Wednesday, June 27, 2018

“ଅପବ୍ୟବହାର” ଆଳରେ ସୁପ୍ରିମ କୋର୍ଟଙ୍କ ଦଳିତ ବିରୋଧୀ ରାୟ


ଅପବ୍ୟବହାର” ଆଳରେ ସୁପ୍ରିମ କୋର୍ଟଙ୍କ ଦଳିତ ବିରୋଧୀ ରାୟ

          ନିକଟରେ ସୁପ୍ରିମ କୋର୍ଟ ଏସସି ଓ ଏସଟି ପ୍ରିଭେନସନ ଅଫ ଆଟ୍ରୋସିଟି ଆକ୍ଟ, 1989 ର ସମ୍ପର୍କରେ ନିଜର ଭିନ୍ନ ଏକ ରାୟ ଶୁଣାଇଛନ୍ତି ଏଥିରେ ମାନ୍ୟବର ବିଚାରପତି ଈଊ ଈଊ ଲଲିତ ଓ ଏକେ ଗୋଏଲ ନିଜର ରାୟରେ ଉକ୍ତ ଆକ୍ଟର “ଅପବ୍ୟବାହାର” ହେବାର ସମ୍ଭାବନା ଦର୍ଶାଇ ଏହାର ପ୍ରଭାବକୁ ଗୌଣ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଭିଯୋଗ ଥିବା ଉଚ୍ଚବର୍ଗର ଅଧିକାରୀକୁ ତୁରନ୍ତ ଗିରଫ କରିବାର ଯେଉଁ ବ୍ୟବସ୍ଥା ଉକ୍ତ ନିୟମରେ ପୂର୍ବରୁ ଥିଲା ତାହାକୁ ଉଠାଇ ଦେଇ ବିଚାରପତି ଦ୍ୱୟ କେତେକ ନୂତନ ସର୍ତ୍ତ ଆରୋପ କରିଛନ୍ତି କିନ୍ତୁ ସୁପ୍ରିମ କୋର୍ଟଙ୍କ ଉକ୍ତ ରାୟ ଉଚ୍ଚ ଜାତିର ମାନସିକତା ଥିବା ସରକାରୀ ଅଫିସର ଓ ବେସରକାରୀ ଅଫିସରଙ୍କୁ ସୁହାଇବ ଯେଉଁଠି ଆଇନ ଥିଲା ଯେ ସେମାନଙ୍କୁ ତୁରନ୍ତ ଗିରଫ କରାଯିବ ସେଠାରେ ଏବେ ଅନୁସନ୍ଧାନକୁ ପ୍ରଭାବିତ କରିବା ଲାଗି ସେମାନଙ୍କୁ ଯଥେଷ୍ଟ ସମୟ ଦେବ  ହୁଏତ ଏହା ରୋହିତ ଭେମୁଲାଙ୍କ ଭଳି ଅବସ୍ଥା ଭୋଗୁଥିବା ଦଳିତ ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ
          ହାଇଦ୍ରାବାଦର ଛାତ୍ର ରୋହିତ ଭେମୁଲାଙ୍କୁ ଯେଉଁ ଭଳି ବିଶ୍ବବିଦ୍ୟାଳୟରୁ ବହିସ୍କାର କରାଯାଇଥିଲା ଓ ଯାହା ପରେ ସେ ଆତ୍ମହତ୍ୟା କରିବାଲାଗି ବାଧ୍ୟ ହେଲେ (17 ଜାନୁଆରୀ 2016) ତାହା ପାଇଁ ମୁଖ୍ଯତଃ ଦାୟୀ ଥିଲେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ର ମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ, ତତକାଳୀନ କୁଳପତି ପି. ଆପ୍ପା ରାଓ ଓ ଭାରତୀୟ ଜନତା ପାର୍ଟି ନେତା ରାମଚନ୍ଦ୍ର ରାଓ ଉଭୟ ନେତା ତତକାଳୀନ ମନ୍ତ୍ରୀ ସ୍ମ୍ରତି ଇରାନୀଙ୍କୁ ଚିଠି ଲେଖି ରୋହିତଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ପାଇଁ ବାଧ୍ୟ କରିଥିଲେ ଯାହା ପରେ ରୋହିତଙ୍କୁ ଆତ୍ମହତ୍ୟା ପାଇଁ ଏକ ପ୍ରକାରର ବାଧ୍ୟ କରିଥିଲା ତେଣୁ ରୋହିତଙ୍କ ଆତ୍ମହତ୍ୟା ଏକ ପ୍ରତିଷ୍ଠାନିକ ହତ୍ୟା ଥିଲା ବୋଲି ଦେଶ ବ୍ୟାପୀ ବିରାଟ ପ୍ରତିବାଦ ହୋଇଥିଲା  ଓ ମନ୍ତ୍ରୀ ବନ୍ଦାରୁ ଦତ୍ତାତ୍ରେୟ, ତତକାଳୀନ କୁଳପତି ପି. ଆପ୍ପା ରାଓ ଓ ଭାରତୀୟ ଜନତା ପାର୍ଟି ନେତା ରାମଚନ୍ଦ୍ର ରାଓ ଙ୍କ ବିରୁଦ୍ଧରେ ପୁଲିସ କେସ ଉକ୍ତ ଏସସି ଓ ଏସଟି ପ୍ରିଭେନସନ ଅଫ ଆଟ୍ରୋସିଟି ଆକ୍ଟ, 1989 ରେ ରୁଜ୍ଜୁ ହୋଇଥିଲା ଏବେ ପୁଲିସର କାର୍ଯ୍ୟନୁଷ୍ଠାନ ଅଟକି ଯାଇଛି କାରଣ ରୋହିତଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ତାହାର ଅନୁସନ୍ଧାନ ବଦଳରେ ପୁଲିସ ସତେରେ ସେ ଦଳିତ ଥିଲେ ନା ନାହିଁ ତାହାର ଅନୁସନ୍ଧାନ କରୁଛି
          ଗଲା ସପ୍ତାହରେ ମହାରାଷ୍ଟ୍ରର ସୁବାଷ  କାଶୀନାଥ ମହାଜନଙ୍କ କେଶ ଉପରେ ସୁପ୍ରିମ କୋର୍ଟର ମାନ୍ୟବର ବିଚାରପତି ଈଊ ଈଊ ଲଲିତ ଓ ଏକେ ଗୋଏଲ ନିଜର ରାୟ ଶୁଣାଇଛନ୍ତି ଯେ କୌଣସି ଦଳିତ ଅଥବା ଆଦିବାସୀ କର୍ମଚାରୀ ଯଦି ନିଜର ଉଚ୍ଚଜାତି ଅଫିସରଙ୍କ ବିପକ୍ଷରେ ଅଭିଯୋଗ ଆଣିଥାନ୍ତି ଯେ ସେନିଜେ ନିମ୍ନ ଜାତିର ହୋଇଥିବା ହେତୁ ଜାତିଗତ ଶୋଷଣର ଶିକାର ହେଉଛନ୍ତି ତେବେ ଏ କ୍ଷେତ୍ରରେ ଉକ୍ତ ଉଚ୍ଚ ଜାତିର ଅଫିସରଙ୍କୁ ତୁରନ୍ତ ଗିରଫ କରାଯାଇ ପାରିବ ନାହିଁ ଏଥିପାଇଁ ପ୍ରଥମେ ଉପରିସ୍ଥ ଅଫିସରଙ୍କ ଅନୁମତି ଆଣିବାକୁ ହେବ ଓ ଯଦି କର୍ମଚାରୀ ଜଣକ ଅଣସରକାରୀ ପ୍ରତିଷ୍ଠାନର ହୋଇଥାନ୍ତି ତେବେ ସେ କ୍ଷେତ୍ରରେ ପୁଲିସ ଡ଼ିଏସପିଙ୍କ ଦ୍ଵାରା ଘଟଣାର ଅନୁସନ୍ଧାନ ପ୍ରଥମେ କରାଯିବ
          ସୁପ୍ରିମ କୋର୍ଟଙ୍କ ମନ୍ତବ୍ୟ ହେଲା ଯେ ଏସସି ଓ ଏସଟି ପ୍ରିଭେନସନ ଅଫ ଆଟ୍ରୋସିଟି ଆକ୍ଟ, 1989  ଯାହା ଦଳିତ ଓ ଆଦିବାସୀ ବର୍ଗ ପାଇଁ ତିନ ଦଶନ୍ଧି ଧରି ଏକ ରକ୍ଷା କବଚ ତାହାର “ଅପବ୍ୟବହାର” ହେବାର ସମ୍ଭାବନା ରହିଛି ଅଥଚ 1989ରେ ପାସ ହୋଇଥିବା ଏହି ନିୟମ ବିଗତ ଦିନରେ ଦଳିତ ଓ ଆଦିବାସୀଙ୍କ କ୍ରମାଗତ ଆନ୍ଦୋଳନର ପରିଣାମ ଥିଲା ତଥ୍ୟ କୁହେ ଏହା ସତ୍ବେ ଦଳିତଙ୍କ ଉପରେ ଜାତିଗତ ଶୋଷଣ କମିବା ବଦଳରେ ବଢିବାରେ ଲାଗିଛି ଗଲା 10 ବର୍ଷ ମଧ୍ୟରେ (2007 – 2017)  ଦଳିତଙ୍କ ଉପରେ ଅତ୍ୟାଚାର 66 ପ୍ରତିଶତ ବଢିଛି ଦେଶରେ ପ୍ରତି 15 ମିନିଟରେ ଜଣେ ଦଳିତ ଜାତିଗତ ବିଦ୍ଵେଷର ଶିକାର ହେଉଛି ଓ ପ୍ରତି ଦିନ 6 ଜଣ ଦଳିତ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି ଏହା କେବଳ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋର  ତଥ୍ୟ ଯଦି ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରକୃତ ତାଲିକା କରାଯିବ ତେବେ ଏହି ସଂଖ୍ୟା ବହୁ ଗୁଣାରେ ବଢିଯିବା ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରର ଶୀର୍ଷରେ ଆସୁଛି ଉତ୍ତରପ୍ରଦେଶ ଦେଶରେ ଦଳିତଙ୍କ ଉପରେ ହେଉଥିବା ସମଗ୍ର ଅପରାଧର 17 ପ୍ରତିଶତ କ୍ରାଇମ ଏହି ରାଜ୍ୟରେ ହେବା କଥା ଜାତୀୟ କ୍ରାଇମ ରେକର୍ଡ ବ୍ଯୁରୋ ତଥ୍ୟ ଦିଏ ସେହିପରି ରାଜସ୍ଥାନରେ ସମୁଦାୟ କ୍ରାଇମର ଅଧାଧିକ ଭାଗ ଦଳିତଙ୍କ ଉପରେ ହୋଇଥାଏ ବିହାରରେ ପ୍ରତି 5 ଟି କ୍ରାଇମରେ 2 ଟି କ୍ରାଇମ ଜାତି ସମ୍ବନ୍ଧୀୟ ଯାହାର ଶିକାର ଦଳିତ ବର୍ଗ  ଓଡିଶାରେ 2010ରୁ 2015 ମଧ୍ୟରେ 66% ଜାତିଗତ ହିଂସାର ବୃଦ୍ଧି ଘଟିଛି ଏପରି କ୍ଷେତ୍ରରେ ସୁପ୍ରିମ କୋର୍ଟଙ୍କ ଏହି ରାୟ ନିଶ୍ଚିତ ରୂପେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ପ୍ରଭାବିତ କରିବ  
          ଦଳିତଙ୍କ ପରିବାରକୁ ନିଜ ଚାଷ ଜମିରୁ ବାସନ୍ଦ କରିବା, ଜମିଦାରକୁ ନିଜର ମଜୁରୀ ମାଗିଲେ ହତ୍ୟା ଧମକ ଦେବା, ଘରମାନଙ୍କୁ ଜାଳି ଦେବା, ମହିଳାମାନେ ଗଣଦୁଷ୍କର୍ମର ଶିକାର ହେବା, ଅର୍ଥନୈତିକ ଓ ସାମାଜିକ ଭାବରେ ବିଭିନ୍ନ କାରଣରୁ ବାସନ୍ଦ କରିବା ଭଳି ଘଟଣା ଭାରତର ଗ୍ରାମାଞ୍ଚଳରେ ଏବେବି ଦେଖିବାକୁ ମିଳୁଛି ବିଗତ ଦିନର ଇତିହାସ କୁହେ ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାରର ସଠିକ ଅନୁସନ୍ଧାନ ପୁଲିସ ଜାଣି ଜାଣି କରିନଥାଏ ଅଥବା ଏକ ପ୍ରତିକୂଳ ପରିସ୍ଥିତିରେ ପୀଡିତ ପରିବାର ନିଜର ମୁହଁ ଖୋଲିପାରିନଥାଏ ଏ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟନୁଷ୍ଠାନ ବଦଳରେ ଅନୁମତିକୁ ଅପେକ୍ଷା କରିବା ମୁର୍ଖାମୀ ବରଂ ଦେଖିବାର କଥା ଯେ ଦଳିତଙ୍କ ଉପରେ ହୋଇଥିବା ଗଣହତ୍ୟା ବା ଗୃହଦାହ ବା ଗଣଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ କାଣ୍ଡ ଘଟିଲା ପରେ ବି ଦୋଷୀ ମାନେ କିଭଳି ନିର୍ଭୟରେ ବିଚରଣ କରୁଥାନ୍ତି ଓ ପରେ କୋର୍ଟଦ୍ଵାରା ନିର୍ଦ୍ଦୋଷ ମଧ୍ୟ ପ୍ରମାଣିତ ହୁଅନ୍ତି ବରଂ ସୁପ୍ରିମ କୋର୍ଟଙ୍କୁ ଏଥିପ୍ରତି ଧ୍ୟାନ ଦେବାର ଥିଲା ଯେ କାହିଁକି ଭାରତୀୟ ଜେଲରେ ଅଧିକ ସଂଖ୍ୟକ ବିଚାରାଧୀନ କଏଦୀ ମୁଖ୍ୟତଃ ଦଳିତ ଓ ଧାର୍ମିକ ଅଳ୍ପସଙ୍ଖ୍ୟକଙ୍କ ଗୋଷ୍ଠୀର? ସେହିପରି ମୃତ୍ୟୁଦଣ୍ଡ ପାଉଥିବା ବର୍ଗଙ୍କ ମଧ୍ୟରେ କାହିଁକି ଅଧିକ ଦଳିତ ଓ ଧାର୍ମିକ ଅଳ୍ପ ସଂଖ୍ୟକ ରହୁଛନ୍ତି ? ନ୍ୟାୟ ପ୍ରକ୍ରିୟାରେ ଥିବା କିଛି ଭୁଲ ହେତୁ ଧନୀ ଓ ପ୍ରଭାବଶାଳେ ବର୍ଗ ନିଶ୍ଚିତରୂପେ ଖସି ଯାଉଛନ୍ତି ଯାହା କୋର୍ଟଙ୍କୁ ଦେଖିବାର ଥିଲା ନା କି “ଅପବ୍ୟବହାର” ସମ୍ଭାବନାରେ ଦଳିତଙ୍କୁ ନିଜର ସହଜ ଲକ୍ଷ ବନେଇବା
          ବିଜେପି କ୍ଷମତାକୁ ଆସିବା ପରେ ସରଂକ୍ଷଣକୁ ବିତର୍କ ପୁଣି ଆରମ୍ଭ ହୋଇଯାଇଛି ଏଥିରେ ସହଜ ଲକ୍ଷ ପାଲଟି ଯାଉଛନ୍ତି ବିଭିନ୍ନ ଅନୁଷ୍ଠାନରେ କାମ କରୁଥିବା ସରଂକ୍ଷିତ ବର୍ଗ ସେମାନେ ଅନ୍ୟ କର୍ମଚାରୀଙ୍କ ଟାହି ଟାପରା ଠାରୁ ଆରମ୍ଭ କରି ଅପମାନ ସୂଚକ ମନ୍ତବ୍ୟ ପର୍ଯ୍ୟନ୍ତ ଯାବତୀୟ ତିରସ୍କାରର ଶରବ୍ୟ ହୋଇଥାନ୍ତି ଯେଉଁଠି ଏସସି ଓ ଏସଟି ପ୍ରିଭେନସନ ଅଫ ଆଟ୍ରୋସିଟି ଆକ୍ଟ, 1989 ତଥାପି ଏକ ଭୟ ଏହି ଉଚ୍ଚବର୍ଗର କର୍ମଚାରୀଙ୍କ ପାଇଁ ଥିଲା ଏବେ ସୁପ୍ରିମ କୋର୍ଟଙ୍କ ଏତାଦୃଶ ରାୟ ସେହି ସରଂକ୍ଷିତ ବର୍ଗକୁ ନିଜ କାର୍ଯ୍ୟକ୍ଷେତ୍ରରେ ଆହୁରି ଭୟାତୁର କରି ରଖିବ  
          ଦଳିତ ଉପରେ ହେଉଥିବା ଅତ୍ୟାଚାରର ଅନ୍ୟ ଏକ ନମୁନା ହେଲା ଯେ ଦଣ୍ଡର ହାର ଯଥେଷ୍ଟ କମ  ନିଜେ ଜଣେ ମାନବିକ ଅଧିକାର କର୍ମୀ ଭାବରେ ବହୁ ବାର ଦେଖିଛି ଦଳିତଙ୍କ ଉପରେ ହୋଇଥିବା କୌଣସି କ୍ରାଇମର ଅନୁସନ୍ଧାନକାରୀ ପୁଲିସ ଅଫିସର ଏସସି ଓ ଏସଟି ପ୍ରିଭେନସନ ଅଫ ଆଟ୍ରୋସିଟି ଆକ୍ଟ, 1989ର କୌଣସି ଧାରାକୁ ବ୍ୟବହାର କରିନଥାନ୍ତି ଯଦିଓ ପୀଡିତ ବ୍ୟକ୍ତି ନିଜେ ଆଦିବାସୀ ଅଥବା ଦଳିତ ହୋଇଥିବେ ଓ ଅତ୍ୟାଚାରୀ ଜଣକ ଉଚ୍ଚ ଜାତିର ପରେ ମିଡିଆର ଚାପ ହେଲେ କେତେକ କ୍ଷେତ୍ରରେ ପୁଲିସ ଅଧିକାରୀ ଜଣକ ଉକ୍ତ ଆଇନକୁ ବ୍ୟବହାର କରିଥାନ୍ତି ସେହିପରି ଠିକରେ ଅନୁସନ୍ଧାନ ନକରିବା ଓ ଠିକରେ ଚାର୍ଜଶିଟ ନଦେବା ବା ଅଧାପନ୍ତରିଆ ଭାବରେ ଚାର୍ଜଶିଟ ଦେବା ଇତ୍ୟାଦି ବିଚାର ପ୍ରକ୍ରିୟାରେ ଉଚ୍ଚଜାତିର ଦୋଷୀକୁ ଖସିବାରେ ସାହାଯ୍ୟ କରିଥାଏ ସେହି ଭଳି କୋର୍ଟରେ ବିଚାର ଚାଲିଥିବା ସମୟରେ ପୀଡିତ ବ୍ୟକ୍ତି ଜଣକ ଉପଯୁକ୍ତ ସୁରକ୍ଷା ନପାଇବା ହେତୁ ବହୁ ସମୟରେ ନିଜର ବକ୍ତବ୍ୟ ବଦଳାଇବାକୁ ବାଧ୍ୟ ହୋଇଥାଏ ପୁଲିସ ଅଧିକାରୀ ଓ ସରକାରୀ ଓକିଲଙ୍କ ଦଳିତ ବିରୋଧୀ ଚିନ୍ତାଧାରା କେସକୁ ମଧ୍ୟ ପ୍ରଭାବିତ କରିଥାଏ ସୁପ୍ରିମ କୋର୍ଟଙ୍କ ଏହି ରାୟ ଏବେ ପୁଲିସ ଓ ଉଚ୍ଚ ଜାତି ବର୍ଗକୁ କ୍ଷମତା ଦେବ ଯେଉଁଠି କ୍ରାଇମ ଘଟାଇଥିବା ଦୋଷୀ ବ୍ଯକ୍ତିର ଜାମିନ ଶୁଣାଣୀ ସମୟରେ ଆଉ ପୀଡିତାକୁ ଶୁଣିବାର ଗୁରୁତ୍ଵ ଉପଲବ୍ଧ ହେବ ନାହିଁ ରୋହିତ ଭେମୁଲାଙ୍କ ମୃତ୍ୟୁ ପରେ ଦାବୀ କରାଯାଇଥିଲା ଯେ ରୋହିତଙ୍କ ଆତ୍ମହତ୍ୟା ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ହତ୍ୟା ଅଟେ ଯେଉଁଥିପାଇଁ ଦାୟୀ ମନ୍ତ୍ରୀ ଓ ବିଶ୍ୱବିଦ୍ୟାଳୟ କାର୍ତୁପକ୍ଷଙ୍କ ବିରୁଦ୍ଧରେ ଆଇପିସିର ଧାରା ଅନୁସାରେ କାର୍ଯ୍ୟନୁଷ୍ଠାନ ଜରୁରୀ । ସୁପ୍ରିମ କୋର୍ଟଙ୍କ ଏହି ରାୟ ବରଂ ଦୋଷୀଙ୍କୁ ଅନୁସନ୍ଧାନ ପ୍ରକ୍ରିୟାକୁ ପ୍ରଭାବିତ କରିବାଲାଗି ଅଧିକ ସମୟ ଦେବ  
          ପୂର୍ବରୁ ସୁପ୍ରିମ କୋର୍ଟଙ୍କ ଏହି ବେଞ୍ଚ (ବିଚାରପତି ଈଊ ଈଊ ଲଲିତ ଓ ଏକେ ଗୋଏଲ) ଏହିଭଳି ମହିଳାଙ୍କ ସୁରକ୍ଷା ଲାଗି ଥିବା ଆଇପିସି ଧାରା 498 ଏ (ଯୌତୁକ ବିରୋଧୀ) ଆଇନର ଅପବ୍ୟବହାର ହେଉଥିବା ଦର୍ଶାଇ ଥିଲେ ଏଥିପାଇଁ ବହୁ ପ୍ରତିବାଦ ହେବା ହେତୁ ତିନିମାସ ପରେ ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ କୋର୍ଟରେ ଏହାକୁ ପୁନର୍ବିଚାର କରାଯାଇ ପୂର୍ବ ବ୍ୟବସ୍ଥାକୁ କାଏମ ରଖାଯାଇଥିଲା ଏବେ ଆମେ ବିଶ୍ଵାସ କରିବା ଯେ ସୁପ୍ରିମ କୋର୍ଟ ଏହି ରାୟକୁ ସେହିଭଳି ପୁନର୍ବିଚାର କରିବ ଓ ପୂର୍ବସ୍ଥିତି କାଏମ ରଖିବ ତାହା ହୋଇପାରିଲେ ରୋହିତ ଭେମୂଲାଙ୍କ ପ୍ରତି ହୋଇଥିବା ଅନ୍ୟାୟର ଉପଯୁକ୍ତ ଶାସ୍ତି ଦୋଷୀକୁ ମିଳିପାରିବ ସେଥିପାଇଁ କିନ୍ତୁ ଅଧିକ ହେଲେ ଜନଚାପର ଆବଶ୍ୟକତା ରହିଛି  
ଦେବ ରଞ୍ଜନ
ସାଧାରଣ ସମ୍ପାଦକ
ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଓଡିଶା
debasar11@yahoo.co.in

  

No comments:

Post a Comment