ନବକଳେବରର ରାଜନୀତିକରଣ
ଦକ୍ଷିଣ
ଓଡିଶାର ଏକ ମୂଳ ପର୍ବ ଚଇତିର ଗୀତରେ ଝୁଲୁଥିବା ଆଦିବାସୀମାନଙ୍କର ଅନ୍ତର ଭିତରୁ ତୁହାକୁ
ତୁହାକୁ ବାହାରୁଥିବା ସ୍ଵର ‘ରାଜାର ଦଶହରା ପରଜାର ଚଇତି ‘ ବହୁତ ବହୁତ କଥା କହିଦିଏ। ଚୈତ୍ର ମାସର ଜହ୍ନ ଊଇଁଲେ
ଏହି ପର୍ବ ପାଳନ ହୁଏ। ବର୍ଷକରେ ଥରେ ଏହି ଚଇତି
କେଉଁ ଗାଁରେ ବୁଧବାର ତ କେଉଁଠି ଶୁକ୍ରବାର ପୁଣି କାହାର ଶନିବାରଠୁ ଆରମ୍ଭ ହୋଇଯାଏ । ଅମବାସ୍ୟା ଠାରୁ ପୂର୍ଣମୀ
ଜହ୍ନ ଆସିବା ପର୍ଯନ୍ତ ଏହି 15
ଦିନ ପୁରା ଦକ୍ଷିଣ ଓଡିଶାକୁ ଚଇତିର ରଙ୍ଗରେ, ହଳଦୀ ଓ
ପାଣିର ଖେଳରେ, ପରଜାକୁ ପାଗଳ କରିଦିଏ ।ହଜାର ହଜାର ନୁହେଁ
ଲକ୍ଷ ଲକ୍ଷ ଆଦିବାସୀ (ଦଳିତ ମଧ୍ୟ) ଚଇତିର ଶରଧାରେ ନାଚ ଓ ଗୀତର ବାଜାରେ ମସଗୁଲ ହୋଇଉଠନ୍ତି । କୋୟା,
ବୋଣ୍ଡା, ଦୁରୁଆ, କନ୍ଧ, ପରଜା ସମସ୍ତଙ୍କ ପାଇଁ ଚଇତି - କେଉଁଠି ଏହା ଶିକାର ବା ବେଣ୍ଟ ପରବ ନାମରେ ତ କେଉଁଠି
ନୂଆକରି ଆମ୍ବ ଖାଇବାର ପର୍ବ ତ ଆଉ କେଉଁଠି ବିହନ ପର୍ବ – ଭାବରେ ପାଳନ ହୁଏ । ମାତ୍ର ମୁଖ୍ୟ ଧାରାର
ଖବରକାଗଜ ପାଇଁ ଏହା ଆଞ୍ଚଳିକ । ଟିଭି ଚ୍ୟାନେଲ ପାଇଁ ଏହା ଆଦୌ ବିଷୟ ନୁହେଁ। କାରଣ ଏହା ପଛରେ କାହାର ପ୍ରଯୋଜନା ନାହିଂ।
ଏଥର
ଜଗନ୍ନାଥଙ୍କ ନବକଳେବର ହେଉଛି । ଗଲା ଥର 1996 ମସିହାରେ ହୋଇଥିଲା। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କ ପାଇଁ ମନ୍ଦିର ସହିତ ଖଞ୍ଜା ହୋଇଥିବା ସେବାୟତ, ପୂଜକ, ବଢେଇ ସମସ୍ତେ ସେହି ସମାନ ସମୟରେ ଖୋଜୁଛନ୍ତି କାଠ । ପୁରୁଣା ଲିମ୍ବ ଗଛରେ
ଶଙ୍ଖ ଚକ୍ର ଓ ଗଦା ଚିହ୍ନ ଦେଖିଲେ ତାକୁ କାଟି ନେବେ। ଟିଭି ଚ୍ୟାନେଲରେ ଏହାର ସିଧା ପ୍ରସାରଣ ହେଉଛି । ଖବରକାଗଜର ସ୍ଵତନ୍ତ୍ର ପୃଷ୍ଠାରେ
ନବକଳେବରର ଟିକି ନିଖି ଖବର ବାହାରିଲାଣି । ଯେଉଁଠି ନାରୀ ପୃଷ୍ଠା କେବେଠାରୁ ବନ୍ଦ
ହୋଇସାରିଲାଣି , କେବେ ଦଳିତ ଓ ଆଦିବାସୀ ପୃଷ୍ଠା ତିଆରି କରିବାର ଭାବନା ମଧ୍ୟ ଆସିନଥିବ (ଯଦିଓ 41%
ଆଦିବାସୀ ଓ ଦଳିତ ଓଡିଶାରେ ଅଛନ୍ତି) ସେଠାରେ ନବକଳେବର ନାମରେ ତିଆରି ସ୍ଵତନ୍ତ୍ର ପୃଷ୍ଠାରେ
ସ୍ଥାନିତ କେତେକ ଖବର ପ୍ରାୟ ଦୁଇ ହଜାର ବର୍ଷ ତଳେ ଲିଖିତ ବାଇବେଲର କାହାଣୀ ପରି ଲାଗୁଛି । (ଏତେ ବର୍ଷର ବିଜ୍ଞାନର ପ୍ରଗତି ଓ ଯୁକ୍ତିବାଦିତତ୍ଵ ଯେମିତି ଚୂଲିକି ଗଲାଣି )। ଖାସ ଏଇଥି ପାଇଁ ଏବେ ନବକଳେବର ସମ୍ପର୍କରେ ଚର୍ଚା ଜୋରଧରିଲାଣି । ଦାରୁ ଖୋଜାର ଡିଜିଟାଲକରଣ (ଆଧୁନିକ କ୍ୟାମେରା
ଓ ଭିଡିଓ ରେକର୍ଡିଂ ଇତ୍ୟାଦି) ହେଉଛି । ରଥଯାତ୍ରା ସମୟରେ ନୂଆଦାରୁରେ ଦେବତାଙ୍କୁ
ଦେଖିବା ପାଇଁ ସହରତଳି ଅଞ୍ଚଳରେ ଓ ଟିଭି ଦେଖିପାରୁଥିବା ଗାଁରେ ଆଜି
ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଏହା
ପଛରେ ସରକାରଙ୍କ ନବକଳେବର ପାଇଁ ଥିବା ସରକାରୀ ଅର୍ଥର ପ୍ରଯୋଜନା ନିଶ୍ଚୟ ଅଛି । ସରକାର 2000
ହଜାର କୋଟିଟଙ୍କା ରାଜ୍ୟ ରାଜସ୍ଵରୁ ଖର୍ଚ୍ଚ କରିବା ପାଇଁ ସ୍ଥିର କରିଛନ୍ତି। ଏଥିରୁ ଜନସମ୍ପର୍କ
ବିଭାଗ କେତେ ଅର୍ଥ ଗଣମାଧ୍ୟମ ପାଇଁ ରଖିଛି ତାହା କାହାରିକୁ ଜଣାନାହିଁ । ଗଣମାଧ୍ୟମକୁ ଏକଥା
ମଧ୍ୟ ଜଣାଯେ ଲୋକଙ୍କ ଆଗ୍ରହ ଦେଖି କମ୍ପାନୀମାନେ ଏହାପରେ ବିଜ୍ଞାପନର ସୁଅ ଛୁଟାଇବେ ।
“ଆଜିୟାଁ ଆଜି ଦୁମ୍ବାଡେ
ଋତୁଡେ ପିୟୁୟାଁ ପିୟୁ ଦୁମ୍ବାଡେ ଋତୁଡେ” ଘୋଷା ପଦକୁ ଧରି କନ୍ଧ
ଯୁବକମାନେ ଘରକୁ ଘର, ଗାଁକୁ ଗାଁ ବୁଲି ଚଇତି ସମୟରେ ଶରଧା ଲୁଟନ୍ତି ।
(ଏହାର ଅର୍ଥ ଖରା
ହେଉଛି, ବର୍ଷା ବି ହେଉଛି , କୁଆପଥର ପଡୁଛି )। ଗାଁର ଝିଅ ମାନେ ଅନ୍ୟଗାଁର ଧାଙ୍ଗଡାଙ୍କୁ ଦେଖି
ହଳଦୀ ଠାରୁ କାଦୁଅ ପର୍ଯନ୍ତ ଲେପନ୍ତି ।କେଉଁଠି ବଦୁ ମାଝି ଡୁଣ୍ଡୁଣୀ ବଜାଇ ‘ଆଜିମାଣୀ’ ଗୀତ ଲହରାଏ । ହୁଏତ ପଚାଶ ବର୍ଷ ଆଗରୁ ଡୁଣ୍ଡୁଣୀ, ବଇଁଶି, ଡମ୍ବତୋଳା, ଡମ୍ବାତୁରି, ବଡଢୋଲ, ଟମକ ଇତ୍ୟାଦି ବାଜାଗହଳ ରାତିସାରା ଜଙ୍ଗଲ ଘେରାଗାଁ ମାନଙ୍କୁ କମ୍ପାଉଥିଲା। ଏହି ସମସ୍ତ ବାଦ୍ୟଜନ୍ତ୍ରର ଘମାଘୋଟ, ଡମ୍ବର ବାଜା, ପରଜାର ଡୁଙ୍ଗୁ ଡୁଙ୍ଗୁ, କନ୍ଧର ସାରଙ୍ଗୀ ବଇଁଶି, ପେରଙ୍ଗର ତୁଣ୍ଡର ସ୍ଵର ପବନରେ ଭାସିଆସୁଥିଲା । ( ‘’ଅମୃତର ସନ୍ତାନ’’ ରେ ଗୋପୀନାଥ ମହାନ୍ତିଙ୍କ ଦ୍ଵାରା ବର୍ଣିତ ଚିତ୍ର)। ଏବେବି ଦିଶାରି ତାର ଅମ୍ବଗଛ
ମୂଳେ ବସି ଚିତାଗୁଡି, ବିଶିବାଡା, ରୁଗୁଡିବାଙ୍କୁ
ଡାକି ପୂର୍ବପୁରୁଷକୁ ଜଣାଇ ଏବର୍ଷର ଆମ୍ବ ଖାଇବାର ଅନୁମତି ମାଗୁଛି। ଆଦିବାସୀ ଯେ ଦିନେ ବଣୁଆ ମଣିଷ ଥିଲା ତାହା
ଏବେ ଧର୍ମ ନାମରେ ବଞ୍ଚି ରହିଛି । ଏଠି ଧର୍ମ ନାମରେ ମୂର୍ତି ପୂଜାର ପରମ୍ପରା ନାହିଁ । ଏଠି ମୋକ୍ଷ କି ପୂଣ୍ୟ ପ୍ରାପ୍ତିର ଅଙ୍କାକ୍ଷା ନାହିଂ କି ପାପ ଓ ନରକର ଭୟ ନାହିଁ
କିମ୍ବା ପୂର୍ବ ଜନ୍ମ ଓ ପର ଜନ୍ମର ବିଶ୍ଵାସ
ନାହିଂ । ଏଠି ଭଗବାନଙ୍କ ସେବା ନାମରେ ବିଭିନ୍ନ
ସାମାଜିକ ଗୋଷ୍ଠୀ ବା ଜାତି ତିଆରି ହୋଇନାହାନ୍ତି କି ଏଠି ସବୁକିଛି ଲିଖିତ ଅନୁସାରେ ହୁଏନାହିଁ । ଚଇତି ଆସିଲେ ପାଦଗୁଡିକ ଆପେ ଆପେ ନାଚି
ଉଠେ, ଗୀତର ଲହର ସବୁରି ମୁହଁରେ ଗୁଞ୍ଜରୀ ଉଠେ । ପରଜାର ଧର୍ମ ସହିତ ଢେମସା ନାଚ, ନିସାନର ଢାଂମ ଢାଂମ ଶବ୍ଦ ଓ ଆଜିମଣି ଗୀତ ଯୋଡି ହୋଇରହିଥାଏ । ଏହି ଧର୍ମରେ କୁସଂସ୍କାର ହେଲା ଗୁଣି ଓ
ହତ୍ୟା ଯାହା ଚିନ୍ତାଜନକ ।
ଏଥର ନବକଳେବରକୁ ନେଇ ଚର୍ଚା ସବୁଠାରୁ ଅଧିକ
ଗଣମାଧ୍ୟମରେ ହେଉଛି ଯାହା 1996ର ଆଲୋଚନା ଠାରୁବି ଯଥେଷ୍ଟ ଅଧିକ। ସେ ସମୟରେ ଟିଭି ବି ଥିଲା
ଓଡିଆ ଖବରକାଗଜ ତ ଥିଲା ମାତ୍ର ଏପରି ଚର୍ଚା ନଥିଲା। ନବକଳେବରର ଏହି ପ୍ରଚାର ଭିତରେ କ୍ରମଶଃ
ହଜି ଯାଉଛି ଜଗନ୍ନାଥ ସଂସ୍କୃତିର ସୃଷ୍ଟିକୁ ନେଇ ପ୍ରଶ୍ନ । ଜଗନ୍ନାଥ ସଂସ୍କୃତି ହୁଏତ କେତେ ଶତାବ୍ଦୀ
ତଳେ ଆଦିବାସୀଙ୍କ ସହିତ ଥିଲା ଏକ ବିଚାର ଭାବରେ । ତାହା ଗଛର ରୂପରେ ପୂଜା ପାଉଥିଲା ଯାହାଥିରୁ ଜଙ୍ଗଲର ବାସ୍ନା ଆସୁଥିଲା। ମାତ୍ର ଏକ ନିୟମିତ ପ୍ରକ୍ରିୟା ଭିତରେ ଏହା
ବ୍ରାହଣମାନଙ୍କ କବଜାକୁ ଚାଲିଯାଇଛି ।
ଓଡିଶାପରି ରାଜ୍ୟ
(କଳିଙ୍ଗ, ଉଡ୍ର ଓ କୋଶଳ ଭୂଖଣ୍ଡ)ରେ ଆର୍ଯ ବା ବୈଦିକ ସଂସ୍କୃତିର ପ୍ରଭାବ କ୍ଷୀଣ । "ଚତୁଃ ବର୍ଣ୍ଣ ମୟା ସୃଷ୍ଟ" ଗୀତାର ଏହି ବାଣୀ
ଅନୁସାରେ ଆଦୌ ଏଠାରେ ଜାତି ସୃଷ୍ଟି ହୋଇନାହିଁ । (ଇତିହାସବିତ ଭୈରବ ପ୍ରସାଦ ସାହୁଙ୍କ ମତରେ
ଓଡିଶାରେ ଶୂଦ୍ର, ବୈଶ୍ୟ ଓ କ୍ଷତ୍ରିୟ ନଥିଲେ । କେବଳ ଆଦିବାସୀ ଥିଲେ)। ଯାହା ଇତିହାସ କୁହେ ସୋମବଂଶୀ ରାଜା ଯଯାତି ଜଗନ୍ନାଥଙ୍କୁ (ପାତାଳି ଅବସ୍ଥାରୁ
ବାହାରକରି) ବର୍ତମାନର ରୂପ ଦେଲେ । ସେହିଁ 10,000 ବ୍ରାହ୍ମଣଙ୍କୁ ଉତ୍କଳ ଭୂଖଣ୍ଡକୁ ଆଣିଥିଲେ। ଏହି ବ୍ରାହ୍ମଣମାନେ ଜଗନ୍ନାଥଙ୍କ ବ୍ରାହ୍ମଣୀକରଣ କରେଇଲେ, ସେମାନେହିଁ ପରେ ରାଜାଙ୍କ ଉପନିବେଶର କ୍ଷେତ୍ର ତିଆରି କଲେ
। (ଅଧିକାଂଶ
ଗଡଜାତ କ୍ଷେତ୍ରରେ ଜଗନ୍ନାଥ ମନ୍ଦିର ରହିଛି ।) ମନୁସ୍ମୃତି ବାହାନାରେ ଏହି ବ୍ରାହ୍ମଣମାନେ
ଭଗବାନଙ୍କ ମୁଖରୁ ଜାତ ବୋଲି ଏକ ବିଶେଷ ମଣିଷଭାବରେ ନିଜକୁ ପ୍ରତିଷ୍ଠିତକଲେ ଓ ସମାଜକୁ ବିଭିନ୍ନ
ଜାତିରେ ବିଭାଜନ କଲେ। ସେବେଠାରୁ ହିନ୍ଦୁର ପୂର୍ବଜନ୍ମ ଓ ପରଜନ୍ମର ବିଶ୍ଵାସ ଅନୁଯାଇ ଜଗନ୍ନାଥଙ୍କ ମଧ୍ୟ ନବକଳେବର
କରାଗଲା ଯାହା ପୂର୍ବ ଆଦିବାସୀ ସଭ୍ୟତାରେ ନଥିଲା । ଏଠି ଆଦିବାସୀ ଧର୍ମ ନାମକ ବ୍ୟାପକତାକୁ ଜଗନ୍ନାଥ ମନ୍ଦିର
ନାମକ ଅନୁଷ୍ଠାନ ମଧ୍ୟରେ ବାନ୍ଧିବାର ଯେଉଁ ପ୍ରୟାସ ଯଯାତୀ କଲେ ସେଥିରେସେ ନିଜର ସୁରକ୍ଷା
ଦେଖୁଥିଲେ । ସୋମବଂଶୀ ରାଜାଙ୍କୁ
ପରାସ୍ତକରି ଗଙ୍ଗବଂଶୀ ରାଜା ଚୋଡଗଙ୍ଗ ଦେବ ଓଡ଼ିଶାକୁ ଶାସନକଲା ସମୟରେ ଜଗନ୍ନାଥଙ୍କୁ ବୈଷ୍ଣବୀ
ଧର୍ମରେ ରୂପାନ୍ତରିତ କଲେ (ତଥ୍ୟ : ‘ସଂସ୍କୃତି ଓ ସମ୍ପ୍ରତିକତା’
ଲେଖକ - ବେଣୁଧର ପାଢୀ ) । ଏହାପରେ ଜଙ୍ଗଲର ଜଗନ୍ନାଥ ବିରାଟ ମନ୍ଦିର ଓ
ବ୍ରାହ୍ମଣଙ୍କ ବଳୟ ଭିତରେ ବନ୍ଦିହେଲେ । ସେହି ପ୍ରକ୍ରିୟା ଭିତରେ ଜଗନ୍ନାଥଙ୍କ ବ୍ରାହ୍ମଣୀକରଣ ଆହୁରି ମଜଭୁତ ହୋଇଥିଲା । ବାକି ଯାହା ରହିଲା ସେସବୁ ଭଗବାନଙ୍କ
ପ୍ରତି ଭକ୍ତଙ୍କୁ ଆକ୍ରୁଷ୍ଟ କରିବା ପାଇଁ ଏକ ଏକ କାଳ୍ପନିକ ରଚନାବଳୀ ।
କ୍ରମଶଃ ଜଗନ୍ନାଥ ଏକ ବୈଶ୍ୟମତାପୂର୍ଣ ସମାଜର ଭଗବାନ ପାଲଟିଗଲେ ।
ଏଠି ଜାତି ଅନୁସାରେ ସୁଆର ସାହି , ମହାସୁଆର ସାହି, ବଢେଇ ସାହି, ଚିତ୍ରକର ସାହି, କୁମ୍ଭାରପଡା
ରହିଛି। ଏମାନେ ମନ୍ଦିରରେ ଜଗନ୍ନାଥଙ୍କୁ ନିଜ ସେବା
ଯୋଗାଇଥାନ୍ତି । ଏମାନଙ୍କ ପାଇଁ ଠାକୁର ଜଣେ ମାତ୍ର ଉଚ୍ଚନିଚ୍ଚ ଭେଦଭାବ ହେତୁ ନିଜ ଭିତରେ ଭ୍ରାତୁତ୍ଵ
ଭାବନା ନାହିଁ। ଏଠି ଦଇତାପତି
ନିଜକୁ ଆଦିବାସୀ ସଂସ୍କୃତିର ଦାୟାଦ ବୋଲି ପରିଚୟ ଦେବାକୁ ଘୃଣା କରେ। ଏଠି
ଧର୍ମକୁ ଧରି ରଖିବା ପାଇଁ ଯେଉଁ କଳା ସୃଷ୍ଟି ହେଲା ସେସବୁ ସମର୍ପଣର ଭାବନା ନେଇ ସୃଷ୍ଟି ହେଲା । ମାହାରୀ
ନୃତ୍ୟରେ
(ଯାହାର ପରବର୍ତୀ ସଂସ୍କରଣ ହେଲା ଓଡିଶୀ ନୃତ୍ୟ ) ଭକ୍ତି ଓ ପ୍ରେମ ନାମରେ ସମର୍ପଣର ଭାବନା ରହିଲା। ଏଥିରେ
ରାଜା ବି ଖୁସ ବ୍ରାହ୍ମଣ ବି ଖୁସ। ଏହାଥିଲା ଜଗନ୍ନାଥଙ୍କୁ ଆଦିବାସୀଠୁ ଅଲଗାକରିବାର
ପ୍ରଥମ ଚରଣ। ଆଜି କବି ହରପ୍ରସାଦ ଦାଶ ନିଜର ଓଡିଆ
ଜାତିର କଥାରେ ଯେଉଁ କପିଳେନ୍ଦ୍ର ଦେବଙ୍କୁ ପ୍ରଥମ ଓଡିଆ ରାଜା (ଖ୍ରୀଷ୍ଟାବ୍ଦ 1434-66)
ଭାବରେ ଗର୍ବ କରୁଛନ୍ତି ସେ ଜଗନ୍ନାଥଙ୍କ ସୁନାବେଶ ଆରମ୍ବ କରିଥିଲେ। ନିଜର ସୈନ୍ୟବାହିନୀ ଦ୍ଵାରା ଲୁଟିଥିବା
ଧନସମ୍ପତିରୁ ବେଶ କିଛି ଭାଗ ନିଜେ ରଖିଲାପରେ ଆଉ କିଛି ଭାଗ ଜଗନ୍ନାଥଙ୍କ ସୁନାବେଶ ପ୍ରଚାଳନ
କରି ଆଦିବାସୀ ଦେବତାଙ୍କ ପ୍ରାଚୁର୍ଜ୍ୟକରଣ କଲେ ।
ଜଗନ୍ନାଥ ସେବାୟତମାନେ ନା କେବେ ଇଂରେଜଙ୍କ
ବିରୁଦ୍ଧରେ ପଦେ କହିଥିଲେ ନା ଗଡଜାତ ରାଜାର ଅତ୍ୟାଚାରକୁ କେବେ ବିରୋଧ କରିଥିଲେ । ଆଜିବି ମନ୍ଦିରର ମୁଖ୍ୟ
କୁହାଯାଉଥିବା ଶଙ୍କରାଚାର୍ଯ ଜଣେ ଜାତି ସପକ୍ଷବାଦୀ, ସଂଖ୍ୟାଲଘୁ ବିରୋଧୀ, ନାରୀଚେତନାର ବିପକ୍ଷବାଦୀ ହିନ୍ଦୁତ୍ଵ ବିଚାରର ମଣିଷ, ''ବିଶ୍ଵ ହିନ୍ଦୁ ପରିଷଦ''ର ପାଖ ଲୋକ । ପୁରୀର ମହାରାଜଙ୍କ
ବିଚାର ଠିକ ଶଙ୍କରାଚାର୍ଯଙ୍କ ପରି । ଏହାର ମୁକ୍ତିମଣ୍ଡପ,
ମନ୍ଦିରର ସର୍ବୋଚ୍ଚ ନୀତି ନିର୍ଧାରଣ ସଂସ୍ଥା, କେବେ କହୁନାହିଂ ଯେ
ପ୍ରତ୍ୟେକ ହିନ୍ଦୁଧର୍ମୀର ସବୁ ମନ୍ଦିରରେ ପ୍ରବେଶ କରିବାର ସମାନ ଅଧିକାର ଅଛି । (ମନ୍ଦିରରେ ସମସ୍ତଙ୍କର ପୂଜା କରିବାର ସମାନ ଅଧିକାର
କଥା କେବେ କହିବ କେଜାଣି ?) ଏକଥା ମଧ୍ୟ କହୁନାହିଂ ଯେ ଜାତି
ଅନୁସାରେ କାହାରିକୁ ଗୋତି ଖଟିବାକୁ ବାଧ୍ୟ କରାଯିବ ନାହିଁ । ଏଠି ଭାରତୀୟ ସମ୍ବିଧାନର ଶପଥ ନେଇ ଗଠିତ ମନ୍ଦିର
ପ୍ରଶାସନ ଏକଥା ବୁଝୁନାହିଂ ଯେ ପୁରୀଜିଲ୍ଲାର ଭୂମିହୀନ ଦଳିତ ପରିବାରର ବାଡିତଳ ଜମିକୁ ଜଗନ୍ନାଥଙ୍କ
ନାମରେ ସେବାୟତମାନେ ନିଜ ମାଲିକାନାରେ ରଖିବା ଅନ୍ୟାୟ । ଏବେ ଜଗନ୍ନାଥଙ୍କ ନାମରେ ପର୍ଯଟନ ଶିଲ୍ପକୁ ସେହି
ଜମିକୁ ମନ୍ଦିର ପ୍ରଶାସନ ବିକିବାକୁ ବସିଛି । ବେଦାନ୍ତ ବିଶ୍ୱବିଦ୍ୟାଳୟ ପାଇଁ ମନ୍ଦିର ପ୍ରଶାସନ
ପ୍ରଥମେ କମ୍ପାନୀକୁ ନିଜର ଜମି ବିକିଥିଲା, ଶିକ୍ଷାରେ ଶିଳ୍ପୀକରଣ ପାଇଁ । ଏହି ମନ୍ଦିରର ସେବାୟତଙ୍କ ଘରେ ଏବେ ବି
ବାଲ୍ୟ ବିବାହ ହୁଏ । ଏଠି ବିଧବା ବିବାହ ତାଲିବାନଙ୍କ ବାଳିକା ଶିକ୍ଷା
ପରି, ସମ୍ପୂର୍ଣ ବର୍ଜ୍ୟ । ନିଜ ଜାତିର ବାହାରେ ବିବାହ ଏଠି ଆତ୍ମହତ୍ୟା ସହିତ ସମାନ। ନବକଳେବରରେ
କେତେ ଆୟ ହେବ ଏବେଠୁ ସେବାୟତ ଠାରୁ ଆରମ୍ଭ କରି ପୁରୀର ଦୋକାନୀ ଓ ହୋଟେଲ ମାଲିକ ମାନେ କଳନା କରିବେଣି। ସେମାନେ କେହି ଭବିବେ ନାହିଂ ଯେ ଆମ ଜଗନ୍ନାଥଙ୍କୁ ଦର୍ଶନ ପାଇଁ
ଆସୁଥିବା ସବୁ ଭକ୍ତ ଆମର ନିଜର, ଯାହା ହୁଏତ ଆଦିବାସୀ ଭିତରେ ଅଛି । ଆଦିବାସୀ ଠାରୁ ଜଗନ୍ନାଥଙ୍କୁ ନେଇ ରାଷ୍ଟ୍ରବାଦୀ ବ୍ୟବସ୍ଥା ମଧ୍ୟରେ ଧର୍ମକୁ
ବାନ୍ଧିବାର ଏହା ଦ୍ଵିତୀୟ ଚରଣ । ଦୁଃଖର
କଥାଯେ ରାଷ୍ଟ୍ରବ୍ୟବସ୍ଥାର
ପୃଷ୍ଠପୋଷକତା ପାଇ ମଜଭୁତ ହୋଇଥିବା ଏହି ସଂସ୍କୃତିକୁ ଆଜି ଓଡିଆର ଧର୍ମ ଓଡିଆର ସଂସ୍କୃତି ବୋଲି
ପ୍ରଚାର କରାଯାଉଛି । ଅନ୍ୟପଟରେ ଆଦିବାସୀ ଧର୍ମର ବିଶେଷତ୍ଵ ହେଲା ବର୍ଷର
ବିଭିନ୍ନ ସମୟରେ ଧର୍ମର ନାମରେ ବିଭିନ୍ନ ପରବର ପାଳନ । ସେହି ପରବରେ ଆଦିବାସୀ ନିଜେ ବାଛେ ତାର
ଦିଶାରି, ଜାନି ଓ ବେଜୁଣି। ଏହା ଜନ୍ମଗତ ଅଧିକାର ନୁହେଁ । ସେମାନେ ଗଛ ତଳେବସି ପୂଜା
କଲାବେଳେ ଗାଁର ମଙ୍ଗଳ ପାଇଁ ଡୂମାପାଇଁ ଚାଉଳ ପୋତନ୍ତି, କୁକୁଡା ବଳି ଦିଅନ୍ତି, ନିସାନର ତାଳେ
ତାଳେ ନାଚରେ ଡୁବିଯାନ୍ତି । ନା
ଏଠି ଅଛି ପାପର ଡର ନା ମୋକ୍ଷ ପ୍ରାପ୍ତିର ଅଙ୍କାକ୍ଷା ନା ସମର୍ପଣ ଭାବନା । ବହୁ
ଆଦିବାସୀ ଭାଷାରେ ବିଧବା, ଧର୍ଷଣ, ଅନାଥ, ଧନୀ, ରାଜା, ପ୍ରଜା ଇତ୍ୟାଦିର ନିଜସ୍ଵ ଶବ୍ଦ ନଥିଲା । ବିଭିନ୍ନ ସମୟରେ ଆଦିବାସୀଙ୍କ ଇଂରେଜ ଓ
ରାଜାମାନଙ୍କ ବିରୁଦ୍ଧରେ ଲଢେଇକୁ ନେଇ ଆମର ଇତିହାସ ଗର୍ବିତ।
ଅତୀତରେ ରାଜାର
ପୃଷ୍ଟପୋଷକତାରେ ପାଳିତହେଉଥିଲା ଦଶହରା ପର୍ବ। ନିଜ ପ୍ରଜାଙ୍କ ଭିତରେ ଭୟ ଓ ସମର୍ପଣ ଭାବନା ଆଣିବା ପାଇଁ ଛୋଟ ରାଜା ମାନେ
ପଶ୍ଚିମ ବଙ୍ଗଳାର ଦେଖା ଦେଖି ନିଜ ନିଜ ରାଜଧାନୀରେ ଦଶହରା ପର୍ବ ପାଳିଲେ । ସେମାନେ ଆଦିବାସୀ ଭଗବାନଙ୍କୁ ଲିଙ୍ଗୀକରଣ
କରି ଦେବୀ ରୂପରେ ଦୂର୍ଗା ଦେବୀଙ୍କ ସହିତ ଯୋଡିବାକୁ ପ୍ରୟାସ କଲେ । ବିନା ପ୍ରତିବାଦରେ (କେତେକ ବ୍ୟତିକ୍ରମ ସହିତ) ଆଦିବାସୀ ଗୋଷ୍ଠୀ ଏହାକୁ
ମାନିନେଇଥିଲେ ଠିକ କାଶୀପୁର, ଜୟପୁର ଓ କଳାହାଣ୍ଡି ଇତ୍ୟାଦି ଅଞ୍ଚଳ ପରି । ଏହି କ୍ରମରେ ଆଧୁନିକ ରାଷ୍ଟ୍ର ବ୍ୟବସ୍ଥାର ଲିଙ୍ଗ ହେଲା ପୁରୁଷ (ଯେଉଁଥିପାଇଁ
ଏହା ଦମନକାରି ଶକ୍ତି ଓ ହିଂସା ଉପରେ ନିର୍ଭର କରିଥାଏ) । ଆଧୁନିକ ପୁଞ୍ଜିବାଦୀ ବ୍ୟବସ୍ଥାର ଲିଙ୍ଗ ମଧ୍ୟ ହେଲା ପୁରୁଷ (ବିଜ୍ଞ।ପନରେ ନାରୀର ସୌନ୍ଦର୍ଯର ବ୍ୟବହାର ଅଧିକ)। ତେଣୁ ଭଗବାନ ମଧ୍ୟ ପୁରୁଷ ହେବା ଜରୁରୀ। ରାଷ୍ଟ୍ରବ୍ୟବସ୍ଥା ଓ ଅର୍ଥନୀତି ସହିତ ଧର୍ମର ଏକ ସିଧା ସମ୍ପର୍କ ଇତିହାସର ସବୁ
ସମୟରେ ରହିଆସିଛି । ଯାହା ଉତ୍ତରଭାରତରେ ଶ୍ରୀରାମଙ୍କ
କ୍ଷେତ୍ରରେ ହେଲା ତାହା ଶ୍ରୀଜଗନ୍ନାଥଙ୍କ କ୍ଷେତ୍ରରେ ପୂର୍ବଭାରତରେ ଆଗକୁ ଦେଖାଯିବା ସ୍ଵଭାଭିକ
। ଦିନେ ଓଡିଶାର ମୁଖ୍ୟ ପର୍ବ ଦଶହରା ବୋଲି
ସରକାରୀ ସ୍ତରରେ କୁହାଯାଉଥିଲା। ହେଲେ ଏହାପରେ ଜଗନ୍ନାଥହିଁ ହେବେ
ଉପଯୁକ୍ତ ବଦଳ ।
ଚୈତ୍ର ମାସର ଚଇତି ପର୍ବ ସାରିଲେ ପୁଣି
ଚାଷର ବର୍ଷଆରମ୍ଭ ହେବ । ଆଗକୁ ବର୍ଷା
ଆସିବ। ସେଇଥିପାଇଁ ଚଇତି ସରିଲେ ଆଦିବାସୀ ଦୁଇ ମାସ
ଲାଗିଯାଏ ବୁଟା ମାରିବା, କାସରି କରିବା, ଜଙ୍ଗଲ ସଫା କରିବା, ଡଙ୍ଗର ଚଷିବାରେ। ହେଲେ ସରକାର ଏହି ଚଇତିକୁ ପାଳୁଛନ୍ତି ଡିସେମ୍ବର ମାସରେ (ମାର୍ଗଶିର-ପୌଷ ମାସରେ)
। ଏହାକୁ କେବଳ ଆଦିବାସୀଙ୍କ ଦ୍ଵାରା ବହୁଳ
ଶବ୍ଦ କହି ରାୟଗଡା ଜିଲ୍ଲା ପ୍ରଶାସନ ରାୟଗଡା ସହରର ମାଝୀଘରିଆଣୀ ମନ୍ଦିରରୁ ଏହି ପୂଜା ଆରମ୍ବ
କରେ । ଜିଲ୍ଲାରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ
ସରକାରଙ୍କ “ଚଇତି ପରବ''ଏକ ପ୍ରଚାର, ଏକ
ବ୍ୟବସାୟ । ଏହା ସହିତ ଆଦିବାସୀ ଭାବଧାରାକୁ ହିନ୍ଦୁ
ଧାରାରେ ମିଶାଇଦେବାର ଏକ ପ୍ରକ୍ରିୟା ଓ ସରକାର ସେଇଥିପାଇଁ ଚଇତିକୁ ମାଝିଘରିଆଣୀ ଠାରୁ ଆରମ୍ଭ
କରୁଛନ୍ତି । ଯେଉଁ ମଝିଘରିଆଣୀ ମନ୍ଦିରରୁ ପୂଜା ଆସୁଛି ତାହା
ନନ୍ଦପୁର ରାଜାଙ୍କ ଦ୍ଵାରା ପୁତ୍ର ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ପ୍ରତିଷ୍ଠା ହୋଇଥିଲା ଓ
ଏହାର ପୂଜକ ସର୍ବଦା ଅଣ-ଆଦିବାସୀ ରହି ଆସିଛନ୍ତି । ଏହି ସରକାରୀ ଚାଲାକି ବିପକ୍ଷରେ
କେବେବି ଆଦିବାସୀଙ୍କ ନିର୍ବାଚିତ ଏମଏଲଏ ଓ ଅନ୍ୟ ନେତା ପ୍ରତିବାଦ କରିନାହାନ୍ତି । ହେଲେ ସରକାର
କେବେ ‘ବନଯାଗ’’ ଓ ‘ନବକଳେବର’ କୁ ନେଇ ସେପରି ଖେଳ ଖେଳନ୍ତୁତ? ଓଡିଶାର କେଉଁ କୋଣରୁ ଏହାର
ପ୍ରତିବାଦ ନହେବ! ହେଲେ ଏହାକୁ ଶିକ୍ଷିତ ଆଦିବାସୀଙ୍କୁ
ବୁଝିବା ପାଇଁ ସମୟ ଲାଗିବ। ସେ ମଧ୍ୟରେ ନିଜର ହୀନମନ୍ୟତାର ଶିକାର ହେଉଥିବା ଆଦିବାସୀ ଯୁବକ ଓ ଯୁବତୀମାନେ ସରକାରୀ
ପ୍ରୋସ୍ଥାହନ ଓ ମାନ୍ୟତା ପାଇଁ ନିଜର ଧର୍ମ ଆଧାରିତ ଢେମସା ନାଚ ଓ ନିସାନ ବାଜା ଓ ବଇଁଶି ବାଦ୍ୟକୁ
ଧର୍ମ ବିହୀନ ଏକ କଳା ଓ ସଂସ୍କୃତି ଭାବରେ ଅଫିସର ଗୋଷ୍ଠୀଙ୍କ ଆଗରେ ପ୍ରଦର୍ଶନ କରିଚାଲିଥିବେ ଓ
ସେମାନେହିଁ ପରବର୍ତୀ ସମୟରେ ବ୍ରାହ୍ମଣବାଦୀ ହିନ୍ଦୁ ଧର୍ମର ଏକ ଏକ ବାହକ ପାଲଟିଯାଇଥିବେ । ଏହାକୁ କିନ୍ତୁ କେବେ ଧର୍ମନ୍ତରୀକରଣ ବୋଲି
କୁହାଯିବନାହିଁ ।
ଆଦିବାସୀ ଭିତରେ ଏ ହୀନମନ୍ୟତା କଦାପି ନିଜସ୍ଵ ନୁହେଁ। ବରଂ ଏହାକୁ ତିଆରି କରାଯାଇଛି। ଯେଉଁ ବ୍ରାହ୍ମଣମାନଙ୍କୁ ଆଣି ଆଦିବାସୀ
ଅଞ୍ଚଳରେ (କାଶୀପୁର, ନନ୍ଦପୁର ବା କଳାହାଣ୍ଡି ପରି ଅଞ୍ଚଳରେ) ରଖାଗଲା ତାହା ରାଜାକୁ ଟିକସ ଦେଇ ଆଦିବାସୀ
ଗୋଷ୍ଠୀଗୁଡ଼ିକୁ ବଶ୍ୟତା ସ୍ଵୀକାର କରେଇବାର ଉଦ୍ଦେଶ୍ୟରେ ଥିଲା। ପରେ ସ୍ଵାଧିନୋତ୍ତର
ଭାରତରେ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ନବବ୍ରାହ୍ମଣ ସାଜି ଯେଉଁ ସରକାରୀ ଅଫିସର (ଓ
ବେପାରୀମାନେ) ଆସିଲେ ସେମାନେ ଗୋଟେ ପଟେ ଦୁର୍ନୀତି ଓ ଠକାମିର ପ୍ରକ୍ରିୟାରେ ଆଦିବାସୀ ସମ୍ପତ୍ତି, ଶ୍ରମ, କଳା
ଓ ଶରୀରକୁ ତ ଲୁଟିଲେ । କିନ୍ତୁ ସରକାରୀବଳର ସୁରକ୍ଷା ପାଇବା ହେତୁ ନିଜକୁ ଧନୀ, ଶ୍ରେଷ୍ଠ ଓ ଆକର୍ଷଣୀୟ ବନେଇପାରିଲେ ।
ସେମାନେ ମନ୍ଦିର ପ୍ରତିଷ୍ଠା କଲେ, ସେମାନେ ସେଥିରେ ପୂଜକ ନିଯୁକ୍ତ କଲେ।
ଶବରୀ ଶ୍ରୀକ୍ଷେତ୍ର କହି କୋରାପୁଟରେ ବିରାଟ ଜଗନ୍ନାଥ ମନ୍ଦିର ତିଆରି କରିବା ଓ ବ୍ରାହ୍ମଣ ପୂଜକ
ନିଯୁକ୍ତି କରିବାର ଯଥାର୍ଥତା ମୋତେ ଜଣାନାହିଁ। ଏହାର କାର୍ଯ୍ୟକ୍ରମରେ ଯୋଗଦେଉଥିବା ଆଦିବାସୀ ପାଇଁ ବଜାର ଓ
ମେଳା ବିଶେଷ ଆକର୍ଷଣ ।
ଆଜିର ନବକଳେବର ପଛରେ ଗଣମାଧ୍ୟମର ପ୍ରଚାରରୁ ଏକଥା
ସ୍ପଷ୍ଟ ହେଉଛିଯେ ଏହା ପଛରେ ସରକାରଙ୍କ ଲୋକ ସମ୍ପର୍କ ଓ
ପର୍ଯ୍ୟଟନ ବିଭାଗର କୋଟି କୋଟି ଟଙ୍କାର ପେଡ ନ୍ୟୁଜର ଚାଲାକି ରହିଛି । ଯେଉଁ ଗଣମାଧ୍ୟମ
କେବଳ ବିଜ୍ଞାପନ ଓ ରେଟିଂରେ ବିଶ୍ଵାସକରେ ଓ
କୌଣସି ବି ସମସ୍ୟାକୁ ଅଥବା ଆଞ୍ଚଳିକ ପର୍ବକୁ ଏତେ ଦିନଧରି ଗୁରୁତ୍ଵ ଦେଉନଥିଲା ସେହି ଗଣମାଧ୍ୟମ
ହଠାତ ନିଜକୁ ହିନ୍ଦୁମନେକରି ବନଯାଗ ଭଳି ଏକ ଗୌଣ ପର୍ବର ସିଧାପ୍ରସାରଣ କରିବା ଧର୍ମନାମରେ ସରକାରୀ
ବିଜ୍ଞାପନ ଆପଣେଇବା ବ୍ୟତୀତ ଆଉକିଛି ନୁହେଁ। ଗଣମାଧ୍ୟମର ଏଥିରେ ଲାଭହେବ ଆଗକୁ ଆସିବାକୁ ଥିବା
ପ୍ରଚୁର ବିଜ୍ଞାପନରୁ। ତୁଲସୀ ଗୁଟକା ଠାରୁ ଟାଟା ପର୍ଯ୍ୟନ୍ତ ବହୁ କମ୍ପାନୀ ‘ଜଗନ୍ନାଥ ଆପଣଙ୍କୁ ଖୁସି ଓ ସମୃଦ୍ଧି
ଦିଅନ୍ତୁ’’ (ଯେଉଁଥିରେ ତୁମେ ଆମ ଜିନିଷ ଅଧିକ କିଣିପାରିବ) ଶୁଭ
ମନାସି ଗଣମାଧ୍ୟମରେ ବିଜ୍ଞାପନ ଢାଳିବେ। ନବକଳେବରର ଏହି ବ୍ୟବସାୟୀକରଣରେ ଗଣମାଧ୍ୟମବି ଏଥିରେ
ସରକାରଙ୍କୁ ପୁରା ସହଯୋଗ ଦେବାରେ ବ୍ୟସ୍ତ। ଗଣମାଧ୍ୟମର
ଏହି ପ୍ରଚାର ନବୀନ ପଟ୍ଟନାୟକଙ୍କୁ ଆଗାମୀ ଦିନରେ ସାହାଯ୍ୟ କରିବ । ଏହି
ନବକଳେବର ପ୍ରଚାରର ଏକ ରାଜନୈତିକ ଦୁରଭିସନ୍ଧି ହେଲା ଏହାର ସଫଳ ପରିଚାଳନାର ବାହାବା
ନେଇ ନବୀନ ପଟ୍ଟନାୟକ ଆଉ ପାଞ୍ଚ ବର୍ଷ ପାଇଁ ନିଜକୁ ସୁରକ୍ଷିତ କରିନେବେ । ସେଥିରେ ଲୁଚିଯିବ
ଖଣି, ଡାଲି, ଏନଆରଇଜିଏ, ଚିଟଫଣ୍ଡ, କୋଇଲା, ବିଜୁଳି, ପାଣି, ବିହନ, ସାଇକେଲ ଭଳି ମହାଦୁର୍ନୀତି ଓ ଇତିଶ୍ରୀ, ବାବିନାଙ୍କ ପ୍ରତି
ହୋଇଥିବା ଅବିଚାର। ଏହା ନବକଳେବରର ରାଜନୀତିକରଣ । ଯଦିବି କିଛି ଅଘଟଣ ହୁଏ ତେବେ ଅଧା
କେନ୍ଦ୍ରୀୟ ବିଜେପି ଓ ଅଧା ରାଜ୍ୟସ୍ତରୀୟ କଂଗ୍ରେସ ନବୀନଙ୍କ ସହିତ ଅଛନ୍ତି। ତେଣୁ ସମସ୍ୟା
ନାହିଂ । ଆଜି ଭାରତୀୟ ଜନତା ପାର୍ଟି ହୁଏତ ନବକଳେବରକୁ ନେଇ ନୀରବ ଅଛି । ମାତ୍ର ଏହାର ସବୁଠୁ ବେଶୀ ଲାଭ ସେମାନେ ନେବେ। ଆଗାମୀ
ଦିନରେ ପାର୍ଟି ଏହାକୁ ଶ୍ରୀରାମଙ୍କ ମନ୍ଦିର ଭଳି ଏକ ବିବାଦ କଳାପାହାଡର ଆକ୍ରମଣ ପ୍ରସଙ୍ଗ ଉଠାଇ
ମିଛ କାହାଣୀ ତିଆରି କରିବ ଓ ଏହି ଭୂଖଣ୍ଡରେ ମଧ୍ୟ ସମ୍ପ୍ରଦାୟିକ ଦଙ୍ଗାର ମୂଳଦୁଆ ପକାଇବ ।
ଯେଉଁ ଧର୍ମ ଯେତେ ଉଚ୍ଚ ନିଚ୍ଚ ଭାବକୁ ଓ
ଦଣ୍ଡବ୍ୟବସ୍ଥାକୁ କାଏମ କରିଛି ସେହି ଧର୍ମ ସେତେବେଶି ଶାସକକୁ ସାହାଯ୍ୟ କରିଛି। ତେଣୁ ଶାସକର
ପ୍ରୟାସ ହେଲା ଧର୍ମକୁ ଭେଦଭାବ ପୂର୍ଣ ଦଣ୍ଡ ଓ ଭୟର ବ୍ୟବସ୍ଥା ମଧ୍ୟରେ ଦେଖିବା। ଠିକ ଆଜି ଏଇଥି
ପାଇଁ ନବକଳେବର ନାମରେ ଜଗନ୍ନାଥ ସଂସ୍କୃତିକୁ ପ୍ରସାରିତ କରାଯାଉଛି । ଓଡିଶାର ପୁରପଲ୍ଲୀରେ
ଥିବା ବିବିଧତା ଓ ଧାର୍ମିକ ଭାବନାକୁ କୋଣଠେସ କରି ଏକକ ପୁରୁଷ ସଂସ୍କୃତିକୁ ପ୍ରତିଷ୍ଠା
କରାଯାଉଛି । ଅତୀତରେ ପୁରୁଷୋତ୍ତମ ଦେବ ନିଜର ବିଜୟ ଓ ଅହଂକାରର ପ୍ରତିଷ୍ଠା ପାଇଁ
ମାଣିକଗଉଡାଣିର କାହାଣୀ ମାଧ୍ୟମରେ ସୈନ୍ୟ ସଂଗ୍ରହ କରିଥିଲେ। ସେତେବେଳେ ଜଗନ୍ନାଥଙ୍କ ପତିଆରା
ଉପକୂଳର କେତେ ଶହ ଗାଁ ମଧ୍ୟରେ ସୀମିତ ଥିଲା। ଏବେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ମଧ୍ୟରେ ନୂଆ ଶାସକମାନେ
ଅପହଞ୍ଚ ଅଞ୍ଚଳରେବି ଜଗନ୍ନାଥଙ୍କୁ ପହଞ୍ଚାଇଦେବା ପାଇଁ ବ୍ରତୀ । ଚଇତି ଭଳି ଆଦିବାସୀ ଧର୍ମ
ସହିତ ଜଡିତ ସ୍ଵତଃ ସ୍ଫୃତଃ ନାଚ ବାଜା ଓ
ସମାନତାପୂର୍ଣ ବିଚାର ଜାଗାରେ ବନ୍ଦନା, ଭଜନ, ପ୍ରବଚନ, ଓଡିଶୀ ନୃତ୍ୟ, ବିଭିନ୍ନ କାରୁକାର୍ଜ୍ୟମୟ ନୂଆ ମନ୍ଦିର ତୋଳା, ଉପାସ, ବ୍ରତ ଓ ଯଜ୍ଞ ମାଧ୍ୟମରେ ଧର୍ମ ପ୍ରସାରିତ ହେଉଛି। ଏହାରି ଭିତରେ ନିଜ ଧର୍ମ ଭିତରେ ଥିବା ଭ୍ରାତୁତ୍ଵ, ବନ୍ଧୁତା ଓ ସମାନତା
ଚିନ୍ତାଧାରା ଲୋପପାଉଛି। ଜଗନାଥଙ୍କ ନବକଳେବର ନାମରେ ବ୍ରାହ୍ମଣବାଦୀ ପରମ୍ପରାର ଏକ
ବିଶାଳ ପ୍ରଚାର ସାମ୍ନାରେ ପ୍ରକୃତ ଧର୍ମର ଭାବନା ଯାହା ଚଇତି ଭିତରେ ଅଛି ତାହା ଲୁଚି ଯିବାକୁ
ବସିଛି ଓ ଏକ ଶଠତାପୂର୍ଣ ବୈଷମ୍ୟପୂର୍ଣ ଅଧର୍ମକୁ ଧର୍ମ ନାମରେ ମାନ୍ୟତା ମିଳୁଛି । ଏହି
ରାଜନୀତିକରଣ ଭିତରେ ଓଡିଆ ସମାଜରେ ଥିବା ବିଭିଧତାକୁ ନଷ୍ଟକରି ଏକକ ତଥା ବ୍ରାହ୍ମଣବାଦୀ ଭାବନକୁ
ଧର୍ମ ନାମରେ ମାନ୍ୟତା ଦିଆଯାଉଛି । ଆଗାମୀ ଦିନରେ ହେବାକୁ ଥିବା ଦୁର୍ଦିନକୁ ଅନୁମାନ କରି ବେଳହୁଁ ଏସବୁକୁ ପ୍ରଶ୍ନ କରାଯିବା ଆବଶ୍ୟକ । ନହେଲେ ସାମାଜିକ ସଦଭାବନା
ନଷ୍ଟ ହୋଇ ଏକ ଘୃଣାର ପରିବେଶର ଶିକାର ଆମକୁ ଯେ ହେବାକୁ ପଡିବ ଏଥିରେ ସନ୍ଦେହ ନାହିଁ ।
ମୋବାଇଲ : 9437762272
No comments:
Post a Comment