Wednesday, June 27, 2018

ବିକାଶ : ପୁଞ୍ଜିପତିର ନା ସାଧାରଣ ମଣିଷର


ବିକାଶ : ପୁଞ୍ଜିପତିର ନା ସାଧାରଣ ମଣିଷର

ସ୍ବାଧିନତାର ଦୀର୍ଘ 68 ବର୍ଷ ମଧ୍ୟରେ ଯେଉଁ ଫୁଲମାଳ ତିଆରି ହୋଇଛି ସେଥିରେ ଯେଉଁ ସୂତା ଏହି ଦୀର୍ଘ ବର୍ଷମାନଙ୍କର ଘଟଣାବଳିକୁ ଯୋଡି ରଖିଛି ତାହା ହେଲା ବିକାଶ ଯାହା ଆମକୁ କେବେ ଦେଖା ଯାଉଛି କେବେ ନୁହେଁ ମାତ୍ର ପ୍ରତି ମୁହୁର୍ତରେ ଆମେ ଏହାର ଉପସ୍ଥିତି କୁ ଅନୁଭବ କରିପାରୁଛେଏହି ବିକାଶ ରୂପୀ ସୂତା ରେ ଗୁନ୍ଥା ହୋଇଥିବା 68 ବର୍ଷର ଘଟଣାବଳୀକୁ ଏକା ଖପୁରି ଆକାରରେ ଗୁନ୍ଥି ଯେଉଁ କାପାଳିକା ର ବେକରେ ଝୁଲାଇ ଦିଆଯାଇଛି ସେହି କାପାଳିକା ଜଣକ ହେଲେ ତ୍ରିରଙ୍ଗା ପତାକା ପିନ୍ଧିଥିବା ଅତିବିଶିଷ୍ଟ ଭାରତମାତା ସେହି ଭାରତ ମାତା କେବେ ପ୍ରଶ୍ନ କରିନାହାନ୍ତି ଯେ ଯେ ତାର ଛୁଆ ମାନଙ୍କୁ କାହିଁକି ଗଣହତ୍ୟା କରି ତା ର ବେକରେ ଏପରି ଲଟକାଇ ଦିଆଯାଉଛି ମାତ୍ର ଆମେ ଆମର ସ୍କୁଲ ସମୟରୁ ଦେଇ ଆସୁଥିବା ଏହି  ସ୍ଲୋଗାନ “ଭାରତ ମାତା କି ଜୟ” ପ୍ରକୃତରେ ସ୍ଲୋଗାନ ନୁହେଁ ବରଂ ମରାଠା ଆକ୍ରମଣ ସମୟର ସେହି ସ୍ଵର “ହର ହର ମହାଦେବ” ଯାହା ଗାଁ, ଜଙ୍ଗଲ, ନଦୀ ପାହାଡ, ଜନବସତି କୁ ଉଜାଡି ଦେଇ ଜିତିଥିବା ରାଜାର ପତାକା କୁ ଉଡାଇ ଚାଲିଥିଲା ଏବେ ସେହି ଜାଗାରେ ତ୍ରିରଙ୍ଗା ପତାକା ଉଡାଇ ନିର୍ବାଚିତ ଶାସକମାନଙ୍କ ଦ୍ଵାରା କୁହାଯାଉଛି ଭାରତକୁ ଉନ୍ନତ ଦେଶ କରିବାରେ ଆମେ ପ୍ରୟାସ କରୁଛୁ  ତେଣୁ ମୋତେ ଆଜି ଏହା ସ୍ଲୋଗାନ ନୁହେଁ ବରଂ ବୁଲ୍ଦ୍ରୋଜର ର ମେସିନ ର ଘଡ ଘଡ ଶବ୍ଦ ପରି ଲାଗୁଛି ଯାହା ଆଜି ସବୁ ଜମିକୁ ସମତଳ କରି କୌଣସି କମ୍ପାନୀକୁ ଜମି ହସ୍ତାନ୍ତର ପାଇଁ ଆଗ୍ରହୀ ଏହି ଲୋକ ଦେଖାଣିଆ ଧନିକ ପଣିଆ କୁ ମୁଁ ପ୍ରଶ୍ନ କରୁଛି
ଓଡିଶାର ପ୍ରତିରୋଧ ଆନ୍ଦୋଳନ ଓ ସରକାରଗଣଙ୍କ ମନୋଭାବ ଗୋଟିଏ ଜାତୀୟତାବାଦ ଭିତରେ ଦୁଇଟି ରାଷ୍ଟ୍ର ର କଥା କହୁଛି ଆପଣ ମାନଙ୍କୁ ମୁଁ ଶୁଣାଉଛି ପଚାଶ ଦଶକର ସେହି ଗୀତା ଯାହା ର ଲେଖକ ଭାବିନଥିଲେ ତାଙ୍କୁ ଏମିତି ସ୍ଵାଧୀନ ଭାରତରେ ଲେଖିବାକୁ ପଡିବ ଯେତେ ବେଳେ ସମସ୍ତେ ନୂଆ ଭାରତ ର ସ୍ଵପ୍ନରେ ମସଗୁଲ ସେତେବେଳେ ହୀରାକୁଦ ଅଞ୍ଚଳରେ ଶୁଣାଯାଉଛି , ଚାଳରେ ଚାଳରେ ଚାଲ / ହୀରାକୁଦ କେ ଚାଲ / ସରକାର ଜେନ ବନ୍ଧ ବାନ୍ଧୁଛେ ବନ୍ଦ କାରମା ଚାଲ ପୁଣି ଆଉ ଜଣେ କବି ଗାଉଛନ୍ତି , ହୀରାକୁଦ ତୁରେ ଚାଲ / ହିରାଖଣ୍ଡ ର ଦୁର୍ଜୟ ବୀର / ବିଳ୍ପବେ ମାତି ଚାଲ । ଯଦି ସତେରେ ଭାରତମାତର ଜୟ ଅର୍ଥାତ ତାର ସନ୍ତାନ ଭାବରେ ସମସ୍ତଙ୍କ ଜୟ ହୋଇଥାନ୍ତା ତେବେ ସ୍ଵାଧୀନ ଭାରତରେ ସମ୍ବଲପୁର ବାସୀ ହୀରାକୁଦ ଅଞ୍ଚଳରେ ପୁଣି ଏକ ଲଢେଇ ନିଜ ଶାସକ ବର୍ଗଙ୍କ ବିରୁଦ୍ଧରେ କାହିଁକି ଏକାଠି ହୋଇଥାନ୍ତେ ?
ଯଦି ହୀରାକୁଦ ବନ୍ଧା ହୋଇନଥାନ୍ତା ତେବେ କଣ ହୋଇଥାନ୍ତା ?
ଦ୍ଵିତୀୟ ବିଶ୍ଵାଯୁଦ୍ଧ ପରବର୍ତୀ ସମୟ , ଆମେରିକୀୟ ପୁଞ୍ଜିବାଦୀ ତତ୍ଵ ସାରା ବିଶ୍ଵକୁ ଗ୍ରାସୀ ଥାଏ । ଶୀଘ୍ର ଶୀଘ୍ର ଉନ୍ନତି କରିବା ଓ ଯୁଦ୍ଧ ପରବର୍ତୀ ସ୍ଥିତିର ସମ୍ପୂର୍ଣ ଫାଇଦା ନେବା ଏଥିପାଇଁ ପୁଞ୍ଜିବାଦୀ ଶକ୍ତିର ପ୍ରବଳତା ବଢିଥାଏ ସେହି ସମୟକୁ ଇଂଲଣ୍ଡର ଅର୍ଥନୀତି ଦୁର୍ବଳ ହୋଇଆସୁଥାଏ । ଏହି ପରିପ୍ରେକ୍ଷୀରେ 1945 ରେ ଅଯୋଧ୍ୟାନଥ ଖୋସାଲା ହୀରାକୁଦ ଅଞ୍ଚଳକୁ ମାତ୍ର ଥରେ ଆସି ତାହା ପୁଣି ମେ, 1945ରେ, ସୁବିସ୍ତୃତ ରିପୋର୍ଟ ଦେଲେଯେ ହିରାକୁଦ ବନ୍ଧ ହେଲେ ଓଡିଶାରେ ଖିରୀ ପୁରୀ ଭାସିବ, ଘରେ ଘରେ ସୁନା ରୂପା ଭରିଯିବ ସେ ଥିଲେ ଚେୟାରମ୍ୟାନ ଇରିଗେସନ ଓ ନାଭିଗେସନ କମିଶନ ତାଙ୍କ ଆଖି ଠିକ ଥିଲା ସେ ଦେଖାଉଥିଲେ ଆଉ କାହାକୁ ଓ କହୁଥିଲେ କିନ୍ତୁ ଆଉ କାହାର କଥା ତାଙ୍କ ପ୍ରସ୍ତାବକୁ ତୁରନ୍ତ ଓଡିଶାର ନୂତନ ସରକାର ଯଥା ହରେକୃଷ୍ଣ ମହତାବ ଓ ନବକୃଷ୍ଣ ଚଉଧୁରୀ ତଥା ଦିଲ୍ଲୀରେ ବଲ୍ଲଭ ଭାଇ ପଟେଲ ଓ ଜବାହାରଲାଲ ନେହେରୁ ମାନିନେଲେ ସେଥିପାଇଁ ଜେଉଁ ବିସ୍ଥାପିତ ନିଜ କବିତା ରେ ଲେଖିଛନ୍ତି , ଯେତେ ଗଡଜାତି ନବାବ ରାଜା / ସୁଖେ ପାଇଁ ବୃତି ବାଡି ଖଞ୍ଜା / ନେହେରୁ ପଟେଲ ଦୁଇ ଭାଇ / ରାଜାଙ୍କୁ କରନ୍ତି ବଧାଇ (ହରେକୃଷ୍ଣ ମହତାବ) / ଭୁବନେଶ୍ଵର କଟକ / ସାମଲ ଇଶ୍ଵର ମୂଳକ / ହୀରାକୁଦ ମହାନଦୀ ଡରିଲା / ପଣ୍ଡିତ ନେହେରୁର ପାଦଧୂଳି ପଡିଲା
ଏହା ପରେ 1948 ବେଳକୁ ଭାରତର ସର୍ବବୃହତ 4.8 କିମି ଲମ୍ବ ଡ୍ୟାମ ତିଆରି ହେଲା । ଯଦି ଡାଇକକୁ ମିଶାଯାଏ ତେବେ ଏହା 25.8 କିମି ହେବ ଏଥିରେ 743 ବର୍ଗ କିମି ପରିମିତ ଜଳଭଣ୍ଡାର ତିଆରି ହେଲା ଯଦି ଡ୍ୟାମ ହୋଇନଥାନ୍ତା ତେବେ 283 ଖଣ୍ଡ ଗ୍ରାମର 1,50,000 ଲୋକ ବିସ୍ଥାପିତ ହୋଇନଥାନ୍ତେଏହା ହୋଇନଥିଲେ 1,23,030 ଏକର ଚାଷ ଜମି, 59,187 ଏକର ଅନାବାଦି ଜମି ଓ 3800 ଏକର ଜଙ୍ଗଲ ଜମି ବୁଡି ନଥାନ୍ତା ଏହି ତଥ୍ୟ ମୁଁ ଭାରତ ଚନ୍ଦ୍ର ନାୟକ ଙ୍କ ଆତ୍ମଜୀବନୀ “ମୋର ପୂର୍ବସ୍ମୃତି କଥା”ରୁ ନେଇଛି ହୀରାକୁଦ ନଦୀବନ୍ଧ ଯୋଜନା ଉପକୂଳରେ ବନ୍ୟା ର ମାତ୍ରା କମାଇବା ବୋଲି କୁହାଯାଉଥିଲା ମାତ୍ର ତାହା ମିଥ୍ୟା ଥିଲା 1982 ଦଳେଇ ଘାଇ ଭଙ୍ଗା ଘଟଣା ଓ ପରେ ପରେ 2002 ଓ 2009 ର ବନ୍ୟା ପ୍ରଳୟଙ୍କରୀ ଅଟେ ଯେଉଁ ଜଳସେଚନ କଥା କୁହାଗଲା ତାହା କମିବାରେ ଲାଗିଛି କେନ୍ଦ୍ର ସରକାରଣଙ୍କ ଯୋଜନା କମିଶନ ଙ୍କ ରିପୋର୍ଟ ଅନୁସାରେ ଯଦିଓ ଉପର କେନାଲରେ ସମସ୍ତ ଜମି ଜଳସେଚିତ ହେଉଛି ମାତ୍ର ମଧ୍ୟମ କେନାଲ ରେ ମାତ୍ର 35% ଓ ତଳ କେନାଲ ରେ ଏହା ମାତ୍ର 18% ଜମିକୁ ପାଣି ମାଡୁଛି ରବି ଚାଷ ସମୟରେ ଯେତେବେଲେକି ଜଳସେଚନ ଅତି ଜରୁରୀ ସେତେବଳେ 108,000 ଏକରରୁ ଏହା 80,000 ଏକରକୁ ଖସିଗଲାଣି ।
ଏହିଠାରେ ନେହେରୁ ହୀରାକୁଦ ବାସୀ ଙ୍କୁ କହିଥିଲେ  “ଯଦି ତୁମର କିଛି ଅହିତ ହେଉଥାଏ ତେବେ ଦେଶର ସ୍ଵାର୍ଥ ପାଇଁ ତୁମେ ତାହାକୁ ଭୋଗିବାକୁ ପଡିବ ( If you are to suffer, you should suffer in the interest of the country….”)ସେହି ଯେଉଁ ମାନେ ଦେଶର ଭବିଷ୍ୟତ ମାନେ ଥିଲେ ଯେଉଁ ମାନଙ୍କ ପାଇଁ ଏତେ ବଡ ଡ୍ୟାମ ର କଳ୍ପନା କରାଗଲା ସେମାନେ ଥିଲେ ହୀରାକୁଦର ଉତ୍ତର ରେ ସ୍ଥାପିତ ହିଣ୍ଡାଲ କମ୍ପାନୀର ଆଲୁମିୟମ ପ୍ଳାଣ୍ଟ ଯାହା ପାଇଁ 55,000 କିଲୋୱାଟ ଜଳ ବିଦ୍ୟୁତ ଯୋଗାଯାଇଥିଲା ସମୁଦାୟ ଉତ୍ପାଦିତ ହେଉଥିବା 2,70,000 କିଲୋ ୱାଟ ରୁ 20% କେବଳ ଜିଡ଼ି ବିରଳଙ୍କ କମ୍ପାନୀ କୁ ଗଲା ସ୍ଵାଧୀନତା ପରେ ବିରଳ କମ୍ପାନୀର ରାଜତ୍ଵ କଂଗ୍ରେସ ପାର୍ଟି ଭିତରେ ଏପରି ଥିଲା ଯେ ସେହି ହିଣ୍ଡଳ କମ୍ପାନୀ ର ମ୍ୟାନେଜର ଓ ବିରଳଙ୍କ ଜ୍ଵାଇଁ ଓଡିଶାରୁ ଗଡଜାତ ଗାନ୍ଧୀ ସାରଙ୍ଗଧର ଦାସଙ୍କ ନାମ କାଟି ରାଜ୍ୟ ସଭା ସଦସ୍ୟ ମଧ୍ୟ ହୋଇଥିଲେ ହିଣ୍ଡଲୋକୋ ସହିତ ରାଉରକେଲା ଷ୍ଟିଲ ପ୍ଳାଣ୍ଟ, ସିଂହଭୂମି ସ୍ଥିତ ଲୁହା ଓ ମାଙ୍ଗାନିଜ ଖଣି , ଡାଲମିୟା ଗ୍ରୁପ୍ର ରାଜଗାଙ୍ଗପୁର ସିମେଣ୍ଟ କାରଖାନା ଓ ବନେଇ ସ୍ଥିତ ଲୁହା ଓ ମାଙ୍ଗାନିଜ ଖଣି କୁ ମଧ୍ୟ ବିଦ୍ୟୁତ ଶକ୍ତି ରପ୍ତାନି ହେଲା । ଏହି ଡ୍ୟାମ ଉଭୟ ଖଣି ଓ ଖଣି ଭିତ୍ତିକ ଖାରଖାନାକୁ ଜନ୍ମ ଦେଲା ଅର୍ଥାତ ହୀରାକୁଦ ନଦୀ ବନ୍ଧ ଯୋଜନା ହୋଇନଥିଲେ ସ୍ଵାଧୀନ ଭାରତରେ ସରକରା ପୁଞ୍ଜି ର ଯେଉଁ ହଡପ ପ୍ରାଇଭେଟ କମ୍ପାନୀ ମାନେ କାଲେ ତାହା ହୋଇପାରିନଥାନ୍ତା
ଭାରତ ସ୍ଵାଧୀନ ହେଲା ବେଳକୁ ସେହି ବିରଳ, ଟାଟା ଓ ଡଲମିୟ ତଥା ସିଙ୍ଘାଣିଆ ପରିବାର ଏତେ ଶକ୍ତି ଶାଳି ହୋଇଥିଲେ ଯେ ସେମାନେ ନିଜର ଉନ୍ନତି ପାଇଁ ସରକାରୀ ଅର୍ଥରେ ଏସବୁ ଡ୍ୟାମ , ରାସ୍ତା, ଜଳ ଓ ବିଦ୍ୟୁତ ଯୋଗାଣ ଚାହୁଥିଲେ ଏଥିପାଇଁ ବଳି ପଡିଥିଲେ ବହୁ ଲୋକ ଟାଟା ର ଶକ୍ତିଶାଳୀ ହେବା ପ୍ରକ୍ରିୟା ଆରମ୍ଭ ହୁଏ ଓଡିଶାର ମୟୂର୍ବଭଞ୍ଜ ଜିଲ୍ଲାର ଗୋରୁମହିଷଣୀ ପାହାଡ଼ରୁ ଲୁହାପଥର ନେଇସେତବେଳର ବାରିପଦା ରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ଟାଟା କୁ ଗୋରୁମହିଷଣୀ ପାହାଡ଼ରୁ ଶଗଡ ରେ ଲୁହାପଥର ବୋହିବା ପାଇଁ ଅନୁମତି ଦେଲେ ପରେ ନ୍ୟାରୋ ଗଯ (2ଫୁଟ ଓସାର ) ରେଲୱେ ଲାଇନ ହେଲା 1965-66 ବେଳକୁ ସେହି ଖଣି ସରିଗଲା ଓ ଟାଟା ଛାଡି ଚାଲିଗଲାଏବେ ବିରାଟ ପୋଖରୀ ତିଆରି ହୋଇଛି ମାଟି ମଧ୍ୟ ଭରିନାହାନ୍ତି ଗାଁ ଗୁଡିକ ଶ୍ରୀହୀନ ହୋଇଯାଇଛି ମାତ୍ର ସେହି ପୁଞ୍ଜିରେ ଟାଟା ବ୍ରିଟିଶ ସମୟରେ ବି ଉନ୍ନତ କମ୍ପାନୀ ହୋଇପାରିଲା
ସେହି ପୁଞ୍ଜି ନେଇ 1921-22 ରେ ମହାରାଷ୍ଟ୍ର ର ପୁନେ ସହର ନିକଟସ୍ଥ ମୂଳଶିପେଟା ଠାରେ ମୂଳଶୀ ବନ୍ଧ ନିର୍ମାଣ ପାଇଁ ଟାଟା କମ୍ପାନୀ ସ୍ଥିର କଲା ସେଥିରେ ଜଳ ବିଦ୍ୟୁତ ଉତ୍ପାଦନ କଲେ ବମ୍ବେ ସହରକୁ ବିଦ୍ୟୁତ ବିକ୍ରି କରିବା, ଏହା କମ୍ପାନୀ ର ଯୋଜନା ଥିଲା ଏହା ଦ୍ଵାରା ବିସ୍ଥାପିତ ହେବାକୁଥିବା 4୮ ଗାଁ ର ପ୍ରାଏ ଦଶ ହଜାର ଚାଷୀ ଡ୍ୟାମ କୁ ବିରୋଧ କଲେ ଯାହା ଇତିହାସରେ ମୂଲଶୀ ସତ୍ୟାଗ୍ରହ ନାମରେ କ୍ଷାତ ପାଣ୍ଡୁରଙ୍ଗ ମହାଦେବ ବାପଟ ଯେକି ନେତା ଥିଲେ ତାଙ୍କ ସମେତ ଅନେକଙ୍କୁ ୟେରୱାଡା ଜେଲ ରେ ରଖା ଯାଇଥିଲା ଓ ଠିକ ସେହି ସମୟରେ ଗାନ୍ଧୀଜୀ ମଧ୍ୟ ଜେଲ ରେ ଥିଲେ ।  ଯଦି ଓ ସେ ଚାଷିନେତାଙ୍କୁ ଅତ୍ୟାଚାର ନକରିବା ପାଇଁ ବ୍ରିଟିଶ ଉପରେ ଚାପ ପ୍ରୟୋଗ କରିଥିଲେ ମାତ୍ର ବନ୍ଧକୁ ବନ୍ଦ କରିବା ପାଇଁ କଂଗ୍ରେସରେ ଆଲୋଚନା କରିନଥିଲେଏପରିକି ଅନ୍ୟ ନେତା ମାନେ ମଧ୍ୟ ତାହା କରିନଥିଲେ ଏହାର ବଡ କାରଣ ଥିଲା ଏହି ବନ୍ଧର ମୁଖ୍ୟ ଟାଟା କମ୍ପାନୀ କଂଗ୍ରେସର ପ୍ରୁଷ୍ଠା ପୋଷାକ ମଧ୍ୟ ଥିଲା ମୁଁ ଏହି ତଥ୍ୟ ରାଜେନ୍ଦ୍ର ଭୋରାଙ୍କ ଦ୍ଵାରା ଲିଖିତ ବହି World's First Anti-Dam Movement: Mulshi Satyagraha 1920-1924 ରୁ ନେଉଛି ପୁଲିସ ର ଅତ୍ୟାଚାର, ଗିରଫ ଓ ଗୁଳି ହେତୁ ମିଲସିପେଟା ବାସୀ ଟାଟା ହାଇଡ୍ରୋ ଇଲେକ୍ଟ୍ରିକ ପାୱାର କମ୍ପାନୀ ପାଇଁ ଜାଗା ଛାଡିଦେଲେ । ଏହାଥିଲା ପୃଥିବୀର ପ୍ରଥମ ଡ୍ୟାମ ବିରୋଧୀ ଚାଷୀ ଆନ୍ଦୋଳନଏହି ହେତୁ ଆମେ କଳିଙ୍ଗ ନଗର ଅତି ଧୂର୍ଦ୍ଧଶ ଟାଟା କୁ ପାଉଛେ। ହୁଏ ତ ଗୋରୁମହିଷଣୀ ପାହାଡ ରୁ ଲୁହା ଲୁଟ ହୋଇନଥିଲେ କି ମୂଳାଶୀ ଡ୍ୟାମ ବାସୀ ଜମି ଛାଡି ନଥିଲେ ଆମେ ଟାଟା କୁ କଳିଙ୍ଗନଗରରେ ପାଇ ନଥାନ୍ତେ ଅର୍ଥାତ ଏହାର ପୁଞ୍ଜି ଏତେ ଶକ୍ତିଶାଳୀ ହୋଇନଥାନ୍ତେ ଜିଏକି ୧୪ ଜଣଙ୍କୁ ହତ୍ୟା କଲାପରେବି କମ୍ପାନୀ ପ୍ରତିଷ୍ଠା ପାଇଁ ଚେଷ୍ଟା କରିଥାନ୍ତା ପ୍ରଥମରେ ତ ସିଏ ଜେଲ ରେ ରହିବା କଥା ହତ୍ୟା ଷଡଯନ୍ତ୍ର ମାମଲାରେ
ମୂଳଶିପେଟା ପରେ ଦ୍ଵିତୀୟ ନଦୀ ବନ୍ଧା ବିରୋଧୀ ଆନ୍ଦୋଳନ ଥିଲା ହୀରାକୁଦ ଅଞ୍ଚଳରେ । ୧୯୪୬ ମସିହାରେ ହୀରାକୁଦ ଅଞ୍ଚଳରେ ଲଢେଇ ଆରମ୍ଭ ହୋଇଯାଇଥିଲା। ସମ୍ବଲପୁର ସହରରେ ମିଟିଂ ରେ ୨ ଲକ୍ଷ ପାଖାପାଖି ଲୋକ ସମାଗମ ହେଉଥିଲା ପୁଲିସ ର ଦମନ, ଫ୍ଲାଗମାର୍ଚ ଓ ଗିରଫ ଦାରି ହେତୁ ୨୮୩ ଗାଁ ର ୧,୫୦,୦୦୦ ଲୋକ ଉଦବାସ୍ତୁ ହେଲେ ମାତ୍ର ଏକର ପିଛା ୬ ଟଙ୍କା ଦରରେ ପ୍ରଥମରେ ଲୋକ ଜାଗା ଛାଡିଲେ। ଥରେ କ୍ଷତିପୂରଣ ପାଇଁ ରାଜି ହୋଇଗଲା ପରେ ଆଉ ଲୋକଙ୍କ ହାତରେ ଦାବି କରିବାର ସ୍ଥିତି ନଥାଏ । ଆମର ନିଷ୍ଠୁର ସରକାର କମ୍ପାନୀର ସ୍ଵାର୍ଥ ପାଇଁ ଏ ସବୁ କଲେ ଯଦି ଲୋକେ ଜିତିଥାନ୍ତେ ତେବେ ପୁଞ୍ଜି ଏତେ ଶକ୍ତିଶାଳୀ ହୋଇନଥାନ୍ତା ପ୍ରକୃତିକୁ ବାନ୍ଧି ନିଜ ବ୍ୟବହାରରେ ଲଗାଇବାହିଁ ଏଠି ବ୍ୟବସାୟ ପ୍ରଥମରେ ପାଣି କୁ ବନ୍ଧାଇବା ଓ ନିଜ ଇଚ୍ଛା ମୁତାବକ ଓ ସେଥିରେ ଅଧିକ ଲାଭ ଥିବା ବ୍ୟବସାୟକୁ ପାଣି ଯୋଗାଇବା ବୃହତ ବନ୍ଧର ଉଦ୍ଦେଶ୍ୟ ପ୍ରକୃତି ନଦୀ ର ମାଧ୍ୟମରେ ପାଣି ଦେଉଛି ମଣିଷ ଜୀବ ଜନ୍ତୁ ସମସ୍ତଙ୍କ ପାଇଁ ପ୍ରଥମରେ ପୂର୍ବଜ ମାନଯେ ଏହି ନଦୀ କୁ ଖୋଜି ଖୋଜି ଜନବସତି ସୃଷ୍ଟି କଲେ ଏବେ ସେଥିରୁ ପାଣି ଓ ବିଦ୍ୟୁତ ଉତ୍ପାଦନ କରି ବ୍ୟବସାୟ କରିବା ପାଇଁ ପୁଞ୍ଜିବଳରେ ମଣିଷ ଚିନ୍ତାକଲା ଭାରତ ପରି ପ୍ରଖର ସୂର୍ଯ୍ୟ କିରଣଥିବା ଦେଶରେ ନଦୀ ବନ୍ଧ ଓ ଆଣବିକ କ୍ରିୟା ଦ୍ଵାରା ବିଦ୍ୟୁତ ଉତପାଦନ କେବଳ ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ଚେଷ୍ଟା ବ୍ୟତୀତ ଆଉକିଛି ନୁହେଁ ତା ନହେଇଥିଲେ କୋରାପୁଟ ଅବିଭକ୍ତ ଜିଲ୍ଲାରେ ରେ ବାଲିମେଲା, କାଲିମେଲା, ଅପର କୋଲାବ ଓ ଇନ୍ଦ୍ରାବତୀ ନଦୀ ବନ୍ଧ ଓ ବିଦ୍ୟୁତ ଯୋଜନା ଥାଇ ମଧ୍ୟ ୨୦୧୧ ଜଣାଗଣନା ଅନୁସାରେ ୮୨%ଗାଁ ରେ ବିଦ୍ୟୁତ ନାହିଂ ପୁଣି ନାଲକୋ, ହିନ୍ଦୁସ୍ଥାନ ଏରୋନଟିକସ ଲିମିଟେଡ, ସେବା ପେପର ମିଲ, ଜେକେ ପେପର ମିଲ ଇତ୍ୟାଦି ଥାଇ ମଧ୍ୟ ୮୩% ଲୋକ ପିପିଏଲ ଧାରୀଅଟନ୍ତି ଆମେ ଏହାକୁ ଅନଗ୍ରସରତା କହିବା ନା  ବିକାଶର ନାମରେ ବିରାଟ ଲୁଟ ର ପ୍ରକ୍ରିୟା ଚାଲିଛି କହିବା ?
ଆଜି ରାଉରକେଲାର ବିସ୍ଥାପିତ ଯୁବକ ମାନେ ହୁଏତ ଆଜିର ଦିନରେ ବି ଏସଡ଼ିଏମ ଙ୍କ ଅଫିସ ଆଗରେ ବିସ୍ଥାପିତର ହକ ପାଇଁ ଧାରଣାରତ ଥିବେ ସମୁଦାୟ 31,687 ଏକର ଜମିରେ ପ୍ଳାଣ୍ଟ ତିଆରି ହୋଇଛି ଓ ଅନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି । ଏଥିରୁ 5181 ଏକର ସରକାରୀ ଜମି ଓ 15,306 ଏକର ବେସରକାରୀ ଜମି ଉଭୟ ପ୍ଳାଣ୍ଟ ଓ ଟାଉନ୍ଷିପ ନିର୍ମାଣ ପାଇଁ ବ୍ୟୟ ହୋଇଥିଲା ଏଥିରେ 64 ଟି ଗ୍ରାମର 4094 ପରିବାର ଯେଉଁ ମାନଙ୍କ ମଧ୍ୟରେ 60% ଆଦିବାସୀ (ଯଦି ମନ୍ଦିରା ଡ୍ୟାମ ବିସ୍ଥାପିତ ଙ୍କୁ ମିଶାଯାଏ )ସେମାନେ ମାତ୍ର ଏକର ପିଛା 500 ଟଙ୍କା କ୍ଷତିପୂରଣ ନେଇ ଗାଁ ଛାଡିଲେ । ମନ୍ଦିରା ନଦୀରେ ଡ୍ୟାମ କରାଯାଇ ରାଉରକେଲା କୁ ପାଣି ର ବ୍ୟବସ୍ଥା କରାଗଲା ଓ କେବଳ ଏଥିପାଇଁ 31ଖଣ୍ଡ ଗ୍ରାମ ବୁଡିଥିଲା । ମାତ୍ର ଏହି ପ୍ରକ୍ରିୟା ଭିତରେ ଯେଉଁ ମଧ୍ୟବିତ ପରିବାର ବର୍ଗ ଟି ତିଆରି ହେଲେ ସେମାନେ ମାନବିକତା କୁ ଜଳାଞ୍ଜଳି ଦେଇ ସରକାରୀ ଭାଷାରେ କଥା ହେଲେ । ସେମାନେ ବିସ୍ଥାପିତଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଅପେକ୍ଷା କମ୍ପାନୀ ର ଅଧିକ ଲାଭ ଦେଖାଇ ନିଜ ର ପଦୋନ୍ନତି ଓ ନିଜ ପରିବାର ର ସୁରକ୍ଷା ବିଷୟ ଚିନ୍ତା କଲେ
ଏ ଭିତରେ ସୁନ୍ଦରଗଡ ଜିଲ୍ଲାର ଖଣ୍ଡାଧାର ଖଣି ଅଞ୍ଚଳ ଆମେମାନେ ଏକ ପଦଯାତ୍ରାରେ ସାମିଲ ହେବା ପାଇଁ ଗଲା ଫେବ୍ରୁୟାରୀ 2015ରେ ଯାଇଥିଲୁ । ପୋସ୍କୋକୁ ଖଣି ଲିଜ ଦେବା ଆଗରୁ ଓଡିଶା ମାଇନିଙ୍ଗ କର୍ପୋରେସନ ସେଠାରେ 70 ଦଶକରୁ ଖଣି ଖୋଲା ଚାଲୁ ରଖିଛି ଆମେ ଯାହା ଦେଖିଲୁ ପାହାଡ ମାନଙ୍କୁ ବଳି ଚଢା ଯାଇଛି ଠିକ ବଲାଙ୍ଗିରର ସୁଲିଆ ପର୍ବ ପରି , 10 କିମି ବର୍ଗ ଅଞ୍ଚଳରେ ମୁଣ୍ଡ ବିହୀନ ପାହାଡ ମାଲା। ବିକାଶର ସ୍ଵପ୍ନ ଦେଖାଉଥିବା ଶାସକ ମାନେ ଆଧୁନିକ ଯନ୍ତ୍ରପାତିରେ ପାହାଡର ଶିର ଛେଦନ କରି ଲାଲ ମାଟି ରେ ପରିଣତ କରିଦେଇଛନ୍ତି ଠିକ ସୁଲିଆର ରକ୍ତାକ୍ତ ପିଠ ପରି ଦୀର୍ଘ 50 ପଚାଶ ବର୍ଷ ହେଲାଣି ସେଠାରୁ ଲୁହାପଥର ଟ୍ରକ ମାଧ୍ୟମରେ ବୁହା ଚାଲିଛି ଓ ଆମେ ବୁଲୁଥିବା ଭୂତୁଡି ପଞ୍ଚାଯତର ବହୁ ଗ୍ରାମର ଲୋକେ ଗାଁ ଛାଡି ଦେଉଛନ୍ତି କାରଣ ବର୍ଷା ମାସରେ ପାଣି ପିଇବାକୁ ବି ମିଳେ ନାହିଂ ଯଦି ଖଣିର ଟିକସରେ ସରକାରୀ ସ୍କୁଲ ଚାଲିବା ସତ୍ୟ ଯାହା ଆମେ ଶୁଣିଆସିଛୁ ତେବେ ମୋର ବା ଆମ ମାନଙ୍କ ଶିକ୍ଷା ପଛରେ ସେମାନଙ୍କ ପ୍ରଥମ ଅବଦାନ ରହିଛି ସେମାନେହିଁ ପ୍ରଥମେ ବଳି ଚଢିଲେ ଆମର ବିକାଶ ପାଇଁ ଯଦି ସେହି ଖଣି ଖୋଲା ହୋଇନଥାନ୍ତା ତେବେ ଖଣ୍ଡାଧାର ଏପରି ବିଭାସ୍ଛ ଦେଖାଯାଉନଥାନ୍ତା ।
ପୁଣି 70 ଦଶକର ରେଙ୍ଗାଳୀ ପ୍ରକଳ୍ପ ଯଦି ହୋଇନଥାନ୍ତା ତେବେ 249 ଟି ଗ୍ରାମର 10, 897 ଟି ପରିବାର ବିସ୍ଥାପିତ ହେବାରୁ ବଞ୍ଚିଯାଇଥାନ୍ତେ ଓ 4,14,500 ହେକ୍ଟର ଜମି ଜଳମଗ୍ନରୁ ବଞ୍ଚିଯାଇଥାନ୍ତା । କେବଳ ଏତିକି ନୁହେଁ କେଉଁଝର ଓ  ସୁନ୍ଦରଗଡ ଜିଲ୍ଲାର ପ୍ରତି ଇଞ୍ଚରେ ଖୋଲା ଯାଉଥିବା ମାଙ୍ଗାନିଜ, ଲୁହା ପଥର, ସିମେଣ୍ଟ, କୋଇଲା ଖଣି ବନ୍ଦ ହୋଇଯାଇଥାନ୍ତା। ଯଦି ଆଜି ହୋଇଛି ତେବେ କିଏ ପ୍ରକୃତରେ ବଳଶାଳି ହୋଇଛି ? ଯଦି ଆମେ ଶାହା କମିଶନ ଙ୍କ ତଥ୍ୟ କୁ ବିଶ୍ଵାସ କରିବା ତେବେ 2005 ମସିହା ପରଠାରୁ ଅର୍ଥାତ ଗଲା ଦଶ ବର୍ଷ ମଧ୍ୟରେ ଖଣି କ୍ଷେତ୍ର ରେ କେବଳ 59,023 କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି ଏହା ସହିତ ପ୍ରକୃତ ଖୋଳାର ପରିମାଣ କୁ ଦେଖିଲେ ଯଦି 70 ଦଶକରୁ ଦେଖିଆସିବା ତେବେ ଏହା କେତେ କୋଟି ନହେବ ? ଓଡିଶା ବିଧାନସଭା ରେ ପ୍ରଥମ ଘୋଡା ବେପାର 1956 ମସିହା ନିର୍ବାଚନ ରେ ହରେକୃଷ୍ଣ ମହତାବଙ୍କ ସମୟରେ ହୋଇଥିଲା । ଏହି ଘୋଡା ବେପାର ପାଇଁ ସିରାଜଉଦ୍ଦୀନ ପରିବାର ସମସ୍ତ ଅର୍ଥ ଦେଇଥିଲେ ବୋଲି ନୀଳମଣି ରାଉତରାଯ ତାଙ୍କ ଆତ୍ମଜୀବନୀ “”ସ୍ମୃତି ଅନୁଭୂତି “ରେ ଲେଖିଛନ୍ତି ଏହି ସିରଜଉଦ୍ଦିନଙ୍କ କେଉଁଝର ଜିଲ୍ଲାରେ ପ୍ରଚୁର ଲୁହା ଖଣି ଥିଲା ଓ ସେ ଓଡିଶାର ଟାଟା ଭାବରେ ଲୁଟ କରି ଚାଲୁଥିଲେ  ଓ ଅଳ୍ପ ଦରରେ ଜାପାନକୁ ଲୁହା ପଥର ପଠାଉଥିଲେ
ଓଡିଶାରେ ବହୁ ଚର୍ଚିତ ଚିଟ ଫଣ୍ଡ ଦୁର୍ନୀତି ମଧ୍ୟ ଓଡିଶାର ଲୋକଙ୍କ ହାତରୁ 2, 50 ,000 କୋଟି ଟଙ୍କା ନେଇଯାଇଥିବା ଅନୁମାନ କରାଯାଏ ଯଦିଓ ଏହାର କୌଣସି ନିର୍ଦିଷ୍ଟ ପରିମାଣ କେହିବି କହିପାରୁନାହାନ୍ତି । ମାତ୍ର ଏକଥା ସତ୍ୟ ସେହି ଭୁଲ ବିକାଶପଦ୍ଧତି  ଧନୀ କୁ ଅଧିକ ଧନୀ ଓ ଚାଷୀ , ଆଦିବାସୀ ,ଶ୍ରମିକଙ୍କୁ ଅଧିକ ଗରିବ କରିଦେଇଛି ଯେଉଁ ମାନଙ୍କ ସଂଖ୍ୟା କ୍ରମଶଃ ବଢିବାରେ ଲାଗିଛି । ହୀରାକୁଦ ଡ୍ୟାମ କ୍ଷେତ୍ର ରେ ହେଉ ଅଥବା ରେଙ୍ଗାଳୀ କ୍ଷେତ୍ର ରେ ହେଉ ଯେଉଁ ମାନେ ନେତୃତ୍ଵ ନେଉଥିଲେ ସେମାନଙ୍କ ମଧ୍ୟରେ ଏକଥା ସ୍ପଷ୍ଟ ନଥିଲା ଯେ ସେମାନ ଯେଉଁ ବନ୍ଧ ନିର୍ମାଣକୁ ବିରୋଧ କରୁଛନ୍ତି ତାହା କେବଳ ସେହି ଅଞ୍ଚଳର ବିସ୍ଥାପନ ସମସ୍ୟା ପାଇଁ ନୁହେଁ ସେମାନେ ଏହା ଦ୍ଵାରା ସମଗ୍ର ସାମାଜକୁ ପୁଞ୍ଜିର ପ୍ରଭାବରୁ ମୁକ୍ତ ରଖୁଛନ୍ତି  ଆଗାମୀ ସମାଜର ଏଥିରେ ସୁରକ୍ଷା ଯେ ଅଛି ସେ କଥା ସେମାନେ ଭୁଲିଗଲେ ସେମାନଙ୍କ ଦ୍ଵନ୍ଦ ର ଫାଇଦା ଉପକୂଳର ସରକାର ନେଲେ ଓ ଜେଲର ଡର ଦେଖାଇ କ୍ଷତିପୂରଣ ରାଶି ନେବା ପାଇଁ ବାଧ୍ୟ କଲେ ସେହି ଦ୍ଵନ୍ଦ ସେମାନଙ୍କ ପାଇଁ ଓ ଆମସମସ୍ତଙ୍କ ପାଇଁ କାଳ ହେଲା ଆଜି ବି ଲୋୟର ସୂକ୍ତେଲ ଅଞ୍ଚଳରେ ସେ ଦ୍ଵନ୍ଦ ରହିଛି ଓ ତାର ପରିଣାମ ଆଗାମୀ ଦିନରେ ଆମେ ସମସ୍ତେ ଭୋଗିବା ଯଦି ଜମି ରାହିଯାଏ ତେବେ ସମସ୍ତେ ଭଲ ପଡିବା ଯଦି ଛାଡି ଦିଅନ୍ତି ତେବେ ସମସ୍ତେ ଖରାପ ପଡିବା।
ମୁଁ ଏପରି କାହିଁକି କହୁଛି ?
ଏବେ ଦେଖିବା ସମଗ୍ର ଦେଶରେ ଓ ଓଡିଶାରେ ସେହି ଡ୍ୟାମ, ଖଣି ଓ ପ୍ଳାଣ୍ଟ ହେତୁ ପ୍ରଭାବ କଣ ପଡିଛି। ସେଣ୍ଟର ଫର ସାଇନ୍ସ ଆଣ୍ଡ ଡେଭେଲପମେନ୍ଟ ର ତଥ୍ୟ ଅନୁସାରେ ବର୍ଷକୁ 6,20,000 ମୃତ୍ୟୁ କେବଳ ବାୟୁ ପ୍ରଦ୍ଯୁଶଣ ହେତୁ ହେଉଛି । ଏହା ପଞ୍ଚମ ବଡ କାରଣ ଯେଉଁଠି ଏତେ ସଂଖ୍ଯାରେ ଲୋକ ମୃତ୍ୟୁ ବରଣ କରୁଛନ୍ତି ଏହାର ଅନ୍ୟ ପ୍ରମୁଖ କାରଣ ହେଲା ବ୍ଳଡ ପ୍ରେସର, ଉତ୍ତମ ଖାଦ୍ୟର ଅଭାବ ଓ ତମାଖୁ ସେବନ ମୋ ଦୃଷ୍ଟିରେ ବ୍ଳଡ ପ୍ରେସର ଓ ଗରିବୀର କାରଣ ମଧ୍ୟ ଏହି ଶିଲ୍ପ ବିକାଶ । ତେବେ ସ୍ଵାଭାବିକ ମୃତ୍ୟୁ ଅପେକ୍ଷା ଶିଲ୍ପ ପ୍ରଭାବ ଜନିତ ମୃତ୍ୟୁ ସଂଖ୍ୟା କେତେ ହେଉନଥିବ? ଯଦି ଆମେ ବିକାଶ ସହିତ ଗରିବୀକୁ ତୁଳନା କରିବା ତେବେ ଏତେ ବେଶି ଶିଲ୍ପ କାରଖାନା ଓ ଡ୍ୟାମ ହେଲା ପରେ ବି ବିଶ୍ଵ ବ୍ଯାଙ୍କର 2014 ର ତଥ୍ୟ ଅନୁସାରେ ସାରା ପୃଥିବୀ ର ତିନି ଭାଗରୁ ଭାଗେ ଅର୍ଥାତ 33% ଗରିବ ଲୋକେ ଭାରତରେ ଅଛନ୍ତି ଯେଉଁ ମାନଙ୍କ ସଂଖ୍ୟା 120 କୋଟି (ଭାରତର ଜନସଂଖ୍ୟା 128 କୋଟି ) ଅଟେ ଅଥଚ 1980 ମସିହାରେ ଏହା 22 ପ୍ରତିଶତ ଥିଲା (thirty three percent of world’s poorest live in India – Reuters news) ଏହି ଗରିବୀ ମୁଖ୍ଯତଃ ବିହାର, ଛତିଶଗଡ , ଝାଡଖଣ୍ଡ , ମଧ୍ୟ ପ୍ରଦେଶ, ଓଡିଶା , ରାଜସ୍ଥାନ ଓ ଉତ୍ତର ପ୍ରଦେଶ ରେ ଯେଉଁଠି ଅଧିକ ଡ୍ୟାମ ଓ ଖଣି ଅବସ୍ଥିତ ଯଦି ଆମେ ଓଡିଶା ର ସ୍ଥିତି କୁ ଦେଖିବା ତେବେ ରଙ୍ଗରାଜନ କମିଟି ରିପୋର୍ଟ ଅନୁସାରେ ଓଡିଶା ସବୁଠୁ ଗରିବ ରାଜ୍ୟ ଏପରିକି ବିହାର ଠାରୁ ମଧ୍ୟ ପଛୁଆ ଆଶ୍ଚର୍ଯ୍ୟ ଲାଗେ ରାଜ୍ୟର କୃଷିର ଅବଦାନ 21.05%  (ଜିଡ଼ିପି ଗ୍ରୋଥ ଅନୁସାରେ ) ଯେଉଁଠି ଜାତୀୟ ଅବଦାନ 14.62 ପ୍ରତିଶତ ହେଉଛି ଶିଲ୍ପ କ୍ଷେତ୍ରରେ ଏହା 17.28 % ଯେଉଁଠି ଜାତୀୟ ସ୍ତର ଅବଦାନ 2016% ସର୍ଭିସ କ୍ଷେତ୍ର ରେ ଏହା 61.66% ଯାହା ଜାତୀୟ ସ୍ତରରେ 65.22% ଅଟେ ତେବେ ଓଡିଶା କୁ ବାରମ୍ବାର ଗରିବ କହି ଲୁଟ ହେଉନାହିଁ କି ? ଗରିବ କହୁଥିବା ଲୋକ ମାନେ ହିଁ ଖଣି ପାଣିକୁ ଲୁଟ କରୁଛନ୍ତି
ଲୁଟ ର ରାସ୍ତା ?
ସର୍ବନିମ୍ନ ମଜୁରି କ୍ଷେତ୍ରରେ ରାଜ୍ୟ ସରକାର ଶିଲ୍ପ କାରଖାନାର ମାଲିକ, ନିର୍ମାଣ କମ୍ପାନୀ ଓ ଠିକାଦାର ତଥା ବୃହତ ଜମି ମାଲିକଙ୍କ ସ୍ଵାର୍ଥକୁ ଆଖି ଆଗରେ ରଖି ସର୍ବନିମ୍ନ ମଜୁରିର କେବଳ ସାମାନ୍ୟତମ ବୃଦ୍ଧି କରୁଛନ୍ତି । ପ୍ରତିଥର ଡିଜେଲ ଦର ବଢିଲେ ବସର ଯାତ୍ରୀ ଭଡା ବଢିବା ଭଳି ଏକ ଅଦ୍ଭୁତ ନିଷ୍ପତି ରାଜ୍ୟ ସରକାର ବସମାଲିକଙ୍କ ଚାପରେ ଆପଣେଇବା ଅଥଚ ବାରମ୍ବାର ଦରଦାମ ବୃଦ୍ଧି ସତ୍ଵେ ସର୍ବନିମ୍ନ ମଜୁରି ପାଞ୍ଚ ବର୍ଷରେ ଥରେ ବଢାଇବା ଓ ତାହା ପୁଣି ନ୍ୟାଜ୍ୟପ୍ରାପ୍ୟ ଠାରୁ କମ, ଏହା ସରକାରଙ୍କ ସମ୍ବେଦନହୀନତାକୁ ବୁଝାଏ । ବିଭିନ୍ନ ପରିସଙ୍ଖ୍ୟାନ ଓ ଗବେଷଣାରୁ ଏକଥା ସ୍ପଷ୍ଟ ହୋଇଛି ଯେ ସର୍ବନିମ୍ମଜୁରି ଅଧିକ ହେବା ଗୋଟେ ରାଜ୍ୟର ଦାରିଦ୍ରକୁ ପ୍ରାଏ 7% ରୁ 10% ପର୍ଯ୍ୟନ୍ତ ସିଧାସଳଖ କମାଇଥାଏ । (ଏହା ସହିତ ଦାରିଦ୍ର କମାଇବାର ଅନ୍ୟାନ୍ୟ ପଦକ୍ଷେପ ମଧ୍ୟ ଅଛି )। ପଡୋଶୀ ପଶ୍ଚିମବଙ୍ଗରେ ଅଣକୁଶଳି ଶ୍ରମିକର ସର୍ବନିମ୍ନ ମାସିକ ଦରମା 6886 ଟଙ୍କା ଓ ଅତିକୁଶଳୀ ଶ୍ରମିକ ପାଇଁ ଏହା 9166 ଟଙ୍କା ରଖାଯାଇଛି । ସେହିପରି ଆନ୍ଧ୍ର ପ୍ରଦେଶରେ ଏହା ଯଥାକ୍ରମେ 6777 ଟଙ୍କା ଓ 12247 ଟଙ୍କା ରହିଛି । ଓଡିଶା ପରି ଏକ ଦରିଦ୍ର ରାଜ୍ୟକୁ ଅଧିକ ଲାଭର ଆଶାରେ ଅଧିକରୁ ଅଧିକ ସଂଖ୍ୟାରେ ଖଣି ଓ ଶିଲ୍ପ ମାଲିକମାନେ ଆସିବା, ରିଲାଏନ୍ସେ ଠାରୁ ଟାଟା ପର୍ଯ୍ୟନ୍ତ ପ୍ରତ୍ୟେକ ବିରାଟ ସପିଙ୍ଗ ମାଲ ଖୋଲୁଥିଲା ବେଳେ ଏଠାର ଯୁବକମାନେ ଭଲ ମଜୁରି ପାଇବା ପାଇଁ ରାଜ୍ୟ ଛାଡି ଚାଲିଯିବା ଶ୍ରମିକ ର ଶ୍ରମକୁ ଲୁଟିବାର ପ୍ରକୃଷ୍ଟ ଉଦାହାରଣ ।
ସେହିପରି 1995 ରୁ 2013 ମଧ୍ୟରେ 296,438 ଚାଷୀ ଆତ୍ମହତ୍ୟା କରିସାରିଲେଣି । ପ୍ରତି ବର୍ଷ 16,469 ଚାଷୀ ଆତ୍ମହତ୍ୟା କରୁଛନ୍ତି ସତୁରୀ ଦଶକରେ ସବୁଜ ବିପ୍ଲବ ଆରମ୍ଭ ହେଲା ମୁଖ୍ଯତଃ ଜଳସେଚନ ଅଞ୍ଚଳରେ ଏବେ ସେହି ସବୁ ଅଞ୍ଚଳରେ ଚାଷୀ ଆତ୍ମହତ୍ୟା ସର୍ବାଧିକ ବିଟି କଟନ ଏହାକୁ ବଢାଇ ଦେଲାଦେଶର ସବୁଠାରୁ ଅଧିକ ଚାଷୀ ଆତ୍ମହତ୍ୟା ଆନ୍ଧ୍ରା ପ୍ରଦେଶ ରେ ହେବା (ମହାରାଷ୍ଟ୍ର ପରେ ଦ୍ଵିତୀୟ) କେବଳ ସଂଯୋଗ ବଶତଃ ନୁହେଁ ଚାଷୀ ଆତ୍ମହତ୍ୟା ପଛରେ ଯେଉଁ କେତେକ କାରଣ ସାମ୍ନା କୁ ଆସିଥାଏ ସେ ମଧ୍ୟରୁ ପ୍ରମୁଖ କାରଣ ହେଲା ଅନିୟମିତ ବର୍ଷା ଓ ପରିବେଶର ଅସନ୍ତୁଳନତା ଯେଉଁଠି ଲଗାତର ମରୁଡି ଦେଖାଯାଏ, ବିଶେଷକରି କୃଷିର ଶିଳ୍ପୀକରଣ ହୋଇସାରିଥିବା ଅଞ୍ଚଳ, ସେଠାରେ ଚାଷୀ ଆତ୍ମହତ୍ୟାର ସଂଖ୍ୟା ଅଧିକ ଏହା ସହିତ ସାମାଜିକ ସୁରକ୍ଷାର ଅଭାବ, ଅର୍ଥନୈତିକ ବୈଷମ୍ୟ, ସରକାରଙ୍କ ସମ୍ବେଦନହୀନତା, ରୁଣ ବୋଝ, ସ୍ୱାସ୍ଥ୍ୟ ଓ ଶିକ୍ଷାର ନିଜସ୍ବୀକାରଣ ଏଥିପାଇଁ ଦାୟୀ । ଚାଷୀ ନିଜର ଓ ନିଜ ପରିବାର ର ସମସ୍ତ ସୁଖ ସୁବିଧା ପାଇଁ ସେହି ଜମି ଓ ଫସଲ ଉପରେ ଏତେ ବେଶି ନିର୍ଭର କରିଯାଉଛି ଯେ (କାରଣ ସରକାର ଓ ସମାଜ ବା ଗୋଷ୍ଠୀଠାରୁ କୌଣସି ସହଯୋଗ ମିଳିବାର ନାହିଂ ) ଗୋଟିଏ ବର୍ଷର ବର୍ଷାରେ ଅନିୟମିୟତା ଫସଲକୁ ପ୍ରଭାବିତ କରିବା ସହିତ ଚାଷୀର ଜୀବନ ନେଇଥାଏ ଅଭିବକ୍ତ ଆନ୍ଧ୍ରପ୍ରଦେଶ ର ସାଧାରଣ ଜୀବନ ର ପ୍ରତ୍ୟେକ ସ୍ତରର ବଜାରୀକରଣ ହେବା ଓ ଶିଲ୍ପ ଉପରେ ଅଧିକ ନିର୍ଭର କରିବା ହେତୁ , ଯେଉଁଥି ପାଇଁ କି ସାମାଜର ପାରସ୍ପରିକତା ନଷ୍ଟ ହେବା ସହିତ ସରକାରକୁ ମଧ୍ୟ ସମ୍ବେଦନହୀନ କରିଦେଇଛି, ତାହା ଚାଷୀ ଆତ୍ମହତ୍ୟା ପାଇଁ ବିଶେଷ ଭାବରେ ଦାୟୀ ଏହା ସହିତ ବର୍ଷାର ମାତ୍ରା ତଥା ସମୟରେ ପରିବର୍ତନ ମନୁଷ୍ୟକୃତ ଏହା ଶିଲ୍ପ ବିକାଶର  ଅନ୍ତର୍ଭୁକ୍ତ ଯାହାର ଚାଷୀ ଓ ଶ୍ରମିକ ଉଭୟ ଏକ ଭିନ୍ନ ଉପାଯରେ ଶିକାର ହେଉଛନ୍ତି ଓ ତାହା ହେଲା ଜଳବାଯୁ ପରିବର୍ତନ ସେହିମାନଙ୍କ ଭୁଲ ଅର୍ଥନୀତି ଯେମିତି ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ପରି ପ୍ରାକୃତିକ ଦୁର୍ବିପାକ ତିଆରି କରିଥାଏ ସେମିତି ବର୍ଷାର ଅନିୟମିୟତା ସାଙ୍ଗକୁ କୃଷିଶିଲ୍ପ ସାମଗ୍ରୀ ର ଅଯଥା ମୂଲ୍ୟବୃଦ୍ଧି ଓ ପ୍ରାଇଭେଟ ବ୍ୟାଙ୍କ ମାନଙ୍କର ଶୁଧଖୋର ମନୋବୃତି ପାଇଁ ଚାଷୀ ଆତ୍ମହତ୍ୟା ମଧ୍ୟ ବଢିଥାଏ
ଓଡିଶାରେ ହୁଏତ ଚାଷୀ ଆତ୍ମହତ୍ୟା ର ମାତ୍ରା କମ ମାତ୍ର ଏହା ସେଭଳି ବିଷମ ସ୍ଥିତିରୁ ମୁକ୍ତ ନୁହେଁ । ଓଡିଶାର ଚାଷ କ୍ଷେତ୍ର ରେ ଆଦିବାସୀଙ୍କର  ଏକ ବଡ ଗୋଷ୍ଠୀ ଅଛି ଯେଉଁ ମାନ କି ଏବେବି ପାରମ୍ପରିକ ଉପାୟରେ ଚାଷ କରୁଛନ୍ତି ଅବଶ୍ୟ ବଜାରର ଆବଶ୍ୟକତା ବଢିବା ହେତୁ ସେଥିରେ ମଧ୍ୟ ପରିବର୍ତନ ଆସିଲାଣି ଓ ଓଡିଶାର ସ୍ଥିତି ଆନ୍ଧ୍ରପ୍ରଦେଶ ଆଡକୁ ଧୀରେ ଧୀରେ ମୁହାଇଂଲାଣି  ସେହିପରି ଉପକୂଳ ଓଡିଶା ରେ ଭାଗଚାଷୀଙ୍କ ସଂଖ୍ୟା ଅଧିକ ଯେଉଁଥିପାଇଁ କି ଚାଷରେ ସବୁଜ ବିପ୍ଲବ ର ପ୍ରାଭବ କମ ଅର୍ଥାତ ଚାଷକୁ ନେଇ ଖର୍ଚ କମ , ମାତ୍ର ଚାଷରେ ନିଜସ୍ଵ ଆବଶ୍ୟକତା ପୂରଣ ନହେଉଥିବା ହେତୁ ସେମାନଙ୍କ ପରିବାର ର ଯୁବକ ମାନେ ଆଜି ଅଧିକ ଭାବରେ ଦାଦନ ଖଟିବାକୁ ଯାଉଛନ୍ତି
ଭାରତ ବ୍ୟାପୀ ସତୁରୀ ଦଶକର ସବୁଜ ବିଳ୍ପବ କୃଷି କୁ ଏକ ଶିଳ୍ପରେ ପରିଣତ କରିଦେଲା ଓ ସେହି ଉଚ ବର୍ଗର ପ୍ରାକୃତିକ ନିୟମ ଅନୁସାରେ  ଛୋଟ ଛୋଟ ଚାଷୀ-ଶିଲ୍ପପତି ଆଜି ବୃହତ କୃଷି-ଶିଲ୍ପ ଉଦ୍ୟୋଗୀଙ୍କ ଲାଭଖୋର ମନୋବୃତିର ଶିକାର ହେଉଛି ହୀରାକୁଦ ଡ୍ୟାମ ଜଳସେଚିତ ଅଞ୍ଚଳରେ ଚାଷୀ ମୃତ୍ୟୁ ହାର ଓଡିଶାରେ ସର୍ବାଧିକ ଯେଉଁ ମାନଙ୍କ ମାଧ୍ୟରେ ଛୋଟ ଚାଷୀ, ନାମକୁମାତ୍ର ଚାଷୀ ଓ ଜମିହିନ ଭାଗଚାଷୀ ଅଧିକ ଜଳସେଚନ ସୁବିଧା ଥାଇ ମଧ୍ୟ ସାରା ,ବିହନ , ଭିଟାମିନ ର ଅତ୍ୟଧିକ ଦର ବୃଦ୍ଧି ସାଙ୍ଗକୁ ଚିଟ ଫଣ୍ଡ - ସାହୁକାରଙ୍କ ଅତ୍ୟଧିକ ଶୁଧ ଆଦାୟ କରିବା ଅଥଚ ସରକାରୀ ସୁରକ୍ଷା ଆଦୌ ନମିଳିବା, ପ୍ରକୃତିରେ ଥରେମାତ୍ର ଅନିୟମିୟତ ବର୍ଷା ବେଶ କେତେକ ଚାଷୀଙ୍କ ଆତ୍ମହତ୍ୟା ର ମୁଖ୍ୟ କାରଣ ପାଲଟିଗଲା ତେଣୁ ଡ୍ୟାମ ନିର୍ମାଣ ର ଏହା କଣ ଅନ୍ତିମ ଲକ୍ଷ, ଚାଷୀ ଆତ୍ମହତ୍ୟା ?
ଏହି ଶିଳ୍ପାୟନର ଅନ୍ୟ ବିଷମ ପରିଣତି ହେଲା ନିରବିଚ୍ଛିନ୍ନ ଶିଳ୍ପାୟନ ଏହି ହେତୁ ଅନୁଗୁଳୁ ଜିଲ୍ଲାରେ ଏବର୍ଷର ସବୁଠୁ ଅଧିକ ସମୟ ଧରି ତାପମାତ୍ରା ସର୍ବାଧିକ ରହିଲା। ପଶ୍ଚିମ ଓଡିଶାର ବିଭିନ୍ନ ସହର ତୁଳନାରେ ସମୁଦ୍ରଠାରୁ ବେଶି ଦୂରରେ ନଥାଇ ମଧ୍ୟ କଂକ୍ରିଟମୟ ଭୁବନେଶ୍ବର ସହର ମଧ୍ୟ ସର୍ବୋଚ ତାପମାତ୍ରା ର ନିକଟତର ହେଲା 1998 ରୁ ଓଡିଶା ରେ ଗ୍ରୀଷ୍ମ ରେ ତାତି ପ୍ରବାହ ହେତୁ ମୃତ୍ୟୁ ସଂଖ୍ୟା ବଢି ଚାଲିଛି । ଏବର୍ଷ ଆଶ୍ଚର୍ଯ୍ୟ ଜଣକ ଭାବରେ ଅବିଭକ୍ତ ଆନ୍ଧ୍ର ପ୍ରଦେଶ ରେ 3100 ଲୋକେ ପ୍ରାଣ ହରାଇଲେ  ଏହା ପରେବି ଏହି ସବୁ ସହରର ଉନ୍ନତ ଓ ମଧ୍ୟବିତ ସରକାରୀ ତଥା ବ୍ୟବସାୟୀ ବର୍ଗ ଡ୍ୟାମ ଓ ଆଧୁନିକ ଶିଲ୍ପ ର ପ୍ରବକ୍ତା ସାଜିଛନ୍ତିସେମାନଙ୍କ ଦୃଷ୍ଟିରେ ଉଚ୍ଚ ବର୍ଗ ର ଏହା ଜନ୍ମଗତ ଅଧିକାର ଯେ ସେ ଗରିବ ମାନଙ୍କୁ ସଂହାର କରିବ ଠିକ ଡିସ୍କଭରି ଚ୍ୟାନେଲରେ ବାଘ ହରିଣକୁ ଗୋଡାଇ ଖାଇଲାପରି ସେମାନଙ୍କ ଦୃଷ୍ଟିରେ ତାହାହିଁ ପ୍ରକୃତିରେ ନିୟମଏହାକୁହିଁ କୁହାଯାଏ ସମ୍ବେଦନହୀନତା ଓ ସ୍ଵେଚ୍ଛାଚାରିତା  ଯାହା ପୁଞ୍ଜି ବ୍ୟବସ୍ଥାର ପରିଣାମ ଅତିତର ଜାତି ବ୍ୟବସ୍ଥାରେ ଯେମିତି ଦଳିତକୁ ନିଜପାଇଁ ଅତ୍ୟଧିକ ଖଟାଇବା ବ୍ରାହ୍ମଣର ଜନ୍ମଗତ ଅଧିକାର ବୋଲି ସେ ଭବିଥାଏ ସେମିତି ପୁଞ୍ଜିବ୍ୟବସ୍ଥାରେ ସ୍ବଚ୍ଛଳ ବର୍ଗ ଭାବେ ଗରିବ ଶ୍ରେଣୀର ଆଉ ବଞ୍ଚିବାର କୌଣସି ଅଧିକାର ନାହିଂ ସେମାନେ ଅଯଥାରେ ଅତି ମୂଲ୍ୟବାନ ସ୍ଥାନକୁ ଜାବୋଡି ଧରିଛନ୍ତି ଓ ବଞ୍ଚିରହି ଖାଦ୍ୟସଙ୍କଟ ତିଆରି କରୁଛନ୍ତି
ଏହି ପରିପ୍ରେକ୍ଷୀରେ ଗଲା ବର୍ଷକର ଘଟଣା ଗୁଡିକୁ ଦେଖାଯାଉ । ଗଲା ବର୍ଷକର ଅର୍ଥନୀତି କୁ ସମୀକ୍ଷା କରାଯାଉ । ନରେନ୍ଦ୍ର ମୋଦୀ ଙ୍କ ପ୍ରଧାନ ମନ୍ତ୍ରୀ ହେଲା ପରେ ଗୁଜୁରାଟ ର ଶିଲ୍ପପତି ଗୌତମ ଆଦାନି ଙ୍କ ଶିଳ୍ପର 152 ଗୁଣା ସମ୍ପତି ବଢିଯାଇଛିକଅର୍ଥାତ ଯଦି ମେ ମାସ 2014 ରେ ତାଙ୍କ ପାଖରେ ଏକ ହଜାର ଟଙ୍କା ଥିଲା ତେବେ ତାହା ମେ ମାସା 2015 ରେ ଲକ୍ଷେ ବାବନ ହଜାର ହୋଇଯାଇଛି ଅଥଚ ସେହି ବର୍ଷକ ମଧ୍ୟରେ 1306 ଚାଷୀ ଆତ୍ମହତ୍ୟା କରିଛନ୍ତି ଯାହାକି ଗଲା ବର୍ଷ ଠାରୁ 40% ଅଧିକ
ତାଙ୍କର ନିର୍ବାଚନ ଖର୍ଚ ଯାହାକି ପ୍ରାୟ 5000 କୋଟି ଟଙ୍କା ଥିଲା ବୋଲି ଅନୁମାନ କରାଯାଏ ତାହା ମୁଖ୍ୟତଃ ବୃହତକମ୍ପାନୀ ମାନଙ୍କଠାରୁ ଆସିଥିବା କଥା ସମ୍ବାଦପାତ୍ର ମାନଙ୍କରେ ପ୍ରକାଶ ପାଇଥିଲେ ମଧ୍ୟ ନା ନରେନ୍ଦ୍ରେ ମୋଦୀ ନା ତାଙ୍କର ‘ଭାରତୀୟ ଜନତା ପାର୍ଟି’ ତରଫରୁ ଏହାକୁ କେବେ ଅସ୍ଵୀକାର କରାଯାଇଛି । ପ୍ରଧାନ ମନ୍ତ୍ରୀଙ୍କ ନିର୍ବାଚନି ଖର୍ଚର ସେହି 5000 କୋଟି ଟଙ୍କା ଯଦି ବଡ କମ୍ପାନୀଙ୍କ ଦ୍ଵାରା ଭାରତୀୟ ଗଣତନ୍ତ୍ର ବଜାରରେ ପୁଞ୍ଜି ବିନିଯୋଗ ବୋଲି ଧାରା ଯିବ ତେବେ ନରେନ୍ଦ୍ର ମୋଦୀଙ୍କ ଆଗାମୀ ଦିନର ନିଷ୍ପତିକୁ ସେମାନଙ୍କ ପାଇଁ ତାର ଲାଭ ବୋଲି କହିବା ଅତ୍ୟୁକ୍ତି ହେବ ନାହିଁ । ଜମି ଅଧିଗ୍ରହଣ ବିଲ ଏହାର ଉଦାହରଣ
ଆଦିବାସୀଙ୍କ ଦ୍ଵାରା ଦୀର୍ଘଦିନର ପ୍ରତିବାଦ, ଧାରଣ ଓ ଆନ୍ଦୋଳନ ପରେ ଗ୍ରାମସଭାକୁ କିଛି ଅଧିକାର ଦେବାପାଇଁ ପୂର୍ବର କଂଗ୍ରେସ ନେତୃତଧୀନ ଇଉପିଏ ସରକାର ଜଙ୍ଗଲ ଅଧିକାର ନିୟମ 2006 (ଯାହା 2008 ରେ କାର୍ଯକାରି ହୋଇଥିଲା) ପାର୍ଲାମେଣ୍ଟରେ ପାସକରାଇଥିଲେ । ଭାରତ ସ୍ଵାଧୀନ ହେବାର ଦୀର୍ଘ 60 ବର୍ଷ ପରେ ଆଦିବାସୀ ଗାଁ ଗୁଡିକ ନିଜ ଭବିଷ୍ୟତ ନିଶ୍ଚିତ କରିବା ପାଇଁ ପ୍ରଥମଥର ଲାଗି ଗ୍ରାମସଭାକୁ ଅଧିକାର ଦିଆଯାଇଥିଲା ପୂର୍ବରୁ ଜଙ୍ଗଲ ଅଧିକାର ଆଇନ ବଳରେ ନିୟମଗିରି ଅଞ୍ଚଳର ଡୋଙ୍ଗାରିଆ କନ୍ଧସମାଜ ଗ୍ରାମସଭା ମାଧ୍ୟମରେ ବେଦାନ୍ତ କମ୍ପାନୀକୁ ବିତାଡିତ କରିପାରିଥିଲେ। ଯଦି ଜଙ୍ଗଲ ଅଧିକାର ଆଇନ ନଥାନ୍ତା ତେବେ ରାଜ୍ୟ ସରକାର  ଅର୍ଦ୍ଧସମରିକ ବାହିନୀ ର ଜବାନମାନଙ୍କୁ ଲଗେଇ ବେଦାନ୍ତ କମ୍ପାନୀ ପାଇଁ ସମଗ୍ର ଡୋଙ୍ଗାରିଆ ଆଦିବାସୀଙ୍କୁ ନିୟମଗିରି ମଧ୍ୟରୁ ବିତାଡିତ କରିବାପାଇଁ ଉଦ୍ୟମ କରିଥାନ୍ତେ। ସେହିପରି ପାହାଡୀ ଭୂୟାଁ ସମାଜ ପସ୍କୋ କମ୍ପାନୀ ବିପକ୍ଷରେ ଜଙ୍ଗଲ ଅଧିକାର ଆଇନ ବଳରେ ଗ୍ରାମସଭା ମାଧ୍ୟମରେ ବିତାଡିତ କରିବାର ଉଦେଶ୍ୟରେ ନିଜକୁ ସଂଗଠିତ କରୁଥିଲେ
ଜମି ଅଧିଗ୍ରହଣ ଆଇନ 2013 ( ବା The Right to Fair Compensation and Transparency in Land Acquisition, Rehabilitation and Resettlement Act, 2013]) ପୁରୁଣା ସରକାର ପାର୍ଲାମେଣ୍ଟ ରେ ଯିବାର କିଛି ମାସ ଆଗରୁ ଏହାକୁ ପାସ କରିଥିଲେ । ଏହା ପୂର୍ବରୁ ଔପନିବେଶିକ ସମୟର ଜମି ଅଧିଗ୍ରହଣ ଆଇନ, 1894 ଅନୁସାରେ ଉଭୟ ଆଦିବାସୀ ବହୁଳ ଓ ଅଣ ଆଦିବାସୀ ଅଞ୍ଚଳରେ ଜମି ଅଧିଗ୍ରହଣ ହେଉଥିଲା । ଗଲା 50 ବର୍ଷ ଧରି 1894 ଏହି ନିୟମ କୁ ବଦଳାଇବା ପାଇଁ ଦେଶର ବହୁ ଭାଗରେ ଚାଷୀ ଆଦିବାସୀ ମାନେ ଆନ୍ଦୋଳନ କରି ଆସୁଥିଲେ । ଶେଷରେ 2013 ରେ ଯେଉଁ ନୂତନ ନିୟମ ଆସିଲା ସେଥିରେ ଅଣଆଦିବାସୀ କୃଷି ଅଞ୍ଚଳରେ ପ୍ରକଳ୍ପ ହେବକି  ନାହି ସେ ବିଷୟରେ ନିଷ୍ପତି ନେବାରେ କିଛିଟା ସୀମିତ ସାମ୍ବିଧାନିକ ଅଧିକାର ସେସବୁ ଆଞ୍ଚଳରେ ଚାଷୀମାନଙ୍କୁ ମିଳିଥିଲା।
ଏହି ନୂତନ ନିୟମରେ ଏକଥା ଉଲ୍ଲେଖ ଅଛି, ଯାହା କମ୍ପାନୀ ମାନଙ୍କୁ ଅସୁବିଧା ରେ ପକାଉଛି ତାହାହେଲା, କୌଣସି ବୃହତ ପ୍ରକଳ୍ପ (ତାହା ଡ୍ୟାମ, ପ୍ଳାଣ୍ଟ, ଖଣି ଓ ବନ୍ଦର ଇତ୍ୟାଦି) ହେଉଥିବା ସ୍ଥାନରେ ଓ ତାହା ଯଦି ଉଭୟ ସରକାରୀ ଓ  ବେସରକାରୀ ଉଦ୍ୟମରେ ହେଉଥାଏ (public-private partnership) ତେବେ,  କ୍ଷତି ଗ୍ରସ୍ତ ହେବାକୁଥିବା ପରିବାରମଧ୍ୟରୁ 70 % ରୁ ଅଧିକ ପରିବାରଙ୍କର ପ୍ରକଳ୍ପ ସପକ୍ଷରେ ମତଥିବା ଆବଶ୍ୟକ । ଯଦି ସେହି ପ୍ରକଳ୍ପ କେବଳ ବେସରକାରୀ ଉଦ୍ୟମରେ ହେଉଥାଏ ତେବେ ସେଠାରେ କ୍ଷତିଗ୍ରସ୍ତ ହେବାକୁଥିବା ପରିବାରମଧ୍ୟରୁ 80 % ପରିବାରର ମତ ରହିଥିବା ଆବଶ୍ୟକ । ଏଠି କ୍ଷତିଗ୍ରସ୍ତ ପରିବାରଙ୍କର ଯେ ନିଜ ଭବିଷ୍ୟତ ସମ୍ପର୍କରେ ନିଷ୍ପତି ନେବାର ପୂର୍ଣ କ୍ଷମତା ରହିଛି ସେକଥା ସ୍ଵାଧୀନତାର 60 ବର୍ଷ ପରେ ଏବଂ ଏତେସବୁ ବୃହତ ପ୍ରକଳ୍ପ ହେଲା ପରେ ଯାଇ ମିଳିଥିଲା।
ସେପରି ଅଧିକାର ଲାଗୁ ହେବା ଆଗରୁ ସରକାର ଅର୍ଡିନାସ ଆଣି ତାହାକୁ ପରିବର୍ତନ ପାଇଁ ଉଦ୍ୟମ କରୁଛନ୍ତି । ଏବେ ଦେଶର କୌଣସି ବି ଅଞ୍ଚଳରେ କମ୍ପାନୀମାନେ ଯେତେଇଛା ଜମି ନେଇପାରିବେ ତାହା ପୁଣି ବିନାପ୍ରତିବାଦରେ । ଏତେ ବର୍ଷର ପୁଞ୍ଜିନିବେଶ ପରେବି କମ୍ପାନୀ ମାନେ ଏବେବି ଜନସାଧାରଣଙ୍କ ବିଶ୍ଵାସ ଭାଜନ ହୋଇ ପାରିନାହାନ୍ତି। ସେମାନେ ଯଦିଓ ସରକାରୀ ଅର୍ଥରେ ବା ଲୋକଙ୍କ ଟିକସ ଅର୍ଥରେ ନିଜର ସାମ୍ରାଜ୍ୟ ବଢାଇଛନ୍ତି ତଥାପି ସେମାନେ କେବଳ ଦୁର୍ନୀତିଗ୍ରସ୍ତ ରାଜନୈତିକ ନେତା ଓ ଦମନକାରି ପୁଲିସ ବ୍ୟବସ୍ଥାର ସମ୍ପୂର୍ଣ ଫାଇଦା ନେଇଛନ୍ତି। ନିଜ ସପକ୍ଷରେ ମତ ସୃଷ୍ଟି କରିବାପାଇଁ  ସେମାନେ ନେହେରୁଙ୍କ ମିଥ୍ୟା ଜାତୀୟତାବାଦର ଆଶ୍ରୟ ନେଉଥିଲେ। ଏବେ ସେମାନେ ଆନ୍ତର୍ଜାତୀୟ ବଜାରରେ ଭାରତର ସମ୍ମାନ ବାହାନାରେ କେବଳ ନିଜ ପୁଞ୍ଜିର ବିକାଶ କରିବାକୁ ଚାହୁଛନ୍ତି।
ତେଣୁ ଲୋୟର ସୁକଟେଲ ବନ୍ଧ ବିରୋଧୀ ଲଢେଇ ହେଉ ବା ଏବେ ଏବେ ଗଢି ଉଠିଥିବା ସମ୍ବଲପୁର ଜିଲ୍ଲାରେ ଲମତାର ନଦୀ ବଧ ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ହେଉ ଏସବୁ କେବଳ ବିସ୍ଥାପନ କୁ ବିରୋଧ କରୁନାହି ବା ହେଲେ ଯେ ଏହା ସ୍ଥାନୀୟ ଚାଷୀଙ୍କ ପାଇଁ ଘାତକ ହେବ ତା ନୁହେଁ ଏହି ନଦୀ ବନ୍ଧା ଯୋଜନା ଆମ ସମସ୍ତଙ୍କ ପାଇଁ ଘାତକ ହେବ ଏହା ଚାଷୀ ଆତ୍ମହତ୍ୟା, ଦାଦନ, ପରିବେଶ ଅସନ୍ତୁଳନତା ଓ ଶିଳ୍ପପତିଙ୍କ ଶୋଷଣ କୁ ଦ୍ଵିଗୁଣିତ କରିବା ଏହା ପରେ ଅଧିକ କାରଖାନା ହେବା ଯେଉଁ ମାନେକି ପାଣିର ଅଧିକାରୀ ହେବେ ବହୁତ ଲୋକ ବଦଳରେ ମୁଷ୍ଟିମେୟ ଲୋକ ଉପକୃତ ହେବେ ଓ ବହୁ ଲୋକ ଅତ୍ୟାଚାରିତ ହେବେ ବନ୍ଧକୁ ବିରୋଧ କରିବା ଆମସମସ୍ତଙ୍କ ସାମାଜିକ ଦାୟିତ୍ଵ ଓ ଆମେ ସମସ୍ତେ ଏଥିରେ ଅଛୁ ଲଢେଇ ନିଶ୍ଚିତ ରୂପେ ଅଧିକ ସଂଗଠିତ ହୋଇ ନିଜ ରଣ କୌଶଳ ରେ ଚାଲିବା ଜରୁରୀ
ଦେବ ରଞ୍ଜନ

No comments:

Post a Comment