Wednesday, June 27, 2018

ଜଣେ ଜନ-ଇତିହାସବୀତ୍ଂକ ମୃତ୍ୟୁରେ....


ଜଣେ ଜନ-ଇତିହାସବୀତ୍ଂକ ମୃତ୍ୟୁରେ....

ଓଡ଼ିଶାର ଇତିହାସ କହିଲେ ଆମ୍ଭେମାନେ ରାଜା ଓ ମହାରାଜାଂକ ବଂଶର ଇତିହାସ, ସେମାନଂକ କୀର୍ତ୍ତି ଓ ସେମାନଂକ ରାଜ୍ୟଜୟର ଇତିହାସକୁ ବୁଝିଥାଉ I କାରଣ ସ୍କୁଲର ପାଠ୍ୟ ପୁସ୍ତକରେ ଆମକୁ ସେହି ଭଳି ପଢାଯାଇଛି I ସେହି ସମାନ ସମୟରେ ସେହି ଭୁଖଂଡରେ ଯେ ସାଧାରଣ ଲୋକ ରହିଥିଲେ ଓ ସେମାନଂକର ମଧ୍ୟ ଯେ ଇତିହାସ ରହିଛି ସେ କଥା କ୍ୱଚିତ ଉଲ୍ଲେଖ ରହିଥାଏ I କାରଣ କ୍ୱଚିତ୍‌ ଇତିହାସବିତ୍‌ ଲୋକଂକ ଇତିହାସକୁ ନିଜର ଗବେଷଣାର ନିବଂଧ କରିଥାଂତି I ପ୍ରଫେସର ବିଶ୍ୱମୟ ପତି ଓଡ଼ିଶାର ଇତିହାସବିତ୍ ମାନଂକ ମଧ୍ୟରେ ଥିଲେ ଏକ ବ୍ୟତିକ୍ରମ I ସେ ଓଡ଼ିଶାର ସାଧାରଣ ଲୋକଂକ ଇତିହାସକୁ ଜିଜ୍ଞାସା ନେଇ ଗବେଷଣା କରୁଥିଲେ I ପ୍ରଫେସର ବିଶ୍ୱମୟ ପତିଂକ ଲେଖାରେ ଜଣେ ସାଧରଣ ମଣିଷ ତା ନିଜର ଇତିହାସକୁ ଦେଖିପାରୁଥିଲା I ଓଡ଼ିଶାରେ ଜାତିପ୍ରଥାର ଉତ୍ପତ୍ତି ଓ ଆଦିବାସୀର ଧର୍ମାଂତରୀକରଣ ପ୍ରସଂଗରେ ତାଂକର ମତ ଆମଭିତରେ ବହୁତଂକ ସଂଶୟକୁ ଦୂରକରିବାରେ ସାହାଯ୍ୟ କରିଛି I  ଓଡ଼ିଶାରେ କାହିଁକି ଗୀତାର ଚାରି ବର୍ଣ୍ଣ ଅଥବା ଜାତି ସମାନ ଭାବରେ ସୃଷ୍ଟି ହୋଇନାହାଂତି ? ଏଠାରେ ବୈଶ୍ୟ କିଏ ଓ ଉତ୍ତର ଭାରତର ରାଜପୁତଂକ ଭଳି ଏଠାରେ କ୍ଷତ୍ରିୟ କିଏ ? ଏସବୁ ପ୍ରସଂଗକୁ ନେଇ ତାଂକର ଗବେଷଣା ଥିଲା I ହେଲେ ଏବେ ତାଂକର ଦେହାଂତରେ ଆମ ସମାଜ ଜଣେ ଜନ-ଇତିହାସବିତ୍ଂକୁ ହରାଇଲା I
            ମୁଁ ଆନୁଷ୍ଠାନିକ ଭାବରେ ଇତିହାସର ଛାତ୍ର ନୁହେଁ କିମ୍ବା କୌଣସି ଶିକ୍ଷା ଅନୁଷ୍ଠାନର ଅଧ୍ୟାପକ ମଧ୍ୟ ନୁହେଁ I ମାତ୍ର ଆମ ଦୁଇ ଜଣଂକର ସମାନ ଜିଜ୍ଞାସା ଆମକୁ ନିକଟତର କରିଥିଲା I “ପୁରୀର ଜଗନ୍ନାଥ ଦେବତା ଯଦି ଶବର ଆଦିବାସୀ କୂଳରୁ ଆସିଥିବା କଥା ଲୋକକଥା କୁହେ ତେବେ ଓଡ଼ିଶାର ଉପକୂଳରେ କାହିଁକି ଆଦିବାସୀ ନାହାଁନ୍ତି ?”, ଏ ଜିଜ୍ଞାସା ଥିଲା ପ୍ରଫେସର ବିଶ୍ୱମୟ ପତିଂକର I ତାଂକର ଏହି ପ୍ରଶ୍ନ ସହିତ ମୋର ପ୍ରଶ୍ନ, “ଆଦିବାସୀ କଣ ସତେରେ ହିଂଦୁ ?”, ଆମର ଏହି ଜିଜ୍ଞାସା ଆମ ଉଭୟଂକୁ ଏକାଠି କରିଥିଲା I ଠିକ୍‌ ଗୁଜୁରାଟ ଦଂଗା (2002) ପରେ ପରେ ସଂଘ ପରିବାର ତରଫରୁ ଓଡ଼ିଶାକୁ ଏହାର ଦ୍ୱିତୀୟ ପରିକ୍ଷାଗାର କରିବାର ଘୋଷଣା କରାଯାଇଥାଏ I ଏହା ସାଂଗକୁ ଅଟଳ ବିହାରୀ ବାଜପେୟୀଂକ ପ୍ରଧାନମଂତ୍ରୀତ୍ୱ ସମୟରେ ଆଦିବାସୀର ପୁନଃ ଧର୍ମାଂତରୀକରଣ ସମ୍ପର୍କିତ ଜାତୀୟ ବିତର୍କ ଆମ ଉଭୟଂକୁ ସାମ୍ପ୍ରଦାୟୀକତା ବିରୋଧୀ ମଂଚରେ ଏକାଠି କରିଥିଲା I ମୋ ଭଳି  ଜଣେ ମାନବିକ ଅଧିକାର କର୍ମୀ ଓ ବିଶ୍ୱମୟ ପତିଂକ ଭଳି ଜଣେ ଇତିହାସବିତ୍ଂକ ପାଇଁ ସାଧାରଣ ମଂଚ ଥିଲା ପ୍ରଫେସର ମନୋରଂଜନ ମହାଂତିଂକ ଦ୍ୱାରା ପରିଚାଳିତ ଓଡ଼ିଶା ଗବେଷଣା ଚକ୍ରI       
ବିଶ୍ୱମୟ ପତିଂକର ଯୁକ୍ତି ହେଲା ଯେ ଓଡ଼ିଶାର ଉପକୂଳ ଅଂତତଃ ଚତୁର୍ଥ ଶତାବ୍ଦି ପର୍ଯ୍ୟଂତ ଆଦିବାସୀ ବହୁଳ ଥିଲା I ପରେ ସେମାନେ ଗଲେ କୁଆଡ଼େ ? ଇତିହାସ କୁହେ ଚତୁର୍ଥ ଶତାବ୍ଦିରେ ଉତ୍ତର ଭାରତର ଯଯାତି କେଶରୀ ଓଡ଼ିଶା ଅକ୍ତିଆର କରିବାଠାରୁ ଏକାଦଶ ଶତାବ୍ଦିରେ ଦକ୍ଷିଣର ଗଂଗ ବଂଶ ଓଡ଼ିଶାକୁ ଅକ୍ତିଆର କରିବା ପର୍ଯ୍ୟଂତ ସମସ୍ତେ କାଣ୍ୟକୁବ୍ଜ ଅଂଚଳରୁ ବ୍ରାହ୍ମଣମାନଂକୁ ଆଣି ଓଡ଼ିଶାର ଉପକୂଳ ଅଂଚଳରେ ଗ୍ରାମଦାନକରି ଅବସ୍ଥାପିତ କରାଇଛଂତି I ଓଡ଼ିଶାର ଇତିହାସବିତ୍‌ମାନେ ରାଜାଂକର ଏହା ଏକ ମହତ୍‌ କାର୍ଯ୍ୟଥିଲା ବୋଲି ବର୍ଣ୍ଣନା କରିଛଂତି I ମାତ୍ର ରାଜା ମହାରାଜାଂକ ଏହି ବ୍ରାହ୍ମଣ ପୋଷଣ ନୀତି ଓଡ଼ିଶାରେ ଜାତିସୃଷ୍ଟି କରିଥିବା କଥା ବିଶ୍ୱମୟ ପତି ଯୁକ୍ତି କରୁଥିଲେ I ପ୍ୟାରୀମୋହନ ଆଚାର୍ଯ୍ୟ ନିଜର ଓଡ଼ିଶା ଇତିହାସ ପୁସ୍ତକରେ ଅବଶ୍ୟ ଉଲ୍ଲେଖ କରିଛଂତି ଯେ ବର୍ତ୍ତମାନ ଯେଉଂ ବ୍ରାହ୍ମଣମାନେ ମଡ଼ିଆ, ପୁଝାରୀ, ପନିଆରୀ ବ୍ରାହ୍ମଣ ରୁପେ ଖ୍ୟାତ ସେମାନେ ଏହି  (ନବାଗତ) ବ୍ରାହ୍ମଣଂକ ଆଗମନ ପୁର୍ବରୁ ଓଡ଼ିଶାରେ ବାସ କରୁଥିଲେ I ମାତ୍ର ସେମାନେ ପ୍ରକ୍ରୁତରେ କିଏ ସେ ସମ୍ପର୍କରେ କିଂତୁ ପ୍ୟାରୀମୋହନ ଆଚାର୍ଯ୍ୟ ନୀରବ ରହିଛଂତି I
            ବିଶ୍ୱମୟ ପତିଂକ ଯୁକ୍ତି ଥିଲା ଯେ  ଏହି ବ୍ରାହ୍ମଣମାନଂକ ଆଗମନ ଫଳରେ ଉପକୂଳର ଜଂଗଲ ମଧ୍ୟରେ ଆଦିବାସୀ ଓ ଅଣ-ଆଦିବାସୀ ବ୍ରାହ୍ମଣମାନଂକ ମଧ୍ୟରେ ସଂଘର୍ଷ ଅବଶ୍ୟ ସୃଷ୍ଟି ହୋଇଛି I ମାତ୍ର କେତେକ ଆଦିବାସୀ ମୁଖ୍ୟ ବ୍ରାହ୍ମଣର ସସ୍ପର୍ଶରେ ଆସି ନିଜ ନିଜ ଅଂଚଳରେ ଚାଷ କରି ରହି ଯାଇଛଂତି ଯାହାଂକୁ ହଳୁଆ ବ୍ରାହ୍ମଣ ଭାବରେ ସାଧାରଣରେ କୁହାଯାଇଥାଏ I ଏପରିକି ରଜାଂକ ପାଇଁ ଖଂଡା ଧରିଥିବା ଆଜିର ଖାଂଡାୟତ ଗୋଷ୍ଠି ହେଉଛଂତି ପ୍ରକୃତରେ ଓଡ଼ିଶାର କ୍ଷତ୍ରିୟ ଅଟଂତି ଯେଉଁମାନେକି ଆଦିବାସୀ ଥିଲେ ଅଥଚ ପରେ ଚାଷକୁ ନିଜର ଜୀବିକା କରି ଉପକୂଳରେ ରହିଯାଇଛନ୍ତି ବୋଲି ସେ ଯୁକ୍ତି କରନ୍ତି I ଶ୍ରୀଯୁକ୍ତ ପତିଂକର ଯୁକ୍ତି ହେଲା,”ବ୍ରିଟିଶ ସମୟରେ ଜନଗଣନା ଆରମ୍ଭ ହେଲା ଅର୍ଥାତ 1891ରୁ 1941 ମଧ୍ୟରେ କ୍ରମଶଃ ଆଦିବାସୀଂକ ସଂଖ୍ୟାରେ ହ୍ରାସ ହୋଇଛି I ହେଲେ ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ଦର୍ଶାଯାଇନାହିଁ I ସେହିପରି 1901ରୁ 1931 ମଧ୍ୟରେ ଖଂଡାୟତ ଜନସଂଖ୍ୟା ଅନ୍ୟ ଜନସଂଖ୍ୟା ଠାରୁ ଯଥେଷ୍ଟ ବଢ଼ିଯାଇଛି I ସେମାନଂକ ସଂଖ୍ୟା ପ୍ରାୟତଃ 45.4% ଯାହାକି ଅନ୍ୟ ଜାତି ତୂଳନାରେ ସର୍ବାଧିକ I
ଏତଦ୍‌ବ୍ୟତିତ, ବହୁ  ଆଦିବାସୀ ଚାଷକୁ ନିଜର ଜୀବିକା ଭାବରେ ଆପଣେଇବାସ ସହିତ ସାମାଜିକ କାମରେ ସାମିଲ ହୋଇଛଂତି ଯେଉଁମାନଂକୁ ଶୂଦ୍ର କୁହାଯାଉଛି I ଗବେଷଣା ଚକ୍ର ଦ୍ୱାରା ପ୍ରକାଶିତ ସାମ୍ପ୍ରଦାୟିକତା ଓ ଜାତିବାଦ ପୁସ୍ତକରେ ସେ ଉଲ୍ଲେଖ କରିଛଂତି, “ଓଡ଼ିଶାରେ ବହୁତ ବିଳମ୍ଭରେ ପ୍ରାୟେ ଏକାଦଶ ଶତାବ୍ଦି ଆଡ଼କୁ ଜାତି ବ୍ୟବସ୍ଥା ଦେଖାଦେଇଛି ଓ ତାହା ଗଂଗା ଉପତ୍ୟକାର ଜାତି ବ୍ୟବସ୍ଥା ଠାରୁ କିଛିଟା ସ୍ୱତଂତ୍ର ଓ ଭିନ୍ନ ମଧ୍ୟ I କାରଣ ଏ ଅଂଚଳ ଆଦିବାସୀ ବହୁଳ ଓ ଏଠାର ଭୌଗଳିକ ବିଷମତା (ଉପକୂଳ ଅଂଚଳ ଓ ପାର୍ବତ୍ୟ ଅଂଚଳ) ରହିଛି I ଫଳରେ ବ୍ରାହ୍ମଣମାନଂକୁ ଦିଆଯାଇଥିବା ଜମି ଅଧିକାର ଓ ଚାଷର ଅଧିକ ପ୍ରଚଳନ କ୍ରମଶଃ ଆଦିବାସୀମାନଂକୁ ଶୂଦ୍ରରେ ପ୍ରଣିତ କରିଛି ଯାହାଦ୍ୱାରାକି ସେମାନେ ଚାଷୀ ହୋଇଯାଇଛଂତି I” ଏତଦ୍‌ବ୍ୟତିତ ବହୁ ଆଦିବାସୀ ଜନଗୋଷ୍ଠି ବ୍ରାହ୍ମଣର ଅତ୍ୟଚାର ଓ ରାଜାଂକ  ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇ କ୍ରମଶଃ ଉପକୂଳ ଛାଡ଼ି ପଶ୍ଚିମ ଆଡ଼କୁ ଚାଲିଯାଇଛଂତି I ସେମାନେ ଚାଷ ଅପେକ୍ଷା ଜଂଗଲର ଫଳମୂଳ ସଂଗ୍ରହକୁ ନିଜର ଜୀବିକା କରିଥିଲେ I ବିଶ୍ୱମୟ ପତିଂକ ଯୁକ୍ତି ହେଲା ଉପକୂଳ ଓଡ଼ିଶାରେ ଆଦୌ ଆଦିବାସୀ ନରହିବା ଅଥଚ ପଶ୍ଚିମ ଓଡ଼ିଶାରେ ବହୁଳ ସଂଖ୍ୟାରେ ଆଦିବାସୀ ରହିବା ଏହାର କାରଣ I
            ତାଂକର ଏହି ଗବେଷଣା ଆମକୁ ଏକ ସତ୍ୟର ଉନ୍ମୋଚନ କରିବାରେ ସାହାଯ୍ୟ କରିଛି I ଓଡ଼ିଶାରେ ମୁଖ୍ୟଧାରାର ଜ୍ଞାନ ଓ ସଂକ୍କୃତି  କହିଲେ ମୁଖ୍ୟତଃ ସଂସ୍କୃତ ଭାଷାରେ ଲିଖିତ ପୋଥି ଓ ତତ୍‌ସମ୍ପର୍କିତ ଧାରଣାକୁ ବୁଝାଇଥାଏ I ଭାରତୀୟ ମଧ୍ୟଯୁଗୀୟ ସଂସ୍କୃତ ସାହିତ୍ୟକୁ ଓଡ଼ିଶାର ଅବଦାନ କହିଲେ  ସାହିତ୍ୟରେ ବିଶ୍ୱନାଥ କବିରାଜ, ଚିକିସ୍ଛାଶାସ୍ତ୍ରରେ ମାଧବାକର, ବ୍ୟାକରଣରେ ମାର୍କଣ୍ଡେୟ, ନାଟକରେ ରାମାନଂଦ ରାୟ, କାବ୍ୟରେ ଜୟଦେବ ଓ ଗଣିତ ଶାସ୍ତ୍ରରେ ଶତାନଂଦକ ଗବେଷଣାତ୍ମକ କାର୍ଯ୍ୟ I ମାତ୍ର ସେହି ମଧ୍ୟଯୁଗରେ ସମାଂତରାଳ ଭାବରେ ଆଦିବାସୀ ଗୋଷ୍ଠିର ସୃଜନଶୀଳ ବର୍ଗ ସୃଷ୍ଟିର ରହସ୍ୟ ଓ ମଣିଷ ଜୀବନର ଆରମ୍ଭ ତତ୍ୱକୁ ନିଜ ଅନୁସାରେ ବ୍ୟାଖ୍ୟା କରିଛଂତି I ସେମାନେ ନିଜର ଚିକିସ୍ଛା ପଦ୍ଧତି, ଗୃହ ନିର୍ମାଣ ପଦ୍ଧତି, ଜିନିଷକୁ ସାଇତି ରଖିବାର ପଦ୍ଧତି, ବାଦ୍ୟଯଂତ୍ର  ଓ ନୃତ୍ୟର ପଦ୍ଧତି, ଜଂଗଲ ସୁରକ୍ଷାର ପଦ୍ଧତି ତଥା ପ୍ରକୃତି ପୂଜାର ପଦ୍ଧତି ଇତ୍ୟାଦି ଉଦଭାବନ କରିଛଂତି I ହେଲେ ସେମାନଂକର ଏହି ଜ୍ଞାନକୁ କେବେ ଜ୍ଞାନ ଭାବରେ ମୁଖ୍ୟଧାରାରେ ଗୁରୁତ୍ୱ ଦିଆଯାଇନାହିଁ I   
                       ଆଜିର ରାୟଗଡ଼ା ଜିଲ୍ଲା କାଶିପୁର ଅଂଚଳରେ ଚାଲିଥିବା ବକ୍ସାଇଟ ଖଣି ବିରୋଧୀ ଆଂଦୋଳନରେ ମୋର ସମ୍ପୃକ୍ତି ସମୟରେ ଆମ୍ଭେମାନେ ବିଶ୍ୱମୟ ପତିଂକ ଗବେଷଣା ଅନୁସାରେ ଦକ୍ଷିଣ ଓଡ଼ିଶାର ଆଦିବାସୀର ଇତିହାସକୁ ମୁଖ୍ୟଧାରାର ଇତିହାସ କୁହାଯାଉଥିବା ଧାରାରେ ଚିହ୍ନିତ କରିବାକୁ ଚେଷ୍ଟା କରିଥିଲୁ I ଆମେ କାଶିପୁର-ଲକ୍ଷ୍ମିପୁରର କୁଇ ଭାଷାରେ ଜୀବନର ଅତି ଅଂତରଂଗ ଶବ୍ଦ ତେଲୁଗୁ ଶବ୍ଦରୁ ଆସିଥିବା ଦେଖିଥିଲୁ I ତାଲ୍ଲି (ମା), ମାମା(ମାମୁଁ), ନେନୁ /ନାନୁ (ମୁଁ), ମୀରୁ (ତୁମେ), ଇଲ୍ଲୁ (ଘର), କାନ୍ନୁ (ଆଖି), ମୁକ୍‌କା (ନାକ), ଗୋରୁ (ନଖ), କାୟା (ଫଳ) ଇତ୍ୟାଦି ଶବ୍ଦ ଉଭୟ କୁଇ ଓ ତେଲୁଗୁ ଭାଷାରେ ସମାନ ରହିବା ଆମକୁ ସୁଚାଇଦେଲା ଯେ ହୁଏତ ଆଜକୁ ବେଶ୍ କିଛି ଶହ କିମ୍ବା ହଜାର ବର୍ଷତଳେ ଏହି ଜନଜାତି କୌଣସି ତେଲୁଗୁ ଭାଷି ଉପକୁଳ ଅଂଚଳରେ ଥିଲେ I ରଜାଂକ ବ୍ରାହ୍ମଣତୁଷ୍ଟି ନୀତିରେ ଏମାନେ ନିଜ ନିଜର ପଶ୍ଚିମ ଆଡ଼କୁ ବିତାଡ଼ିତ ହୋଇଛଂତି I  
                       ପୁରାତନ ଗ୍ରଂଥ ଭାବରେ ବେଦ ଓ ଉପନିଷଦକୁ ଯେଉଁଭଳି ପିଢ଼ି ପରେ ପିଢ଼ି ଏହାର ଶିଷ୍ୟମାନେ ମନେରଖି ଚାଲିଥିଲେ ସେହିପରି ଆଜିବି ଆଦିବାସୀ ସମାଜରେ ଏହାର ସୃଜନଶୀଳ ବର୍ଗ ନିଜ ଅଂଚଳର ଇତିହାସ ଓ ସଂସ୍କୃତିକୁ ଏବେବି ମନେରଖିଛଂତି ଓ ସେମାନେ ଜଣେ କାହାଣୀକାର ଭାବରେ ଏବେବି ଗାଁର ପିଲା ବୁଢାଁକ ଆଗରେ ଗୀତ ଆକାରରେ ସେହିକଥାକୁ କହିଥାନ୍ତି I ସେହିପରି ଜଣେ କାହାଣୀକାର ହେଲେ କାଶିପୁର ଅଂଚଳର କୁଚେଇପଦର ଗ୍ରାମର ଅଂଧବୁଢ଼ା ଶାଲୁ ମାଝୀ I ନିଜ ଗ୍ରାମବାସୀଂକ ଆଗରେ ଆଜିବି ସେ କାହାଣୀରେ କୁହେ ଯେ ଜଣେ ବ୍ରାହ୍ମଣ ଥରେ ଜଣେ ଆଦିବାସୀ ମହିଳାକୁ ହରଣ କରିନେଲା I ସେହି ମହିଳାର ଭାଇର ପୁଅ ଯେବେ ଜନ୍ମ ହେଲା ତେବେ ସେ ନିଜର ପୀୟୁସୀକୁ ଖୋଜିଲା I ସମସ୍ତ ଘଟଣା ଜାଣିଲା ପରେ ସେ ସାତ ସମୁଦ୍ର ପାରି ହୋଇ ପୀୟୁସୀକୁ କୌଣସି ଏକ ସ୍ଥାନରେ ଠାବ କଲା ଓ ସେହି ଦୁଷ୍ଟ ବ୍ରାହ୍ମଣକୁ ହତ୍ୟା କରି ନିଜ ପୀୟୁସୀକୁ ଉଦ୍ଧାର କରି ଗାଁକୁ ନେଇଆସିଲା I କାଶିପୁରଠାରୁ ପ୍ରାୟେ 500 କିମି ଦୂରରେ ସମୁଦ୍ର ଅବସ୍ଥିତ I ଏହି ଜନଜାତିର କାହାଣୀରେ ବ୍ରାହ୍ମଣସମୁଦ୍ର ଶବ୍ଦ ଆମକୁ ବିଶ୍ୱମୟ ପତିଂକ ଗବେଷଣାର ସତ୍ୟତା ପ୍ରମାଣିତ କରିଥିଲା I
                       ଭାରତର ଲୋକ ଇତିହାସ କୁହେ ଯେ ସେହି ଜନଗୋଷ୍ଠିର ଇତିହାସ ଓ ଜ୍ଞାନ ମୁଖ୍ୟଧାରାରେ ସ୍ଥାନ ପାଇଛି ଯେଉଂ ଜନଗୋଷ୍ଠିର ସଦସ୍ୟ ଅମଲାତଂତ୍ର ଅଥବା ରାଜାର ପାରିଷଦବର୍ଗରେ ସାମିଲ ରହିଛି ଓ ରାଜାର ପୃଷ୍ଠପୋଷକତା ପାଇଛି I ତେଣୁ ଆଜିର ଇତିହାସ କହିଲେ ଯାହା କୁହାଯାଉଛି ତାହା ଏକ ନିର୍ଦିଷ୍ଟ ଗୋଷ୍ଠିର କେବଳ ଇତିହାସ ଯାହା ଜାତିପ୍ରଥାକୁ ସମର୍ଥନ କରିଛି ଓ ରାଜାର ପ୍ରଶଂସାରେ ଶତମୁଖ ହୋଇରହିଛି I ସେହି ଇତିହାସ ଜୋର୍‌ ଯାର ମୂଲକ ତା ଗୋଷ୍ଠିର ଇତିହାସ I ମାତ୍ର ସମଗ୍ର ଆଦିବାସୀ ଗୋଷ୍ଠିର ସୃଜନଶୀଳ ବର୍ଗ କୌଣସି ରାଜାର ପାରିଷଦବର୍ଗର ସଦସ୍ୟ ଭାବରେ ରହିନାହାଁନ୍ତି I ପୃଷ୍ଠପୋଷ ଭଳି ରାଜାର ବଶିଭୁତ କରିବା କୌଶଳରୁ ନିଜକୁ ଦୁରେଇ ରଖିବା ହେତୁ ଆଦିବାସୀମାନେ କେବେ ମୁଖ୍ୟଧାରାର ଜ୍ଞାନ ଓ ଧାରଣା ଭାବରେ ଖ୍ୟାତ ହୋଇପାରିନାହାଂତି I ମାତ୍ର ଏହା ନୁହେଂ ଯେ ସେମାନେ ଅସ୍ୱିତ୍ୱହୀନ I ସେମାନଂକ ନିଜସ୍ୱ ସଂକୃତି, ଜ୍ଞାନ ଓ ବିଶ୍ୱାସକୁ ସର୍ବଦା ଇତିହାସରେ ଅଣଦେଖା କରାଯାଇଛି I ଏପରିକି ସେହି କ୍ରମରେ ସ୍ୱାଧିନତ୍ତୋର ଭାରତରେ ଆଦିବାସୀ ଜନଗୋଷ୍ଠିକୁ ସର୍ବଦା ନିରକ୍ଷର, ପଛୁଆ, ବୋକା, ଅଂଧବିଶ୍ୱାସୀ ଇତ୍ୟାଦି ଭାବରେ ଆଖ୍ୟାୟିତ କରାଯାଉଛି I ସେହି କେଶରୀ ବଂଶଠାରୁ ଆଜି ପର୍ଯ୍ୟଂତ ଠିକ୍ ବ୍ରିଟିଶ ଉପନିବେଷଦବାଦର ଯୁକ୍ତି ଭଳି ଜବରଦସ୍ତି ସେମାନଂକ ଜମି, ଜଂଗଲ ଓ ସଂସ୍କୃତିକୁ ଅପହରଣ କରାଯାଉଛି ଆଧୁନିକ’,  ସଭ୍ୟତାବିକାଶର ନାମରେ I ଏବେ ଏଥିପାଇଁ ରାଜନେତା, ପ୍ରଶାସକ ଓ ବିଚାରାଳୟ ସମସ୍ତେ ଆଦିବାସୀକୁ ଉଦ୍‌ବାସ୍ତୁ କରିବା ଏକ ମାହନ୍‌ କାମ ବୋଲି ଧରିନେଇଛଂତି I
                       ଆଦିବାସୀଂକ ଧର୍ମାଂତରୀକରଣ ପ୍ରସଂଗ ଆଦିବାସୀଂକ ସଂସ୍କୃତିର ଅପହରଣ I ଓଡ଼ିଶାରେ 1999 ମସିହାରେ ଗ୍ରାହାମ ଷ୍ଟେନ୍ସ ଓ ତାଂକ ଦୁଇ ପୁତ୍ରଂକୁ ହତ୍ୟା ପରଠାରୁ 2008 ମସିହାରେ କଂଧମାଳ ଦଂଗା ଅଥବା ତା ପରବର୍ତ୍ତି ସମୟ ପର୍ଯ୍ୟଂତ ଏ ଭଳି ଯୁକ୍ତି କରୁଥିବା ଶୁଣାଯାଉଥିଲା ଯେ ଯେମିତିକି ଓଡ଼ିଶାର ପାଦ୍ରୀମାନେ କୋଣ ଅନୁକୋଣରେ ତୁମକୁ ଧର୍ମାଂତରଣ କରିବାକୁ ଚାହିଁରହିଛଂତି I ଅଥଚ ଏହା ପୁର୍ବରୁ ହଜାରେ ବର୍ଷ ତଳେ ଉପକୂଳରେ ରହିଯାଇଥିବା ଆଦିବାସୀ ଜନଗୋଷ୍ଠିକୁ ଜାତିପ୍ରଥା ମାଧ୍ୟମରେ ହିଂଦୁଧର୍ମରେ ସାମିଲ କରାଯାଇଛି I ପ୍ରଥମେ ଆଦିବାସୀଂକ ସ୍ୱତଂତ୍ର ପରମ୍ପରାକୁ ଅଣଦେଖା କରି ଆଦିବାସୀ ଜନଗୋଷ୍ଠିକୁ ଜାତିପ୍ରଥା ମଧ୍ୟରେ ସାମିଲ କରି କହିବା ଯେ ଆଦିବାସୀ ହିଂଦୁ ଏକଥା ଅଯୌକ୍ତିକ I ପରମ୍ପରା ରହିଛି ଯେ ଜଣେ ହିଂଦୁ ହେବାକୁ ହେଲେ ହିଂଦୁ ପରିବାରରେ ଜନ୍ମ ହେବା ଆବଶ୍ୟକ I କୌଣସି ବ୍ୟକ୍ତି ଅନ୍ୟ ଧର୍ମରେ ପୁର୍ଣ୍ଣ ସାମିଲ ହେବାକୁ  ହେଲେ ବେଶ କିଛି ପିଢ଼ି ନେଇଥାଏ I ବିଶ୍ୱମୟ ପତିଂକ ଯୁକ୍ତି ଥିଲା, “ଗୋଟେପଟରେ ଆଦିବାସୀ ଲୋକଂକ ଇତିହାସ ଓ ଯେଉଁ ସାମାଜିକ ପ୍ରକ୍ରିୟା ମଧ୍ୟରେ ସେମାନଂକୁ ବ୍ରାହ୍ମଣୀୟ ହିଂଦୁବାଦୀ ଧାରା ମଧ୍ୟରେ ସାମିଲ କରିଦିଆଯାଇଛି ଓ ଅନ୍ୟପଟରେ ଏକ ପାରମ୍ପରିକ ଅବଧାରାଣା ତିଆରି କରାଯାଇଛି ଯେ ହିଂଦୁ ଧର୍ମରେ ଧର୍ମାଂତରଣ ଅସମ୍ଭବ ଏଥି ମଧ୍ୟରେ ଥିବା ଅଂତର୍ଦ୍ୱଂଦକୁ ଜଣେ ସାମ୍ନାକୁ ଆଣିବା ଦରକାର I ପ୍ରକୃତରେ ଆଦିବାସୀମାନଂକ ଇତିହାସକୁ ଅନୁଧ୍ୟାନ କଲେ ଏକଥା କୁହାଯାଇପାରିବ ଯେ ହିଂଦୁଧର୍ମ ହିଁ ସେମାନଂକୁ ଧର୍ମାଂତରଣ କରିଛି I”
                       ଆମ୍ଭେମାନେ ଜାଣୁ ଯେ ଓଡ଼ିଶାର ବିଭିନ୍ନ ଗଡ଼ଜାତ ଓ ପାର୍ବତ୍ୟ ଅଂଚଳରେ ରାଜାମାନଂକ ପୃଷ୍ଠପୋଷକତାରେ ଜଗନ୍ନାଥ ମଂଦିର ଓ ଶିବ ମଂଦିର ସ୍ଥାପନ କରାଯାଇଛି I ସେହିସବୁ ମଂଦିର ତିଆରି ସମୟରେ ଆଦିବାସୀମାନେ ବେଠି ଖଟିଥିବା ସମୟରେ ସେହି ପ୍ରକ୍ରିୟା ମଧ୍ୟରେ ହିଂଦୁଧର୍ମରେ ସାମିଲ ହୋଇଛଂତି I ଏହି ପ୍ରକ୍ରିୟାରେ ମଧ୍ୟ ଫୁଲବାଣୀ ସହରରେ ଶିବ  ମଂଦିର ଆଦିବାସୀଂକୁ ବେଠି ଲଗାଇ ପ୍ରତିଷ୍ଠା କରାଯାଇଥିଲା I ନବେ ଦଶକରେ ଦଳିତଂକ ମଂଦିର ପ୍ରବେଶକୁ ସେଠାର ଆଦିବାସୀଲୋକେ ବିରୋଧ କଲେ ଓ ସେହିଥିରୁ ଜାତିଗତ ହିଂସା ବ୍ୟାପିବା ଦ୍ୱାରା ଧନ ଜୀବନ ନଷ୍ଟ ହେଲା I  ଏହା ବିଶ୍ୱମୟ ପତିଂକ ଯୁକ୍ତିକୁ ସଠିକ୍‌ ପ୍ରମାଣିତ କରୁଛି I.
                       ଗ୍ରାହାମ ଷ୍ଟେନ୍ସ ଓ ତାଂକ ଦୁଇ ପୁତ୍ରଂକୁ ହିଂଦୁ ମୌଳବାଦୀଂକ ଦ୍ୱାରା ହତ୍ୟା ସମୟରେ ଓଡ଼ିଆ ବୁଦ୍ଧିଜୀବି ନୀରବ ରହିବାକୁ ବିଶ୍ୱମୟ ପତିଂକୁ ଅଂତତଃ ଅସ୍ୱସ୍ତି ଅନୁଭବ ହୋଇଥିଲା I ସେ ନିଜର ଈ.ପି.ଡବ୍ଲୁ ଲେଖାରେ ଲେଖିଛନ୍ତି ଯେ ଯଦି ଉନ୍ନବିଂଶ ଶତାବ୍ଦିରେ ଗ୍ରାହାମ ଷ୍ଟେନ୍ସ୍ଂକୁ ହତ୍ୟା ଭଳି  ଘଟଣା ହୋଇଥାଂତା ତେବେ ସେ ସମୟର ବୁଦ୍ଧିଜୀବି କଦାପି ଏବ ଭଳି ନୀରବ ରହିନଥାନ୍ତେ I ତାଂକ ମତ ଅନୁସାରେ ଉନ୍ନବିଂଶ ଶତାବ୍ଦିର ବୁଦ୍ଧିଜୀବି ବିଂଶ ଶତାବ୍ଦିର ବୁଦ୍ଧିଜୀବିଂକ ଠାରୁ ଅଧିକ ମୁକ୍ତ ଚିଂତାଧାରାର ଓ ଅଧିକ ସମ୍ବେଦନଶୀଳ ଯଦିଓ ଉଭୟ ଅମଲାତଂତ୍ରୀ I ସେ ସମୟର ବୁଦ୍ଧିଜୀବି (ମଧୁସୁଦନ ଦାସ, ଫକିର ମୋହନ ସେନାପତି ଇତ୍ୟାଦି) ବିଭିନ୍ନ ଭାଷା (ଓଡ଼ିଆ, ବେଂଗଲୀ, ହିଂଦି, ପାର୍ସି , ସଂସ୍କୃତ, ତେଲୁଗୁ, ଇଂରାଜୀ) ଜାଣିଥିଲେ ଓ ବିଭିନ୍ନ ଧର୍ମ (ହିଂଦୁ, ଇସ୍‌ଲାମ, ଖ୍ରୀଷ୍ଟିଆନ ଓ ବ୍ରହ୍ମୋ) ସମ୍ପର୍କରେ ଅବଧାରଣା ଥିଲା ବୋଲି ସେ ଲେଖିଛଂତି I ଏପରିକି ପ୍ରଥମ ଓଡ଼ିଆ ଖବରକାଗଜ ଉକ୍ତଳ ଦୀପିକା 1868 ମସିହାରେ ନ୍ଅଂକ  ଦୁର୍ଭିକ୍ଷର ଠିକ ଦୁଇ ବର୍ଷ ପରେ ପ୍ରକାଶ ପାଇଥିଲା I ବ୍ରିଟିଶ ଶାସକ ଉପରେ ଚାପ ପକାଇବା ଏହାର ଅନ୍ୟ ଏକ ଉଦ୍ଦେଶ୍ୟ ଥିଲା I ମାତ୍ର ଏବର ବୁଦ୍ଧିଜୀବିମାନେ ଚାଷୀ ଅତ୍ମହତ୍ୟା ଓ ଶିଶୁମୃତ୍ୟୁ ଭଳି ଅତ୍ୟଂତ ସମ୍ବେଦନଶୀଳ ପ୍ରସଂଗରେ ମଧ୍ୟ ସମ୍ପୁର୍ଣ୍ଣ ନୀରବ I ତେବେ ବିଶ୍ୱମୟ ପତି ଆଶାବ୍ୟକ୍ତ କରୁଥିଲେ ଯେ ଗୋପବଂଧୁ ଦାଶ ଯିଏ ଥିଲେ ଏ ସମସ୍ତଂକ ମଧ୍ୟରେ ବ୍ୟତିକ୍ରମ ଓ ଯାହାଂକ ଉପରେ ଅକ୍ଟୋବର ବିପ୍ଲବ ଓ ଭାରତରେ ଅସହୋଯୋଗ ଆଂଦୋଳନର ପ୍ରଭାବ ଥିଲା, ଆଜିର ପରିସ୍ଥିତିରେ ତାଂକ ଭଳି ବୁଦ୍ଧିଜୀବିଂକର ଆବଶ୍ୟକତା ରହିଛି I ସେ ଏ ଦିଗରେ ଥିଲେ ଆଶାବାଦୀ I
                       ଡକ୍ଟର ବିଶ୍ୱମୟ ପତି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଥିଲେ I ତାଂକର 20 ଟି ପୁସ୍କକ ପ୍ରକାଶିତ ହୋଇଛି I ଏଠାରେ ମୁଁ ତାଂକର ପୁସ୍ତକ Identity Hegemony and Resistance Towards a social history of conversion in Orissa  1800 – 2000 ପୁସ୍ତକ, ଏହି ଲେଖକ ଦ୍ୱାରା ଯୁଗ୍ମ-ସମ୍ପାଦିତ ସାମ୍ପ୍ରଦାୟୀକତା ଓ ଜାତିବାଦ ପୁସ୍ତକ ଓ Economic and Political Weeklyରେ ପ୍ରକଶିତ ଲେଖା “Odia Intellectuals Then and Now” ର ସାହାଯ୍ୟ ନେଇଛି I ସେ କଟକ ସହରର ବାସିଂଦା ଥିଲେ I ସେ ଗଲା 20 ଜୁନ୍‌ 2017 ତାରିଖରେ ଦିଲ୍ଲୀ ଠାରେ ଦେହାଂତ ହୋଇଯାଇଛି I

ମୋବାଇଲ : ୯୪୩୭୭୬୨୨୭୨
ଇମେଲ : debasar11@yahoo.co.in

No comments:

Post a Comment