ଯବାନ : ଏକ କ୍ଷୁଦ୍ର ଗଳ୍ପ
ଜବାନ ଜଣକ ଯେମିତି ଗାଁ ପାଇଁ ସେଦିନ ଥିଲା ଏକ ଦେବଦୂତ I ସମଗ୍ର ଗାଁ ସେଦିନ ଥିଲା
କ୍ରନ୍ଦନରତ ଓ କ୍ରୋଧିତ ମଧ୍ୟ I ଯୁଦ୍ଧର ଘନଘଟା ମଧ୍ୟରେ ଗାଁଟି
ହରାଇଥିଲା ଆଉ ଜଣେ ପ୍ରାଣ I ସେହି ମୃତ ବ୍ୟକ୍ତିର ବିକ୍ଷିପ୍ତ ଶରୀର ଦେଖଣାହାରୀର
ଶିରାପ୍ରଶିରାକୁ ମଧ୍ୟ ଶିହରାଇ ଦେଉଥିଲା I ଜବାନ ଜଣକ କିନ୍ତୁ ଥିଲା
ନିର୍ଲିପ୍ତ I ସେ ନିଜ କାନ୍ଧରୁ ବ୍ୟାଗଟି ଓହ୍ଲାଇ ଦେଇ ସେହି ଭିତରୁ
ନିଜର ବିଛଣାରୁପକ ଛଅ ଫୁଟରେ ଚାରି ଫୁଟ ଥିବା ଜରିଟିକୁ କାଢିଲା I ଗ୍ରାମବାସୀମାନେ ସେଦିନ ଭୟ
ମିଶ୍ରିତ କ୍ରୋଧିତ ନୟନରେ ଅତ୍ୟନ୍ତ ଉଦ୍ବେଗର ସହିତ ଜବାନକୁ କେବଳ ଦେଖୁଥିଲେ I ସମୟ ସମୟରେ ଭିଡ଼ର ବିଭିନ୍ନ
କୋଣରୁ କ୍ରନ୍ଦନ ଶୁଣାଯାଉଥିଲା I ପାଖରେ ଠିଆ ହୋଇ ଜଣେ ମହିଳା ଲଗାତର
ସେହିଭଳି କାନ୍ଦି ଚାଲିଥିଲେ I ମୃତ ଯୁବକର ସେ ଥିଲେ ମା’ I ପାଖକୁ ଲାଗି ବେଶ କିଛିମହିଳା ତାଂକୁ
ଧରି ଠିଆ ହୋଇଥିଲେ I
ଜବାନ ଜଣକ ଏଥର ନିଜ ବ୍ୟାଗରୁ ସେହି
ଦୀର୍ଘ ଜରିକୁ ବାହାର କରି ଭୂମି ଉପରେ ସମ୍ପୁର୍ଣ୍ଣ ବିଛାଇ ଦେଲା I ପ୍ରଥମେ ଜରିକୁ ଠିକ ଭାବରେ ସଜାଡ଼ି
ଦେଇ ବୁଦା ମୂଳକୁ ଉଠିଗଲା ଯେଉଁଠି ମୃତ ବ୍ୟକ୍ତିର ଗୁଳିବିଦ୍ଧ ଶରୀର ବିକ୍ଷିପ୍ତ ହୋଇପଡ଼ିଥିଲା I ଏଥର ସେ ଲୋକର ବାମ ଗୋଡ଼କୁ
ଉଠାଇଲା I ସେତିକି ବେଳେ ଦେଖଣାହାରୀଂକ ଭିତରୁ ପୁଣି ଜୋର କ୍ରନ୍ଦନ ଶୁଣିବାକୁ I ଏଥର ଜବାନ ଜଣକ ପୁଣି ବାମ
ହାତକୁ ଉଠାଇବାକୁ ଚେଷ୍ଟା କଲା I ଭିଡ଼ ପୁଣି ତା’ରି ଆଡ଼କୁ ଆସୁଥିବା ଦେଖି ଜବାନ
ଜଣକ ହାତ ଦେଖାଇ ସମସ୍ତଂକୁ ସେହିଠାରେ ରହିବାକୁ ସୂଚନା ଦେଲା I ଭୂମି ଉପରେ ଚିତ୍ ହୋଇ
ପଡ଼ିଥିବା ଶରୀରକୁ ଏଥର ସେ ଓଲଟାଇଦେଲା I ଲାଲ ଦେଖାଯାଉଥିବା ଅନ୍ତବୁଜୁଳା
ପେଟ ଭିତରୁ ହଠାତ ବାହାରି ଆସିଲା I ଏଥର ଗ୍ରାମବାସୀଂକ ପଟରୁ ବହୁ
ଜୋରରେ କ୍ରନ୍ଦନ ଶୁଣାଗଲା I ଲଗାତର ଭାବରେ କାନ୍ଦୁଥିବା ସେହି ମହିଳା ଜଣକ ଏଥର ନିଜ
ଛାତିକୁ ଜୋର୍ରେ ବାଡ଼େଇ ବାଡ଼େଇ କାନ୍ଦିବାକୁ ଲାଗିଲେ I ମଝିରେ ମଝିରେ ସେ ଭୂମିରେ ପଡି
ମଧ୍ୟ ଯାଉଥାନ୍ତି I ପାଖରେ ଥିବା ମହିଳାମାନେ ଜୋର୍କରି
ତାଂକୁ ଧରିଥାନ୍ତି I
ସବୁ ଆଡ଼େ ରକ୍ତ ଓ ରକ୍ତ I ମାଟି ଭିଜା ରକ୍ତ I ପତ୍ରରେ ଶୁଖି ଆସୁଥିଲା ରକ୍ତର
ଦାଗ I ବୋହି ଆସୁଥିବା ରକ୍ତ ନିଗିଡ଼ି ଆସି ଅଧାରେ ଅଟକି ଯାଇଛି I ଘାସରେ ବୁନ୍ଦା ବୁନ୍ଦା ରକ୍ତ I ପବନରେ ବି ରକ୍ତ, ଆକଶବି ରକ୍ତମୟ I କେତେ ପ୍ରାଣ ଏହି ଯୁଦ୍ଧରେ ଆଉ
ଏମିତି ଯାଉଥିବ I ସମସ୍ତେ ଭୁଲି ଯାଉଛନ୍ତି ଯେମିତି ମୃତ ଜଣକ ଥିଲା ଜଣେ
ମଣିଷ ଓ ତା’ର ମଧ୍ୟଥିଲା ଏକ ପରିବାର, ତା’ର ବି ଥିଲା ପ୍ରେମ ଓ ସ୍ୱପ୍ନ I ସେ କେବଳ ଏକ ସଂଖ୍ୟା ହୋଇରହିବା ପାଇଁ ଏ ମାଟିରେ ଜନ୍ମି ନଥିଲା I ଗାଁସାରା ସେଦିନ ସେହି ଜଂଗଲ ମଧ୍ୟରେ ଠାବ କରୁଥିଲେ ରକ୍ତ ଓ
ପରଖୁଥିଲେ ନିଜକୁ ଯେ ଏହାପରେ ସେମାନେ ସତରେ ପୁଣି କ’ଣ ଆସିପାରିବେ ଏହି
ଜଂଗଲକୁ? ଗାଈ ବଳଦଂକୁ ଯଦି ଗୁହାଳ ମନା ହୁଏ ସେମାନେ ଯିବେ କୁଆଡ଼େ?
ଏହି ଯୁଦ୍ଧର ଘନଘଟା ମଧ୍ୟରେ ଆଉ
ଏକ ସାଧାରଣ ପ୍ରାଣ ଚାଲିଗଲା I ଏହି ଯୁଦ୍ଧ କେବେ ଠାରୁ ଆରମ୍ଭ
ହେଲା, କ’ଣ ପାଇଁ ଆରମ୍ଭ ହେଲା, କିଏ ଆରମ୍ଭ କଲା, କାହିଁକି
ହେଲା ଏସବୁ ପ୍ରଶ୍ନର ଉତ୍ତର କିନ୍ତୁ ଦେଖଣାହାନରୀଂକ ଭିତରୁ କାହାରି ପାଖରେ ନାହିଁ I ଏଠାରେ ଶତୃ କିଏ ମିତ୍ର କିଏ ତାହା ମଧ୍ୟ ଜଣାନାହିଁ I ଯୁବକ ଜଣକ ନିଜର ହଜିଲା ବଳଦକୁ ଖୋଜିବା ଲାଗି ଜଂଗଲ ଭିତରକୁ
ଚାଲିଯାଇଥିଲା I ଯୁବକ ସହିତ ତା’ର ସାଂଗ ମଧ୍ୟ ଥିଲା I ବଳଦଟି ହୁଏତ କୌଣସି ଝୋଲା ଭିତରେ ଖସି ପଡ଼ିଥିବ ଅଥବା ବୁଦା ଭିତରେ
ଛନ୍ଦି ହୋଇ ରହିଯାଇଥିବ, ସେଥିପାଇଁ ଦୁଇ ସାଂଗ ହାତରେ ଦୁଇଟି ଶକ୍ତ ଠେଂଗା ସାଂଗକୁ ଟାଂଗିଆ
ଧରି ବଳଦକୁ ଖୋଜି ବାହାରିଥିଲେ I
ଘଂଚ ଜଂଗଲ ମଧ୍ୟରେ ସରକାରୀ ଜବାନମାନେ ମଧ୍ୟ ଜଂଗଲକୁ କୁଣ୍ଡାଇ କୁଣ୍ଡାଇ ଚାଲିଥିଲେ I ସେମାନେ ବେସରକାରୀ ଜବାନମାନଂକୁ ଠାବ କରିବା ପାଇଁ ବୁଦାସବୁକୁ ଆଡ଼େଇ
ଆଡ଼େଇ ଆଗଉଥିଲେ I ମୃତ ବ୍ୟକ୍ତିକୁ ନିଜର ହଜି ଯାଇଥିବା ବଳଦ ମିଳିବା ଆଗରୁ ଘଂଚ ଜଂଗଲ ମଧ୍ୟରେ ଘୁରି
ବୁଲୁଥିବା ସରକାରୀ ଜବାନଂକୁ ସତେ ଯେପରି ଶତୃ ପକ୍ଷର କେହି ସେଣ୍ଟ୍ରି ଅଥବା ସୂଚନାଦାତା
ମିଳିଗଲା I ସେହି ଯବାନ ମାନଂକୁ ଘଂଚ ଜଂଗଲ ମଧ୍ୟରେ ଶକ୍ତ ଠେଂଗାର ଉପର ଭାଗ ବନ୍ଧୁକର ନଳୀ ଭଳି ଦେଖାଯିବା
ହେତୁ ସେମାନେ ସେହି ଠେଂଗା ରୂପି ବନ୍ଧୁକ ଆଡ଼କୁ ଲଗାତର ଗୁଳି ଫୁଟାଇଚାଲିଲେ I ବାସ୍. ଏଥିରେ ଯୁବକର ଗୁଳିବିଦ୍ଧ ଶରୀର ସେହିଠାରେ ପଡ଼ିଗଲା I ଆଗରେ ଗୁଳି ଫୁଟିବା
ଶବ୍ଦ ଶୁଣି ସାଂଗ ଜଣକ ଭୟରେ ପାଖ ବୁଦାକୁ ଲାଗି ମଲା ଭଳି ପଡ଼ିରହିଲା I ପରେ ସେହି ବ୍ଂଚିଯାଇଥିବା
ସାଂଗଟି ଠାରୁ ସମସ୍ତ କଥା ଶୁଣି ଜଂଗଲରେ ଏକାଠି ହେବାରେ ଲାଗିଲେ I
ଜବାନ ଜଣକର ଛୁଟି ଶେଷ ହୋଇ ଆସୁଥିବା ହେତୁ
ସେ କେବଳ ନିଜର ବନ୍ଧୁକୁ ଦେଖା କରିବା ପାଇଁ ସେଦିନ ସେହି ଗ୍ରାମକୁ ଆସୁଥିଲା I ଆଗରୁ ଏପରି ସେ
କେତେଥର ସ୍କୁଲ ବେଳର ସାଂଗର ଏହି ଗ୍ରାମକୁ ଆସିଛି ମଧ୍ୟ I ଏହା ବ୍ୟତିତ ଆଉ ଏକ କାରଣ ଥିଲା ଯାହା ତାକୁ ଏହି ଗ୍ରାମକୁ
ବାରମ୍ବାର ଟାଣିଥୁଲା I ଛୁଟି ସରିଗଲା ପରେ
ସେ ମଧ୍ୟ ସାମିଲ ହୋଇଯିବ ଯୁଦ୍ଧରେ I ତା’କୁ ମଧ୍ୟ ଏହାପରେ ଏହି
ଯୁଦ୍ଧର ଏକ ପକ୍ଷ ରଖିବାକୁ ହେବ I କିନ୍ତୁ ସେଦିନ ଜବାନ
ଜଣକ ନିଜର କାମରେ ମନଦେଉଥିଲା I
ଏଥର ସେ ଯୁବକର ଦୁଇ ହାତକୁ ଉଠାଇବା ବେଳକୁ ଗାଁର ଭିଡ଼ ମଧ୍ୟରୁ ନିଜର ବନ୍ଧୁ ଜଣକ ବାହାରି ଆସିଲାI ଜବାନ ଜଣକ ନିଜର ବନ୍ଧୁଂକୁ କିଛି ଇସାରା ଦେଲା I ଦୁହେଁ ମୃତ ବ୍ୟକ୍ତିର ସମଗ୍ର ଶରୀରକୁ ଉଠାଇ ଆଣି ଜରି ଉପରେ ଥୋଇଦେଲେ I ଏଥର ସେ ସମଗ୍ର ଶରୀରକୁ ଏକ ଛୋଟ ଶକ୍ତ ବାଡ଼ି ମାଧ୍ୟମରେ ସଜାଡ଼ିବାକୁ
ଲାଗିଲା I ତାହାର ସେହି ନିର୍ବିକାରତା ଗ୍ରାମବାସୀଂକୁ ଆଶ୍ଚର୍ଯ୍ୟ କରିଥିଲା I ଏଥର ସେ ଜରିର ମୁଣ୍ଡପାଖ
କୋଣକୁ ଆଗ ଆଣି ଶରୀର ଉପରେ ଢାଂକି ଦେଲା I ପୁଣି ସେ ସେହି
କୋଣକୁ ଶରୀର ତଳେ ଗୁଂଜି ଦେଲା I ଏଥର ସେ ଦୁଇ ବୀପରିତ କୋଣକୁ ଆଣି ଜୋରରେ ବାନ୍ଧିବାକୁ ଚେଷ୍ଟା କଲା I ନିଜ ବ୍ୟାଗ ଭିତରୁ ନିଜର ବିଛଣା ବନ୍ଧା ଦଉଡ଼ି କାଢ଼ି ସେ ଜରିକୁ ବାନ୍ଧିବାକୁ
ଲାଗିଲା I ସେ ଜାଣିଥିଲା ଯେ ଗ୍ରାମବାସୀମାନେ ମୃତ ବ୍ୟକ୍ତିର ଶରୀରକୁ ନେଇ କେଉଁ
ସରକାରୀ ଅଫିସ୍ ସାମ୍ନାରେ ଅଥବା ଜାତୀୟ ରାଜପଥକୁ ଅବରୋଧ କରି ବସିବେ ଓ ଦାବୀ କରିବେ ଯେ ଯୁବକର
ହତ୍ୟାକାରୀକୁ ତୁରନ୍ତ ଗିରଫ କରାଯାଉ I ହୁଏତ ହତ୍ୟାକାରୀ ଜଣକ ତା’ରି ଭଳି ଜଣେ ଜବାନ
ହୋଇଥିବ I ହୁଏତ ଅଜାଣତରେ ସେ ଗୁଳି ଚଳାଇଥିବ I ଯୁଦ୍ଧରେ ଯିଏ ଆଗ ପ୍ରହାର କଲା ତାହାର ବିଜୟ ସୁନିଶ୍ଚିତ.ଏକଥା ସେ
ବହୁବାର ଉପରିସ୍ଥ ଅଧିକାରୀଂକ ଠରୁ ଶୁଣିଆସିଛି I
ନିଜର ପ୍ରଶିକ୍ଷଣ ଓ ସେଦିନର ବାସ୍ତବତା ମଧ୍ୟରେ ଥିବା
ଅନ୍ତର୍ଦ୍ୱନ୍ଦ ଯେ ଜବାନ ମଧ୍ୟରେ ନଥିଲା ନୁହେଁ I ସେ କିନ୍ତୁ ନିଜ କାମରେ ଧ୍ୟାନ ଦେଉଥିଲା I ସେ ଜାଣିଥିଲା ସମଗ୍ର ଗ୍ରାମବାସୀ ତା’କୁ ଏକଲୟରେ ତା’ର କାର୍ଯ୍ୟକୁ ଚାହିଁ ରହିଛନ୍ତି I କିନ୍ତୁ ସିଏ ଯାହାକୁ ସେହି ଭିଡ଼ ଭିତରେ ଖୋଜୁଛି ସେ କିନ୍ତୁ
ଦେଖାଯାଉନଥିଲା I ସେ ଯେ ସେଠାରେ ନଥିବ
ତା’ ନୁହେଁ I ହୁଏତ ଆଉ କେଉଁ
ସାଂଗର କାନ୍ଧ ଉପରେ ମୁଣ୍ଡ ରଖି ତା’କୁ ଚାହିଁ ରହିଥିବ ନଚେତ୍ତ କେଉଁ ମହିଳାର ଲୁଗା କାନିକୁ ନିଜ ମୁଣ୍ଡ
ଉପରେ ଗୁଡ଼ାଇ ନିଶ୍ଚେ ତା’କୁ ଏକ ଲୟରେ ଦେଖୁଥିବ I ସେ କ’ଣ ଜାଣିଥିବ ଯେ ଛୁଟି ସରିବା ଆଗରୁ ଏଥର ନିଶ୍ଚେ ସେ ତା’ର ଗାଁକୁ ଆସିବ? ସମସ୍ତଂକ
ଅଲକ୍ଷ୍ୟରେ ସେ ନିଜ ବ୍ୟାଗ୍ର ଜିପ୍ ଖୋଲି ପୁଣି ଥରେ ନୁଆ ଲୁଗାଟି ଥିବା ନିଶ୍ଚିତ କରିନେଲା I
ଜବାନ ଜଣକ ଯେତେବେଳେ ଉଚ୍ଚ ବିଦ୍ୟାଳୟର
ଛାତ୍ର ସେ ସମୟରୁ ସେ ପ୍ରତି ଖରାଛୁଟିର ହଷ୍ଟେଲ ଖୋଲିବା ଆଗରୁ ନିଶ୍ଚିତ ଋପେ ସାଂଗର ଗାଁକୁ
ବୁଲି ଆସୁଥିଲା I ନିଜ ଗାଁର ମିଠା ଆମ୍ବ ଓ ମା’ର ହାତ ତିଆରି ଅଳସୀ ପିଠା ଧରି ସେ ସାଂଗର ଘରେ ପହଂଚି ଯାଉଥିଲା I ଲୁଚାଇକରି ପୁଣି ସାଂଗର ସାନ ଭଉଣିକୁ ଦେଉ ଥିଲା ବଜାରରୁ
କିଣିଆଣିଥିବା କେବେ କେବେ ସୁନ୍ଦର ମୁଣ୍ଡ କ୍ଲିପ୍ ତ ପୁଣି କେବେ ବେକର ମାଳି I ବଡ଼ ଲାଜ କରେ ଝିଅଟି I
ବେଶ କିଛି ଦିନର ରହଣି ଭିତରେ ଜଂଗଲର ଏହି
ପ୍ରତ୍ୟେକ ଇଂଚକୁ ଚିହ୍ନିବା ପାଇଁ ଚେଷ୍ଟା କରନ୍ତି ଦୁଇ ସାଂଗ ଓ ସେମାନଂକ ଅନ୍ୟ
ମିତ୍ରମାନେ I ପୁଣି ନିଜ ଗ୍ରାମକୁ ଫେରିବା ସମୟ ହେଲେ ନିଜର କଲମଟି ଦେଇ ସାଂଗର ଭଉଣିକୁ ଚିଠିଲେଖିବାକୁ
ବାଧ୍ୟ କରୁଥିଲା I ସେହି ଭିତରେ ଦୂର
ଗ୍ରାମର ସେହି କିଶୋର ଜଣକ ତା’ର ଅଲେଖରେ ଟାଣି ଦେଇଥିଲା ଛୋଟ ରେଖାଟିଏ ଏହି ଗ୍ରାମ୍ୟ କିଶୋରୀର
ମନରେ I ଦିନ ଯିବା ସହିତ
ସେହି ଛୋଟ ରେଖାଟି କ୍ରମଶଃ ଗାଢ଼ ହେଉଥିଲା I ସେ କ’ଣ ଜାଣିଥିବ ଯେ ନୁନି
ପାଇଁ ଏଥର କିନ୍ତୁ ଜବାନ ଜଣକ ସହରରୁ କିଣି ଆଣିଥିବା ସୁନ୍ଦର ହଳଦିଆ ଲୁଗା ତା’କୁ ଉପହାର ଦେଇକହିବ, ‘ଆସନ୍ତା
ଫଗୁଣ ମାସର ତିଥି ଦେଖି ତୋତେ ନେଇ ଯିବି ମୋର
ଘରକୁ I’ କିଏ କହିଲା ଯୁଦ୍ଧ ଓ ପ୍ରେମ ଏକା ସହିତ ଚାଲିପାରନ୍ତି ନାହିଁ I ଯୁଦ୍ଧକ୍ଷେତ୍ରରେ ଆହତ ଜବାନକୁ ପ୍ରେମ ହିଁ ପୁନଃ ବଂଚିବାର ଉସ୍ଛାହ
ଦିଏ I ଜବାନ ଜଣକ ନିଜ
ବ୍ୟାଗ ବୋତଲରୁ ଢୋକେ ପାଣିପିଇଲା I
ଏଥର ନିଜର ଅଭିଞତା ଆଧାରରେ ସେ ଏକ ଶକ୍ତ ଗଛର
ସଳଖ ଡାଳଟିଏ ହାଣିଲା I ସେହି ଡାଳଟିର ସମଗ୍ର ଶାଖା ପ୍ରଶାଖାକୁ ନିଜର ଶକ୍ତ ଛୁରୀ ଦ୍ୱାରା
କାଟି ସଫା କରିଦେଲା ଓ ତା’କୁ ଏକ ଶକ୍ତ ଠେଂଗାରେ ପରିଣତ କରିଦେଲା I ସେହି ଡାଳ ରୂପୀ ଶକ୍ତ ଠେଂଗାକୁ ମୃତ ବ୍ୟକ୍ତିର ପିଣ୍ଡୁଳା ଉପରକୁ
ଉଠି ରହିଥିବା ଦଉଡ଼ିର ଅଗ୍ରଭାଗର ଫାଶ ମଧ୍ୟରେ ଭର୍ତ୍ତି କରିଦେଲା I ଏଥର ନିଜର ସାଂଗକୁ ଡାକି ଉଭୟ ଠେଂଗାର ଦୁଇ ପାର୍ଶ୍ୱକୁ ଟେକିବାକୁ
ଲାଗିଲେ I ଏଥର ସେ ପୁଣି ନିଜର
ଅଭିଜ୍ଞତା ଆଧାରରେ ପିଣ୍ଡୁଳାକୁ ପୁର୍ଣ୍ଣ ଗୋଲେଇ କରିବା ସହିତ ଠେଂଗାର ମଧ୍ୟ ସ୍ଥଳୀ ସହିତ ଜରିର
ଉପର ଭାଗକୁ ବାନ୍ଧିଦେଲା I
ବେଶ ଜଣାପଡ଼ୁଥିଲା ଜବାନ ଜଣକ ନିଜର ଚାକିରି ଜୀବନ ମଧ୍ୟରେ ଏ ସବୁ
ବିଷୟରେ ଆଗରୁ ପ୍ରଶିକ୍ଷିତ I ହୁଏତ ଏପରି ପରିସ୍ଥିତି ସେ ମଧ୍ୟ ନିଜେ କେଉଁଠି ସମ୍ମୁଖିନ ହୋଇସାରିଛି I ନଚେତ୍ତ ଏପରି ନିର୍ଲିପ୍ତ ଭାବରେ କାହାରି ନିର୍ଦେଶକୁ ପାଳନ କରିବା
ସଦୃଶ ଯେମିତି ଗୋଟେ ପରେ ଗୋଟେ କାମ କରିଚାଲିଛି ତାହା ହୁଏତ ଅସମ୍ଭବ ହୋଇଥାନ୍ତା I
“ତୁମେ ଆଗ ବାମ ଗୋଡ଼ ପକାଅ I”
“ହଁ, ଠିକ ସେହି ସମୟରେ
ତୁମେ ମଧ୍ୟ ବାମ ଗୋଡ଼ ଆଗକୁ ପକାଅ I”
“ହଁ ,ଏଥର ଆଗବାଲା ଡାହାଣ
ଗୋଡ଼ ଦିଅ I”
“ଏଥର ବୋହି କରି କିଛି ବାଟ ଚାଲ I”
“ରହିଯାଅ I ଏଥର ଦୌଡ଼ିଟାକୁ ଶକ୍ତ କରି ବାନ୍ଧିଦିଏ I ନଚେତ୍ତ ଖୋଲିଯିବ I”
ଏହାପରେ ଦୁଇ ଜଣ ଗ୍ରାମବାସୀ ସେହି ମୃତ
ବ୍ୟକ୍ତିର ପିଣ୍ଡୁଳାକୁ କାନ୍ଧରେ ବୋହିନେବେ I
ମୃତ ବ୍ୟକ୍ତିର ପିଣ୍ଡୁଳାକୁ ପୁଣିଥରେ ସଜାଡ଼ି ଦେଉ ଦେଉ ଜବାନ ଜଣକ ସେମାନଂକୁ ପୁଣିଥରେ
ଛୋଟ ଆକାରର ଏକ ପ୍ରଶିକ୍ଷଣ ମଧ୍ୟ ଦେଲା I ମୃତ ବ୍ୟକ୍ତି ଭାର ବୋହିବା
ପାଇଁ ସେହି ଭିଡ଼ ମଧ୍ୟରୁ ଆଗକୁ ବାହାରି ଆସିଥାଂତି ସେହି ମୃତ ବ୍ୟକ୍ତିର ଦୁଇ ବନ୍ଧୁ I ଏଥର ସମସ୍ତ ଗ୍ରାମବାସୀ ମୃତ ବ୍ୟକ୍ତିକୁ ନେଇ ଯିବେ ମାରିଥିବା
ବ୍ୟକ୍ତିର ମାଲିକ ପାଖକୁ ଓ ଏଥର ମାଗିବେ ସେମାନେ ଜବାବ – ମାରିଥିବା ବ୍ୟକ୍ତି ମାନଂକୁ “ଉପଯୁକ୍ତ
ଦଣ୍ଡବିଧାନ” ନଚେତ୍ତ ଘୋଷଣା କରିବେ, “ତୁମ ସାମ୍ରାଯ୍ୟରେ ଆମର ବଂଚିବା ଅସମ୍ଭବ”.
“ସରକାର କ’ଣ ଫେରାଇ ପାରିବେ
କ୍ରନ୍ଦନରତ ମା’କୁ ତା’ର ପୁଅ?”... “କେଉଁ ସାହସରେ ତେବେ ଜବାନ ପଠାଇ ହତ୍ୟା କରୁଛନ୍ତି?”.....
ସେହି ଭିଡ଼ ଭିତରୁ ବେଶ କିଛି ଟୋକା ସରକାର ବିରୋଧରେ ଉଦ୍ଗାରି ସାରିଲେଣି ନିଜର କ୍ରୋଧ I ହେଲେ ଜବାନ ଜଣକ
ସେଥିରେ ଅସ୍ୱସ୍ତି ଅନୁଭବ କରିନାହିଁ I ଗ୍ରାମବାସୀଂକର ନିଜ ଭିତରୁ ଜଣକୁ ହରାଇବାର କଷ୍ଟକୁ ସେ ମଧ୍ୟ ନିଜ ଭିତରେ ଅନୁଭବ କରିପାରୁଥିଲା I ସେ ଜାଣିପାରିଥିଲା ମୃତ
ବ୍ୟକ୍ତି ଜଣକ ଶତୃ ପକ୍ଷର କୌଣସି ଅସ୍ତ୍ରଧାରୀ ଜବାନ ନୁହେଁ ଯିଏ ଛୁପି ଛୁପି ହୁଏତ କୌଣସି ବି
ଦିଗରୁ ଆକ୍ରମଣ କରିଥାନ୍ତା I
ଜଂଗଲ ଭିତରୁ ଏଥର ସେହି ଶବଧାରୀମାନେ ଓ ଉପସ୍ଥିତ ଗ୍ରାମବାସୀ ସମସ୍ତେ ବାହାରିଆସିଲେ I ଗାଁ ମୁଣ୍ଡ ତେନ୍ତୁଳି ଗଛ ମୂଳେ ଜମା ହୋଇଥିଲେ ବେଶ୍ କିଛି ମହିଳା I ସେମାନେ ଏକାଥରେ ଜୋର୍ରେ କାନ୍ଦିବାରେ ଲାଗିଲେ I ସେମାନଂକ କ୍ରନ୍ଦନରେ ଗଛର ପତ୍ରର ଆଖିରୁ ମଧ୍ୟ କାକର ନୁହେଁ ଲୁହ
ଝରୁଥିଲା I ପକ୍ଷିମାନେ ଯେମିତି ନୀରବୀ ଯାଇଥିଲେ I ଗାଁରୁ ବାଛୁରୀମାନଂକର ହମ୍ମା ରଡ଼ି କି କୁକୁରମାନଂକର ଭୁକିଲା ଶବ୍ଦ ସବୁ
ଯେମିତି ନୀରବି ଯାଇଥିଲା I ଏମାନେ ସମସ୍ତେ ଯେମିତି ଝୁରୁଥିଲେ ସେହି ବିଗତ ପ୍ରାଣକୁ I
ଗାଁ ପାରି ହୋଇ ଏଥର ଶବାଧାରଟି ପଂଚାୟତ
ଆଡ଼କୁ ପଡ଼ିଥିବା ରାସ୍ତାକୁ ଧରିଲା I କିଛି ବାଟ ଗଲେ ନଦୀ, ନଦୀ ପାର ହୋଇଗଲେ ପଡ଼ିବ ପଂଚାୟତ ଅଫିସ I ଭିଡ଼ର ଲକ୍ଷ ନିଜର ସେହି ପଂଚାୟତ ଅଫିସ I ତା’ ପରେ ଅଂଚଳବାସୀ
ପୁଣି ଯୋଜନା କରିବେ I ନିଜର ପ୍ରତିବାଦ ଜଣାଇବା ପାଇଁ ସେମାନେ ହୁଏତ ଯାଇପାରନ୍ତି ଜିଲ୍ଲାର ମୁଖ୍ୟ ଅଫିସକୁ
ନଚେତ୍ତ ଅବରୋଧ କରିପାରନ୍ତି ପାଖଦେଇ ଯାଇଥିବା ଜାତୀୟ ରାଜପଥକୁ I
ଭିଡ଼ର ପଛେ ପଛେ ଚାଲିଛି ଜବାନ ଜଣକ, ତା’ ସହିତ ନିଜର ସେହି
ପିଲା ବେଳର ସାଥୀ ମଧ୍ୟ I ସାଥୀଜଣକ ମୃତ ବ୍ୟକ୍ତିର ପରିବାର ସମ୍ପର୍କରେ କହିଚାଲିଛି, ‘କେମିତି
ସେ ଜଣକ ନିଜର ଜ୍ଞାତି’ I କହିଚାଲିଛି ମୃତ ବ୍ୟକ୍ତି ଜଣକ ତାଂକର କୁଟୁମ୍ବ, ଦୁର ସମ୍ପର୍କରେ
ଭାଇ I କହିଚାଲିଛି ଏବେ
ପୁଅ ମରିଗଲା ପରେ ବିଧବା ମା’ର କଥା - ଘରେ ଚାଷ କରିଦେବ କିଏ, ଜଂଗଲରୁ କାଠ
ଆଣିଦେବ କିଏ; ଗଛ ଚଢ଼ି କିଏ ତୋଳିବ ଆମ୍ବ, ପଣସ ଓ ତେନ୍ତୁଳି; କିଏ ସବୁ ଦିନ
ବଳଦମାନଂକୁ ଆହାର ଦେବ; କିଏ ନେଇ ଯିବ ସେମାନଂକୁ ଚରେଇବାକୁ ଜଂଗଲକୁ I ବୁଢୀ ନିଜ ଭାଇର ଝିଅକୁ ପୁଅ ପାଇଁ ଘରକୁ ବୋହୁ କରି ଆଣିବ ବୋଲି ଗଲା ବର୍ଷର
ଅନୁରୋଧ କରିଥିଲା ଭାଇକୁ I ସୁଖେ ସୁଖେ ସେମାନଂକ ସଂସାରକୁ ବାଟେଇ ଦେଇ ସେ ପାଲଟି ଯାଇଥାନ୍ତା ଡୁମା I ସରକାରୀ ଗୁଳି ତା’କୁ କାହିଁକି ଭେଦିଲା ନାହିଁ ? ମା’ର କ୍ରନ୍ଦନ ମଧ୍ୟରୁ
ଶୁଣାଯାଉଛି ସେହି କଥାଗୁଡ଼ାକ I
ସେହି ଭିଡ଼ଟି ଏଥର ନଦୀ ପାଖରେ ପହଂଚିଗଲା I ଜବାନ ଜଣକ ଦୃତ ବେଗରେ ଆଗକୁ ଆସି ଏଥର ପିଣ୍ଡୁଳାଟିକୁ ଆହୁରି ଉଚା
କରି ବାନ୍ଧି ଦେଲା I ପୁଣି ଭିଡ଼କୁ ନଦୀ ପାରିହେବା ପାଇଁ ବାଟ ଛାଡ଼ି ଦେଇ ନିଜେ ରହିଗଲା
ନଦୀର କୂଳରେ I
ଜବାନର ସାଥୀ ଜଣକ ବାଧ୍ୟ କରୁଛି, “ଚାଲେ, ଆମ ସହିତ” I ହେଲେ ଜବାନ ଜଣକ ନିଶ୍ଚଳ I ବୋଧହୁଏ ସାନ ଭଉଣିକୁ
ଦେଖାକରିବ ଗାଁରେ - ସାଥି ଜଣକ ନିଜ ମନକୁ ବୁଝାଇ ଆଗେଇଗଲା ଭିଡ଼ ସହିତ I ଭିଡ଼ର ପ୍ରତ୍ୟେକ
ସଦସ୍ୟ ଜବାନ ଜଣକର ହାତକୁ ଟାଣୁଛନ୍ତି I ବେସରକାରୀ ପୋଷାକରେ
ଥିବା ଏହି ସରକାରୀ ଜବାନକୁ ସେମାନେ ଧରିନେଇଥିଲେ ସେମାନଂକ ନିଜ ଲୋକ I ହାତକୁ ପ୍ରତ୍ୟେକେ ଟାଣିବା
ବେଳେ କିନ୍ତୁ ସମସ୍ତଂକୁ ସେହି ‘ନାଁ’ର ସଂକ୍ଷିପ୍ତ ଉତ୍ତର ଦେଇଚାଲିଛି ଜବାନ ଜଣକ I ‘ସେମାନଂକ
ସାହାଯ୍ୟକର୍ତ୍ତା ଜଣକ ନଦୀ କୂଳରେ ଏପରି ନିଶ୍ଚଳ ହୋଇଗଲା କାହିଁକି ?’,
ସମସ୍ତଂକ ମନରେ ଏହି କାହିଁକିର ଭିନ୍ନ ଭିନ୍ନ ଉତ୍ତର I ସମସ୍ତେ ଜାଣନ୍ତି ଏହି ଜବାନକୁ I ଆଗରୁ ଆସିଛି I ସେମାନଂକ ସହିତ ଏହି ନଦୀରୁ ମାଛ ଧରିଛି I ଗଛର ପଣସ ଉତ୍ତରାଇ ଭୋଜିକରିଛି I ଅଥଚ ଆଜି କେମିତି ଏଇଠି ରହିଯାଉଛି !
ଏଥର ସବା ଶେଷରେ ଆସୁଥିବା ଝିଅଟିଏ ନିଜର
ଲଜ୍ୟା ଛାଡ଼ି ଧରିପକାଇଲା ଜବାନର ହାତକୁ I
“ଚାଲ,ଆମ ସହିତ”, ସଂକ୍ଷିପ୍ତ ଅନୁରୋଧ
କଲା ସେଦିନ ଧାଂଗଡ଼ି ଝିଅଟି I
ତାକୁ ଦେଖି ଖୁସିରେ ଗଦ୍
ଗଦ୍ ହୋଇଗଲା ଜବାନ ଜଣକ . “ତୋତେ ଦେଖା କରିବା ପାଇଁ ତ ଆସିଥିଲି ତୋ’ର ଗାଁକୁ I ଏତେ ବେଳ ଯାଏଁ ଥିଲୁ କେଉଁଠି? କାଲିକି
ମୋର ଛୁଟି ସରିଯିବ I”
“ମୁଁ ଜାଣିଛି”, ନିଜର
ଦୁଃଖକୁ ଚାପିରଖି ଝିଅଟି ଉତ୍ତର ଦେଲା I
“କେମିତି?”
“ତୁମେ ଛୁଟିରେ ଗାଁକୁ
ଆସିଥିବା କଥା ଭାଇ କହୁଥିଲା I”
ସେ ଯେ ତା’କୁ ଅପେକ୍ଷା କରିଥିଲା
ଏକଥା ଜବାନ ବୁଝିପାରିଲା I “ତୋ ପାଇଁ ଗୋଟେ ଲୁଗା ଆଣିଛି I ଦେଖିବୁ?”
“ତୁମକୁ ଲାଜ ନାହିଁ ! ଏଥର
ଆସ ଆମ ସହିତ I” ଝିଅଟି ପୁଣି ଜବାନର ହାତ ଧରି ଟାଣିଲା I
ଜବାନଟି ଏଥର ପୁଣି ମୁଣ୍ଡ
ପୋତି ଉତ୍ତର ଦେଲା “ନାଁ” I
“କାହିଁକି?”
ପୁଣି ଜବାନ ନିଋତ୍ତର I
ଏଥର ଝିଅଟି ପୁଣିଥରେ
ଜବାନର ହାତକୁ ଦୋହଲାଇଦେଇ ପଚାରିଲା, “କା-ହିଁ-କି?”
“ସରକାରକୁ ବିରୋଧ କରିବା
ମୋ ପାଇଁ ଅପରାଧ I” ଜବାନ ଉତ୍ତର ଦେଲା I
ଏଥର ଝିଅଟିର ଉତ୍ତପ୍ତ ଆଖି
ସହିତ ଜବାନର ଆଖି ଭେଟା ଭେଟି ହୋଇଗଲା I ଜବାନ ଜଣକ ନିଜର
ଅସହାୟତା ପ୍ରକଟ କରି ବେଶ ଦୂର ଚାଲିଯାଇଥିବା ସେହି ଭିଡ଼ ଆଡ଼କୁ ଚାହିଁଲା I ଝିଅଟି ଏଥର ଜବାନକୁ ଜୋରରେ ଠେଲିଦେଲା ଓ ନିଜେ କାନ୍ଦି କାନ୍ଦି ନଦୀ
ଆଡ଼କୁ ଦୌଡ଼ିବାରେ ଲାଗିଲା I
ହେଲେ ଝିଅଟିର ମନ ବୁଝିଲା ନାହିଁ I ସେ ପୁଣି ଆଣ୍ଠୁଏ ପାଣିରେ ଠିଆ ହୋଇ ପଛକୁ ଚାହିଁଲା I ଜବାନଟି କିନ୍ତୁ ଏଥର ହାତରେ ନୁଆ ଲୁଗା ଖଣ୍ଡକ ଧରି ଠିଆ ହୋଇଥିଲା I ସେ କହିବାକୁ
ଚାହୁଁଥିଲା ଝିଅକୁ, ଗାଁର ନୁହେଁ ବରଂ ତା’ ସହିତ ସରକାରୀ
ପାଲଟି ଯା’ ଏଥର I ସେହି ନଦୀର ମଝିରେ ଠିଆ ହୋଇ କିନ୍ତୁ ଝିଅଟି ଜୋର୍ରେ ପାଟିକରି ଉଠିଲା “ନାଁ” I
ଏଥର ନଦୀ ଯେମିତି ବୋହି ନେଲା ସେହି “ନାଁ”କୁ ଓ ପିଟିଦେଲା ପାହାଡ଼ର କାନ୍ଥରେ I ପାହାଡ଼ ପୁଣି ଯେମିତି ଫେରାଇ ଦେଉଥିଲା ସେହି “ନାଁ”କୁ ଏକ ଦୀର୍ଘ
ନିଃଶ୍ୱାସରେ I ପବନ ବୋହିଚାଲୁଥିଲା ସୁ ସୁ ଶବ୍ଦରେ I କିଛି କ୍ଷଣ ମଧ୍ୟରେ ଝିଅଟି
ନିଜର ଭବିଷ୍ୟତ ଠିକ୍ କରିଦେଲା I ସେ ନିଜେ ପିନ୍ଧିଥିବା ସାଲୁଆର ପଂଜାବୀର ଓଢ଼ଣିକୁ ନଦୀର ସେହିଧାରରେ
ଭସାଇଦେଲା ଓ ଦୌଡ଼ିଲା ସେହି ଭିଡ଼ ଆଡ଼କୁ ଯେଉଁଠି ତା’ର କୁଟୁମ୍ବ
ଚାଲିଥିଲା ଉତ୍ତର ମାଗିବାକୁ I ଜବାନର ମନେ ପଡ଼ିଲା ଗଲା ଛୁଟିରେ ଠିକ୍ ଏମିତି ଆସିଥିଲା ବେଳେ ସେ
ସେହି ପୋଷାକ ହଳକ ଆଣିଦେଇଥିଲା ତା’ ପାଇଁ I
ଭାସିଚାଲିଥିବା ଓଢ଼ଣିକୁ ଦେଖି ଜବାନ ଜଣକ ପ୍ରଶ୍ନିଳ ଆଖିରେ
ଭାବିଚାଲିଥିଲା ନିଜର ଭବିଷ୍ୟତକୁ, ସେ ଏବେ ଯାଇ ଓଢ଼ଣିକୁ ଉଠାଇ ଆଣିବ ନା ନିଜ ହାତର ଲୁଗାକୁ ନଦୀର
ଧାରରେ ଭସାଇଦେବ I
ମୋବାଇଲ : 9437762272 ଇମେଲ : debasar11@yahoo.co.in
No comments:
Post a Comment