ବାମପନ୍ଥୀ ବିଚାରର
କ୍ରମଅବକ୍ଷୟମାଣ ଧାରା
ତ୍ରିପୁରାରେ ଲେନିନଙ୍କ ମୂର୍ତ୍ତିକୁ ସଂଘ
ପରିବାରର କର୍ମୀମାନେ ଯେଉଁଭଳି ଭାଙ୍ଗିଲେ ଏଥିରେ ମୁଁ ଯେତିକି ଆଶ୍ଚର୍ଯ୍ୟ ନୁହେଁ ଯଦିଓ ଏହାକୁ
ମୁଁ ବିରୋଧ କରୁଛି ବରଂ ମୁଁ ବେଶୀ ଆଶ୍ଚର୍ଯ୍ୟ କିପରି ତ୍ରିପୁରାବାସୀ ଏକ ମାର୍କ୍ସବାଦୀ ଦଳକୁ
ପ୍ରତ୍ୟାଖ୍ୟାନ କରି ଦକ୍ଷିଣପନ୍ଥୀ ବିଜେପି ଉପରେ ଭରସା କରିପାରିଲେ । ଏହା ଏକ ଏଭଳି ଲମ୍ଫ
ଯାହାକୁ କେବେ ବିଶ୍ଵାସ କରାଯାଇନପାରେ । 20 ବର୍ଷର ଶାସନ କାଳ ଭିତରେ ତ୍ରିପୁରାବାସୀ କ’ଣ
ସେତିକି ଶିକ୍ଷିତ ହୋଇପାରିଲେ ନାହିଁ ଯେଉଁଠି ସେମାନେ ନିଜର ମୁକ୍ତିର ରାସ୍ତାକୁ ନିଜେ ଠିକରେ
ଚିହ୍ନିପାରିବେ? ନା ଏହା ମାର୍କ୍ସବାଦର ସମସ୍ୟା ଯାହା
ତ୍ରିପୁରାବାସୀଙ୍କୁ ଆଜି ପର୍ଯ୍ୟନ୍ତ ଠକି ଚାଲିଥିଲା? ଠିକ ଏହିପ୍ରକାର
ପ୍ରଶ୍ନ ଆସିଥିଲା 2009 ମସିହାର ଲୋକସଭା ନିର୍ବାଚନ ସମୟରେ ଯେତେବେଳେ ପଶ୍ଚିମ ବଂଗର ଦାର୍ଜିଲିଂ
ଅଞ୍ଚଳରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦ) ପ୍ରାର୍ଥୀଙ୍କୁ ହରାଇ ସଙ୍ଘପରିବାର ଏହାର
ପ୍ରାର୍ଥୀ ଜିତାଇ ପାରିଥିଲା। ଅଥଚ ଇତିହାସ
କୁହେ ଭାରତରେ ପଚାଶ ଦଶକରୁ ସତୁରୀ ଦଶକ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନମାନଙ୍କରେ କଂଗ୍ରେସ ପରେ ଦ୍ଵିତୀୟ
ଶକ୍ତି ଭାବରେ କମ୍ୟୁନିଷ୍ଟ ପାର୍ଟିର ନେତୃବର୍ଗ ବିରୋଧୀ ଦଳର
ଭୂମିକା ନେଉଥିଲେ ଓ ସେମାନେ ଜବାହରଲାଲ ନେହେରୁଙ୍କ “ବିକାଶନୀତି”କୁ ବିରୋଧ କରୁଥିଲେ । ପୁଣି 70 ଦଶକରେ ସେହି ଦାର୍ଜିଲିଂ
ଅଞ୍ଚଳରୁ ହିଁ ନକ୍ସଲବାଡି ଆନ୍ଦୋଳନ ଆରମ୍ଭ ହୋଇଥିଲା ।
1967 ମସିହାରେ ପଶ୍ଚିମବଙ୍ଗର ନକ୍ସଲବାଡ଼ି
ଗ୍ରାମରୁ ଆରମ୍ଭ ହୋଇଥିବା ଜମି ଆନ୍ଦୋଳନକୁ 2017 ମସିହାରେ 50 ବର୍ଷ ପୁରିଥିଲା । ନକ୍ସଲବାଡି ଗ୍ରାମ ପଶ୍ଚିମବଙ୍ଗ ଦାର୍ଜିଲିଂ
ଜିଲ୍ଲାର ସିଲିଗୁଡି ସବଡିଭିଜନ ମଧ୍ୟରେ ଆସୁଛି। କମ୍ୟୁନିଷ୍ଟ ନେତା
ଚାରୁ ମଜୁମଦାର, କାହ୍ନୁ ସାନ୍ୟାଲ,
ଜଙ୍ଗଲ ସାନ୍ତାଳ, ଖୋକେନ ମଜୁମଦାର ଇତ୍ୟାଦି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦ)ର ସଦସ୍ୟ
ଥିଲେ ଓ ସେମାନେ ନିଜର ସିପିଆଇ (ଏମ) ପାର୍ଟି ନାମରେ ସିଲିଗୁଡି ଅଞ୍ଚଳରେ ଜମିଦାର ବିରୋଧରେ
ଅସ୍ତ୍ର ଧରି ଲଢେଇ କରିବା ଓ ଜମି ଅକ୍ତିଆର କରି ଜମିହୀନଙ୍କ ମଧ୍ୟରେ ତାହାକୁ ବଣ୍ଟନ କରିବା
ପାଇଁ ଡାକରା ଦେଉଥା’ନ୍ତି । ଠିକ ଏହି ସମୟରେ ନକ୍ସଲବାଡି ଅଞ୍ଚଳର ଜମିଦାର ବିରୁଦ୍ଧରେ ଏକାଠି ହୋଇ ଚାଷୀମାନେ ନିଜ
ଅଧିକାର ପାଇଁ ଲଢେଇ ଆରମ୍ଭ କରିଦେଇଥାନ୍ତି ଓ ସେମାନଙ୍କ ଉପରକୁ ପୁଲିସ 25 ମେ’
1967 ତାରିଖରେ ଗୁଳି କରିବା ହେତୁ 11 ଜଣଙ୍କ ପ୍ରାଣହାନୀ ହୁଏ ଯେଉଁଥିରେ 7 ଜଣ ମହିଳା ଓ ଦୁଇ
ଜଣ ଶିଶୁ ଥିଲେ। ଏହି ଘଟଣା ପରେ ଦେଶ ବ୍ୟାପୀ ଏକ ବିରାଟ ଆନ୍ଦୋଳନରେ
ପରିଣତ ହୋଇଗଲା । ଏହି ଆନ୍ଦୋଳନରେ ସବୁଠାରୁ ଅଧିକ ଭାଗ ନେଇଥିଲେ ଉକ୍ତ
ଦାର୍ଜିଲିଂ ଅଞ୍ଚଳର ରାଜଭଙ୍ଗୀ, ଓରାନ, ମୁଣ୍ଡା ଓ
ସାନ୍ତାଳୀ ଆଦିବାସୀମାନେ ଯେଉଁମାନେ କି ଜମିଦାର-ଯୋଟେଦାର ପାଖରେ ଆଉ ଶୋଷିତ ହେବାକୁ ଚାହୁଁ
ନଥିଲେ। ଏହି ଗୁଳିକାଣ୍ଡ ସମୟରେ ନିଜର ସିପିଆଇ (ଏମ) ପାର୍ଟି
ପଶ୍ଚିମବଙ୍ଗରେ ଶାସନ କ୍ଷମତାରେ ଥିବା ହେତୁ ଚାରୁ ମଜୁମଦାର ଓ ସାଥୀମାନେ ନିଜର ପୁରୁଣା ସିପିଆଇ
(ଏମ)
ପାର୍ଟି ଛାଡି ସିପିଆଇ (ଏମଏଲ) ପାର୍ଟି ସୃଷ୍ଟି କରିଥିଲେ । ମେ 1,
1969 ଦିନ କଲିକତା ଘୋଷଣାନାମାରେ ଏହି ପାର୍ଟି ଘୋଷଣା କରିଥିଲା ଯେ ବିଦେଶୀ ପୁଞ୍ଜିବାଦ ଶକ୍ତି ବା ‘ସାମ୍ରାଜ୍ୟବାଦ’, ଦୃଢ ଜମିଦାରୀବାଦ ଅର୍ଥାତ ‘ସାମନ୍ତବାଦ’ ଓ ଦେଶୀ ପୁଞ୍ଜିବାଦୀ ଶକ୍ତି ଓ ସେମାନଙ୍କ ବିଳାଶୀଶ୍ରେଣୀ ବା କମ୍ପ୍ରୋଡର ବୁର୍ଜୁଆ
ବିରୁଦ୍ଧରେ ଲଢେଇ ଜାରି ରଖିବ । ଏହି ହେତୁ ସିପିଆଇ (ଏମଏଲ) ପାର୍ଟି ପଶ୍ଚିମବଙ୍ଗ ସମେତ ପଞ୍ଜାବ ଠାରୁ କେରଳ ପ୍ରତ୍ୟେକ
ରାଜ୍ୟରେ ତିଆରି ହୋଇଥିଲା । ନକ୍ସଲବାଡି ଆନ୍ଦୋଳନ ନାମରେ ପରିଚିତ ଲୋକଙ୍କ ଏହି
ବିରୋଧ ପଶ୍ଚିମବଂଗର ସାଧାରଣ ନିର୍ବାଚନରେ କ୍ରମାଗତ ଭାବରେ ପ୍ରତିଫଳିତ ହୋଇଆସୁଥିଲା। ଏହି ହେତୁ ଭାରତୀୟ
କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦ) ବା ସିପିଆଇ (ଏମ)ର ସଦସ୍ୟ 2009 ମସିହା ପର୍ଯ୍ୟନ୍ତ ଦାର୍ଜିଲିଂ
ଲୋକସଭା ଆସନରୁ ନିର୍ବାଚିତ ହୋଇଆସୁଥିଲେ ।
2009
ମସିହା ବେଳକୁ ପରିସ୍ଥିତିରେ ପରିବର୍ତ୍ତନ ହେଉଥିବା କଥା ପ୍ରଥମକରି ସାମ୍ନା ଆସିଲା । ସେହି ବର୍ଷ ଦାର୍ଜିଲିଂ
ଲୋକସଭା ଆସନରୁ ପ୍ରଥମ କରି ଭାରତୀୟ ଜନତା ପାର୍ଟିର ଜଣେ ସଦସ୍ୟ ଭାବରେ ଯଶୱନ୍ତ ସିଂହ ସିପିଆଇ
(ଏମ)କୁ ହରାଇ ଜିତିଥିଲେ । ସେହି କ୍ରମରେ 2014ର ନିର୍ବାଚନରେ ତୃଣମୂଳ କଂଗ୍ରେସର
ପ୍ରାର୍ଥୀ ଓ ପ୍ରସିଦ୍ଧ ଫୁଟବଲ ଖେଳାଳି ବାଇଚୁଙ୍ଗ ଭୁଟିଆଙ୍କୁ ହରାଇ ଭାରତୀୟ ଜନତା ପାର୍ଟିର
ଏସଏସ ଆହଲୁୱାଲିଆ ଏବେ ଲୋକସଭା ସଦସ୍ୟ ଅଛନ୍ତି । ହୁଏତ ଆମେ କହି
ପାରିବା ଯେ ସର୍ବଦା ଲୋକେ ଏକ ନିର୍ଦ୍ଦିଷ୍ଟ ବିଚାର ସହିତ ରହିନଥାନ୍ତି ଅଥବା କହିବା ଯେ ଭୋଟରେ
କେଉଁ ପାର୍ଟି ଜିତିଲା ତାହାକୁ ନେଇ କୌଣସି ଦଳର ସ୍ଥିତିକୁ ଆମ୍ଭେମାନେ ତଉଲି ପାରିବା ନାହିଁ । କିନ୍ତୁ ପରିବର୍ତ୍ତନର
ଧାରା ଯେତେବେଳେ ଶ୍ରେଣୀ ସଂଗ୍ରାମ ବଦଳରେ ସଂଘ ପରିବାରର ଧର୍ମ ଭିତ୍ତିକ ବିଭାଜନ ଆଡକୁ ଯାଉଛି ଓ
ବିଜେପିର ନିର୍ବାଚିତ ସଦସ୍ୟଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢୁଛି ସେତେବେଳେ ତାହାକୁ କ’ଣ
ବିଚାରରେ ଅଗ୍ରଗତି କୁହାଯିବ କି? 2017 ମସିହାରେ ନକ୍ସଲବାଡି
ଆନ୍ଦୋଳନର 50 ବର୍ଷ ପୂର୍ତ୍ତି ପାଳନର କୌଣସି ଉଦ୍ୟମ ପଶ୍ଚିମବଙ୍ଗର ନକ୍ସଲବାଡି ଅଞ୍ଚଳ ବା
ସମଗ୍ର ଦାର୍ଜିଲିଂ ଜିଲ୍ଲାରେ ମଧ୍ୟ ଦେଖାଯାଇନଥିଲା । ଭାରତରେ ସମସ୍ତଙ୍କୁ ସମାନ ଅଧିକାରର କଥା
କହି ଆସୁଥିବା କମ୍ୟୁନିଷ୍ଟ ପାର୍ଟିର ଶାସନାଧୀନ ଅଞ୍ଚଳ ପୁଣି ଦକ୍ଷିଣପନ୍ଥୀ ଆଡକୁ ଢଳିବା ଅର୍ଥାତ
ହିନ୍ଦୁ ରାଷ୍ଟ୍ର ଗଠନର ବିଚାରକୁ ଆପଣାଇବା ମାର୍କ୍ସବାଦର ବିଫଳତା ନା ପାର୍ଟି କମ୍ୟୁନିଷ୍ଟର
ଅପରିଣାମଦର୍ଶିତା ?
ଦାର୍ଜିଲିଂ ଅଞ୍ଚଳରେ ଲୋକଙ୍କ ମାନସିକତାର ପରିବର୍ତ୍ତନ
ଅପେକ୍ଷା ଆହୁରି ଦୁଃଖଦ ପରିବର୍ତ୍ତନ ଘଟେ ପଞ୍ଜାବରେ । ସେ ସମୟରେ ନକ୍ସଲବାଡି ଆଂଦୋଳନର ପ୍ରଭାବ
ହେତୁ ଭାରତୀୟ କମ୍ୟୁନିଷ୍ଟ (ମାର୍କ୍ସବାଦ – ଲେନିନବାଦ) ପାର୍ଟିରେ 1968 ମସିହାରେ ଦକ୍ଷିଣ
ପଞ୍ଜାବର ମାଲୱା ଅଞ୍ଚଳର ଯଥା ଲୁଧିଆନା, ଜଳନ୍ଧର,
ଅମୃତଶର, ଭାଟିଣ୍ଡା ଓ ପାଟିଆଲା ଅଞ୍ଚଳରୁ ଅନେକ ଛାତ୍ରଛାତ୍ରୀ ଓ
ଭୂମିହୀନ ଭାଗଚାଷୀ ଏହି ଆନ୍ଦୋଳନରେ ଯୋଗ ଦେଇଥିଲେ ଯେଉଁମାନଙ୍କ ମଧ୍ୟରେ ରାମଦାସୀ ‘ଚମାର’ ଦଳିତ ଗୋଷ୍ଠୀ ଅଧିକ ଥିଲେ । ଏହି ଆନ୍ଦୋଳନ ଠିକ
ସେହି ସମୟରେ ଅବତାର ସିଂହ ସାନ୍ଧୁ ‘ପାଶ’,
ଦର୍ଶନ ଖାଟକର, ସତନାମ, ଶାନ୍ତା ରାମ ଉଦାଶୀ, ଲାଲ ସିଂହ ଦିଲଙ୍କ ଭଳି କବି ଓ ଲେଖକ ସୃଷ୍ଟି କରିପାରିଥିଲା ଯାହା ପଞ୍ଜାବୀ
ସାହିତ୍ୟକୁ ବହୁଳ ଭାବରେ ପ୍ରଭାବିତ କରିପାରିଛି । ଶାନ୍ତା ରାମ ଉଦାଶୀଙ୍କ କବିତା ‘ମୋ ମା’ କୁ ପ୍ରାଥନା’ ଏକ
ପ୍ରଭାବଶାଳୀ କବିତା । ଏହି କବିତାର ପ୍ରଥମ ବାକ୍ୟ ବେଶ ହୃଦୟସ୍ପର୍ଶୀ (‘ମୋତେ ସେଭଳି ଏକ ଗ୍ରାମରେ ଜନ୍ମ ଦିଅ ନାହିଁ ଯେଉଁଠି ସ୍ଵପ୍ନମାନେ ବନ୍ଧା ପଡିଥିବେ
....’) । ଲାଲ ସିଂହ ଦିଲଙ୍କ କବିତା ଯେମିତିକି “ମୋ ଦେଶର ଅନ୍ୟ
ଏକ ମୁହଁ ଅଛି / ଅଲଗା କିଛି ମଣିଷ ଅଛନ୍ତି / ଯେଉଁ ସ୍ଥାନରେ ଅଧା ଭୋକିଲା / ଅଧାନିଦ୍ରା
ଯାଉଥିବା ମଣିଷମାନେ / ରାତିର ଆକାଶର ତାରା ଗଣନ୍ତି / ସେହିଥିରେ ସେମାନେ / ଶରୀରର କଷ୍ଟକୁ
ଲାଘବ କରନ୍ତି” ଅନ୍ୟତମ ।
ଏବେ 2017 ମସିହାରେ ଡେରା ସଚ୍ଚା ସୌଦାର
ପ୍ରମୁଖ ଗୁରମିତ ସିଂହ ରାମ ରହିମଙ୍କୁ ଦୁଇ ଜଣ ଅନୁଗାମୀଙ୍କୁ ଧର୍ଷଣ ମାମଲାରେ 20 ବର୍ଷ ଜେଲ
ଦଣ୍ଡରେ ଦଣ୍ଡିତ କରାଯାଇଛି । ସେହି ମହିଳାଙ୍କ ଅଦଦ୍ଭୂତ ସାହସ ଓ ସାମାଜିକ ଦାୟିତ୍ଵବୋଧ ରାମ
ରହିମ ଭଳି ଜଣେ ଭଣ୍ଡ ବାବା-ଧର୍ଷଣକାରୀଙ୍କୁ ଜେଲ ପଠାଇ ପାରିଲା । ଦୁଃଖର କଥା ଯେ ଏହି ଡେରାର
ଅନୁଗାମୀଙ୍କ ସଂଖ୍ୟା ରାମ ରହିମଙ୍କ ସମୟରେ ପ୍ରାୟେ 5 କୋଟିରେ ପହଞ୍ଚିଥିଲା ଯେଉଁମାନଙ୍କ
ମଧ୍ୟରେ ପଞ୍ଜାବର ମାଲୱା ଅଞ୍ଚଳର ରାମଦାସୀ ଦଳିତ ବର୍ଗର ଯୋଗଦାନ,
ଯେଉଁ ବର୍ଗରୁ ଲାଲ ସିଂହ ଦିଲ ଆସିଛନ୍ତି, ଅଧିକ । କାହିଁକି ? ପଞ୍ଜାବରେ ଜାଟ-ଶିଖମାନେ ନିଜ ଧର୍ମସ୍ଥଳୀ ‘ଗୁରୁଦ୍ୱାର’କୁ ନିଜ କର୍ତ୍ତୁତ୍ବରେ ରଖିଛନ୍ତି ଓ ସେମାନେ ‘ସବୁଜ ବିପ୍ଲବ’ ପରେ ଅଧିକ ଦଳିତ ବିରୋଧୀ ହେବା ହେତୁ ଦଳିତମାନେ ନିଜର ଅଲଗା ଗୁରୁଦ୍ୱାରା ନିର୍ମାଣ
କଲେ । ସେମାନେ ଅମୃତସର ସ୍ଥିତ ସ୍ଵର୍ଣ୍ଣ ମନ୍ଦିର ଓ ‘ଅକାଲତଖତ’ ଦ୍ଵାରା ଏକ ପ୍ରକାରର ପ୍ରତ୍ୟାଖାନ ହେବା ହେତୁ ନିଜର ସାମାଜିକ ପ୍ରତିଷ୍ଠା ବଞ୍ଚାଇ
ରଖିବା ଲାଗି ଡେରା ସଚ୍ଚା ସୌଦା ଆଡକୁ ଅଧିକ ସଂଖ୍ୟାରେ ଆସିଥିବାର କୁହାଯାଏ । )ପଞ୍ଜାବରେ ଜାତି
ବିବାଦ ବିପକ୍ଷରେ କମ୍ୟୁନିଷ୍ଟ ଶକ୍ତିମାନଙ୍କ ଦ୍ଵାରା ଏକ ସାମାଜିକ ଆନ୍ଦୋଳନର ରୂପ
ନେଇପାରିଥାନ୍ତା ତାହା ହୋଇପାରିଲା ନାହିଁ । ଏହି ବିବାଦ ବରଂ ଧାର୍ମିକ ଅନୁଷ୍ଠାନ ଓ ଧର୍ମର
ରୀତିନୀତି ମଧ୍ୟରେ ସୀମିତ ରହିଗଲା । କୁହାଯାଏ ଗୁରମିତ ସିଂହ ରାମ ରହିମ ନିଜର ସୁରକ୍ଷା ପାଇଁ ନିଜର
ଅନୁଗାମୀମାନଙ୍କୁ ‘ଭାରତୀୟ ଜନତା ପାର୍ଟି’କୁ
ସମର୍ଥନ କରିବା ପାଇଁ ପ୍ରବର୍ତ୍ତାଇଥିଲ ଯେଉଁଥିପାଇଁ 2007 ମସିହା ପରଠାରୁ ହରିୟାନା ଓ
ପଞ୍ଜାବରେ ବିଜେପି ବହୁବାର କ୍ଷମତା ମଧ୍ୟ ଦଖଲ କରିପାରିଛି ।
ଏଠାରେ ପ୍ରଶ୍ନ ଆସେ ଭାରତ ଭଳି ଏକ ଦେଶରେ
ଯେଉଁଠି ଏହାର ଅର୍ଥନୀତି କ୍ରମଶଃ ପୁଞ୍ଜିବାଦୀ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭାବରେ
ଆପଣାଇସାରିଲାଣି ସେଠାରେ ବିକଳ୍ପ ରାଜନୈତିକ ଶକ୍ତି ଭାବରେ ମାର୍କ୍ସବାଦୀ ପାର୍ଟିର ଅବକ୍ଷୟ
ଆଶ୍ଚର୍ଯ୍ୟର ବିଷୟ । ଭାରତରେ ଆଜି ଯୁବ ବର୍ଗ ହାତରେ କୌଣସି ଉଦ୍ୟୋଗରେ ଏକ
ଶ୍ରମିକ ପାଲଟିବା ବ୍ୟତୀତ ଆଉ କୌଣସି ରାସ୍ତା ନାହିଁ । ଶ୍ରମିକ ସୁରକ୍ଷା
ବୋଲି ସେଠାରେ କୌଣସି ନିୟମ ନାହିଁ ଓ ‘କେବଳ କାମ କର ନପାରିଲେ ଛଟେଇ ହୁଅ’ର ମନ୍ତ୍ର ସର୍ବଦା ଶୁଣାଇ ଦିଆଯାଏ। ଆଜି ବେକାରୀ ନାମରେ ଏକ ବିରାଟ ରିଜର୍ଭ ଆର୍ମୀ
(ମାର୍କ୍ସଙ୍କ ଭାଷାରେ) ବା ବେକାରୀ ଶିକ୍ଷିତ ଯୁବକ/ଯୁବତୀ ସର୍ବଦା ପ୍ରସ୍ତୁତ ହୋଇରହିଛନ୍ତି
ଯେକୌଣସି ପରିସ୍ଥିତିରେ ନିଜର କୌଣସି ସର୍ତ୍ତ ନଥାଇ କେବଳ ନିଜକୁ ବଞ୍ଚାଇବା ଲାଗି କୌଣସି ବି କାମ
କରିବା ପାଇଁ ପ୍ରସ୍ତୁତ । ଅଥଚ ଏହି ଦେଶର ପୁଞ୍ଜିପତିମାନେ ଆଜି ଆଫ୍ରିକା, ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକାରେ ପୁଞ୍ଜି ବିନିଯୋଗ ନାମରେ ନିଜର ଉପନିବେଶମାନ ତିଆରି
କରିସାରିଲେଣି । ଏ ଭଳି ଦେଶରେ ଯେତେବେଳେ ଲୋକେ ନିଜ ମୁକ୍ତିର ରାସ୍ତା
ଏକ ଧର୍ମଭିତ୍ତିକ ରାଜନୈତିକ ଦଳ ଉପରେ ନିର୍ଭର କରିବା ଯାହାର ପୁଞ୍ଜିବାଦ ବିରୋଧୀ ମାନସିକତା
କୌଣସି କୋଣରେ ମଧ୍ୟ ନାହିଁ ସେ କ୍ଷେତ୍ରରେ ଆମେ ନିଜକୁ କଣ ପଚାରିବା ଉଚିତ ନୁହେଁ କି ଯେ ଭୁଲ
ରହିଲା କେଉଁଠି?
କାର୍ଲମାର୍କ୍ସଙ୍କ ଦୃଷ୍ଟିରେ ପୁଞ୍ଜିବାଦର
କବଜାରୁ ମୁକ୍ତି ଲାଗି ଶ୍ରମିକ ଶ୍ରେଣୀର ଚେତନା ଆସିବା ହିଁ ପ୍ରକୃତ ସମାଜବାଦ । “ମଣିଷର ଇତିହାସ ହେଲା
ଅତ୍ୟାଚାରୀ ଶାସକର ସାଧାରଣ ଜନତାଙ୍କୁ କରିଥିବା ଅତ୍ୟାଚାରର ଇତିହାସ”,
ଏହି ଉକ୍ତି ରଖିଥିବା ମାର୍କ୍ସ ନିଜେ ପୁଞ୍ଜିବାଦ ଶୋଷଣ ବିରୁଦ୍ଧରେ ନିଜର ପ୍ରତିକ୍ରିୟା ପ୍ରକାଶ
କରି କଳ୍ପନା କରିଥିଲେ, “ପ୍ରତ୍ୟେକ ମଣିଷର
ମୁକ୍ତି ହିଁ ସମୂହର ମୁକ୍ତିର ପରିବେଶ ତିଆରି କରିପାରିବ” (freedom of each is the
condition of the freedom of all)। ମାର୍କ୍ସ ଏକଥା ମଧ୍ୟ କଳ୍ପନା କରୁଥିଲେ ଯେ ପୁଞ୍ଜିବାଦ
ରାଷ୍ଟ୍ର ବ୍ୟବସ୍ଥା ବିପକ୍ଷରେ ଶ୍ରମିକ ଚେତନା ଏତେ ଆଗକୁ ଯିବ ଯେ ତାହା “ସମସ୍ତ ରାଷ୍ଟ୍ର
ବ୍ୟବସ୍ଥାକୁ ସମୂଳେ ଲୋପ କରିବା ପାଇଁ ଚାହିଁବ” । ଅଥଚ ମାର୍କ୍ସବାଦ ନାମରେ ମାର୍କ୍ସବାଦୀ ପାର୍ଟିମାନେ
ସେହି ପୁଞ୍ଜିବାଦୀ ବ୍ୟବସ୍ଥାକୁ କାଏମ ରଖିବା ଓ ରାଷ୍ଟ୍ର ରୂପୀ ପୁନଃ ଦାସତ୍ଵ ସୃଷ୍ଟିକାରୀ
ଅନୁଷ୍ଠାନ ପ୍ରତିଷ୍ଠା କରିବା; ‘ସମାଜବାଦ’ ନାମରେ ରାଷ୍ଟ୍ରତନ୍ତ୍ର ପ୍ରତିଷ୍ଠା କରିବା ଓ ସେହି ସମାନ ପୁଲିସ ଓ ଅମଲାତନ୍ତ୍ର
ବ୍ୟବସ୍ଥା ସେଥିରେ ରହିବା; କମ୍ୟୁନିଷ୍ଟ ଦଳ କ୍ଷମତାରେ ଥାଇ ଅମାନବିକଭାବରେ
ଭିନ୍ନମତାଲମ୍ବୀ ତଥା ଅସନ୍ତୁଷ୍ଟ ଗୋଷ୍ଠୀଙ୍କୁ ହତ୍ୟା କରିବା; ସର୍ବହରା ପାର୍ଟି ଗଠନ ନାମରେ ନିଜେ ପୁଞ୍ଜିପତି ପାଲଟି
ଯିବାକୁ ‘ମାର୍କ୍ସବାଦ’ କୁହାଯିବ ନାହିଁ । ଯଦି ଲେନିନଙ୍କ ମୂର୍ତ୍ତି ଭଙ୍ଗାଗଲା ତେବେ ପ୍ରଥମ
ପ୍ରତିବାଦ ତ ତ୍ରିପୁରାରୁ ହିଁ ଆସିବାର ଥିଲା ! ଯଦି ନଆସିଲା ତେବେ ମାର୍କ୍ସବାଦର ପରିକଳ୍ପନାରେ
ନିଶ୍ଚିତ କେଉଁଠି ସମସ୍ୟା ରହିଛି । ଏକ ବିଂଶ ଶତାବ୍ଦୀରେ ଏକ ଗଣତାନ୍ତ୍ରିକ ଦେଶରେ ଯଦି
ଲୋକେ ନିଜର ମୁକ୍ତି ଲାଗି ନିଜର ଧର୍ମ ଓ ନିଜର ଭାଗ୍ୟକୁ ଆଦରନ୍ତି ତେବେ ଆମକୁ ଅନେକ ବିଷୟରେ
ଚିନ୍ତା କରିବାର ଅଛି ।
9437762272
No comments:
Post a Comment