ଓଡ଼ିଆ ସାହିତ୍ୟର ପ୍ରସିଦ୍ଧ ସାହିତ୍ୟିକ ଭଗବତୀ ଚରଣ ପାଣିଗ୍ରାହୀ
ତାଂକର ତିରିଶ ଦଶକର ଅତି ପ୍ରସିଦ୍ଧ ଗଳ୍ପ “ଶିକାର”ରେ ଘେନୁଆକୁ ବିଶ୍ୱାସ ଦିଆଉଛନ୍ତି ଯେ ସେ ଅତ୍ୟାଚାରୀ ଗୋବିନ୍ଦ
ସର୍ଦ୍ଦାରକୁ ହତ୍ୟା କରି କିଛି ଭୁଲ କରିନାହିଁ I କାରଣ ଗୋବିନ୍ଦ ସର୍ଦ୍ଦାର ଆଦିବାସୀମାନଂକୁ ଅକଥନୀୟ ଅତ୍ୟାଚାର
କରୁଥିଲା I ଘେନୁଆକୁ ବ୍ରିଟିଶ ସରକାରଂକ
ଫାଶିଖୁଣ୍ଟରେ ଝୁଲାଇଲା ବେଳେ ଭଗବତୀ ପାଣିଗ୍ରାହୀ ଏକଥା କହିବାକୁ ଚାହୁଁଥିଲେ ଯେ ବ୍ରିଟିଶ
ଶାସକ ବର୍ଗ ନିଜର ଶାସନକୁ ମଜଭୁତ କରିବାପାଇଁ ସେମାନେ ଜମିଦାରଂକୁ ସମର୍ଥନ କରୁଥିଲେ ଓ ସାଧାରଣ
ଲୋକଂକୁ ଆଇନର ବାହାନାରେ ଫାଶିଖୁଣ୍ଟରେ ଝୁଲାଇଦେଉଥିଲେ I ଏହା କଦାପି ସଂଯୋଗ ନୁହେଁ ଯେ ଦିଲ୍ଲୀରେ
ଅବସ୍ଥିତ ‘ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ’, ନିଜର ସଦ୍ୟ ପ୍ରକାଶିତ ‘ଡେଥ ପେନଲ୍ଟି ରିସର୍ଚ
ପ୍ରୋଜେକ୍ଟ - 2016’ ରିପୋର୍ଟ ଅନୁସାରେ ସମୁଦାୟ
ଫାଶି ଦଣ୍ଡ ପାଇଥିବା ଲୋକଂକ ମଧ୍ୟରେ 75% ହେଉଛନ୍ତି ଆର୍ଥିକ ଅନଗ୍ରସର ବର୍ଗର I ସେହିପରି 80% ‘ଦୋଷୀ’ ସ୍କୁଲ ଶିକ୍ଷା ସମାପ୍ତି
କରିନାହାଁନ୍ତି ଓ 18 ବର୍ଷ ଆଗରୁ ଦିନ ମଜୁରିଆ ଭାବରେ କାମ କରିବା ଆରମ୍ଭ କରିଛନ୍ତି I ପୁଣି ସେହି ‘ଦୋଷୀ’ ସମୁଦାୟଂକ ମଧ୍ୟରୁ 48%
ହେଉଛନ୍ତି ଆଦିବାସୀ, ଦଳିତ ଓ ଧାର୍ମିକ ସଂଖ୍ୟାନ୍ୟୁନ ଗୋଷ୍ଠିର I ଯଦି ଭଗବତୀ ଚରଣ
ପାଣିଗ୍ରାହୀଂକ ‘ଶିକାର’ ଗଳ୍ପର ଉଦ୍ଦେଶ୍ୟକୁ ସ୍ୱାଧିନୋତ୍ତର ଭାରତରେ ଦେଖିବା ତେବେ ଏହା ଆମକୁ କେଉଁ ଚିତ୍ର ଦେଉଛି ?
କୌଣସି
ସମାଜରେ, ତାହା ଗଣତାନ୍ତ୍ରିକ ରାଷ୍ଟ୍ର
ବ୍ୟବସ୍ଥା ହୋଇଥାଉ ଅଥବା ସାମାଜବାଦୀ ରାଷ୍ଟ୍ର, କାହାରି ଜୀବନ ନେବାର ଅଧିକାର
କାହାରିକୁ ରହିବା ଉଚିତ୍ତ ନୁହେଁ I ଏହାକୁ ଆଖିରେ ରଖି ସମ୍ବିଧାନର ଧାରା 21ରେ ଏକଥା ପ୍ରାବଧାନ ରହିଲା
ଯେ କୌଣସି ବ୍ୟକ୍ତିକୁ ତା’ର ବଂଚିବାର ଅଧିକାର ଠାରୁ ତା’କୁ କେହି ବଂଚିତ କରିପାରିବେ
ନାହିଁ I ଏଥିରେ କିନ୍ତୁ ବଂଚିବାର ସମ୍ପୁର୍ଣ
ଅଧିକାର ବ୍ୟକ୍ତିକୁ ନଦେଇ ଉଲ୍ଲେଖ ରହିଲା ଯେ ଆଇନ ଅନୁମୋଦିତ କେତେକ କାର୍ଯ୍ୟଧାରା ଅନୁସାରେ
ରାଷ୍ଟ୍ରର କାହାରି ଜୀବନ ନେବାର ଅଧିକାର ରହିଛି I (No person shall be
deprived of his life or personal liberty except according to procedure
established by law – Article 21) I ବହୁ ସମୟରେ ସୁପ୍ରିମକୋର୍ଟରେ ଏହି ଧାରା 21କୁ ନେଇ ବାରମ୍ବାର ତର୍ଜମା
କରାଯାଇଛି ଓ କେବଳ ଭି.ଆର୍. କ୍ରିଷ୍ଣାଆୟାରଂକ ବେଂଚ ବ୍ୟତିତ ପ୍ରତିଥର ‘ମୃତ୍ୟୁଦଣ୍ଡ’ ସମ୍ବିଧାନର ଧାରା 21ର
ବିରୁଦ୍ଧାଚରଣ ଯେ କରୁନାହିଁ ଏକଥାକୁ ଦର୍ଶାଯାଇଛି I ଏବେ ମାନବିକ ଅଧିକାର ଆନ୍ଦୋଳନ
ଭିତରେ ସମ୍ବିଧାନର ଏହି ଧାରା 21ରେ ଉଲ୍ଲେଖଥିବା ‘ଆଇନ ଅନୁମୋଦିତ କାର୍ଯ୍ୟଧାରା ଅନୁସାରେ ରାଷ୍ଟ୍ରର କାହାରି ଜୀବନ
ନେବାର ଅଧିକାର ରହିଛି’ ପ୍ରସଂଗକୁ ବାଦ୍ଦେବା ନିମନ୍ତେ ଦାବୀ ଉଠୁଛି . ସମ୍ବିଧାନର ସଂଶୋଧନ
ଆବଶ୍ୟକ କହିବା ବେଳେ ରାଷ୍ଟ୍ର ନିକଟରେ (ସ୍ଥଳ ବିଶେଷରେ ବିଚାରାଳୟ ଦ୍ବାରା) କାହାରି ଜୀବନ
ନେବାର କ୍ଷମତା ରହିବା ହେତୁ ପ୍ରକୃତରେ କେଉଁ ଶ୍ରେଣୀ ଓ ଜାତିର ଲୋକେ ଅଧିକ ଟାର୍ଗେଟରେ
ଆସୁଛନ୍ତି ଏହାକୁ ଅନୁଧ୍ୟାନ କରିବା ଏହି ଲେଖାର
ଉଦ୍ଦେଶ୍ୟ I
2006 ମସିହାରେ ମହାରାଷ୍ଟ୍ରର ଖରଲାଂଜି ଗ୍ରାମରେ ଦଳିତ ବନାମ ଅଣ୍-ଦଳିତଂକ
ମଧ୍ୟରେ ଥିବା ଜମି ବିବାଦ ହେତୁ ଜାତିଗତ ହିଂସା ଦେଖାଯାଇଥିଲା ଯେଉଁଥିରେ ଦଳିତ ମହିଳା ସୁରେଖା
ଓ ତାଂକ ଝିଅ ପ୍ରିୟଂକାଂକୁ ଉଚ ଜାତିର ଲୋକେ ଗଣଧର୍ଷଣ କରିଥିଲେ I ସେମାନେ ସେହିଦିନ ସର୍ବସମ୍ମଖରେ
ସୁରେଖାଂକ ଦୁଇ ପୁଅଂକ ସମେତ ଗୋଟେ ପରିବାରର ଚାରିଜଣଂକୁ (ଉଭୟ ସୁରେଖା ଓ ପ୍ରିୟଂକା ମଧ୍ୟ) ହତ୍ୟା
କରିଥିଲେ I ଯଦିଓ ଫାଷ୍ଟଟ୍ରାକ କୋର୍ଟରେ ଛଅ
ଜଣଂକୁ ମୃତ୍ୟୁଦଣ୍ଡ ଓ ଦୁଇ ଜଣଂକୁ ଆଜୀବନ କାରାଦଣ୍ଡ ହୋଇଥିଲା ମାତ୍ର ଜିଲ୍ଲା କୋର୍ଟରେ ମୃତ୍ୟୁଦଣ୍ଡ
ଓ ଆଜୀବନ କାରାଦଣ୍ଡକୁ ବାଦ୍ଦେଇ ସମସ୍ତଂକୁ 25 ବର୍ଷ ଜେଲ ଶୁଣାଇଦିଆଗଲା I ହେଲେ ସେହି ପ୍ରକାରର ବିଭସ୍ଛ
ଘଟଣା ଘଟାଇଥିବା ହେତୁ ଦିଲ୍ଲୀର ‘ନିର୍ଭୟା’ ଘଟଣାରେ (2012 ମସିହା) ସମସ୍ତ ଅଭିଯୁକ୍ତଂକୁ (ନାବାଳକ ବ୍ୟତିତ) ଜିଲ୍ଲା
କୋର୍ଟ ଦ୍ୱାରା ଦିଆଯାଇଥିବା ମୃତ୍ୟୁଦଣ୍ଡକୁ ସୁପ୍ରିମକୋର୍ଟ
ଦ୍ୱାରା କାଏମ ରଖାଗଲା I ‘ନିର୍ଭୟା’ ଘଟଣାର ଚାରି ଅଭିଯୁକ୍ତଂକ
ମଧ୍ୟରୁ ଦୁଇ ଜଣ ଦଳିତ ଓ ସମସ୍ତ ପାଂଚଜଣ ବସ୍ତିବାସିନ୍ଦା ଅଟନ୍ତି I ‘ଖରଲାଂଜି’ ଓ ‘ନିର୍ଭୟା’ ଘଟଣା ସମାନ ଭାବରେ ବିଭସ୍ଛ
ହୋଇଥିଲେ ମଧ୍ୟ ଦଣ୍ଡରେ ତାରତମ୍ୟ କାହିଁକି?
ପଶ୍ଚିମ ବଂଗର ଧନଂଜୟ ଚାଟାର୍ଜୀଂକୁ 1990 ମସିହାରେ ସଂଗଠିତ ହେତାଲ
ପାରେଖ (18ବର୍ଷ) ଧର୍ଷଣ ଓ ହତ୍ୟା ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ 2004 ମସିହାରେ ଫାଶି
ଦିଆଯାଇଛି I କଲିକତାର ଏକ ବିରାଟ
ଆପାର୍ଟମେଣ୍ଟରେ ହେତାଲ୍ ପାରେଖଂକ ବାପା ଯିଏ କି ଜଣେ ବ୍ୟବସାୟୀ ସେଠାର ନିବାସୀ ଥିଲେ I ସେଥିରେ ଧନଂଜୟ ଏକ ସିକ୍ୟୁରିଟି
ଗାର୍ଡ ଭାବରେ ନିଯୁକ୍ତ ଥିଲେ ଯିଏ କି ଅତି ଗରୀବ
ପରିବାରର I କୋର୍ଟରେ ଉପସ୍ଥାପିତ ଡାକ୍ତରଂକ
ଶବ ବ୍ୟବଛେଦ ରିପୋର୍ଟରେ (ହେତାଲ ପାରେଖର) ଦୁଷ୍କର୍ମ ସମ୍ବନ୍ଧରେ ନିଶ୍ଚିତ କରାଯାଇନଥିଲା I କେବଳ କଲିକତା ପୁଲିସ ନିଜର
ଚାର୍ଜସିଟରେ ଦୁଷ୍କର୍ମ, ହତ୍ୟା ଓ ଗୋଟେ ଘଣ୍ଟା ଚୋରି ସମ୍ପର୍କରେ ଉଲ୍ଲେଖ କରିଥିଲା ଯାହା
ଧନଂଜୟଂକ ବିପକ୍ଷରେ ଏକମାତ୍ର ପ୍ରମାଣ ଥିଲା I ପଶ୍ଚିମ ବଂଗ ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ
ଧନଂଜୟଂକୁ ଫାଶୀ ଦେବା ସପକ୍ଷରେ ବୟାନ ଦେବାସହିତ ତାଂକ ପତ୍ନୀ ଧାରଣା ମଧ୍ୟ ଦେଇଥିଲେ I ଏହା ହୁଏତ ପୁଲିସ୍ ରିପୋର୍ଟକୁ
ପ୍ରଭାବିତ କରିଥାଇପାରେ I ଅନ୍ୟପକ୍ଷରେ, 1992 ମସିହାରେ ରାଜସ୍ଥାନର ରାଜ୍ୟ ସରକାରଂକ ଦ୍ୱାରା ‘ସାଥିନ୍’ ଭାବରେ ନିଯୁକ୍ତ (ଏବର ଅଂଗନବାଡ଼ି) ଗରିବ ମହିଳା ଭଓଁରି ଦେବୀ ନିଜ ଗ୍ରାମରେ ବାଲ୍ୟବିବାହକୁ
ବିରୋଧ କରିବା ହେତୁ ଉଚ ଜାତିର ଏକ ଧନୀ ପରିବାରର ପାଂଚ ଜଣଂକ ଦ୍ୱାରା (ଯାହାଂକ ଘରେ ଏପରି ବିବାହ ଅନୁଷ୍ଠିତ ହେଉଥିଲା) ଗଣଧର୍ଷଣର ଶିକାର ହୋଇଥିଲେ I ହେଲେ ତଳୁ ଉପର ପର୍ଯ୍ୟନ୍ତ ସମସ୍ତ କୋର୍ଟ ସେହି ପାଂଚଜଣଂକୁ
ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ I ଏହି ଅସଂଗତି କିଭଳି ?
କେବଳ ସେତିକି ଉଦାହରଣ ରହିନାହିଁ I 1992 ମସିହାରେ ବିହାରର
ବାରାଗ୍ରାମରେ ‘ମାଓବାଦୀ କମ୍ୟୁନିଷ୍ଟ ସେଣ୍ଟର’ର କ୍ୟାଡରମାନେ ଦଳିତମାନଂକ
ଉପରେ ହୋଇଥିବା ପୁର୍ବ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ 34 ଜଣ ଉଚ ଜାତି
ଭୁମିହାରଂକୁ ନୃଶଂସ ଭାବରେ ହତ୍ୟା କରିଥିଲେ (ବାରା ହତ୍ୟାକାଣ୍ଡ ଭାବରେ ଅଖ୍ୟାତ) I ଏଥିରେ 13 ଜଣ ଦଳିତ
ଗ୍ରାମବାସିଂକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା I ପରେ ସମସ୍ତଂକୁ ଦୋଷୀ ସବ୍ୟସ୍ତ
କରାଯାଇ ୪ ଜଣଂକୁ ମୃତ୍ୟୁଦଣ୍ଡ ଓ ଅନ୍ୟମାନଂକୁ ଆଜୀବନ କାରାଦଣ୍ଡ ଶୁଣାଯାଇଥିଲା ଯାହାକୁ ପାଟନା
ହାଇକୋର୍ଟ ଓ ସୁପ୍ରିମକୋର୍ଟ ମଧ୍ୟ କାଏମ ରଖିଥିଲେ I ମାତ୍ର ଏହି ହତ୍ୟାରେ ଉତ୍ତଖିପ୍ତ
ଉଚ ଜାତିର ଭୁମିହାର ପରିବାର 1997 ମସିହାରେ 58 ଜଣ ଦଳିତଂକୁ (ଲକ୍ଷ୍ମଣପୁର ବାଥେ ହତ୍ୟାକାଣ୍ଡ
ଭାବରେ ଅଖ୍ୟାତ) ହତ୍ୟା କରିଥିଲେ ଯେଉଁମାନଂକ ମଧ୍ୟରେ ୨୭ ଜଣ ମହିଳା ଓ ୧୬ ଜଣ ଶିଶୁ ଥିଲେ I ଏହି ଅପରାଧରେ ଦୋଷୀ ସାବ୍ୟସ୍ତ
26 ଜଣ ଉଚଜାତିର ଭୁମିହାରଂକୁ ଯଦିଓ ଜିଲ୍ଲା କୋର୍ଟ 2008 ମସିହାରେ ଦୋଷୀ ସାବ୍ୟସ୍ତ କରିଥିଲେ ଓ
16 ଜଣଂକୁ ମୃତ୍ୟୁଦଣ୍ଡ ଓ 10 ଜଣଂକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲା ତେବେ 2013 ମସିହାରେ ପାଟନା
ହାଇକୋର୍ଟ ସମସ୍ତ 26 ଜଣଂକୁ “ଉପଯୁକ୍ତ ପ୍ରମାଣ ଅଭାବ” ଦର୍ଶାଇ ନିର୍ଦ୍ଦୋଶ ସାବ୍ୟସ୍ତ କରିଥିଲେ I ଏବେ ଏହା ସୁପ୍ରିମକୋର୍ଟରେ
ବିଚାରାଧିନ ରହିଛି I 1991 ମସିହାରେ ଆନ୍ଧ୍ର ପ୍ରଦେଶର ଗୁଂଟୁର ଜିଲ୍ଲାର ସୁନ୍ଦୁର ଗ୍ରାମରେ
ଦଳିତ-ଅଣ ଦାଳିତ ବିବାଦ ହେତୁ ପ୍ରାୟେ ୩୦୦ ଉଚ ଜାତିର ଲୋକ ଆସି ୧୧ ଜଣ ଦଲିତଂକୁ ହତ୍ୟା କଲେ ଓ ସମଗ୍ର
ଗ୍ରାମକୁ ଜାଳି ଦେଇଥିଲେ I ୨୦୧୪ ମସିହାରେ ଆନ୍ଧ୍ର ପ୍ରଦେଶ୍ ହାଇକୋର୍ଟ ସମସ୍ତଂକୁ ପ୍ରମାଣ
ଅଭାବରେ ନିର୍ଦ୍ଦୋଶରେ ଖଲାସ କରିଦେଲେ I ଏବେ ତାହା ପୁଣି ସୁପ୍ରିମ୍ କୋର୍ଟରେ ବିଚାରାଧୀନ ଅଛି I ଏ ସମସ୍ତ ଘଟଣା କ’ଣ ଏହା ପ୍ରମାଣିତ କରୁନାହିଁ କି ଯେ ଯଦି ଅପରାଧରେ କୌଣସି
ଦଳିତ ନିମ୍ନ ବର୍ଗର ସମ୍ପୃକ୍ତି ରହିଛି ତେବେ ନ୍ୟାୟ ଏକ ପ୍ରକାରର ହେଉଛି ଓ ଅପରାଧରେ ଯଦି ଉଚଜାତି
ଓ ପ୍ରଭାବଶାଳୀ ବର୍ଗର ସମ୍ପୃକ୍ତି ରହୁଛି ତେବେ ନ୍ୟାୟ ଅନ୍ୟ ପ୍ରକାରର ହେଉଛି ? ଅପରାଧ ସମାନ ଥିଲା ବେଳେ ଦଣ୍ଡ
ବ୍ୟବସ୍ଥାରେ ତାରତମ୍ୟ କେଉଁଭଳି ରହୁଛି ? ନିଶ୍ଚିତ ରୁପେ ଦଣ୍ଡ ବ୍ୟବସ୍ଥାରେ ତଥ୍ୟ ଅପେକ୍ଷା
ବିଚାରପତିଂକ ବିବେକ ବେଶି ଗୁରୁତ୍ବପୁର୍ଣ୍ଣ ହେଉଛି I
ଯଦି କୁହାଯାଏ ଯେ ଫାଶିଦଣ୍ଡାଦେଶ ନିଶ୍ଚିତରୁପେ ଅପରାଧର ମାତ୍ରାକୁ
କମାଇବାରେ ସାହାଯ୍ୟ କରିବ ତେବେ ତାହା ଭ୍ରାନ୍ତ ଧାରଣା I ଏହା ଯଦି ସତ ତେବେ ସତୁରୀ
ଦଶକରେ ନଭାଲ ଅଫିସରଂକ ପୁତ୍ର କନ୍ୟାକୁ ଦୁଷ୍କର୍ମ ଓ ହତ୍ୟା ହେତୁ ରଂଗା ଓ ବିଲ୍ଲାଂକୁ
ଫାଶିଦିଆଯିବା ପରେ ଦେଶରେ ଆଉ ସେଭଳି ଘଟଣା ହୁଏତ ହୋଇନଥାନ୍ତା I ଆମ ଦେଶରେ ଦୁଷ୍କର୍ମ ଅପରାଧରେ
2012 ମସିହାରୁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିଆସୁଛି I ଅଥଚ ଜାତୀୟ କ୍ରାଇମ୍ ରେକର୍ଡ଼
ବ୍ୟୁରୋ ତଥ୍ୟ ଅନୁସାରେ ସମୁଦାୟ ଦୁଷ୍କର୍ମ ଘଟଣା ସେହି ସମୟ ମଧ୍ୟରେ କ୍ରମଶଃ ବଢିଚାଲିଛି I 2011 ରୁ 2012 ମସିହା ମଧ୍ୟରେ ଦୁଷ୍କର୍ମ
ଅପରାଧ 2.9% ବୃଦ୍ଧି, 2012 ରୁ 2013 ମସିହା ମଧ୍ୟରେ 35.24 % ବୃଦ୍ଧି ଓ 2013ରୁ 2014 ମସିହା
ମଧ୍ୟରେ 8.98% ବୃଦ୍ଧି ଘଟିଛି I କେବଳ ଦିଲ୍ଲୀରେ ‘ନିର୍ଭୟା’ ଘଟଣା ପରେ 2012 ରୁ 2016 ମସିହା ମଧ୍ୟରେ ଦୁଷ୍କର୍ମ ଘଟଣା
ତିନିଗୁଣା ବୃଦ୍ଧି ଘଟିଛି I ଆଇ.ପି.ସିରେ ଧାରା 376ରେ ଦୁଷ୍କର୍ମ ଅପରାଧରେ ଦୋଷୀ
ସାବ୍ୟସ୍ତ ହେଲେ ବହୁ ବର୍ଷ ପୁର୍ବେ ଯେଉଁଠି ତିନି ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ଥିଲା ପରେ ସାତ
ବର୍ଷ ଓ ଏବେ “ନିର୍ଭୟା” ଘଟଣା ପରେ ଆଜୀବନ କାରାଦଣ୍ଡର ବ୍ୟବସ୍ଥାରେ ପରିଣତ ହୋଇଛି I ତଥାପି ଏହା ଅପରାଧକୁ କମାଇବାରେ ସମର୍ଥ ହେଉଛି କି? ଯେଉଁଠି ଆମର
ସମାଜ ମୁଳତଃ ପୁରୁଷ ପ୍ରାଧାନ୍ୟ ସେଠାରେ ପୁରୁଷର ମାନସିକତାରେ ପରିବର୍ତ୍ତନ ଆବଶ୍ୟକ I ସମାଜବିତ୍ ମାନେ ବହୁ ତଥ୍ୟ
ଦେଇ କହିଚାଲିଛନ୍ତି ଯେ ୮୦% କ୍ଷେତ୍ରରେ ଧର୍ଷଣକାରୀ ନିଜ ପରିବାର ର ଅଥବା ଜଣାଥିବା ବ୍ୟକ୍ତି I ସେହିପରି ଜାତିଗତ ହିଂସା ହେଉ
ଅଥବା ଧର୍ମନାମରେ ହିଂସା ସବୁଠି ମହିଳା ପ୍ରଥମେ ଯୌନ ଶୋଷଣର ଶିକାର ହେଉଥିବା କଥା ଆମେ ଦେଶ
ବିଭାଜନ ସମୟରୁ ଦେଖିଆସୁଛୁ I ସେଥିପାଇଁ
ମୃତ୍ୟୁଦଣ୍ଡ ରାସ୍ତା ନୁହେଁ I ସେହି ପରି ଅନ୍ୟାନ୍ୟ ଅପରାଧ ସମ୍ପର୍କରେ ବିଚାର କରାଯାଇପାରେ I
ବ୍ରିଟିଶ ସମୟରେ ପ୍ରଣୀତ ସି.ଆର.ପି.ସି. 1898ର ଧାରା 367(5)
ଅନୁସାରେ, ଏହା ଦର୍ଶାଯାଇଥିଲା ଯେ ଯଦି
କୌଣସି ଦଣ୍ଡ ପାଇଁ ଫାଶି ନିଶ୍ଚିତ ରହିଛି ଓ ଜଜ୍ ଦୋଷୀକୁ ଫାଶୀ ଶୁଣାଇନାହାନ୍ତି ତେବେ ସେ ଏଥିପାଇଁ
କାରଣ ଦର୍ଶାଉଥିଲେ I ବ୍ରିଟିଶ ଉପନିବେଶକୁ ମଜଭୁତ କରିବା ପାଇଁ ସେମାନେ ଏହା କରିଥିଲେ I ପରେ 1955 ମସିହାରେ ଆଇପିସିର
ଏହି ଧାରାରେ ପରିବର୍ତ୍ତନ ଅଣାଯାଇ ଏଥିରୁ “କାରଣ ଦର୍ଶାଅ” ଅନୁଛେଦକୁ ବାଦ ଦିଆଯାଇଥିଲା I ମାତ୍ର 1980 ମସିହାରେ
ସୁପ୍ରିମକୋର୍ଟ ବଚନ ସିଂ ବନାମ ପଂଜାବ ସରକାର କେସରେ ସମ୍ବିଧାନର ଧାରା 21କୁ ବ୍ୟାଖ୍ୟାକରି “ବିରଳରୁ
ବିରଳତମ ଘଟଣାରେ” ଫାଶିଦେବାର ଅଧିକାର ଜିଲ୍ଲା ଜଜଂକର ରହିଥିବା ଦର୍ଶାଇଲେ I ସୁପ୍ରିମକୋର୍ଟ୍ଂକ ମତ ଅନୁସାରେ, ଏହାପରେ ଉପରକୋର୍ଟ ଚାହିଁଲେ
ଫାଶିଦଣ୍ଡକୁ କାଏମ ରଖିପାରିବେ ନଚେତ ବଦଳାଇପାରିବେ I ଏହି ବଚନ ସିଂ ବନାମ ପଂଜାବ
ସରକାର ରାୟରେ ସୁପ୍ରିମକୋର୍ଟ ଏକଥାକୁ ସ୍ୱିକାର କରିଛନ୍ତି, “ନିଷ୍ପତି ନେବାର ପ୍ରକ୍ରିୟା ଜଣେ ବିଚାରପତି ପାଇଁ ସମ୍ପୁର୍ଣ
ଭାବରେ ସର୍ବଦା ବାସ୍ତବ ତଥ୍ୟ ଆଧାରିତ ହୋଇନପାରେ I” ମାନ୍ୟବର କୋର୍ଟ ଏକଥା କହିବା
ସହିତ ମୃତ୍ୟୁଦଣ୍ଡକୁ ଜଜଂକ ନିଜସ୍ୱ “ସାମୁହିକ ବିବେକ” (Collective conscience) ଅଥବା “ବୈଚାରିକ ବିବେକ” (Judicial
conscience) ପ୍ରସଂଗ କହି ଜଜ୍ଂକୁ
କାହାର ଜୀବନ ନେବାର ଅଧିକାର ଦେଇଛନ୍ତି I (“By the subjective philosophy of the judge called upon to
pass the sentence and on his value system and social philosophy which is often
termed as judicial conscience which varies from judge to judge depending upon
his attitudes and approaches, his predilections and prejudices, his habits of
mind and thought and in short all that goes with the expression social
philosophy….There is nothing like complete objectivity in the decision making
process and especially so, when this process involves making of decision in the
exercise of judicial discretion.- Banchan Singh verses Government of Panjab
judgment (1980).)
ଭାରତର ଆଇନ ବ୍ୟବସ୍ଥାରେ କ୍ରମଶଃ ଏହା ଦେଖାଯାଇଛି ଯେ, ଫାଶି ପାଇଥିବା ଅଥବା
ଫାଶିଦଣ୍ଡ ଶେଷ ପର୍ଯ୍ୟନ୍ତ କାଏମ ରହିଥିବା “ଦୋଷୀ” ବ୍ୟକ୍ତିର ଦୋଷାବହ କାର୍ଯ୍ୟର ଜଘନ୍ୟତା ଅପେକ୍ଷା
ବ୍ୟକ୍ତିର ଧର୍ମ (ହିନ୍ଦୁ କି ଅଣ-ହିନ୍ଦୁ), ନିମ୍ନ ଜାତି, ନିମ୍ନଶ୍ରେଣୀ ଓ ରାଜନୈତିକ ପ୍ରଭାବହୀନତା ବିଶେଷଭାବରେ ଦାୟୀ ହୋଇ
ରହିଆସିଛି I ‘ଏସିଆନ ସେଣ୍ଟର ଫର ହ୍ୟୁମାନ
ରାଇଟ୍ସ୍’ ନିଜର 2015 ମସିହାରେ
ପ୍ରକାଶିତ ମୃତ୍ୟୁଦଣ୍ଡ ସମ୍ପର୍କିତ ରିପୋର୍ଟରେ ଏକଥା ପ୍ରକାଶ କରୁଛନ୍ତି ଯେ 1980ର ସେହି ବଚନ
ସିଂ ବନାମ ପଂଜାବ ସରକାର କେସରେ ସୁପ୍ରିମକୋର୍ଟ ରାୟ ପରଠାରୁ ବିଭିନ୍ନ କୋର୍ଟରେ ବିଭିନ୍ନ ଜଜଂକ
ଦ୍ୱାରା ଦିଆଯାଇଥିବା ସମସ୍ତ ମୃତ୍ୟୁଦଣ୍ଡ ତଥ୍ୟ ଆଧାରିତ ନହୋଇ “ସାମୁହିକ ବିବେକ”
ଅଥବା “ବୈଚାରିକ ବିବେକ” ଆଧାରିତ I ଅଧିକାଂଶ କ୍ଷେତ୍ରରେ ମାନ୍ୟବର ଜଜ୍ “ସାମୁହିକ ବିବେକ” ଆଧାରରେ
ମୃତ୍ୟୁଦଣ୍ଡ ଶୁଣାଇଛନ୍ତି I “ସାମୁହିକ ବିବେକ” ଏପରି ପ୍ରସଂଗ ଯାହା ବିଚାରପତିଂକ ବ୍ୟକ୍ତିଗତ
ଚିନ୍ତାଧାରା (ଯାହା ତାଂକର ନିଜସ୍ବ ଜାତି, ଧର୍ମ, ଶ୍ରେଣୀ ଓ ଜାତୀୟତା ଦ୍ବାର ପ୍ରଭାବିତ) ଦ୍ୱାରା ବେଶ ପ୍ରଭାବିତ ଯାହାକୁ ମାନ୍ୟବର ସୁପ୍ରିମକୋର୍ଟ ସ୍ୱିକାର କରିଛନ୍ତି I ସେଣ୍ଟରର ରିପୋର୍ଟ ଅନୁସାରେ
“ସାମୁହିକ ବିବେକ” ଦର୍ଶାଇ ଦିଆଯାଉଥିବା ସମସ୍ତ ରାୟ ଦୋଷଯୁକ୍ତ, ଉଦ୍ଦେଶ୍ୟମୂଳକ, ନିମ୍ନବର୍ଗକୁ ହାଣମୁହଁକୁ
ଠେଲିଦେବାର କୌଶଳ I
ଦିଲ୍ଲୀର “ନିର୍ଭୟା” କେସରେ ଦିଆଯାଇଥିବା
ମୃତ୍ୟୁଦଣ୍ଡ ଆଦେଶକୁ ସୁପ୍ରିମକୋର୍ଟ କାଏମ ରଖିଲା ବେଳେ “ନିର୍ଭୟା”ର ଯୌନାଂଗରେ ଲୁହାରଡ଼ ଭର୍ତ୍ତି
କରାଯିବା କଥାକୁ ନିଜର 400 ପୃଷ୍ଠାର ରାୟରେ 104 ଥର ଉଲ୍ଲେଖ ରଖି ଏହାକୁ “ବିରଳରୁ ବିରଳତମ
ଘଟଣା” ଦର୍ଶାଇଛନ୍ତି I ମାତ୍ର ତଥ୍ୟ କୁହେ ଯେ ସିଂଗାପୁରଠାରେ (ନିର୍ଭୟାଂକୁ ପରେ ଚିକିସ୍ଛା
ପାଇଁ ସିଂଗାପୁର ନିଆଯାଇଥିଲା) ହୋଇଥିବା ଶବ ବ୍ୟବଛେଦ ରିପୋର୍ଟ ଅନୁସାରେ “ନିର୍ଭୟା”ର
ଖାଦ୍ୟସ୍ଥଳୀ ଓ ଜରାୟୁରେ କୌଣସି କ୍ଷତି ହୋଇନାହିଁ I ଅର୍ଥାତ୍ କୌଣସି ଲୁହାରଡ୍
ଜରାୟୁକୁ ଆଘାତ ନଦେଇ ଖାଦ୍ୟସ୍ଥଳୀରେ ପହଂଚିପାରିବ ନାହିଁ, ଏକଥା ଯେକୌଣସି ଶରୀର ବିଜ୍ଞାନୀ
କହିବ I “ନିର୍ଭୟା” କେସରେ ଜିଲ୍ଲା ଜଜ୍
ଠାରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସମସ୍ତେ “ସାମୁହିକ ବିବେକ” ପ୍ରସଂଗ ବାରମ୍ବାର ଉତ୍ଥାନ କରିଛନ୍ତି
I (Where a crime is committed with extreme brutality and the
collective conscience of the society is shocked, courts must award death
penalty, irrespective of their personal opinion as regards desirability of
death penalty. By not imposing a death sentence in such cases, the courts may
do injustice to the society at large.- Supreme court judgment on “Nirbhaya”
case, page 422)
ଏପରିକି ଧନଂଜୟ କେସରେ ବାରମ୍ବାର ସେହି “ସାମୁହିକ ବିବେକ” ପ୍ରସଂଗ
ହିଁ ଫାଶିର ମୁଖ୍ୟକାରଣ ପାଲଟିଛି I ସେଠାରେ ଶବ ବ୍ୟବଛେଦ ରିପୋର୍ଟରେ ଦୁଷ୍କର୍ମର କୌଣସି ଚିହ୍ନ ନଥିଲା I କଲିକତା ହାଇକୋର୍ଟ ହେତାଲ
ପାରେଖର ମା’ର ବୟାନକୁ ମୃତ୍ୟୁକାଳୀନ ଜମାନବନ୍ଦୀ ଭାବରେ ଗ୍ରହଣ କରି ଫାଶିକୁ
କାଏମ ରଖିଥିଲେ I ଘଟଣାର ତିନିଦିନ ଆଗରୁ ଧନଂଜୟ
କୁଆଡେ ହେତାଲ ପାରେଖଂକୁ ଯୌନ ପରିହାସ କରିଥିଲା ବୋଲି ହେତାଲ୍ ପାରେଖର ମା’ କଲିକତା
ହାଇକୋର୍ଟରେ ବୟାନ୍ ଦେଇଥିଲେ I (ହେଲେ ପୁଲିସର ଅନୁସନ୍ଧାନ ସମୟରେ କିନ୍ତୁ ହେତାଲ ପାରେଖର ମା’ ଏହି ସତ୍ୟକୁ ଉନ୍ମୋଚନ କରିନଥିଲେ I) ଏଠାରେ କଲିକତା ହାଇକୋର୍ଟର
ରାୟକୁ ପରେ ସୁପ୍ରିମ କୋର୍ଟ ମଧ୍ୟ କାଏମ ରଖିଲେ I ମାତ୍ର ସେହି “ସାମୁହିକ
ବିବେକ” କାହିଁକି ଖରଲାଂଜି କେସ ଅଥବା ଲକ୍ଷ୍ମଣପୁର ଗଣହତ୍ୟା କେସରେ ମୁଖ୍ୟପ୍ରସଂଗ ହୋଇପାରିନାହିଁ ? ଖରଲାଂଜି କେସରେ ଦୋଷୀଂକ ମୃତ୍ୟୁଦଣ୍ଡ
କୋହଳ କଲାବେଳେ ମହାରାଷ୍ଟ୍ର ହାଇକୋର୍ଟ ରାୟ ଶୁଣାଇଥିଲେ ଯେ ଖରଲାଂଜି ଗଣଦୁଷ୍କର୍ମ କେବଳ ଏକ
ପ୍ରତିଷୋଧ ପରାୟଣଜନୀତ ଘଟଣା, ଏଥିରେ ଜାତିବିବାଦ କିଛିନାହିଁ I ସେହିପରି ସୁନ୍ଦୁର୍ ଘଟଣାରେ
ଆନ୍ଧ୍ର ପ୍ରଦେଶ୍ ହାଇକୋର୍ଟ କହିଲେ “ଉପଯୁକ୍ତ ପ୍ରମାଣ ନାହିଁ” ଓ ରାଜସ୍ଥାନର ଭଓଁରି ଦେବୀ
ଗଣଧର୍ଷଣ ଘଟଣାରେ ଉଚ ନୟ୍ୟାଳୟ ରାୟ ଦେଇଥିଲେ ଯେ ଉଚ ସମ୍ମାନ ଥିବା କୌଣସି ଏକ ପରିବାରର ଉଭୟ
କକେଇ ଓ ପୁତୁରା ଜଣେ ମହିଳାକୁ ଏକାଥରେ କଦାପି ଧର୍ଷଣ କରିନପାରନ୍ତି I ଏ ସମସ୍ତ ଘଟଣାରେ କାହିଁକି
ସେହି “ସାମୁହିକ ବିବେକ” କାରଣ ହେଉନାହିଁ ?
ମୃତ୍ୟୁଦଣ୍ଡ ସପକ୍ଷରେ ଯୁକ୍ତି କରୁଥିବା ବ୍ୟକ୍ତି ବିଚାରପତିଂକ ଜାତି, ଧର୍ମ ଓ ଶ୍ରେଣୀ ଦ୍ବାରା
ପ୍ରଭାବିତ ହେଉଥିବା ମାନସିକତାକୁ କାହିଁକି ପ୍ରଶ୍ନ କରୁନାହାନ୍ତି ?
ଯଦି ଫାଶି ଦଣ୍ଡାଦେଶ ଦ୍ୱାରା ସମାଜକୁ ଏକ ଉତ୍ତମ ବାର୍ତ୍ତା ଯାଉଛି ବୋଲି ଯୁକ୍ତି କରାଯାଏ ତେବେ
ସେହି ଅଧିକାର କେବଳ ବିଚାରପତିଂକର ରହିବା ଯୁକ୍ତିଯୁକ୍ତ କି? ସମ୍ବିଧାନର ଧାରା 21 ଅନୁସାରେ
ଯାହା ଆଇନ ଅନୁମୋଦିତ ହେବା ନିଶ୍ଚିତ କୁହାଯାଉଛି ତାହା କ୍ରମଶଃ “ସାମୁହିକ ବିବେକ” ଭଳି
ବ୍ୟକ୍ତିଆଧାରିତ ପ୍ରସଂଗ ପାଲଟିଯାଉଛି I ଏଭଳି କାହିଁକି? ଯଦି ତାହା ସତେରେ ବ୍ୟକ୍ତି ଆଧାରିତ ତେବେ ତା’ର ସୁଯୋଗ ସମସ୍ତଂକୁ
ମିଳିବା ଜରୁରୀ ନୁହେଁ କି? ଯଦି କୌଣସି ଗରୀବ ଲୋକର ଘରବାଡ଼ି ଜମିକୁ କୌଣସି ଖଣି ଅଥବା କାରଖାନା
ମାଲିକ ନେଇଯାଉଥାଏ ଓ ଏଥିରେ ନିଜର ପରିବାରର ସମସ୍ତଂକୁ କ୍ରମଶଃ ଦାରିଦ୍ରତା ଭିତରେ ହରାଉଥିବା ସେହି
ଦଳିତ/ଆଦିବାସୀ/ଗରୀବ ଲୋକଟି ଯଦି ସେହି ଜମିହଡ଼ପକାରୀ ଖଣି ମାଲିକ ଅଥବା କାରଖାନା ମାଲିକକୁ ହତ୍ୟା
କରେ ତେବେ ତାହା କ’ଣ ସମାଜକୁ ଉତ୍ତମ ବାର୍ତ୍ତା ଦେଉନାହିଁ କି ? ସେହିପରି ଦୁଷ୍କର୍ମର ଶିକାର
ହୋଇଥିବା ନାରୀର କେହି ସମ୍ପର୍କିୟ ଯଦି ଅପରାଧୀକୁ ହତ୍ୟା କରେ କିମ୍ବା ଅତ୍ୟାଚାରୀ ସ୍ୱାମୀକୁ ସ୍ତ୍ରୀ ଯଦି ଅତ୍ୟାଚାର ସହ୍ୟକରିନପାରି ହତ୍ୟା କରେ ତେବେ କ’ଣ ଏହା ଅପରାଧ ଶ୍ରେଣୀୟ
ହେବା ଉଚିତ କି? ଦୁର୍ନିତୀଗ୍ରସ୍ତ ଇଂଜିନିୟର ହେତୁ ଅଂଗନବାଡ଼ି ଗୃହ ଭାଂଗି ମରିଥିବା ଛୁଆର ବାପା
ଯଦି ତା’ର ଇଂଜିନିୟରକୁ ହତ୍ୟାକରେ ଅଥବା
ଅବହେଳା ହେତୁ ମୃତ୍ୟୁବରଣ କରିଥିବା ରୋଗୀର ସମ୍ପର୍କିୟ ଯଦି ଡାକ୍ତରଂକୁ ହତ୍ୟାକରେ ତେବେ
ଏସମସ୍ତ ଘଟଣାକୁ କାହିଁକି ଅପରାଧ କହିବା? ଏହାକୁ କାହିଁକି ସମାଜର ନ୍ୟାୟ ପାଇବାପାଇଁ ବ୍ୟାକୁଳତା
ପର୍ଯ୍ୟାୟଭୁକ୍ତ ନକରିବା ଅଥଚ ବିଚାରପତି ସେହି “ସାମୁହିକ ବିବେକ” ଆଧାରରେ ଶୁଣାଉଥିବା
ମୃତ୍ୟୁଦଣ୍ଡକୁ କାହିଁକି ଆଇନ ଅନୁମୋଦିତ ନ୍ୟାୟ କହିବା?
ଏସିଆନ ସେଣ୍ଟର ଅଫ ହ୍ୟୁମାନ ରାଇଟ୍ସ ନିଜର ସେହି ମୃତ୍ୟୁଦଣ୍ଡ
ସମ୍ପର୍କିତ ରିପୋର୍ଟରେ ଦୁଇ ବିଚାରପତିଂକ ମଧ୍ୟରେ ମୃତ୍ୟୁଦଣ୍ଡ ସମ୍ପର୍କରେ ଥିବା ଦୁଇ ଭିନ୍ନ
ରାୟକୁ ତୂଳନାତ୍ମକ ଭାବରେ ଦର୍ଶାଇ ଏକଥାକୁ ଦୃଢ଼ତାର ସହିତ କହିବାକୁ ଚାହିଁଛି ଯେ ଏହି
ମୃତ୍ୟୁଦଣ୍ଡ ରାୟ କେତେ ବ୍ୟକ୍ତିକୈନ୍ଦ୍ରିକ I ସୁପ୍ରିମକୋର୍ଟରେ ସମାନ ସମୟରେ
ଦୁଇ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ ଓ ଜଷ୍ଟିସ ଏମ୍.ବି. ଶାହା ନିଜ କାର୍ଯ୍ୟକାଳ ସମୟରେ
ସମୁଦାୟ 48ଟି ମୃତ୍ୟୁଦଣ୍ଡ ସମ୍ପର୍କିତ କେସର ବିଚାର କରିଛନ୍ତି I ଜଷ୍ଟିସ ଅରିଜିତ ପଶାୟତ ବିଚାର
କରିଥିବା ସମୁଦାୟ 33ଟି କେସ ମଧ୍ୟରୁ 15ଟି କେସରେ ସେ ତଳକୋର୍ଟର ମୃତ୍ୟୁଦଣ୍ଡ ଆଦେଶକୁ କାଏମ
ରଖିଥିଲା ବେଳେ ତିନୋଟି କେସରେ ଅପରାଧୀକୁ କାହିଁକି ମୃତ୍ୟୁଦଣ୍ଡ ଦିଆନଯିବ ତାହାର ପୁନର୍ବିଚାର
ପାଇଁ ହାଇକୋର୍ଟକୁ ପୁନଃ ବିଚାର ପାଇଁ ପଠାଇଛନ୍ତି I ଅଥଚ ଜଷ୍ଟିସ ଶାହା ବିଚାର
କରିଥିବା ସମୁଦାୟ 15ଟି କେସରେ କାହାରିକୁ ବି ମୃତ୍ୟୁଦଣ୍ଡ ଶୁଣାଇନାହାନ୍ତି I ଉଭୟ ଅବସର ନେବା ପରେ କେନ୍ଦ୍ର
ସରକାରଂକ ଦ୍ୱାରା ଗଠିତ କଳାଧନ ସମ୍ପର୍କିତ ଏସ୍.ଆଇ.ଟିର ଦାୟିତ୍ୱରେ ଅଛନ୍ତି I ତେବେ ଉଭୟ ସମାନ ସମୟରେ ଓ ସମାନ ସ୍ଥାନରେ ଥାଇ ମଧ୍ୟ ଉଭୟ ମାନ୍ୟବର
ବିଚାରପତି ଭିନ୍ନ ଭିନ୍ନ ରାୟ ଦେବା ହେତୁ ଅପରଧୀ ମରିବ କି ବଂଚିବ ତାହା କେଉଁ ବିଚାରପତିଂକ ବେଂଚରେ ପଡ଼ିବ ତାହା
ଉପରେ ନିର୍ଭର କରୁନାହିଁ ତ ଅର୍ଥାତ୍ ଏହା ତା’ର ଭାଗ୍ୟ ପାଲଟିଯାଉନାହିଁ ତ?
ମୃତ୍ୟୁଦଣ୍ଡ ରହିବା ଦ୍ୱାରା ଯେ ଅପରାଧର ମାତ୍ରା କମୁଛି ତାହା ଭୁଲ ପ୍ରମାଣିତ ହୋଇସାରିଛି I ଏପରିକି ମୃତ୍ୟୁଦଣ୍ଡ ଦ୍ୱାରା ଯେ ଅଭିଯୋଗକରୀକୁ ନ୍ୟାୟ ମିଳିପାରୁଛି ତାହାର ସମ୍ଭାବନା ମଧ୍ୟ ନାହିଁ କାରଣ ଏପରି କ୍ଷେତ୍ରରେ
ଅଭିଯୋଗକାରୀଂକର ମୃତ୍ୟୁ ହୋଇସାରିଛି I ମୃତ୍ୟୁଦଣ୍ଡ ଦ୍ବାରା
ଯେ ସମାଜରେ ନ୍ୟାୟ ବ୍ୟବସ୍ଥା କାଏମ ରହିଛି ବୋଲି ଧରାଯିବ ଓ ନହେଲେ ନ୍ୟାୟ ବ୍ୟବସ୍ଥା ନାହିଁ
ବୋଲି ଧରାଯିବ ତା’ନୁହେଁ I କାରଣ ଏହି ଦଣ୍ଡର ସର୍ବାଧିକ
ଶିକାର ଦଳିତ ଓ ନିମ୍ନ ବର୍ଗର ଲୋକ ହେଉଛନ୍ତି I ଅପରାଧୀକୁ ଦଣ୍ଡ ଦେବାର ଯେଉଁ ଅନ୍ୟ କାରଣ ହେଲା ଯେ ଏହା ପରେ
ଅପରାଧୀ ସେହି ପ୍ରକାରର ଅପରାଧ କରିବ ନାହିଁ ତାହା ମଧ୍ୟ ହେବାର ନାହିଁ I କାରଣ ଅପରାଧୀର ମୃତ୍ୟୁ
ଘଟିସାରିଥିବ I ବରଂ ମୃତ୍ୟୁଦଣ୍ଡ ସର୍ବଦା
ରାଷ୍ଟ୍ର ବ୍ୟବସ୍ଥାକୁ ସାଧାରଣ ଜନତାଂକ ଠାରୁ ବହୁ ଉର୍ଦ୍ଧରେ ରଖୁଛି I ଗଣତାନ୍ତ୍ରିକ ବ୍ୟବସ୍ଥାରେ ରାଷ୍ଟ୍ର
ସର୍ବଦା ଲୋକଂକ ସମକକ୍ଷ ହୋଇରହିବା ଆବଶ୍ୟକ I ଆଜି ଯଦି ଭଗବତୀ ପାଣୀଗ୍ରାହୀ ବଂଚିଥାନ୍ତେ ତେବେ ସେ ନୀରବ ରହିବା
ବଦଳରେ ସେ ନୁଆ “ଶିକାର” ଗଳ୍ପ ରଚନା କରିଥାନ୍ତେ I ଯେଉଁଠି ମୃତ୍ୟୁଦଣ୍ଡ ଦ୍ୱାରା ଅଧିକାଂଶ ଦଳିତ, ଆଦିବାସୀ, ସଂଖ୍ୟାନ୍ୟୁନ ଓ ଗରୀବ ଶ୍ରେଣୀ ଅଧିକ ଶିକାର ହେଉଛନ୍ତି ସେଠାରେ
ମୃତ୍ୟୁଦଣ୍ଡ ରହିବା ସମାଜରେ ଅସମାନକୁ ବଂଚାଇ ରଖିବା ସଦୃଶ I ମୃତ୍ୟୁଦଣ୍ଡ ଭଳି ଚରମ
ବ୍ୟବସ୍ଥାର ଉଛେଦ ଜରୁରୀ I ଏଥିପାଇଁ ସମ୍ବିଧାନର ଧାରା 21ର ସଂଶୋଧନ ଆବଶ୍ୟକ । ଏଥିରେ ବ୍ୟକ୍ତିକୁ ଶତ ପ୍ରତିଶତ
ବଂଚିବାର ଅଧିକାର ଦିଆଯିବା ଜରୁରୀ ଯାହାକୁ କୌଣସି ନ୍ୟାୟାଳୟ କୌଣସି ଆଇନ ବଳରେ ବଂଚିତ
କରିପାରିବେ ନାହିଁ I ମୃତ୍ୟୁଦଣ୍ଡ ବିପକ୍ଷରେ ଜନମତ ସୃଷ୍ଟି କରାଯାଉ । ###
debasar11@yahoo.co.in
No comments:
Post a Comment