“ମୁଁ ଗୌରୀ ଲଙ୍କେଶ” – ଅଭିବ୍ୟକ୍ତିର ହତ୍ୟା ବିରୁଦ୍ଧରେ ଏକ
ପ୍ରତିବାଦ
ଗଲା ତିନି ବର୍ଷ ମଧ୍ୟରେ ଏହା ତୃତୀୟ ଘଟଣା ଯେଉଁଠି ଧର୍ମାନ୍ଧ
ରାଜନୀତିର ବିପକ୍ଷରେ ଦେଶବ୍ୟାପୀ ବହୁ ସୃଜନଶୀଳ ଲେଖିକା/ଲେଖକ, କବି, ସାମ୍ବାଦିକ, ଫିଲ୍ମ ବ୍ୟକ୍ତିତ୍ଵ ଓ ଛାତ୍ରୀଛାତ୍ରଙ୍କ ସହିତ ଅନେକ ମାନବିକ ଅଧିକାର କର୍ମୀ ଗୌରୀ
ଲଙ୍କେଶଙ୍କ ହତ୍ୟା ପ୍ରତିବାଦରେ ଏକାଠି ହେଉଛନ୍ତି । ଏହା ପୂର୍ବରୁ କର୍ଣ୍ଣାଟକର କଲବୁର୍ଗୀ, ମହାରାଷ୍ଟ୍ରର ଡାଭୋଲକର ଓ ଗୋବିନ୍ଦ ପାନସରଙ୍କ ହତ୍ୟା ବିରୋଧରେ ବହୁ ଲେଖକ, କବି, ନାଟ୍ୟକାର ଓ ଫିଲ୍ମ ନିର୍ମାତା ଅତୀତରେ ବିଭିନ୍ନ
ସରକାରଙ୍କ ଦ୍ଵାରା ଦିଆଯାଇଥିବା ପୁରସ୍କାରକୁ ଫେରାଇଥିଲେ । ଭିନ୍ନମତ ରଖୁଥିବା ବ୍ୟକ୍ତିଙ୍କ
ପ୍ରତି ଧର୍ମାନ୍ଧଙ୍କ ଅସହିଷ୍ଣୁତା ବିପକ୍ଷରେ ସେମାନେ ପ୍ରତିବାଦ କରିଥିଲେ । ଗୋରକ୍ଷକଙ୍କ ଦ୍ଵାରା
ଗୁଜୁରାଟର ଉନା ସହରରେ ଦଳିତ ଯୁବକଙ୍କୁ ଆକ୍ରମଣ, ରାଜସ୍ଥାନରେ ଫେଲୁ
ଖାଁ, ଉତ୍ତର ପ୍ରଦେଶର ଅହମ୍ମଦ ଅଖଲାକ ଓ ଦିଲ୍ଲୀର ଚଳନ୍ତା ଟ୍ରେନରେ ଯୁନେଦ
ଖାଁର ହତ୍ୟା ପ୍ରତିବାଦରେ “ମୋ ନାମରେ ନୁହେଁ” ଏକ ସ୍ଲୋଗାନ ତଳେ ଏହିଭଳି ଅନେକ ମାନବବାଦୀ ପୁଣି
ଥରେ ଏକାଠି ହୋଇଥିଲେ । ପ୍ରତିବାଦର କାରଣ ଥିଲା ହିନ୍ଦୁ ଧର୍ମାନ୍ଧଙ୍କ ଦ୍ଵାରା ଧର୍ମ ନାମରେ
ଘୃଣାର ପ୍ରସାର । ଏ ସମସ୍ତ କ୍ଷେତ୍ରରେ ସରକାରୀ ଦଳ ଧର୍ମାନ୍ଧ ହତ୍ୟାକାରୀଙ୍କୁ ପ୍ରଶ୍ରୟ
ଦେବା ଦ୍ଵାରା ଏହା ନିଶ୍ଚିତ ହେଉଛି ଯେ ସେମାନେ ସମସ୍ତେ ହିନ୍ଦୁତ୍ଵ ସମାଜ ଗଠନର ଉଦ୍ୟମରେ
ଲାଗିଛନ୍ତି । “ମୁଁ ଗୌରୀ ଲଙ୍କେଶ”, “ମୋ ନାମରେ ନୁହେଁ” ଓ ଅସହିଷ୍ଣୁତା ବିପକ୍ଷରେ ସ୍ଲୋଗାନ ଦେଇ ଆଜି ଅନେକ ବ୍ୟକ୍ତି ହିନ୍ଦୁତ୍ଵ
ବିଚାର ଆଧାରିତ ସମାଜ ଗଠନ ଉଦ୍ୟମକୁ ବିରୋଧ କରୁଛନ୍ତି ।
ଧର୍ମର ବ୍ୟାପକତାକୁ ଭୁଲି ଯାଇ ନିଜ ବିଚାର
ଅନୁସାରେ ଧର୍ମ ବିଶ୍ଵାସ ଆପଣେଇବା ପାଇଁ ବାଧ୍ୟ କରିବା ଓ ଏହା ନକଲେ ହତ୍ୟା ଭଳି ଚରମ ପଦକ୍ଷେପ
ନେବାକୁ ହିଁ ଫାଶିବାଦ କୁହାଯାଏ । ଏହି ଫାଶିବାଦ ନିଜ ପାଇଁ କିଛି ଧର୍ମାନ୍ଧ ଅବଶ୍ୟ
ତିଆରିକରିଦିଏ ଯେଉଁମାନେ ଗଣତନ୍ତ୍ର ଦେଶରେ ରାଜତନ୍ତ୍ର ଥିଲା ଭଳି ବ୍ୟବହାର କରନ୍ତି ଓ
ନିର୍ବାଚିତ “ରଜା”ଙ୍କ ଅନ୍ଧ ସମର୍ଥକ ପାଲଟିଯା’ନ୍ତି । ଦିଲ୍ଲୀର ଚଳନ୍ତା ଟ୍ରେନରେ ସାଧାରଣ ବଗି ମଧ୍ୟରେ ବସିଥିବା ଯୁନେଦ ଖାଁ ଓ ତା’ର ଭାଇକୁ କେବଳ ତା’ର ମୁଣ୍ଡରେ ଟୋପି ଦେଖି ତା’କୁ ଗୋମାଂଶ ଖାଉଥିବାର ସନ୍ଦେହରେ ସାଧାରଣ ରେଳଯାତ୍ରୀମାନେ ହତ୍ୟା କଲେ ଓ ତା’ର ଭାଇଙ୍କୁ ଅଧାମରା କରି ଗାଡିରୁ ଫୋପାଡିଦେଲେ । ସାମ୍ବାଦିକ ଗୌରୀ ଲଙ୍କେଶଙ୍କ
ହତ୍ୟାର ଠିକ ପରେ ପରେ ସୋସିଆଲ ମିଡିଆରେ ବେଶ କିଛି ଉତକ୍ଷିପ୍ତ ଅତି ଶିକ୍ଷିତ ବର୍ଗ ଜଣେ ମହିଳା
ସାମ୍ବାଦିକ ଓ ଲେଖିକାର ହତ୍ୟାକୁ ଯଥାର୍ଥ ବୋଲି ଯୁକ୍ତି କରୁଥିଲେ । ସେମାନଙ୍କ
ଯୁକ୍ତି ଥିଲା ଯେ ଗୌରୀ ଲଙ୍କେଶ ବାହାର ଶକ୍ତିର ଦଲାଲ୍ ସାଜିଛନ୍ତି ଇତ୍ୟାଦି । ଏ
କ୍ଷେତ୍ରରେ ରେଳଯାତ୍ରୀ ଓ ସେହି ସୋସିଆଲ ମିଡିଆରେ ସେହିପରି କମେଣ୍ଟ ରଖୁଥିବା ବ୍ୟକ୍ତିର
ମାନସିକତା ମଧ୍ୟରେ କୌଣସି ଫରକ ନାହିଁ । ସେମାନେ ସମସ୍ତେ ସଙ୍ଘପରିବାରର ଭାଷା ବ୍ୟବହାର
କରୁଥିଲେ । ଏ ପ୍ରକାରର ପ୍ରତିକ୍ରିୟା ଗଣତନ୍ତ୍ରକୁ ପୁଣି ସେହି ରାଜତନ୍ତ୍ର ବା ଫାଶିବାଦ ଆଡକୁ
ନେଇଯାଉନାହିଁ ତ?
ଦେଶରେ ନାରୀ ଆନ୍ଦୋଳନ ଆମକୁ ଏକଥା ଶିଖାଇଲା
ଯେ ନାରୀ ପୁରୁଷ ସମାନ;
ନାରୀର ସେହି ସମାନ କାର୍ଯ୍ୟ କରିବାର ଅଧିକାର ରହିଛି ଯାହା ପୁରୁଷର ରହିଛି; ନାରୀ କେବଳ ସନ୍ତାନ ଜନ୍ମ କରିବା ଯନ୍ତ୍ର ନୁହେଁ ତା’ର
ମଧ୍ୟ ନିଜର ପିନ୍ଧିବା, ଇଚ୍ଛା ଅନୁସାରେ ଖାଦ୍ୟ ଖାଇବା ଓ ମୁକ୍ତ
ଭାବରେ ବିଚରଣ କରିବାର ଅଧିକାର ରହିଛି ଯାହା ପୁରୁଷର ରହିଛି । ଏହ ହେତୁ ନାରୀର ଅର୍ଥନୈତିକ
ସ୍ଵାଧିନତା ଯେ ଆବଶ୍ୟକ ଏକଥା ସ୍ଵାଧୀନତା ପରଠାରୁ ସ୍ଵୀକାର କରାଯାଇଛି । ନାରୀ ଆନ୍ଦୋଳନ ଏକଥା
ମଧ୍ୟ ଶିଖାଇଲା ଯେ ନାରୀ ତା’ର ସୁରକ୍ଷା କରିବା ସେ ନିଜେ ଜାଣେ ବରଂ
ପୁରୁଷର ମାନସିକତା ନାରୀ ପ୍ରତି ଯାହା ରହିଆସିଛି ତାହା ବଦଳିବା ଆବଶ୍ୟକ । କିନ୍ତୁ ହିନ୍ଦୁ
ଧର୍ମାନ୍ଧ ଗୋଷ୍ଠୀର ମୁଖ୍ୟମାନେ ରାମାୟଣର ସୀତାଙ୍କୁ ଆଦର୍ଶ ନାରୀ ଭାବରେ ଚିତ୍ରିତ କରୁଛନ୍ତି ।
ସେମାନେ କୁହନ୍ତି ନାରୀର ଆଚରଣକୁ କେବେବି ସନ୍ଦେହ କରାଯାଇପାରେ ଯଦି ସେମାନେ ନିର୍ଦ୍ଦିଷ୍ଟ
ନିୟମ ମଧ୍ୟରେ ନରୁହନ୍ତି । ‘ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ’ର ବର୍ତ୍ତମାନ ମୁଖ୍ୟ ମୋହନ ଭଗତ ବାରମ୍ବାର କହିସାରିଲେଣି ଯେ ନାରୀ ଘରର ଦାୟିତ୍ଵ
ସମ୍ଭାଳିବା ଆବଶ୍ୟକ ଓ ପୁରୁଷର ଦାୟିତ୍ଵ ରହିବ ରୋଜଗାର କରିବା । ସେଥିପାଇଁ “ପାଶ୍ଚାତ୍ୟ
ସଂସ୍କୃତି” ନାମରେ ବାଙ୍ଗାଲୋରରେ ରେଷ୍ଟରାଣ୍ଟ, କ୍ୟାଫ୍ଫେ ଓ ପବରେ
ଝିଅଙ୍କୁ ଆକ୍ରମଣ ହେଲା ଓ ଝିଅଙ୍କୁ ଜିନ ପିନ୍ଧିବାକୁ ବାରଣ କରାଗଲା । (ଅଥଚ
ଭାରତୀୟ ସଂସ୍କୃତିର ନାମରେ ପୁରୁଷମାନଙ୍କୁ ଧୋତି ଚାଦର ପିନ୍ଧିବାକୁ ବାଧ୍ୟ କରାଗଲାନାହିଁ ।) ନିଜର ଆଗ୍ରହ
ଅନୁସାରେ ପ୍ରେମ କରିବା ନୁହେଁ ବରଂ ନିଜର ଜାତି ଓ କୁଳ ଅନୁସାରେ ଅର୍ଥାତ ପିତାମାତାଙ୍କ
ନିର୍ଦ୍ଦେଶ ଅନୁସାରେ ବିବାହ କରିବା ଜରୁରୀ, ଏହି କଥା ‘ଭାଲେଣ୍ଟାଇନ ଦିବସ‘ରେ
ଆକ୍ରମଣ ଅବସରରେ କୁହାଗଲା । ରାଷ୍ଟ୍ରୀୟ ସ୍ଵୟଂସେବୀକା ସଂଘରେ ନାରୀର ଯେ କିଛି ଅଧିକାର ରହିଛି
ସେ ସପକ୍ଷରେ ଯୁକ୍ତି କରାଯାଏ ନାହିଁ । ଏଠାରେ ଶିକ୍ଷା ପାଇଥିବା ସେବିକା ଯୁକ୍ତି କରନ୍ତି, “ସ୍ଵାମୀ ଠାରୁ ମାଡ ଖାଉଥିବା ସ୍ତ୍ରୀ ସର୍ବଦା ସ୍ଵାମୀର ମନ ଦେଖି ବ୍ୟବହାର କରିବା
ଆବଶ୍ୟକ, ବିରୋଧ କରିବା ନୁହେଁ । ତେବେ ସ୍ଵାମୀର ଅତ୍ୟାଚାର କମିଯିବ ।
ଛାଡପତ୍ର କୌଣସି ସ୍ଥିତିରେ ଗ୍ରହଣୀୟ ନୁହେଁ ।“ (ଆଉଟଲୂକ ପତ୍ରିକା, ଜାନୁଆରୀ
21, 2013) ଏହା ଗୌରୀ ଲଙ୍କେଶଙ୍କର ବୋଧ ହୁଏ ଅପରାଧ ଥିଲା ଯେ ଜଣେ
ସ୍ଵାଧୀନଚେତା ମହିଳା ଭାବରେ ସେ ହିନ୍ଦୁ(ତ୍ଵ)ରାଷ୍ଟ୍ର ଗଠନକୁ ବିରୋଧ କରିଆସୁଥିଲେ ।
ରାମାୟଣ ଗ୍ରନ୍ଥ ଅନୁସାରେ ରାମ ନିଜେ ଶଂଭୂକ
ଶୂଦ୍ର ହୋଇ ଜ୍ଞାନ ଆହରଣ କରିବା ଓ ବ୍ରାହ୍ମଣ ନହୋଇ ତପସ୍ୟା କରିବାକୁ ବିରୋଧ କରି ତା’କୁ ହତ୍ୟା କରିଥିଲେ । ଆଜି
ସଂଘ ପରିବାର ଦଳିତଙ୍କ ସଂରକ୍ଷଣ ପ୍ରସ୍ତାବର ଘୋର ବିରୋଧୀ, ଉଚ୍ଚଶିକ୍ଷାରେ ତ ଆଦୌ ନୁହେଁ । ମନୁ
ସଂହିତା ଅନୁସାରେ ଜନ୍ମ ଅନୁସାରେ ଶ୍ରମର ବିଭାଜନ ହେଉ ଏକଥା ସେମାନେ ଚାହାନ୍ତି । ହାଇଦ୍ରାବାଦ
ଛାତ୍ର ରୋହିତ ଭେମୁଲା ବଞ୍ଚିଥିଲେ ନିଜ ଶେଷ ଚିଠି ଅନୁସାରେ ହୁଏତ କାର୍ଲ ସାଗାନଙ୍କ ପରି
ବିଜ୍ଞାନ-ଲେଖକଟିଏ ହୋଇଥାନ୍ତେ ।
ମାତ୍ର ନିଜ ଛାତ୍ରବୃତ୍ତି ପାଇବାରେ ବିଳମ୍ବ ସାଙ୍ଗକୁ ବିଶ୍ୱବିଦ୍ୟାଳୟ
କର୍ତ୍ତୁପକ୍ଷ ଓ ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦ୍ଵାରା ବାରମ୍ବାର ତିରସ୍କୃତ ହେବା ହେତୁ
ଜାନୁଆରୀ 2016ରେ ସେ ଆତ୍ମହତ୍ୟା କଲେ । ଗୁଜୁରାଟର ଉନାର ଦଳିତଙ୍କ ଅଧିକାର ଆନ୍ଦୋଳନକୁ ଗୌରୀ ଲଙ୍କେଶଙ୍କ ଦୃଢ
ସମର୍ଥନ ରହିଥିଲା । ଗୁଜୁରାଟରେ ଦକ୍ଷିଣପନ୍ଥୀ ସରକାରଙ୍କ ନିକଟରେ ଦଳିତମାନେ ଦାବୀ
କରୁଛନ୍ତି “ତମେ ଗାଈର ଲାଞ୍ଜ ରଖ କିନ୍ତୁ ଆମକୁ ଆମର
ଜମି ଦିଅ” । ଅଥଚ ହିନ୍ଦୁ(ତ୍ଵ)ରାଷ୍ଟ୍ର ଗଠନର ପ୍ରବକ୍ତାମାନେ ଜାତି ଅନୁସାରେ
କର୍ମର ବିଭାଜନକୁ କାଏମ ରଖିବାକୁ ଚାହାଁନ୍ତି ଠିକ ରାମଂକର ଶଂଭୁକ ପ୍ରତି ଥିବା ଆଚରଣ ପରି ।
ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଅନ୍ୟତମ
ମୁଖ୍ୟ ଏମଏସ ଗୋଲୱାଲେକର କହୁଥିଲେ, “ଅଣ-ହିନ୍ଦୁମାନେ ହିନ୍ଦୁସ୍ତାନରେ କେବଳ ଯେ ଅଧସ୍ତନ ହୋଇରହିବେ ତା’ ନୁହେଁ ସେମାନଙ୍କର ନା କୌଣସି ନାଗରିକ ଅଧିକାର ରହିବ ନା ସେମାନେ ରାଷ୍ଟ୍ରଠାରୁ
କୌଣସି ସୁବିଧା ପାଇବା ପାଇଁ ହକଦାର ହେବେ” (ତାଙ୍କ ଦ୍ଵାରା ଲିଖିତ We, our
nationhood definedରୁ ଉଦୃତ)। ବେଶ
କିଛି ବର୍ଷ ହେଲା ହିନ୍ଦୁ ଧର୍ମାନ୍ଧମାନେ
ମୁସଲମାନଙ୍କୁ ହଜ ପାଇଁ ଦିଆଯାଉଥିବା ସହଯୋଗକୁ ବିରୋଧ କରୁଛନ୍ତି (ମାତ୍ର କୁମ୍ଭମେଳା
ସମୟରେ ହେଉଥିବା ଅପର୍ଯ୍ୟପ୍ତ ଖର୍ଚ୍ଚ ସମ୍ପର୍କରେ ନୀରବ ରହିଥାନ୍ତି) । ଭାରତରେ 11% ମୁସଲମାନ ରହିଛନ୍ତି । ହେଲେ ବର୍ତ୍ତମାନ କେନ୍ଦ୍ରରେ
ଶାସନରେ ଥିବା ଭାରତୀୟ ଜନତା ପାର୍ଟିର ସମଗ୍ର ଲୋକସଭା ସଦସ୍ୟଙ୍କ ଭିତରୁ ଜଣେ ହେଲେ ବି ମୁସଲମାନ
ନାହାନ୍ତି । ଉତ୍ତରପ୍ରଦେଶରେ 2011 ଜନଗଣନାରେ 20% ମୁସଲମାନ ଥାଇ ମଧ୍ୟ ବିଧାନସଭା ପାଇଁ
ବିଜେପି ପକ୍ଷରୁ ଜଣେ ହେଲେ ମୁସଲମାନଙ୍କୁ ଟିକେଟ ଦିଆଯାଇନାହିଁ । (ସମୁଦାୟ ନିର୍ବାଚିତ 406
ସଦସ୍ୟଙ୍କ ମଧ୍ୟରୁ 321 ଜଣ କୋଟିପତି ସଦସ୍ୟ।) ଯାହା ଗୋଲୱାଲେକର କହିଥିଲେ, “ଅଣ-ହିନ୍ଦୁମାନଙ୍କୁ ଅଧସ୍ତନ କରି ରଖାଯିବ”,
ଏସବୁ ତା’ର ଦୃଷ୍ଟାନ୍ତ । ଏହା
ସଙ୍ଘପରିବାରର ଅଳ୍ପ ସଂଖ୍ୟକ ପ୍ରତି ଥିବା ଆଭିମୁକ୍ଷକୁ ସ୍ପଷ୍ଟ କରୁଛି । ହିନ୍ଦୁ ରାଷ୍ଟ୍ରରେ
ଯେ ନାରୀ ଓ ଦଳିତର ଅବସ୍ଥିତି କେଉଁଭଳି ରହିବ ତାହାର ମଧ୍ୟ ଏକ ଚିତ୍ର ସେମାନେ ଦେଖାଇ
ସାରିଛନ୍ତି ।
ଗୌରୀ ଲଙ୍କେଶ ଜଣେ ଧର୍ମନିରପେକ୍ଷବାଦୀ
ଭାବରେ କର୍ଣାଟକରେ ‘କୌମ୍ୟ
ସୌହାର୍ଦ୍ଦ୍ୟ ୱେଦିକେ’ ବା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ମଞ୍ଚର ମୁଖ୍ୟ
ଭୂମିକାରେ ଥିଲେ । ଏହି ମଞ୍ଚ ଗଠିତ ହୋଇଥିଲା ଯେତେବେଳେ ସଂଘ ପରିବାର ଏକଥା ଦାବୀ କରିଥିଲା ଯେ
କର୍ଣାଟକର ଚିକମଙ୍ଗଲୁର ଜିଲ୍ଲାରେ ଅବସ୍ଥିତ ବାବା ବୁଡାନ ଗିରି ସୁଫି ପିଠ ପ୍ରକୃତରେ
ହିନ୍ଦୁମାନଙ୍କର ଓ ମୁସଲମାନ ରଜାମାନେ ଏହାକୁ ଅକ୍ତିଆର କରି (ରାମଜନ୍ମଭୂମି – ବାବରୀ ମସଜିଦ
ବିବାଦ ଭଳି) ନେଇଯାଇଛନ୍ତି । ମଞ୍ଚର ନେତୃତ୍ଵରେ ଏକ ବିରାଟ ଆନ୍ଦୋଳନ ପରେ ସଙ୍ଘପରିବାର ଏହି
ହସ୍ତକ୍ଷେପରୁ ନିବୃତ୍ତ ରହିଲା । ଏହା ଏବେ କୋର୍ଟରେ ବିଚାରାଧୀନ ଅଛି ।
ବିଶାଳ ଭାରତୀୟ ସମାଜକୁ ହିନ୍ଦୁତ୍ଵ ବିଚାର
ଏହାର ଉପନିବେଶରେ ପରିଣତ କରିଚାଲିଛି । ହିଂସା, ଘୃଣା, ଦଙ୍ଗା, ଅସହିଷ୍ଣୁତା ଓ
ବ୍ୟକ୍ତି ସ୍ଵାଧିନତାର ହତ୍ୟା ମାଧ୍ୟମରେ ଏହା ପ୍ରମାଣିତ କରିବାକୁ ଚେଷ୍ଟା କରୁଛି ଯେ ‘ହିନ୍ଦୁ ଧର୍ମ ବାହ୍ୟ ଧର୍ମ ହେତୁ ବିପଦରେ’ । ତେଣୁ
ମୁସଲମାନ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକଙ୍କୁ ଆକ୍ରମଣ କରିଚାଲିଛନ୍ତି । ଅଳ୍ପ
ସଂଖ୍ୟକକୁ ସେମାନେ ଗୋଲୱାଲେକରଙ୍କ ନିର୍ଦ୍ଦେଶ ଅନୁସାରେ “ଅଧସ୍ତନ” କରି ରଖିବାକୁ ଚାହୁଛନ୍ତି ।
ଏ ସମ୍ପର୍କରେ ମାନବିକ ଅଧିକାରର କଥା କହୁଥିବା ସୃଜନଶୀଳ ବର୍ଗକୁ ନିଜ ରାସ୍ତାରେ କଣ୍ଟା ମନେ
କରି ସେମାନଙ୍କୁ ମଧ୍ୟ ନିପାତ କରିବାର ରାସ୍ତାରେ ହିନ୍ଦୁ ଧର୍ମାନ୍ଧ ମାନେ ଚାଲିଛନ୍ତି । ହେଲେ
ସେମାନେ କେବେ ବୌଦ୍ଧଧର୍ମ ସମ୍ପର୍କରେ ଆଲୋକପାତ କରୁନାହିଁ । ବିଶେଷକରି ଦଶମ ଶତାବ୍ଦୀରେ ଯେତେବେଳେ
ଜାତିବାଦକୁ ବିରୋଧ କରି ବୌଦ୍ଧଧର୍ମ ଏହାର ଶିଖରରେ ସେତେବେଳେ ଦକ୍ଷିଣ ଭାରତରୁ ଶଙ୍କରାଚାର୍ଯ୍ୟଙ୍କ
ଆବିର୍ଭାବ ହୁଏ । ସେ ନିଜକୁ ଶିବଙ୍କ ଭକ୍ତ ଭାବରେ ପ୍ରଚାର କରାଇଲେ ଓ ରାଜା ମହାରାଜାମାନଙ୍କୁ
ବୌଦ୍ଧଧର୍ମ ବିପକ୍ଷରେ ଏକାଠି କରାଇଲେ । ଏକାଦଶ ଓ ଦ୍ଵାଦଶ ଶତାବ୍ଦୀରେ ଶୈବମାନେ ଓ ରାଜାମାନେ କେବଳ
ମନୁବାଦ ଓ ବ୍ରାହ୍ମଣବାଦକୁ ପ୍ରତିଷ୍ଠିତ କରିବା ଲାଗି ସେହିସବୁ ବୌଦ୍ଧ ପୀଠକୁ ଧ୍ଵଂସ କରିଦେଲେ ଓ
ବୁଦ୍ଧଧର୍ମର ବିଶ୍ଵାସୀମାନଙ୍କୁ ହତ୍ୟା କରିଥିଲେ । ଏହିକଥା ଓଡିଶାର ରତ୍ନଗିରୀ, ଲଳିତଗିରୀ ଇତ୍ୟାଦିରେ ହୋଇଛି । ଏହାପରେ
ବୌଦ୍ଧଧର୍ମ ପୁନଃଉଦ୍ଧାର ହୋଇପାରିଲା ନାହିଁ। ହିନ୍ଦୁ ଧର୍ମ ପ୍ରତି ବିଶ୍ଵାସ ରଖୁଥିବା ଓ ଏହାର
ପ୍ରସାରରେ ଲାଗିଥିବା କୌଣସି କର୍ମକର୍ତ୍ତା ଏଥିପାଇଁ କେବେ ଦୁଃଖ ପ୍ରକାଶ କରିନାହାନ୍ତି ।
ସ୍ଵାଧିନତା ଆନ୍ଦୋଳନରେ ଓ ପୂର୍ବରୁ ମଧ୍ୟ
ଏହି ଦେଶରେ ନୀରୀଶ୍ଵରବାଦ ଠାରୁ ଏକେଶ୍ଵରବାଦ ଓ ଜୀବବାଦ ପର୍ଯ୍ୟନ୍ତ ସମସ୍ତେ ସମାନ ପ୍ରାଧାନ୍ୟ
ପାଉଥିଲେ । ଓଡିଶାରେ ଏକେଶ୍ବରବାଦର ବିଶ୍ବାସୀ ମହିମା ଧର୍ମ ଓ ଭିମଭୋଇଂକ କବିତା ଯେମିତି ବେଶ
ପ୍ରସାରିତ ଥିଲା ସେହିପରି ଆଦିବାସୀଙ୍କ ମଧ୍ୟରେ ପ୍ରକୃତି ଧର୍ମ ବା ଜୀବବାଦ ସେହିଭଳି ସକ୍ରିୟ
ଥିଲା । ଅଥଚ ଆଜି କେବଳ ମନୁବାଦକୁ ହିଁ ହିନ୍ଦୁଧର୍ମ
ରୂପେ ପରିଚିତ କରାଯାଉଛି । ସମାଜରେ ପୁଣି ଜାତିପ୍ରଥାକୁ କାଏମ କରାଯାଉଛି । ଦଳିତମାନେ ନିଜର
ଆଗ୍ରହ ଓ ସମ୍ମାନ ଅନୁସାରେ ନିଜର କାର୍ଯ୍ୟକୁ ବାଛିବାର ସୁଯୋଗ ଦିଆଯାଉ ନାହିଁ ।
ଭାରତୀୟ ସମାଜ ଏକ ବିଶାଳ ନଦୀ ଭାବରେ
ପ୍ରବାହିତ ହେଉଥିଲା । ଏଥିରେ ବହୁ ଝରଣା ଆସି ମିଶ୍ରିତ ହେଉଥିଲେ । ହୁଏତ ଉପଯୁକ୍ତ ପରିବେଶ
ପାଇଥିଲେ ଏହା ଏକ ବିଶାଳ ସମୁଦ୍ରରେ ପରିଣତ ହୋଇଥାନ୍ତା । ହୁଏତ ସାରା ବିଶ୍ଵ ପାଇଁ ଭାରତୀୟ
ସମାଜ ବ୍ୟବସ୍ଥା ଶାନ୍ତି ପୂର୍ଣ୍ଣ ସହାବସ୍ଥାନର ଏକ ପ୍ରମୁଖ ଉଦାହରଣ ହୋଇପାରିଥାନ୍ତା । ମାତ୍ର
ସେହି ନଦୀ ଆଜି ଏକ ସଂକୀର୍ଣ୍ଣ ମାନସିକତା ଆଡକୁ ମାଡି ଚାଲିଛି । ଭିନ୍ନମତ ରଖିଥିବା ହେତୁ
ହତ୍ୟା କରାଯାଇଥିବା ଗୋବିନ୍ଦ ପାନସାର ଓ ଗୌରି ଲଙ୍କେଶ ଉଭୟ କମ୍ୟୁନିଷ୍ଟ ବିଚାରର ଥିଲେ । ଡାଭୋଲକର
ମୂଳରୁ ନାସ୍ତିକ ଥିଲେ । ଏମଏମ କୁଲବର୍ଗୀ ନା ହେତୁବାଦୀ ଥିଲେ ନା ଏକେଶ୍ଵରବାଦୀ ଥିଲେ । ସେ
କର୍ଣ୍ଣାଟକର ଲିଙ୍ଗାୟତ ଗୋଷ୍ଠୀ ମଧ୍ୟରେ ଅପସାରି ଯାଇଥିବା ଜାତିଭେଦକୁ ପୁଣି କେଉଁଭଳି
ସଙ୍ଘପରିବାର ପୁନଃଉଥାନ କରୁଛି ତାହାକୁ ବିରୋଧକରି ଲେଖା ଲେଖୁଥିଲେ । ଏମାନେ ସମସ୍ତେ ନିଜ ନିଜ ରାସ୍ତାରେ ଜାତିବାଦ
ଓ ସାମ୍ପ୍ରଦାୟିକତାକୁ ବିରୋଧ କରୁଥିଲେ । “ମୁଁ ଗୌରୀ ଲଙ୍କେଶ” ଏହି ସ୍ଲୋଗାନ ସେହି
ଧର୍ମାନ୍ଧତା ବିରୋଦ୍ଧରେ ଆହ୍ଵାନ ଯେଉଁମାନେ ଭିନ୍ନମତକୁ ସ୍ଵୀକାର କରିବା ପାଇଁ ଆଗ୍ରହୀ
ନୁହନ୍ତି । ଧର୍ମାନ୍ଧତାଙ୍କ ସେଭଳି ଏକ ସମାଜ କଦାପି ଆମର କାମ୍ୟ ନୁହେଁ ।
****
ଇମେଲ: debasar11@yahoo.co.in
No comments:
Post a Comment