋଗ ଅଥବା ଯକ୍ଷ୍ମାରେ ବହୁ ଲୋକ ଆକ୍ରାନ୍ତ ହେବା ସତ୍ବେ
ସରକାରଙ୍କ ତରଫରୁ କାହିଁକି ଏହାର ପ୍ରତିକାର କରାଯାଇପାରୁ ନାହିଁ ? କାହିଁକି ପ୍ରତ୍ୟେକ ଶିଶୁକୁ ଉପଯୁକ୍ତ ଶିକ୍ଷା
ଓ ପୋଷଣ ମିଳିପାରୁ ନାହିଁ ? ଯଦି
ଅର୍ଥ ଏଠାରେ ଏକ ବାଧକ ତେବେ ବୁଲେଟ ଟ୍ରେନ, ରୋବୋର୍ଟ ଓ ରାଫେଲ ବିମାନ କ୍ଷେତ୍ରରେ ତାହା କିପରି ଅସୁବିଧା ହେଉ ନାହିଁ ? ଝିଅ ଚାଲାଣ, ବେକାରୀ, ପୁଷ୍ଟିହୀନତା ହେତୁ ମୃତ୍ୟୁ ଓ ଚାଷୀ ଆତ୍ମହତ୍ୟା ପଛରେ
ଦାରିଦ୍ର ଏକ ବଡ କାରଣ ହୋଇଥିଲେ ମଧ୍ୟ କେମିତି କେନ୍ଦ୍ର ଠାରୁ ରାଜ୍ୟ ପର୍ଯ୍ୟନ୍ତ ସମସ୍ତ ସରକାର
ନିଜର ଆଖି ବୁଜିଦେଉଛନ୍ତି ?
ଏକ
ଧନୀ ଦେଶରେ ଗରିବ ଜନସାଧାରଣ ରହିବା ଓ ସେମାନେ ନିଜର ନ୍ୟାୟ ଯୁକ୍ତ ଅଧିକାର ନପାଇବା ଜଣେ
ସାଧାରଣ ସଂବେଦନଶୀଳ ମଣିଷ ଯିଏ କି ସମାଜକୁ ନେଇ ଚିନ୍ତିତ ତା’ ଭିତରେ ଦ୍ଵନ୍ଦ ଆସିବା ସ୍ଵାଭାବିକ । ହୁଏତ ଏହା ଜଣେ ଉଚ୍ଚାକାଂକ୍ଷି ମଣିଷ ପାଇଁ
ସାଧାରଣ ହୋଇଥାଇପାରେ ଓ ସେହି ଅଧା ମରା ଲୋକଙ୍କ ଭିତରେ ଥାଇ ବି ସେ ନିଜର ଛୋଟ ଛୋଟ ଆକାଂକ୍ଷା
ଗୁଡିକୁ ପୂରଣ କରିବାରେ ଲାଗିପଡି ପାରେ । ମାତ୍ର ଆମ ସମାଜରେ ଧନୀ ଗରିବର ଅବସ୍ଥିତି ହିଁ ସେହି ସାଧାରଣ ସଂବେଦନଶୀଳ ମଣିଷର
ଚିନ୍ତାଧାରାର ରାଜନୀତିକରଣ କରିଥାଏ । ରାଜନୈତିକ କର୍ମୀଟିଏ ନିଜ ସମୟର ଦୁଇ ଭିନ୍ନ ପରିସ୍ଥିତି ଓ ସରକାରଙ୍କ ଦୁଇ ଭିନ୍ନ
ଆଭିମୁଖ୍ୟକୁ ଦେଖି ଚିନ୍ତିତ ରହେ ଓ ଏହାର ସମାଧାନ ରାସ୍ତା ଖୋଜିଥାଏ । ମୁଁ ଏଠାରେ ରାଜନୈତିକ କର୍ମୀ କହିଲେ
ସେହିମାନଙ୍କୁ ବୁଝାଉଛି ଯେଉଁମାନେ ବିଭିନ୍ନ ଜନଆନ୍ଦୋଳନ, କମ୍ୟୁନିଷ୍ଟ ତଥା ସମାଜବାଦୀ ସଂଗଠନ ସହିତ ଜଡ଼ିତ ।
ଆମ ସାମାଜରେ ବିକଳ୍ପ ରାଜାନୀତି ଓ ବିକଳ୍ପ
ରାଜନୈତିକ ଧାରାର ଉଦାହରଣ ଅନେକ ରହିଛି । ସେଥିରୁ ପ୍ରମୁଖ ହେଲା ବିକଳ୍ପ
କ୍ଷମତା ରାଜନୀତି । ଏଥିରେ କମ୍ୟୁନିଷ୍ଟ,
ସମାଜବାଦୀ ଓ ଉଦାରବାଦୀ ଗଣତାନ୍ତ୍ରିକ ଧାରାର ଅବସ୍ଥିତି ଅଧିକ । ଏତଦ ବ୍ୟତିତ ମାଓବାଦୀମାନେ ହିଂସାର ରାସ୍ତାରେ
କ୍ଷମତା ଦଖଲର କଥା କହୁଥିଲା ବେଳେ ଗାନ୍ଧୀବାଦୀ ଚିନ୍ତାଧାରାର ପ୍ରଭାବରେ କର୍ମୀ ଜଣକ ଦେଶ ସାରା
ଗ୍ରାମ ସ୍ଵରାଜ ଗଠନ କରି କ୍ଷମତାର ବିକେନ୍ଦ୍ରୀକରଣ କିପରି କରାଯିବ ସେ ଦିଗରେ ଚିନ୍ତା କରିଥାଏ । ମୋଟା ମୋଟି ଭାବରେ ବିକଳ୍ପ ରାଜାନୀତିର କଥା
କହୁଥିବା ରାଜନୈତିକ କର୍ମୀ ଜଣକ ଏଭଳି ପରିସ୍ଥିତିରେ କୁହେ, “ଆମ ପାର୍ଟିର ସରକାର ଆସିଲେ କିନ୍ତୁ ଏପରି ହେବ ନାହିଁ । ସରକାରୀ ତହବିଲର ମୁଖ୍ୟ ଅଂଶ ଲୋକଙ୍କ ଉପକାରରେ
ଆସିବ ଓ ସେଭଳି ହେବାକୁ ହେଲେ ଜନ ସହଯୋଗ ଜରୁରୀ । ଜନଗଣଙ୍କ ସକ୍ରିୟ ଭାଗୀଦାରୀରେ ଏହା ଅସମ୍ଭବ।” ଏହି ହେତୁ ରାଜନୈତିକ କର୍ମୀ ସାଧାରଣ
ଲୋକଙ୍କୁ ସରକାରଙ୍କ ଅସମର୍ଥତା ଓ ଜନବିରୋଧୀ ପଦକ୍ଷେପ ବିରୋଧରେ ଜନଅସନ୍ତୋଷକୁ ବଢାଇବାକୁ
ଚେଷ୍ଟା କରିଥାଏ । ପ୍ରଚଳିତ ବ୍ୟବସ୍ଥା ଓ ନିର୍ବାଚିତ ସରକାରର ସାଧାରଣ ଲୋକଙ୍କ ପ୍ରତି ବିମୁଖତା ହିଁ
ସେହି ସାଧାରଣ ଲୋକଙ୍କୁ ନିଜ ପାର୍ଟି ଆଡକୁ ଆକର୍ଷିତ କରିବ ଏକଥା ସେ ବିଶ୍ଵାସ କରିଥାଏ । ସରକାର ଯେ ସେମାନଙ୍କର ନୁହେଁ ବରଂ ଧନୀ
ପୁଞ୍ଜିପତି ଗୋଷ୍ଠୀର ସେଥିଲାଗି ସରକାରଙ୍କୁ ବିରୋଧ କରିବା ଲାଗି ସେ ଲୋକଙ୍କୁ ସଂଗଠିତ କରିଥାଏ । ସରକାରଙ୍କ ନିକଟରେ ଦାବୀ କରିବା ଲାଗି
ରାଜନୈତିକ କର୍ମୀ ଜଣକ ରାଲି,
ବିକ୍ଷୋଭ, ସଭା, ଜେଲଭରୋ
ଓ ଗଣଧାରଣା ଉପରେ ଗୁରୁତ୍ଵ ଦିଏ । ଏଥିରେ ବହୁ ଲୋକଙ୍କ ସମାଗମ ହେବ ଓ ସେମାନେ ସରକାରର ନିର୍ଦ୍ଦୟତାକୁ ଯେ ଶୀଘ୍ର
ବୁଝିପାରିବେ ଏ କଥା କର୍ମୀ ଜଣକ ବିଶ୍ଵାସ କରେ ।
ସରକାରଙ୍କ
ନିକଟରେ ଦାବୀ କରିବା ଓ ସରକାରଙ୍କୁ ସଂପୂର୍ଣ୍ଣ ବିରୋଧ କରିବା ଭିତରେ କିଛିଟା ଦ୍ଵନ୍ଦ ରହିଛି । ଏହି ଦ୍ଵନ୍ଦ ହେଲା ସରକାରଙ୍କ ନିକଟରେ ଦାବୀ
କରିବାର ଅର୍ଥ ସରକାରଙ୍କ ଅସ୍ତିତ୍ଵକୁ ସ୍ଵୀକାର କରିବା ଓ ତାଙ୍କୁ ଗୁହାରି ଜଣାଇବା । ସେହିପରି ସରକାରଙ୍କୁ ବିରୋଧ କରିବାର ଅର୍ଥ
ସରକାରଙ୍କ ଅସ୍ତିତ୍ଵକୁ ଚାଲେଞ୍ଜ କରିବା ଓ ତାଙ୍କର ଅସ୍ତିତ୍ଵ କିପରି ଗୌଣ ହେବ ସେଦିଗରେ
ପ୍ରୟାସ କରିବା । ତେଣୁ କର୍ମୀ ଭିତରେ ଏହି ଦ୍ଵନ୍ଦ ଆସିବା ସ୍ଵାଭାବିକ ଯେ ସରକାରଙ୍କ ନିକଟରେ
କୌଣସି ସମସ୍ୟାର ସମାଧାନ ଲାଗି କରାଯାଉଥିବା ରାଲି, ବିକ୍ଷୋଭ, ସଭା, ଜେଲଭରୋ ଅଥବା ଗଣଧାରଣା କ’ଣ ପରୋକ୍ଷରେ ସରକାରୀ ସତ୍ତାକୁ ବଳିଷ୍ଠ କରୁନାହିଁ କି ? ସରକାରୀ ବ୍ୟବସ୍ଥାର ଅନ୍ତର୍ଦ୍ୱନ୍ଦ ତାହାକୁ ଏପରି ଚିନ୍ତାରୁ ନିବୃତ୍ତ
କରିପାରେ ନାହିଁ, ଗୋଟେପଟେ ଆଦିବାସୀର ସୁରକ୍ଷା ପାଇଁ
ସମ୍ବିଧାନରେ ନିୟମ ପ୍ରଣୟନ କରିବା ଓ ଅନ୍ୟପଟେ ବାରମ୍ବାର ବିସ୍ଥାପନା, ଜଙ୍ଗଲରୁ ବହିସ୍କାର, ଗିରଫ ଓ ମିଥ୍ୟା ଏନକାଉଣ୍ଟରର ସବୁଠାରୁ ଅଧିକ ଶିକାର
ଆଦିବାସୀ ହେବା ଉଭୟ ଗୋଟେ ନୀତି ବ୍ୟବସ୍ଥାରେ ଖାପ ଖାଉନଥିଲେ ମଧ୍ୟ ସରକାର କରିଚାଲିଛନ୍ତି । କଳ୍ପନା କରାଯାଉ ଯେ ଭୁଲ ବଶତଃ ଅଥବା ନିଜ
ସୁରକ୍ଷା ଲାଗି ପୁଲିସର ଗୁଳିରେ ଜଣେ ପୁଞ୍ଜିପତି ବ୍ୟବସାୟୀର ମୃତ୍ୟୁ ଘଟିଲା । ତେବେ କ’ଣ ଏହାକୁ ଏପରି ଅଣଦେଖା କରାଯାଇପାରନ୍ତା ଯାହା ଆଦିବାସୀ
ଜଣେ ମରିଗଲେ କରାଯାଉଛି ? ସାଧାରଣ
ଲୋକର ଅବସ୍ଥା ଠିକ ଆଦିବାସୀ ପରି,
ହିତାଧିକାରୀ ବି ହୋଇପାରିବ ଓ ବ୍ୟବସ୍ଥାର ଶିକାର ବି ହେବ, ଫରକ କିଛି ନାହିଁ । ତେବେ ଏଭଳି ବ୍ୟବସ୍ଥାକୁ ଜଣେ ରାଜନୈତିକ କର୍ମୀ
ବଳିଷ୍ଠ କରିବ କାହିଁକି?
ଭାରତୀୟ
ଶାସନ ବ୍ୟବସ୍ଥାରେ ନିର୍ବାଚିତ ସରକାରମାନେ ନିଜକୁ ଅଷ୍ଟାଦଶ ଶତାବ୍ଦୀର ରାଜା ମହାରାଜା ଭାବରେ ନଭାବୁଛନ୍ତି
ନୁହେଁ । ସେମାନେ
ପୁଲିସର ବଳ ଦ୍ଵାରା ନିଜକୁ ସୁରକ୍ଷିତ ରହିବା ଲାଗି ଚେଷ୍ଟା କରନ୍ତି । ସେଥିପାଇଁ ସେମାନେ ଉପନିବେଶ ଆଇନର ସଂଶୋଧନ
ପାଇଁ ଅନିଚ୍ଛୁକ । ସେମାନେ ନିଜ ଲାଗି ଅମାପ ଧାନ ସଞ୍ଚୟ କରନ୍ତି ଓ ନିଜେ ଭୋଗୁଥିବା କ୍ଷମତାକୁ
ବଂଶାନୁକ୍ରମିକ କରିବା ଲାଗି ଚେଷ୍ଟା କରନ୍ତି । ସରକାରୀ ବସରେ ଏମପି ଓ ଏମଏଲଏଙ୍କ ଲାଗି ସରଂକ୍ଷିତ ଥିବା ସିଟକୁ ଦେଖିଲେ ଯେ କେହି
ବୁଝିପାରିବ ଯେ ତାହା ସତେରେ କେତେ ଅଦରକାରୀ । ପୂର୍ବର ରାଜା ମହାରାଜା ଓ ବର୍ତ୍ତମାନର ନିର୍ବାଚିତ ବର୍ଗ ମଧ୍ୟରେ ପାର୍ଥକ୍ୟ
ହେଲା ଯେ ଏହି ନିର୍ବାଚିତ ଦଳକୁ ପ୍ରତି 5 ବର୍ଷରେ ନିଶ୍ଚିତ ରୂପେ ଥରେ ନିର୍ବାଚନକୁ ସାମ୍ନା
କରିବାକୁ ପଡିବ । ସେହି ଭିତରେ ସେମାନେ ବାଲାଟ ପେପର ଡୁପ୍ଳିକେଟ, ବୁଥ କ୍ୟାପଚରିଙ୍ଗ, ବନ୍ଧୁକ ଦେଖାଇ ଭୋଟ ରିଗିଙ୍ଗ, ଇଭିଏମ ମେସିନ ଟ୍ୟାମ୍ପରିଙ୍ଗ ଇତ୍ୟାଦି
କରିଛନ୍ତି ଓ ଏହା କରି ସେହି ନିର୍ଦ୍ଦିଷ୍ଟ ନିର୍ବାଚନ ଥରକ ଲାଗି ଜିତିଯାଇ ପାରିଥାନ୍ତି ମାତ୍ର
କୌଣସି ଦଳ ନିଜକୁ ଚିରସ୍ଥାୟୀ କରିପାରିନାହାନ୍ତି । ପ୍ରତ୍ୟେକ ନିର୍ବାଚିତ ସରକାର ନିଜକୁ ଧନୀ କରିବାର ଆକାଂକ୍ଷା ସହିତ ଷ୍ଟକ
ମାର୍କେଟରେ ନିଜ ସମୁଦାୟ ଲାଭର ବୃଦ୍ଧି ଲାଗି ପୁଞ୍ଜିପତିଙ୍କ ପଟରୁ ଯେଉଁ ଚାପ ପଡେ ତାହାକୁ
ପ୍ରାଥମିକତା ଦେବା ପରେ ଜାତୀୟ ଆୟରୁ କିଛି ଅର୍ଥ ସେମାନେ ଲୋକଙ୍କ କଲ୍ୟାଣମୂଳକ କାର୍ଯ୍ୟ ପାଇଁ
ଲଗାଇଥାନ୍ତି ଓ ତାହା କରି ସେମାନେ ନିଜକୁ ସଂପୂର୍ଣ୍ଣ ଲୋକଙ୍କର ବୋଲି ପ୍ରମାଣିତ କରିବା ଲାଗି
ଚେଷ୍ଟା କରିଥାନ୍ତି । ଏହି ସମୀକରଣକୁ ଯେଉଁ କ୍ଷମତାସୀନ ରାଜନୈତିକ ଦଳ
ଭଲରେ ବୁଝିଥାଏ ସେ ସେତିକି ଦିନ ଶାସନରେ ରହିପାରେ । ସେହି ଭିତରେ ଯେଉଁ ସରକାର ଲୋକଙ୍କ ଦାବୀ
ସାଙ୍ଗକୁ ପୁଞ୍ଜିପତିଙ୍କ ଆବଶ୍ୟକତା ଓ ନିଜର ମହତ୍ୱାକାଂକ୍ଷା ମଧ୍ୟରେ ସମନ୍ଵୟ ରଖିନପାରେ ସେ
ହାରିଯାଇଥାଏ ।
ଭାରତର ସରକାର ଗଣ ନିଜର ଜନ ସପକ୍ଷବାଦୀ
କାର୍ଯ୍ୟକ୍ରମ ମୁଖ୍ୟତଃ ସମାଜବାଦୀ ଓ ମାର୍କ୍ସବାଦୀ ରାଜନୈତିକ ସଂଗଠନ ଓ ଏହାର ବ୍ୟକ୍ତି
ବିଶେଷଙ୍କ ବିଭିନ୍ନ ଦାବୀରୁ ନେଇଛନ୍ତି । ଏହି କଲ୍ୟାଣକାରୀ ଯୋଜନା ଗୁଡିକ ହେଲା ସ୍ୱାସ୍ଥ୍ୟ ବୀମା, କୃଷି ବୀମା, କୃଷିରେ ସବସିଡ, ଅସଂଗଠିତ ଶ୍ରମିକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା, ଦଳିତଙ୍କୁ କ୍ଷତିପୂରଣ , ଚାଷୀଙ୍କୁ ରିହାତି ମୂଲ୍ୟରେ ବିହନ, ଶିକ୍ଷା ଓ ପାନୀୟ ଜଳର ସୁବିଧା ଇତ୍ୟାଦି । ବିଭିନ୍ନ ସମୟରେ ବିକଳ୍ପ ରାଜାନୀତିର
କର୍ମୀମାନେ ସରକାରଙ୍କ ନିକଟରେ ଯାହା ଯାହା ଦାବୀ କରିଥାନ୍ତି ତାହାକୁ ନିର୍ବାଚିତ ସରକାର
ଆଲୋଚନା କାଳରେ ଏହାକୁ ସ୍ଵୀକାର କରନ୍ତି ନାହିଁ ବରଂ ପୁଲିସ ଲଗାଇ ଦମନ କରନ୍ତି । ଅଥଚ ପରେ ସେହି ଦାବୀରୁ କେତେକକୁ ଏକ କଲ୍ୟାଣମୁଲକ
ଯୋଜନା ନାମରେ କାର୍ଯ୍ୟକାରୀ କରିଥାନ୍ତି ଯେମିତି କି ଇନ୍ଦିରା ଆବାସ, ରାଜୀବ କୁଟୀର, ବିଜୁ ସ୍ୱାସ୍ଥ୍ୟ, ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପେନସନ ଯୋଜନା ଇତ୍ୟାଦି ଯେମିତି ଲୋକେ
ଜାଣିବେ ସରକାର ଅତ୍ୟନ୍ତ ଦୟାଳୁ । ଗଣତନ୍ତ୍ରରେ ଜାତୀୟ ଆୟ ଉପରେ ଲୋକଙ୍କ ଅଧିକାର ରହିଛି ଓ ତାହା ଯେ ଲୋକଙ୍କ ସଂଗଠିତ
ଦାବୀ ହେତୁ ହାସଲ ହେଲା ଏ କଥାକୁ ସ୍ଵୀକାର କରିବାକୁ କୌଣସି ସରକାର ଚାହାନ୍ତି ନାହିଁ । ବରଂ କ୍ଷମତାସୀନ ଦଳର ନେତା ନିଜକୁ ଏକ ରାଜା
ଭଳି ନିଜ ପ୍ରଜାମାନଙ୍କୁ ଖୁସିରେ କିଛି ଉପହାର/ଭେଟି ଦେଲେ ସେକଥାକୁ ପ୍ରଚାର କରିବା ସହିତ ଆଗାମୀ
ନିର୍ବାଚନରେ ଭୋଟ ପାଇଁ ତାହାକୁ ଅଧିକ ପ୍ରଚାର କରିଥାନ୍ତି ।
ନିର୍ବାଚିତ
ସରକାର ରାଜନୈତିକ କର୍ମୀଙ୍କ ଦାବୀକୁ କଲ୍ୟାଣମୁଲକ ଯୋଜନା ମାଧ୍ୟମରେ କାର୍ଯ୍ୟକାରୀ କରିଦିଏ
ମାତ୍ର ସେଥିରେ ଆବଶ୍ୟକତା ଅନୁସାରେ ଅନୁଦାନ, ପ୍ରସ୍ତୁତି ଓ ସୁପରିଚାଳିତ ବଣ୍ଟନ ବ୍ୟବସ୍ଥା ନଥାଏ । କମ୍ପାନୀର ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସିଂଗଲ
ୱିଣ୍ଡୋ ପଲିସି ହୋଇପାରିଛି । ମାତ୍ର ଗରିବ ଲୋକ କିଏ କେଉଁଠି କାଳେ ଚାଉଳ ପାଞ୍ଚକିଲୋ ଅଧିକ ନେଇଯିବ ତାହାକୁ
ରୋକିବା ନାମରେ ବହୁତ ବହୁତ ବିଭାଗ ଖୋଲିଦିଆଯାଇଛି ଯେମିତିକି ଆଧାର କାର୍ଡ, ବ୍ୟାଙ୍କ ପାସ ବୁକ, ଇଣ୍ଟରନେଟ ବ୍ୟବସ୍ଥା, ଆଙ୍ଗୁଠି ଚିହ୍ନ, ଫୋଟୋ ଇତ୍ୟାଦି । ଏଥିରୁ ଗୋଟେ ବି ନରହିଲେ ପାଞ୍ଚକିଲୋ ଚାଉଳ, ଗରିବଙ୍କୁ ଘର, ଚାଷୀକୁ ବୀମା, ଘରକୁ ବିଜୁଳି ଇତ୍ୟାଦି ମିଳିବ ନାହିଁ । ଏହାର ଉଦ୍ଦେଶ୍ୟ ହେଲା କମରୁ କମ ଲୋକ ସରକାରଙ୍କ
ଦ୍ଵାରା ଦିଆଯାଉଥିବା ସୁବିଧା ପାଆନ୍ତୁ ଓ କିଛି ଅର୍ଥ ବଳି ଯାଉ ଯାହା ପରେ କମ୍ପାନୀକୁ ଋଣ
ଦେବାରେ କାମରେ ଆସିବ । ଲୋକେ ଏ କଥାକୁ ନବୁଝି କ୍ଷମତାସୀନ ରାଜନୈତିକ ଦଳର ନିକଟବର୍ତ୍ତି ହୁଅନ୍ତି କାରଣ ସେମାନଙ୍କୁ
ଲବି କରିବାର ଅଛି ନୋଚେତ ଚାଉଳ, ଚିନି, କିରୋସିନୀ, ଇନ୍ଦିରା ଆବାସ ଘର ବା ବାର୍ଦ୍ଧକ୍ୟ ଭତ୍ତା ଟିକକ ମିଳିବ
ନାହିଁ । ଏହିହେତୁ
କ୍ରମଶଃ ଲୋକେ ବିକଳ୍ପ ରାଜନୀତିକୁ ଛାଡି ସରକାରୀ ଦଳର ନିକଟବର୍ତ୍ତି ହୁଅନ୍ତି । ବିକଳ୍ପ ରାଜନିତୀର କଥା କହୁଥିବା କର୍ମୀଟି ଏଥର
ଦ୍ଵନ୍ଦରେ ପଡେ ଯେ ଏହା ଦାବୀ କରିବା ସତେରେ ଠିକ
ହୋଇଥିଲା ନା ଭୁଲ ହୋଇଗଲା ।
ରାଜନୈତିକ
କର୍ମୀ ପୁଣି ଦେଖେ ଯେ ତାହାରି ପୂର୍ବଜ ମାନେ ଲୋକଙ୍କୁ ସଂଗଠିତ କଲା ବେଳେ ନିଜ ପରିବାରକୁ
ଅବହେଳା କରିଛନ୍ତି ଓ ପରେ ବିଷାଦଗ୍ରସ୍ତ ହୋଇଛନ୍ତି । କାରଣ ସେମାନଙ୍କ ନେତୃତ୍ଵ ସେମାନଙ୍କୁ ଦଗା
ଦେଇଛି । ପୁଣି କେଉଁଠି
ରାଜନୈତିକ କର୍ମୀଟି ଲୋକଙ୍କୁ ସଂଗଠିତ କରିବା ନାମରେ ନିଜ ଦଳ ବଳ ଧରି କ୍ଷମତାସୀନ ଦଳରେ ସାମିଲ
ହୋଇଛି ବା ଶତ୍ରୁ ସହିତ ବୁଝାମଣା କରି ନିଜକୁ ଅସାଧୁ ଉପାୟରେ ଧନଶାଳୀ କରିଛି (ଯାହା ବିସ୍ଥାପନ
ବିରୋଧୀ ଆନ୍ଦୋଳନ ଓ ଶ୍ରମିକ ଆନ୍ଦୋଳନ ମଧ୍ୟରେ ଅଧିକ ଦେଖାଯାଇଛି) । କର୍ମୀର ଏହି ଅସାଧୁତା ସ୍ଥାନୀୟ ଲୋକଙ୍କୁ ପୁଣି
ବିରକ୍ତି ଦେଇଛି ଓ ନିଜର ବିକଳ୍ପ ରାଜନୈତିକ ଦଳ ବା କମ୍ୟୁନିଷ୍ଟ ଅଥବା ସମାଜବାଦୀ ଦଳ ଲୋକଙ୍କ ସହଯୋଗ
ନପାଇ କ୍ରମଶଃ ସେହି ସବୁ ଅଞ୍ଚଳରେ ଡୁବି ଯାଇଛି । ପରବର୍ତ୍ତୀ ପୀଢିରା ରାଜନୈତିକ କର୍ମୀକୁ ଏହା
ହୁଏତ ନିରୁସ୍ଛାହିତ କରିଛି ନୋଚେତ ସେନିଜେ ମଧ୍ୟ ଅସାଧୁ ହୋଇଯାଇଛି ।
ହେଲେ
ଏକଥା ସ୍ଵୀକାର୍ଯ୍ୟ ଯେ ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ପ୍ରକୃତ ବିରୋଧୀ ଦଳ ହେଲା ଏହି
କ୍ଷୁଦ୍ର କ୍ଷୁଦ୍ର ବିକଳ୍ପ ରାଜନୈତିକ ଦଳ ଓ ଜନସଙ୍ଗଠନ । ନିର୍ବାଚନରେ ହାରିଯାଇଥିବା ବିରୋଧୀ ଦଳ କେବଳ
ଦ୍ଵିତୀୟ ଶାସକ ଦଳ ଯାହାର କୌଣସି ମତଭେଦ ଶାସକ ଦଳ ସହିତ ନଥାଏ । ଏକଥା ଅର୍ଥନୈତିକ ସଂସ୍କାର ପରବର୍ତ୍ତୀ
କ୍ଷମତାସୀନ ରାଜନୈତିକ ଦଳ ମଧ୍ୟରେ ବିଶେଷ ଭାବରେ ଦେଖାଯାଇଛି । ତେଣୁ ବିକଳ୍ପ ରାଜନୈତିକ ଦଳ ଓ ଜନସଙ୍ଗଠନର
ନେତୃବୃନ୍ଦ ହୁଏତ ବିଧାନସଭା କିମ୍ବା ଲୋକସଭା ନଯାଇପାରନ୍ତି ମାତ୍ର ସରକାରଙ୍କୁ ଗଣତାନ୍ତ୍ରିକ ହେବା ଲାଗି ସେମାନେ ହିଁ ବାଧ୍ୟ
କରିଥାନ୍ତି । ସେମାନେ ନିଜର ବିକ୍ଷୋଭ, ରାଲି, ଗଣଧାରଣା ମାଧ୍ୟମରେ ସରକାରଙ୍କୁ ବିରୋଧ କରିବା ହେତୁ
ଆଜି ଦେଶରେ ଅନ୍ତତଃ ଗଣତନ୍ତ୍ର କିଛିଟା ବଞ୍ଚିକରି ରହିଛି ।
9437762272
No comments:
Post a Comment