ଗଣତନ୍ତ୍ର,
ଗଣତାନ୍ତ୍ରିକ ଅଧିକାର ଓ ଘୋଷିତ ଯୁଦ୍ଧ
ମାନବିକ ଅଧିକାର କର୍ମୀ କଣ ସରକାରଙ୍କ ଏହି
ଘୋଷିତ ଯୁଦ୍ଧର ଏକ ଅଂଶ କି? ବିଭିନ୍ନ ସମୟରେ ମାନବିକ ଅଧିକାର କର୍ମୀଙ୍କୁ ଏହି ପ୍ରଶ୍ନ ବିଭିନ୍ନ ପରିସ୍ଥିତିରେ ପଚରାଯାଇଥାଏ
। କେବଳ ଯେ କୌଣସି
ସୁରକ୍ଷା ଅଧିକାରୀ ଏହି ପ୍ରଶ୍ନ ପଚାରିଥାନ୍ତି ତା’ ନୁହେଁ । ଏହି ସମାନ ପ୍ରଶ୍ନ
ଯୁଦ୍ଧର ଅପର ପକ୍ଷ, ଆଜିର ମାଓବାଦୀ ପାର୍ଟି, ଯାହାଙ୍କ ବିପକ୍ଷରେ ସରକାର ଯୁଦ୍ଧ
ଘୋଷଣା କରିଛନ୍ତି ସେମାନେ ମଧ୍ୟ ସମାନ ପ୍ରଶ୍ନ ପଚାରିଥାନ୍ତି । ହେଲେ, ଅଧିକାର ଆନ୍ଦୋଳନରେ ସମ୍ପୃକ୍ତ
ପ୍ରତ୍ୟେକ ଅଧିକାର କର୍ମୀ ସର୍ବସାଧାରଣଙ୍କ ଅଧିକାରର ସୁରକ୍ଷା ସପକ୍ଷରେ ଯୁକ୍ତି କଲା ବେଳେ ଏହି
କଥା ଦୋହରାଇଥାଏ ଯେ ଗଣତାନ୍ତ୍ରିକ ବିଚାରକୁ ବିଶ୍ଵାସ କରୁଥିବା କୌଣସି ଶକ୍ତି ପକ୍ଷରେ ନିଜର
ନାଗରିକଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା ଗଣତନ୍ତ୍ରର ପ୍ରକୃତ ବ୍ୟାଖ୍ୟା ସହିତ ଆଦୌ ଖାପ ଖାଉନାହିଁ
। ପୁଣି ଯୁଦ୍ଧର ରାସ୍ତାରେ କୌଣସି ଗଣତନ୍ତ୍ର
କେବେ ପ୍ରତିଷ୍ଠା ହୋଇନାହିଁ, ଏହାର ସେପରି କୌଣସି ଇତିହାସ
ମଧ୍ୟ ନାହିଁ । ଆଜି ଯୁଦ୍ଧରେ
ସାମ୍ନାସାମ୍ନି ହୋଇଥିବା ଉଭୟ ପକ୍ଷ ଗଣତନ୍ତ୍ରର ମୂଲ୍ୟବୋଧକୁ ସମ୍ମାନ ଦେବା ପାଇଁ ଆଦୌ ଆଗ୍ରହୀ
ନୁହଁନ୍ତି । ହେଲେ ଗୋଟେ ପକ୍ଷର ଦମନକାରୀ ମନୋଭାବ
ଅନ୍ୟକୁ ଆହୁରି ନିଷ୍ଠୁର ହେବା ପାଇଁ ତର୍କ ଯୋଗାଉଛି ଓ ଏହି ଯୁଦ୍ଧ ନିରନ୍ତର ପାଲଟିଯାଇଛି ।
ଏହି
ଜନଯୁଦ୍ଧରେ ନୀହତ ସରକାରୀ ଯବାନ ଅଥବା ମାଓବାଦୀ କର୍ମୀର ପରିବାର ତାହାର ମୃତ୍ୟୁ ପରେ ଅତିଦୁର୍ଦ୍ଦିନ
ମଧ୍ୟରେ ନିଶ୍ଚିତରୂପେ ଗତି କରିଥାନ୍ତି । କେବଳ ‘ଶହୀଦ’ ଆଖ୍ୟା ଦେଇ କିଛିଦିନର ଶୋକ
ପରେ ଉଭୟ ପକ୍ଷ ତାହାକୁ ଭୁଲିଯିବାକୁ ବସନ୍ତି । କାରଣ ଉଭୟ ଜାଣନ୍ତି ଏହା ସ୍ଵାଭାବିକ । କିନ୍ତୁ
ଚିନ୍ତା କରିବାର ବିଷୟ ଯେ ଉଭୟଙ୍କ ଆର୍ଥିକ ଓ ସାମାଜିକ ସ୍ଥିତି ସମାନ । ଆଦିବାସୀ, ଦଳିତ, କ୍ଷୁଦ୍ରଚାଷୀ, ଭୂମିହୀନ
ପରିବାରର ଯୁବକ/ଯୁବତୀମାନେ ପରସ୍ପରର ବିରୁଦ୍ଧରେ ଆଜି ଯୁଦ୍ଧରତ । ଆନୁସଙ୍ଗିକ ସୁବିଧା ସୁଯୋଗ
ପାଉଥିବା ହେତୁ ମୃତ ସରକାରୀ ଯବାନଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଅଧିକ ସ୍ଵଚ୍ଛଳ ଓ ଅଧିକ
ସୁରକ୍ଷିତ । ମାତ୍ର ମାଓବାଦୀ ପାର୍ଟିର ନେତୃବର୍ଗ ହୁଅନ୍ତୁ ଅଥବା ବରିଷ୍ଠ ପୁଲିସ ଅଧିକାରୀ ମୃତ
ଯବାନଙ୍କ ମୃତ୍ୟୁକାଳୀନ ପରିସ୍ଥିତିକୁ ଏପରିଭାବରେ ଚିତ୍ରିତ କରନ୍ତି ଯାହାଦ୍ୱାରା ସମ୍ମୁଖ
ଯୁଦ୍ଧରେ ନିଯୁକ୍ତ ବାକି ଯବାନଙ୍କ ମଧ୍ୟରେ ବିରୋଧୀ ପକ୍ଷ ପ୍ରତି ଅଶେଷ ଘୃଣା ଓ ହିଂସା ଯେମିତି
ଆଣିଦେବ । ବରିଷ୍ଠ ପୁଲିସ ଅଧିକାରୀ ସାଧାରଣ ଯବାନଙ୍କ ଅକାଳ ମୃତ୍ୟୁରେ ବ୍ୟସ୍ତ ହୋଇ ସରକାରଙ୍କୁ
ଏପରି ଯୁଦ୍ଧକୁ ବନ୍ଦ କରି ଆପୋଷ ଆଲୋଚନାର କଥା କେବେ ଲେଖନ୍ତି ନାହିଁ । ଶ୍ରୀଲଙ୍କାର ଏଲଟିଟିଇ
ଭାଙ୍ଗିଯିବା ପରେ ସେଥିରୁ ଉସ୍ଛାହିତ ହୋଇ ଏବେ ସରକାର ଅଲିଖିତ ନିର୍ଦ୍ଦେଶ ଦେଇସାରିଛନ୍ତି ଯେ
ମାଓବାଦୀ ପାର୍ଟିର କର୍ମୀଙ୍କୁ ସମ୍ମୁଳେ ନିପାତ କରାଯିବ । ଏହାର
ସାମ୍ବିଧାନିକତାକୁ ମଧ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ କେବେ ପ୍ରଶ୍ନ କରୁନାହାନ୍ତି ଯାହାକି ତାଙ୍କ ଠାରୁ
ଆଶାକରାଯାଉଛି । ଏଠାରେ ମାଓବାଦୀ ପାର୍ଟି କେବଳ ନିଜ ସୁରକ୍ଷାର ଲଢେଇ ଲଢୁଛି । ଏହି ଯୁଦ୍ଧ
ଜାତିସଂଘର ଘୋଷଣାନାମକୁ କେବେ ଠାରୁ ହେୟ କରାଯାଇସାରିଲାଣି ।
ଏହି
ଯୁଦ୍ଧରେ ମୃତ ସାଧାରଣ ଲୋକଟି ଯିଏ କି ଯୁଦ୍ଧର ଆଦୌ ଅଂଶ ନୁହେଁ ତାହା ପ୍ରତି କିଛି ଉପରଠାଉରିଆ
ସମବେଦନା ଓ ତାର ପରିବାର ପ୍ରତି କିଛି ଅନୁକମ୍ପାମୂଳକ ସାହାଯ୍ୟ ଘୋଷଣା କରିବା ବ୍ୟତୀତ ନିଜ
ଆଭିମୁଖ୍ୟରେ କାହାରି କୌଣସି ପରିବର୍ତ୍ତନ ଆସୁନାହିଁ । କୌଣସି ନୀରିହ ଲୋକଙ୍କୁ ହତ୍ୟା ହେଲେ
ମାଓବାଦୀ ପାର୍ଟି ଜଙ୍ଗଲର କୌଣସି ନିଭୃତ କୋଣରୁ ଉସ୍ଛାହନଥିବା ସ୍ଵରରେ ପ୍ରେସ ବିଜ୍ଞପ୍ତି ଦେଇ
ଭୁଲ ସ୍ଵୀକାର କରେ ଠିକ କନ୍ଧମାଳରେ ଆମ୍ବୁଲାନ୍ସ ବିସ୍ଫୋରଣ ଘଟଣାପରି । ହେଲେ ‘ପୁଲିସ ସୂଚନାକାରୀ’ କୁହାଯାଉଥିବା ଲୋକ ଯେ ସେହି ସର୍ବହରା ଶ୍ରେଣୀୟ ସେହିକଥା ଗଲା 35 ବର୍ଷ ହେଲା
କୁହାଯାଉଥିଲେ ମଧ୍ୟ ସେମାନଙ୍କ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆସୁନାହିଁ । ଆଜି ବସ୍ତରର
ଦୁର୍ଗମ ଅଞ୍ଚଳରେ ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନ୍ସ ହେତୁ ଲୋକେ ମରୁଛନ୍ତି ଓ ଗାଈଗୋରୁ ମଧ୍ୟ ମରୁଛନ୍ତି
। ସେ ସମସ୍ତଙ୍କୁ ‘ସମାଜବାଦୀ ରାଷ୍ଟ୍ର’
ପ୍ରତିଷ୍ଠା ପାଇଁ ଏକ ଛୋଟ ବଳିଦାନ ବୋଲି ଏବେବି ଦୋହରାଯାଉଛି ।
ଯେମିତିକି
ଜଙ୍ଗଲ ଭିତରେ ବସବାସ କରିବାଟା ଆଦିବାସୀ ପାଇଁ ବଡ ଭୁଲ ହୋଇଯାଇଛି ! ଯେମିତିକି ସେ ଜଙ୍ଗଲ
ମଧ୍ୟକୁ ପିକନିକ କରିବା ପାଇଁ ଯାଇଥିଲା? ପୁଲିସ ଦ୍ଵାରା ନିହତ ସମସ୍ତ ମିଥ୍ୟା ଏନକାଉଣ୍ଟରକୁ ସଠିକ
ବୋଲି ପ୍ରମାଣିତ କରିବା ପାଇଁ ଏହି ଯୁକ୍ତି ହିଁ ପୁଲିସର ବରିଷ୍ଠ ଅଧିକାରୀମାନେ ସର୍ବଦା ରାଜ୍ୟ
ଓ ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଉପସ୍ଥାପିତ କରିଥାନ୍ତି,
ଯେମିତିକି ହୁଏତ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟରେ ଘର କରିଥିଲେ ଏପରି ଏନକାଉଣ୍ଟର
ହୋଇନଥାନ୍ତା ! ଯଦି ବିତର୍କ ଅଧିକ ହେଲା ତେବେ ଅନ୍ୟ ଏକ ପାରମ୍ପରିକ ଯୁକ୍ତି ହେଲା, “ଉଭୟ ପକ୍ଷର ଗୁଳି ବିନିମୟରେ” ସାଧାରଣ ଲୋକଟିର ମୃତ୍ୟୁ ବରଣ କରିଛି କାରଣ “ଉକ୍ତ ଅଞ୍ଚଳ
ଏକ ମାଓ ପ୍ରବଣ ଅଞ୍ଚଳ” ଓ “ଏକ ନିର୍ଭରଯୋଗ୍ୟ ସୂଚନାପାଇ
ଅର୍ଦ୍ଧସାମରିକ ବାହିନୀର ଯବାନମାନେ କୋମ୍ବିଙ୍ଗରେ ଯାଇଥିଲା ବେଳେ”
ଉକ୍ତ ଘଟଣା ଘଟିଛି । ଏହି ଯୁକ୍ତି ସେହି ସମସ୍ତ ପଞ୍ଚାୟତ ଅଥବା ତହସିଲ
ଅଞ୍ଚଳରେ ରହୁଥିବା ହଜାର ହଜାର ଅଥବା କେତେ ଲକ୍ଷ ଲୋକଙ୍କ ପାଇଁ ପ୍ରଯୁଜ୍ୟ ଅର୍ଥାତ ପୁଲିସର
ଏନକାଉଣ୍ଟରର ଶିକାର କେହି ବି କେବେ ବି ହୋଇପାରନ୍ତି କାରଣ ସେମାନେ ଏକ ମାଓ ପ୍ରବଣ ଅଞ୍ଚଳରେ
ରହୁଛନ୍ତି ଓ ସେମାନଙ୍କ ସୁରକ୍ଷା ପାଇଁ ଦେଶର ଆଇନ କାନୁନ ଲାଗୁ ନୁହେଁ । ଏକଥାକୁ କିନ୍ତୁ ସମୟ ସମୟରେ ବିଶ୍ଵାସ ନକରି
ମାନବିକ ଅଧିକାର କମିଶନ ସରକାରଙ୍କୁ ଅଧିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥାନ୍ତି । ହେଲେ, ତାହା ପୁଣି ସରକାରୀ ଫାଇଲ ଭିତରେ ରହି ଯାଏ, ଯେମିତି ହୋଇଥିଲା
2008 ମସିହାର ଗଜପତି ଜିଲ୍ଲାର ଅଡବା ଅଞ୍ଚଳର ଜୁନେଶ ବଡରଇତଙ୍କ କ୍ଷେତ୍ରରେ । ଯଦିଓ ରାଜ୍ୟ
ମାନବିକ ଅଧିକାର କମିଶନ ଉପଯୁକ୍ତ କ୍ଷତିପୂରଣ ସହିତ ଦୋଷୀ ପୁଲିସ ଅଫିସରଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ
ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ମାତ୍ର ତାହାର ଫଳାଫଳ କାହାରିକୁ ଜଣାନାହିଁ । ଏଭଳି ଏକ
ବ୍ୟତିକ୍ରମକୁ ଛାଡିଦେଲେ ଏହିପରି ମିଥ୍ୟା ଏନକାଉଣ୍ଟରର ଅଭିଯୋଗ ଆସିଥିବା ପ୍ରାୟେ ଶତ ପ୍ରତିଶତ କ୍ଷେତ୍ରରେ
ମାନବିକ ଅଧିକାର କମିଶନ ଯଦିଓ ମାନିଥାନ୍ତି ଯେ “ସାମ୍ବିଧାନିକ ବିରୋଧ ସତ୍ଵେ ଏନକାଉଣ୍ଟର ହତ୍ୟା
ବଢିବାରେ ଲାଗିଛି” ତଥାପି କେବଳ ଏକ ଜୀବନବୀମା ସଂସ୍ଥା ପରି କିଛି ଲକ୍ଷ ଟଙ୍କା କ୍ଷତିପୂରଣ
ଘୋଷଣା କରିଦେଇ କମିଶନ ଏ ଦିଗରେ ନିରବ ରହୁଛନ୍ତି । ସରକାର ଏହି
ଯୁଦ୍ଧକୁ ଜିତିବା ପାଇଁ ମାନବିକ ଅଧିକାର କମିଶନକୁ ଦାନ୍ତ ବିହୀନ ପାକୁଆ ପାଟି କରିଦେଇଛନ୍ତି ।
ନିକଟରେ
ଜାତୀୟ ମାନବିକ ଅଧିକାର କମିଶନ ଛତିଶଗଡ ପ୍ରସଙ୍ଗରେ ନିଜକୁ ଅଧିକ କ୍ରିୟାଶୀଳକରି ସୁରକ୍ଷା
ଯବାନଙ୍କ ଦ୍ଵାରା 2016 ମସିହା ଜାନୁଆରୀ 11 ରୁ 13 ତାରିଖ ମଧ୍ୟରେ ଯୌନ ଶୋଷଣର ଶିକାର ହୋଇଥିବା
ବସ୍ତର ଅଞ୍ଚଳ ବିଜାପୁର ଓ ସୁଖମା ଜିଲ୍ଲାର 30 ଜଣ ଆଦିବାସୀ ମହିଳାଙ୍କ ବୟାନକୁ ରେକର୍ଡ
କରିଛନ୍ତି (ଆମେ କେବଳ ଶୁଣୁଥିଲୁ ଯେ ମାଓବାଦୀ କର୍ମୀମାନେ ତାଙ୍କ ମହିଳାକର୍ମୀଙ୍କୁ ଯୌନ ଶୋଷଣ
କରିଥାନ୍ତି!) । ସେମାନେ ସମସ୍ତେ ସୁରକ୍ଷାକର୍ମୀଙ୍କ ଦ୍ଵାରା ଗଣଧର୍ଷଣ ଓ
ବଳତ୍କାରର ଶିକାର ହୋଇଥିଲେ । ଏହି ଘଟଣାରେ ସୁରକ୍ଷାକର୍ମୀଙ୍କୁ ଗିରଫ କରିବା ଦାବି କରିଥିବାହେତୁ
ଅତିତରେ କେତେକ
ସାମ୍ବାଦିକ ଗିରଫ ହୋଇଛନ୍ତି, ମହିଳା ଓକିଲ ଓ ମହିଳା ସାମ୍ବାଦିକଙ୍କୁ ବସ୍ତର ଅଞ୍ଚଳକୁ
ଛାଡିବାକୁ ପଡିଛି । ହେଲେ ମାନବିକ ଅଧିକାର କର୍ମୀ ବେଲା ଭାଟିଆଙ୍କୁ ନିଜ ସମର୍ଥିତ ଗୁଣ୍ଡାବାହିନୀ “ଅଗ୍ନି” ଦ୍ଵାରା ଆକ୍ରମଣ କରେଇବା ଓ ଏହାର ପ୍ରତିବାଦ କରିଥିବା ଲେଖିକାଙ୍କୁ ଅଶାଳୀନ ମନ୍ତବ୍ୟ
ଦେବା ସେଠାର ପୁଲିସ ଆଇଜି ଶ୍ରୀଯୁକ୍ତ କାଲୁରୀଙ୍କୁ ମହଙ୍ଗା ପଡିଲା । ଜାତୀୟ ମାନବିକ ଅଧିକାର
କମିଶନଙ୍କ ହସ୍ତକ୍ଷେପ ଫଳରେ ଶ୍ରୀଯୁକ୍ତ କାଲୁରୀଙ୍କୁ ଏବେ ବସ୍ତର ଅଞ୍ଚଳ ଛାଡି ରାୟପୁରକୁ
ଆସିବାକୁ ପଡିଲା । ତେବେ
ଓଡିଶାରେ ସେହି ସମାନ ସମୟରେ ରାଜ୍ୟ ମାନବିକ ଅଧିକାର କମିଶନ କନ୍ଧମାଳ ଜିଲ୍ଲା ପାଙ୍ଗାଲପଦର
ଗ୍ରାମାରେ ପୁଅକୁ ଫୋନ କରିବାକୁ ଯାଇଥିବା ପିତାମାତା ଯଥାକ୍ରମେ ଦୁବେଶ୍ଵର ନାୟକ ଓ ବୁଭୁଡି
ନାୟକଙ୍କ ଏସଓଜି ଯବାନଙ୍କ ଦ୍ଵାରା ଏନକାଉଣ୍ଟର ମୃତ୍ୟୁକୁ “ଦୁଇପକ୍ଷର ଗୁଳିଚାଳନାରେ ନିରୀହ ପିତାମାତାଙ୍କ
ମୃତ୍ୟୁ” ବୋଲି ଦର୍ଶାଇ ଅଳ୍ପ କେତେକ କ୍ଷତିପୂରଣ ଘୋଷଣା କରି କେସକୁ ବନ୍ଦ କରିଦେଲେ । ସେଦିନ ନିଯୁକ୍ତ
ପୁଲିସ ଯବାନଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନେଲେ ନାହିଁ । ପାଙ୍ଗାଲପଦର ଓ ପରେ ପରେ
ଗୁମୁଡୁମାହ ଘଟଣା ଆମକୁ ଦର୍ଶାଉଛି ଯେ ଆଗକୁ ଯେମିତି କୌଣସି ସଂଗଠିତ ଉଦ୍ୟମ ଅନ୍ୟ କୌଣସି
ରାଜନୈତିକ ଶକ୍ତି ଦ୍ଵାରା କିପରି ନିଜର ଅଧିକାର ପାଇଁ ଲୋକେ କରିନପାରନ୍ତି ଏକ ଭୟର ବାତାବରଣ
ସୃଷ୍ଟି ପାଇଁ ଏପରି ହତ୍ୟାକାଣ୍ଡ ଭିଆଯାଉଛି । ଏହା ଆମକୁ ଇରାକରେ ଆମେରିକୀୟ ସୈନିକର ଅତ୍ୟାଚାର ସହିତ
ତୁଳନା କରି ଦେଖିବାକୁ ବାଧ୍ୟ କରୁଛି । ତଥାପି ଆମେରିକାରେ ଏହି ମାନବିକ ଅଧିକାର ଆନ୍ଦୋଳନ
ସୁଦୃଢ ହେବା ହେତୁ ଆମେରିକା ସରକାର ନିଜର ସୈନ୍ୟ ବାହିନୀକୁ ଇରାକରୁ ପ୍ରତ୍ୟାହାର କରିବା ପାଇଁ
ବାଧ୍ୟ ହେଲେ । ଏବେ କିନ୍ତୁ ଛତିଶଗଡ, ଓଡିଶା, ଝାଡଖଣ୍ଡ, ପଶ୍ଚିମ ବଙ୍ଗ
ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ମାନବିକ ଅଧିକାର କର୍ମୀଙ୍କୁ ନିହାତି ମିଥ୍ୟା କେସରେ ଜଡିତ କରାଇ ଜେଲ ପଠାଯାଉଛି । ଏବେ ଏପରିକେତେକ
ଘଟଣା ହେତୁ ସାମ୍ବାଦିକମାନେ ନିରପେକ୍ଷ ଭାବରେ ଲେଖିବାକୁ ଡରୁଛନ୍ତି , ଲେଖକ/ଲେଖିକା ଓ କବି ଗାଳ୍ପିକ ମାନେ ନିଷ୍ପେଷିତ ପ୍ରାଣ ସମ୍ପର୍କରେ ଲେଖିନପାରି ନଦୀ
ଫୁଲ ପ୍ରେମ ଓ ବିରହ ଉପରେ କବିତା ଓ ଗଳ୍ପ ଲେଖୁଛନ୍ତି, ବୃତ୍ତଚିତ୍ର
ନିର୍ମାତାମାନେ ସରକାରୀ ପ୍ରମୋଫିଲ୍ମ ନିର୍ମାଣରେ ଲାଗିଛନ୍ତି ।
ସରକାରଙ୍କ
ମାଓବାଦୀ ବିରୋଧୀ ଅଭିଯାନ କେବଳ ପୁଞ୍ଜିବାଦୀ ପ୍ରକ୍ରିୟାକୁ ସୁଦୃଢ କରିବା ପାଇଁ ଉଦ୍ଦିଷ୍ଟ । ଯେଉଁଠି
ଅନାହାର ମୃତ୍ୟୁ ଓ ଅପପୁଷ୍ଟିରେ ମୃତ୍ୟୁର ଖବର ଆସୁଛି ସେହି ଜାଗାରୁ ପୁଣି । ମାନବିକ ଅଧିକାର
କୁ ବିଶ୍ଵାସ କରୁଥିବା ପ୍ରତ୍ୟେକ ସାମ୍ବାଦିକ, ଲେଖକ/ଲେଖିକା, ଫିଲ୍ମ ନିର୍ମାତା ବା ଆଇନଜୀବୀ ସମସ୍ତେ ଆଜିର ବଡୁଥିବା ଆର୍ଥିକ ବିଷମତାକୁ ଘୋର
ବିରୋଧ କରିଥାଏ । ସେ କଦାପି ସାମାଜିକ ଭାବରେ କିଛିଲୋକ ଶୋଷିତ ହୋଇଚାଲନ୍ତୁ
ସେକଥାକୁ ଗ୍ରହଣ କରେ ନାହିଁ । ଆଜିର ବାର୍ଦ୍ଧକ୍ୟ ଭତ୍ତା ମାସକୁ 300 ଟଙ୍କା କଦାପି ସାମାଜିକ ନ୍ୟାୟ ଦେବ ନାହିଁ
ଯେଉଁଠିକି 10 ପ୍ରତିଶତ ଲୋକଙ୍କ ହାତରେ 80 ପ୍ରତିଶତ ସମ୍ପତ୍ତି ଠୁଳ ହେଉଛି । ସମାଜରେ ଉପଯୁକ୍ତ
ଶିକ୍ଷା ଓ ସ୍ୱାସ୍ଥ୍ୟର ସୁବିଧା ସମସ୍ତଙ୍କୁ ସମାନ ଭାବରେ ମିଳିବ ନାହିଁ ଯଦି ଠିକାରେ ହିଁ
ସମସ୍ତ ନିଯୁକ୍ତି କେବଳ ହୋଇଚାଲିବ । ଅପପୁଷ୍ଟିରେ ମାରୁଥିବା ଶିଶୁଙ୍କ ହାର ବଢିବା ସହିତ
ସେହିସବୁ ସ୍ଥାନରେ ବହୁଦେଶୀୟ କମ୍ପାନୀଙ୍କ ପ୍ରବେଶ, ଲୋକଙ୍କ ବିରୋଧ ସହିତ ବିସ୍ଥାପନର ସୁଚନା ସାଙ୍ଗକୁ ପୁଣି
ଏନକାଉଣ୍ଟରରେ ମୃତ୍ୟୁର ସୂଚନା ମଧ୍ୟ ଆସୁଛି ଯାହାକୁ ମାନବିକ ଅଧିକାର କର୍ମୀ ବିରୋଧ କରୁଛି । ସାମାଜିକ
ଓ ଆର୍ଥିକ ନ୍ୟାୟ ପାଇଁ ଅଧିକାର ଆନ୍ଦୋଳନ ସର୍ବଦା ପ୍ରୟାଶ କରିଚାଲିଛି । ଏହି ନ୍ୟାୟର କଥା
କହୁଥିବା ହେତୁ ସରକାର ନିଜର ଭୁଲ ସ୍ଵୀକାର କରିବା ବଦଳରେ ଏହାକୁ ମଧ୍ୟ ଦମନ କରିବା ପାଇଁ ଯୁଦ୍ଧରେ
ପ୍ରତିପକ୍ଷର ସମର୍ଥକ ବୋଲି ଜନମତ ସୃଷ୍ଟି କରିବାରେ ଲାଗିଛନ୍ତି । ଏପରି ଉଦ୍ୟମ ନିନ୍ଦନୀୟ ଅଟେ
।
debasar11@yahoo.co.in
No comments:
Post a Comment