ଜାତିଭେଦ ନିଆଁ
ଲିଭୁ ନାହିଁ କାହିଁକି
ଜାତିପ୍ରଥା ଆମ ସମାଜରେ କ୍ରମଶଃ ଦୁର୍ବଳ ହୋଇଆସୁଛି ବୋଲି ଅଙ୍କୁରିତ
ଧାରଣାଟି ନିଶ୍ଚିତରୂପେ ଭ୍ରାନ୍ତ ଅଟେ । ଓଲଟି ଦେଖିବାକୁ ଗଲେ ଛୁଆଁ ଅଛୁଆ ଭେଦଭାବ ଭିତରେ
ସୀମିତ ଥିବା ଅତୀତର ଜାତିପ୍ରଥା ଆଧୁନିକ ଭାରତରେ ଘୃଣା,
ଆକ୍ରମଣ, ପୋଡାଜଳା, ଧର୍ଷଣ ଓ ହତ୍ୟା ପରି
ବର୍ବରତା ଆଡକୁ ଚାଲିଯାଇଛି। ଆଶ୍ଚର୍ଯ ହେଲେବି ଏ କଥା ସତ୍ୟ ଯେ ଏସବୁ ବର୍ବରତାକୁ ଆମର
ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଥିବା ଶାସକବର୍ଗ, ପ୍ରଶାସକ, ପୁଲିସ, ଏପରିକି କେତେକ କ୍ଷେତ୍ରରେ ନ୍ୟାୟାଳୟ ତରଫରୁ
ସୁରକ୍ଷା ମିଳୁଛି । ସେଥିପାଇଁ ଜାତିପ୍ରଥାର ବିଲୋପ ଉଦେଶ୍ୟରେ ଏତେ ସାମାଜିକ ଆନ୍ଦୋଳନ ସତ୍ଵେ
ଏହା ମାନସିକ ସ୍ତରରେ ଅଧିକରୁ ଅଧିକ ଦୃଢ ହେବାରେ ଲାଗିଛି। କେବଳ ଯେ ଦଳିତ ବର୍ଗ ଜାତିହିଂସା ର
ଶିକାର ହେଉଛନ୍ତି ତ ନୁହେଁ । ଏହାର ଶିକାର ଅନ୍ୟମାନେ ମଧ୍ୟ ହେଉଛନ୍ତି।
ପୁରୀ ଜିଲ୍ଲାରେ ବାରିକ ମାନଙ୍କ ଉପରେ ଖଣ୍ଡାୟତ ଗୋଷ୍ଠୀର ଅତି ବର୍ବର ଭାବରେ ଆକ୍ରମଣ ହେବା
ଓ ବହୁ ବାରିକ ପରିବାର ବର୍ଷବର୍ଷ ଧରି ନିଜର ଗାଁ
କୁ ଫେରି ନପାରିବା – ଆମ ସମାଜରେ ଯେ ଜାତିପ୍ରଥା ଏବେବି ଉତ୍କଟ ଭାବରେ ରହିଛି ସେକଥାକୁ ସୁଚାଇ
ଦେଉଛି। ପ୍ରଥମରେ ପୁରୀ ଜିଲ୍ଲା ଭଳି ଶିକ୍ଷାଦୃଷ୍ଟିରୁ ଅଗ୍ରସର ଓ ରାଜଧାନୀର ଅତିନିକଟରେ ଥାଇ
ମଧ୍ୟ ଜାତିପ୍ରଥା ଭଳି ଏକ ସାମନ୍ତବାଦି ପ୍ରଥା ଆମ ସମାଜରେ ଦେଖାଯିବା ଦୁଖର କଥା। ଚୈତନ୍ୟ ଓ ପଞ୍ଚସଖାଙ୍କ
କାର୍ଯକ୍ଷେତ୍ର ଏହି ପୁରୀ ହୋଇଥିବା ସତ୍ଵେ ,
ପୁଣି ସ୍ଵାଧୀନ ଭାରତରେ ମାର୍କ୍ସବାଦର ପ୍ରଭାବ ଜିଲ୍ଲାର ଚାଷୀ ସଂଗଠନ ମାନଙ୍କରେ ରହିଥିବା
ସତ୍ୱେ ଜାତିଭେଦଭାବ ହିଂସାର ରୂପ ନେବା ଆଶ୍ଚର୍ଯ ହୋଇଥିଲେ ମଧ୍ୟ ସତ୍ୟ ଅଟେ। ଏବେ ଆମର
ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଭୋଟରାଜନିତି ଅତିପୁରୁଣା ଜାତି ଭେଦଭାବକୁ ବଞ୍ଚେଇ ରଖିବାରେ ପ୍ରୟାସ
କରୁଛି।
ଉଭୟ ଖଣ୍ଡାୟତ ଓ ବାରିକ ଜାତି ସରକାରୀ ତାଲିକାରେ ଓବିସି ଗୋଷ୍ଠୀର ଅଟନ୍ତି ଓ ଆମର
ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଉଭୟଙ୍କୁ ସମାନ ଗୋଷ୍ଠୀରେ ରଖି ସରକ୍ଷଣ ବ୍ୟବସ୍ଥା ଲାଗୁ କରିଛି।
ଏହାପଛରେ ଯୁକ୍ତି ହେଲା ଉଭୟ ସାମାଜିକ ଭାବରେ ଅବହେଳିତ ଯେଉଁଥିପାଇଁ ସରକ୍ଷଣ ସୁବିଧାରେ ସମାଜରେ
ଉଭୟଙ୍କ ଆର୍ଥିକ ଉନ୍ନତି ହେବା ଆବଶ୍ୟକ। ଏହି ଉଭୟ ପଛୁଆ ଗୋଷ୍ଠୀ ମଧ୍ୟରେ ଗୋଟେ ଗୋଷ୍ଠୀ ଯେମିତିକି
ଖଣ୍ଡାୟତ ଗୋଷ୍ଠୀ ସାମାଜିକନୀତିର ଆଳରେ ଅନ୍ୟଗୋଷ୍ଠୀ ଯେମିତିକି ବାରିକ ଲୋକଙ୍କୁ ଅତ୍ୟାଚାର କରିବା
ବିପକ୍ଷରେ କିନ୍ତୁ ଆମର ସାମ୍ବିଧାନିକ ବ୍ୟବସ୍ଥା ନୀରବ ଅଟେ । କେବଳ ସେତିକି ନୁହେଁ । ପୁଲିସ ଜାଣି ମଧ୍ୟ କୌଣସି
କାର୍ୟାନୁଷ୍ଠାନ ଗ୍ରହଣ ନକରିବା ଓ ପ୍ରଶାସନ ମଧ୍ୟ ନୀରବ ରହିବା – ଆମର ରାଜନୈତିକ ଶକ୍ତି ଯେ ଏହି ଜାତିଗତ ହିଂସା ଓ ବାଛ
ବିଚାରକୁ ସୁରକ୍ଷା ଦେଇ ଚାଲିଛି ଏଥିରେ ଦ୍ଵିମତ ନହିଁ।
ସାରା ପୃଥିବୀରେ କେବଳ ହିନ୍ଦୁ ଧର୍ମକୁ ଛାଡିଦେଲେ ଏପରି କୌଣସି ଧର୍ମ ନାହିଁ ଯାହା ମୂଳରୁ ହିଁ ଭେଦାଭେଦକୁ ଜନ୍ମ ଦେଇଛି ।
ହିନ୍ଦୁଧର୍ମର ସମସ୍ତ ମାନବୀୟ ଓ ଅତିମାନବୀୟ ମୂଲ୍ୟବୋଧ ସତ୍ୱେ (ବସୁଧୈବ କୁଟୁମ୍ବକମ ) ଭେଦଭାବପୂର୍ଣ
ଜାତିପ୍ରଥା ରହିଆସିଛି । ଜାତିପ୍ରଥା କଥା ଚିନ୍ତାକଲେ ବହୁ ପ୍ରକାରର ପ୍ରଶ୍ନ ମନକୁ ଆସିଥାଏ। ପ୍ରଥମେ
ହିନ୍ଦୁ ଧର୍ମ ଥିଲା ନା ପ୍ରଥମେ ଜାତିପ୍ରଥା ଥିଲା?
ସତେରେ ଜାତି କଣ କର୍ମ ଆଧାରିତ ବିଭାଜନ ନା ଏକ ମାନସିକ – ସାମାଜିକ ବିଭାଜନ? ଜାତିପ୍ରଥା ଭଳି ଏକ ବଂଶଗତ ଉଚ୍ଚ ନିଚ୍ଚ ସୋପାନ କେବଳ ଏହି ଭାରତ ଭୂଖଣ୍ଡରେ କାହିଁକି
ଦେଖାଗଲା? କାହିଁକି ସମାନ୍ତରାଳ ଭାବରେ ଆଦିବାସୀ ସମାଜ ଆମ ଚାରିପାଖରେ
ଥାଇ ମଧ୍ୟ ଓ ଦୈନଦିନ ଜୀବନରେ ସେ ସମସ୍ତ କର୍ମର ଆବଶ୍ୟକତା ସେମାନଙ୍କର ଥାଇ ମଧ୍ୟ ଜାତିଭେଦ ସେ
ସମାଜରେ କାହିଁକି ଦେଖାଗଲା ନାହିଁ ? ଆଧୁନିକ ଶିକ୍ଷା ପଦ୍ଧତି ହିନ୍ଦୁଧର୍ମରେ ସଂସ୍କାର ଆଣିବ ଓ ଜାତିଭେଦ ଲୋପ ପାଇବ ବୋଲି
ଯାହା ଅନୁମାନ କରଯାଇଥିଲା ତାହା ହେଉନାହି କାହିଁକି? ଏଭଳି କେଉଁ
ଅନୁଷ୍ଠାନ ରହି ଯାଇଛି ଯାହା ଧର୍ମକୁ ଜାତିଗତ ନୀତିନିୟମ ଦଣ୍ଡବିଧାନ ଭିତରେ ବାନ୍ଧିରଖିଛି?
ଏସବୁର ବିତର୍କ ଆମସମାଜରେ ନହେଇପାରିବା ନିଶ୍ଚିତ ରୂପେ ଦୁଖର ବିଷୟ । ମାତ୍ର ସେଭଳି
ନହେଇପାରିବା ପଛରେ ସମାଜର ଅଙ୍ଗ୍ୟତା ଅପେକ୍ଷା ସମାଜରେ ବ୍ରାହ୍ମଣବାଦର ଅପ୍ରତିହତ ପ୍ରଭାବ ହିଁ
ବଡ କାରଣ । ଆମ ସମାଜରେ ବ୍ରାହ୍ମଣବାଦକୁ ଯେଉଁଭଳି ବିରୋଧ ହେବା ଆବଶ୍ୟକ ତାହା ଆଜିପର୍ଯନ୍ତ ହୋଇପାରିନାହିଂ । ବରଂ ବ୍ରାହ୍ମଣବାଦ
କିଛି ମିଛ ଅନୁମାନ ତିଆରି କରି ସେହି ସବୁ ବିତର୍କିତ ବିଷୟ କୁ ଆଡେଇଦେଇପାରିଛି। (ଗୀତାର ଶ୍ଳୋକ
‘ଚତୁର୍ବନ ମୟା ଶ୍ରୁଷ୍ଟ’
ଅଥବା ‘ସ୍ଵଧର୍ମେ ନିଧନଂ ଶ୍ରେୟ’ )। ଓଡିଶାରେ ଦୃଢ ଜାତିପ୍ରଥା ଉତ୍ତର ଭାରତ ପରି ନରହିବା କଥା ଆମର ସମାଜଶାସ୍ତ୍ରୀ ମାନେ
ଯୁକ୍ତି କରନ୍ତି । କଳିଙ୍ଗ ରାଜ୍ୟ ପ୍ରଥମତଃ ଆଦିବାସୀ ଗଣରାଜ୍ୟ ଥିଲା । କଳିଙ୍ଗ ଯୁଦ୍ଧ
ପରେ କ୍ରମଶ ଗଙ୍ଗ ବଂଶ, ଭୌମକର, ତୁଙ୍ଗ ଓ ଭଞ୍ଜବଂଶୀୟ ରାଜା ମାନେ ଏହି ଭୂଖଣ୍ଡରେ ନିଜର ଶାସନ ପ୍ରତିଷ୍ଠା କରିବା
ସହିତ ବ୍ରାହ୍ମଣକୁ ଜମି ଦାନ ଦେଇ ଏଠାରେ ଜାତି ପ୍ରଥାକୁ ପ୍ରତିଷ୍ଠିତ କରେଇଛନ୍ତି। ସେମାନେ
ଆଦିବାସୀଙ୍କୁ ଚାଷ ଶିଖାଇବା ଓ ସେହି ଆଦିବାସୀଙ୍କ ଆମଦାନୀରେ ନିଜର ରାଜକୋଷ ଭରିବା ପାଇଁ
ସେମାନେ ବ୍ରାହ୍ମଣ ମାନଙ୍କୁ ଜମି ଦାନ ଦେଉଥିଲେ । ସେହି ପ୍ରକ୍ରିୟା ଭିତରେ ଯେଉଁ ଆଦିବାସୀମାନେ ଚାଷ କାମ
ଶିଖି ଉପକୂଳ ଜିଲ୍ଲାରେ ରହିଗଲେ ସେମାନେ ଶୂଦ୍ର ଗୋଷ୍ଠୀର ହେଲେ ଓ ସେମାନଙ୍କ ମୁଖ୍ୟ ମାନେ
କ୍ଷତ୍ରିୟ ଉପାଧି ପାଇବା କଥା ସମାଜଶାସ୍ତ୍ରୀ ମାନେ ବିଚାର କରନ୍ତି। (ବାକିମାନେ ଜଙ୍ଗଲ ଭିତରକୁ
ଯାଇ ବହୁବର୍ଷ ଧରି ଚାଷ କାମ ଶିଖିବା ଆଗରୁ ଶିକାର କରି ଓ ଖାଦ୍ୟ ସଂଗ୍ରହ କରି ଚଲୁଥିଲେ ) । ଏହି
ଆଦିବାସୀ –ଶୂଦ୍ର ମାନେ ରାଜାଙ୍କ ସାମରିକ ଶକ୍ତି ହୋଇ କାମ କରିଛନ୍ତି ।( The Present in the mirror of the Past – By Prof. Bhairabi
Prasad Sahoo of Delhi University) ସେଥିରୁ କେତେକ ବ୍ରାହ୍ମଣର ସହଯୋଗୀ
ଭାବରେ ବାରିକ ହୋଇ ସମସ୍ତ ଶୁଦ୍ଧକ୍ରିୟ, ବିବାହ ଆଦିରେ କାମରେ
ଲାଗିଛନ୍ତି ।
ଏହି ଆଦିବାସୀ ଗୋଷ୍ଠୀ ପରବର୍ତୀ ସମୟରେ ବିଭିନ୍ନ ଜାତି ଓ ଗୋଷ୍ଠୀରେ ପରିଣତ ହୋଇଛନ୍ତି ଓ ନିଜ
ମାଟିରେ ନିଜେ ବ୍ରାହ୍ମଣ ଓ ରାଜାଙ୍କ ଦ୍ଵାରା
ବ୍ୟବହୃତ ହୋଇଛନ୍ତି। ପରବର୍ତୀ ସମୟରେ ଏୟା ହିଁ ହିନ୍ଦୁ ଧର୍ମ ଓ ତତସଂଲଗ୍ନ ଜାତି ପ୍ରଥା ଆକାରରେ
ଏମାଟିରେ ସ୍ଵୀକୃତି ପାଇଛି। ଆମ୍ବେଦକରଙ୍କ
ଭାଷାରେ ‘ହିନ୍ଦୁ ଚେତନା ବୋଲି କିଛି ନାହିଁ । ପ୍ରତ୍ୟେକ
ହିନ୍ଦୁ ଭିତରେ ଯେଉଁ ଚେତନା ରହିଛି ତାହା କେବଳ ତାର ଜାତିକୁ ନେଇ ତାର ଚେତନା ।‘ (There is no Hindu consciousness of kind. In every Hindu the
consciousness that exists is the consciousness of his caste.)
ବିଲମ୍ଭରେ ହେଲେ ବି ପରେ ଏହି ଉତ୍କଳ ଭୂଖଣ୍ଡରେ ଉଗ୍ର ଜାତି ବାଦ ଆମେ ଅନୁଭବ କରୁଛେ ।
ଧର୍ମନାମରେ ଭୟ ହିଁ ଏହି ସବୁ ମିଛ ଅନୁମାନର ମୂଳ ସାମାଜିକ ସୂତ୍ର । ଏହାର ଧାର୍ମିକ ବିଚାରାଳୟ ହେଲା ମନ୍ଦିର । ସହରରେ ଥିବା ବୃହତ୍ତ ମନ୍ଦିରର ତତ୍ଵାବଧାନ ଖୋଦ
ସରକାରୀ ପ୍ରଶାସକଙ୍କ ହାତରେ ଥିଲେ ମଧ୍ୟ ଓ ଆମର ଦେଶର କର୍ତା ମାନେ ଧର୍ମନିରପେକ୍ଷତା ଓ
ଜାତିଭେଦର ଊର୍ଦ୍ଧ୍ଵରେ ସମସ୍ତଙ୍କୁ ସମାନ ଭାବରେ ଦେଖିବା ପାଇଁ ସାମ୍ବିଧାନିକ ଶପଥ ନେଇଥିଲେ
ମଧ୍ୟ ବୃହତ ମନ୍ଦିରର ଜାତିଗତ ସୋପାନ ଶ୍ରେଣୀକୁ କେବେ ଅତିକ୍ରମ କରିବାର ସାହସ ମଧ୍ୟ କରିନାହାନ୍ତି
। ଓଲଟି ସରକାରୀ ଅଫିସର କାର୍ୟାଳୟ ଭିତରକୁ ହିନ୍ଦୁ ଦେବାଦେବୀ ଓ ବ୍ରାହମଣିୟ ପରମ୍ପରା ବେଶ
ଆରମରେ ପଶି ଆସିଛି । ସେହିପରି ଗ୍ରାମାଞ୍ଚଳରେ ମନ୍ଦିର
ନିକଟସ୍ଥ ଚଉରା ହେଲା କୋର୍ଟରୁମ ଯେଉଁଠି ଜାତି ହିସାବରେ ଲୋକେ ଉପର ତଳ ପାଖ ଓ ଦୂର ହୋଇ ଏବେବି
ଉପକୂଳ ଜିଲ୍ଲାର ଗ୍ରାମମାନଙ୍କରେ ବିଭିନ୍ନ ନ୍ୟାୟ ନିଶାପ ସମୟରେ ବସିଥାନ୍ତି ।
ପୁରୀ ଜିଲ୍ଲାର ବାରିକ ମାନଙ୍କ ଅଭିଯୋଗ ହେଲାଯେ ପୀଢି ପୀଢି ଧରି ସେମାନେ କରି ଆସୁଥିବା
କାମ ଯେମିତିକି ପ୍ରତିଦିନ ସକାଳେ ଓ ସଞ୍ଜରେ ମନ୍ଦିର ଆଗରେ ଘଣ୍ଟା ବଜାଇବା, ସନ୍ଧ୍ୟାରେ ଲାଇଟ ମୁଣ୍ଡାଇବା, ଭୋଜିରେ ଅଇଁଠା
ପତ୍ର ଉଠାଇବା କାମ ଇତ୍ୟାଦି ଆଉ କରିବେ ନାହିଂ କାରଣ ଏହାଦ୍ୱାରା ସେମାନେ ସ୍ଥାନୀୟ ସହରକୁ
ଦିନିକିଆ ମଜୁରି କାମରେ ଯିବା ରେ ଅସୁବିଧା ହେଉଛି ଓ ଏହି କାମ ହେତୁ ଗାଁର ଖଣ୍ଡାୟତ ମାନେ
ସେମାନଙ୍କୁ ନୀଚ କରି ଦେଖୁଛନ୍ତି । ଏହା ବ୍ୟତିତ ବର୍ଷକୁ ମାତ୍ର କିଛି କିଲୋ
ଧାନ ବଦଳରେ ସାରା ଗାଁର ଲୋକଙ୍କ ଖିଅର କରିବା ଓ ସମସ୍ତଙ୍କ ପୂଜା ବିଧିରେ ଦିନ ସାରା ସହଯୋଗୀ
ଭାବରେ କାମ କରିବାକୁ ସେମାନେ ଆଗ୍ରହୀ ନୁହନ୍ତି,
ଯାହା ଯଥାର୍ଥ ମଧ୍ୟ। ହେଲେ ଗ୍ରାମବାସୀଙ୍କ ଓ ଗ୍ରାମ୍ୟ ମନ୍ଦିରର କାମ କରିବାକୁ ମନା କରିବା
ହେତୁ ତଳଜଙ୍ଗ ଗ୍ରାମର ଖଣ୍ଡାୟତ ମାନେ ସେହି ଗ୍ରାମର ବାରିକଙ୍କ ଘରେ ନିଆଁ ଲଗେଇଦେଲେ, ଝିଅ ବୋହୂଙ୍କୁ ମାଡ ମାରିଲେ, ସେମାନଙ୍କ ଫସଲ କାଟିନେଲେ ଓ
ଘରେ ପଶି ଭଙ୍ଗାରୁଜା କଲେ। ଶେଷରେ ଗାଁରୁ କିରୋସିନ, ପିଡ଼ିଏସ ଚାଉଳ
ଚିନିକୁ ମଧ୍ୟ ବାସନ୍ଦ କାଲେ । ବାରିକ ପରିବାର ସ୍ଥାନୀୟ ଚନ୍ଦନପୁର
ପୁଲିସ ଓ ପୁରୀ ଏସପି ତଥା ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଜଣାଇବା ସତ୍ଵେ କିଛି ମିଥ୍ୟା
ପ୍ରତିଶ୍ରୁତି ବ୍ୟତିତ ଆଉ କୌଣସି କର୍ଯାନୁଷ୍ଠାନ ହେଉ ନାହିଁ। ବାରିକମାନେ ପୁରୀ ଜିଲ୍ଲାପାଳଙ୍କ
ଅଫିସ ସମୁଖରେ ଧାରଣ ଦେବା ମଧ୍ୟ ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରୁନାହିଁ।
ଆମ ସମଯରେ ଜାତି ଆଉ ଚାରି ବର୍ଣ ମଧ୍ୟରେ ସୀମିତ ହୋଇରହିନାହିଂ । ଏହା ବହୁ ଜାତି ଓ
ଉପଜାତିରେ ତିଆରି ହୋଇଯାଇଛି। କିଏ କାହାଠାରୁ ଉଚ୍ଚ ସେ ବାଛବିଚାର ଗ୍ରାମର ସୀମା ଡେଇଁ ସହରରେ, ବାହାଘର ପ୍ରସ୍ତାବ ସମୟରେ ଓ ଏକ କଲୋନୀରେ ଥିବା ବିଭିନ୍ନ ଜାତିର
ଲୋକଙ୍କ ମଧ୍ୟରେ, ଏବେବି ଦେଖାଯାଉଛି। ପ୍ରତ୍ୟେକ ଜାତି ନିଜଠାରୁ ଉଚ୍ଚ
ଜାତି ସହିତ ସମ୍ଭ୍ରମତାର ସହିତ ବ୍ୟବହାର କଲାବେଳେ ନୀଚ ଜାତି ସହିତ ଆବଶ୍ୟକ ପଡିଲେ ନିଜର
ପରାକ୍ରମ ଦେଖାଇବାକୁ ପଛାନ୍ତି ନାହିଂ। ଏହା ପଛରେ ସାମାଜିକ ସୂତ୍ର ହେଲା କେଉଁ ଜାତି
ବ୍ରାହ୍ମଣର କେତେ ନିକଟତର - କାହାର ପ୍ରବେଶ ବ୍ରାହ୍ମଣ ର ଘର ଭିତରକୁ କେତେ ଦୂର ।
ମନ୍ଦିରର ଦୈନଦିନ କାର୍ଯ ପଦ୍ଧତି ‘ସେବକ’ ମାନଙ୍କ ଜାତି ଅନୁସାରେ କାର୍ଯବଣ୍ଟନ ହୋଇଥାଏ। ସେହି ସାମାଜିକ ସୂତ୍ର ଅନୁସାରେ
ମନ୍ଦିରର ମୁଖ୍ୟ କାମ ଯଦିଓ ବ୍ରାହ୍ମଣ ହାତରେ ରହେ ତଥାପି ଫୁଲ ତୋଳିବା, ମନ୍ଦିର ସଫକରିବା, ବାଜା ବଜେଇବା,
ପାଣି ବୋହିବା, ମନ୍ଦିରର ଛାମୁଣ୍ଡିଆ ପର୍ବ ସମୟରେ କରିବା ଇତ୍ୟାଦି
କାର୍ଯ ଜାତି ଅନୁସାରେ ବଣ୍ଟାଜାଇଥାଏ ଓ ସେହି ସୋପାନ ଅନୁସାରେ କାର୍ଯର ଭୁତି ପରିମାଣ ମଧ୍ୟ
(ଯେମିତିକି ଅନ୍ୟ ଜାତି ପାଇଁ ବର୍ଷକୁ ମାତ୍ର କେତେ ଗଉଣୀ ଧାନ ତ ବ୍ରାହ୍ମଣ ପାଇଁ କେତେ ମାଣ
ଜମି) ବହୁ ପୁରାତନ କାଳରୁ ଖଞ୍ଜା ଯାଇଛି। ମନ୍ଦିରର କାର୍ଯକୁ ଭଗବାନଙ୍କ ‘ସେବା’ ବୋଲି ଯଦିଓ ବ୍ରାହ୍ମଣ ଦ୍ଵାରା କୁହାଯାଇଥାଏ ମାତ୍ର ଭୁତି କ୍ଷେତ୍ର ରେ ତାରତମ୍ୟ କୁ ଜନ୍ମଗତ ଅଧିକାର
ବୋଲି ବ୍ରାହ୍ମଣ ଜଣକ ଭବିଥାଏ । ତେଣୁ ଏହି ‘ସେବା’ ବରଂ ସାନ ବଡ ସୋପାନରେ ବିଭକ୍ତ ବୃତିଗତ କାର୍ଯ ଓ ତାହା ସହସ୍ର ବର୍ଷ ହେଲାଣି ଏହି
ଅସାମାନତା କୁ ବଞ୍ଚେଇ ରଖିଛି। ଜାତିର ସୋପାନରେ କୌଣସି ବର୍ଗ ଯଦି ବୃତିଗତ କାର୍ଯ କରିବା ପାଇଁ
ମନା କଲା ତେବେ ଧର୍ମଦ୍ରୋହୀ ବୋଲି ବ୍ରାହ୍ମଣ ଜଣକ ଚିତ୍କାର କରେ ଓ ଏହା ଓ ଏହାକୁ ଅନ୍ୟମାନେ ବିଶ୍ଵାସ
କରନ୍ତି। ବହୁସମୟରେ ପୁରୀ ସହରବାସି କିଏ କିଏ ଯୁକ୍ତିକରନ୍ତି ଯେ ବାରିକ ମାନଙ୍କୁ ଏ ପ୍ରଥା କୁ
ମାନିନେବାରେ ଅସୁବିଧା କଣ ଅଛି। ଏଠାରେ ମାନବିକ ଅଧିକାରର ପ୍ରସଙ୍ଗ ଆସୁଛି ଓ ଏହା ବାରିକମାନଙ୍କ ମାନବିକ ଅଧିକାରର କଥା ଯେ ସେମାନେ କେଉଁ
କାମ କରିବେ ଓ କେଉଁ କାମକୁ ମନା କରିବେ ।
ଅତୀତରେ ଭକ୍ତି ଆନ୍ଦୋଳନ ସମୟରେ ଅଥବା ପଞ୍ଚସଖାଙ୍କ ସମୟରେ, ବହୁ ମନୀଷୀ ଜାତି ପ୍ରଥା ବିରୁଦ୍ଧରେ ସଚେତନତା ପାଇଁ ଚେଷ୍ଟା କରିଛନ୍ତି
। ବ୍ରାହ୍ମଣବାଦ କୁ ବିରୋଧକରି ହିଁ ପଞ୍ଚସଖାଙ୍କ ଯୁଗରେ ଲୋକସାହିତ୍ୟ ତିଆରି ହୋଇଚ୍ଛି । ମାତ୍ର ତାହାର କୌଣସି ପ୍ରଭାବ ଆମ ସମାଜରେ ପଡ଼ିପାରିଲାନାହିଁ। ଏହି ଜାତୀବାଦ ଭାବନାରୁ ଯେଉଁ
ଦଳିତମାନେ ନିଜକୁ ସମ୍ପୂର୍ଣ ମୁକ୍ତ କରିବା ପାଇଁ ଭାବିଲେ ସେମାନେ ଇସଲାମ ଧର୍ମ (ଓ ପରେ
ଖ୍ରୀଷ୍ଟିୟାନ ଧର୍ମ ମଧ୍ୟ) ଗ୍ରହଣ କରିନେଲେ । ଏପରିକି ମାର୍କ୍ସବାଦୀ ମାନେ ଯାହା
ଚିନ୍ତାକରୁଥିଲେ ଯେ ଭାରତୀୟ ଅର୍ଥନୀତି ସାମନ୍ତବାଦ ରୁ ପୁଞ୍ଜିବାଦ ଆଡକୁ ଆସିବା ଭିତରେ ଏହି
ସାମନ୍ତବାଦୀ ରୁଗଣ ମାନସିକତା ଲୋପ ପାଇଯିବ, ବାସ୍ତବ
କ୍ଷେତ୍ରରେ ସେପରି ହେଲା ନହିଁ। ଭାରତୀୟ ପୁଞ୍ଜି ଆନ୍ତର୍ଜାତିକ ପୁଞ୍ଜିରେ ପରିଣତ ହେଲାଣି ।
ମାତ୍ର ଜାତିବାଦ ଲୋପ ପାଉନାହିଂ । ବରଂ ଏକ ନୁତନ ସମୀକରଣ ଦେଇ ଏହା ଏବେ ଆହୁରି ଦୃଢ ହେବାରେ
ଲାଗିଛି ।
ଭୋଟ ରାଜନୀତିରେ ଜଣେ ନିର୍ବାଚିତ ପ୍ରତିନିଧି ପାଇଁ ସମାଜରେ ସଂସ୍କାର ଆଣିବା ଅପେକ୍ଷା
ନିର୍ବାଚନରେ ବାରମ୍ବାର ଜିତିବା ଅଧିକ ମହତ୍ଵ ରଖେ। ଖଣ୍ଡାୟତ ମାନେ ଭୋଟର ସଂଖ୍ୟାରେ ଯଥେଷ୍ଟ
ଅଧିକ। ନିର୍ବାଚନ ବ୍ୟବସ୍ଥାରେ ଶାସକ ଗୋଷ୍ଠୀର ରାଜନୈତିକ ଦଳ ଖଣ୍ଡାୟତ ଭୋଟ କୌଣସି ମତେ ହାତଛଡା
କରିବାକୁ ଚାହୁନାହାନ୍ତି । ଏହି ଖଣ୍ଡାୟତ-ବାରିକ ବିବାଦରେ ସମଗ୍ର ଖଣ୍ଡାୟତମାନେ
ମଧ୍ୟ ଏକାଠି ହେଇଯାଇଛନ୍ତି। ଯଦିଓ ଭାରତୀୟ ଗଣତନ୍ତ୍ର ଓ ଆମର ସାମ୍ବିଧାନିକ ବିଧି ବ୍ୟବସ୍ଥା ‘ଜଣେ ବ୍ୟକ୍ତି ଗୋଟେ ଭୋଟ’ ର କଥା କହୁଛି ମାତ୍ର
ଶାସକ ଦଳର ଜାତିଆଣ ରାଜନୀତି ଏକବିଂଶ ଶତାବ୍ଦୀରେ ବି ଉନ୍ନବିଂଶ ଶତାବ୍ଦୀର ସାମନ୍ତବାଦୀ
ଅତ୍ୟାଚାର ଓ ଶୋଷଣଠାରୁ ବଳେଇ ଯାଉଛି । ଖଣ୍ଡାୟତଙ୍କ ସମସ୍ତ ବର୍ବରତା ସତ୍ୱେ
ଶାସକଦଳର ନିର୍ବାଚିତ ପ୍ରତିନିଧିଙ୍କ ଭରୋଷା ହେତୁ ସେମାନଙ୍କ ସମସ୍ତ ଦୋଷାବହ କାର୍ଯବିରୁଦ୍ଧରେ
ଶତତ ଅଭିଯୋଗ ପାଇ ମଧ୍ୟ ସ୍ଥାନୀୟ ପୁଲିସ ଅଧିକାରୀ ଓ ପ୍ରଶାସନ କୌଣସି ପଦକ୍ଷେପ ନେବାକୁ ଅମଙ୍ଗ । କାରଣ ତାହାକଲେ ନିର୍ବାଚିତ ଜନପ୍ରତିନିଧିଙ୍କ ଆକ୍ରୋଶର ସମ୍ମୁଖୀନ ହେବାକୁ ପଡିପାରେ । ଫଳରେ ଜାତିଭେଦ ଅଚିରେ ଜାତିଗତ ହିଂସା ରେ ପରିଣତ ସିନା ହେଇଯାଉଛି ମାତ୍ର ଏ ବିବାଦ ଦୁର୍ବଳ
ହେବାର ନାମ ନେଉ ନାହିଂ ।
ପଚାଶ ଦଶକର ଚିନ୍ତାନାୟକ ମାନେ ସ୍ଵାଧୀନ ଭାରତରେ ପଶ୍ଚିମ ଗଣତନ୍ତ୍ରକୁ ଆଣି ବସାଇଲା ବେଳେ
ଏହି କଥାଟିକୁ ଅନୁମାନ କରିନଥିଲେ ଯେ ଏତେ ବଡ ସାମୁଦାୟର ଜଣେ ପ୍ରତିନିଧି କଦାପି ସମ୍ଭବ ହେବ
ନହିଁ ଯେତେବେଲେକି ଆମ ସମାଜରେ ପରସ୍ପର ବିରୋଧୀ ଏତେ ବିବାଦ କାହିଁ କେତେ ପୀଢୀରୁ ରହି ଆସିଛି।
ବିବାଦର ସମାଧାନ ବଦଳରେ ଜନପ୍ରତିନିଧୀମାନେ ସେହାକୁ ଯେ ବଞ୍ଚେଇରଖିବେ ସେକଥା ହୁଏତ ସେମାନେ
ଭାବିନଥିଲେ। ତେଣୁ ବାକ ଙ୍କ ପରି ଛୋଟ ସଂଖ୍ୟାର ଜନସମୁଦାୟଙ୍କ ପାଇଁ ରାଜନୈତିକ ଢାଞ୍ଚାରେ
ପରିବର୍ତନ ପାଇଁ ଦାବି କରିବା ବ୍ୟତିତ ଆଉ କୌଣସି ରାସ୍ତା ବାକି ରହୁ ନାହିଂ । ଗୋଟେ ପଟେ ବଜାର ଅର୍ଥନୀତି ସମାଜକୁ ଭାଙ୍ଗି କେବଳ ବ୍ୟକ୍ତିରେ
ପରିଣତ କରିଚାଲିଛି ଓ ଅନ୍ୟପଟରେ ସମାଜ ଭାଙ୍ଗି ଯାଉଥିବା ଆଳରେ ସୁବିଧାବାଦୀ ଗୋଷ୍ଠୀ ପରମ୍ପରାକୁ
ବଞ୍ଚାଇ ରଖିବା ବାହାନାରେ ଦୁର୍ବଳ ଉପରେ ଆକ୍ରମଣ କରିଚାଲିଛି। ଏହି ସମୁଦ୍ରମନ୍ଥନ ରୁ
ବାହାରୁଥିବା ହଳାହଳ ବିଷ ଜାତିଭେଦକୁ ଦୃଢ କରିବା ସହିତ ଗଣତନ୍ତ୍ରକୁ ସ୍ଵୈରତନ୍ତ୍ର ରେ ପରିଣତ
କରୁଛି । ନିକଟ ଭବିଷ୍ୟତରେ ସମାଧାନର ରାସ୍ତା କ୍ଷୀଣ ଯଦି ଏହାର ଆମୂଳଚୂଳ ପରିବର୍ତନ ନହେଇଛି ।
----
ଦେବ ରଞ୍ଜନ ମାନବିକ ଅଧିକାର ଆଂଦୋଳନର ଜଣେ କର୍ମୀ।
ଠିକଣା: ଏ/202, ସୋନାଲୀ ଏପାର୍ଟମେନ୍ଟ,
ଶୈଳଶ୍ରୀ ବିହାର, ଭୁବନେଶ୍ଵର – 21,
No comments:
Post a Comment